ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସାଢ଼େ ଚାରିକୋଟି ମଣିଷଙ୍କ ‘ପାର୍ଟି ନୁହେଁ, ମାଟି ଆଗ’ ଡାକରା ଶେଷରେ ରାଜ୍ୟର ରାଜନୈତିକ ବର୍ଗଙ୍କ କାନକୁ ଶୁଭିଛି, ମର୍ମକୁ ଭେଦିଛି। ମହାନଦୀ ଜଳ ବିବାଦ ସହ ଯୋଡ଼ି ହୋଇଥିବା ରାଜ୍ୟର ବୃହତ୍ତର ସ୍ୱାର୍ଥ ଓ ସ୍ୱାଭିମାନର ରକ୍ଷା ଲକ୍ଷ୍ୟରେ ମିଳିତ ଲଢ଼େଇ ଲାଗି ମତ ନିର୍ବିଶେଷରେ ସବୁ ଦଳ ଏକାଠି ହୋଇଛନ୍ତି। ବୁଧବାର ଦିନ ଏ ପ୍ରସଙ୍ଗରେ ବିଧାନସଭାରେ ଗୃହୀତ ସର୍ବସମ୍ମତ ସଂକଳ୍ପ ମାଧ୍ୟମରେ ଉଭୟ ସରକାରୀ ଓ ବିରୋଧୀ ପକ୍ଷ ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି। ସହମତି ଓ ଏକତାର ଏ ବାର୍ତ୍ତା ସର୍ବାନ୍ତକରଣରେ ସ୍ୱାଗତଯୋଗ୍ୟ। ମହାନଦୀ ବିବାଦ ନେଇ ଉଦ୍ବିଗ୍ନ ରାଜ୍ୟବାସୀଙ୍କୁ ଏହା ଅନ୍ତତଃ କିଛି ମାତ୍ରାରେ ଆଶ୍ୱସ୍ତ କରିଛି। ଏକ ଗଣତନ୍ତ୍ରରେ ଜନପ୍ରତିନିଧିଙ୍କଠାରୁ ସାଧାରଣ ଜନତାଙ୍କ ସାମୂହିକ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗରେ ଏହାହିଁ ଆଶା କରାଯାଏ।
ବିଧାନସଭାରେ ଗୃହୀତ ସର୍ବସମ୍ମତ ସଂକଳ୍ପ ଅନୁଯାୟୀ ଉପରମୁଣ୍ଡ ରାଜ୍ୟ ଛତିଶଗଡ଼ ସହ ପାଣି ବିବାଦର ସମାଧାନ ଲାଗି ଏକ ଟ୍ରିବ୍ୟୁନାଲ ଗଠନ ସକାଶେ କେନ୍ଦ୍ର ଉପରେ ଚାପ ପ୍ରୟୋଗ ଉଦ୍ଦେଶ୍ୟରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ କମିଟି ଗଠନ କରାଯାଇଛି। ଖୁବ୍ଶୀଘ୍ର କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ପୂର୍ବରୁ ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ଗୃହକମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ଗୃହ କମିଟି ଗଠନ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ। କମିଟିର ନେତୃତ୍ୱ ନିଜେ ମୁଖ୍ୟମନ୍ତ୍ରୀ ନେବା କମିଟିକୁ ଅଧିକ ବଳ ଓ ମର୍ଯ୍ୟାଦା ପ୍ରଦାନ କରୁଛି। ମତ ନିର୍ବିଶେଷରେ ସବୁ ଦଳର ମିଳିତ ରାଜନୈତିକ ଇଚ୍ଛାଶକ୍ତିର ମଧ୍ୟ ଏହା ଏକ ଉଜ୍ଜ୍ୱଳ ପ୍ରଦର୍ଶନ। ରାଜ୍ୟର ସାମୂହିକ ସ୍ୱାର୍ଥ ଓ ସ୍ୱାଭିମାନ ପ୍ରତି ସାମୂହିକ ରାଜନୈତିକ ଅଙ୍ଗୀକାରର ଏହା ଏକ ବଳିଷ୍ଠ ଉଦାହରଣ। ମହାନଦୀ ପ୍ରସଙ୍ଗରେ ପୂର୍ବରୁ ଭିନ୍ନମତ ରଖି ଆସୁଥିବା ବିରୋଧୀ ପକ୍ଷ, ବିଶେଷକରି କେନ୍ଦ୍ରରେ କ୍ଷମତାସୀନ ବିଜେପି ବିଧାୟକ ଦଳ କମିଟିରେ ସାମିଲ ହେବା ମହାନଦୀ ସୁରକ୍ଷା ଅଭିଯାନକୁ ଯେ ନୂଆ ମୋଡ଼ ଦେଇଛି, ଏହା ଅନସ୍ୱୀକାର୍ଯ୍ୟ। ଫଳରେ ଉଚ୍ଚତମ ନ୍ୟାୟାଳୟରେ ନ୍ୟାୟିକ ଲଢ଼େଇ ଚାଲିଥିବା ବେଳେ ରାଜନୈତିକ ସ୍ତରରେ ଲଢ଼େଇ ଜୋର୍ଦାର୍ ହୋଇଛି।
‘ଅତୀତକୁ ଭୁଲି ଐକ୍ୟବଦ୍ଧ ସଂଗ୍ରାମ’ ପାଇଁ ବିଧାନସଭା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଆହ୍ଵାନ ଓ ‘ଓଡ଼ିଶା ମାଟି, ଚାଷୀ ଓ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଲାଗି ବିଜେପି ପ୍ରସ୍ତୁତ’ ବୋଲି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓଙ୍କ ବୟାନ ନିଶ୍ଚିତ ଭାବେ ସୁସ୍ଥ ଓ ସକାରାତ୍ମକ ସଂକେତ। ରାଜ୍ୟର ବୃହତ୍ତର ସ୍ୱାର୍ଥ ଓ ସ୍ୱାଭିମାନ ଜଡ଼ିତ ପ୍ରସଙ୍ଗରେ ସଂକୀର୍ଣ୍ଣ ଦଳୀୟ ରାଜନୀତିରୁ ଉପରକୁ ଉଠି ଦଳର ନେତା ନୁହେଁ, ବରଂ ରାଜ୍ୟର ନେତା ଭାବେ ଭୂମିକା ଗ୍ରହଣ କରିବାକୁ ପଡ଼େ। ମାନ୍ୟବର ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ଦଳ ନେତା ତା’ର ଉଦାହରଣ ରଖିଛନ୍ତି। ଅବଶ୍ୟ, ଏହା ପ୍ରଥମ ଥର ନୁହେଁ, ଯେତେବେଳେ କୌଣସି ପ୍ରସଙ୍ଗରେ ଗୃହରେ ସର୍ବସମ୍ମତ ସଂକଳ୍ପ ଗୃହୀତ ହୋଇଛି କିମ୍ବା ସର୍ବଦଳୀୟ ଗୃହ କମିଟି ଗଠିତ ହୋଇଛି। ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପ୍ରସଙ୍ଗରେ ବିଧାନସଭାରେ ଏକାଧିକ ଥର ସଂକଳ୍ପ ଗୃହୀତ ହୋଇଛି। ଚଳିତ ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ମଧ୍ୟ ସର୍ବସମ୍ମତ ସଂକଳ୍ପ ଗୃହୀତ ହୋଇଛି ଓ ସର୍ବଦଳୀୟ କମିଟି ଗଠିତ ହୋଇଛି। କିନ୍ତୁ ପୂର୍ବବର୍ତ୍ତୀ ଏହି ଦୁଇ କସରତରୁ ଈପ୍ସିତ ସୁଫଳ ମିଳିନାହିଁ।
