ନିର୍ମଳା ହିଉରିଷ୍ଟିକ୍

ତର୍କ ଶାସ୍ତ୍ରର ଯେଉଁ ଏକ ମୌଳିକ ନିୟମ ସହିତ ଆମେ ସମସ୍ତେ ସୁପରିଚିତ, ତାହା ହେଲା- ସିଦ୍ଧାନ୍ତ ଯୁକ୍ତି ଉପରେ ନିର୍ଭର କରିଥାଏ। ପ୍ରଥମେ ଯୁକ୍ତି, ପରେ ତାହାକୁ ଆଶ୍ରୟ କରି ସିଦ୍ଧାନ୍ତର ଆବିର୍ଭାବ ଘଟେ। ବେଳେବେଳେ କିନ୍ତୁ ଦେଖା ଯାଇଥାଏ କେହି କେହି ପ୍ରଥମେ ନିଜର ପସନ୍ଦ, ଅପସନ୍ଦ ଦ୍ବାରା ପ୍ରଭାବିତ ହୋଇ ପ୍ରଥମେ ଏକ ସିଦ୍ଧାନ୍ତରେ ପହଞ୍ଚି ଯାଆନ୍ତି ଏବ˚ ଯୁକ୍ତି ଦ୍ବାରା ତାହାକୁ ସତ୍ୟ ସାବ୍ୟସ୍ତ କରିବାକୁ ଚେଷ୍ଟା କରନ୍ତି। ଯୁକ୍ତି ପାଇଁ ଆବଶ୍ୟକ ତଥ୍ୟ ସ˚ଗ୍ରହ, ଅନୁଶୀଳନ ଆଦି କଷ୍ଟକୁ ଏଡ଼ାଇ ଯାଇ ନିଜର ପସନ୍ଦ, ଅପସନ୍ଦ ଦ୍ବାରା ପ୍ରଦର୍ଶିତ ସହଜ ବାଟରେ ଯାଇ ଏକ ସିଦ୍ଧାନ୍ତରେ ପହଞ୍ଚି ଯିବାର ପ୍ରବଣତାକୁ ମନସ୍ତତ୍ତ୍ବବିତ୍‌ ପଲ୍‌ ସ୍ଲୋଭିଚ୍‌ ପ୍ରଦାନ କରିଥିବା ନାମ ହେଉଛି: ‘ଆଫେକ୍ଟ ହିଉରିଷ୍ଟିକ୍‌’।

ଏହି ମନସ୍ତାତ୍ତ୍ବିକ ଧାରଣା ସହିତ ଯେଉଁମାନେ ପରିଚିତ ଥିବେ ସେମାନଙ୍କର କୌଣସି ସନ୍ଦେହ ନ ଥିବ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ତ୍ତମାନ ଏହି ‘ଆଫେକ୍ଟ ହିଉରିଷ୍ଟିକ୍‌’ର ପ୍ରସିଦ୍ଧତମ ବ୍ୟବହାରକାରୀ ରୂପେ ଆବିର୍ଭୂତ ହୋଇଛନ୍ତି, ଯେତେବେଳେ ସେ କହିଲେ ଯେ ‘ମିଲେନିଆଲ୍‌ ପିଢ଼ି’ ରୂପେ ପରିଚିତ ୧୯୮୧ରୁ ୧୯୯୬ ମଧୢରେ ଜନ୍ମିତ ଭାରତର ଯୁବକ ଯୁବତୀମାନେ ଅଧିକରୁ ଅଧିକ ‘ଓଲା’, ‘ଉବର‌୍‌’ ଭଳି ଭଡ଼ା ଗାଡ଼ିରେ ଯିବା ଆସିବାକୁ ପସନ୍ଦ କରୁଥିବାରୁ ଦେଶରେ ମଟରଗାଡ଼ି ଶିଳ୍ପରେ ମାନ୍ଦା ଅବସ୍ଥା ଦେଖା ଦେଇଛି। ଗତ ମଙ୍ଗଳବାର ଦିନ ଚେନ୍ନାଇଠାରେ ରିପୋର୍ଟରମାନଙ୍କୁ ସମ୍ବୋଧନ କଲା ବେଳେ ମଟରଗାଡ଼ି ଶିଳ୍ପର ମାନ୍ଦା ଅବସ୍ଥାର କାରଣ ସମ୍ବନ୍ଧରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ନିଜର ପସନ୍ଦ ଅନୁସାରେ ମିଲେନିଆଲ୍‌ଙ୍କ ମୁଣ୍ତରେ ଦୋଷ ଲଦି ଦେଇ ସୀତାରମଣ ଯାହା ସ୍ପଷ୍ଟ କରି ଦେଇଛନ୍ତି, ତାହା ହେଲା ସେ ମଟରଗାଡ଼ି ଶିଳ୍ପ ସମ୍ମୁଖୀନ ହୋଇଥିବା ସମସ୍ୟାର ସଠିକ୍‌ ଅନୁଶୀଳନ କରିବାର କଷ୍ଟ ସ୍ବୀକାର କରି ନାହାନ୍ତି।

