ସୋମବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲକ୍ଷ୍ୟ କରି ପ୍ରକାଶ କରିଥିବା ତୀବ୍ର ଆବେଗପୂର୍ଣ୍ଣ, ଅତ୍ୟନ୍ତ ସ୍ପର୍ଶକାତର ପ୍ରତିକ୍ରିୟା ଦେଖି ମନେ ହେଉଛି ମନୁଷ୍ୟ ଚରିତ୍ରରେ କୌଣସି ମୌଳିକ ପରିବର୍ତ୍ତନ ଘଟିବା ପାଇଁ ବୟସ ଆଦୌ ଏକ ପ୍ରତିବନ୍ଧ ନୁହେଁ। ମନମୋହନ ସିଂହଙ୍କର ବୟସ ବର୍ତ୍ତମାନ ୮୫ ବର୍ଷ ପୂରି ୮୬ ଚାଲିଛି। ସୋମବାର ପର୍ଯ୍ୟନ୍ତ ତାଙ୍କର ଏହି ଦୀର୍ଘ ଜୀବନକାଳରେ ତାଙ୍କ ଚରିତ୍ରର ଯେଉଁ ଏକ ପ୍ରଧାନ ଦିଗ ସର୍ବଜନବିଦିତ ଥିଲା ତାହା ହେଲା ତାଙ୍କର ଆତ୍ମସ୍ୱାର୍ଥକୈନ୍ଦ୍ରିକ ସ୍ପର୍ଶ-ଉଦାସୀନତା। ଅର୍ଥାତ୍ ନିଜର ସ୍ୱାର୍ଥ ସୁରକ୍ଷିତ ଥିବା ପର୍ଯ୍ୟନ୍ତ ସେ ସମସ୍ତ ଅପମାନ ଓ ସମାଲୋଚନା ନିରବରେ ହଜମ କରି ଦିଅନ୍ତି। ଏହାର ଅନେକ ଉଦାହରଣ ମଧ୍ୟରୁ ମାତ୍ର ଦୁଇଟି ଏଠାରେ ତାଙ୍କର ଏହି ଚରିତ୍ର ସ୍ପଷ୍ଟ କରିବା ପାଇଁ ଯଥେଷ୍ଟ ହେବ।
ମନମୋହନ ସିଂହ ଜଣେ ପେସାଦାର ରାଜନୀତିଜ୍ଞ ନୁହଁନ୍ତି। ତାଙ୍କର ମୂଳ ପେସା ହେଉଛି ଅର୍ଥନୀତି। ଏ କ୍ଷେତ୍ରରେ ସେ ଉଚ୍ଚଶିକ୍ଷିତ ଏବଂ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ରୂପେ ପରିଚିତ। ଏହା ଅବଶ୍ୟ ସତ ଯେ ତାଙ୍କର ଏକାଗ୍ର କ୍ୟାରିଅର୍ମନସ୍କତା ଯୋଗୁଁ ସେ ତାଙ୍କ ଜୀବନ କାଳରେ ଯେଉଁ ସବୁ ପଦପଦବି ଲାଭ କରି ପାରିଛନ୍ତି କୌଣସି ପେସାଦାର ରାଜନୀତିଜ୍ଞ କିମ୍ବା ପେସାଦାର ଅମଲା ତା’ର କାଣିଚାଏ ମଧ୍ୟ ଲାଭ କରିପାରିଲେ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ମନେ କରିଥାନ୍ତି। ଆଉ ଏକଥା ମଧ୍ୟ ସତ ଯେ ସେ ଦୀର୍ଘକାଳ ଧରି ଦେଶର ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରହିଥିଲେ ହେଁ, ଜୀବନରେ କେବେହେଲେ ଥରଟିଏ ବି ନିର୍ବାଚନ ଜିତି ପାରିନାହାନ୍ତି। ଶେଷରେ ସେ ସୋନିଆ ଗାନ୍ଧୀଙ୍କର କୃପାଲାଭ କରି ଯେପରି ଦୀର୍ଘ ଦଶବର୍ଷ କାଳ ପ୍ରଧାନମନ୍ତ୍ରୀ ଆସନରେ ବସି ସମସ୍ତ ସୁଖ ସୁବିଧା ଉପଭୋଗ କଲେ, ତାହା କେବଳ ଦେଶ ଭିତରେ ନୁହେଁ, ଦେଶ ବାହାରେ ମଧ୍ୟ ଉପହାସ ସୃଷ୍ଟି କରିଥିଲେ ମଧ୍ୟ ଡକ୍ଟର ସିଂହଙ୍କୁ ତାହା ଆଦୌ ପ୍ରଭାବିତ କରିନଥିଲା। ଏହି ଉପହାସର ବୋଧହୁଏ ସର୍ବାଧିକ ଶାଣିତ ଉଦାହରଣ ଦେଖିବାକୁ ମିଳିଥିଲା ଯେତେବେଳେ ଲଣ୍ଡନରୁ ପ୍ରକାଶିତ ସର୍ବୋଚ୍ଚ ଶ୍ରେଣୀର ମର୍ଯ୍ୟାଦାଜନକ ପତ୍ରିକା ‘ଦି ଇକନୋମିଷ୍ଟ’ ଏକ ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଏହିପରି ବର୍ଣ୍ଣନା କରିଥିଲା: ‘‘ସେ ପଦରେ ଅଛନ୍ତି, କ୍ଷମତାରେ ନାହାନ୍ତି’’ (‘ହି ଇଜ୍ ଇନ୍ ଅଫିସ୍, ନଟ୍ ଇନ୍ ପାଓ୍ଵାର୍’)। ଅର୍ଥାତ୍ ପ୍ରଧାମନ୍ତ୍ରୀ ଚୌକିରେ ବସିଥିଲେ ମନମୋହନ, କିନ୍ତୁ କ୍ଷମତା ଥିଲା ସୋନିଆଙ୍କ ପାଖରେ। ଅର୍ଥନୀତିଜ୍ଞ ମନମୋହନ ସିଂହ ନିଶ୍ଚିତ ରୂପେ ‘ଦି ଇକନୋମିଷ୍ଟ’ର ଜଣେ ନିୟମିତ ପାଠକ ହୋଇଥିବେ। କାହିଁ, ନା ସେ ନିଜେ, ନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେ ପତ୍ରିକାକୁ ଏକ ପ୍ରତିବାଦ ପତ୍ର ପଠାଇଲେ ନାହିଁ ତ?
ଦ୍ୱିତୀୟ ଉଦାହରଣଟି ହେଉଛି ବର୍ତ୍ତମାନ ସୁପରିଚିତ ‘ନନ୍ସେନ୍ସ ଅର୍ଡିନାନ୍ସ’କୁ କେନ୍ଦ୍ର କରି। ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ଏମ୍ପି ଏବଂ ଏମ୍ଏଲ୍ଏମାନଙ୍କ ସଦସ୍ୟ ପଦ ରଦ୍ଦ ହେବା ପାଇଁ ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ ଅକାମି କରିବା ଉଦ୍ଦେଶ୍ୟରେ ମନମୋହନ ସିଂହଙ୍କ କ୍ୟାବିନେଟ୍ ତରବର ହୋଇ ଏକ ଅର୍ଡିନାନ୍ସ୍ ପାସ୍ କରି ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇ ଦେଇଥିଲା। ରାଷ୍ଟ୍ରପତି ତାହାକୁ ସ୍ୱାକ୍ଷର କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଚାଲି ଯାଇଥିଲେ। ଓ୍ଵାସିଂଟନ୍ରେ ମନମୋହନ ସିଂହ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଭେଟିବାର ମାତ୍ର କେତେ ଘଣ୍ଟା ପୂର୍ବରୁ ଏଣେ ଦିଲ୍ଲୀରେ କଂଗ୍ରେସର ତତ୍କାଳୀନ ଉପସଭାପତି ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇ ଏକ ନାଟକୀୟ ଢଙ୍ଗରେ ସେଇ ଅର୍ଡିନାନ୍ସକୁ ‘ସମ୍ପୂର୍ଣ୍ଣ କାଣ୍ଡ ଜ୍ଞାନ ଶୂନ୍ୟ’ (‘କମ୍ପ୍ଲିଟ୍ ନନ୍ସେନ୍ସ’) ଆଖ୍ୟା ଦେଇ ଫିଙ୍ଗି ଦେଇଥିଲେ। ବିଦେଶ ଭୂଇଁରେ ଥିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହା ଠାରୁ ବଳି ଅପମାନ କ’ଣ ହୋଇପାରେ? ସମସ୍ତେ ଆଶା କରୁଥିଲେ ଏଥର ମନମୋହନ ସିଂହ ନିଜ ପଦରୁ ଇସ୍ତଫା ଦେଇଦେବେ। ଅବଶ୍ୟ ସେପରି କିଛି ହେଲା ନାହିଁ ଓ ସେ ସୁନାପିଲା ପରି ଅର୍ଡିନାନ୍ସଟିକୁ ପ୍ରତ୍ୟାହାର କରିଦେଲେ। ଅର୍ଡିନାନ୍ସଟି ଯେ ସମ୍ପୂର୍ଣ୍ଣ ଅନୈତିକ ଥିଲା, ଏଥିରେ ସନ୍ଦେହ ନାହିଁ। ଏଠାରେ କିନ୍ତୁ ପ୍ରସଙ୍ଗ ତାହା ନୁହେଁ। ପ୍ରସଙ୍ଗ ହେଉଛି ମନେମୋହନ ସିଂହଙ୍କ ସ୍ପର୍ଶକାତରତା। ସେଇ ମନମୋହନ ସିଂହ ଏବେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ହେବା ପରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ନ୍ଧନା କରି କହିଛନ୍ତି ରାହୁଲ ହେଉଛନ୍ତି କଂଗ୍ରେସର ‘ଡାର୍ଲିଙ୍ଗ୍’।
ଆଉ ସେଇ ମନମୋହନ ସିଂହ ଏବେ କେତେକ ପାକିସ୍ତାନୀ ଏବଂ କେତେକ ଜଣାଶୁଣା ପାକ୍-ସମର୍ଥକ ମାନଙ୍କ ସହିତ ଏକ ଗୁପ୍ତ ନୈଶ ଭୋଜିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମାଲୋଚନାର ନିଶାଣ ହେବା ପରେ ହଠାତ୍ ଅଣଚାରିତ୍ରିକ ଭାବରେ ପ୍ରତିକ୍ରିୟାଶୀଳ ହୋଇପଡ଼ି କହିଛନ୍ତି ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦାହାନି କରିଛନ୍ତି। ନିଜ ବାସଗୃହରେ ଏ ଭୋଜିଟି ଆୟୋଜନ କରିଥିଲେ ଭାରତର ଜଣାଶୁଣା ପାକିସ୍ତାନପ୍ରେମୀ ମଣିଶଙ୍କର ଆୟାର୍। ସେଠାରେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ଥିଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଖୁର୍ସିଦ୍ ମହମୁଦ୍ କସୁରି, ଭାରତରେ ଥିବା ପାକିସ୍ତାନର ହାଇକମିସନର୍ ସୋହେଲ୍ ମହମୁଦ୍, ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଆନ୍ସାରି (ଯିଏ କେତେଦିନ ତଳେ ଭାରତରେ ମୁସଲମାନ ମାନଙ୍କର ନିରାପତ୍ତା ନେଇ ଚିନ୍ତା ପ୍ରକଟ କରିଥିଲେ!), ଭାରତର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ୍ ଦୀପକ କପୁର, ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଦି। ଏ ଭୋଜିଟି ଆୟୋଜିତ ହୋଇଥିଲା ଡିସେମ୍ବର ୬ ତାରିଖ ରାତିରେ, ଗୁଜରାଟରେ ହେବାକୁ ଥିବା ନିର୍ବାଚନର ଅବ୍ୟବହିତ ପୂର୍ବରୁ। ଠିକ ତା’ ପରଦିନ ମଣିଶଙ୍କର ଆୟାର୍ ମୋଦୀଙ୍କୁ ‘ନୀଚ’ ଆଖ୍ୟା ପ୍ରଦାନ କଲେ।
ଭୋଜିସଭାର ଅନ୍ୟ ସଦସ୍ୟମାନଙ୍କୁ ଏହା ଜଣାଥାଉ କି ନଥାଉ, ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କୁ କିନ୍ତୁ ଅର୍ଥଶାସ୍ତ୍ରର ଜନକ ଆଡାମ୍ ସ୍ମିଥ୍ଙ୍କର ଏହି ଉକ୍ତିଟି କେବେ ହେଲେ ଅଜଣା ନଥିବ: ‘‘ପିପୁଲ୍ ଅଫ୍ ଦି ସେମ୍ ଟ୍ରେଡ୍ ସେଲ୍ଡମ୍ ମିଟ୍ ଟୁଗେଦର, ଇଭିନ୍ ଫର୍ ମେରିମେଣ୍ଟ୍ ଆଣ୍ଡ୍ ଡାଇଭର୍ଜନ୍, ବଟ୍ ଦି କନ୍ଭର୍ସେସନ୍ ଏଣ୍ଡ୍ସ ଇନ୍ ଏ କନ୍ସ୍ପିରେସି ଏଗେନ୍ଷ୍ଟ ଦି ପବ୍ଲିକ୍...।’’ ଏହାର ମର୍ମ ହେଲା, ଏକ ପ୍ରକାର ଧନ୍ଦାର ଲୋକମାନେ ମଉଜ ମଜଲିସ ପାଇଁ ଏକାଠି ହେଲେ ମଧ୍ୟ ଅବିଳମ୍ବେ ଜନସାଧାରଣଙ୍କ ବିରୁଦ୍ଧରେ ଚକ୍ରାନ୍ତ ସେମାନଙ୍କର କଥାବାର୍ତ୍ତାର ବିଷୟବସ୍ତୁ ପାଲଟି ଯାଏ। ଉପରୋକ୍ତ ଭୋଜି ସଭାର ସମସ୍ତ ସଦସ୍ୟ ହେଉଛନ୍ତି ପାକିସ୍ତାନପ୍ରେମୀ ଏବଂ ଜଣାଶୁଣା ଭାବେ ମୋଦୀ-ବିରୋଧୀ। ଭୋଜିର ଆୟୋଜକ ମଣିଶଙ୍କର ଆୟାର୍ଙ୍କର ଘୋଷିତ ଲକ୍ଷ୍ୟ ହେଉଛି: ‘‘ଭାରତ-ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ଫେରାଇ ଆଣିବା ନିମିତ୍ତ ମୋଦୀ ଶାସନର ପତନ ଘଟାଇବାକୁ ହେବ।’’ କେତେ ଦିନ ତଳେ ସେ ଏଥିପାଇଁ ପାକିସ୍ତାନର ସାହାଯ୍ୟ ମଧ୍ୟ ମାଗିଥିଲେ। ତେଣୁ ଭୋଜିର ସ୍ଥାନ, କାଳ, ପାତ୍ର ଦେଖି ଆଡାମ୍ ସ୍ମିଥ୍ଙ୍କୁ ଅନୁସରଣ କରି ନରେନ୍ଦ୍ର ମୋଦୀ ଯଦି ଭାବୁଥାନ୍ତି ଯେ ସେଠାରେ ତାଙ୍କ ବିରୋଧରେ କିଂବା ତାଙ୍କ ଦଳ ବିରୋଧରେ କିଛି ଚକ୍ରାନ୍ତ କରାଯାଇଥିଲା, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଆୟୋଜକମାନଙ୍କ ତରଫରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି ଯେ ସେ ଭୋଜି ସଭାରେ କେବଳ ଭାରତ-ପାକିସ୍ତାନ ସମ୍ପର୍କ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏହା ସେମାନଙ୍କୁ ଅବିଦିତ ନୁହେଁ ଯେ ବାରମ୍ବାର ପାକିସ୍ତାନ ଦ୍ୱାରା ରଚିତ ଆତଙ୍କବାଦୀ ଆକ୍ରମଣ ମାନଙ୍କ ପରେ ଭାରତ-ପାକ୍ ସମ୍ପର୍କ ବର୍ତ୍ତମାନ ଅତ୍ୟନ୍ତ ଶୀତଳ ଅବସ୍ଥାରେ ରହିଛି। ଏହି ସମୟରେ ଏଥିରେ ନାକ ଗଳାଇବାକୁ ଏମାନଙ୍କୁ ଅଧିକାର ଦେଲା କିଏ? ବିଶେଷକରି ଭାରତର ଜଣେ ଭୂତପୂର୍ବ ପ୍ରଧାନମନ୍ତ୍ରୀଙ୍କର ସେଠାରେ ଉପସ୍ଥିତି ଏହି ଅଯାଚିତ ଉଦ୍ୟମକୁ ଏକ ପ୍ରକାର ବିଧିବଦ୍ଧ ସ୍ୱୀକୃତି ପ୍ରଦାନ କରୁନାହିଁ କି? ପ୍ରଧାନମନ୍ତ୍ରୀ ଥିବା ସମୟରେ ମନମୋହନ ସିଂହ ଯେଉଁ ପଦ ଓ ଗୋପନୀୟତାର ଶପଥ ନେଇଥିଲେ, ଏହା ତାହାର ଉଲ୍ଲଂଘନ କରୁନାହିଁ କି? ତେଣୁ ପ୍ରଧାନମନ୍ତ୍ରୀ ପଦର ଯଦି କେହି ମର୍ଯ୍ୟାଦା ହାନି କରିଥାନ୍ତି, ସେ ନରେନ୍ଦ୍ର ମୋଦୀ ନୁହନ୍ତି, ସେ ହେଉଛନ୍ତି ମନମୋହନ ସିଂହ; ଯେମିତି ସେ ଅତୀତରେ କ୍ଷମତାହୀନ ଭାବରେ ଚୌକିରେ ବସି କରିଥିଲେ କିଂବା ଟୁଜିରୁ କୋଇଲା ପର୍ଯ୍ୟନ୍ତରେ ତାଙ୍କ ନାକତଳେ ହୋଇଥିବା ମହାଦୁର୍ନୀତି ମାନଙ୍କ ପ୍ରତି ଆଖିବୁଜି ଦେଇ କରିଥିଲେ।