ଅକ୍ଷତ ପ୍ରାଚୀର

ଶେଷରେ ଆଞ୍ଚଳିକ ଅବାଧ ବାଣିଜ୍ୟ ଚୁକ୍ତି ‘ଆର‌୍‌ସିଇପି’ ସହିତ ସମ୍ପୃକ୍ତ ହେବା ପାଇଁ ଭାରତ ଖୋଜୁଥିବା ଧୂସର ଇଲାକା ତାକୁ ନ ମିଳିବାରୁ ଭାରତ ଏଥିରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛି ବୋଲି ସୋମବାର ଦିନ ସରକାର ଘୋଷଣା କରି ଏ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାରେ ଅନ୍ତ ଘଟାଇଛନ୍ତି। ବାସ୍ତବରେ ଭାରତ ଯେ ଏହିପରି ଏକ ନାସ୍ତିବାଚକ ନିଷ୍ପତ୍ତି ନେବାକୁ ଯାଉଛି, ତାହାର ପ୍ରାୟ ଏକ ନିଶ୍ଚିତ ସୁରାକ୍‌ ମିଳିଥିଲା ଯେତେବେଳେ ରବିବାର ଦିନ ବ୍ୟାଙ୍କକ୍‌ଠାରେ ‘ଆସିଆନ୍‌’ ଦେଶ ସମୂହ ଓ ଭାରତ ମଧୢରେ ଅନୁଷ୍ଠିତ ଶୀର୍ଷ ସମ୍ମିଳନୀରେ ପ୍ରଦାନ କରିଥିବା ନିଜର ପ୍ରାରମ୍ଭିକ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦୌ ‘ଆର‌୍‌ସିଇପି’ର ନାମ ମଧୢ ଧରିନଥିଲେ।

ଧୂସର ଇଲାକା ଅର୍ଥ ଭାରତ ଏହି ଚୁକ୍ତିରେ ଯୋଗ ଦିଅନ୍ତା, କିନ୍ତୁ ସେ ଚାହୁଁଥିବା ଭଳି କୋହଳ ସର୍ତ୍ତରେ। ‘ଆର‌୍‌ସିଇପି’ କଥାବାର୍ତ୍ତା ସମାପ୍ତ କରିଥିବା ଚୀନ୍‌ ସମେତ ଅନ୍ୟ ୧୫ଟି ଦେଶ କିନ୍ତୁ ଏଥିରେ ରାଜି ନ ହେବାରୁ ଭାରତକୁ କଳା ବା ଧଳା ମଧୢରୁ ଗୋଟିଏ ବିକଳ୍ପକୁ ବାଛିବାକୁ ପଡ଼ିଲା ଏବ˚ କୁହାଯାଇପାରେ ଭାରତ ନାସ୍ତିବାଚକ ବିକଳ୍ପ କଳାକୁ ଏବେ ବାଛିଛି। ଉଲ୍ଲେଖଯୋଗ୍ୟ ଯେ ‘ଆସିଆନ୍‌’ ଗୋଷ୍ଠୀର ୧୦ଟି ସଦସ୍ୟ ଦେଶ ସହିତ ଭାରତ ଅଲଗା ବାଣିଜ୍ୟ ଚୁକ୍ତିରେ ଆବଦ୍ଧ ଏବ˚ ମୋଦୀ ତାଙ୍କ ଭାଷଣରେ ଉଭୟ ପକ୍ଷ ମଧୢରେ ହେଉଥିବା ଆମଦାନି ରପ୍ତାନି ବାଣିଜ୍ୟରେ ଅଧିକ ସନ୍ତୁଳନ ଆଣିବା ପାଇଁ ଏ ଚୁକ୍ତିର ପୁନଃ ସମୀକ୍ଷା ପାଇଁ ମଧୢ ଆହ୍ବାନ ଦେଇଥିଲେ।

