‘‘ଧର୍ମ ହେଉଛି ମନୁଷ୍ୟର ସମ୍ମାନବୋଧ ପ୍ରତି ଏକ ଅପମାନ। ଧର୍ମ ଥାଉ କିମ୍ବା ନ ଥାଉ, ଭଲ ଲୋକମାନେ ଭଲ କାମ କରିବେ ଏବ˚ ମନ୍ଦ ଲୋକମାନେ ମନ୍ଦ କାମ କରିବେ। କିନ୍ତୁ ଭଲ ଲୋକମାନେ ମନ୍ଦ କାମ କରିବା ପାଇଁ ଧର୍ମ ଦରକାର ହୋଇଥାଏ।’’ ୧୯୭୯ରେ ପଦାର୍ଥ ବିଜ୍ଞାନରେ ନୋବେଲ୍‌ ପ୍ରାଇଜ୍‌ ପାଇଥିବା ପଦାର୍ଥ ବିଜ୍ଞାନୀ ଷ୍ଟିଭେନ୍‌ ଵାଇନ୍‌ବର୍ଗଙ୍କର ଧର୍ମ ସମ୍ବନ୍ଧୀୟ ଏହି ଅନ୍ତର୍ଦୃଷ୍ଟି କେତେଦୂର ସମ୍ପୂର୍ଣ୍ଣ ରୂପେ ତାଙ୍କର ନିଜସ୍ବ ଥିଲା ତାହା ଜଣାନାହିଁ, କିନ୍ତୁ ଏଥିରେ ଯେ ତାଙ୍କର ଜଣେ ପ୍ରାଚୀନ ପୂର୍ବସୁରୀଙ୍କର ମନ୍ତବ୍ୟର ପ୍ରତିଧ୍ବନି ଶୁଣାଯାଏ, ତାହା ଯେ କେହି ସ୍ବୀକାର କରିବେ। ସେ ପୂର୍ବସୁରୀ ଜଣକ ହେଲେ ସପ୍ତଦଶ ଶତାବ୍ଦୀର ବିଚକ୍ଷଣ ଫରାସୀ ଗଣିତଜ୍ଞ, ପଦାର୍ଥବିଜ୍ଞାନୀ, ଉଦ୍ଭାବକ ତଥା ଧର୍ମଶାସ୍ତ୍ରୀ ବ୍ଲେଜ୍‌ ପାସ୍କାଲ୍‌। ପାସ୍କାଲ୍‌ କହିଥିଲେ: ‘‘ଲୋକମାନେ ଧର୍ମବିଶ୍ବାସ ଯୋଗୁଁ ଯେଉଁ ଭଳି ଆନନ୍ଦରେ ଏବ˚ ସମ୍ପୂର୍ଣ୍ଣ ଭାବରେ ମନ୍ଦ କାର୍ଯ୍ୟ କରନ୍ତି, ସେମାନେ ଅନ୍ୟ କେତେବେଳେ ସେପରି କରନ୍ତି ନାହିଁ।’’
ଆଧୁନିକ ଯୁଗରେ ବୋଧହୁଏ ଯେଉଁ ଜଣେ ଅତି ମାନବୀୟ ମନୁଷ୍ୟ ଧର୍ମର ଏହି ଭୟାନକ ଦିଗର ବୈଜ୍ଞାନିକ ସତ୍ୟତାକୁ ସ୍ପଷ୍ଟ ରୂପେ ହୃଦୟଙ୍ଗମ କରିଥିଲେ, ସେ ହେଉଛନ୍ତି ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଗାନ୍ଧୀ ଯେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ, ସେ ଦେଶରେ ଧର୍ମର ଅଭାବ ନ ଥିଲା। ସେ ଯେତେବେଳେ ନିଜ ଦେଶବାସୀଙ୍କର ହୃଦୟରେ ଆସନ ଲାଭ କରିବାକୁ ଆରମ୍ଭ କଲେ, ସେତେବେଳେ ଭଲ ଭାବରେ ବୁଝିପାରିଥିଲେ କୌଣସି ଗୋଟିଏ ଧର୍ମ ସହିତ ଯଦି ସେ ସମ୍ପୂର୍ଣ୍ଣ ଭାବରେ ଯୋଡ଼ି ହୋଇଯାଆନ୍ତି, ତେବେ ତାହା ଦେଶବାସୀଙ୍କ ମଧୢରେ ଏହି ପାସ୍କାଲ୍‌ ବର୍ଣ୍ଣିତ ରାକ୍ଷସକୁ ସକ୍ରିୟ କରିବ। ତେଣୁ ସେ କହୁଥିଲେ: ‘‘ମୁଁ ହେଉଛି ଜଣେ ହିନ୍ଦୁ, ମୁଁ ହେଉଛି ଜଣେ ମୁସଲମାନ, ମୁଁ ହେଉଛି ଜଣେ ଇହୁଦୀ, ମୁଁ ହେଉଛି ଜଣେ ଖ୍ରୀଷ୍ଟିଆନ୍‌, ମୁଁ ହେଉଛି ଜଣେ ବୌଦ୍ଧ।’’
ମହାତ୍ମା ଧର୍ମର ମନ୍ଦ ଶକ୍ତି ଉପରେ କେତେଦୂର ବିଜୟ ହାସଲ କରିପାରିଲେ କି ପାରିଲେ ନାହିଁ ତାହାର ଅସୁମାରି ପ୍ରମାଣ ସମସ୍ତଙ୍କ ସମ୍ମୁଖରେ ବିଛେଇ ହୋଇ ରହିଛି। କିନ୍ତୁ ଏଥିରେ କେହି ଦ୍ବିମତ ହେବେ ନାହିଁ ଯେ ଧର୍ମ ମନୁଷ୍ୟ ମଧୢରେ ସୃଷ୍ଟି କରୁଥିବା ଆସୁରିକ ପ୍ରବୃତ୍ତିକୁ ଦମନ କରିବା ପାଇଁ ବାପୁ ଅବଲମ୍ବନ କରିଥିବା ଏହି କୌଶଳ ଥିଲା ସମ୍ପୂର୍ଣ୍ଣ ନିଆରା କିସମର। ସେ ଚାହିଁଥିଲେ ନିଜକୁ ତାଙ୍କର ଅନ୍ୟ କେତେକ ଅନୁସରଣକାରୀଙ୍କ ପରି (ଯେମିତି ଜବାହରଲାଲ ନେହରୁ) ନିଜକୁ ଜଣେ ଧର୍ମ ନିରପେକ୍ଷ ବା ଧର୍ମହୀନ ବ୍ୟକ୍ତି ରୂପେ ପ୍ରଦର୍ଶିତ କରି ପାରିଥାନ୍ତେ। ସେ କିନ୍ତୁ ତାହା ନ କରି ହିନ୍ଦୁ ଧର୍ମ ଭିତରେ ଥାଇ ନିଜକୁ ଜଣେ ସର୍ବ ଧର୍ମ ଉପାସକ ରୂପେ ଉପସ୍ଥାପିତ କରି ଦେଶର ପ୍ରତ୍ୟେକ କିସମର ଧର୍ମାବଲମ୍ବୀ ସହିତ ଏକ ଆବେଗିକ ଯୋଗ ସୂତ୍ର ସ୍ଥାପନ କରିଥିଲେ।
ଏହା ମଧୢ କେବଳ ଯେ ଏକ ଅଭିନୟ ନ ଥିଲା, ସେ ତାଙ୍କର ଦୈନନ୍ଦିନ ଜୀବନଶୈଳୀରେ ତାହା ପ୍ରମାଣିତ କରିବାକୁ ଭୁଲି ନ ଥିଲେ। ଏହାର ବୋଧହୁଏ ସବକୁଠାରୁ ବଳିଷ୍ଠ ପ୍ରମାଣ ହେଉଛି, ତାଙ୍କର ମୂଳମନ୍ତ୍ର ଅହି˚ସାକୁ ବହନ କରୁଥିବା ତାଙ୍କର ପ୍ରସିଦ୍ଧ ଉପଦେଶ: ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ, ଅନ୍ୟ ଗାଲଟିକୁ ଦେଖାଇ ଦିଅ। ଏଭଳି ଚିନ୍ତାଧାରାକୁ ଏକ ନୈତିକ ବିପ୍ଳବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ବାଇବ୍‌ଲର ‘ଦି ସର୍ମନ୍‌ ଅନ୍‌ ଦି ମାଉଣ୍ଟ୍‌’ରେ ଯୀଶୁ ହିଁ ସର୍ବପ୍ରଥମେ ଏ ଉପଦେଶ ଦେଇଥିଲେ।
ଏଥିରେ ମଧୢ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଭାରତକୁ ଇ˚ରେଜ୍‌ମାନଙ୍କ ଆଗମନ ଗାନ୍ଧୀଙ୍କୁ ବାଇବ୍‌ଲ ସହିତ ପରିଚିତ ହେବାର ସୁଯୋଗ ଦେଇଥିଲା। ଏଥିରେ ମଧୢ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଗାନ୍ଧୀ ପ୍ରଥମେ ଦଖଲକାରୀ ଇ˚ରେଜମାନଙ୍କୁ ହିଁ ଅନୁକରଣ କରିବାକୁ ଚେଷ୍ଟା କରିଥିଲେ। ଇ˚ରେଜୀ ଭାଷାର ବ୍ୟବହାରରେ ସେ ଥିଲେ ଓସ୍ତାଦ; ବହୁ ଶ୍ରମ ସ୍ବୀକାର କରି ସେ ପାଶ୍ଚାତ୍ୟ ନୃତ୍ୟ ତାଳରେ ପଦଚାଳନା ମଧୢ ଆୟତ୍ତ କରିଥିଲେ; ଏପରିକି ଖାଇବା ଟେବୁଲ୍‌ରେ ଛୁରୀ ଓ କଣ୍ଟା ବ୍ୟବହାରରେ ମଧୢ ଥିଲେ ସିଦ୍ଧହସ୍ତ। ଏ ସମସ୍ତ କଳାରେ ନିପୁଣତା ହାସଲ କଲା ପରେ ସେ ଇ˚ଲାଣ୍ତ ଯାତ୍ରା କରି ସେଠାକାର ୟୁନିଭର୍ସିଟି କଲେଜ୍‌, ଲଣ୍ତନ୍‌ରେ ଆଇନ ଅଧୢୟନ କରି ବାରିଷ୍ଟର‌୍‌ ରୂପେ ସ୍ବୀକୃତି ଲାଭ କଲେ।
କିନ୍ତୁ ଏ ସମସ୍ତ ଯୋଗ୍ୟତା ହାସଲ କରିଥିବା ସତ୍ତ୍ବେ ଏବ˚ ପାଶ୍ଚାତ୍ୟ ସୁଟ୍‌, ଟାଇ ପରିଧାନ କରିଥିବା ସତ୍ତ୍ବେ ୧୮୯୩ ସାଲ ଜୁନ୍‌ ୭ ତାରିଖ ଦିନ ୨୪ ବର୍ଷୀୟ ଯୁବ ଆଇନଜୀବୀ ମୋହନଦାସ ଗାନ୍ଧୀଙ୍କୁ ସେ ଶ୍ବେତାଙ୍ଗ ହୋଇନଥିବା ଯୋଗୁଁ ଦକ୍ଷିଣ ଆଫ୍ରିକାର ପିଟର‌୍‌ମାରିଟ୍‌ସବର୍ଗ ରେଳ ଷ୍ଟେସନରେ ଟ୍ରେନ୍‌ରୁ ଧକ୍କା ମାରି ତଡ଼ି ଦିଆଯାଇଥିଲା। ଯାହା ଇତିହାସର ଅନ୍ୟତମ ଶକ୍ତିଶାଳୀ ବିଡ଼ମ୍ବନା ରୂପେ ପ୍ରସିଦ୍ଧି ଲାଭ କରିଛି। ସେଇ ଯୁବକ ହିଁ ପରବର୍ତ୍ତୀ ସମୟରେ ଶ୍ବେତାଙ୍ଗ ଦଖଲକାରୀ ଇ˚ରେଜ୍‌ମାନଙ୍କୁ ସେମାନଙ୍କ ସର୍ବାଧିକ ମୂଲ୍ୟବାନ ଉପନିବେଶରୁ ବିତାଡ଼ିତ କରିଥିଲେ। ତାଙ୍କର ଅସ୍ତ୍ର ଥିଲା ଅହି˚ସ ସତ୍ୟାଗ୍ରହ- ଅନ୍ୟ ଗାଲଟି ଦେଖାଇବା।
ଅନେକଙ୍କ ମନରେ ବେଳେ ବେଳେ ଏକ ପ୍ରଶ୍ନ ଉଠିଥାଏ, ଗାନ୍ଧୀଙ୍କର ସେହି ଅହି˚ସ ରଣକୌଶଳ ଅନ୍ୟ କୌଣସି ହି˚ସ୍ର ଦଖଲକାରୀଙ୍କର ସେଇଭଳି ସଫଳ ମୁକାବିଲା କରିପାରିଥାନ୍ତା କି, ଯେଉଁଭଳି ଇ˚ରେଜମାନଙ୍କର ମୁକାବିଲା କରିପାରିଲା? ଏ ପ୍ରଶ୍ନର ଏକ ନିଶ୍ଚିତ ଉତ୍ତର କାହାରିକୁ ଜଣାନାହିଁ। କିନ୍ତୁ ଏ ପ୍ରଶ୍ନଟି ଆହୁରି ଶାଣିତ ହୋଇଥାଏ, ଯେତେବେଳେ ୯/୧୧ (୨୦୦୧ ସେପ୍ଟେମ୍ବର ୯ ତାରିଖ -ଇସ୍‌ଲାମୀୟ ଆତଙ୍କବାଦୀ ସ˚ଗଠନ ଅଲକାଏଦା ଆକ୍ରମଣରେ ଆମେରିକାରେ ରଚିତ ଧ୍ବ˚ସ ଲୀଳା) ଭଳି ଧର୍ମାନ୍ଧ ଆତଙ୍କବାଦୀ ଆକ୍ରମଣର ମୁକାବିଲା କରିବାରେ ଗାନ୍ଧୀଙ୍କର ଅହି˚ସ ରଣକୌଶଳର ସମ୍ଭାବ୍ୟ ସଫଳତା ସମ୍ବନ୍ଧରେ ପ୍ରଶ୍ନ କରାଯାଏ। ଏଠାରେ ଉଲ୍ଲେଖ କରିବା ବୋଧହୁଏ ଅପ୍ରାସାଙ୍ଗିକ ହେବ ନାହିଁ ଯେ ୯/୧୧ ସହିତ ଗାନ୍ଧୀଙ୍କର ମଧୢ ଏକ ଭିନ୍ନ ଐତିହାସିକ ସମ୍ପର୍କ ରହିଛି। ୧୯୦୬ ସେପ୍ଟେମ୍ବର ୧୧ ତାରିଖ ଦିନ ଜୋହାନେସ୍‌ବର୍ଗର ଏମ୍ପାୟାର ଥିଏଟର ଭିତରେ ଯୁବକ ମୋହନଦାସ ଗାନ୍ଧୀଙ୍କ ନେତୃତ୍ବରେ ପ୍ରାୟ ୩,୦୦୦ ଭାରତୀୟ ମୂଳର