ବ୍ୟବସାୟୀମାନେ ବେଳେ ବେଳେ ଦ୍ରବ୍ୟର ବିକ୍ରୟ ମୂଲ୍ୟ ସ୍ଥିର କରିବା ପାଇଁ ଏକ ନିୟମ ଅବଲମ୍ବନ କରିଥାନ୍ତି, ଯାହାକୁ ଇ˚ରାଜୀରେ କୁହାଯାଇଥାଏ: ‘‘ଅଲ୍ ଦି ଟ୍ରାଫିକ୍ ଵିଲ୍ ବେଅର’’। ଏହାର ସଳଖ ତର୍ଜମା ହେଲା-ଗ୍ରାହକ ସର୍ବାଧିକ ଯେତିକି ଆର୍ଥିକ ବୋଝ ବହନ କରିପାରିବ, ଅର୍ଥାତ୍ ସେ ସର୍ବାଧିକ ଯେତିକି ଦାମ୍ ଦେଇପାରିବ, ଦ୍ରବ୍ୟର ଦାମ୍ ସେତିକି ହେବ। ପାଠକପାଠିକାମାନଙ୍କର ବୁଝିବାକୁ ବାକି ନ ଥିବ ଯେ ଏହି ଦର ନିର୍ଦ୍ଧାରଣ ନିୟମ ଗ୍ରାହକକୁ ସର୍ବସ୍ବାନ୍ତ କରିବା ପାଇଁ ଉଦ୍ଦିଷ୍ଟ। ଏଭଳି ଶୋଷଣକାରୀ ଦର ନିର୍ଦ୍ଧାରଣ କୌଶଳର ଅନ୍ୟ ଏକ ଅଧିକ ଉପଯୁକ୍ତ ନାମ ହେଉଛି- ‘ପ୍ରାଇସ୍ ଗାଉଜିଙ୍ଗ୍’। ଏହାର ଆକ୍ଷରିକ ଅନୁବାଦ ହୋଇପାରେ- ଦାମ୍ ତାଡ଼ି ନେବା, ଯାହାର ମର୍ମ ହେଲା ଅତି ଉଚ୍ଚା ଦାମ ମାଧୢମରେ ଗ୍ରାହକର କ୍ରୟଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ତାଡ଼ି ନେଇଯିବା।
ଏଭଳି ବ୍ୟାବସାୟିକ ଆଚରଣକୁ ସାଧାରଣତଃ ଏକ ଅସାମାଜିକ ଆଚରଣ ରୂପେ ବିଚାର କରାଯାଇଥାଏ ଏବ˚ ସମୟ ସମୟରେ ଆଇନ ସାହଯ୍ୟରେ ଏହାକୁ ପ୍ରତିହତ କରିବାକୁ ଉଦ୍ୟମ କରାଯାଇଥାଏ, ବିଶେଷ କରି ସମ୍ପୃକ୍ତ ପଦାର୍ଥ ଯଦି ଔଷଧ ବା ଶିଶୁଖାଦ୍ୟ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟ ହୋଇଥାଏ। ଅଭାବ ସମୟରେ ଆଳୁ ପିଆଜ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀକୁ ପ୍ରାଇସ୍ ଗାଉଜିଙ୍ଗ୍ରୁ ସୁରକ୍ଷିତ ରଖିବା ପାଇଁ ସରକାର କରୁଥିବା ଉଦ୍ୟମ ସହିତ ଆମେ ସମସ୍ତେ ସୁପରିଚିତ। ଯଦି ପ୍ରାଇସ୍ ଗାଉଜିଙ୍ଗ୍କୁ ଅବାଧରେ ଅନୁସୃତ ହେବାକୁ ଦିଆଯାଏ, ତେବେ ପରିଣାମ ହେବ କିଏ ଔଷଧ ଅଭାବରୁ ପ୍ରାଣ ହରାଇବେ ତ କିଏ ଖାଦ୍ୟ ଅଭାବରୁ ପେଟରେ ଓଦା କନା ଦେଇ ରହିବେ। ସେପ୍ଟେମ୍ବର ପହିଲା ତାରିଖ ଠାରୁ ଦେଶରେ ବଳବତ୍ତର ହୋଇଥିବା ନୂତନ ମଟରଯାନ ଆଇନର ପ୍ରୟୋଗର ଆରମ୍ଭରୁ ଯେଉଁସବୁ ଘଟଣାମାନ ଦେଶର ବିଭିନ୍ନ ସ୍ଥାନରୁ ପ୍ରକାଶ ପାଇବାରେ ଲାଗିଛି, ତାହା ଦେଖି ଯଦି ଏହା ଏକ ଭିନ୍ନ କିସମର ପ୍ରାଇସ୍ ଗାଉଜିଙ୍ଗ୍ ବୋଲି କାହା ମନରେ ଧାରଣା ଜନ୍ମୁଥାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଗଣମାଧୢମ ଓ ସାମାଜିକ ଗଣମାଧୢମରେ ପ୍ରସାରିତ ବହୁ ସ˚ଖ୍ୟକ ଘଟଣା ମଧୢରୁ ଦୁଇଟି ପ୍ରତି ଏଠାରେ ପାଳକ ପାଠିକାମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇପାରେ। ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଜଣେ ସ୍କୁଟର ଚାଳକ ବିଭିନ୍ନ ଆଇନ ଉଲ୍ଲ˚ଘନ ଦଫାର ସମ୍ମୁଖୀନ ହେବା ଅଭିଯୋଗରେ ଟ୍ରାଫିକ ପୁଲିସ ତାଙ୍କ ଉପରେ ଯେତିକି ଅର୍ଥଦଣ୍ତ ଲଗାଇ ଚାଲାଣ କାଟିଲେ, ତାହା ଥିଲା ମୋଟ୍ ୨୩,୦୦୦ ଟଙ୍କା। ପୁରୁଣା ସ୍କୁଟରଟିର ମୂଲ୍ୟ ଚାଳକଙ୍କ କହିବା ଅନୁସାରେ ହେବ ମାତ୍ର ୧୫,୦୦୦ ଟଙ୍କା। ଅତଏବ ସେ ଜରିମାନା ଦେବା ଅପେକ୍ଷା ସ୍କୁଟରଟିକୁ ସେଠାରେ ଛାଡ଼ି ଦେଇ ଚାଲିଯିବାକୁ ପସନ୍ଦ କଲେ। ଦ୍ବିତୀୟ ଘଟଣାରେ ଭୁବନେଶ୍ବରର ଜଣେ ଅଟୋ ଚାଳକ ଟ୍ରାଫିକ୍ ପୁଲିସ୍ ହାତରେ ଧରା ପଡ଼ି ୫୨,୫୦୦ ଟଙ୍କାର ଅର୍ଥଦଣ୍ତରେ ଦଣ୍ତିତ ହୋଇଛନ୍ତି, ଯାହା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଟୋ ଚାଳକ କହିଛନ୍ତି ଯେ ସେ ପୁରୁଣା ଅଟୋରିକ୍ସାଟିକୁ ଏହାର ଠିକ୍ ପ୍ରାୟ ଅଧା ଅର୍ଥ ଦେଇ କ୍ରୟ କରିଥିଲେ। ଏଣୁ କ୍ରୟମୂଲ୍ୟର ଦୁଇଗୁଣ ଜରିମାନା ଆକାରରେ ଦେଇ ଯାନଟିକୁ ମୁକୁଳାଇବା ଅପେକ୍ଷା ତାହାକୁ ସେଠାରେ ଛାଡ଼ି ଦେଇ ଚାଲିଯିବାକୁ ଯେ କୌଣସି ସାମାନ୍ୟ ତମ ଲାଭକ୍ଷତି ହିସାବ ଜ୍ଞାନ ଥିବା ଲୋକ ପସନ୍ଦ କରିବ।
ମୂଳରେ ଉଲ୍ଲେଖ କରାଯାଇଥିବା ‘ଅଲ୍ ଦି ଟ୍ରାଫିକ୍ ଵିଲ୍ ବେଅର୍’ ନିୟମ ଆକ୍ଷରିକ ଅର୍ଥରେ ଏଠାରେ ବିଫଳ ହେଉଛି କିମ୍ବା କୁଫଳ ପ୍ରସୂତ କରୁଛି ବୋଲି କୁହାଯାଇପାରେ। ନୂତନ ଆଇନର ଅର୍ଥଦଣ୍ତ (ଯାହାକୁ ଟ୍ରାଫିକ୍ ଆଇନ୍ ଉଲ୍ଲ˚ଘନର ମୂଲ୍ୟ ରୂପେ ବିଚାର କରାଯାଇପାରେ) ଏତେ ଭାରୀ ଯେ ଗାଡ଼ିଚାଳକମାନେ ତାହାକୁ ବହନ କରିବା ସେମାନଙ୍କ କ୍ଷମତାର ବାହାରେ। ସେତିକି ନୁହେଁ, ଭୁବନେଶ୍ବର ଘଟଣାରୁ ସ୍ପଷ୍ଟ ହୋଇଥାଏ ଯେ ଏହି ନିୟମର ପ୍ରୟୋଗ ସେମାନଙ୍କୁ ସର୍ବସ୍ବାନ୍ତ କରିବା ପାଇଁ ଉଦ୍ଦିଷ୍ଟ। ଅଟୋରିକ୍ସାଟି ସମ୍ପୃକ୍ତ ଚାଳକଙ୍କର ଜୀବିକା ଅର୍ଜନର ମାଧୢମ ଥିଲା। ଟ୍ରାଫିକ୍ ନିୟମର ଉଲ୍ଲ˚ଘନ ତାଙ୍କ ଠାରୁ ସେ ମାଧୢମଟିକୁ ଛଡ଼ାଇ ନେବା ପରେ ତାଙ୍କ ପାଇଁ ଅନ୍ନସ˚ସ୍ଥାନ କରିବ କିଏ? ଏମିତିରେ ଦେଶରେ ଲାଗି ରହିଥିବା ତୀବ୍ର ମାନ୍ଦା ଅବସ୍ଥାରେ ଜୀବିକାର୍ଜନ ଏକ ଅତ୍ୟନ୍ତ ଅନିଶ୍ଚିତ ବ୍ୟାପାରରେ ପରିଣତ ହୋଇ ଥିବାବେଳେ ଏବ˚ ଚାକିରି ପାଇଁ ଅନ୍ୟମାନଙ୍କ ଭଳି ସରକାରଙ୍କ ଉପରେ ନିର୍ଭର ନ କରି ଅଟୋରିକ୍ସା କିମ୍ବା ଟ୍ୟାକ୍ସିଟିଏ ଚଳାଇ ନିଜର ଗୁଜରାଣ ମେଣ୍ଟାଇବାକୁ ଚେଷ୍ଟା କରୁଥିବା ଲୋକମାନଙ୍କୁ ପୁଣି ବେକାରି ମଧୢକୁ ଠେଲି ଦେବା ସେ ଲୋକ, ସମାଜ ଓ ସରକାର- କାହାରି ପାଇଁ ମଙ୍ଗଳପ୍ରଦ ନୁହେଁ।
କେବଳ ଏମାନେ ନୁହଁନ୍ତି, ଏମାନଙ୍କ ଭଳି ଆହୁରି ଅନେକ ଆତ୍ମନିଯୁକ୍ତ ଶ୍ରେଣୀର ସଦସ୍ୟ ଅଛନ୍ତି ଯେଉଁମାନଙ୍କ ଜୀବିକା ଅର୍ଜନରେ ମଟର ସାଇକେଲ୍ ବା ସ୍କୁଟର ଭଳି ଏକ ଦୁଇଚକିଆ ଯାନ ଏକ ଅତ୍ୟାବଶ୍ୟକ ପରୋକ୍ଷ ସାଧନ ହିସାବରେ କାର୍ଯ୍ୟ କରିଥାଏ। ମିସ୍ତ୍ରି, ମୂଲିଆ, ଦୁଧବାଲା, ପରିବା ବିକାଳିରୁ ବିଜୁଳି ବା ପାଣି ପାଇପ୍ ମିସ୍ତ୍ରି ପର୍ଯ୍ୟନ୍ତ ପ୍ରତିଦିନ କାମକୁ ଯିବା ଆସିବା ପାଇଁ ଏହି ଯାନ ବ୍ୟବହାର କରିଥାନ୍ତି। କହିବା ବାହୁଲ୍ୟ ଏପରି ଏକ ଆକାଶଛୁଆଁ ଅର୍ଥଦଣ୍ତର ସମ୍ମୁଖୀନ ହେଲେ ସେମାନଙ୍କ ଦୁର୍ବଳ ଆର୍ଥିକ ମେରୁଦଣ୍ତ ଭାଙ୍ଗିଯିବ। ସ୍କୁଲ, କଲେଜକୁ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀମନେ ମଧୢ ଅନୁରୂପ ଅସୁବିଧାର ସମ୍ମୁଖୀନ ହେବେ।
ଏହା ସତ ଯେ ଭାରତର ରାସ୍ତା ଦୁର୍ଘଟଣା ଏକ ଅତିକାୟ ସମସ୍ୟାରେ ପରିଣତ ହୋଇଛି, ଯାହାକୁ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡ଼ିଛି। ଏହି ଲକ୍ଷ୍ୟ ନେଇ ପ୍ରଣୀତ ହୋଇଥିବା ନୂତନ ଆଇନରେ ଅନେକ ସ୍ବାଗତଯୋଗ୍ୟ ବ୍ୟବସ୍ଥା ରହିଛି। କିନ୍ତୁ ଗୁରୁତର ନିରାପତ୍ତା ଉଲ୍ଲ˚ଘନକାରୀ ଆଚରଣକୁ କଠୋର ଦଣ୍ତ ଦିିଆଯାଇ ଅପେକ୍ଷାକୃତ କମ୍ ଗୁରୁତ୍ବପୂର୍ଣ୍ଣ ଉଲ୍ଲ˚ଘନକୁ ଅପେକ୍ଷାକୃତ କୋହଳ ଦଣ୍ତ ଦିଆଯିବା ପାଇଁ ବ୍ୟବସ୍ଥା ଦ୍ବାରା ଏ ଉଦ୍ଦେଶ୍ୟ ସାଧିତ ହୋଇପାରନ୍ତା। ଦ୍ବିତୀୟ ଶ୍ରେଣୀର ଉଲ୍ଲ˚ଘନ ପାଇଁ ଦଣ୍ତ ଏଭଳି ହେବା ଉଚିତ ଯାହା କଷ୍ଟଦାୟକ ହେବ କିନ୍ତୁ ବ୍ୟକ୍ତିଙ୍କୁ ସର୍ବସ୍ବାନ୍ତ କରିବ ନାହିଁ। ମଦ୍ୟପାନ କରି ବେପରୁଆ ଗାଡ଼ି ଚାଳନା କରିବା କାଗଜପତ୍ର ଠିକଣା ନ ଥିବା ଅପରାଧ ସହ ସମାନ ନୁହେଁ। ମନେ ହେଉଛି ନୂଆ ଆଇନ ଯୋଗୁଁ ସୃଷ୍ଟି ହୋଇଥିବା କୋକୁଆ ଭୟ ଯୋଗୁଁ ଅନେକ ସମ୍ଭାବ୍ୟ ଗ୍ରାହକ ବର୍ତ୍ତମାନ ସେମାନଙ୍କର ଗାଡ଼ି କିଣିବା ଯୋଜନା ପରିତ୍ୟାଗ କରି ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ପସନ୍ଦ କରିବେ। ମଟର ଗାଡ଼ି ନିର୍ମାଣ କ୍ଷେତ୍ରରେ ଦେଖାଦେଇଥିବା ଘୋର ଶିଥିଳ ଅବସ୍ଥା ଦୂର କରିବାରେ ଏହା ଯେ ସହାୟକ ହେବ ନାହିଁ, ସରକାର ହୃଦୟଙ୍ଗମ କରିବା ଜରୁରୀ।