ସମୁଦ୍ରର ସ˚ଯମ

‘ସମୁଦ୍ର ଅଶାନ୍ତ ହୋଇପାରେ, ଏହାର ଉତ୍ତାଳ ତରଙ୍ଗ ବେଳାଭୂମିରେ ଅହରହ ମଥା ପିଟୁଥାଇ ପାରେ, କିନ୍ତୁ ଏହା କୂଳ ଲ˚ଘନ କରେ ନାହିଁ’- ଏଭଳି ଏକ ବାକ୍ୟ ଉପରେ କିଛି ବର୍ଷ ତଳ ପର୍ଯ୍ୟନ୍ତ ଯେଉଁ ବିଶ୍ବାସଟି ଥିଲା, ଏବେ ତାହା ଆଉ ନାହିଁ। ଭୂମିକ˚ପ ବା ବାତ୍ୟାରେ ସମୁଦ୍ର ବେଳେବେଳେ କୂଳ ଲ˚ଘନ କରୁଥିଲା ସତ, କିନ୍ତୁ ପ୍ରକୋପ ଦେଖାଇ ପୁଣି ତାହା ଫେରି ଯାଉଥିଲା ବେଳାଭୂମିର ସୀମା ଆରପଟକୁ। ଏବେ କିନ୍ତୁ ଭୂମିକ˚ପ ବା ବାତ୍ୟା ନ ଥିଲେ ମଧୢ ସମୁଦ୍ର କୂଳ ଲ˚ଘନ କରୁଛି, କେବଳ ସେତିକି ନୁହେଁ, ଅନେକ ସମୟରେ ଆଉ ତାର ପୁରୁଣା ସୀମାରେଖା ପଛକୁ ଫେରିଯାଉନାହିଁ, ସ୍ଥଳଭାଗର ଅଧିକରୁ ଅଧିକ ଅଞ୍ଚଳ ଜଳମଗ୍ନ କରି ରଖୁଛି। ସମୁଦ୍ର ତାର ସ˚ଯମ ହରାଇଛି!

ଏହି ପରିପ୍ରେକ୍ଷୀରେ ଜାତିସ˚ଘର ‘ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଫର‌୍‌ କ୍ଲାଇମେଟ୍‌ ଚେଞ୍ଜ୍‌’ ବା ଆଇପିସିସି ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ପୃଥିବୀର ୪୫ଟି ସହର ସମୁଦ୍ର ଗର୍ଭରେ ଲୀନ ହେବାର ଭୟ ଦୃଢ଼ୀଭୂତ ହୋଇଛି। ଏହା ଦ୍ବାରା ପ୍ରାୟ ୧୪ କୋଟି ଲୋକ କ୍ଷତିଗ୍ରସ୍ତ ହେବେ। ଏହି ସହର ଗୁଡ଼ିକ ଭିତରେ ରହିଛି ଭାରତର ଚାରିଟି ବଡ଼ ସହର, ଯଥା ମୁମ୍ବାଇ, କୋଲକାତା, ସୁରାଟ ଏବ˚ ଚେନ୍ନାଇ। ଏହାର କାରଣ ହେଉଛି ପରିବେଶ ପ୍ରଦୂଷଣଜନିତ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ଉତ୍ତପ୍ତୀକରଣ। ପୃଥିବୀର ତାପମାତ୍ରା କ୍ରମାଗତ ବୃଦ୍ଧି ପାଉଥିବାରୁ ମେରୁ ଅଞ୍ଚଳରେ ବା ଉଚ୍ଚ ପାର୍ବତ୍ୟ ଶୃଙ୍ଗରେ ଶତାବ୍ଦୀ ଶତାବ୍ଦୀ ଧରି ଜମି ଆସିଥିବା ବରଫ ଆସ୍ତରଣ ଏଭଳି ଦ୍ରୁତ ଗତିରେ ତରଳିବାକୁ ଆରମ୍ଭ କଲାଣି, ଯାହା ପୂର୍ବରୁ ଦେଖାଯାଇ ନ ଥିଲା। ଏଣୁ ସମୁଦ୍ର ଫୁଲୁଛି ଏବ˚ ଏହି ସ୍ଫୀତ ସମୁଦ୍ର ଗର୍ଭରେ କୂଳବର୍ତ୍ତୀ ଜନବସତି ଅଚିରେ ଲୀନ ହୋଇଯିବାର ଦୃଶ୍ୟ ଜଳଜଳ ଦିଶିଲାଣି।

