ଅସୁରକ୍ଷିତ ହାତୀ

‘ଝୁଲରେ ହାତୀ ଝୁଲ, ବାଆ ପାଣି ଖାଇ ଫୁଲ’: ଆମ ରାଜ୍ୟର ଘରେ ଘରେ ଏକଦା ମାଆମାନଙ୍କ ମୁହଁରେ ଗୁଣୁଗୁଣେଇ ହେଉଥିବା ଏହି ଶିଶୁ ପ୍ରବୋଧନାକାରୀ ଲାଳିକାଟି ଯେଉଁ ଡଉଲଡାଉଲ, କୌତୁକିଆ, ଲସରପସର ହୋଇ ଚାଲୁଥିବା ଅତିକାୟ ଚତୁଷ୍ପଦର ଚିତ୍ରଟି ଆଖି ଆଗକୁ ନେଇ ଆସୁଥିଲା, ସେଭଳି ଚିତ୍ର ଆଜିକାଲି ଆଉ ଆସୁନାହିଁ। କାରଣ ହାତୀମାନଙ୍କ ଚେହେରାରେ ଏବେ ଦିଶୁଛି କ୍ରୋଧ ଓ ବିରକ୍ତି; ସେମାନେ ବିକ୍ଷିପ୍ତ, ଅସୁରକ୍ଷିତ, ଅଧିକା˚ଶ ସମୟରେ ଶଙ୍କାଗ୍ରସ୍ତ ଅବସ୍ଥାରେ ଦଳବଦ୍ଧ ଭାବେ ଧାବମାନ; କେଉଁଠି ଗଭୀର କୂଅରେ ପଡ଼ି ଆଉ ବାହାରି ନ ପାରି ଆର୍ତ୍ତ ଚିତ୍କାରରତ ତ କେଉଁଠି ଦୟନୀୟ ଭାବେ ରୋଗଗ୍ରସ୍ତ ତ ପୁଣି କେଉଁଠି ଅତ୍ୟନ୍ତ ଆକ୍ରାମକ ମୁଦ୍ରାରେ ସବୁ କିଛି ଛିନଛତ୍ର କରିବାରେ ବ୍ୟସ୍ତ। ଏବ˚ କେଉଁଠି ରେଳ ଧାରଣା କଡ଼ରେ ବା ବିଜୁଳି ତାର ତଳେ ସେମାନଙ୍କର ମୃତ ଶରୀରର ପାହାଡ଼।

ଗଲା କିଛି ଦିନ ଭିତରେ ‘ଏଲିଫ୍ୟାଣ୍ଟ ଏଣ୍ତୋଥେଲିଓଟ୍ରପିକ୍‌ ହର୍ପିସ୍‌ ଭାଇରସ୍‌’ ବା ଇଇଏଚ୍‌ ଭୂତାଣୁ ଦ୍ବାରା ନନ୍ଦନକାନନରେ ଚାରିଟି ହାତୀ ସେମାନଙ୍କ ଆଦ୍ୟ କୈଶୋରରେ ମୃତ୍ୟୁ ମୁଖରେ ପଡ଼ିବା ଏବ˚ ଗତକାଲିର ସମ୍ବାଦ ଅନୁସାରେ ଏହି ଭୂତାଣୁର ସ˚କ୍ରମଣ ନନ୍ଦନକାନନ ପରିସର ଅତିକ୍ରମ କରି ଚନ୍ଦକା ଅଭୟାରଣ୍ୟକୁ ବ୍ୟାପି ଯିବା ଭଳି ଘଟଣା ପରେ ଆମ ରାଜ୍ୟରେ ଥିବା ହାତୀମାନଙ୍କ ସ୍ଥିତି ନେଇ ସ୍ବାଭାବିକ ଭାବେ ଉଦ୍‌ବେଗ ପ୍ରକାଶ ପାଉଛି।

