ପ୍ରଲମ୍ବିତ ମୌସୁମୀ

୧୯୮୭ ମସିହାରେ ‘ଲଣ୍ତନ ଅବଜର୍ଭର’ ପତ୍ରିକା ସହିତ ସ˚ପୃକ୍ତ ଜଣେ ପ୍ରସିଦ୍ଧ ଭ୍ରମଣ କାହାଣୀ ଲେଖକ ଆଲେକଜାଣ୍ତର ଫ୍ରେଟର ଜୁନ୍‌ ମାସର ପ୍ରଥମ ସପ୍ତାହରେ ଭାରତର ଦକ୍ଷିଣତମ ବିନ୍ଦୁ ତିରୁଅନନ୍ତପୁରମରୁ ତାଙ୍କର ଯାତ୍ରା ଆରମ୍ଭ କରି ତାକୁ ସାରିଥିଲେ ଚେରାପୁଞ୍ଜିରେ। ଭାରତରେ ମୌସୁମୀର ଗତି ପଥକୁ ଅନୁସରଣ କରି ସେ କରିଥିବା ଏ ଯାତ୍ରାର ଅବଧି ଥିଲା ଦୁଇ ମାସ। ମୌସୁମୀ ପ୍ରବାହ ଏବ˚ ତା’ ସହିତ ଅନ୍ତରଙ୍ଗ ଭାବେ ସ˚ଶ୍ଳିଷ୍ଟ ଭାରତର ଜନଜୀବନକୁ ନେଇ ସେ ରଚନା କରିଥିଲେ ଏକ ହୃଦୟର୍ସ୍ପଶୀ ପୁସ୍ତକ, ଯାହାର ନାମ ଥିଲା ‘ଚେଜି˚ ଦ ମନସୁନ’ ବା ‘ମୌସୁମୀ ଅନୁସରଣେ’। ଏହି ପୁସ୍ତକଟି ରଚନା କରାଯିବାର ବତିଶ ବର୍ଷ ପରେ ଆଜି ଯଦି ଫ୍ରେଟର ମହାଶୟ ମୌସୁମୀ ପଛେ ପଛେ ତାଙ୍କର ଯାତ୍ରାଟି ଆରମ୍ଭ କରନ୍ତେ, ତାହା ବୋଧହୁଏ ଦୁଇ ମାସରେ ସମାପ୍ତ ହୋଇପାରନ୍ତା ନାହିଁ। ମୌସୁମୀ ପ୍ରବାହ ଆରମ୍ଭ ହୋଇଯାଇଛି ବୋଲି ଭାବି ସେ ଯାତ୍ରା ଆରମ୍ଭ କଲା ପରେ ହୁଏତ ବୁଝନ୍ତେ ଯେ ତାହା ପ୍ରକୃତରେ ମୌସୁମୀ ପ୍ରବାହ ନ ଥିଲା ଅଥବା ଏହା ବି ହୋଇପାରେ ମୌସୁମୀ ପ୍ରବାହ ତାର ଅନ୍ତିମ ଚରଣରେ ପହଞ୍ଚି ଗଲା ବୋଲି ଭାବି ଯାତ୍ରା ସମାପ୍ତ କରିବାକୁ ଉଦ୍ୟତ ହେଲା ବେଳକୁ ହୁଏତ ଦେଖନ୍ତେ ହଠାତ୍‌ ମୌସୁମୀ ସକ୍ରିୟ ହୋଇ ଉଠିଛି ଏବ˚ ସାରା ଦେଶ ବର୍ଷାରେ ବତୁରି ଯାଉଛି। କିଛି ବର୍ଷ ତଳ ପର୍ଯ୍ୟନ୍ତ ଯେଉଁ ଶାସ୍ତ୍ରୀୟ ନିୟମକୁ ମାନି ମୌସୁମୀ ପ୍ରବାହିତ ହେଉଥିଲା, ତାହା ହେଉଛି ଜୁନ୍‌ ମାସର ପ୍ରଥମ ସପ୍ତାହରେ କେରଳ ଅତିକ୍ରମ କରି ପରବର୍ତ୍ତୀ ଦୁଇ ମାସ ପର୍ଯ୍ୟନ୍ତ ସାରା ଭାରତରେ ବର୍ଷି ସେପ୍‌ଟେମ୍ବର ମାସ ବେକଳୁ ତାହା ଦୁର୍ବଳ ହୋଇ ବିଦାୟ ନେବ। କିନ୍ତୁ ସେ ଧାରା ଆଉ ନାହିଁ। ଏଥିରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସିଯାଇଛି, ଯେମିତି ଚଳିତ ବର୍ଷର ମୌସୁମୀ ପ୍ରବାହ। ଭାରତୀୟ ପାଣିପାଗ ବିଭାଗ ବା ‘ଆଇଏମଡି’ ପକ୍ଷରୁ କୁହାଯାଇଛି ଯେ ଏଥର ମୌସୁମୀର ପ୍ରଭାବ ବେଶ୍‌ ପ୍ରଲମ୍ବିତ ହୋଇ ତାହା ଅକ୍ଟୋବର ମଧୢ ଭାଗ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଚଳିତ ସେପ୍‌ଟେମ୍ବର ମାସରେ ଦେଶ ସାରା ରେକର୍ଡ‌୍‌ ପରିମାଣର ବୃଷ୍ଟିପାତ ହୋଇସାରିଲାଣି। ଏହି ମାସରେ ଉତ୍ତର ଭାରତ ସାଧାରଣତଃ ଯେତିକି ମୌସୁମୀ ବର୍ଷା ପାଇଥାଏ, ଏ ବର୍ଷ ତାର ୩୭ ପ୍ରତିଶତ ଅଧିକ ବର୍ଷା ପାଇସାରିଲାଣି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ତ, ରାଜସ୍ଥାନ ଆଦି ରାଜ୍ୟରେ ବୃଷ୍ଟିପାତ ଏବେ ବି ଜାରି ରହିଛି ଓ ସେସବୁ ରାଜ୍ୟର ଅନେକ ଅଞ୍ଚଳ ଏବେ ଜଳ ପ୍ଳାବିତ। ମୁମ୍ବାଇ ଓ ପୁଣେ ଭଳି କୋଲକାତା, ଲକ୍ଷ୍ନୌ ଓ ହାଇଦ୍ରବାଦ ଭଳି ସହର ଗୁଡ଼ିକ ମଧ୍ୟ ଅତି ବୃଷ୍ଟି କାରଣରୁ ଜଳାର୍ଣ୍ଣବ। ସେମିତି ମଧୢ ଭାରତର ରାଜ୍ୟଗୁଡ଼ିକ ଏହି ଅଗଷ୍ଟ-ସେପ୍‌ଟେମ୍ବରରେ ମାତ୍ରାଧିକ ବୃଷ୍ଟିପାତ ଓ ବ୍ୟା ବିଭୀଷିକାର ସାମନା କରୁଛନ୍ତି।

