ହେ ରାମ!

କୁହାଯାଏ ଯେ ୧୯୪୮ ମସିହା, ଜାନୁଆରି ୩୦ ତାରିଖ ସ˚ଧୢାରେ ଯେତେବେେଳେ ମହାତ୍ମା ଗାନ୍ଧୀଙ୍କର ନିଧନ ଖବର ସାରା ଭାରତରେ ପ୍ରସାରିତ ହେଲା, ସେହି ମୁହୂର୍ତ୍ତରେ ଯିଏ ଯେଉଁଠି ଯେଉଁ କାମ କରୁଥିଲେ, (ଅବଶ୍ୟ ଖବରଟି ଶୁଣି କାମକୁ ଅଧାରେ ଛାଡ଼ି ଉଠି ଆସିଥିବେ) ସେ ବିଷୟରେ ଜୀବନ ସାରା ମନେ ରଖିଥିଲେ। ଗାନ୍ଧୀଙ୍କ ନିଧନର କିଛି ସମୟ ପରେ ଜାତି ଉଦ୍ଦେଶ୍ୟରେ ତାଙ୍କର ପ୍ରଥମ ସମ୍ବୋଧନରେ ମ୍ରିୟମାଣ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହରୁ କହିଥିଲେ ଯେ ‘ଆଲୁଅ ଲିଭିଗଲା।’। କିନ୍ତୁ ପର କ୍ଷଣରେ ସେ ନିଜକୁ ସୁଧାରି ନେଇ କହିଥିଲେ ଯେ ‘ଏ ଆଲୋକ ପ୍ରକୃତରେ ଲିଭିବାର ନୁହେଁ। ଏହା ଏ ଜାତିକୁ ସବୁ ଦିନ ଲାଗି ପଥ ଦେଖାଇ ଚାଲିଥିବ।’ ତେବେ, ଆଜିକୁ ୭୧ ବର୍ଷ ତଳେ ନେହରୁ ବୋଧହୁଏ ଧାରଣା କରିପାରି ନ ଥିଲେ ଯେ ‘ଵାଇ’ ଏବ˚ ‘ଜେଡ୍‌’ ପିଢ଼ିଙ୍କ ଯୁଗରେ ଯେତେବେଳେ ମୂଲ୍ୟବୋଧଗୁଡ଼ିକ କେବଳ ‘କଳା’ ଓ ‘ଧଳା’ ରୂପେ ଚିହ୍ନିତ ନ ହୋଇ ‘ଧୂସର’ ବର୍ଣ୍ଣୀ ହେବେ ଏବ˚ ବଜାର ସ˚ସ୍କୃତିର ଉଜ୍ଜ୍ବଳ ଆଲୋକ ଭାରତ ଭୂଖଣ୍ତକୁ ଝଲସାଇ ଦେଉଥିବ, ସେତିକି ବେଳେ ତାଙ୍କ ବର୍ଣ୍ଣିତ ଏହି ‘ଅମ୍ଳାନ ଅଲୋକ ବର୍ତ୍ତିକା’ ଅନେକ ସମୟରେ ହୁଏତ ନିଷ୍ପ୍ରଭ ହୋଇଯିବ। ତେବେ, ଏହା ହିଁ ଘଟିଛି। ଗାନ୍ଧୀ ହତ୍ୟାକାରୀମାନଙ୍କ ମହାନତାକୁ ପୁନରାବିଷ୍କାର କରାଯିବାର ତୁହାକୁ ତୁହା ଉଦ୍ୟମ ଓ ତା ଭିତରେ ଗାନ୍ଧୀଙ୍କ ଜୀବନ, କାର୍ଯ୍ୟ, ଦର୍ଶନ ଏପରିକି ତାଙ୍କ ମୃତ୍ୟୁକୁ ନେଇ ବିଭ୍ରାନ୍ତିର ପ୍ରସାର ଘଟାଇ ତାକୁ ଲୋକ ବିଚାରର ଏକ ଅ˚ଶରେ ପରିଣତ କରାଯାଉଛି। ଏହାର ସଦ୍ୟତମ ଦୃଷ୍ଟାନ୍ତ ଦୃଷ୍ଟିଗୋଚର ହୋଇଛି ଆମ ରାଜ୍ୟ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରସ୍ତୁତ ଏକ କ୍ଷୁଦ୍ର ପୁସ୍ତିକାରେ, ଯେଉଁଥିରେ କୁହାଯାଇଛି ଯେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଥିଲା ଏକ ଦୁର୍ଘଟଣା ମାତ୍ର।

