କୁମ୍ଭୀର ଶିକାର

୨୦୧୭ ଗୁଜରାଟ ବିଧାନ ସଭା ନିର୍ବାଚନରେ କଂଗ୍ରେସ ଦଳର ଯେଉଁ ଦଶା ଘଟିଛି, ଏହି ଓଡ଼ିଆ ଢଗଟି ତା’ର ସାରାଂଶ ବହନ କରିଥାଏ: ‘‘ଜାତି ଗଲା, ପେଟ ପୂରିଲା ନାହିଁ।’’ ଢଗଟି ଆକ୍ଷରିକ ଅର୍ଥରେ କଂଗ୍ରେସର ନିର୍ବାଚନ ଅଭିଯାନର ସେନାପତି ରାହୁଲ ଗାନ୍ଧୀଙ୍କ ପ୍ରତି ପ୍ରଯୁଜ୍ୟ। ଧର୍ମ ଭାବନାକୁ ଯଦି ଏକ ରାଜନୈତିକ ଦଳର ଅନ୍ୟତମ ନିର୍ବାଚନୀ ଆଭିମୁଖ୍ୟ ରୂପେ ବିଚାରକୁ ନିଆଯାଏ, ତେବେ ରାହୁଲଙ୍କ କଂଗ୍ରେସ ଦଳ ଏବଂ ନରେନ୍ଦ୍ର ମୋଦୀଙ୍କର ଭାରତୀୟ ଜନତା ପାର୍ଟି ତାହାର ଦୁଇ ପରସ୍ପର ବିରୋଧୀ ଚରମ ପ୍ରାନ୍ତରେ ନିଜର ପରିଚୟ ସୁଦୃଢ଼ କରି ଆସିଛନ୍ତି। କଂଗ୍ରେସ ହେଉଛି ବିଶୁଦ୍ଧ ଧର୍ମନିରପେକ୍ଷତାରେ ବିଶ୍ୱାସ କରୁଥିବା ଦାବି କରୁଥିବା ଏକ ରାଜନୈତିକ ଦଳ, ଏବଂ ଭାଜପା ହିନ୍ଦୁତ୍ୱରେ ବିଶ୍ୱାସ କରୁଥିବା କାହାରିକୁ ଅଛପା ନୁହେଁ। କଂଗ୍ରେସର ଏହି ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ମଜବୁତ କରିବା ଉଦ୍ଦେଶ୍ୟରେ ରାହୁଲଙ୍କ ପିତାମହୀ ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତର ସମ୍ବିଧାନରେ ସଂଶୋଧନ ଘଟାଇ ତାହାର ମୌଳିକ ଚରିତ୍ରରେ ‘ଧର୍ମନିରପେକ୍ଷ’ ଶବ୍ଦ ଯୋଗ କରି ଦେଇଥିଲେ। ଆରମ୍ଭରୁ ସମ୍ବିଧାନର ପୂର୍ବାଭାସ (ପ୍ରିଆମ୍ବଲ୍‌)ରେ ଭାରତକୁ ଏକ ‘‘ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର’’ ରୂପେ ବର୍ଣ୍ଣନା କରାଯାଇଥିବା ବେଳେ ୧୯୭୬ରେ ଇନ୍ଦିରା ଘଟାଇଥିବା ୪୨ତମ ସମ୍ବିଧାନ ସଂଶୋଧନ ଅନୁସାରେ ତାହା ହୋଇଗଲା- ‘‘ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର।’’