ଆଇପିସିସିର ରିପୋର୍ଟ ଅନୁସାରେ ଯଦି ବର୍ତ୍ତମାନର ତାପମାତ୍ରା ବୃଦ୍ଧିର ଧାରା ଜାରି ରହେ, ତେବେ ୨୧୦୦ ବେଳକୁ ସମୁଦ୍ର ପତ୍ତନ ପ୍ରାୟ ୧ ମିଟର ଫୁଲି ଯାଇଥିବ। ସମୁଦ୍ର ତଟବର୍ତ୍ତୀ ଅନେକ ବଡ଼ ସହର ଏଭଳି ସ୍ଥିତିରେ ଅଛନ୍ତି ଯେ ଯଦି ସମୁଦ୍ର ପତ୍ତନରେ ୫୦ ସେଣ୍ଟିମିଟର ବୃଦ୍ଧି ଘଟେ, ତେବେ ସେ ସବୁ ଜଳ ମଗ୍ନ ହୋଇଯିବେ। ରିପୋର୍ଟରେ କୁହାଯାଇଥିବା ଭଳି ପୂର୍ବରୁ ପ୍ରତି ଶହେ ବର୍ଷରେ ଥରେ ଦୃଶ୍ୟମାନ ହେଉଥିବା ଚରମ ସାମୁଦ୍ରିକ ବିପର୍ଯ୍ୟୟ, ଏ ଶତାବ୍ଦୀର ମଧୢ ଭାଗ ବେଳକୁ ପ୍ରତି ବର୍ଷରେ ଥରେ ସଂଘଟିତ ହୋଇପାରେ। ଆଇପିସିସିର ଆଉ ଏକ ରିପୋର୍ଟ କହିଛି ଯେ ସ୍ଥଳଭାଗର ବରଫ ତରଳି ସମୁଦ୍ରରେ ମିଶିଲେ ତାହା ସମୁଦ୍ର ଜଳର ଲବଣା˚ଶରେ ହ୍ରାସ ଘଟାଇ ମଦୋଦଧିଗୁଡ଼ିକୁ ସାମୁଦ୍ରିକ ଜୀବନର ଶ୍ମଶାନରେ ପରିଣତ କରିଦେବ ଓ ସମୁଦ୍ର ଜାତ ଖାଦ୍ୟର ଦୁର୍ଭିକ୍ଷ ଦେଖାଦେବ। କେବଳ ସେତିକି ନୁହେଁ, ବିଶ୍ବ ଉତ୍ତପ୍ତୀକରଣକୁ ରୋକା ନ ଗଲେ ଭୟାବହ ସାମୁଦ୍ରିକ ବାତ୍ୟାର ସ˚ଖ୍ୟାରେ ଆଶାତୀତ ବୃଦ୍ଧି ଘଟିବ। ୧୯୮୨ ଓ ୨୦୧୬ ଭିତରେ ଏକ ତୁଳନାରୁ ଜଣାପଡ଼ିଛି ଯେ ସାମୁଦ୍ରିକ ଗ୍ରୀଷ୍ମ ପ୍ରବାହର ସ˚ଖ୍ୟା ଏବେ ଦୁଇ ଗୁଣ ହୋଇଯାଇଛି। ସମସ୍ୟା କିଭଳି ଗମ୍ଭୀର ତାହା ଏହି ଉଦାହରଣରୁ ଜଣାପଡ଼ିବ। ଯଦି ବି କୌଣସିମତେ ଏ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ବ ଉତ୍ତାପ ବୃଦ୍ଧିକୁ ୨ ଡିଗ୍ରି ସେଲସିଅସ ଭିତରେ ନିୟନ୍ତ୍ରଣ କରି ରଖାଯାଇପାରିବ, ତଥାପି ସମୁଦ୍ର ପତ୍ତନ ୩୦ରୁ ୬୦ ସେଣ୍ଟିମିଟର ବୃଦ୍ଧି ପାଇବ, ଯାହା ସମୁଦ୍ର ତଟରେ ଦାରୁଣ ବିଭୀଷିକା ସ˚ଘଟିତ କରିବ।