ସୀତାରମଣଙ୍କ ଭାବାବେଗ ସହିତ ଏକମତ ହୋଇ ଧରି ନିଆଯାଉ ଯେ ମିଲେନିଆଲ୍‌ମାନେ ‘ଓଲା’, ‘ଉବର’ ପସନ୍ଦ କରୁଥିବାରୁ କାର‌୍‌ ବିକ୍ରିରେ ସ୍ଖଳନ ଘଟୁଛି। କିନ୍ତୁ କାର‌୍‌ ତ ଏକ ମାତ୍ର ମଟର ଯାନ ନୁହେଁ। ଦେଶରେ ଟ୍ରକ୍‌, ଟ୍ରାକ୍ଟର ଭଳି ଭାରୀ ଯାନରୁ ଆରମ୍ଭ କରି ହୀନ ମନେ କରାଯାଉଥିବା ଦୁଇଚକିଆ ମୋପେଡ଼ ପର୍ଯ୍ୟନ୍ତର ବିକ୍ରୟରେ ଯେଉଁ ଶିଥିଳତା ଦେଖାଦେଇଛି, ସେଥିପାଇଁ କ’ଣ ‘ଓଲା’, ‘ଉବର‌୍‌’ ଓ ମିଲେନିଆଲ୍‌ମାନେ ମଧୢ ଦାୟୀ? ପ୍ରକାଶିତ ସୂଚନା ଅନୁସାରେ ଅଗଷ୍ଟ ମାସରେ ଟାଟା ମୋଟର୍ସ, ଅଶୋକ ଲେ ଲ୍ୟାଣ୍ତ, ଭୋଲ୍‌ଭୋ ଏଇସର‌୍‌ ଏବ˚ ମହୀନ୍ଦ୍ରା ଆଣ୍ତ ମହୀନ୍ଦ୍ରା ଭଳି ଭାରତର ଚାରି ପ୍ରମୁଖ ମଧୢମ ଓ ଭାରୀ ବାଣିଜ୍ୟିକ ଯାନ (କମର୍ସିଆଲ ଭେଇକ୍‌ଲ) ନିର୍ମାତାମାନଙ୍କ ଉତ୍ପାଦନରେ ୫୯.୫% ହ୍ରାସ ଘଟିଥିଲା- ଗତବର୍ଷ ଏହି ସମୟ ତୁଳନାରେ। ଟାଟା ମୋଟର୍ସର କମର୍ସିଆଲ ଭେଇକ୍‌ଲସ ଡିଭିଜନର ପ୍ରେସିଡେଣ୍ଟ ଗିରୀଶ ଵାଗ ଏ ସ˚କୋଚନର କାରଣ ପ୍ରଦାନ କରିବାକୁ ଯାଇ କହିଥିଲେ ଚାହିଦାରେ ମାନ୍ଦା ମାନସିକତା ପଛରେ ରହିଛି ପରିବହନ ପାଇଁ ଉଦ୍ଦିଷ୍ଟ ମାଲ୍‌ର ଅଭାବ, ନୀଚା ଭଡ଼ା, ଏବ˚ ସାରା ଅର୍ଥନୀତିରେ ଦେଖା ଦେଇଥିବା ସାଧାରଣ ମାନ୍ଦା ଅବସ୍ଥା। ଭାରୀ ଯାନ ନିର୍ମାତାମାନେ ଏପରି ହତାଶ ହୋଇ ପଡ଼ିଛନ୍ତି ଯେ ସେମାନେ ୪୯ ଟନ୍‌ରୁ ଅଧିକ ଓଜନଦାର‌୍‌ ଗାଡ଼ି ଉପରେ ୯,୦୦,୦୦୦ (ନ’ଲକ୍ଷ) ଟଙ୍କା ପର୍ଯ୍ୟନ୍ତ ରିହାତି ଦେବାକୁ ଆରମ୍ଭ କଲେଣି। ମିଲେନିଆଲ୍‌ମାନେ କ’ଣ ‘ଓଲା’, ‘ଉବର’ ବ୍ୟବହାର କରି ଭାରୀ ଯାନ ଆଉ କିଣୁ ନାହାନ୍ତି?

