ବିଜନ ଶୌଚାଳୟ!

ଖାଦ୍ୟ ସହିତ ମଳର ଯେଉଁ ସ˚ପର୍କ, ତାହା ଶରୀରର ପାଚନ ବ୍ୟବସ୍ଥାରେ ଆସ୍ବାଦନ, ଗ୍ରହଣ, ଆହରଣ ଓ ନିଷ୍କାସନ ଦେଇ ଜୀବନୀ ଶକ୍ତିର ସୃଷ୍ଟି ଏବଂ ତା ଦ୍ବାରା ସାରା ଶରୀରକୁ ଚଳନକ୍ଷମ କରି ରଖିବାର ଅଲୌକିକ ପ୍ରାକୃତିକ ପ୍ରକ୍ରିୟାରେ ହିଁ ନିହିତ ରହିଛି। ଏବେ କିନ୍ତୁ ଗଣମାଧୢମରେ ଖାଦ୍ୟ ସହିତ ମଳର ଯେଉଁ ସ˚ପର୍କ ନେଇ ଆଲୋଚନା ଚାଲିଛି ତାହା ଭିନ୍ନ ଧରଣର। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ତି ବ୍ଲକ୍‌ ଅଧୀନସ୍ଥ ଗୌତମୀ ପଞ୍ଚାୟତର ସରପଞ୍ଚ ମହୋଦୟଙ୍କ ଆଦେଶ ଅନୁସାରେ ଖୋଲାରେ ମଳ ତ୍ୟାଗ କରୁଥିବା କାରଣରୁ କୋଡ଼ିଏଟି ପରିବାର ଲାଗି ମାସଟିଏ ପର୍ଯ୍ୟନ୍ତ ‘ରାସନ’ ଚାଉଳ ବନ୍ଦ ହୋଇଯାଇଛି।

ଘଟଣାଟି ଏହିଭଳି। ଗଲା ଅକ୍ଟୋବର ୨୦ ତାରିଖରେ କୁଆଡେ଼ ପଞ୍ଚାୟତ ବୈଠକରେ ଏଭଳି ଏକ ନିଷ୍ପତ୍ତି ନିଆ ଯାଇଥିଲା। ଏହାର ଉଦ୍ଦେଶ୍ୟ, ପଞ୍ଚାୟତଟିକୁ ‘ଖୋଲା-ମଳତ୍ୟାଗରୁ ମୁକ୍ତ’ ବା ଇ˚ରେଜୀରେ ‘ଓପେନ୍‌ ଡେଫିକେସନ୍‌ ଫ୍ରି’ ଅଥବା ସ˚କ୍ଷେପରେ ‘ଓଡିଏଫ୍‌’ରେ ପରିଣତ କରିବା। ସେଥିପାଇଁ ପଞ୍ଚାୟତର ମହିଳା ସ୍ବୟ˚ ସହାୟିକା ଗୋଷ୍ଠୀର ୩୦୦ ମହିଳା ସ୍ବେଚ୍ଛାକୃତ ଭାବେ ପ୍ରତିଦିନ ବଡ଼ି ଭୋର ଏବ˚ ସ˚ଧୢାରେ ପଇଁତରା ମାରି ଖୋଲାରେ ମଳତ୍ୟାଗ କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପରେ କୋଡ଼ିଏଟି ପରିବାର ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ପ୍ରକାଶ ଥାଉ କି ସେହି ପଞ୍ଚାୟତରେ ପରିବାର ସ˚ଖ୍ୟା ୨୦୦୦ ଏବ˚ ଜନସ˚ଖ୍ୟା ୪୫୬୩, ଯାହା ମଧୢରୁ ୧୮୦ଟି ପରିବାର ଶୌଚାଳୟ ନିର୍ମାଣ କରି ନାହାନ୍ତି। ‘ସ୍ବଚ୍ଛ ଭାରତ ଅଭିଯାନ’ ପରିପ୍ରେକ୍ଷୀରେ ସରପଞ୍ଚଙ୍କ ଉଦ୍ୟମ ଯଦିଓ ପ୍ରଶ˚ସନୀୟ, ଏଥିରେ ବିଧାନ କରାଯାଇଥିବା ଦଣ୍ତକୁ କେନ୍ଦ୍ର କରି ସମାଲୋଚନାର ସ୍ବର ଉଠୁଛି। କାରଣ ଉଭୟ ରାଷ୍ଟ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ହିତାଧିକାରୀମାନଙ୍କୁ ଦିଆଯାଉଥିବା ରାସନ ଚାଉଳକୁ ବନ୍ଦ କରାଯିବା ଅର୍ଥ ଖାଦ୍ୟ ସୁରକ୍ଷା ଅଧିକାର ଭଳି ଏକ ମୌଳିକ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରିବା। ଏହି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି।

ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ସୁଦ୍ଧା ଭାରତକୁ ‘ଓଡିଏଫ୍‌’ରେ ପରିଣତ କରିବା ଲାଗି ୨୦୧୪ ମସିହାରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ପୂର୍ବକ ‘ସ୍ବଚ୍ଛ ଭାରତ ଅଭିଯାନ’ର ଆରମ୍ଭ କରାଯାଇଥିଲା, ସେଥିରେ ଆମ ରାଜ୍ୟ ମାସକ ପୂର୍ବରୁ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିବା ବିଷୟ ସରାକାରୀ ଭାବେ କୁହାଯାଇଛି। ଏହା ସତ ଯେ ସରକାରୀ କାଗଜପତ୍ର ଏବ˚ ବାସ୍ତବ ଚିତ୍ର ମଧୢରେ ପ୍ରଭେଦ ରହିଛି, ତଥାପି ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୪ରେ ଆମ ରାଜ୍ୟରେ ‘ଖୋଲାରେ ମଳତ୍ୟାଗ’ର ଯେଉଁ ସ୍ଥିତି ଥିଲା, ତହିଁରେ ଯେ ପ୍ରଭୂତ ଉନ୍ନତି ଆସିଛି, ଏଥିରେ ସନ୍ଦେହ ନାହିଁ। ‘ସ୍ବଚ୍ଛ ଭାରତ ଅଭିଯାନ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ୨୦୧୪, ଅକ୍ଟୋବର ୨ରେ ଏହି ଅଭିଯାନ ଆରମ୍ଭ ହେଲା ବେଳକୁ ଆମ ରାଜ୍ୟରେ ଶୌଚାଳୟର ଅଧିକାରୀ ଥିଲେ ଜନସ˚ଖ୍ୟାର ମାତ୍ର ୧୩.୭ %। ଗଲା ଜାନୁଆରି ମାସରେ ଏ କ୍ଷେତ୍ରରେ ଅଗ୍ରଗତି ନେଇ ‘ସ୍ବଚ୍ଛ ଭାରତ ଅଭିଯାନ’ ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶିତ ହୋଇଥିଲା ସେଥିରୁ ଜଣାପଡ଼ିଥିଲା ଯେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ଓ ଗୋଆ ସବୁଠାରୁ ପଛରେ ଥିଲେ। ତଥାପି ସେଇ ସମୟ ବେଳକୁ ସେହି ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ଶୌଚାଳୟଧାରୀ ପରିବାରଙ୍କ ହାର ପହଞ୍ଚି ଯାଇଥିଲା ଜନସ˚ଖ୍ୟାର ୭୮%ରେ। ଅବଶ୍ୟ ସେତେବେଳକୁ ଅନେକ ରାଜ୍ୟରେ ଏହା ୯୯%ରେ ପହଞ୍ଚି ସାରିଥିଲା। ୨୦୧୪ ପର ଠାରୁ ଆମ ରାଜ୍ୟରେ ପ୍ରତି ବର୍ଷ ଶୌଚାଳୟଧାରୀ ପରିବାରଙ୍କ ସ˚ଖ୍ୟା କିଭଳି ବୃଦ୍ଧି ପାଇଛି ସେ ସ˚ପର୍କିତ ପରିସ˚ଖ୍ୟାନଟି ହେଲା ୨୦୧୪-୧୫ର ୧୩.୭୦% ବୃଦ୍ଧି ପାଇ ପର ବର୍ଷ ପହଞ୍ଚିଥିଲା ୩୨.୩୭%ରେ। ତା’ପର ବର୍ଷ ଅର୍ଥାତ୍‌ ୨୦୧୬-୧୭ରେ ତାହା ହୋଇଥିଲା ୪୮.୭୩% ଏବ˚ ୨୦୧୭-୧୮ରେ ହୋଇଥିଲା ୫୯.୩୧%। ୨୦୧୮-୧୯ରେ ଏଥିରେ ୮୭.୮୬% ଅଭିବୃଦ୍ଧି ଘଟିଥିଲା ଓ ଆମ ରାଜ୍ୟ ଏକ ‘ଓଡିଏଫ୍‌’ ରାଜ୍ୟରେ ପରିଣତ ହୋଇଥିଲା। ଯଦିଓ ସରକାରଙ୍କ ଏ ଦାବି କେବଳ କାଗଜପତ୍ରର କମାଲ ବୋଲି ଅନେକ ଅଭିଯୋଗ କରନ୍ତି, ତେବେ ଗଲା ପାଞ୍ଚ ବର୍ଷ ଭିତରେ ଯେ ସ୍ଥିତିରେ ପ୍ରଭୂତ ପରିବର୍ତ୍ତନ ଆସିଛି, ତାହା ଅନସ୍ବୀକାର୍ଯ୍ୟ।