ଏହା ଅବଶ୍ୟ ସତ ଯେ ସମସ୍ତ ହାତୀ ବହୁଳ ଦେଶର ଏହି ଭୂତାଣୁ ସହ ପରିଚିତି ରହିଛି। ଏ ମାରାତ୍ମକ ଭୂତାଣୁର ସ˚କ୍ରମଣ ବିଶେଷତଃ ଚିଡ଼ିଆଖାନାରେ ରହୁଥିବା ବା ପୋଷା ଯାଉଥିବା ହାତୀମାନଙ୍କ ଠାରେ ଅଧିକ ଦେଖାଯାଇଥାଏ ଏବ˚ ବିଡ଼ମ୍ବନା ଯେ ଏହା କେବଳ ଏସୀୟ ହାତୀ ପ୍ରଜାତିଙ୍କ ଲାଗି ଘାତକ ସାବ୍ୟସ୍ତ ହୋଇଥାଏ। ଆଫ୍ରିକୀୟ ହାତୀମାନଙ୍କ କ୍ଷେତ୍ରରେ ଏହି ଭୂତାଣୁର ସ˚କ୍ରମଣ ସହଜରେ ଆରୋଗ୍ୟ ହୋଇପାରୁଥିବା ନିରୀହ ଆବୁ ବା କ୍ଷତରେ ସମାପ୍ତ ହୋଇଯାଏ। କିନ୍ତୁ ଏସୀୟ ହାତୀମାନଙ୍କ ଠାରେ ଏହା ଶରୀର ଭିତରେ ରକ୍ତସ୍ରାବ ଘଟାଇ ସେମାନଙ୍କ ମୃତ୍ୟୁର କାରଣ ହୁଏ। ୧୯୯୫ରେ ଏ ଭୂତାଣୁଟି ଚିହ୍ନଟ ହେବା ପରଠାରୁ ଦେଖିବାକୁ ମିଳିଛି ଯେ ଅନ୍ୟାନ୍ୟ ରୋଗ ତୁଳନାରେ ଏହି ଭୂତାଣୁ ଜନିତ ରୋଗ ୮୦ ପ୍ରତିଶତ ହାତୀଙ୍କ ପ୍ରାଣ ନେଇଛି। ଏହାକୁ ରୋକିବା ଲାଗି ଯଦିଓ ‘ଆଣ୍ଟି ଭାଇରାଲ’ ଔଷଧ ରହିଛି, ତା ମଧୢ ବିଶେଷ ଫଳପ୍ରଦ ନୁହେଁ। କାରଣ, ଏହି ଔଷଧ ପ୍ରୟୋଗ କରାଗଲେ ସୁଦ୍ଧା ପ୍ରତି ତିନିଟି ହାତୀରୁ ଗୋଟିଏ ହାତୀ ଦୈବାତ୍‌ ବଞ୍ଚି ରହିପାରେ। ଏହି ଦୃଷ୍ଟିରୁ ନନ୍ଦନକାନନରେ ହୋଇଥିବା ହାତୀ ମୃତ୍ୟୁ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବାକୁ ହେବ। ତେବେ, ବିଭିନ୍ନ କାରଣରୁ ଆମ ରାଜ୍ୟରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇ ଚାଲିଥିବା ହାତୀ ମୃତ୍ୟୁ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ନୈରାଶ୍ୟଜନକ ମଧୢ।

ଗଲା ମାର୍ଚ୍ଚ ମାସରେ ଗଣମାଧୢମରେ ପ୍ରକାଶିତ ହୋଇଥିବା ଏକ ତଥ୍ୟ ଅନୁସାୟୀ ୨୦୧୮-୧୯ ବର୍ଷରେ ଆମ ରାଜ୍ୟରେ ଯେତିକି ହାତୀ ମୃତ୍ୟୁବରଣ କରିଛନ୍ତି, ତାହା ବିଗତ ଦଶନ୍ଧିରେ ସର୍ବାଧିକ। ଏହି ସ˚ଖ୍ୟା ହେଉଛି ୮୭। ଏମାନଙ୍କ ଭିତରୁ ମାତ୍ର ତିନିଟି ହାତୀ ସ୍ବାଭାବିକ ମୃତ୍ୟୁ ବରଣ କରିଛନ୍ତି, ଅବଶିଷ୍ଟ ୮୪ଟି ହାତୀ ରୋଗ, ଦୁର୍ଘଟଣା ବା ହତ୍ୟାର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ଦଶ ବର୍ଷ ଭିତରେ ଓଡ଼ିଶା ୭୨୮ଟି ହାତୀଙ୍କୁ ହରାଇଛି। କିଛି ଦିନ ତଳେ ଏକ ଇ˚ରେଜୀ ଦୈନିକ ଲେଖିଥିଲା ଯେ ଓଡ଼ିଶା ଏବେ ହାତୀମାନଙ୍କ ଶ୍ମଶାନ ଭୂଇଁରେ ପରିଣତ ହୋଇଛି। ଉପର ପରିସ˚ଖ୍ୟାନ ଏହାର ଏକ ପ୍ରମାଣ ନୁହେଁ କି?