ସ୍ବାଧୀନତା ପରବର୍ତ୍ତୀ କାଳରେ ଗାନ୍ଧୀଙ୍କ ଜୀବନ ଉପରେ ଏକାଧିକ ପ୍ରାଣଘାତୀ ଉଦ୍ୟମ ପରେ ଶେଷରେ ଜାନୁଆରି ୩୦ର ଉଦ୍ୟମ ଦିଲ୍ଲୀର ବିରଳା ଭବନରେ ସଫଳ ହୋଇଥିଲା। ଏଭଳି ଏକ ସୁପରିକଳ୍ପିତ ହତ୍ୟାକାଣ୍ତକୁ ଏକ ଦୁର୍ଘଟଣା ବୋଲି ଚିତ୍ରଣ କରାଯିବା ବାସ୍ତବିକ ଦୁର୍ଭାଗ୍ୟପୂର୍ଣ୍ଣ। ଏ ବ୍ୟାପାରରେ ଗଲା ଶୁକ୍ରବାର ଦିନ ବିଧାନସଭା ହୁଲସ୍ତୁଲ ହୋଇଥିଲା। ଏହା ପରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସବୁ ପୁସ୍ତିକାକୁ ପ୍ରତ୍ୟାହାର କରିନିଆଯାଇଛି। ଏହାକୁ ପ୍ରସ୍ତୁତ କରିଥିବା ସ˚ସ୍ଥା ‘ଓସେପା’ର ନିର୍ଦ୍ଦେଶକଙ୍କ ଠାରୁ କୈଫିୟତ ତଲବ କରାଯିବା ସହିତ ସଚିବଙ୍କୁ ଅନ୍ୟତ୍ର ବଦଳି ଏବ˚ ସ˚ଯୋଜକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। କିନ୍ତୁ ଏ ଆଲୋଚନାର ମୂଳ ବିନ୍ଦୁ ସେଠାରେ ନାହିଁ। ତ୍ରୁଟି ଏବ˚ ଏହାର ମାର୍ଜନା ସ୍ବରୂପ ଦଣ୍ତ ବିଧାନର ସ୍ବାଭାବିକ ପ୍ରକ୍ରିୟାର ଆବରଣ ତଳେ ଅଦୃଶ୍ୟ ହୋଇ ରହିଥିବା ମଞ୍ଜିକୁ ଚିହ୍ନିବା ହେଉଛି ମୂଳ କଥା।

ଗଲା ଅକ୍ଟୋବର ମାସରେ ଗାନ୍ଧୀଙ୍କ ନିଜ ରାଜ୍ୟ ଗୁଜରାଟରେ କେତେକ ସ୍କୁଲର ପରୀକ୍ଷା-ପ୍ରଶ୍ନ ପତ୍ରରେ ପଚରାଯାଇଥିଲା, ‘ଗାନ୍ଧୀଜି ଆତ୍ମହତ୍ୟା କରିଥିଲେ କିପରି?’ କହିବା ବାହୁଲ୍ୟ, ଏ କଥା ଗଣମାଧୢମରେ ପ୍ରକାଶିତ ହେବା ପରେ ଆଲୋଚନା, ସମାଲୋଚନା, ତ୍ରୁଟି ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନର ଧାରା ଚାଲିଲା। କିନ୍ତୁ ଯେଉଁ ପ୍ରଶ୍ନ ଅନୁତ୍ତରିତ ହୋଇ ରହିଗଲା, ତାହା ହେଉଛି ଏଭଳି ଏକ ତ୍ରୁଟି ହୋଇପାରିଲା କିପରି? ଆଉ ଗୋଟିଏ ଘଟଣା ଏହିଭଳି। ଚଳିତ ବର୍ଷ ଏକ ଇଂରେଜୀ ଚିଳଚ୍ଚିତ୍ର ମୁକ୍ତିି ଲାଭ କଲା ଯାହାର ନାମ ଥିଲା ‘ ଦ ଗାନ୍ଧୀ ମର୍ଡର‌୍‌’। ଏହାକୁ ଏକ ‘ଥ୍ରିଲର‌୍‌’ ବା ରହସ୍ୟ ରୋମା˚ଚଧର୍ମୀ ସିନେମା ଭାବେ ପ୍ରଚାରିତ କରାଯାଇଥିଲା। ଏହାର କାହାଣୀରେ ଇତିହାସ ସହିତ ଭରପୂର କାଳ୍ପନିକତାର ମିଶ୍ରଣ କରାଯାଇଥିଲା। ସିନେମାରେ ଯାହା ଦର୍ଶାଯାଇଛି, ତାହା ହେଲା ଗାନ୍ଧୀ ହତ୍ୟାର ଷଡ୍‌ଯନ୍ତ୍ର ବାବଦରେ ଦୁଇ ଜଣ ପୁଲିସ ଅଧିକାରୀ ପୂର୍ବରୁ ଜାଣି ସୁଦ୍ଧା ଏହା କିଭଳି ସୁରୁଖୁରୁରେ ସ˚ଘଟିତ ହେବ, ତା ଲାଗି ପଥ ପ୍ରସ୍ତୁତ କରିଥିଲେ। କାରଣ ସେମାନଙ୍କର କୁଆଡେ଼ ଧାରଣା ଥିଲା ଯେ ଗାନ୍ଧୀଙ୍କ ହତ୍ୟା ଦ୍ବାରା ହିଁ ଭାରତରେ ସା˚ପ୍ରଦାୟିକ ସ˚ଘର୍ଷର ନିଆଁ ଲିଭିଯିବ, ଯେମିତି ଆ‌େମରିକାର ରାଷ୍ଟ୍ରପତି ଆବ୍ରାହାମ ଲି˚କନଙ୍କ ହତ୍ୟା ପରେ ତତ୍‌କ୍ଷଣାତ୍‌ ଆମେରିକୀୟ ଗୃହଯୁଦ୍ଧର ଅବସାନ ଘଟିଥିଲା। ଏହି ଚଳଚ୍ଚିତ୍ରର ଏକ ସମୀକ୍ଷା କରି ‘ଦ ନ୍ୟୁୟର୍କ ଟାଇମ୍‌ସ’ ଲେଖିଲା ଯେ ରହସ୍ୟର କୁଜ୍‌ଝଟିକା ଆଚ୍ଛନ୍ନ ଜନ୍‌.ଏଫ୍‌. କେନେଡିଙ୍କ ହତ୍ୟାକାଣ୍ତ ବୋଧହୁଏ ଏହି ଚଳଚ୍ଚିତ୍ରର ନିର୍ମାତାମାନଙ୍କୁ ଗଭୀର ଭାବେ ପ୍ରଭାବିତ କରିପକାଇଛି! ତେଣୁ, ଏହା କହିଲେ ଚଳିବ ଯେ ସତ୍ୟ ସହିତ କଳ୍ପନାର ମିଶ୍ରଣ ଯେଉଁ ସତ୍ୟର ଅପଳାପକୁ ଏବେ ଜନ୍ମ ଦେଉଛି, ତାହା ବୋଧହୁଏ ଆଜିର ‘ପୋଷ୍ଟ୍ ଟ୍ରୁଥ୍‌’ ବା ‘ସତ୍ୟ ଉପରାନ୍ତ’(ସତ୍ୟୋପରାନ୍ତ) କାଳର ବାସ୍ତବତା।

୨୦୧୮ରେ ଭାରତୀୟ ଲେଖକ ପଙ୍କଜ ମିଶ୍ରଙ୍କ ଦ୍ବାରା ଲିଖିତ ଏକ ପ୍ରବନ୍ଧ ପ୍ରକାଶ ପାଇଥିଲା ଯାହାର ଶୀର୍ଷକ ଥିଲା, ‘ଗାନ୍ଧୀ ଫର ଦ ପୋଷ୍ଟ ଟ୍ରୁଥ୍‌ ଏଜ୍’; ବା ‘ସତ୍ୟୋପରାନ୍ତ କାଳ ଲାଗି ଗାନ୍ଧୀ’। ତହିଁରେ ରହିଛି ଗାନ୍ଧୀଙ୍କ ବିଚାରକୁ ନେଇ ବିଭ୍ରାନ୍ତିର ଅନେକ ଉଦାହରଣ। ତହିଁରେ କୁହାଯାଇଛି ଯେ ୨୦୧୫ରେ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିଦିଆଯିବା ଓ ତା’ ପର ବର୍ଷ ଘାନା ବିଶ୍ବବିଦ୍ୟାଳୟରେ ଏକ ନିଷ୍ପତ୍ତି ମୁତାବକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିଶ୍ବବିଦ୍ୟାଳୟ ପରିସରରୁ ଦିଆଯିବା ଅନ୍ତରାଳରେ ରହିଛି ‘#ଗାନ୍ଧୀମଷ୍ଟଫଲ୍‌’ ବା ‘ଗାନ୍ଧୀଙ୍କ ପତନ ଜରୁରୀ’ ନାମକ ଏକ ଅନ୍‌ ଲାଇନ୍‌ ଆନ୍ଦୋଳନର ଭୂମିକା। ଏହି ଆନ୍ଦୋଳନକାରୀମାନଙ୍କ ମତ ଯେ ଗାନ୍ଧୀ ଥିଲେ ବର୍ଣ୍ଣ ବୈଷମ୍ୟବାଦୀ। କୃଷ୍ଣକାୟ ଆଫ୍ରିକୀୟଙ୍କ ପ୍ରତି ତାଙ୍କର ବିଦ୍ବେଷ ଭାବ ରହିଥିଲା। କିନ୍ତୁ ଏଣେ ଯୁକ୍ତରାଷ୍ଟ୍ର ଆମେରିକାରେ କୃଷ୍ଣକାୟମାନଙ୍କ ଅଧିକାର ଲାଗି ଲଢ଼ି ପ୍ରାଣବଳି ଦେଇଥିବା ମାର୍ଟିନ୍‌ ଲୁଥର କିଙ୍ଗ ଜୁନିଅରଙ୍କ ଠାରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦୀ ସରକାରର ପତନ ଘଟାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ନେଲସନ ମାଣ୍ତେଲାଙ୍କ ପର୍ଯ୍ୟନ୍ତରେ ଅନେକ ବିଶ୍ବ ବିଶ୍ରୁତ ନେତା ମୁକ୍ତ କଣ୍ଠରେ ସ୍ବୀକାର କରିଛନ୍ତି ଯେ ସେମାନଙ୍କ ଲାଗି ପ୍ରେରଣାର ସ୍ରୋତ ଥିଲେ ମହାତ୍ମା ଗାନ୍ଧୀ।

ସୁତରା˚, ଅଜିର ‘ସତ୍ୟୋପରାନ୍ତ’ ସମୟ କାଳରେ (ବିଶେଷ କରି) ସାମାଜିକ ଗଣମାଧୢମର ଭୂମିକା ତଥା ଅନ୍ୟାନ୍ୟ ମାଧୢମରୁ ବିଭ୍ରାନ୍ତିର ଧୂଳିଝଡ଼ ଉଠି ମହାତ୍ମା ଗାନ୍ଧୀଙ୍କ ନିଜ ଦେଶ ଭାରତ ସମେତ ପୃଥିବୀର ଅନ୍ୟାନ୍ୟ ଦେଶର ଚିନ୍ତାକାଶକୁ ଯେତେବେଳେ ଅନ୍ଧକାରାଚ୍ଛନ୍ନ କରିଦେବାକୁ ବସିଛି, ସେତିକିବେଳେ ସତର୍କତାର ସହିତ ନିରୀକ୍ଷଣ ନ କଲେ ପ୍ରକୃତ ବାଟଟି ପାଇବା ଦୁରୂହ ହୋଇପାରେ। କୁହା ଯାଇଥାଏ ଯେ ଗୁଳି ବିଦ୍ଧ ହେବା ପରେ ମହାତ୍ମା ଗାନ୍ଧୀଙ୍କ ମୁଖ ନିସୃତ ଅନ୍ତିମ ଉଚ୍ଚାରଣ ଥିଲା, ‘ହେ ରାମ’। ଏବେ ବିଭ୍ରାନ୍ତି, ଅର୍ଦ୍ଧ ସତ୍ୟ, ଅସତ୍ୟ ଏପରିକି ମିଥ୍ୟା ଦ୍ବାରା ନିୟମିତ ଗାନ୍ଧୀ ହନନ ଚାଲିଥିବା ବେଳେ ଅସୁମାରି ଗାନ୍ଧୀ ଗୁଣମୁଗ୍‌ଧଙ୍କ ଦୀର୍ଘଶ୍ବାସରେ ଯେଉଁ ନିରବ ଆର୍ତ୍ତନାଦ ଅନୁଭୂତ ହେଉଛି, ତାହା ହେଲା ‘ହେ ରାମ!’

ସମ୍ବନ୍ଧିତ ଖବର