ଡାକ୍ତରଙ୍କ ଅକ୍ଷର

‘‘ପ୍ରକୃତି ରୋଗ ଭଲ କରୁଥିବା ବେଳେ ରୋଗୀକୁ ହସାଇ ମଜ୍ଜାଇ ରଖିବା ହେଉଛି ଅସଲ ଚିକିତ୍ସା କଳା।’’ ପ୍ରସିଦ୍ଧ ଫରାସୀ ଦାର୍ଶନିକ ଭଲ୍‌ଟେଆର‌୍‌ଙ୍କର ଏହି ବହୁଳ ଉଦ୍ଧୃତ ଉକ୍ତି ସହିତ ପୃଥିବୀ ସାରା ଡାକ୍ତରୀ ଛାତ୍ରଛାତ୍ରୀମାନେ ସୁପରିଚିତ। (ରାଜଧାନୀ ଭୁବନେଶ୍ବରର କେତେକ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନ ପରିସରରେ ଭଲ୍‌ଟେଆର‌୍‌ଙ୍କର ଏହି ବାଣୀ ସୁନ୍ଦର ଅକ୍ଷରରେ ମୁଖ୍ୟ ଦ୍ବାର ସମୀପରେ ପ୍ରଦର୍ଶିତ ହୋଇ ସେବା ପ୍ରାର୍ଥୀ ରୋଗୀମାନଙ୍କର ମନୋବଳ ବଢ଼ାଉଥିବା ଦେଖାଯାଇଥାଏ।) ତେବେ ରୋଗୀମାନଙ୍କୁ ହସାଇ ମଜ୍ଜାଇ ରଖିବାର ଉପାୟ କ’ଣ? ଡାକ୍ତରଙ୍କ ହସ୍ତାକ୍ଷର ଯେ ଏହାର ଏକ ଉପାୟ ହୋଇପାରେ, ଏକଥା ନିଶ୍ଚିତ ରୂପେ ଭଲ୍‌ଟେଆର‌୍‌ଙ୍କର ବିଚକ୍ଷଣ ମସ୍ତିଷ୍କରେ ମଧୢ କେବେହେଲେ ଢୁକି ନ ଥିବ।

ପ୍ରେସକ୍ରିପ୍‌ସନରେ ଡାକ୍ତରମାନଙ୍କର ଅବୋଧ୍ୟ ହସ୍ତାକ୍ଷରକୁ ନେଇ ପ୍ରଚଳିତ ଅସୁମାରି ଜୋକ୍‌ ସବୁ ସହିତ ପରିଚିତ ଥିବା ରୋଗୀମାନେ (ନମୁନା: ‘‘ପ୍ରାଥମିକ ଶ୍ରେଣୀର ଛାତ୍ର ଥିବା ବେଳେ ମୋର ହସ୍ତାକ୍ଷର ଏପରି ଅବୋଧୢ ଥିଲା ଯେ ଶିକ୍ଷକମାନେ ସେବେଠାରୁ ଭବିଷ୍ୟତବାଣୀ କରିଥିଲେ ବଡ଼ ହେଲେ ମୁଁ ନିଶ୍ଚେ ଜଣେ ଡାକ୍ତର ହେବି।’’) କେହି କେହି ହୁଏତ ଡାକ୍ତରଙ୍କ ଅକ୍ଷର ପଢ଼ିବାକୁ ଅଯଥା କସରତ ନ କରି ଏହାକୁ ସେମାନଙ୍କର ମନୋରଞ୍ଜନ ପାଇଁ ଡାକ୍ତରଙ୍କର ଉଦ୍ୟମ ରୂପେ ସହାସ୍ୟ ଗ୍ରହଣ କରିପାରୁଥାନ୍ତି। ସେମାନଙ୍କର କିନ୍ତୁ ସମ୍ପୂର୍ଣ୍ଣ ଭରସା ଥିବ ଯେ ପ୍ରେସ୍‌କ୍ରିପ୍‌ସନ୍‌ ଦେଖି ଔଷଧ ବିତରଣ କରୁଥିବା ଫାର୍ମାସିଷ୍ଟ କିମ୍ବା ବିକ୍ରେତା ଡାକ୍ତରଙ୍କ ଅକ୍ଷର ଠିକ୍‌ ଭାବରେ ପଢ଼ି ଠିକ୍‌ ଔଷଧ ଦେଇଥାନ୍ତି। କିନ୍ତୁ ଏହି ହାଲୁକା ଆମୋଦ ଏକ ଭୟଙ୍କର କ୍ଷତିରେ ପରିଣତ ହୋଇଯାଇପାରେ ଯଦି ଔଷଧ ବିତରଣକାରୀ ଡାକ୍ତରଙ୍କ ଅସ୍ପଷ୍ଟ ଲେଖାକୁ ଭୁଲ ପଢ଼ି ରୋଗୀଙ୍କୁ ଭୁଲ ଔଷଧ ଦେଇ ଦିଅନ୍ତି ଏବ˚ ଉଭୟ ଡାକ୍ତର ଓ ବିତରକଙ୍କ ଉପରେ ଅଗାଧ ବିଶ୍ବାସ ଯୋଗୁଁ ରୋଗୀ ସେଇ ଭୁଲ୍‌ ଔଷଧ ବ୍ୟବହାର କରନ୍ତି।

ଏପରି ଖାମଖିଆଲି ହସ୍ତାକ୍ଷର ଓ ତାହାର ଭ୍ରମାତ୍ମକ ତର୍ଜମାର ପରିଣତି କିପରି ହୃଦୟ ବିଦାରକ ହୋଇପାରେ, ତା’ର ଏକ ନିଷ୍ଠୁର ଉଦାହରଣ ଏବେ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ନଛିପୁର ଗ୍ରାମର ଚନ୍ଦ୍ରକାନ୍ତ ଗୋଚ୍ଛାୟତଙ୍କର ଛ’ବର୍ଷର କୁନି ଝିଅ ରିଙ୍କିର ଗୋଟିଏ ଆଖି ନଷ୍ଟ ହେବା ଘଟଣାରେ। ରାଜ୍ୟ ବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ଘଟଣା ସମ୍ବନ୍ଧରେ ଗଣମାଧୢମରେ ଯାହା ପ୍ରକାଶ ପାଇଛି, ତାହା ହେଲା, ରିଙ୍କି ନିଜ କେଶରେ ଏକ କ୍ଲିପ୍‌ ଲଗାଇବାକୁ ଚେଷ୍ଟା କରୁଥିବା ସମୟରେ କ୍ଲିପ୍‌ଟି ଅସାବଧାନତା ବଶତଃ ତା’ର ବାମ ଆଖିରେ ବାଜି ଯାଇଥିଲା ଓ ପିତା ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ସମ୍ପୃକ୍ତ ଡାକ୍ତର ରିଙ୍କିଙ୍କର ଆଖିରେ ପକାଇବା ପାଇଁ ଏକ ଡ୍ରପ୍‌ର ନାମ ଏପରି ଅସ୍ପଷ୍ଟ ଭାବରେ ଲେଖିଦେଲେ ଯେ ନିରାମୟ କେନ୍ଦ୍ରର ବିତରଣକାରୀ ତାଙ୍କୁ କାନରେ ପକାଇବା ପାଇଁ ଉଦ୍ଦିଷ୍ଟ ଏକ ସମ୍ପୂର୍ଣ୍ଣ ଭିନ୍ନ ଡ୍ରପ୍‌ ରୂପେ ତର୍ଜମା କରି ରିଙ୍କିଙ୍କୁ ସେଇ କାନ ଔଷଧ ଦେଇ ଦେଲେ। କାନ ଔଷଧକୁ ଆଖିରେ ପକାଇ ରିଙ୍କି ତାଙ୍କର ଆଖିଟିକୁ ସମ୍ପୂର୍ଣ୍ଣ ହରାଇ ବସିଛନ୍ତି। ଘଟଣାଟି ଏବେ ରାଜ୍ୟ ମାନବାଧିକାର କମିସନର ବିଚାରାଧୀନ।

