ଉଚ୍ଚକୋଟୀର ବିଶ୍ବବିଦ୍ୟାଳୟ

‘ଭାରତୀୟ ବିଶ୍ବବିଦ୍ୟାଳୟଗୁଡ଼ିକ ଅନେକ ବିଶ୍ବସ୍ତରୀୟ ତାରକା ସୃଷ୍ଟି କରିଛନ୍ତି, କିନ୍ତୁ ଭାରତ ଏ ଯାବତ୍‌ ଗୋଟିଏ ବିଶ୍ବସ୍ତରୀୟ ତାରକା-ବିଶ୍ବବିଦ୍ୟାଳୟ ସୃଷ୍ଟି କରିପାରିନାହିଁ।’ କିଛି ଦିନ ତଳେ ଏକ ଆଲୋଚନା ପ୍ରସଙ୍ଗରେ ଏଭଳି ଏକ ମନ୍ତବ୍ୟ ଦେଇଥିଲେ ମାଇକେଲ ଟ୍ରୁକାନୋ, ବିଶ୍ବବ୍ୟାଙ୍କରେ ଶିକ୍ଷା ଓ ପ୍ରଯୁକ୍ତି ନୀତି ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣେ ପ୍ରସିଦ୍ଧ ଶିକ୍ଷାବିତ୍‌। କଥାଟା ସତ। ଇନ୍ଦ୍ରା ନୁୟୀ ହୁଅନ୍ତୁ କି ସତ୍ୟ ନାଦେଲା ବା ସୁନ୍ଦର ପିଚାଇ; ଏମାନେ ସମସ୍ତେ ଜଣେ ଜଣେ ବିଶ୍ବ ତାରକା। ପେପ୍‌ସିକୋ, ମାଇକ୍ରୋସଫ୍‌ଟ ଓ ଗୁଗଲ ଭଳି ନିଜ ନିଜ କ୍ଷେତ୍ରରେ ବିଶ୍ବର ଏକ ନମ୍ବର ଉଦ୍ୟୋଗର ଏମାନେ ହେଉଛନ୍ତି ମୁଖ୍ୟ ପରିଚାଳକ। ଏ ସମସ୍ତଙ୍କର ଉଚ୍ଚ ଶିକ୍ଷାର ମୂଳଦୁଆ ପଡ଼ିଛି ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ। କେବଳ ଏମାନେ ନୁହନ୍ତି, ପୃଥିବୀର ଅସ˚ଖ୍ୟ ଆଗ ଧାଡ଼ିର ବା ମଧୢମ ସ୍ତରୀୟ ଉଦ୍ୟୋଗ ଓ ବ୍ୟାବସାୟିକ ଅନୁଷ୍ଠାନର ଶୀର୍ଷରେ ରହିଛନ୍ତି ଏମିତି ଅନେକ ଭାରତୀୟ, ଯେଉଁମାନେ ବିଭିନ୍ନ ଭାରତୀୟ ବିଶ୍ବବିଦ୍ୟାଳୟର ଉପଜ। ସେହି କାରଣରୁ ପୃଥିବୀର ସବୁ ବଡ଼ ବଡ଼ ବ୍ୟାବସାୟିକ ସ˚ସ୍ଥାର ‘ପ୍ରତିଭା ଶିକାରୀ’ମାନେ ଛୁଟି ଆସନ୍ତି ଆଇଆଇଏସ୍‌, ଆଇଆଇଟି, ଆଇଆଇଏମ୍‌ ବା ଏନ୍‌ଆଇଟିକୁ ତାରକା ସନ୍ଧାନରେ ଏବ˚ ଅପରିମେୟ ବେତନରେ ସେମାନଙ୍କୁ ନେଇ ଯାଆନ୍ତି ମଧୢ। କିନ୍ତୁ ଏହି ତାରକାମାନଙ୍କୁ ସେମାନଙ୍କ ଆଲୋକ ଲାଗି ଇନ୍ଧନ ଯୋଗାଇଥିବା ବିଶ୍ବବିଦ୍ୟାଳୟମାନଙ୍କ କଥା ଯେତେବେଳେ ଉଠେ, ସେତେବେଳେ ବିଶ୍ବ ତାଲିକାର ଶୀର୍ଷରେ କାହାକୁ ହେଲେ ଦେଖିବାକୁ ମିଳେନାହିଁ। ଗଲା ଗୁରୁବାର ଦିନ ୨୦୧୯-୨୦ ବର୍ଷ ଲାଗି ‘ଟାଇମ୍‌ସ ହାଇଅର ଏଡୁକେସନ୍‌’ ବା ‘ଟିଏଚ୍‌ଇ’ ପକ୍ଷରୁ ପ୍ରକାଶିତ ବାର୍ଷିକ ଉଚ୍ଚକୋଟୀର ବିଶ୍ବବିଦ୍ୟାଳୟ ମାନ୍ୟତା ତାଲିକାରେ ସେଇ କଥା ପୁଣି ଦେଖିବାକୁ ମିଳିଛି। କୌଣସି ଭାରତୀୟ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଏହି ତାଲିକାର ଶୀର୍ଷ ୩୦୦ ସ୍ଥାନ ଭିତରେ ନାହାନ୍ତି। ତେବେ ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଭାରତ ଲାଗି ଯାହା ଅଧିକ ନୈରାଶ୍ୟଜନକ, ତାହା ହେଲା, ୨୦୧୨ ମସିହା ପରଠାରୁ ତାଲିକାର ପ୍ରଥମ ୩୦୦ ସ୍ଥାନ ଭିତରେ ବରାବର ରହି ଆସିଥିବା ବେଙ୍ଗାଲୁରୁସ୍ଥିତ ‘ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ’ ବା ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସେସ୍‌’ (ଆଇଆଇଏସ୍‌)ର ସ୍ଥାନ ମଧୢ ୩୦୦ ତଳକୁ ଖସି ଯାଇଛି।