କାର‌୍‌ ବିକ୍ରିରେ ଯେଉଁ ସଙ୍କୋଚନ ଦେଖା ଦେଇଛି, ସେଥିପାଇଁ ମିଲେନିଆଲ୍‌ଙ୍କ ମୁଣ୍ତରେ ଦୋଷ ଲଦିବା ମଧୢ ଏକ ବିଶୁଦ୍ଧ ଅତିରଞ୍ଜନ। ମିଲେନିଆଲ୍‌ମାନେ ଅନ୍ୟ ଗ୍ରାହକମାନଙ୍କ ଭଳି ମଧୢ ହେଉଛନ୍ତି ସମାଜର ଏକ ଅ˚ଶ। ଯଦି ଅର୍ଥନୀତିରେ ଦେଖା ଦେଇଥିବା ମାନ୍ଦା ଅବସ୍ଥା ପ୍ରଭାବରେ ଅନ୍ୟମାନେ କାର‌୍‌ କିଣି ପାରୁନାହାନ୍ତି, ମିଲେନିଆଲ୍‌ମାନେ ମଧୢ କାର‌୍‌ କିଣିବାକୁ ସମର୍ଥ ନୁହନ୍ତି। ମଟରଗାଡ଼ି ଉତ୍ପାଦନକାରୀ ସ˚ଘ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ଗତବର୍ଷ ଅଗଷ୍ଟ ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ଦେଶରେ କାର‌୍‌ ବିକ୍ରିରେ ୪୧%ରୁ ଅଧିକ ହ୍ରାସ ଘଟିଛି। ଏ ବିଶାଳ ଅନୁପାତର ଗାଡ଼ିମାନ କ’ଣ କେବଳ ମିଲେନିଆଲ୍‌ମାନେ ହିଁ କିଣୁଥିଲେ? ଉଭୟ କାର‌୍‌ ଏବ˚ ମଧୢମ ଓ ଭାରୀ ଯାନ ବିକ୍ରିରେ ଏହି ସ୍ଖଳନ ହେଉଛି ୧୯୯୭-୯୮ଠାରୁ ଲିପିବଦ୍ଧ କରା ହୋଇ ଆସୁଥିବା ଏ ସମ୍ବନ୍ଧିତ ରେକର୍ଡରେ ସର୍ବାଧିକ ସ୍ଖଳନ।

ଦେଶର ଅର୍ଥମନ୍ତ୍ରୀ ଥିବା ସୀତାରମଣ ଅନ୍ୟ ସମସ୍ତଙ୍କ ଠାରୁ ଅଧିକ ଭଲ ରୂପେ ଜାଣିଥିବେ ଯେ ବର୍ତ୍ତମାନ ଦେଖାଦେଇଥିବା ଚାହିଦା ସଙ୍କୋଚନ କେବଳ ମଟରଗାଡ଼ି ଶିଳ୍ପ ମଧୢରେ ସୀମିତ ନୁହେଁ। ରିଅଲ୍‌ ଇଷ୍ଟେଟ୍‌ରୁ ଆରମ୍ଭ କରି ଦ୍ରୁତ ବିକ୍ରୟଶୀଳ ଖାଉଟି ଦ୍ରବ୍ୟ ପର୍ଯ୍ୟନ୍ତ ଏ ମାନ୍ଦା ଚାହିଦା କବଳରେ ପଡ଼ି ଛଟପଟ ହେଉଛନ୍ତି। ଏପ୍ରିଲ-ଜୁନ୍‌ ତ୍ରୈମାସିକ ଜିିଡିପି ଅଭିବୃଦ୍ଧି ହାର ଏହାର ସ୍ବାକ୍ଷର ବହନ କରି ଗତ ବର୍ଷର ଏହି ସମୟର ୮% ରୁ ଖସି ଆସିଛି ୫%କୁ। ଖୋଦ୍‌ ‘ଓଲା’, ‘ଉବର‌୍‌’ ମଧୢ ଏ ସାମଗ୍ରିକ ମାନ୍ଦା ଅବସ୍ଥାରୁ ରକ୍ଷା ପାଇନାହାନ୍ତି। ୨୦୧୬ରେ ଏ ଦୁହିଁଙ୍କର ଦୈନିକ ବ୍ୟବହାରକାରୀ ସ˚ଖ୍ୟାରେ ୮୦% ବୃଦ୍ଧି ଘଟିଥିବା ବେଳେ ୨୦୧୯ରେ ଏ ପର୍ଯ୍ୟନ୍ତ ଘଟିଥିବା ବୃଦ୍ଧି ହେଉଛି ମାତ୍ର ୪.୫%।