ଭାରତୀୟ ପାଣିପାଗ ବିଭାଗର ଡିଡିଜି କେ.ଏସ. ହୋସାଲିକର ଗଣମାଧୢମକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ ଚଳିତ ମୌସୁମୀ ଋତୁରେ ଭାରତରେ ବୃଷ୍ଟିପାତ ସ୍ବାଭାବିକ ପରିମାଣରୁ ଅଧିକ ହୋଇସାରିଲାଣି। ଉଲ୍ଲେଖନୀୟ ଯେ ୧୯୬୦ରୁ ୨୦୧୦ ପର୍ଯ୍ୟନ୍ତ ୫୦ ବର୍ଷର ସମୟ ଖଣ୍ତରେ ହୋଇଥିବା ବର୍ଷାର ହାରାହାରି ହିସାବ କରି ସ୍ବାଭାବିକ ବୃଷ୍ଟିପାତର ଯେଉଁ ପରିମାଣ ନିର୍ଦ୍ଧାରଣ କରାଯାଇଛି, ତାହା ହେଉଛି ୮୮ ସେଣ୍ଟିମିଟର। ଏବେ ସୁଦ୍ଧା ସାରା ଭାରତରେ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ ଠାରୁ ୫ ପ୍ରତିଶତ ଅଧିକ ହୋଇସାରିଲାଣି ଏବ˚ ମଧୢ ଭାରତରେ ଅଗଷ୍ଟ-ସେପ୍‌ଟେମ୍ବର ମାସରେ ଯେତିକି ବୃଷ୍ଟିପାତ ହୋଇଥାଏ, ଚଳିତ ବର୍ଷ ସେଇ ସମୟ ଖଣ୍ତରେ ତା’ଠାରୁ ୨୪ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇସାରିଲାଣି।