ଏହି ପ୍ରସଙ୍ଗରେ ସ୍ବିଡିସ୍‌ କିଶୋରୀ ଗ୍ରେଟା ଥର୍ନବର୍ଗ ମନକୁ ଆସନ୍ତି। ପରିବେଶ ସୁରକ୍ଷା ପ୍ରତି ବିଶ୍ବ ନେତୃବୃନ୍ଦଙ୍କ ଅଙ୍ଗୀକାରଶୂନ୍ୟତା ଓ ବିପଜ୍ଜନକ ଉତ୍ତରଦାୟିତ୍ବହୀନତା ବିରୋଧରେ ‘ଫ୍ରାଇଡେ ଫର ଫ୍ୟୁଚର’ ଅଭିଯାନକୁ ଏକାକିନୀ ନିଜ ଦେଶ ସ୍ବିଡେନରେ ଆରମ୍ଭ କରି ଏବେ ତାହାକୁ ଏକ ବିଶ୍ବସ୍ତରୀୟ ବିଶାଳ ଯୁବ ଆ‌େନ୍ଦାଳନରେ ପରିଣତ କରିପାରିଥିବା ଗ୍ରେଟା ଥରେ କହିଥିଲେ ଯେ ‘ଯେତେବେଳେ ବଡ଼ମାନେ ପିଲାଙ୍କ ଭଳି ହୁଅନ୍ତି, ସେତେବେଳେ ପିଲାମାନଙ୍କୁ ଦାୟିତ୍ବ ନେବାକୁ ହେବ।’ ପରିବେଶ ପ୍ରଦୂଷଣଜନିତ ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ବିଶ୍ବ ସମ୍ମୁଖରେ ଏକ ଅତିକାୟ ସ˚କଟ ଭାବେ ଛିଡ଼ା ହୋଇଛି। ଅଥଚ, ବିଶ୍ବ ନେତୃବୃନ୍ଦ ବିଭିନ୍ନ ପରିବେଶ ସ˚କ୍ରାନ୍ତ ଶୀର୍ଷ ସମ୍ମିଳନୀଗୁଡ଼ିକରେ ଯେଉଁଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ବା ସମ୍ମିଳନୀରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଚରମ ଉଦାସୀନତା ପ୍ରକାଶ କରୁଛନ୍ତି ଅଥବା ନିଜ ନିଜ ରାଷ୍ଟ୍ରର ସ˚କୀର୍ଣ୍ଣ ସ୍ବାର୍ଥ କଥା ବିଚାର କରି ଏହି ବିଶ୍ବ-ସ˚କଟକୁ ନଜରଅନ୍ଦାଜ କରି ଦେଉଛନ୍ତି, ତାକୁ ଉପଲକ୍ଷ୍ୟ କରି ଗ୍ରେଟା ଏହି ମନ୍ତବ୍ୟ ଦେଇଥିଲେ। ସ୍କୁଲ ନ ଯାଇ ସ୍ବିଡେନ୍‌ ସ˚ସଦ ଆଗରେ ଧାରଣାରେ ବସୁଛନ୍ତି କାହିଁକି? ବୋଲି ପ୍ରଶ୍ନର ଉତ୍ତରରେ ଥରେ ଗ୍ରେଟା ପାଲଟା ପ୍ରଶ୍ନ କରିଥିଲେ- କେଉଁଥି ଲାଗି ପଢ଼ିବି? କେଉଁ ଭବିଷ୍ୟତ ଲାଗି ପଢ଼ିବି? କାରଣ ଗ୍ରେଟା ଭବିଷ୍ୟତର ଯେଉଁ ଚିତ୍ରକୁ ଦେଖିପାରୁଛନ୍ତି, ବୋଧହୁଏ ତାକୁ ଅନେକ ବିଶ୍ବନେତା ଦେଖିପାରୁ ନାହାନ୍ତି। ତାହା ହୋଇ ନ ଥିଲେ ବିଶ୍ବ ସ୍ତରୀୟ ପରିବେଶ ସମ୍ବନ୍ଧୀୟ ଶୀର୍ଷ ସମ୍ମିଳନୀଗୁଡ଼ିକରେ ଚୁକ୍ତି କରି ସୁଦ୍ଧା ‘ସବୁଜ ଘର ଗ୍ୟାସ୍‌‘ ଉତ୍ସର୍ଜନର ମାତ୍ରାକୁ ରୋକିବାରେ ରାଷ୍ଟ୍ରଗୁଡ଼ିକ ସମର୍ଥ ହେଉ ନାହାନ୍ତିି କାହିଁକି? ବାସ୍ତବତାଟି ହେଲା, ଉପଭୋଗବାଦୀ ସ˚ସ୍କୃତି ଓ ବଜାର ଚାଳିତ ଅର୍ଥ ବ୍ୟବସ୍ଥାକୁ ପ୍ରଶ୍ରୟ ଦେଇ ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ର ଧରଣୀକୁ ଦୋହନ କରିବାରେ ବ୍ୟସ୍ତ। ଏହାର ପରିଣାମ ଜଳବାୟୁ ପରିବର୍ତ୍ତନ, ବିଶ୍ବ ଉତ୍ତପ୍ତୀକରଣ ଓ ପ୍ରକୃତିର ପ୍ରତିଶୋଧ।