ବର୍ତ୍ତମାନର ଅର୍ଥନୈତିକ ଦୁରବସ୍ଥାରେ ନିଜେ ନିର୍ମଳା ସୀତାରମଣଙ୍କର ଯେ ଏକ ଭୂମିକା ରହିଛି, ତାହାର ପ୍ରମାଣ ଦେଖିବାକୁ ମିଳିଥିଲା ଯେତେବେଳେ ସେ ବଜେଟରେ ଅନ୍ତର୍ଭୁକ୍ତ କରିଥିବା ୧୦ଟି ସରିକି ବିଭିନ୍ନ ନିରୁତ୍ସାହ ସୃଷ୍ଟିକାରୀ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ବାଧୢ ହୋଇଥିଲେ। ଯେଉଁ ମଟରଗାଡ଼ି ବଜାରରେ ଚାହିଦା ସଙ୍କୋଚନ ପାଇଁ ସେ ମିଲେନିଆଲ୍‌ମାନଙ୍କୁ ଦାୟୀ କରୁଛନ୍ତି, ତା ଉପରେ ତାଙ୍କ ସହକର୍ମୀ ପରିବହନ ମନ୍ତ୍ରୀ ନିତୀନ୍‌ ଗଡ଼କାରୀ ଚଳାଇଥିବା ନୂତନ ଏମ୍‌ଭି ଆକ୍ଟ ସ୍ବରୂପ ଆତଙ୍କରାଜର ପ୍ରଭାବ ଯେ କେବେ ହେଲେ ଅନୁକୂଳ ହେବ ନାହିଁ, ସୀତାରମଣ ସେ ସମ୍ବନ୍ଧରେ ସଚେତନ ଅଛନ୍ତି ତ?

ମାନ୍ଦା ଅବସ୍ଥା ଯୋଗୁଁ ମଟରଗାଡ଼ି ଏବ˚ ମଟରଗାଡ଼ି ଯନ୍ତ୍ରା˚ଶ ନିର୍ମାଣ କ୍ଷେତ୍ରରେ ପ୍ରାୟ ୩.୫ ଲକ୍ଷ ନିଯୁକ୍ତି ଛଟେଇ ହୋଇସାରିଲାଣି। ସୀତାରମଣ ଏଥିରେ ପୁନର୍ଜୀବନ ପ୍ରଦାନ ଉଦ୍ୟମ ସ୍ବରୂପ ପ୍ରଥମେ ସେ ଶିଳ୍ପ ଦାବି କରୁଥିବା ଭଳି ଜିଏସ୍‌ଟିକୁ ବର୍ତ୍ତମାନର ୨୮%ରୁ ହ୍ରାସ କରି ୧୮% କରନ୍ତୁ। ବୃହତ୍ତର ଅର୍ଥନୀତିରେ ଚାହିଦାର ପୁନର୍ଜାଗରଣ ପାଇଁ ବିିଭିନ୍ନ ରାଜକୋଷୀୟ ପ୍ରୋତ୍ସାହନ ପ୍ରଦାନ ଆରମ୍ଭ କରନ୍ତୁ। ନଚେତ୍‌ ଭାରତର ନିକଟ ଇତିହାସରେ ସେ ଜଣେ ସର୍ବାଧିକ ବିଫଳ ଅର୍ଥମନ୍ତ୍ରୀ ରୂପେ ସ୍ଥାନ ପାଇବେ, ଯିଏ ଅର୍ଥନୀତିର ଅବସ୍ଥା ସମ୍ପର୍କରେ କଠିନ ପ୍ରଶ୍ନର ଉତ୍ତର ଦେଇ ନ ପାରି ମିଲେନିଆଲମାନଙ୍କ ଯାତାୟାତ ଅଭ୍ୟାସ ଭଳି ଏକ ସହଜ ପ୍ରଶ୍ନର ଉତ୍ତର ମାଧୢମରେ ଦେଶବାସୀଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଥିଲେ ବୋଲି ଅପଖ୍ୟାତି ଲାଭ କରିବେ। ମନସ୍ତତ୍ତ୍ବବିତ୍‌ମାନେ ଏପରି କୌଶଳକୁ ଚିହ୍ନଟ କରି ତାର ନାମକରଣ କରିଛନ୍ତି: ‘ଇନ୍‌ଟୁଇଟିଭ୍‌ ହିଉରିଷ୍ଟିକ୍‌’।

ସମ୍ବନ୍ଧିତ ଖବର