୧୯୬୨ରେ ଭାରତ ଭ୍ରମଣରେ ଆସିଥିବା ନୋବେଲ ପୁରସ୍କାର ବିଜେତା ଲେଖକ ଭିଏସ୍‌ ନାଇପଲ ତାର ଦୁଇ ବର୍ଷ ପରେ ପ୍ରକାଶ କରିଥିଲେ ତାଙ୍କର ଭ୍ରମଣାନୁଭୂତି ସମ୍ବଳିତ ବହୁ ଚର୍ଚ୍ଚିତ ଓ ବିବଦମାନ ପୁସ୍ତକ ‘ଆନ୍‌ ଏରିଆ ଅଫ୍‌ ଡାର୍କ‌୍‌ନେସ୍‌’। ସେତେବେଳେ ତରୁଣ ନାଇପଲଙ୍କୁ ଭାରତରେ ଯାହା ସର୍ବତ୍ର ଦୃଶ୍ୟମାନ ହୋଇ ତାଙ୍କୁ ଦୋହଲାଇ ଦେଇଥିଲା, ତାହା ଥିଲା ଶ୍ବାସରୁଦ୍ଧକାରୀ ଆବର୍ଜନା, ମଇଳା ଏବ˚ ଖୋଲାରେ ଅଥଚ ଅତ୍ୟନ୍ତ ସହଜ ଭାବେ ଦଳବଦ୍ଧ ହୋଇ ମଳତ୍ୟାଗ କରିବାର ଭାରତୀୟ ସ˚ସ୍କୃତି। କେବଳ ସେ ନୁହନ୍ତି, ଭାରତକୁ ଭ୍ରମଣରେ ଆସୁଥିବା ଅଧିକା˚ଶ ବିଦେଶୀଙ୍କୁ ଏହି ଦେଶର ‘ମୁକ୍ତାକାଶ ଶୌଚାଳୟ’ ଗଭୀର ଭାବେ ବିଚଳିତ କରିଥାଏ। ସେହି ପରିପ୍ରେକ୍ଷୀରେ ୨୦୧୪ରେ ଭାରତକୁ ‘ଓଡିଏଫ୍‌’ରେ ପରିଣତ କରିବା ଲାଗି ଆରମ୍ଭ କରାଯାଇଥିବା ‘ସ୍ବଚ୍ଛ ଭାରତ ମିସନ’ର ଉଦ୍ଦେଶ୍ୟ ଏ ନେଇ ଆନ୍ତର୍ଜାତିକ ସ୍ତରରେ ରହିଥିବା ରାଷ୍ଟ୍ରର ମଳିନ ଭାବମୂର୍ତ୍ତିରେ ପରିବର୍ତ୍ତନ ଆଣିବା।