ଆମ ରାଜ୍ୟରେ ସେପ୍‌ଟେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ବର୍ଷାର ପରିମାଣ ଯଦିଓ ସ୍ବାଭାବିକ ଠାରୁ ୨ ପ୍ରତିଶତ କମ୍‌ ଥିଲା, ତା’ପର ଠାରୁ ହୋଇଥିବା ବୃଷ୍ଟିପାତ ଦ୍ବାରା ସେ ନିଅଣ୍ଟର ଭରଣା ହୋଇଯିବଣି। ତେବେ ଗଲା ବର୍ଷ ଭଳି ଚଳିତ ବର୍ଷ ମଧୢ ଓଡ଼ିଶା ଲାଗି ମୌସୁମୀର ସବୁଠାରୁ ବଡ଼ ଉପହାର ହେଉଛି ସ୍ବାଭାବିକ ବର୍ଷା ସତ୍ତ୍ବେ ରାଜ୍ୟରେ ବନ୍ୟା ପିତ୍ପାତ ସୃଷ୍ଟି ନ ହେବା। କିନ୍ତୁ, ଏ ସୌଭାଗ୍ୟ ଅଧିକାଂଶ ରାଜ୍ୟ ପାଇନାହାନ୍ତି। ବଡ଼ ରାଜ୍ୟଗୁଡ଼ିକ ମଧୢରୁ ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଓ କର୍ଣ୍ଣାଟକ ଭୀଷଣ ବନ୍ୟା ବିଭୀଷିକାର ସାମନା କରୁଛନ୍ତି। କେନ୍ଦ୍ରୀୟ ଜଳ କମିସନ ବା ‘ସିଡବ୍ଲ୍ୟୁସି’ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର ଅଧିକା˚ଶ ଅଞ୍ଚଳ ବନ୍ୟା ଆକ୍ରାନ୍ତ ହୋଇଛି ଏବ˚ କେବଳ ଅଗଷ୍ଟ ମାସରେ ଦେଶର ନଦୀଗୁଡ଼କ ୨୫ଟି ସ୍ଥାନରେ ସର୍ବୋଚ୍ଚ ବିପଦ ସ˚କେତ ଉପରେ ପ୍ରବାହିତ ହୋଇଛନ୍ତି।

ଚଳିତ ବର୍ଷ ମଧୢ ପୂର୍ବାନୁମାନ କରାଯାଇଥିଲା ଯେ ମୌସୁମୀ ପ୍ରବାହ ସ୍ବାଭାବିକ ହେବ ଓ ଜୁନ୍‌ ମାସର ପ୍ରଥମ ସପ୍ତାହରେ ଏହା ଭାରତର ଭୂମି ସ୍ପର୍ଶ କରିବ। ନିର୍ଦ୍ଧାରିତ ସମୟରେ ଏହା ଆଣ୍ତାମାନକୁ ଛୁଇଁ କେରଳ ଉପକୂଳରେ ପହଞ୍ଚିଥିଲା ମଧୢ। ତେବେ, ପରେ ଏହା ଦୁର୍ବଳ ହୋଇଯିବା ହେତୁ ସାରା ଦେଶରେ ଯେଭଳି ସାନ୍ଦ୍ରତାର ସହିତ ବର୍ଷା ହେବା କଥା, ସେଭଳି ହୋଇ ପାରିଲା ନାହିଁ। ପାଣିପାଗ ବିଶାରଦମାନେ କହିଲେ ଯେ ମୌସୁମୀ ପ୍ରବାହରେ ଏଭଳି ଅନିୟମିତତାର କାରଣ ହେଉଛି ‘ଏଲ୍‌ ନିନୋ’ର ପ୍ରଭାବ। ତେବେ, କେବଳ ଚଳିତ ବର୍ଷ ନୁହେଁ, ବିଗତ କେତେ ବର୍ଷ ହେଲାଣି ମୌସୁମୀ ତାର ଆଗମନ କାଳରେ ଲୁଚକାଳି ଖେଳିବାରେ ଲାଗିଛି।