ଡାକ୍ତରଙ୍କ ଖରାପ ଅକ୍ଷରର ପରିଣତି କିପରି ଭୟଙ୍କର ଭାବରେ ଖରାପ ହୋଇପାରେ ଏହି ଘଟଣା ତା’ର ଏକ ସଦ୍ୟ ଉଦାହରଣ ହୋଇଥିଲେ ହେଁ, ସମସ୍ୟାଟି କେବଳ ନୟାଗଡ଼ କିମ୍ବା ଓଡ଼ିଶା କିମ୍ବା ଭାରତ ମଧୢରେ ସୀମିତ ନୁହେଁ। ୨୦୧୭ରେ ଏକ ଜାତୀୟ ସମ୍ବାଦ ପତ୍ରରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡାକ୍ତରଙ୍କ ଖରାପ ଅକ୍ଷର ଯୋଗୁଁ ଆମ ଦେଶରେ ବର୍ଷକୁ ପ୍ରାୟ ୭,୦୦୦ଟି ମୃତ୍ୟୁ ଘଟିଥାଏ। ଅବିଶ୍ବାସ୍ୟ ଭାବରେ ବ୍ରିଟେନ୍‌ରେ ଏଭଳି ମୃତ୍ୟୁ ସ˚ଖ୍ୟା ବର୍ଷକୁ ପ୍ରାୟ ୩୦,୦୦୦ ହୋଇଥିବା ବେଳେ ଆମେରିକାରେ ଏହି ସ˚ଖ୍ୟା ପ୍ରାୟ ୧,୦୦,୦୦୦ (ଏକ ଲକ୍ଷ) ଛୁଇଁଥାଏ ବୋଲି ପ୍ରକାଶ ପାଇଛି। ମନେ ରଖିବା କଥା ଭାରତ ଭଳି ଦେଶରେ ଇ˚ରେଜୀ ଡାକ୍ତର କିମ୍ବା ରୋଗୀ କିମ୍ବା ଔଷଧ ବିତରକଙ୍କର ମୌଳିକ ଭାଷା ହୋଇନଥିଲେ ହେଁ ଉଭୟ ପ୍ରେସ୍‌କ୍ରିପ୍‌ସନ୍‌ ଏବ˚ ଔଷଧ ଖୋଳର ଲେଖାରେ ଇଂରେଜୀ ହିଁ ବ୍ୟବହୃତ ହୋଇଥାଏ। ଏଣୁ ଲେଖିବା ପଢ଼ିବା ଭୁଲ ଭଟକା (ବନାନ ମଧୢ ଭୁଲ୍‌ ହୋଇପାରେ) ଯୋଗୁଁ ମୃତ୍ୟୁ ବ୍ୟତୀତ ରିଙ୍କିଙ୍କ କ୍ଷେତ୍ରରେ ଘଟିଥିବା କ୍ଷତି ଭଳି ଆହୁରି ଯେ କେତେ ସ˚ଖ୍ୟାରେ ଏଭଳି କିଛି କ୍ଷତି ଘଟୁଥିବ, ତାହାର ହିସାବ ମିଳିବା କଷ୍ଟ।

ଦେଶରେ ସ୍ବାସ୍ଥ୍ୟ ସେବା ନିୟନ୍ତ୍ରକ ଯେ ଚିକିତ୍ସା କ୍ଷେତ୍ରରେ ଡାକ୍ତରଙ୍କ ଅକ୍ଷର ଭଳି ଏହି ବିପଜ୍ଜନକ ପାର୍ଶ୍ବ ପ୍ରଭାବ ସମ୍ବନ୍ଧରେ ସଚେତନ ନୁହଁନ୍ତି, ଏପରି ନୁହେଁ। ଠିକ୍‌ ପ୍ରାୟ ତିନିବର୍ଷ ତଳେ ୨୦୧୬ ସେପ୍ଟେମ୍ବରରେ ସମସ୍ୟାର ମୁକାବିଲା ପାଇଁ ‘ମେଡ଼ିକାଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ତିଆ’ (ଏମ୍‌ସିଆଇ) ଏକ ଗେଜେଟ୍‌ ବିଜ୍ଞପ୍ତି ମାଧୢମରେ ଦେଶର ସମସ୍ତ ଚିକିତ୍ସକମାନଙ୍କୁ ଯେତେ ଦୂର ସମ୍ଭବ ଇ˚ରେଜୀ ଭାଷାର କ୍ୟାପିଟାଲ ଅକ୍ଷର ବ୍ୟବହାର କରି ସ୍ପଷ୍ଟ ଭାବରେ ଜେନେରିକ୍‌ ଔଷଧର ନାମ ପ୍ରେସ୍‌କ୍ରିପ୍‌ସନ୍‌ରେ ଲେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ସମ୍ପୃକ୍ତ ଆଇନରେ ଆବଶ୍ୟକ ସ˚ଶୋଧନ କରାଯାଇଥିଲା।