‘ଆର‌୍‌ସିଇପି’ ଚୁକ୍ତିରେ ଯୋଗ ନ ଦେବା ପାଇଁ ସରକାରଙ୍କ ଉପରୋକ୍ତ ଘୋଷଣା ବିଭିନ୍ନ କ୍ଷେତ୍ରରେ ଏ ନେଇ ଦେଖା ଦେଇଥିବା ଆଶଙ୍କା ଓ ଭୟକୁ ବର୍ତ୍ତମାନ ପାଇଁ ପ୍ରଶମିତ କରିବ। ଭାରତ ଯଦି ‘ଆର‌୍‌ସିଇପି’ରେ ଯୋଗ ଦେଇଥାନ୍ତା, ତେବେ ଆସନ୍ତା ୧୫ ବର୍ଷ ମଧୢରେ ଭାରତ ଏବେ ଆମଦାନି କରୁଥିବା ପ୍ରାୟ ୯୦ ଶତା˚ଶ ଦ୍ରବ୍ୟ ଉପରୁ ତାକୁ ଆମଦାନି ଶୁଳ୍‌କ ବିଶେଷ ଭାବରେ ହ୍ରାସ କରିବାକୁ ପଡ଼ନ୍ତା। ପରିଣାମ ସ୍ବରୂପ ବିଦେଶର ଶସ୍ତା ଦ୍ରବ୍ୟମାନଙ୍କର ଭାରତୀୟ ବଜାରକୁ ସୁଅ ଛୁଟନ୍ତା ଏବ˚ ଦେଶ ଭିତରେ ଥିବା ଏ ସମସ୍ତ ଦ୍ରବ୍ୟର ଉତ୍ପାଦନକାରୀମାନଙ୍କର ବ୍ୟବସାୟ ବୁଡ଼ି ଯାଆନ୍ତା। ଚୀନ୍‌ର ଶସ୍ତା ଇସ୍ପାତରୁ ଆରମ୍ଭ କରି ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ତର ଶସ୍ତା ଦୁଗ୍‌ଧଜାତ ପଦାର୍ଥ ପର୍ଯ୍ୟନ୍ତ ସହିତ ଆମର ଆଭ୍ୟନ୍ତରୀଣ ଉତ୍ପାଦନମାନ ପ୍ରତିଯୋଗିତା କରିପାରନ୍ତେ ନାହିଁ।

ଏମିତିରେ ଦେଖିଲେ ୨୦୧୮-୧୯ରେ ‘ଆର‌୍‌ସିଇପି’ର ସଦସ୍ୟ ହେବାକୁ ଯାଉଥିବା ୧୫ଟି ଦେଶମାନଙ୍କ ମଧୢରୁ ୧୧ଟି ଦେଶ ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ନିଅଣ୍ଟିଆ ହୋଇଥିବା ଦେଖାଯାଇଛି, ଅର୍ଥାତ୍‌ ସେମାନେ ଭାରତରୁ ଯେତିକି ମୂଲ୍ୟର ଦ୍ରବ୍ୟ ଆମଦାନି କରିଛନ୍ତି, ଭାରତ ସେମାନଙ୍କ ଠାରୁ ତାହା ଠାରୁ ଅଧିକ ମୂଲ୍ୟର ଆମଦାନି କରିଛି। ଚୀନ୍‌ ସହିତ ଆମର ବାଣିଜ୍ୟ କାରବାରରେ ଏହି ଅସନ୍ତୁଳନ ସର୍ବାଧିକ ପରିସ୍ଫୁଟ ହୋଇଥାଏ। ଚୀନ୍‌ ହେଉଛି ଭାରତର ସର୍ବବୃହତ୍‌ ବାଣିଜ୍ୟ ସହଭାଗୀ, କିନ୍ତୁ ଚୀନ୍‌ ପାଇଁ ଭାରତର ସ୍ଥାନ ହେଉଛି ଏକାଦଶ ବୃହତ୍ତମ। ‘ଆର‌୍‌ସିଇପି’ ଦେଶମାନଙ୍କ ସହିତ ଭାରତର ମୋଟ ବାଣିଜ୍ୟ ନିଅଣ୍ଟ ୧୦୪ ବିଲିଅନ୍‌ ଡଲାର‌୍‌ ହୋଇଥିବା ବେଳେ, ସେଥିରେ କେବଳ ଚୀନ୍‌ର ଭାଗ ହେଉଛି ଅଧାରୁ ଅଧିକ- ୫୩ ବିଲିଅନ୍‌ ଡଲାର‌୍‌। ଏହା ଆମଦାନି ପ୍ରତିବନ୍ଧ ସବୁ ବଳବତ୍ତର ଥାଇ ବି ଘଟୁଛି। ତେଣୁ ସ୍ବାଭାବିକ ଭାବରେ ଆଶଙ୍କା ପ୍ରକାଶ ପାଉଛି ଯେ ଭାରତ ‘ଆର‌୍‌ସିଇପି’ରେ ମିଶିବା ପରେ ଆମଦାନି ପ୍ରତିବନ୍ଧମାନ ହଟିଗଲେ ଚୀନା ରପ୍ତାନିକାରୀମାନେ ଭାରତୀୟ ବଜାରକୁ ସମ୍ପୂର୍ଣ୍ଣ ଦଖଲ କରି ନେବେ।

