ସୁନା ମୁଦି ହଜି ଯାଇଛି? ବାଘୁଆ ଭୂୟାଁଙ୍କୁ ଗଞ୍ଜେଇ ଯାଚ, ମିଳି ଯିବ। ବାଛୁରୀ ହଜି ଯାଇଛି? ମା’ପୁରୁଷଙ୍କୁ ଗଞ୍ଜେଇ ଯାଚ, ଫେରି ଆସିବ। ଓଡ଼ିଶାର ଗାଁ ଗଣ୍ତାରେ ଏବେ ବି ହଜିଯାଇଥିବା କିଛି ଜିନିଷ ମିଳିବା ଆଶାରେ ଏଇଭଳି କୌଣସି ଦୈବୀଶକ୍ତିଧାରୀ କାଳ୍ପନିକ ଚରିତ୍ରଙ୍କୁ ଗଞ୍ଜେଇର ପ୍ରଲୋଭନ ଦେଖାଇବା ପରମ୍ପରା ଜୀବନ୍ତ ରହିଛି। ଦେବ ଦେବ ମହାଦେବଙ୍କୁ ହିନ୍ଦୁମାନେ ପ୍ରଧାନ ଗଞ୍ଜେଇ ସେବନକାରୀ ରୂପେ ସମ୍ବୋଧନ କରିବା ପଛରେ ଯେଉଁ ଗଭୀର ଶ୍ରଦ୍ଧା ଓ ଭକ୍ତି ନିହିତ ଥାଏ ତାହା ପୃଥିବୀର ଅନ୍ୟ କୌଣସି ଧର୍ମ କିମ୍ବା ସ˚ସ୍କୃତିରେ ଅତୁଳନୀୟ। ଗଞ୍ଜେଇରୁ ପ୍ରସୂତ ଭାଙ୍ଗର ସେବନ ସର୍ବଦା ଭାରତୀୟ ସମାଜର ମୁଖ୍ୟ ସ୍ରୋତର ଏଭଳି ଏକ ଅ˚ଶ ହୋଇ ରହିଛି, ଯାହା ପ୍ରାୟ କେବେହେଲେ ଭ୍ରୂକୁଞ୍ଚନ ସୃଷ୍ଟି କରିବା ଦେଖା ଯାଇନଥାଏ।
ତେଣୁ ହଠାତ୍ ଗଞ୍ଜେଇକୁ ନେଇ ସୃଷ୍ଟି ହୋଇଥିବା ବିତର୍କ ଯେତିକି ଚିନ୍ତା ପାଇଁ ଖୋରାକ୍ ଯୋଗାଇଥାଏ, ସେତିକି ବିଡ଼ମ୍ବନା ଭଳି ମନେ ହୁଏ ଓ ସେତିକି ଆମୋଦଦାୟକ ଲାଗେ। ପୁଣି ଏକ ଅଦ୍ଭୁତ ସ˚ଯୋଗ ସ୍ବରୂପ ଯେଉଁ ସମୟରେ ଏହି ସମ୍ବାଦପତ୍ରର ଭଗିନୀ ଟେଲିଭିଜନ୍ ଚାନେଲ ‘କନକ ନିଉଜ୍’ରେ ପୂର୍ବତନ ସା˚ସଦ ତଥାଗତ ସତପଥୀ ଗଞ୍ଜେଇର ଚାଷ, ବ୍ୟବସାୟ ଓ ବ୍ୟବହାରର ଅଣ-ଅପରାଧୀକରଣ ସପକ୍ଷରେ ଏକ ଅତ୍ୟନ୍ତ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛନ୍ତି, ଠିକ୍ ପ୍ରାୟ ସେଇ ସମୟରେ ପୃଥିବୀର ଆରପଟେ ଆମେରିକାରେ ଅନୁଷ୍ଠିତ ଏକ ଟାଉନ୍ ହଲ୍ ଆଲୋଚନାରେ ଭାଗ ନେଇ ସେ ଦେଶରେ ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଦୌଡ଼ରେ ସବା ଆଗରେ ଥିବା ପୂର୍ବତନ ଉପ ରାଷ୍ଟ୍ରପତି ଜୋ ବାଇଡେନ୍ ଏହାର ଠିକ୍ ବିପରୀତ ମତ ପ୍ରକାଶ କରି ଆମେରିକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ଚାଞ୍ଚଲ୍ୟର କାରଣ- ଆମେରିକାରେ ଦୁଇ-ତୃତୀୟା˚ଶ ଲୋକ ବର୍ତ୍ତମାନ ଗଞ୍ଜେଇକୁ ବୈଧ କରାଯିବା ସମୟରେ ମତ ପ୍ରକାଶ କରିଥିଲେ ହେଁ (ସତପଥୀ ତାଙ୍କ ଯୁକ୍ତିରେ ଏହାର ଅବତାରଣା କରିଛନ୍ତି) ବାଇଡେନ୍ ଗଞ୍ଜେଇକୁ ଅବୈଧ ଶ୍ରେଣୀରୁ ହଟାଇବା ପ୍ରସ୍ତାବ ବିରୋଧରେ ମତ ପ୍ରକାଶ କରି ଏକ ରାଜନୈତିକ ବିପଦ ବରଣ କରିଛନ୍ତି।