କିନ୍ତୁ ଏପରି ଆଦେଶ ଦେବା ଯେତେ ସହଜ, ତା’ର ପାଳନ ସେତିକି ସହଜ ନୁହେଁ। ଏହା ବିଶ୍ବାସଯୋଗ୍ୟ ନୁହେଁ ଯେ କେବଳ ଖରାପ ଅକ୍ଷର ଲେଖୁଥିବା ଛାତ୍ରମାନେ ହିଁ ଡାକ୍ତରୀ ପଢ଼ିଥାନ୍ତି। ଆଜିକାଲି ସରକାରୀ ଡାକ୍ତରଖାନା ମାନଙ୍କରେ ଜଣେ ଡାକ୍ତରଙ୍କୁ ସୀମିତ ସମୟ ମଧୢରେ ଯେଉଁଭଳି ମାତ୍ରାତିରିକ୍ତ ସ˚ଖ୍ୟାରେ ରୋଗୀ ଦେଖିବାକୁ ପଡୁଛି, ସେମାନେ ଅନେକ ସମୟରେ କାର୍ଯ୍ୟ ବେଗ ବୃଦ୍ଧି କରିବା ପାଇଁ ଅତି ଦ୍ରୁତ ଗତିରେ ପ୍ରେସ୍‌କ୍ରିପ୍‌ସନ ଲେଖୁଛନ୍ତି। କିନ୍ତୁ ସେ କାରଣରୁ ଅସ୍ପଷ୍ଟ ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ ଲେଖିବା ଆଦୌ ଗ୍ରହଣୀୟ ନୁହେଁ, କାରଣ ଏଥିଯୋଗୁଁ ରୋଗୀ ଭୁଲ ଔଷଧ ଓ ଭୁଲ ସେବନ ଅନୁପାନର ଶିକାର ହୋଇପାରେ। ଯଦି ପ୍ରେସକ୍ରିପ୍‌ସନ ହାତରେ ଲେଖା ନ ହୋଇ କମ୍ପ୍ୟୁଟରରେ ପ୍ରସ୍ତୁତ ହୁଅନ୍ତା (ଡିଜିଟାଲ୍‌) ହୁଏତ ଏଭଳି ଭୁଲ୍‌ ଭଟକା ହୁଅନ୍ତା ନାହିଁ। କିନ୍ତୁ ସେଥିପାଇଁ ସମ୍ବଳ ଓ ତାଲିମର ଆବଶ୍ୟକତା ରହିଛି।

ସମସ୍ୟାର ଏଭଳି ପ୍ରାବିଧିକ ସମାଧାନ ସମ୍ଭବ ହେବା ପୂର୍ବରୁ କିନ୍ତୁ ଯାହା କରାଯାଇପାରନ୍ତା ତାହା ହେଲା ଡାକ୍ତରୀ ପଢ଼ିବା ପାଇଁ ପ୍ରାର୍ଥୀ ବାଛିବାକୁ ହେଉଥିବା ପରୀକ୍ଷାରେ ସେମାନଙ୍କର ହସ୍ତାକ୍ଷର ପରୀକ୍ଷା କରାଯିବା ଏବ˚ ସେଥିପାଇଁ ଏକ ସର୍ବନିମ୍ନ ଯୋଗ୍ୟତା ପ୍ରଦାନକାରୀ ମାର୍କ ରଖିବାକୁ ବାଧୢତାମୂଳକ କରାଯିବା। ବିଦେଶ ଯାଉଥିବା ଭାରତୀୟ ଡାକ୍ତରମାନଙ୍କୁ ବା ଡାକ୍ତରୀ ଛାତ୍ରମାନଙ୍କୁ ଯେପରି ମୌଖିକ ଇ˚ରେଜୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡୁଛି, ହସ୍ତାକ୍ଷର ପରୀକ୍ଷା ସେଇଭଳି ଏକ ପରୀକ୍ଷା- ତେଣୁ ଏଥିରେ କୌଣସି ଅସ୍ବାଭାବିକତା ନାହିଁ।

ସମ୍ବନ୍ଧିତ ଖବର