ବାଇବେଲର ‘ଓଲ୍‌ଡ ଟେଷ୍ଟାମେଣ୍ଟ’ର ‘ବୁକ୍‌ ଅଫ୍‌ ଜେନେସିସ୍‌’ରେ ଅଛି ଯେ ପୃଥିବୀର ପ୍ରଥମ ମଣିଷଙ୍କ ଉପରେ ଈଶ୍ବର ପ୍ରୀତ ହୋଇ କହିଲେ, ‘ବି ଫ୍ରୁଟ୍‌ଫୁଲ, ମଲ୍‌ଟିପ୍ଲାଏ ଏନ୍‌ଡ ସବଡ୍ୟୁ ଦ ଅର୍ଥ‌୍‌’, ଯାହାର ଅର୍ଥ ହେଲା, ଫଳନ୍ତି ହୁଅ, ବହୁଗୁଣିତ ହୁଅ ଏବ˚ ଏ ଧରାକୁ ନିୟନ୍ତ୍ରଣ କର।’ ଈଶ୍ବରଙ୍କ ଆଉ କେଉଁ ବାଣୀକୁ ମନୁଷ୍ୟ ମାନୁ ବା ନ ମାନୁ, ଏହି ଉପଦେଶକୁ ଅକ୍ଷରେ ଅକ୍ଷରେ ମାନିଛି ଓ ପୃଥିବୀକୁ ଆୟତ୍ତ କରିବାର ପ୍ରଚେଷ୍ଟାରେ ଏବେ ବି ବ୍ୟାପୃତ ରହିଛି। ଏହା ଦ୍ବାରା ପ୍ରକୃତି ଅଣାୟତ୍ତ ହୋଇପଡ଼ିଥିବାର ଅନେକ ସ˚କେତ ମିଳୁଥିଲେ ମଧୢ ତାକୁ ଗ୍ରହଣ କରିବାକୁ ମନୁଷ୍ୟ ନାରାଜ।

ବିଡ଼ମ୍ବନା, ଏ ଯାବତ୍‌ ଏହାକୁ ଏକ ବାସ୍ତବତା ବୋଲି ଅନେକ ଗ୍ରହଣ କରନ୍ତି ନାହିଁ। ତେଣୁ ଆଇପିସିସିର ଏ ଚେତାବାନୀକୁ ଅନେକ ଅତିର˚ଜନ ବୋଲି କହି ହାଲୁକା ଭାବେ ନେଇପାରନ୍ତି। କିନ୍ତୁ ଭୁଲିଗଲେ ହେବନାହିଁ ଯେ ଆଇପିସିସିର ଏ ରିପୋର୍ଟ ୭୦୦୦ଟି ଗବେଷଣା ପ୍ରସୂତ ନିବନ୍ଧ ଆଧାରରେ ପ୍ରସ୍ତୁତ। ତଥାପି ଯଦି ଏହା ଅନେକଙ୍କୁ ଭେଦିବାକୁ ଅସମର୍ଥ ରହେ, ତେବେ ପ୍ରସିଦ୍ଧ ଆଧିଭୌତିକ କବି ଜନ୍‌ ଡନ୍‌ଙ୍କ କବିତା ‘ଫର ହୁମ୍‌ ଦ ବେଲ୍‌ ଟୋଲ୍‌ସ’(କାହା ଲାଗି ଘଣ୍ଟି ବାଜେ)କୁ ସ୍ମରଣ କରିବାକୁ ହେବ। ସେଥିରେ ଅତି ମାର୍ମିକ ଭାବେ କବି ଯାହା କହିଛନ୍ତି ତାର ଓଡ଼ିଆ ମର୍ମାର୍ଥ ହେଉଛି: କୌଣସି ବ୍ୟକ୍ତି ଏକ ଦ୍ବୀପ ନୁହେଁ, ସେ ଗୋଟିଏ ମହାଦ୍ବୀପର ଅ˚ଶ। ମୁଖ୍ୟ ଧାରାର ଅ˚ଶ। X X X ତେଣୁ ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ମୋତେ କ୍ଷୟ କରେ। ତେଣୁ କଦାପି ଜାଣିବାକୁ ପଠାଅ ନାହିଁ (ଗୀର୍ଜାରେ) ଯେ କାହା ଲାଗି ଘଣ୍ଟି ବାଜେ! ଏହା ତୁମ ପାଇଁ ହିଁ ବାଜେ।
କବିଙ୍କ କବିତାରେ ଗୀର୍ଜାର ଏ ଘଣ୍ଟି ହେଉଛି ମୃତ୍ୟୁର ବାର୍ତ୍ତା ବହନ କରୁଥିବା ଘଣ୍ଟି।

ସମ୍ବନ୍ଧିତ ଖବର