ଏହି ପୃଷ୍ଠଭୂମିରେ ମହାନଦୀ ପ୍ରସଙ୍ଗରେ ଗୃହୀତ ସଂକଳ୍ପ ଓ ସର୍ବଦଳୀୟ କମିଟିରୁ ସକାରାତ୍ମକ ସୁଫଳ ମିଳିବା ନେଇ କେତେକ ମହଲରେ ସନ୍ଦେହ ଓ ଆଶଙ୍କା ପ୍ରକାଶ ପାଇବା ଅସ୍ୱାଭାବିକ ନୁହେଁ। ତେବେ ମନେ ରଖିବାକୁ ହେବ ଯେ, ପୂର୍ବ ଦୁଇ ପ୍ରସଙ୍ଗଠାରୁ ମହାନଦୀ ପ୍ରସଙ୍ଗର ଚରିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଏହା ଏକ ରାଜନୈତିକ ପ୍ରସଙ୍ଗ ଅପେକ୍ଷା ଅଧିକ ଏକ ଆବେଗିକ ପ୍ରସଙ୍ଗ। ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ସହ ଓଡ଼ିଶାବାସୀଙ୍କ ସାମୂହିକ ଭାବନା ମଧ୍ୟ ଯୋଡ଼ି ହୋଇଛି। ତେଣୁ ପୂର୍ବ ଦୁଇ ପ୍ରସଙ୍ଗ ଅପେକ୍ଷା ଏ ଥର ମହାନଦୀ ପାଇଁ ସର୍ବଦଳୀୟ ଅଭିଯାନ ଅଧିକ ସକାରାତ୍ମକ ଓ ଫଳପ୍ରଦ ହେବ ବୋଲି ଆଶା କରାଯାଏ। ପୁଣି ଏ ପ୍ରସଙ୍ଗରେ ରାଜ୍ୟପକ୍ଷରୁ ଆଗତ ମାମଲାର ଶୁଣାଣି ବେଳେ ମାନ୍ୟର ସୁପ୍ରିମ୍ କୋର୍ଟଙ୍କ ଓଡ଼ିଶା ଅନୁକୂଳ ଟିପ୍ପଣୀ ଓ ପ୍ରଥମ ଟ୍ରିବ୍ୟୁନାଲ ପାଇଁ ପ୍ରତିଶ୍ରୁତି ଦେଇ ଓହରି ଦାଇଥିବା କେନ୍ଦ୍ର ସରକାରଙ୍କ ଦୁର୍ବଳ ଯୁକ୍ତି ସର୍ବଦଳୀୟ ଅଭିଯାନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଟ୍ରିବ୍ୟୁନାଲ ପାଇଁ ଆଇନବତ ବ୍ୟବସ୍ଥା ଅଛି। ତଥାପି ଟାଳଟୁଳ ନୀତି ଧରିଥିବା କେନ୍ଦ୍ର ଉପରେ ନୈତିକ ଓ ରାଜନୈତିକ ଚାପ ପକାଇବା ଲାଗି ସର୍ବଦଳୀୟ ଅଭିଯାନ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଏ।
ତେବେ, ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ଏବଂ ସର୍ବଦଳୀୟ କମିଟି ଗଠନ ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସକାଶେ ସହସ୍ର ମାଇଲ ଯାତ୍ରାର ପ୍ରଥମ ପାଦ ମାତ୍ର। ଲକ୍ଷ୍ୟ ହାସଲ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବାକୁ ପଡ଼ିବ। ଏଥିପାଇଁ ପ୍ରାକ୍- ଆବଶ୍ୟକତା ହେଲା ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ କଷ୍ଟ ଲବ୍ଧ ରାଜନୈତିକ ଏକତା ଓ ସହମତିକୁ କାଏମ୍ ରଖିବା। ଅବଶ୍ୟ, ଏହା ଶୂନ୍ୟରେ ସମ୍ଭବ ନୁହେଁ। ଏଥି ପାଇଁ ମିଳିତ ଅଭିଯାନରେ ସାମିଲ ସବୁ ପକ୍ଷଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଓ ବୁଝାମଣା ଏକାନ୍ତ ଆବଶ୍ୟକ। ଏ କ୍ଷେତ୍ରରେ ସବୁଠାରୁ ଅଧିକ ଦାୟିତ୍ୱ ସରକାର ଓ କ୍ଷମତାସୀନ ଶାସକ ଦଳର। କମିଟିର