ନିକଟରେ ‘ବିବିସି ଆର୍ଥ‌୍‌’ ଚ୍ୟାନେଲରେ ପ୍ରସାରିତ ଗୋଟିଏ ଅଧୢାୟରେ କୁହାଯାଇଥିଲା ଯେ ମନୁଷ୍ୟ ଦ୍ବାରା ପରିଚାଳିତ ‘ବିକାଶର ମଡେ଼ଲ୍‌’ ଅତିକାୟ ପ୍ରାଣୀମାନଙ୍କ ବିଲୟ ଲାଗି ଦ୍ବାର ଖୋଲି ଦେଇଛି। ମହାସାଗରରେ ତିମି ମାଛ ଯେମିତି ବିପନ୍ନ, ଅବକ୍ଷୟିଷ୍ଣୁ ଜଙ୍ଗଲ ଭିତରେ ହାତୀ ମଧୢ ସେମିତି ବିପଦଗ୍ରସ୍ତ। ବିଶାଳ ଜନ୍ତୁ ଭାବେ ହାତୀମାନେ ଖାଦ୍ୟ, ବାସସ୍ଥାନ ତଥା ବିଚରଣ ଭୂମି ଲାଗି ଯେତିକି ଜଙ୍ଗଲ ଓ ଯେତିକି ସୁଦୀର୍ଘ ଅଳିନ୍ଦ ଲୋଡ଼ନ୍ତି, ତାହା ଏବେ ସେମାନଙ୍କ ଲାଗି ଅନୁପଲବ୍ଧ ବା ଖୁବ୍‌ ସ˚କୁଚିତ। ହାତୀ ଚଲାପଥ ଛାତିରେ ନିର୍ମାଣ କରାଯାଉଛି ରାଜପଥ ଓ ରେଳପଥ। ସେମାନଙ୍କ ବିଚରଣ ଭୂମି ଉପରେ ଛିଡ଼ା ହୋଇଛି ଉଚ୍ଚ ଶକ୍ତି ସ˚ପନ୍ନ ବିଜୁଳି ଟାଵାର। ଏହା ଆ ହାତୀମାନଙ୍କୁ ଆୟୁଷ ହାନି କରୁଛି। କଥାରେ କହନ୍ତି ବିପଦ ବେଳେ ମୁଣ୍ତ ଗୁଞ୍ଜି ରହିଗଲେ ବଞ୍ଚି ଯାଇ ହୁଏ। କିନ୍ତୁ ହାତୀ ଭଳି ଅତିକାୟ ପ୍ରାଣୀ ଲାଗି ମୁଣ୍ତ ଗୁଞ୍ଜିବାର ଅବକାଶ କାହିଁ? ଜଙ୍ଗଲରେ ଖାଦ୍ୟାଭାବ ହେତୁ ଖାଦ୍ୟର ସନ୍ଧାନରେ ଜନବସତି ଆଡ଼କୁ ମାଡ଼ି ଆସୁଥିବା ହାତୀମାନେ ଏବେ ମଣିଷର ଶତ୍ରୁ ଭାବେ ଆଖ୍ୟାୟିତ। ହାତୀ ଓ ମଣିଷ ମୁହାଁମୁହିଁ ହେବା ଉଭୟ ପକ୍ଷଙ୍କ ଲାଗି କ୍ଷତିକାରକ ସାବ୍ୟସ୍ତ ହେଉଛି। ଥରେ ଲେଖକ ରୁଡୟାର୍ଡ କିପଲି˚ କହିଥିଲେ ‘ହାତୀ ହେଉଛି ଜଙ୍ଗଲର ଭଦ୍ରଲୋକ।’ ଏବେ ଲାଗୁଛି, ବୋଧହୁଏ ଭଦ୍ରଲୋକଙ୍କ ସ˚ଯମର ବନ୍ଧ ଭାଙ୍ଗି ଯାଇଛି।

