ଭାଷା ବିବାଦ

ବାଇବେଲର ‘ଓଲ୍‌ଡ ଟେଷ୍ଟାମେଣ୍ଟ୍‌’ର ‘ବୁକ୍‌ ଅଫ୍‌ ଜେନେସିସ୍‌’ରେ ଅଛି ‘ବାବେଲ ମିନାର’ର କାହାଣୀ। ସ˚କ୍ଷେପରେ କାହାଣୀଟି ଏହି ପରି: ପ୍ରାଚୀନ ବେବିଲୋନ୍‌ର ଅଧିବାସୀମାନେ ସୁନାମ ଅର୍ଜିବା ଲାଗି ସ୍ଥିର କଲେ ଯେ ଏଭଳି ଏକ ଅତୁଳନୀୟ ମିନାର ନିର୍ମାଣ କରିବେ, ଯାହାର ଚୂଡ଼ା ଆକାଶ ଭେଦ କରିବ। ମିନାର କାର୍ଯ୍ୟର ଅଗ୍ରଗତିରେ ଈଶ୍ବର ବିଚଳିତ ହୋଇ ଗୋଟିଏ କୂଟନୀତି ପ୍ରୟୋଗ କଲେ। ନିର୍ମାଣରତ ବେବିଲୋନୀୟମାନଙ୍କୁ ସେ ଭିନ୍ନ ଭିନ୍ନ ଭାଷା ଶିଖାଇଦେଲେ। ଏଣିକି ପରିସ୍ଥତି ଏମିତି ହେଲା ଯେ ସେମାନେ କେହି କାହା କଥା ବୁଝିପାରିଲେ ନାହିଁ। ସୁତରା˚, କଳହରେ ମାତି ସେମାନେ କାମ ଛାଡ଼ି ଚାଲିଗଲେ। ମିନାରର କାମ ଅଧାରୁ ବନ୍ଦ ହୋଇଗଲା। ଏବେ ମାର୍ଦୁକର ଉତ୍ତରରେ ଅବସ୍ଥିତ ବେବିଲୋନୀୟ ମନ୍ଦିର ସେଇ ମିନାର ବୋଲି ବିଶ୍ବାସ କରାଯାଏ, ଯାହାର ନାମ ବାବେଲ(ଈଶ୍ବରଙ୍କ ଦ୍ବାର) ମିନାର।

ଏହି କାହାଣୀଟିର ଅବତାରଣା ଏଠାରେ କରାଯିବାର ଉଦ୍ଦେଶ୍ୟ ହେଲା, ବାଇବେଲରେ ବର୍ଣ୍ଣିତ ସୃଷ୍ଟିର ପ୍ରାରମ୍ଭ କାଳର ଏହି ‘ଭାଷା କୂଟନୀତି’ର ଏକ ସ˚ପୂର୍ଣ୍ଣ ବିପରୀତ କାରଣରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବେ ବିବାଦର କେନ୍ଦ୍ରରେ ଏବ˚ ଦେଶରେ ଏକ ମୃଦୁ ‘ବାବେଲ’ ସୁଲଭ କଳହର ଝଡ଼ ସୃଷ୍ଟି ହୋଇଛି। ଈଶ୍ବରଙ୍କ ‘ଭାଷା କୂଟନୀତି’ରେ ବେବିଲୋନୀୟମାନେ ଭିନ୍ନ ଭିନ୍ନ ଭାଷା ପ୍ରାପ୍ତ ହେବା ପରେ ପରସ୍ପର ପରସ୍ପରଠାରେ ଅବୋଧୢ ହୋଇପଡ଼ିଥିଲେ ଯାହା ଥିଲା କଳହର କାରଣ। କିନ୍ତୁ ଅମିତ ଶାହ ଭାରତକୁ ଗୋଟିଏ ଭାଷା ସୂତ୍ରରେ ଏକାଠି କରିବାର ଇଚ୍ଛା ପ୍ରକଟ କଲା ପରେ କଳହ ସୃଷ୍ଟି ହୋଇଛି। ତାଙ୍କର ‘ଗୋଟିଏ ରାଷ୍ଟ୍ର, ଗୋଟିଏ ଭାଷା’ ଆଧାରିତ ମନ୍ତବ୍ୟରେ ହିନ୍ଦୀ ଭାଷାକୁ ଧସେଇ ଜବରଦସ୍ତ ପୂରାଇବାର ଆଭିମୁଖ୍ୟ ପ୍ରଚ୍ଛନ୍ନ ବୋଲି ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକ ତା’ର କଡ଼ା ପ୍ରତିବାଦ କରିଛନ୍ତି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର କିଛି ଛାମୁଆଁ ରାଜନେତା କହିଛନ୍ତି ଯେ ହିନ୍ଦୀ ଭାଷାକୁ ଲଦି ଦିଆଯିବାର କୌଣସି ପ୍ରୟାସକୁ ଆଦୌ ବରଦାସ୍ତ କରାଯିବ ନାହିଁ।

ଗଲା ଶନିବାର ‘ହିନ୍ଦୀ ଦିବସ’ ପାଳନ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ‘ଏକ ରାଷ୍ଟ୍ର ଓ ଏକ ଭାଷା’ ପ୍ରସଙ୍ଗ ଉଠାଇ ଏହା ମଧୢ କହିଥିଲେ ଯେ ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ବି ଏ ସ˚କ୍ରାନ୍ତରେ ସମାନ ମତ ଥିଲା। ଏବର ପରିସ˚ଖ୍ୟାନ କହେ ଯେ ଭାରତରେ ହିନ୍ଦୀ ଭାଷୀଙ୍କ ସ˚ଖ୍ୟା ସର୍ବାଧିକ; କେବଳ ସର୍ବାଧିକ ନୁହେଁ, ସେମାନଙ୍କ ସ˚ଖ୍ୟା ହେଉଛି ଭାରତର ସମଗ୍ର ଜନସ˚ଖ୍ୟାର ପ୍ରାୟ ୪୫ ପ୍ରତିଶତ(୫୨. ୮୩ କୋଟି)। ଦ୍ବିତୀୟ ସ୍ଥାନରେ ଏବ˚ ବହୁ ପଛରେ ଅଛି ବଙ୍ଗାଳୀ ଭାଷା, ଯାହାର ବ୍ୟବହାରକାରୀଙ୍କ ସ˚ଖ୍ୟା ୯.୭୨ କୋଟି। ତା’ ପଛକୁ ଅଛନ୍ତି ମରାଠୀ, ତେଲୁଗୁ ଓ ତାମିଲ ଯେଉଁ ଭାଷାଗୁଡ଼ିକର ବ୍ୟବହାରକାରୀଙ୍କ ସ˚ଖ୍ୟା ଯଥାକ୍ରମେ ୮.୩୦ କୋଟି, ୮.୧୧ କୋଟି ଏବ˚ ୬.୯୦ କୋଟି। ସେହି ଦୃଷ୍ଟିରୁ ଅନୌପଚାରିକ ଭାବେ ଭାରତରେ ହିନ୍ଦୀର ପ୍ରାଧାନ୍ୟ ରହିଛି। ଏହା ମଧୢ ସ୍ବୀକାର କରିବାକୁ ହେବ ଯେ ଲୌକିକ ସ୍ତରରେ ଯାହା ହେଉ ବା ନ ହେଉ ଶାସନ ଓ ପ୍ରଶାସନରେ ସୁବିଧା ଦୃଷ୍ଟିରୁ ‘ଗୋଟିଏ ରାଷ୍ଟ୍ର ଓ ଗୋଟିଏ ଭାଷା’ ତତ୍ତ୍ବ ମଧୢ ବେଶ୍‌ ପ୍ରାସଙ୍ଗିକ। ଆମ ପଡେ଼ାଶୀ ରାଷ୍ଟ୍ର ଚୀନ ଯଦିଓ ୨୯୭ଟି ଭାଷା