ଅଲୌକିକତା ଓ ବାସ୍ତବତା

ଗଣେଶ୍ବର ନାୟକ

ହିନ୍ଦୀ ସିନେମା ‘ରଏ’ର ଗୋଟିଏ ସ˚ଳାପ ଏହିପରି- ‘ଦୁନିଆର କୌଣସି ଘଟଣା ଆକସ୍ମିକ ନୁହେଁ, ସବୁ ଘଟଣା କାରଣ ଜଡ଼ିତ।’ ଅର୍ଥାତ୍‌ ସବୁ ଘଟଣା ପଛରେ କିଛି କାରଣ ରହିଛି। ଏହି ପରିପ୍ରେକ୍ଷୀରେ ଆମ ସମାଜରେ ଅଲୌକିକତା ଉପରେ ରହିଥିବା ଗଭୀର ବିଶ୍ବାସ ପ୍ରସଙ୍ଗରେ କିଞ୍ଚିତ ଆଲୋଚନା କରାଯାଉ। ବିଭିନ୍ନ ଧର୍ମର ପୁରାଣରେ ଅଲୌକିକତା ଭରପୂର ହୋଇ ରହିଛି। ବାଇବଲରେ ଅଛି ଯେ ଯୀଶୁ ଜନ୍ମ ହେଲା ବେଳେ ଚତୁର୍ଦ୍ଦିଗ ଆଲୋକମୟ ହୋଇଯାଇଥିଲା। ସେମିତି ବୁଦ୍ଧଙ୍କ ଦେହରୁ ଆଲୋକ ନିର୍ଗମ ହେଉଥିଲା ବୋଲି ବିଭିନ୍ନ ବୌଦ୍ଧ ପୁରାଣରେ ରହିଛି। ଆମ ପୁରାଣ ତ ଅଲୌକିକ କାହାଣୀରେ ପରିପୃକ୍ତ। ଆମେ ଓଡ଼ିଆଏ ବିଶ୍ବାସ କରୁ ଯେ ସନ୍ଥ କବି ହାଡ଼ିଦାସ ବା ଅଚ୍ୟୁତାନନ୍ଦ ଇତ୍ୟାଦି ଖରାରେ ଯାଉଥିଲା ବେଳେ ବାଦଲ ସୂର୍ଯ୍ୟଙ୍କୁ ଢ଼ାଙ୍କି ଛାଇ ସୃଷ୍ଟି କରୁଥିଲା। ଆମର ବିଶ୍ବାସ ଯେ ଅଲୌକିକତା କେବଳ ଦେବତାମାନଙ୍କ କରୁଣାରୁ ସମ୍ଭବ। ସେଥିଲାଗି ସାଧାରଣ ଲୋକଙ୍କୁ ବଶୀଭୂତ କରିବା ସକାଶେ ଆଜିର ‘ବିଜ୍ଞାନ-ମହିମାମଣ୍ତିତ’ ଯୁଗରେ ମଧୢ ଅନେକ ବାବା ହାତରୁ ବିଭୂତି ଝରାଇ, ମହୁ ଝରାଇ ବା ଦେହରୁ ଚନ୍ଦନ ବାସନା ଚହଟାଇ ନିଜ ନିଜକୁ ଈଶ୍ବର ବା ଈଶ୍ବରଙ୍କ ଅ˚ଶ ବୋଲି ଦାବି କରିଥାଆନ୍ତି।

