ବିପଦର ପୂର୍ବାଭାସ ପାଇବା ଉଦ୍ଦେଶ୍ୟରେ ଲୋକମାନେ ଘରେ ସତର୍କ ସୂଚନା ପ୍ରଦାନକାରୀ ବ୍ୟବସ୍ଥା ଖଞ୍ଜିଥାନ୍ତି। ଘରେ ଚୋର ପଶିବାକୁ ଚେଷ୍ଟା କଲେ କି କେଉଁଠି ନିଆଁ ଲାଗିଗଲେ ଏହି ଖଞ୍ଜା ହୋଇଥିବା ବ୍ୟବସ୍ଥାରୁ ଏକ ସତର୍କ ଘଣ୍ଟି କିମ୍ବା ପେଁକାଳି ଶବ୍ଦ ନିର୍ଗତ ହୋଇଥାଏ। ମନେ କରାଯାଉ କୌଣସି କାରଣରୁ ଗୃହସ୍ବାମୀଙ୍କ ପାଇଁ ଏ ଶବ୍ଦ ଅତ୍ୟନ୍ତ ଶ୍ରୁତିକଟୁ ହେଲା। ପ୍ରତିକାର ସ୍ବରୂପ ଗୃହସ୍ବାମୀ ଘରେ ଖଞ୍ଜା ଯାଇଥିବା ସତର୍କ ସୂଚନା ପ୍ରଦାନକାରୀ ବ୍ୟବସ୍ଥାକୁ ଅଚଳ କରି ଦେଲେ। ଏହାର ପରିଣାମ କ’ଣ ହୋଇପାରେ, ତାହାର ବର୍ଣ୍ଣନା ଅନାବଶ୍ୟକ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାରଙ୍କ ପରିସ˚ଖ୍ୟାନ ଓ ପ୍ରକଳ୍ପ ରୂପାୟନ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ପରିସ˚ଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ)କୁ ଯଦି ଆମେ ଆଲୋଚନା କରୁଥିବା ପରିପ୍ରେକ୍ଷୀରେ ଏକ ସତର୍କ ସୂଚନା ପ୍ରଦାନକାରୀ ବ୍ୟବସ୍ଥା ରୂପେ ବିଚାର କରାଯାଏ, ତେବେ ସେଥିରୁ ଏବେ ନିର୍ଗତ ହୋଇଥିବା ସୂଚନା ମୋଦୀ ସରକାରଙ୍କ ପାଇଁ ଏତେ ଶ୍ରୁତିକଟୁ ହୋଇଛି ଯେ ସେ ଏହାର ମୁହଁରେ ବିଣ୍ତା ଦେଇ ସ୍ବର ବନ୍ଦ କରିଦେବା ପାଇଁ ଚେଷ୍ଟା କରିଛନ୍ତି। ଏହା ଉପରୋକ୍ତ ଗୃହସ୍ବାମୀଙ୍କର ଆତ୍ମଘାତୀ ଓଟ ପକ୍ଷୀ ସୁଲଭ ଆଚରଣ ସହିତ ତୁଳନୀୟ।
୨୦୧୭-୧୮ ପାଇଁ ଦେଶରେ ଖାଉଟି ଖର୍ଚ୍ଚ ସମ୍ପର୍କରେ ‘ଏନ୍ଏସ୍ଓ’ ପ୍ରସ୍ତୁତ କରିଥିବା ନମୁନା ସର୍ବେକ୍ଷଣ ରିପୋର୍ଟ ବିଧିବଦ୍ଧ ଭାବରେ ପ୍ରକାଶ ପାଇବା ପୂର୍ବରୁ ଲିକ୍ ହୋଇ ଗତ ଶୁକ୍ରବାର ଦିନ ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ଏହା ସରକାରଙ୍କ ପାଇଁ ଏପରି ଶ୍ରୁତିକଟୁ ହୋଇଛି ଯେ ସରକାର ଏହାର ପ୍ରକାଶନକୁ ବାତିଲ କରି ଦେଇଛନ୍ତି ବୋଲି ଘୋଷଣା କରିଛନ୍ତି। ସତର୍କ ଘଣ୍ଟିର ସ୍ବର କର୍କଶ ହୋଇଥିବା ଭଳି ରିପୋର୍ଟ ପ୍ରସ୍ତୁତ କରିବାରେ ବ୍ୟବହୃତ ତଥ୍ୟାବଳୀର ଗୁଣାତ୍ମକ ମାନ ନିମ୍ନ ଶ୍ରେଣୀର ବୋଲି ସରକାର ନିଜର ଏହି ପଦକ୍ଷେପ ପାଇଁ କାରଣ ଦର୍ଶାଇଛନ୍ତି। ୧୯୫୦ରେ ପୂର୍ବତନ ‘ଏନ୍ଏସ୍ଏସ୍ଓ’ର ପ୍ରତିଷ୍ଠା ପର ଠାରୁ ‘ଏନ୍ଏସ୍ଓ’ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏପରି ଏକ ବ୍ୟାପକ ସର୍ବେକ୍ଷଣକୁ ସରକାର ବାତିଲ କରିବା ଏହା ହେଉଛି ସର୍ବପ୍ରଥମ ଘଟଣା।