ଗଲା ବର୍ଷର ଟିଏଚ୍‌ଇ ମାନ୍ୟତା ତାଲିକାରେ ଆଇଆଇଏସ୍‌ର ସ୍ଥାନ ୯୦ରୁ ୧୦୦ ଭିତରେ ଥିଲା। ସେହି ଦୃଷ୍ଟିରୁ ଚଳିତ ବର୍ଷର ପ୍ରଦର୍ଶନ ମର୍ମାହତ କଲା ଭଳି ନିଶ୍ଚୟ। ଏହାର କାରଣ କ’ଣ ହୋଇପାରେ? ଏ ପ୍ରସଙ୍ଗରେ ଆଜିକୁ ପ୍ରାୟ ପଇଁଚାଳିଶ ବର୍ଷ ତଳେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଇଥିବା ମନ୍ତବ୍ୟ ମନେ ପଡେ଼। ସେ କହିଥିଲେ, ‘ଆମେ ଏଭଳି ଏକ ସ୍ଥିତିରେ ଅଛୁ ଯେ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିବାକୁ ହେଲେ ଆମକୁ ଦୌଡ଼ିବାକୁ ପଡ଼ିବ।’ ବିକାଶର ଧାରା ବଜାୟ ରଖିବା ଲାଗି ଯେ କିଭଳି ଉଦ୍ୟମ ଆବଶ୍ୟକ, ତାହା ସୂଚାଇବାକୁ ସେ ଏଭଳି ମନ୍ତବ୍ୟଟିଏ ଦେଇଥିଲେ। ସେ ଏ କଥା କହିବା ପର ଠାରୁ ଆଜି ଭିତରେ ବିଶ୍ବରେ ଅସମ୍ଭବ ପରିବର୍ତ୍ତନ ସ˚ଘଟିତ ହୋଇଛି। ଅନେକ ରାଷ୍ଟ୍ର (ଉଦାହରଣ ସ୍ବରୂପ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର), ଯେଉଁଗୁଡ଼ିକ ଶୋଇ ରହିଥିବା ବେଳେ ନିରୀହ ବିରାଡ଼ି ଭଳି ଦିଶୁଥିଲେ, ଏବେ ଉଠିବା ପରେ ମହାବଳର ଭ୍ରମ ସୃଷ୍ଟି କରିଛନ୍ତି। ଏ ପରିପ୍ରେକ୍ଷୀରେ ନିଜ ସ୍ଥାନ ବଜାୟ ରଖିବା ଲାଗି ଦୌଡ଼ିବା ବି ହୁଏତ ଯଥେଷ୍ଟ ହୋଇ ନ ପାରେ! ବିଶ୍ବବିଦ୍ୟାଳୟ ମାନ୍ୟତା ତାଲିକାରେ କ୍ରମଶଃ କଠିନରୁ କଠିନତର ହୋଇଚାଲିଥିବା ପ୍ରତିଦ୍ବନ୍ଦ୍ବିତା ଏଭଳି ବିକାଶ ଧାରାର ଫଳଶ୍ରୁତି। ଉଲ୍ଲେଖ ଥାଉ କି ଗଲା ୨୦୧୭-୧୮ରେ ଏ ପ୍ରତିଯୋଗିତାରେ ଭାଗ ନେଇଥିଲେ ୩୫୭ଟି ଉତ୍କୃଷ୍ଟ ବିଶ୍ବବିଦ୍ୟାଳୟ। ଗଲା ବର୍ଷ ସେ ସ˚ଖ୍ୟା ବଢ଼ି ହେଲା ୪୫୦। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ଏକ ହଜାର ଉଚ୍ଚକୋଟୀର ବିଶ୍ବବିଦ୍ୟାଳୟ। ଏଭଳି ଏକ ସ୍ଥିତିରେ କେବଳ ନିଜ ସ୍ଥାନ ବଜାୟ ରଖିବା ଲାଗି ଯେ ବହୁତ ଅଧିକ କଠିନ ପ୍ରୟାସର ଆବଶ୍ୟକତା ରହିଛି, ଏହା କହିବା ବାହୁଲ୍ୟ।