ଯଦିବା ଦଶ-ଦେଶୀୟ ଗୋଷ୍ଠୀ ‘ଆସିଆନ୍‌’କୁ ‘ଆର‌୍‌ସିଇପି’ର କେନ୍ଦ୍ରସ୍ଥଳୀ ଭଳି ପ୍ରଦର୍ଶିତ କରାଯାଉଛି, ପୃଥିବୀର ଏହି ବୃହତ୍ତମ ଅବାଧ ବାଣିଜ୍ୟ ଗୋଷ୍ଠୀ ଗଠନର ପରିକଳ୍ପନା ପଛରେ ଥିବା ଅସଲ ହାତ ହେଉଛି ଚୀନ୍‌ର। ସାତ ବର୍ଷ ତଳେ ୨୦୧୨ରେ ଯେତେବେଳେ ଏ ସ˚କ୍ରାନ୍ତରେ କଥାବାର୍ତ୍ତା ପ୍ରଥମେ ଆରମ୍ଭ ହେଲା, ସେତେବେଳେ ଆମେରିକା ନେତୃତ୍ବରେ ୧୨ଟି ପ୍ରଶାନ୍ତ ମହାସାଗରୀୟ ଦେଶମାନଙ୍କୁ ନେଇ ‘ଟ୍ରାନ୍‌ସପାସିଫିକ୍‌ ପାର୍ଟନର‌୍‌ସିପ୍‌’ (ଟିପିପି) ନାମକ ଏକ ବିଶାଳ ଅବାଧ ବାଣିଜ୍ୟ ଗୋଷ୍ଠୀ ଗଠନ ନିମିତ୍ତ ଉଦ୍ୟମ ଜୋର‌୍‌ ଧରିଥିଲା। ଚୀନ୍‌କୁ କିନ୍ତୁ ଏହି ପ୍ରସ୍ତାବିତ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇନଥିଲା। ‘ଟିପିପି’ ସହିତ ଟକ୍କର ଦେବା ପାଇଁ ଚୀନ୍‌ ‘ଆର‌୍‌ସିଇପି’ର ପରିକଳ୍ପନା କରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୧୬ରେ ଡୋନାଲ୍‌ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହେବା ପରେ କିନ୍ତୁ ଆମେରିକା ‘ଟିପିପି’ରୁ ଓହରି ଯାଇଛି। କୁହାଯାଇପାରେ ‘ବେଲ୍‌ଟ ଆଣ୍ତ ରୋଡ୍‌ ଇନିସିଏଟିଭ୍‌’ (ବିଆର‌୍‌ଆଇ’ ବା ପୂର୍ବନାମ ‘ଓବୋର‌୍‌’) ପରେ ‘ଆର‌୍‌ସିଇପି’ ହେଉଛି ଚୀନ୍‌ର ଦ୍ବିତୀୟ ବୃହତ୍‌ ଆନ୍ତର୍ଜାତିକ ପରିକଳ୍ପନା। ଭାରତ ପୂର୍ବରୁ ‘ବିଆର‌୍‌ଆଇ’ ଠାରୁ ଦୂରେଇ ରହିଥିଲା; ଏବେ ‘ଆର‌୍‌ସିଇପି’ ଠାରୁ ଦୂରେଇ ରହି ଚୀନ୍‌ର ଉଚ୍ଚାଶା ପ୍ରତି ପୁଣି ଏକ ଧକ୍‌କା ପହଞ୍ଚାଇଛି ବୋଲି ଏକ ଧାରଣା ସୃଷ୍ଟି ହୋଇପାରେ। ସମସ୍ତ ଦେଶବାସୀଙ୍କ ସ୍ବାର୍ଥରକ୍ଷା ନିମିତ୍ତ ସେ ‘ଆର‌୍‌ସିଇପି’ରେ ଯୋଗ ନ ଦେବା ପାଇଁ ନିଷ୍ପତ୍ତି ନେଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କରିଥିବା ଘୋଷଣା ତେଣୁ ଚୀନ୍‌-ବିରୋଧୀ ଦେଶଭକ୍ତମାନଙ୍କୁ ମଧୢ ବେଶ୍‌ ଖୁସି କରିଥିବ। ଯଦିବା ତାଙ୍କର ଏହି ନିଷ୍ପତ୍ତି ଯୋଗୁଁ ଭାରତ ବିଶାଳ ‘ଆର‌୍‌ସିଇପି’ ମିଳିତ ବଜାରରେ ପ୍ରବେଶରୁ ବଞ୍ଚିତ ହେବ ବୋଲି ସେ ଜାଣନ୍ତି, ଏହା ଦ୍ବାରା ରାଜନୈତିକ ବିରୋଧୀମାନଙ୍କର ମୁହଁ ବନ୍ଦ କରି ମୋଦୀ ମଧୢ କିଛି କମ୍‌ ଖୁସି ହେଉନଥିବେ। କିନ୍ତୁ ଏହି ସାମୟିକ ସନ୍ତୋଷ ପଛରେ ଲୁଚିଥିବା ଅସଲ ସତ୍ୟ ହେଲା କୌଣସି ଦେଶ ଆଜିର ଜଗତ୍‌କୃତ ଦୁନିଆରେ ଚିରଦିନ ପାଇଁ ଏକ ବାଣିଜ୍ୟ ପ୍ରାଚୀର ପଛରେ ଆତ୍ମଗୋପନ କରି ସୁରକ୍ଷିତ ରହିପାରିବ ନାହିଁ କିମ୍ବା ସମୃଦ୍ଧି ହାସଲ କରିପାରିବ ନାହିଁ କି ୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ ହୋଇପାରିବ ନାହିଁ। ଏ ପ୍ରାଚୀର ପଛରେ ପ୍ରକୃତରେ ଯାହା ସୁରକ୍ଷିତ ରହିବ, ତାହା ହେଲା ପ୍ରଗତି ପରିପନ୍ଥୀ ଆଇନମାନ (ଯେମିତି ଭୂମି ଓ ଶ୍ରମ ଆଇନ), ନାଲି ଫିତାର କଣ୍ଠରୋଧକାରୀ ବନ୍ଧନ, ଆବଦ୍ଧ ନ୍ୟାୟପାଳିକା, ଟିକସ ଆତଙ୍କବାଦ ଇତ୍ୟାଦି। ଏ ସମସ୍ତ ଶକ୍ତି ମିଳିତ ହୋଇ ଭାରତୀୟ ଅର୍ଥନୀତିକୁ ଏକ ଅଦକ୍ଷ ଅର୍ଥନୀତିରେ ପରିଣତ କରି ରଖିବେ, ଯାହା ପାଇଁ ଆନ୍ତର୍ଜାତିକ ପ୍ରତିଯୋଗିତା ସର୍ବଦା ଏକ ଭୂତ ଭୟ ସୃଷ୍ଟି କରି ଚାଲିବ। ଏଥିରୁ ମୁକ୍ତ ହୋଇ ସମୃଦ୍ଧି ହାସଲ କରିବାର ଏକମାତ୍ର ଉପାୟ ହେଲା କ୍ରମେ ପ୍ରାଚୀର ଉହାଡ଼ରୁ ବାହାରି ପ୍ରତିଯୋଗିତାର ସାମନା କରିବା। ତା’ ହେଲେ ଦେଶରେ ଦକ୍ଷତା ବୃଦ୍ଧି ନିମିତ୍ତ ଆବଶ୍ୟକ ସ˚ସ୍କାରମାନ ଅନିବାର୍ଯ୍ୟ ହେବ ଏବ˚ ଭାରତୀୟମାନଙ୍କର ସ୍ବାଭାବିକ ଦକ୍ଷତା ପୂର୍ଣ୍ଣ ପ୍ରସ୍ଫୁଟିତ ହେବ। ନଚେତ୍‌ ଆମର ସମସ୍ତ ଦେଶଭକ୍ତି ସତ୍ତ୍ବେ ଆମେ କେବେହେଲେ ଚୀନ୍‌ର ସମକକ୍ଷ ହୋଇପାରିବା ନାହିଁ।

ସମ୍ବନ୍ଧିତ ଖବର