ଚାପି ଦିଆଯାଇଥିବା ଏହି ରିପୋର୍ଟ ଅନୁସାରେ ମୁଦ୍ରାସ୍ଫୀତି ପ୍ରଭାବକୁ କାଟି ଦିଆଯିବା ପରେ ଦେଖାଯାଇଛି ଯେ ୨୦୧୭-୧୮ରେ ଖାଉଟି ଖର୍ଚ୍ଚରେ ବିଗତ ଚାରି ଦଶନ୍ଧି ମଧୢରେ ପ୍ରଥମ ଥର ପାଇଁ ସ୍ଖଳନ ଘଟିଛି। ଏକ ବିଶାଳ ନମୁନା ଆଧାରରେ ଦେଶବ୍ୟାପୀ ପରିବାରମାନଙ୍କର ଖର୍ଚ୍ଚର ଯେଉଁ ସର୍ବେକ୍ଷଣ ‘ଏନ୍ଏସ୍ଓ’ କରିଥିଲା ସେଥିରୁ ଜଣାପଡ଼ିଥିଲା ଯେ ୨୦୧୭ ଜୁଲାଇରୁ ୨୦୧୮ ଜୁନ୍ ମଧୢରେ ଭାରତୀୟ ପରିବାରମାନେ କରିଥିବା ହାରାହାରି ଖର୍ଚ୍ଚରେ ପୂର୍ବ ତୁଳନାରେ ହ୍ରାସ ଘଟିଛି, ଯାହା ଅଭୂତପୂର୍ବ। ଏହା ପୂର୍ବରୁ ‘ଏନ୍ଏସ୍ଓ’ ଏଭଳି ସର୍ବେକ୍ଷଣ କରିଥିଲା ୨୦୧୧-୧୨ରେ। ସେ ବର୍ଷର ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ଭାରତର ମୁଣ୍ତ ପିଛା ଖର୍ଚ୍ଚ ସେ ବର୍ଷ ପାଇଁ ଥିଲା ମାସିକ ଟ୧,୫୦୧ଙ୍କା। ବର୍ତ୍ତମାନର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୨୦୧୭-୧୮ର ସମ୍ପୃକ୍ତ ଏକ ବର୍ଷର ସମୟ କାଳ ମଧୢରେ ଭାରତରେ ମାସିକ ମୁଣ୍ତପିଛା ଖର୍ଚ୍ଚ ଥିଲା ଟ୧,୪୪୬ଙ୍କା, ଯାହା ୨୦୧୧-୧୨ ଠାରୁ ୩.୭% କମ୍।
ଏହା ଚିନ୍ତାଜନକ, କିନ୍ତୁ ରିପୋର୍ଟରେ ଦେଖିବାକୁ ମିଳୁଥିବା କେବଳ ଦେଶର ଗ୍ରାମାଞ୍ଚଳ ପାଇଁ ପ୍ରସ୍ତୁତ ଏହି ଚିତ୍ର ହେଉଛି ଆହୁରି ଅଧିକ ଚିନ୍ତାଜନକ। ଉପରୋକ୍ତ ଦୁଇ ସର୍ବେକ୍ଷଣ ସମୟକାଳ ମଧୢରେ ଭାରତରେ ଗ୍ରାମବାସୀମାନଙ୍କର ମାସିକ ଖାଉଟି ଖର୍ଚ୍ଚରେ ହ୍ରାସ ଘଟିଛି ୮.୮%। ଏହାର ପ୍ରଭାବରେ ହିଁ ଦେଶର ଜାତୀୟ ଖାଉଟି ଖର୍ଚ୍ଚରେ ଉପରୋକ୍ତ ୩.୭% ହ୍ରାସ ଘଟିବା ଦେଖାଦେଇଛି, ଯଦିବା ଏହି ସମୟକାଳ ମଧୢରେ ସହରୀ ଖାଉଟି ଖର୍ଚ୍ଚରେ ୨% ବୃଦ୍ଧି ଘଟିଥିବା ସେହି ସର୍ବେକ୍ଷଣରୁ ଜଣାପଡ଼ିଛି। ଗ୍ରାମାଞ୍ଚଳ ବାସିନ୍ଦାମାନଙ୍କର ମାସିକ ଖର୍ଚ୍ଚରେ ସ˚କୋଚନ ଘଟିବାରୁ ଯେଉଁ ସିଦ୍ଧାନ୍ତ ଆହରଣ କରାଯାଇପାରେ, ତାହା ହେଲା ଏହା ହେଉଛି ଗ୍ରାମାଞ୍ଚଳରେ ଅଧିକ ସ˚ଖ୍ୟକ ନିମ୍ନ ଆୟ ଅର୍ଜନକାରୀମାନେ ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ପଡ଼ିଥିବାର ସମ୍ଭାବନା। ଏହାହିଁ ସରକାରଙ୍କ ପାଇଁ ବିଶେଷ ଭାବରେ ଶ୍ରୁତିକଟୁ ହୋଇଥିବ।