ଟିଏଚ୍‌ଇ ପକ୍ଷରୁ କୁହାଯାଇଛି ଯେ ସବୋର୍ତ୍ତମ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ପରିବେଶ ବେଶ୍‌ ଦୃଢ଼। କିନ୍ତୁ ଆନ୍ତର୍ଜାତିକ ଦୃଷ୍ଟିକୋଣ (ଯାହାକୁ ‘ଇଣ୍ଟରନେସନାଲ ଆଉଟ୍‌ଲୁକ୍‌’ ବୋଲି କୁହାଯାଇଛି) ପରିପ୍ରେକ୍ଷୀରୁ ଏହି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ଚିତ୍ର ଦୁର୍ବଳ। ଏହାର ଅର୍ଥ ଏହି ସବୁ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରିବା ଲାଗି ବିଦେଶର ଛାତ୍ରଛାତ୍ରୀଙ୍କ ମଧୢରେ ଆଗ୍ରହ କମ୍‌। କିନ୍ତୁ, ଉଲ୍ଲେଖନୀୟ କଥାଟି ହେଲା, ଚଳିତ ବର୍ଷର ବଜେଟ୍‌ରେ ଭାରତକୁ ଉଚ୍ଚ ଶିକ୍ଷାର ବିଶ୍ବ-କେନ୍ଦ୍ରରେ ପରିଣତ କରିବା ଉପରେ ଗୁରୁତ୍ବ ଦିଆଯାଇଥିବା ବେଳେ ସେଥିଲାଗି ୪୦୦ କୋଟି ଟଙ୍କାର ସ୍ବତନ୍ତ୍ର ବ୍ୟୟ ବରାଦ ମଧୢ କରାଯାଇଛି। ପ୍ରଶ୍ନ ଉଠୁଛି ଯେ ଏ ଉଚ୍ଚାଭିଳାଷୀ ଲକ୍ଷ୍ୟ ପୂରଣ ଲାଗି ଏତିକି ପୁଞ୍ଜି କ’ଣ ଯଥେଷ୍ଟ?

ଆମ ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ପୁଞ୍ଜି ନିବେଶ ଯେ ଯଥେଷ୍ଟ ନୁହେଁ, ତାହା ସର୍ବଜନବିଦିତ। ବିଶ୍ବ ବ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ ଭାରତରେ ଜିଡିପିର ମାତ୍ର ୩.୮ ପ୍ରତିଶତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନିବେଶ କରାଯାଉଛି, ଯାହା ବିଶ୍ବ ହାରାହାରି ୪.୭ ପ୍ରତିଶତରୁ କମ୍‌। ‘ନିତି’ ଆୟୋଗ ପକ୍ଷରୁ କୁହାଯାଇଛି ଯେ ୨୦୨୨ ସୁଦ୍ଧା ଏ ନିବେଶର ପରିମାଣକୁ ଜିଡିପିର ୬ ପ୍ରତିଶତକୁ ବୃଦ୍ଧି କରା ନ ଗଲେ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଉଚ୍ଚ କୋଟୀ ସ୍ପର୍ଶ କରିବାର ଲକ୍ଷ୍ୟ ହାସଲ କରିପାରିବେ ନାହିଁ।