କିନ୍ତୁ ମୌସୁମୀର ଚାରିତ୍ରିକ ପରିବର୍ତ୍ତନ କେବଳ ଏତିକିରେ ସୀମିତ ନୁହେଁ। ଜଳବାୟୁ ପରିବର୍ତ୍ତନଜନିତ କାରଣରୁ ମୌସୁମୀ ବୃଷ୍ଟିପାତ ଅନେକ ସମୟରେ ଅତ୍ୟନ୍ତ ଭୟାବହ ରୂପ ଧାରଣ କରୁଛି। ଏଇ କିଛି ବର୍ଷ ହେଲାଣି ମୌସୁମୀ ପ୍ରବାହର ପ୍ରଭାବରେ ଯେଉଁ ଭଳି ବନ୍ୟା ବିଭୀଷିକା ସୃଷ୍ଟି ହେଉଛି, ତାହା ଅଶ୍ରୁତପୂର୍ବ। ୨୦୦୫, ଜୁଲାଇ ଓ ୨୦୧୭, ଅଗଷ୍ଟରେ ମୁମ୍ବାଇ, ୨୦୧୮, ଅଗଷ୍ଟରେ କେରଳ ଓ ୨୦୧୪, ସେପ୍‌ଟେମ୍ବରରେ ଶ୍ରୀନଗର ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଜନିତ ବର୍ଷା ଦ୍ବାରା ଏବ˚ ୨୦୧୫, ନଭେମ୍ବର-ଡିସେମ୍ବରରେ ଉତ୍ତର ପୂର୍ବ ମୌସୁମୀ ବାୟୁ ଜନିତ ବୃଷ୍ଟିପାତ (ଯାହା ପ୍ରଭାବରେ ଶୀତ ଦିନେ ପ୍ରାୟତଃ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ବର୍ଷା ହୋଇଥାଏ) ଦ୍ବାରା ‌େଚନ୍ନାଇ ସହର ବନ୍ୟା ପ୍ଳାବିତ ହୋଇ ଅସ˚ଖ୍ୟ ଜୀବନ ଓ ଅପରମେୟ ଧନସ˚ପଦର ହାନି ଦେଖିଥିଲା। ମୌସୁମୀକୁ ନେଇ ‘ରୋମାଣ୍ଟିକ୍‌’ ପରିକଳ୍ପନା ଯଦିଓ ଏବେ ବି ଭାବନାରେ, ଲେଖାରେ ଓ ଚିତ୍ର ଆଦିରେ ଜୀବନ୍ତ, ବାସ୍ତବତାରେ ତାହା କିନ୍ତୁ ଅନେକ ସମୟରେ କଳ୍ପନା ବିଳାସ ଭଳି ବୋଧ ହେଉଛି। ଦୀର୍ଘ ଦାରୁଣ ଗ୍ରୀଷ୍ମ ପରେ ଆଦ୍ୟ ମୌସୁମୀ ବାରିପାତର ରୋମା˚ଚ ଅନେକ ସମୟରେ ଅତି ବୃଷ୍ଟିଜନିତ ବିଭୀଷିକା ଭିତରେ ହଜି ଯାଉଛି। ‘ୟୁ ଆର ସେଫ୍‌ ହିଅର’ ବା ‘ତୁମେ ଏଠି ନିରାପଦ’ ନାମକ ୨୦୧୬ ମସିହାରେ ପ୍ରକାଶିତ ଏକ ଇ˚ରେଜୀ କବିତା ପୁସ୍ତକରେ କବୟିତ୍ରୀ ଆଭା ମୌସୁମୀକୁ ନେଇ ଯେଉଁ ଚାରି ଧାଡ଼ି ସମ୍ବଳିତ ପ˚କ୍ତିଟିଏ ଲେଖିଛନ୍ତି ତାହା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ତାହାର ଓଡ଼ିଆ ମର୍ମାନୁବାଦ ଏହିପରି: ‘ନାରୀଟିଏ ଭଳି ବର୍ଷା/ ଏହା ଭୂମିକୁ ଓହ୍ଲାଇପଡ଼ିଲେ ହୋଇଯାଏ ମୌସୁମୀ/ ତାକୁ ଭଲ ପାଇବାର ଅର୍ଥ, ତା’ ଭିତରେ ମଗ୍ନ ହୋଇଯିବା।’

କବୟିତ୍ରୀ ଏଠାରେ ମଗ୍ନ ହେବାକୁ ନେଇ ଯାହା କହିଛନ୍ତି, ତାହା ପ୍ରେମରେ ଅବଗାହନ କରିବାକୁ ଇଙ୍ଗିତ କରିଥାଏ। କିନ୍ତୁ ଆମ ଦେଶରେ ଏବର ମୌସୁମୀର ହାବଭାବକୁ ଯେଉଁମାନେ ଲକ୍ଷ୍ୟ କରୁଛନ୍ତି ଏବ˚ ବର୍ଷାର ବିଭୀଷିକାର ସାମନା ଯେଉଁମାନେ କରୁଛନ୍ତି ସେମାନଙ୍କ ଲାଗି ମଗ୍ନ ହେବାର ଆକ୍ଷରିକ ଅର୍ଥ ହେଉଛି ଜଳ ମଗ୍ନ ହୋଇଯିବା, ଜଳରେ ବୁଡ଼ିଯିବା।

ସମ୍ବନ୍ଧିତ ଖବର