ପରିସ˚ଖ୍ୟାନକୁ ଶ୍ରୁତିମଧୁର କରିବା ପାଇଁ ମୋଦୀ ସରକାରଙ୍କର ଏହା ପ୍ରଥମ ଉଦ୍ୟମ ନୁହେଁ। ଏହା ପୂର୍ବରୁ ୨୦୧୫ରେ ହିସାବ ପଦ୍ଧତିରେ ପରିବର୍ତ୍ତନ ଘଟାଇ ଦେଶରେ ‘ମୋଟ ବାର୍ଷିକ ଜାତୀୟ ଉତ୍ପାଦ’ (‘ଜିଡ଼ିପି’)ରେ ସରକାର ଯେଉଁ କୃତ୍ରିମ ସ୍ଫୀତି ଘଟାଇଥିଲେ, ତାହାକୁ କେନ୍ଦ୍ର କରି ଉପୁଜିଥିବା ବିବାଦର ଏପର୍ଯ୍ୟନ୍ତ ସନ୍ତୋଷଜନକ ଅବସାନ ଘଟିନାହିଁ। ବର୍ତ୍ତମାନର ‘ଏନ୍ଏସ୍ଓ’ ସର୍ବେକ୍ଷଣର ଏକ ବିଶେଷ ଦିଗ ହେଲା ଏହା ଯେ ନରେନ୍ଦ୍ର ମୋଦୀଙ୍କର ଘୋର ଅବିମୃଶ୍ୟକାରୀ ପଦକ୍ଷେପ ୨୦୧୬ ନଭେମ୍ବରର ବିମୁଦ୍ରୀକରଣର ପ୍ରାୟ ଛ’ମାସ ପରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବିମୁଦ୍ରୀକରଣ ଯୋଗୁଁ ଦେଶରେ ରାତାରାତି ଏକ ନଗଦ ମୁଦ୍ରା ମରୁଡ଼ି ଦେଖା ଦେଇଥିଲା ଏବ˚ ନଗଦ କାରବାର ଉପରେ ନିର୍ଭରଶୀଳ ଅର୍ଥନୈତିକ କାର୍ଯ୍ୟକଳାପମାନ ଏହା ଦ୍ବାରା ଘୋର ଆଘାତ ପାଇଥିଲେ।
ଜଣାଶୁଣା ଭାବରେ ଭାରତର ଗ୍ରାମ୍ୟ ଅର୍ଥନୀତି ହେଉଛି ଏକ ବିଶାଳ ଅସ˚ଗଠିତ କ୍ଷେତ୍ର ଏବ˚ ନଗଦ କାରବାର ହେଉଛି ଏହି କ୍ଷେତ୍ରର ପ୍ରାଣଶକ୍ତି। ଛୁଆକୁ ମା’ କ୍ଷୀର ଛଡ଼ାଇ କଠିନ ଆହାରରେ ଅଭ୍ୟସ୍ତ କରିବା ପାଇଁ ଚେଷ୍ଟା କଲା ଭଳି ମୋଦୀ ଏହି ଅସ˚ଗଠିତ ଅର୍ଥନୀତିରେ ଜୀବିକା ଅର୍ଜନ କରୁଥିବା ଲୋକମାନଙ୍କୁ ହଠାତ୍ ନଗଦ କାରବାରରୁ ଭିଡ଼ିଆଣି ଅଣ-ନଗଦ କାରବାରରେ ଲଗାଇ ଦେବାକୁ ଯେଉଁ ଉଦ୍ୟମ କରିଥିଲେ, ତାହା ସେମାନଙ୍କ ପାଇଁ ଅସ˚ଖ୍ୟ ଅପ୍ରତ୍ୟାଶିତ ସମସ୍ୟା ମାନ ସୃଷ୍ଟି କରିଥିଲା। ବିମୁଦ୍ରୀକରଣ ପରବର୍ତ୍ତୀ ସମୟରେ ଅନେକ କୃଷକ ଆତ୍ମହତ୍ୟାର କାରଣ ଏହି ଅସ୍ଥିରାବସ୍ଥା ବୋଲି ଅନେକ ବିଶ୍ବାସ କରିଥାନ୍ତି। ତେଣୁ ବର୍ତ୍ତମାନ ଲିକ୍ ହୋଇଥିବା ‘ଏନ୍ଏସ୍ଓ’ ରିପୋର୍ଟରୁ ମିଳୁଥିବା ସୂଚନାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ମୋଦୀ ସରକାର ବର˚ ଏ ସତର୍କ ଘଣ୍ଟିର କର୍କଶ ସ୍ବରକୁ ଦବାଇବା ପରିବର୍ତ୍ତେ ଏହାଦ୍ବାରା ସାବଧାନ ହୋଇ ଭବିଷ୍ୟତରେ ବିମୁଦ୍ରୀକରଣ ଭଳି ଆଉ କିଛି ଅବାଞ୍ଛିତ କମ୍ପନ ସୃଷ୍ଟିକାରୀ ପଦକ୍ଷେପ ନେବାରୁ ନିବୃତ୍ତ ରହିବା ଉଚିତ୍।