ବାସିନ୍ଦା ଏକତ୍ର ହୋଇଥିଲେ। ସେମାନେ ଦକ୍ଷିଣ ଆଫ୍ରିକାର ଏକ ପ୍ରସ୍ତାବିତ ଆଇନ ବିରୋଧରେ ସେଠାରେ ପ୍ରତିବାଦ କରିଥିଲେ, ଯାହା ଅନୁସାରେ ପ୍ରତ୍ୟେକ ଭାରତୀୟକୁ ପଞ୍ଜୀକୃତ ହେବାକୁ ପଡ଼ିବ, ନିଜର ଆଙ୍ଗୁଳିଛାପ ଦେବାକୁ ପଡ଼ିବ, ସବୁ ସମୟରେ ଏକ ପରିଚୟ ପତ୍ର ବହନ କରିବାକୁ ହେବ। ଆଇନ ଅମାନ୍ୟ କଲେ ସେମାନଙ୍କର ନାଗରିକ ଅଧିକାର ହରାଇବାକୁ ହେବ। ଗାନ୍ଧୀ ସମବେତ ଜନତାଙ୍କୁ ସାବଧାନ କରି ଦେଇଥିଲେ ଯେ ଆଇନ ପାଳନ ନ କଲେ ସେମାନଙ୍କୁ ଶାରୀରିକ ନିର୍ଯାତନା, ଅର୍ଥଦଣ୍ତ, ଜେଲଦଣ୍ତ ଆଦି ଭୋଗିବାକୁ ପଡ଼ିପାରେ, କିନ୍ତୁ ସେମାନେ କେବେହେଲେ ହିଂସାଚରଣ କରିବେ ନାହିଁ। ଉପସ୍ଥିତ ସମସ୍ତେ ଆଇନ ଅମାନ୍ୟ କରିବା ପାଇଁ ହାତ ଟେକି ଶପଥ ନେଇଥିଲେ। ରହସ୍ୟଜନକ ଭାବରେ ପରଦିନ ଏମ୍ପାୟାର ଥିଏଟର ଅଗ୍ନିକାଣ୍ତରେ ଭସ୍ମୀଭୂତ ହୋଇଯାଇଥିଲା। ଏହାପରେ ଭାରତୀୟମାନେ ସମବେତ ଭାବରେ ନିଜ ନିଜର ପରିଚୟ ପତ୍ରମାନ ପୋଡ଼ି ଦେଇଥିଲେ। ଏହାକୁ ୯/୧୧ ଅହି˚ସ ଆନ୍ଦୋଳନ ବୋଲି ଏବେ କୁହାଯାଇପାରେ।
ପ୍ରଶ୍ନ ଉଠୁଛି ଏକବି˚ଶ ଶତାବ୍ଦୀର ୯/୧୧ ଭଳି ଧର୍ମାନ୍ଧ ପ୍ରଳୟକୁ ବି˚ଶ ଶତାବ୍ଦୀର ସେ ଗାନ୍ଧୀ ସୁଲଭ ୯/୧୧ ଅହି˚ସ ଆନ୍ଦୋଳନ କୌଶଳ ପ୍ରତିହତ କରିପାରିବ କି? ଏହା ଅସମ୍ଭବ ମନେ ହେଉଥିଲେ ବି ଆଜି ବାପୁଙ୍କର ୧୫୦ତମ ଜନ୍ମଦିନରେ ମନେ ହେଉଛି ଏହାର ନିଶ୍ଚିତ ଉତ୍ତର ମିଳିବ ଯାଇ ଯଦି ପୃଥିବୀରେ ତାଙ୍କ ଭଳି ଆଉ ଜଣେ ମହାତ୍ମାଙ୍କର କେବେ ଆବିର୍ଭାବ ଘଟେ। ପାସ୍କାଲଙ୍କ ରାକ୍ଷସଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା ଆଉ କାହାର ନାହିଁ।