ଓ୍ୱିନ୍-ଓ୍ୱିନ୍

‘‘ପରୋକ୍ଷେ କାର୍ଯ୍ୟହନ୍ତାର˚/ ପ୍ରତ୍ୟକ୍ଷେ ପ୍ରିୟବାଦିନମ୍‌/ ବର୍ଜୟେତ୍ତାଦୃଶ˚ ମିତ୍ର˚/ ବିଷକୁମ୍ଭ˚ ପୟୋମୁଖମ୍‌।।’’ ଯେଉଁମାନେ ଚାଣକ୍ୟଙ୍କର ଏହି ଅମୂଲ୍ୟ ନୀତି ଉପଦେଶ ସହିତ ପରିଚିତ, ସେମାନେ ରବିବାର ଦିନ ଆମେରିକାର ଟେକ୍‌ସାସ୍‌ ରାଜ୍ୟସ୍ଥିତ ହ୍ୟୁଷ୍ଟନ୍‌ଠାରେ ଅନୁଷ୍ଠିତ ‘ହାଓଡ଼ି ମୋଦୀ’ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ୍‌ଙ୍କ ମଧୢରେ ବାଲ୍ୟ ବନ୍ଧୁ ସୁଲଭ ଆଦାନ ପ୍ରଦାନକୁ ସହଜରେ ଗ୍ରହଣ କରି ପାରୁନଥିବେ। କାରଣ ଚାଣକ୍ୟ କହିଛନ୍ତି ଯେଉଁ ବନ୍ଧୁ ମୁହାଁମୁହିଁ ମିଠା କଥା କହେ କିନ୍ତୁ ପଛରେ ତୁମର କାର୍ଯ୍ୟରେ ବାଧକ ସାଜେ, ସେ ଭଳି ବନ୍ଧୁ ହେଉଛି କେବଳ ମୁହଁ ଅ˚ଶରେ ଦୁଧର ଆସ୍ତରଣ ଥିବା ବିଷ ଭର୍ତ୍ତି ପାତ୍ର ଭଳି ଏବ˚ ସେଭଳି ବନ୍ଧୁ ଠାରୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ।

ଟ୍ରମ୍ପ୍‌ ସେଦିନ ସେଠାରେ ଉପସ୍ଥିତ ୫୦,୦୦୦ରୁ ଅଧିକ ସ˚ଖ୍ୟକ ପ୍ରବାସୀ ଭାରତୀୟମାନଙ୍କୁ ଉଲ୍ଲସିତ କରି ଘୋଷଣା କରିଥିଲେ ଯେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପରି ଭାରତର ଜଣେ ପ୍ରକୃତ ବନ୍ଧୁ ଏଥି ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ୍‌ରେ କେବେ ଦେଖାଯାଇନଥିଲେ। ଟ୍ରମ୍ପ୍‌ଙ୍କର ଏହି ପ୍ରତ୍ୟକ୍ଷ ପ୍ରିୟବାଦନ ଚାଣକ୍ୟ ଅନୁଗାମୀମାନଙ୍କୁ ଟ୍ରମ୍ପ୍‌ଙ୍କର ପରୋକ୍ଷରେ ବିଭିନ୍ନ ଭାରତ-ବିରୋଧୀ କାର୍ଯ୍ୟସବୁକୁ ମନେ ପକାଇ ଦେଉଥିବା ରାଜନୈତିକ ସ୍ତରରେ କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧୢରେ ମଧୢସ୍ଥତା କରିବେ ବୋଲି କହି ଭାରତ ତଥା ମୋଦୀଙ୍କୁ ଅଡ଼ୁଆରେ ପକାଇବାରୁ ଆରମ୍ଭ କରି ବାଣିଜ୍ୟ କ୍ଷେତ୍ରରେ ଭାରତ ପାଇଁ ବିଭିନ୍ନ ପ୍ରତିବନ୍ଧ ସୃଷ୍ଟି କରିବା ପର୍ଯ୍ୟନ୍ତ ଟ୍ରମ୍ପ୍‌ଙ୍କର ଏହି ପରୋକ୍ଷ ଭାରତ-ପ୍ରତିକୂଳ ଆଚରଣର ଅନ୍ତର୍ଭୁକ୍ତ।