ମାନ୍ୟତା ତାଲିକାରେ ଦ୍ବିତୀୟ ପିଢ଼ିର ନୂଆ ଆଇଆଇଟି, ଯେମିତି କି ଆଇଆଇଟି ରୋପାର ଏବ˚ ଇନ୍ଦୋର ବେଶ୍‌ ଉପରକୁ ଉଠି ଆଇଆଇଏସ୍‌ ସହିତ କାନ୍ଧ ମିଳାଇବାରେ ସମର୍ଥ ହୋଇଛନ୍ତି। ଆଲୋଚ୍ୟ ଏ ଦୁଇଟି ଶିକ୍ଷାନୁଷ୍ଠାନ ୩୫୦ରୁ ୪୦୦ ବର୍ଗରେ ସ୍ଥାନ ପାଇଥିବା ବେଳେ ଏଭଳି ଚମକପ୍ରଦ ସଫଳତା ପଛରେ ଥିବା ଏକ ବଡ଼ କାରଣ ହେଲା, ସେଗୁଡ଼ିକରେ କରାଯାଉଥିବା ଉଚ୍ଚ ମାନର ଗବେଷଣା। ଦୁର୍ଭାଗ୍ୟର ବିଷୟ, ଭାରତୀୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ଗବେଷଣା କ୍ଷେତ୍ର ବିଶେଷ ଗୁରୁତ୍ବ ପାଆନ୍ତି ନାହିଁ। ଏହି କ୍ଷେତ୍ର ଲାଗି ସରକାରଙ୍କ ପକ୍ଷରୁ ଯଥେଷ୍ଟ ପୁଞ୍ଜିର ପ୍ରାବଧାନ ମଧୢ ନାହିଁ। କିନ୍ତୁ ଏହା ବି ସତ ଯେ ଏଥି ଲାଗି ସରକାରୀ ପୁଞ୍ଜି ନିବେଶ ସର୍ବଦା ଯଥେଷ୍ଟ ହୋଇ ନ ପାରେ। ଏହି କ୍ଷେତ୍ର ସକାଶେ ଘରୋଇ ପୁଞ୍ଜି ନିବେଶର ଆବଶ୍ୟକତା ମଧୢ ରହିଛି। ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସରକାରୀ ଓ ଘରୋଇ ପୁ˚ଜିନିବେଶର ପରିମାଣ ଦୃଷ୍ଟିରୁ ଯଦି ଚିଲି ଭଳି ଏକ କ୍ଷୁଦ୍ର ଲାଟିନ୍‌ ଆମେରିକୀୟ ଦରିଦ୍ର ରାଷ୍ଟ୍ର ବିଶ୍ବର ପ୍ରଥମ ଦଶଟି ଦେଶ ଭିତରେ ରହିପାରୁଛି, ତେବେ, ଭାରତ ଲାଗି ତାହା ସମ୍ଭବ ହେବ ନାହିଁ କାହିଁକି? ଅବଶ୍ୟ, ଏବେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶର ପରିମାଣ ବୃଦ୍ଧି ପାଉଛି। କିନ୍ତୁ ତାହା ବଢନ୍ତା ଗଛର ପତ୍ର ଉପରେ ପାଣି ଛିଞ୍ଚିଲା ଭଳି ହେଉଛି। ଗଛର ମୂଳ ଅର୍ଥାତ୍ ପ୍ରାଥମିକ ଶିକ୍ଷା ସ୍ତରରେ ପୁଞ୍ଜି ରୂପକ ପାଣି ଦିଆ ନ ଗଲେ ଉଚ୍ଚ ଶିକ୍ଷାରେ ଉତ୍କର୍ଷ ସାଧିତ ହେବାର ଆଶା କ୍ଷୀଣ।

ତେବେ ବର୍ତ୍ତମାନ ଯେତେବେଳେ ଉଚ୍ଚକୋଟୀର ବିଶ୍ବବିଦ୍ୟାଳୟର ଏକ ବିଶ୍ବ-କେନ୍ଦ୍ର ଭାବେ ଭାରତକୁ ପରିଚିତ କରିବା ଲାଗି ପଥୀକୃତ୍‌ ଉଦ୍ୟମ ଏବେ ଆରମ୍ଭ ହୋଇଯାଇଛି, ଆଶା କରିବା ଅମୂଳକ ହେବନାହିଁ ଯେ ଏଥରର ନୈରାଶ୍ୟଜନକ ପ୍ରଦର୍ଶନ ଆଗାମୀ ଦିନରେ ଈର୍ଷଣୀୟ ପ୍ରଦର୍ଶନ ଲାଗି ପ୍ରେରଣାର ସ୍ରୋତ ହେବ।

ସମ୍ବନ୍ଧିତ ଖବର