ନେତା ମୁଖ୍ୟମନ୍ତ୍ରୀଙ୍କଠାରୁ ରାଜନୀତିଜ୍ଞ ନୁହେଁ ରାଷ୍ଟ୍ରନୀତିଜ୍ଞର ଭୂମିକା ଆଶା କରାଯାଏ। ବିରୋଧୀ ସମେତ ସବୁ ପକ୍ଷଙ୍କୁ ସାଙ୍ଗରେ ନେଇ ଶାସକ ଦଳକୁ ଚାଲିବାକୁ ପଡ଼ିବ। ଏ ଦିଗରେ ପ୍ରଥମ ପଦକ୍ଷେପ ହେବ ମହାନଦୀ ନେଇ ସମସ୍ତ ତଥ୍ୟ ଓ ସୂଚନା ସମ୍ବଳିତ ଏକ ଶ୍ୱେତ ପତ୍ରର ପ୍ରକାଶନ। ସବୁ ପକ୍ଷ ଜାଣିବା ଉଚିତ ଯେ ମହାନଦୀ ବିବାଦ ନେଇ ଆଜିର ଦିନରେ ଓଡ଼ିଶାର ସ୍ଥିତି କ’ଣ ଓ ଆଗକୁ ଏହାର ଲକ୍ଷ୍ୟ କ’ଣ? ଏଠାରେ ଏହା ଉଲ୍ଲେଖ କରିବା ଏଥିପାଇଁ ଆବଶ୍ୟକ ଯେ, ନିକଟରେ କୋଲ୍କାତାରୁ ପ୍ରକାଶିତ ଗୋଟିଏ ଇଂରେଜୀ ଖବରକାଗଜର ଓଡ଼ିଶା ସଂସ୍କରଣରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ-ପୋଲାଭରମ୍ ନେଇ ବାରମ୍ବାର ବିଧାନସଭା ହୁଲସ୍ତୁଲ ହେଉଛି, ଧାରଣା, ଆନ୍ଦୋଳନ ଚାଲିଛି, ଅଥଚ, ଶାସକ ଦଳର ଅଧିକାଂଶ ବିଧାୟକଙ୍କୁ ପୋଲାଭରମ୍ ପ୍ରକଳ୍ପ ସମ୍ପର୍କରେ କିଛି ଜଣାନାହିଁ। ଏପରିକି କେଉଁ ନଦୀ ଉପରେ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ହେଉଛି ସେ ବିଷୟରେ ଧାରଣା ନାହିଁ। ଆଜିର ଦିନରେ ମହାନଦୀ ଭଳି ପ୍ରସଙ୍ଗରେ ଲଢ଼େଇ ଲାଗି ମୁଖ୍ୟ ଅସ୍ତ୍ର ହେଲା ସୂଚନା। କେନ୍ଦ୍ର ସରକାରଙ୍କ ସହ ସାମ୍ନାସାମ୍ନି ହେବା ବେଳେ କମିଟି ପାଖରେ ଆବଶ୍ୟକ ତଥ୍ୟ ରହିବା ଉଚିତ।
ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସୁରକ୍ଷାରେ ବିଧାନସଭା ସର୍ବଦଳୀୟ କମିଟି କେତେଦୂର ସଫଳ ହେବ, ତାହା ତ ଆଗାମୀ ସମୟ କହିବ। କିନ୍ତୁ ଏହା ନିଃସନ୍ଦେହ ଯେ, ଠିକଣା ଦିଗରେ ଠିକଣା ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଜଡ଼ିତ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଅନୁରୂପ ମିଳିତ ପ୍ରୟାସର ଆବଶ୍ୟକତା ରହିଛି। ଦଳ ନିର୍ବିଶେଷରେ ରାଜ୍ୟର ରାଜନୈତିକ ବର୍ଗ, ବିଶେଷକରି ଜନ ପ୍ରତିନିଧିମାନେ ମୁହୂର୍ତ୍ତକ ପାଇଁ ସୁଦ୍ଧା ଭୁଲିଯିବା ଉଚିତ ନୁହେଁ ଯେ, ଏ ମାଟିର ବୃହତ୍ତର ସ୍ୱାର୍ଥର ସେମାନେ ପ୍ରହରୀ ଓ ସାଢ଼େ ଚାରିକୋଟି ମଣିଷଙ୍କ ସାମୂହିକ ଆଶା ଓ ଆକାଂକ୍ଷାର ବୋଝ ସେମାନଙ୍କ ଉପରେ।