ଓ ଉପଭାଷା ଦ୍ବାରା ସମୃଦ୍ଧ ଏବ˚ ତାହା ଆମ ଭଳି ମଧୢ ଏକ ପ୍ରାଚୀନ ସଭ୍ୟତା, ସେଠାରେ ‘ମାଣ୍ତାରିନ୍‌’କୁ ଶାସନ-ପ୍ରଶାସନର ମାନକ ଭାଷା ରୂପେ ବ୍ୟବହାର କରାଯାଉଛି। ସେଇଭଳି ହିନ୍ଦୀକୁ କାହିଁକି ଗ୍ରହଣ କରାଯାଇପାରିବ ନାହିଁ ବୋଲି ହିନ୍ଦୀ ସପକ୍ଷବାଦୀମାନେ ପ୍ରଶ୍ନ ଉଠାଇ ଥାଆନ୍ତି।

କିନ୍ତୁ ଆମ ସମସ୍ୟା ହେଲା ଭାରତର ‘ହୃଦ୍‌କ୍ଷେତ୍ର’ ଅର୍ଥାତ୍‌ ଉତ୍ତର ଭାଗ ଓ ‘ନାଭିମଣ୍ତଳ’ ଅର୍ଥାତ୍‌ ଦକ୍ଷିଣ ଭାଗ ଭିତରେ ଥିବା ଏକ ସୂକ୍ଷ୍ମ ବିଭାଜନ ରେଖା। ଆର୍ଯ୍ୟ ଓ ଦ୍ରାବିଡ଼ ସ˚ସ୍କୃତି ଭିତରେ ଥିବା ପ୍ରଭେଦରୁ ସୃଷ୍ଟ ଏ ରେଖା ଯଦିଓ ମହାଭାରତୀୟତାର ସ˚ଗମରେ ଅନେକା˚ଶରେ ମିଳାଇ ଯାଇଛି, ଭାଷା ପ୍ରସଙ୍ଗରେ ଅନେକ ସମୟରେ ଏହା ପ୍ରାଞ୍ଜଳ ହୋଇଉଠେ। ସ୍ବାଧୀନତୋତ୍ତର ଭାରତରେ ଭାଷା ଭିତ୍ତିରେ ରାଜ୍ୟ ଗଠନର ନିଷ୍ପତ୍ତି ନିଆଯିବା ପରେ ଆମ ଦେଶରେ ଭାଷା କେବଳ ଅଭିବ୍ୟକ୍ତିର ନିରୀହ ମାଧୢମ ହୋଇ ରହିନାହିଁ, ଏହା ଗୋଟିଏ ଅଞ୍ଚଳବାସୀଙ୍କ ଲାଗି ପରିଚୟର ପ୍ରତୀକ ହେବା ଠାରୁ ଆରମ୍ଭ କରି ସେମାନଙ୍କର ଅସ୍ମିତାବୋଧ ଏବ˚ ସ୍ଥଳବିଶେଷରେ ସମ୍ମାନବୋଧର ଚିହ୍ନ ଭାବେ ଛିଡ଼ା ହୋଇଛି। ସ୍ବାଧୀନତା ପର ଠାରୁ ଦାକ୍ଷିଣାାତ୍ୟରେ ଗୋଟିଏ ଆଶଙ୍କା ବରାବର ରହିଆସିଛି ଯେ ଭାରତର ହିନ୍ଦୀ ‘ହୃଦ୍‌ କ୍ଷେତ୍ର’ ଜୋର୍ ଜବରଦସ୍ତ ହିନ୍ଦୀ ଭାଷାକୁ ଲଦି ଦେବାର ଉଦ୍ୟମ କରୁଛି। ସେଥିଲାଗି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଅନେକ ସମୟରେ ହିନ୍ଦୀ ବିରୋଧୀ ଆନ୍ଦୋଳନ ହୋଇଛି, ତଜ୍ଜନିତ ହି˚ସା ହୋଇଛି ଏବ˚ ସେଠାରେ ହିନ୍ଦୀ ବିରୋଧୀ ଆଭିମୁଖ୍ୟ ବେଶ୍‌ ସ୍ପଷ୍ଟ ଭାବେ ବାରି ହୋଇପଡ଼େ। ତେଣୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁରେ ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ବାଭାବିକ। ଡିଏମ୍‌କେ ନେତା ଷ୍ଟାଲିନ୍‌ ବେଶ୍‌ ଶାଣିତ ସ୍ବରରେ ପ୍ରତିବାଦ କରିଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍‌) ନେତା ଏଚ୍‌ଡି କୁମାରସ୍ବାମୀ ଏ ପ୍ରଶ୍ନ ମଧୢ ଉଠାଇଛନ୍ତି ଯେ କେବଳ ‘ହିନ୍ଦୀ ଦିବସ’ ପାଳନ କରାଯାଉଛି କାହିଁକି? ଏଥିରୁ ଏହା ସ୍ପଷ୍ଟ ଯେ ‘ଏକ ରାଷ୍ଟ୍ର ଓ ଏକ ଭାଷା ବ୍ୟବସ୍ଥା’କୁ କାର୍ଯ୍ୟକାରୀ କରିବା ଏତେ ସହଜସାଧୢ ହେବନାହିଁ।

ଭାରତର ଉତ୍ତର-ଦକ୍ଷିଣ ଧ୍ରୁବୀକରଣରୁ ଜାତ ପ୍ରତିବାଦ ତ ଗୋଟିଏ କଥା, ସେହି ହିନ୍ଦୀ ବଳୟରେ ନିଃଶ୍ବାସପ୍ରଶ୍ବାସ ନେଉଥିବା ଅଵଧୀ, ଭୋଜପୁରୀ ଭଳି ଅନେକ ପ୍ରାକୃତ ଭାଷା ମଧୢ ଅଭିଯୋଗ କରିଥାଆନ୍ତି ଯେ ସେମାନଙ୍କ କବର ଉପରେ ହିନ୍ଦୀ ଭାଷାର ଫୁଲ ଫୁଟିଛି। ଯେତେବେଳେ ସମଧର୍ମୀ ଭାଷାଗୁଡ଼ିକ ଭିତରେ ହିନ୍ଦୀ ପ୍ରତି ଅସୂୟା ରହିଛି, ସୁଦୂର ଦାକ୍ଷିଣାତ୍ୟରେ ହିନ୍ଦୀ ବିଦ୍ବେଷ ଆଦୌ ବିସ୍ମୟକର ନୁହେଁ। ଗୋଟିଏ କଥା ମନେ ରଖିବାକୁ ହେବ ଯେ ତାମିଲ, କନ୍ନଡ଼, ମାଲାୟାଲମ ଏବଂ ଓଡ଼ିଆ ଭଳି ପ୍ରାଦେଶିକ ଭାଷାଗୁଡ଼ିକ ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ ଭାଷା। ଏବର ଗବେଷଣା ଅନୁସାରେ ତାମିଲ ହେଉଛି ପୃଥିବୀର ସର୍ବପ୍ରାଚୀନ ଭାଷା ଏବ˚ ଏହା ଆଦିଭାଷା ସ˚ସ୍କୃତ ଠାରୁ ମଧୢ ଅଧିକ ପୁରାତନ। ତେଣୁ ସରକାରୀ ଭାବେ ହିନ୍ଦୀର ଆଧିପତ୍ୟ ବିସ୍ତାରର ଉଦ୍ୟମ କରାଗଲା ବେଳେ ଏ କଥା ମନେ ରଖିବାକୁ ହେବ।