ମୋର ମନେ ଅଛି, ଆମ ଗାଁରେ ଶୁଣିଥିଲି ଯେ ନଟିଆ ମା’, ତା ପୁଅ ଯେତେବେଳେ ଗାଡ଼ି ଧକ୍କାରେ ଚାଲିଗଲା, ସେତେବେଳେ ସେ କ୍ଷୀର ଦୁହୁଁ ଥିଲା ଓ ତାକୁ କୁଆଡେ଼ କ˚ସା ଯାକ କ୍ଷୀର ନାଲି ନାଲି ଦେଖାଗଲା। ସତରେ ଏମିତି ହୋଇଥିଲା କି ନାହିଁ ଜଣାନାହିଁ। ତେବେ, ଏଭଳି କଥା ଦ୍ବାରା ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଥିଲା ଯେ ମା’ ଓ ପୁଅର ସ˚ପର୍କ ଏତେ ପ୍ରଗାଢ଼ ଯେ ଅଲୌକିକ ଭାବେ ଏହାର ସ˚କେତ ମିଳିପାରେ, ଯାହା ନଟିଆର ମା’ ସେତେବେଳେ ଜାଣି ପାରିଲା। ସବୁଠି ଏମିତି ଅନେକ କାହାଣୀ ଶୁଣିବାକୁ ମିଳେ। ଆମେ ଦେଖିଛେ ନୂଆ ମନ୍ଦିରଟିଏ ତୁଳନାରେ ପ୍ରାଚୀନ ମନ୍ଦିର ଉପରେ ଲୋକଙ୍କ ବିଶ୍ବାସ ଅଧିକ। କାରଣ ଏଭଳି ପୁରୁଣା ମନ୍ଦିରକୁ ଘେରି ରହିଥାଏ ବହୁ ଅଲୌକିକ କଥା ଓ ଗାଥା ଯାହା ଦୈବୀ ପ୍ରଭାବର ଅ˚ଶ ବୋଲି ଲୋକେ ବିଚାର କରନ୍ତି। ଯାହା କିଛି ମଣିଷର ବୋଧଗମ୍ୟତାରୁ ବାହାରେ ତାକୁ ସେ ଐନ୍ଦ୍ରଜାଲିକ ବା ଅଲୌକିକ ବୋଲି ବିଶ୍ବାସ କରେ। ସୃଷ୍ଟି ପ୍ରାରମ୍ଭରେ ବଜ୍ରପାତ ଭଳି ଏକ ସାଧାରଣ ପ୍ରାକୃତିକ ଘଟଣାକୁ ଲୋକେ ଅଲୌକିକ ବୋଲି ବିଚାର କରୁଥିଲେ। ଅନେକ ସମାଜରେ ଏହାକୁ ଦେବତାଙ୍କ ଦଣ୍ତ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ବିଜ୍ଞାନ ଏହାର ରହସ୍ୟ ଉନ୍ମୋଚନ କଲା ପରେ ଏହା ଏକ ସାଧାରଣ ପ୍ରାକୃତିକ ଘଟଣାରେ ପରିଣତ ହେଲା। ତେବେ, ମୂଳ କଥା ହେଲା, ଏବେ ସୁଦ୍ଧା ଯେହେତୁ ସୃଷ୍ଟିର ଅନେକ ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ, ଅଲୌକିକତା ଉପରୁ ଲୋକଙ୍କ ବିଶ୍ବାସ ତୁଟି ନାହିଁ। ଏବ˚ ଏହା ମଧୢ ସତ ଯେ ବିଶ୍ବ ବ୍ରହ୍ମାଣ୍ତ, ଅନ୍ତରୀକ୍ଷ, ପୃଥିବୀ ଠାରୁ ଆରମ୍ଭ କରି ଆମ ଶରୀର ପର୍ଯ୍ୟନ୍ତରେ ସର୍ଜନାର ଧାରା ଏତେ ଜଟିଳ ଯେ ମଣିଷର ସୀମିତ ବୁଦ୍ଧିରେ ଏହାର ସମସ୍ତ ରହସ୍ୟ ଉନ୍ମୋଚନ କରାଯିବା ଆଦୌ ସମ୍ଭବ ନୁହେଁ। ତେଣୁ ଅଲୌକିକତା ପ୍ରତି ଲୋକଙ୍କ ବିଶ୍ବାସ ଯେ ସମୂଳେ ଲୋପ ପାଇବ, ତାହା ଭାବିବା ଅପରିପକ୍ବ ହେବ। ‘ରଏ’ ସିନେମାର ଏହି ଅଭିବ୍ୟକ୍ତି ଯେ ‘ଦୁନିଆର କୌଣସି ଘଟଣା ଆକସ୍ମିକ ନୁହେଁ, ସବୁ ଘଟଣା କାରଣ ଜଡ଼ିତ’- ହେଉଛି ହେତୁବାଦୀମାନଙ୍କ ତତ୍ତ୍ବ। ଏଥିରୁ ବିଜ୍ଞାନର ଉତ୍ପତ୍ତି। କିନ୍ତୁ ରହସ୍ୟବାଦୀମାନେ ଏହା ସହିତ ଏକମତ ହୋଇପାରନ୍ତି ନାହିଁ। ଯଦି ସେମାନେ ଏକମତ ହୁଅନ୍ତି, ତେବେ କହନ୍ତି ଯେ ଏଭଳି ଅନେକ ଘଟଣା ଘଟେ ଯାହା ପଛରେ ରହିଥାଏ ମଣିଷର ଚିନ୍ତନ ଓ ବୋଧଶକ୍ତି ବାହାରେ ଥିବା ଦୈବୀ କାରଣ। ଏହିଭଳି ଚିନ୍ତା କରୁଥିବା ଅସ˚ଖ୍ୟ ଲୋକଙ୍କ ସକାଶେ ଅଲୌକିକତା ହେଉଛି ବାସ୍ତବତା ଭଳି ବାସ୍ତବ।
ଏଲ୍‌.ଆଇ.ସି ଅଫିସ, ଯାଜପୁର
ମୋ-୯୭୭୭୭୪୯୭୨୭

ସମ୍ବନ୍ଧିତ ଖବର