ଏହାର ଏକ ସଦ୍ୟ ଉଦାହରଣ ସ୍ବରୂପ ଗତ ଜୁନ୍‌ରେ ଟ୍ରମ୍ପ୍‌ ପ୍ରଶାସନ ଭାରତକୁ ଆମେରିକାର ‘ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍‌ସେସ୍‌’ (ଜିଏସ୍‌ପି) ନାମକ ବାଣିଜ୍ୟିକ କାର୍ଯ୍ୟକ୍ରମରୁ ବହିଷ୍କୃତ କରିଛି। ବିକାଶଶୀଳ ଦେଶମାନଙ୍କୁ ଅର୍ଥନୈତିକ ଅଭ୍ୟୁଦୟରେ ସହାୟତା ପ୍ରଦାନ ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଭାରତ ଏଥିରେ ଅନ୍ତର୍ଭୁକ୍ତ ଥିବାବେଳେ ଭାରତର ପ୍ରାୟ ୫.୭ ବିଲିଅନ୍‌ ଡଲାର‌୍‌ ମୂଲ୍ୟର ରପ୍ତାନି ଦ୍ରବ୍ୟ ଉପରେ ଆମେରିକା ବଜାରରେ ପ୍ରବେଶ ପାଇଁ କୌଣସି ଶୁଳ୍କ ଲାଗୁ ହେଉନଥିଲା। ଏହି ତାଲିକାରେ ରାସାୟନିକ ଦ୍ରବ୍ୟରୁ ଆରମ୍ଭ କରି ପ୍ଲାଷ୍ଟିକ୍‌, ଚମଡ଼ା, ରବର ପଦାର୍ଥ ଓ ଅଟୋ ପାର୍ଟସ୍‌ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ଥିଲା। ଭାରତ ଏହାର ଜବାବରେ ବାଦାମ, ଵାଲ୍‌ନଟ୍‌, ସେଓ ଆଦି ଫଳ ସମେତ ୨୮ଟି ଆମେରିକୀୟ ରପ୍ତାନି ଦ୍ରବ୍ୟ ଉପରେ ଉଚ୍ଚା ଆମଦାନି ଶୁଳ୍କ ବସାଇ ଦେଇଛି। ଟ୍ରମ୍ପ୍‌ ନିୟମିତ ଭାବରେ ଭାରତର ଆମଦାନି ନିୟନ୍ତ୍ରଣ ଉଦ୍ୟମକୁ ବିରୋଧ କରି ଆସୁଛନ୍ତି। ଟ୍ରମ୍ପ୍‌ ମଧୢ ବାରମ୍ବାର ନିଜର ମତ, ମନ୍ତବ୍ୟରେ ପରିବର୍ତ୍ତନ କରିଥାନ୍ତି ବୋଲି କୁଖ୍ୟାତ। ଏଣୁ ଚାଣକ୍ୟ ପନ୍ଥୀମାନେ ଟ୍ରମ୍ପ୍‌ଙ୍କୁ ଜଣେ ବର୍ଜନୀୟ ମିତ୍ର ରୂପେ ବିଚାର କରିବାରେ କୌଣସି ଅସ୍ବାଭାବିକତା ନାହିଁ। କିନ୍ତୁ ଏହା ସତ୍ତ୍ବେ, ରବିବାର ଦିନ ହ୍ୟୁଷ୍ଟନ୍‌ର ଏନ୍‌ଆରଜି ଷ୍ଟାଡିଅମ୍‌ରେ ଯାହା ଘଟିଲା ତାହାକୁ କେବଳ ଏହି ଚାଣକ୍ୟ ମାପକାଠି ପ୍ରୟୋଗ କରି ଯେ ଆଡ଼େଇ ଦେଇ ହେବ ନାହିଁ, ତାହା ଖୋଦ୍‌ ମହାନ୍‌ ଚତୁର କୂଟନୀତିଜ୍ଞ ଚାଣକ୍ୟ ମଧୢ ସ୍ବୀକାର କରନ୍ତେ। ସେଦିନର ମୋଦୀ-ଟ୍ରମ୍ପ୍‌ ମିଳନକୁ ଯଦି ସେ ଦୁଇ ତୀକ୍ଷଣ ବ୍ୟବସାୟୀ ବୁଦ୍ଧିସମ୍ପନ୍ନ ନେତାଙ୍କ ଭାଷାରେ ବର୍ଣ୍ଣନା କରାଯିବ, ତେବେ ତାହାକୁ ‘ଵିନ୍‌-ଵିନ୍‌’ ପ୍ରଦର୍ଶନ ବୋଲି କୁହାଯିବ- ଅର୍ଥାତ୍‌ ଉଭୟଙ୍କ ପାଇଁ ଲାଭପ୍ରଦ।