ଏଣେ ଏହା ବି ସ୍ବୀକାର କରିବାକୁ ହେବ ଯେ ହିନ୍ଦୀ ଭାଷା ଭାରାତର ଅସ୍ଥି ଓ ମଜ୍ଜାରେ ଅତି କୋମଳ ଭାବେ ପ୍ରବେଶ କରି ଅଧିକରୁ ଅଧିକ ଚରି ଯିବାରେ ଲାଗିଛି। ଅଞ୍ଚଳ ନିର୍ବିଶେଷରେ ଅଧିକରୁ ଅଧିକ ଭାରତୀୟ ହିନ୍ଦୀ କହିବା ଓ ବୁଝିବାରେ ସମର୍ଥ ହେଲେଣି। ହିନ୍ଦୀ ଚଳଚ୍ଚିତ୍ର, ସିନେମା ଗୀତ ଏବ˚ ଟେଲିଭିଜନ ଧାରାବାହିକ ଜରିଆରେ ହିନ୍ଦୀ ଅଧିକରୁ ଅଧିକ ଲୋକଙ୍କୁ ତାର ଚୁମ୍ବକୀୟ କ୍ଷେତ୍ର ଭିତରକୁ ଟାଣି ଆଣିଲାଣି। ଏହା ସହିତ ଉଚ୍ଚ ଶିକ୍ଷା ଓ କର୍ମ ସ˚ସ୍ଥାନରେ ଭାରତୀୟମାନଙ୍କ ସମାଗମ ଆଞ୍ଚଳିକତାର ସୀମାକୁ ଦ୍ରବୀଭୂତ କରିଦେବା ସହିତ ଭାଷାର ବିଭାଜନକୁ ଲିଭାଇବାରେ ଲାଗିଛି। ଏହି କାରଣରୁ ପୁର୍ବରୁ ହିନ୍ଦୀ ଲାଗି ନିଷିଦ୍ଧ କ୍ଷେତ୍ର ଭାବେ ପରିଚିତ ଅନେକ ଅଞ୍ଚଳରେ ଏବେ ହିନ୍ଦୀର ସମୀରଣ ବହୁଛି। ଭାଷାର ପ୍ରସାରଣ ଏମିତି ନିରବରେ ଘଟେ। ଏହା ଅନ୍ୟ ଭାଷାକୁ ସ୍ଥାନାନ୍ତର ନ କରି ତା’ ସହିତ ଗୁଞ୍ଜି ହୋଇ ରହିବା ଶିଖେ। ଏଭଳି ସ୍ଥଳେ ସରକାରୀ ଆଗ୍ରହର ମାତ୍ରାଧିକତା ଅଯଥା ବିବାଦ ଓ ଅଶାନ୍ତିର କାରଣ ହୁଏ।

ଯେଉଁ ଭାଷଣରେ ଅମିତ ଶାହ ‘ଏକ ରାଷ୍ଟ୍ର ଓ ଏକ ଭାଷା’ ସମ୍ବନ୍ଧିତ ବୟାନ ଦେଲେ, ତା’ ପରେ ଆଉ ଏକ ଅବସରରେ ସେ କହିଲେ ଯେ ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରତି ପିଲାକୁ ହିନ୍ଦୀ ପଢ଼ାଯିବ। ମାତୃଭାଷା ସହିତ ଏକାଧିକ ନୂତନ ଭାଷା ଶିଖିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏକାଧିକ ଭାଷାରେ ଜ୍ଞାନ ଜଣେ ବ୍ୟକ୍ତିର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହୋଇଥାଏ। କିନ୍ତୁ ଅନ୍ୟ ଗୋଟିଏ ଭାଷାର ପ୍ରାଧାନ୍ୟ ତଳେ ନିଜ ମାତୃଭାଷା ସତ୍ତା ହରାଇବାର ଭୟରେ ଯେଉଁମାନେ ଜଡ଼ସଡ଼ ସେମାନଙ୍କ ଭିତରେ ବିଶ୍ବାସ ବୃଦ୍ଧି କରିବା ଲାଗି ସରକାରଙ୍କୁ ସ୍ବର କୋମଳ କରିବାକୁ ପଡ଼ିବ, ଆକ୍ରମକ ଭାବକୁ ପରିହାର କରିବାକୁ ହେବ।

ସମ୍ବନ୍ଧିତ ଖବର