କଂଗ୍ରେସ କିନ୍ତୁ ବିଶୁଦ୍ଧ ଧର୍ମନିରପେକ୍ଷତାରେ ବିଶ୍ୱାସ କରେ ବୋଲି ଦାବି କରି ଆସୁଥିଲେ ହେଁ, ବାସ୍ତବ ସତ୍ୟ ହେଲା ଏହି ଦଳ ସଂଖ୍ୟାଲଘୁ ତୁଷ୍ଟୀକରଣକୁ ଧର୍ମନିରପେକ୍ଷତାର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ବିଚାର କରିଥାଏ। ସଂଖ୍ୟାଲଘୁ ତୁଷ୍ଟୀକରଣ ହେଉଛି ଭୋଟ୍‌ ବ୍ୟାଙ୍କ୍‌ ରାଜନୀତିର ଅତ୍ୟାବଶ୍ୟକ ଅଂଶ। ଯେହେତୁ ସଂଖ୍ୟାଗରିଷ୍ଠ ହିନ୍ଦୁମାନେ ରାଜନୈତିକ ଦୃଷ୍ଟିରୁ ସର୍ବଦା ବହୁଧା ବିଭକ୍ତ ଗୋଷ୍ଠୀ ଆକାରରେ ବିଖଣ୍ଡିତ ଆଚରଣ ପ୍ରଦର୍ଶନ କରି ଆସୁଥିଲେ, ଏଭଳି ତୁଷ୍ଟୀକରଣ ଏକ ଅତ୍ୟନ୍ତ ଫଳପ୍ରଦ ନିର୍ବାଚନୀ ରଣକୌଶଳରେ ପରିଣତ ହୋଇଥିଲା। ଏହି ରଣକୌଶଳର ବ୍ୟବହାରକୁ ତା’ର ଚରମ ସ୍ତରରେ ପହଞ୍ଚାଇଥିଲେ ରାହୁଲଙ୍କ ପିତା ରାଜୀବ ଗାନ୍ଧୀ। ଉପରୋକ୍ତ ସମ୍ବିଧାନ ସଂଶୋଧନର ଠିକ୍‌ ଦଶବର୍ଷ ପରେ, ୧୯୮୬ରେ ସେ ଶାହାବାନୋ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କର ରାୟକୁ ଅକାମି କରି ଦେଇଥିଲେ। ଏଥିପାଇଁ ସେ ପାର୍ଲିଆମେଣ୍ଟରେ କଂଗ୍ରେସର ବିପୁଳ ସଂଖ୍ୟା ଗରିଷ୍ଠତାର ଦୁରୂପଯୋଗ କରି ‘ମୁସ୍‌ଲିମ୍‌ ଓ୍ଵିମେନ୍‌ (ପ୍ରୋଟେକ୍ସନ୍‌ ଅନ୍‌ ଡିଭୋର୍ସ ଆକ୍ଟ) ୧୯୮୬’ ପ୍ରଣୟନ କରି ବିଚାରି ଶାହାବାନୋଙ୍କୁ ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବାରୁ ବଞ୍ଚିତ କରିଦେଲେ।

ରାହୁଲଙ୍କ ମାତା ସୋନିଆ ଗାନ୍ଧୀ ହିନ୍ଦୁତ୍ୱବାଦୀ ନରେନ୍ଦ୍ରମୋଦୀଙ୍କୁ ଅତୀତରେ ତାଙ୍କର ତଥାକଥିତ ସାମ୍ପ୍ରଦାୟିକ ଆଚରଣ ପାଇଁ ତାଙ୍କୁ ‘ମୌତ୍‌ କୀ ସୌଦାଗର୍‌’ (ମୃତ୍ୟୁର ବଣିକ) ଏବଂ ତାଙ୍କର କାର୍ଯ୍ୟକୁ ‘ଜହର୍‌ କୀ କ୍ଷେତି’ (ବିଷ ଚାଷ) ରୂପେ ଭର୍ତ୍ସନା କରିଛନ୍ତି ଯାହା ଭାରତୀୟ ରାଜନୈତିକ ବିଷୋଦ୍‌ଗାର ତାଲିକାରେ ଏକ କିଂବଦନ୍ତିର ମର୍ଯ୍ୟାଦା ହାସଲ କରିଛି। କଂଗ୍ରେସର ଏହି ହିନ୍ଦୁତ୍ୱ ବିରୋଧୀ ଇତିହାସ ଦେଖିଲେ ମନେ ହେବ ଶାହାବାନୋରୁ ସୋମନାଥର ଦୂରତା କୌଣସି କଂଗ୍ରେସ ନେତାଙ୍କ ପାଇଁ ଏପରି ଅଲଂଘ୍ୟ ଯେ ତାହାକୁ ଅତିକ୍ରମ କରିବା କଥା କେହି ସ୍ୱପ୍ନରେ ମଧ୍ୟ ଚିନ୍ତା କରି ପାରିବ ନାହିଁ। କିନ୍ତୁ କଥାରେ ଅଛି ‘‘ଫୁଲ୍‌ସ ରସ୍‌ ଇନ୍‌ ହେ୍ଵଆର୍‌ ଆଞ୍ଜେଲ୍‌ସ ଫିଅର୍‌ ଟୁ ଟ୍ରେଡ୍‌’’ (ବୁଦ୍ଧିମାନ ଯେଉଁଠି ପାଦ ପକାଇବାକୁ ଡରନ୍ତି, ନିର୍ବୋଧମାନେ ସେଠାକୁ ଧସେଇ ପଶନ୍ତି)। ଏଣୁ ଗତ ମାସରେ ନିର୍ବାଚନ ଅଭିଯାନର ନେତୃତ୍ୱ ନେବା ସମୟରେ ରାହୁଲ ଗାନ୍ଧୀଙ୍କୁ ଗୁଜରାଟର ପ୍ରସିଦ୍ଧ ହିନ୍ଦୁ ମନ୍ଦିର ସୋମନାଥ ମନ୍ଦିରରେ ପ୍ରବେଶ କରିବା ଦେଖିବାକୁ ମିଳିଲା। ସେଠାରେ ଥିବା ପରିଦର୍ଶକ ଖାତାରେ ତାଙ୍କର ଧର୍ମକୁ ନେଇ ଏକ ପ୍ରଶ୍ନ ଉଠିବାରୁ ସାରା ଦେଶବାସୀଙ୍କୁ ଚକିତ କରିଦେଇ କଂଗ୍ରେସ ଦଳ ଯାହା ପ୍ରକାଶ କଲା ତାହା ହେଲା ରାହୁଲ ହେଉଛନ୍ତି ଜଣେ ଶିବଭକ୍ତ ହିନ୍ଦୁ ଏବଂ ସେତିକି ନୁହେଁ, ସେ ମଧ୍ୟ ଜଣେ ପଇତାଧାରୀ ବ୍ରାହ୍ମଣ। ଉଲ୍ଲେଖଯୋଗ୍ୟ ରାହୁଲ କେବଳ ସୋମନାଥ ମନ୍ଦିର ନୁହେଁ ନିର୍ବାଚନ ପ୍ରଚାର ସମୟରେ ଗଣି ଗଣି କରି ୨୮ଟି ହିନ୍ଦୁ ମନ୍ଦିର ଦର୍ଶନ କରି ପୂଜାଅର୍ଚ୍ଚନା କରିଥିଲେ।

ରାହୁଲ ଗାନ୍ଧୀ ଓ ତାଙ୍କ ଦଳ ଏହାକୁ ଏକ ଅତ୍ୟନ୍ତ ଚତୁର ନିର୍ବାଚନୀ କୌଶଳ ରୂପେ ବିଚାର କରିଥିଲେ। ଭାଜପା ସଂଖ୍ୟାଗରିଷ୍ଠ ହିନ୍ଦୁମାନଙ୍କୁ ପ୍ରଥମ କରି କିଛି ମାତ୍ରାରେ ଏକଜୁଟ କରି ନିର୍ବାଚନୀ ସଫଳତା ହାସଲ କରୁଥିବାରୁ, ଏଣିକି କଂଗ୍ରେସ ମଧ୍ୟ ସେଇ ହିନ୍ଦୁତ୍ୱ କାର୍ଡ ଖେଳି ହିନ୍ଦୁ ଭୋଟ ହାତେଇ ପାରିବ ବୋଲି ସେମାନେ ହିସାବ କରିଥିଲେ। ଅତଏବ ରାହୁଲଙ୍କୁ ହିନ୍ଦୁ ବ୍ରାହ୍ମଣରେ ପରିଣତ କରିଦିଆଗଲା। କଂଗ୍ରେସର ଏ କୌଶଳରେ କିନ୍ତୁ ଦୁଇଟି ବିଶେଷ ଦୁର୍ବଳତା ରହିଛି। ଗୋଟିଏ ହେଲା- ହିନ୍ଦୁଧର୍ମ ହେଉଛି ଏକ ନିବୁଜ ଧର୍ମ, ଯେଉଁଠି କେବଳ ହିନ୍ଦୁ ପିତାଙ୍କର ସନ୍ତାନ ହିଁ ହିନ୍ଦୁ ହୋଇଥାନ୍ତି। ରାହୁଲଙ୍କ ପିତାମହ ଥିଲେ ଅଣହିନ୍ଦୁ ଏବଂ ମାତା ମଧ୍ୟ ଅଣହିନ୍ଦୁ। ତେଣୁ ରାହୁଲ ମଧ୍ୟ ହିନ୍ଦୁ ନୁହନ୍ତି। ଜଣେ ଅଣହିନ୍ଦୁ ପୁଣି ବ୍ରାହ୍ମଣ ହେବ କିପରି? ଅନ୍ୟଟି ହେଲା- ଭାଜପାର ମୌଳିକ ପରିଚୟ ହେଲା ଏହା