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ବେଳକୁ ଯେତେବେଳେ ବିଭିନ୍ନ ସଭ୍ୟତା ଭିତରେ ଯୁଦ୍ଧ ଓ ଦିଗ୍‌ବିଜୟର ଅଭିଯାନ ପୃଥିବୀକୁ ଘୋଟି ରହିଥିଲା, ସେତିକିବେଳେ ହାତୀଙ୍କୁ ନେଇ ଘଟିଥିଲା ଗୋଟିଏ ଚମକପ୍ରଦ ଘଟଣା। କାର୍ଥେଜର କି˚ବଦନ୍ତୀୟ ସେନାପତି ହାନିବଲ ବରଫ ପାତ ହେଉଥିବା ଭଳି ଶୀତ କାଳରେ ହାତୀମାନଙ୍କ ଏକ ବାହିନୀ ଧରି ତୁଷାରାବୃତ ଆଲ୍‌ପସ ପର୍ବତମାଳା ଅତିିକ୍ରମ କରି ପହଞ୍ଚି ଯାଇଥିଲେ ରୋମ୍‌ରେ। ହଠାତ୍‌ ସାମନାରେ ହାତୀମାନଙ୍କୁ ଦେଖି ହତଭମ୍ବ ରୋମାନମାନେ ଯୁଦ୍ଧରେ ପରାଜିତ ହେବା ଆଉ ଏକ ପ୍ରସଙ୍ଗ। ତେବେ, ବିଶାଳକାୟ ହାତୀମାନଙ୍କୁ ନେଇ ହାନିବଲ ଆଲ୍‌ପସ ଅତିକ୍ରମ କରିଥିବାର ଅବିଶ୍ବସନୀୟ କାହାଣୀ ଯାହା ସୂଚାଏ, ତାହା ହେଲା, ହାତୀମାନଙ୍କ ଭଳି ବିଶାଳ ଜନ୍ତୁମାନଙ୍କୁ ମଣ କରି, ଆପଣା ଅଧୀନ କରି କ୍ରୀତଦାସ ଭଳି ବ୍ୟବହାର କରିବାର କୌଶଳ ମନୁଷ୍ୟ ପ୍ରାକ୍‌ ଐତିହାସିକ କାଳରୁ କରିଆସିଥିଲା ଓ ଆଜି ପର୍ଯ୍ୟନ୍ତ କରୁଛି। ତେବେ, ଏ ସବୁ ସତ୍ତ୍ବେ ହାତୀ ସହିତ ମଣିଷ ବନ୍ଧୁତା ଯୁଗ ଯୁଗ ଧରି ରହିଆସିଥିଲା, ଯାହା ଏବେ ଆଉ ନାହିଁ। ଏବର ନୂଆ ଓ ବିମର୍ଷକର ଧାରାଟି ହେଲା ହାତୀମାନଙ୍କ ପ୍ରତି ମଣିଷ ଶତ୍ରୁଭାବାପନ୍ନ ଓ ଅନେକ ସମୟରେ ଗଭୀର ଭାବେ ଉଦାସୀନ।

ଆମେରିକୀୟ ଲୋକସ˚ଗୀତ ଗାୟକ ଆଡ୍ରିଆନ୍‌ ବିଲ୍ୟୁ ହାତୀମାନଙ୍କୁ ନେଇ ଲୋକପ୍ରିୟ ଗୀତଟିଏ ଗାଇଥିଲେ, ଯାହାର ସାରା˚ଶ ହେଲା- ହାତୀମାନେ ଆମ ଦ୍ବାରା ଧରା ହୋଇଛନ୍ତି, ଆମର ଦାସରେ ପରିଣତ ହୋଇଛନ୍ତି, ଆମ ଦ୍ବାରା ମରା ଯାଇଛନ୍ତି, ଆମେ ସେମାନଙ୍କୁ ସବ˚ଶେ ନିପାତ କରିଛୁ ଏବ˚ ସେମାନଙ୍କୁ ପାସୋରି ଯାଇଛୁ। ତେଣୁ, ଏବେ ଯାହା ଆମ ପାଖରେ ଅଛି, ତାହା ହାତୀଙ୍କ ଅନ୍ତଃସାରଶୂନ୍ୟ ଫସିଲ୍‌।

ଆଡ୍ରିଆନ୍‌ ତାଙ୍କ ଗୀତରେ ହାତୀମାନଙ୍କ ଯେଉଁ ଦୁର୍ଦ୍ଦଶା କଥା କହିଛନ୍ତି, ସେଭଳି ଦୁର୍ଦ୍ଦଶା ନ ଘଟୁ। କିନ୍ତୁ ‘ବିକାଶର ମଡେଲ’ର ଚିନ୍ତନ ବେଳେ ହାତୀମାନଙ୍କୁ ପାସୋରି ଗଲେ ଆଡ୍ରିଆନ୍‌ ଗାଇଥିବା ଭଳି ସ୍ଥିତିଟିଏ ଯେ ନ ଆସିବ , ତାହା କିଏ କହିବ?

ସମ୍ବନ୍ଧିତ ଖବର