କିନ୍ତୁ ଏ ପ୍ରସଙ୍ଗରେ ଅସଲ ବିଡ଼ମ୍ବନାଟି ହେଉଛି, ଅନେକ ଶୌଚାଳୟଧାରୀ ପରିବାରର ସଦସ୍ୟ ଖୋଲାରେ ମଳ ନିଷ୍କାସନ କରିବାକୁ ପସନ୍ଦ କରନ୍ତି। ଏହା ପଛରେ ଥିବା କାରଣଗୁଡ଼ିକ ଭିତରୁ ତିନି ପ୍ରମୁଖ କାରଣ ହେଲେ- ପ୍ରଥମରେ ଉତ୍କଟ ଜଳାଭାବଜନିତ ଶୌଚାଳୟ ବ୍ୟବହାରରେ ଅସୁବିଧା, ଦ୍ବିତୀୟରେ ସାମାଜିକ ସ˚ସ୍କାର କାରଣରୁ କିଛି ସ˚ପ୍ରଦାୟରେ ଘରେ ଶୌଚାଳୟ ନିର୍ମାଣ ନେଇ ରହିଥିବା ବାଧକ ଏବ˚ ତୃତୀୟରେ ଖୋଲାରେ ମଳ ତ୍ୟାଗ କରିବାର ଦୁର୍ବାର ଅଭ୍ୟାସ। ପ୍ରଥମ ସମସ୍ୟାଟି ବାସ୍ତବ। ଜଳକ୍ଳିଷ୍ଟ ଅଞ୍ଚଳରେ ଦୈନନ୍ଦିନ କାରବାର ଲାଗି ବହୁ ଦୂରରୁ ପାଣି ବୋହି ଆଣିବାକୁ ପଡ଼ିଥାଏ। ତେବେ, କଥା ହେଉଛି, ଯେଉଁ ଦିନ ‘ଶୌଚାଳୟରେ ଶୌଚ ହେବା’ ଅନ୍ୟାନ୍ୟ ଗୃହାବଦ୍ଧ ଦୈନନ୍ଦିନ କାର୍ଯ୍ୟ ଭଳି ଗୁରୁତ୍ବ ଲାଭ କରିବ, ସେହି ଦିନ ଏଥି ଲାଗି କିଛି ଅଧିକ ଜଳ ସ˚ଗ୍ରହ କରିବାର କ୍ଳେଶ ମଧୢ ସ୍ବାଭାବିକ ଭାବେ ପରିବାର ବହନ କରିବ। ସେ ପର୍ଯ୍ୟନ୍ତ ମାନସିକତାରେ ପରିବର୍ତ୍ତନ ଲାଗି ଉଦ୍ୟମ ତଥା ଅପେକ୍ଷା କରିବାକୁ ହେବ। ଅନେକ ଗ୍ରାମାଞ୍ଚଳରେ ‘ଗୋଷ୍ଠୀ ଶୌଚାଳୟ’ ରୂପରେ ଦ୍ବିତୀୟ ସମସ୍ୟାଟିର ସମାଧାନ କରାଯାଇ ପାରିଛି। ତେଣୁ ଶୌଚାଳୟ ନିର୍ମାଣର ଯୋଜନା କରାଗଲା ବେଳେ ନିର୍ଦ୍ଦିଷ୍ଟ ଅଞ୍ଚଳ ବା ସ˚ପ୍ରଦାୟର ସାମାଜିକ ସ˚ସ୍କାରକୁ ବିଚାରକୁ ନିଆଯିବା ଜରୁରୀ। ତୃତୀୟ ସମସ୍ୟାର ସମାଧାନ ସହଜ ଏବ˚ ତାହା ପ୍ରତି ନାଗରିକର ହାତ ମୁଠାରେ। ଖୋଲାରେ ମଳ ତ୍ୟାଗ କରି ଦେଶକୁ ଦୁର୍ଗନ୍ଧମୟ, ରୋଗମୟ ଓ ପ୍ରଦୂଷିତ କରିବାରୁ ବିରତ ହେବା ନା ନାହିଁ, ସେ ନିଷ୍ପତ୍ତି ଏବ˚ ଦାୟିତ୍ବ ଆମ ସମସ୍ତଙ୍କର।

ପରିଶେଷରେ ଏତିକି କୁହାଯାଇପାରେ ଯେ ‘ରାସନ’ ବନ୍ଦ କରି ନୁହେଁ, ବରଂ ଆର୍ଥିକ ଜରିମାନା ବା ସାମୟିକ ସାମାଜିକ ବାସନ୍ଦ ଭଳି କାର୍ଯ୍ୟାନୁଷ୍ଠାନ ଜରିଆରେ ଖୋଲାରେ ମଳ ତ୍ୟାଗ କରୁଥିବା ବ୍ୟକ୍ତିମାନଙ୍କୁ ଶୌଚାଳୟର ରାସ୍ତା ଦେଖାଇ ଦିଆଯାଇପାରେ। ସମୁଦ୍ର ବେଳାଭୂମିରେ ବା ନଈ ପଠାରେ ବା ଅନ୍ୟ କୌଣସି ଖୋଲା ସ୍ଥାନରେ ନିଜକୁ ଉଶ୍ବାସ କରୁଥିବା ଲୋକେ ଶୌଚାଳୟକୁ ଫେରିବା ଉଚିତ। ଘରେ ଥିବା ଶୌଚାଳୟ ବିଜନ ନ ହେଉ।

ସମ୍ବନ୍ଧିତ ଖବର