ହେଉଛି ହିନ୍ଦୁତ୍ୱ ପାର୍ଟି। ନୂଆ ଡାଆଣୀ ଭଳି ନିଜକୁ ନୂଆ କରି ହିନ୍ଦୁ ବୋଲି କହି ଭାଜପା ସହିତ ଲଢ଼ିବା, ପରାଜୟକୁ ନିମନ୍ତ୍ରଣ କରିବା ସହ ସମାନ। ଭାଜପା ନାମକ କୁମ୍ଭାରକୁ ପରାସ୍ତ କରିବାକୁ ହେଲେ ତାକୁ ହିନ୍ଦୁତ୍ୱ ପୋଖରୀରୁ ଶୁଖିଲା ମାଟିକୁ ଆଣିବା ଦରକାର। ତା’ ନକରି, ନିଜେ ସେଇ ହିନ୍ଦୁତ୍ୱ ପାଣିକୁ ଡେଇଁଲେ, କୁମ୍ଭୀର ମୁହଁରେ ମରିବା ସାର ହେବ।

ଗୁଜରାଟରେ ଭାଜପାର ବିଜୟ ଚମକପ୍ରଦ ହୋଇନାହିଁ, କିନ୍ତୁ ଦୀର୍ଘ ୨୨ ବର୍ଷ କାଳ କ୍ଷମତାରେ ରହିବା ପରେ ପୁଣି ମତଦାତାଙ୍କର ଏତିକି ସମର୍ଥନ ଲାଭ କରି କ୍ଷମତାକୁ ଫେରିବା କିଛି ଛୋଟ କଥା ନୁହେଁ। ସେଠାରେ ଦେଖାଦେଇଥିବା ପଟେଲ ଅସନ୍ତୋଷ ପ୍ରମାଣ କରିଥାଏ ଯେ ଦୀର୍ଘକାଳ କ୍ଷମତାରେ ରହି ସବୁ ଗୋଷ୍ଠୀଙ୍କୁ ସର୍ବଦା ସନ୍ତୁଷ୍ଟ କରି ରଖିହେବ ନାହିଁ। ଏଣୁ ଭାଜପା ଯଦି ସେଠାରେ ନିର୍ବାଚନ ହାରିଥାନ୍ତା, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନଥିଲା। ରାହୁଲ ଗାନ୍ଧୀଙ୍କ ସ୍ଥାନରେ ଯଦି ଅନ୍ୟ କେହି ଅଧିକ ବୁଦ୍ଧିମାନ ଓ ପ୍ରଭାବଶାଳୀ ନେତା ସେଠାରେ କଂଗ୍ରେସର ମଙ୍ଗ ଧରିଥାନ୍ତେ ତେବେ କଂଗ୍ରେସ ଆଜି ନିଶ୍ଚିତ ରୂପେ ଗୁଜରାଟରେ ସରକାର ଗଠନ କରିଥାନ୍ତା। ବର୍ତ୍ତମାନ ରାହୁଲ ଉଭୟ ନିଜର ଜାତି ଓ ଗୁଜରାଟ ହରାଇଲେ ଏବଂ ତା’ ସହିତ ଆଉ ମାସ କେଇଟାରେ କର୍ଣ୍ଟାଟକରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସ ପାଇଁ ମଧ୍ୟ ଘୋର ସମସ୍ୟା ସୃଷ୍ଟି କରିବସିଲେ। ଉଲ୍ଲେଖଯୋଗ୍ୟ ଯେ ଜାତିଭିତ୍ତିକ ଆରକ୍ଷଣ ହେଉଛି କର୍ଣ୍ଣାଟକ ରାଜନୀତିର ଏକ ମୂଳାଧାର। ଏପରିସ୍ଥଳେ ଦଳର ଜାତୀୟ ସଭାପତି ହଠାତ୍‌ ନିଜକୁ ଜଣେ ଉଚ୍ଚ ଜାତିର ହିନ୍ଦୁ ବ୍ରାହ୍ମଣ ରୂପେ ପରିଚୟ ଦେବା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କର ହୃତ୍‌ସ୍ପନ୍ଦନ ବଢ଼ାଇ ଦେଉଥିବ ନିଶ୍ଚୟ।

ସମ୍ବନ୍ଧିତ ଖବର