ପ୍ରଥମେ ଟ୍ରମ୍ପ୍‌ଙ୍କ ଲାଭ କଥା ବିଚାର କରାଯାଉ। ସେ ହେଉଛନ୍ତି ରିପବ୍ଲିକାନ୍‌ ପାର୍ଟିର। ହ୍ୟୁଷ୍ଟନ୍‌ କିନ୍ତୁ ହେଉଛି ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟିର ଏକ ଗଡ଼। ଭାରତରେ କୌଣସି ଅବସରରେ ୫୦,୦୦୦ ଲୋକ ଏକାଠି ହେବା ଏକ ନିତିଦିନିଆ ଘଟଣା (ବାଉଁଶ ରାଣୀ ଦେଖିବା ପାଇଁ ମଧୢ ସେତିକି ଲୋକ ଠୁଳ ହୋଇଯିବେ), କିନ୍ତୁ ସେଠାରେ ଏହା ଏକ ବିରଳ ଘଟଣା। ତେଣୁ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଉପରେ ଆଖି ରଖିଥିବା ଟ୍ରମ୍ପ୍‌ ଏକ ସମୟରେ, ଏକ ସ୍ଥାନରେ ୫୦,୦୦୦ ଲୋକଙ୍କ ମନ ଜିଣିବାର ସୁଯୋଗ ହାତଛଡ଼ା ନ କରିବା ସ୍ବାଭାବିକ। ଆଉ ସେମାନଙ୍କ ମନ ଜିଣିବା ବି କେତେ ସହଜ! ସେମାନେ ସମସ୍ତେ ହେଉଛନ୍ତି ମୋଦୀଙ୍କର ଅନ୍ଧ ଭକ୍ତ ଏବ˚ ଭାରତ ଭକ୍ତ। ସେମାନଙ୍କ ସମ୍ମୁଖରେ ମୋଦୀ ତାଙ୍କୁ ନିଜର ଘନିଷ୍ଠ ବନ୍ଧୁ ରୂପେ ପ୍ରଦର୍ଶିତ କରିବା ଅର୍ଥ ସେମାନଙ୍କୁ ମଧୢ ଟ୍ରମ୍ପ୍‌-ଭକ୍ତରେ ପରିଣତ କରିବା। ୨୦୧୬ରେ ଟ୍ରମ୍ପ୍‌ଙ୍କ ବିରୋଧରେ ମତଦାନ କରିଥିବା ସ˚ଖ୍ୟାଧିକ ଆମେରିକୀୟ-ଭାରତୀୟମାନେ ୨୦୨୦ରେ ନିଜର ପସନ୍ଦ ପରିବର୍ତ୍ତନ କରିବା ସେଦିନ ପ୍ରାୟ ନିଶ୍ଚିତ ହୋଇଗଲା।

ଏଥର ମୋଦୀଙ୍କ ଲାଭ ଦେଖାଯାଉ। ଏହା ଜଣାଣୁଣା ଯେ ଟ୍ରମ୍ପ୍‌ କଶ୍ମୀର ଓ ୩୭୦ ଧାରା ଉଚ୍ଛେଦ ନେଇ ଏକ ଦୋଦୁଲ୍ୟମାନ ପରିସ୍ଥିତିରେ ରହି ଆସିଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ତାଙ୍କୁ ପାକିସ୍ତାନ ପଟକୁ ଢ଼ଳାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ହ୍ୟୁଷ୍ଟନ୍‌ରେ ସେଦିନ ଡୋନାଲ୍‌ଡ ଟ୍ରମ୍ପ୍‌ ଏ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ପ୍ରଦାନ କରି ନ ଥିଲେ। କିନ୍ତୁ ଚତୁର ମୋଦୀ ସେଠାରେ ଯାହା କଲେ ତାହା ଟ୍ରମ୍ପ୍‌ ସିଧା ସଳଖ ଭାରତର କାର୍ଯ୍ୟକୁ ସମର୍ଥନ କରିବା ଠାରୁ କୌଣସି ଗୁଣରେ କମ୍‌ ନୁହେଁ। ଟ୍ରମ୍ପ୍‌ଙ୍କୁୁ ସାକ୍ଷୀ ରଖି ଆମେରିକା ମାଟିରେ ହିଁ ମୋଦୀ ଯେତେବେଳେ କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଏବ˚ ସେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି କଶ୍ମୀରବାସୀଙ୍କ ମଙ୍ଗଳ ସାଧନ ପାଇଁ ଭାରତର ପାର୍ଲିଆମେଣ୍ଟ ବିପୁଳ ସ˚ଖ୍ୟାଗରିଷ୍ଠ ସମର୍ଥନରେ ଗଣତାନ୍ତ୍ରିକ ପଦ୍ଧତିରେ ଧାରା-୩୭୦ରେ ପରିବର୍ତ୍ତନ ଆଣିଛି ବୋଲି ଘୋଷଣା କଲେ ଓ ଉପସ୍ଥିତ ଜନ ସମୁଦ୍ର ତାକୁ ଗର୍ଜ୍ଜନ କରି ସମର୍ଥନ କଲା, ମୁରୁକି ହସୁଥିବା ଆମେରିକାର ରାଷ୍ଟ୍ରପତି ଆପେ ଆପେ ସେଥିରେ ଏକ ଅ˚ଶୀଦାର ହୋଇଗଲେ। ଏହା ପରେ ପରେ ଦୁଇବନ୍ଧୁ ହାତ ଧରାଧରି ହୋଇ ସଭାସ୍ଥଳ ପରିକ୍ରମା କରି ଏଥିରେ ବିଧିବଦ୍ଧ ମୋହର ଲଗାଇଲେ ବୋଲି କୁହାଯାଇପାରେ।
ଜାତସ˚ଘ ସାଧାରଣ ପରିଷଦରେ ଏହାର ଆଲୋଚନା ଆରମ୍ଭ ହେବା ପୂର୍ବରୁ ହିଁ ମୋଦୀ-ଟ୍ରମ୍ପ୍‌ ଯୋଡ଼ିଙ୍କର ହ୍ୟୁଷ୍ଟନ୍‌ ପ୍ରଦର୍ଶନ ତାହାକୁ ନିଃସନ୍ଦେହରେ ପାଣିଚିଆ କରି ଦେଇଛି। ସତେ ଯେମିତି ହ୍ୟୁଷ୍ଟନ୍‌ ଠାରେ ଏଭଳି ବନ୍ଧୁତା ପ୍ରଦର୍ଶନ ଯଥେଷ୍ଟ ନ ଥିଲା, ଜାତିସ˚ଘରେ ଜଳବାୟୁ ସମ୍ମିଳନୀରେ ମୋଦୀ ନିଜର ଅଭିଭାଷଣ ପ୍ରଦାନ କରିବା ସମୟରେ ଟ୍ରମ୍ପ୍‌ ଅଚାନକ ଆସି ତାଙ୍କୁ ଶୁଣିବା ପାଇଁ ୧୫ ମିନିଟ ବସି ପଡ଼ିଥିଲେ। ମୋଦୀଙ୍କର ଆମେରିକା ଗସ୍ତ ଶେଷ ହେବା ପୂର୍ବରୁ ଯଦି ଉଭୟ ଦେଶ ମଧୢରେ କିଛି ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ହୋଇପାରେ ତେବେ କେବଳ କୂଟନୈତିକ ଦୃଷ୍ଟିରୁ ନୁହେଁ, ଅର୍ଥନୈତିକ ଦୃଷ୍ଟିରୁ ମଧୢ ମୁଣିରେ ବେଶ୍‌ ଲାଭ ଭର୍ତ୍ତି କରି ମୋଦୀ ଭାରତ ଫେରିବେ। ଏବ˚ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ହ୍ୟୁଷ୍ଟନ ସଭାରେ ମୋଦୀଙ୍କ ଘୋଷଣା-‘‘ଅବ୍‌ କି ବାର‌୍‌, ଟ୍ରମ୍ପ୍‌ ସରକାର’’ ଟ୍ରମ୍ପ୍‌ଙ୍କ କାନରେ ପ୍ରତିଧ୍ବନିତ ହୋଇ ତାଙ୍କୁ ଆନନ୍ଦିତ କରି ଚାଲିବ, ଯଦିବା ଏକ ଭିନ୍ନ ପରିପ୍ରେକ୍ଷୀରେ ମୋଦୀ ତାହା କହିଥିଲେ। ସ୍ପଷ୍ଟ ରୂପେ: ‘ଵିନ୍‌-ଵିନ୍‌’!

ସମ୍ବନ୍ଧିତ ଖବର