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହା ଲେଖା ହେବା ବେଳକୁ ବୁଧବାର ଦିନ ଆମେରିକା କ˚ଗ୍ରେସର ପ୍ରତିନିଧି ସଭାର ନ୍ୟାୟିକ କମିଟି (ହାଉସ୍ ଜୁଡିସିଆରି କମିଟି)ରେ ସ˚ଘୀୟ ସ୍ତରରେ ଗଞ୍ଜେଇକୁ ବୈଧ କରାଯିବା ପାଇଁ ଆଗତ ଏକ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇ ଯାଇଥିବ। ସେଇ ସ˚ଯୋଗର ଅ˚ଶ ଭଳି ମଙ୍ଗଳବାର ଦିନ ଓଡ଼ିଶା ସରକାର ଔଷଧୀୟ ଉଦ୍ଦେଶ୍ୟରେ ରାଜ୍ୟରେ ଗଞ୍ଜେଇ ଚାଷ ପାଇଁ ଆସିଥିବା ଏକ ପ୍ରସ୍ତାବକୁ ନାକଚ କରି ଦେବା ଦେଖାଯାଇଥିଲା, ଯାହା ‘କନକ ନିଉଜ୍’ରେ ଉପରୋକ୍ତ ଆଲୋଚନାର ସୂତ୍ରପାତ କରିଥିଲା। ସେଇ ମଙ୍ଗଳବାର ଦିନ ଓଡ଼ିଶା ପୁଲିସ ଗଜପତି ଜିଲ୍ଲାରେ ୪୬୨ ଏକର ଜମିରେ ଚାଷ ହୋଇଥିବା ୯ ଲକ୍ଷରୁ ଊର୍ଦ୍ଧ୍ବ ଗଞ୍ଜେଇ ଗଛକୁ ଧ୍ବ˚ସ କରିଥିବା ଏବ˚ ‘ଅପରାଧୀ-ଚାଷୀ’ମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇ ଥିବାର ସମ୍ବାଦ ପ୍ରକାଶ ପାଇଛି। ଅବକାରୀ ମନ୍ତ୍ରୀ କହିଛନ୍ତି ଧରା ପଡ଼ିଲେ ସେମାନଙ୍କ ବିରୋଧରେ ଏନ୍ଡିପିଏସ୍ ଆକ୍ଟ, ୧୯୮୫ର କଠୋର ଦଫା ଲଗାଯିବ।
ଉପର ବର୍ଣ୍ଣନା ସବୁରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ଗଞ୍ଜେଇ ପ୍ରତି କେଉଁଭଳି ଏକ ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ, ତାହା ଅସ୍ପଷ୍ଟ। ଗଞ୍ଜେଇକୁ ବୈଧ କରାଯିବା ସପକ୍ଷରେ ଯୁକ୍ତି ହେଲା ଏହା ଯେ, ଏହା ତମାଖୁ ଏବ˚ ମଦ ଅପେକ୍ଷା କମ୍ ବିପଜ୍ଜନକ ଏବ˚ କମ୍ ଅଭ୍ୟାସ ସୃଷ୍ଟିକାରୀ। ଏହା ଯେ ଏକ ନବ୍ୟ ଧାରଣା ନୁହେଁ, ତାହାର ଏକ ପ୍ରମାଣ ସ୍ବରୂପ ଠିକ୍ ୨୪ ବର୍ଷ ତଳେ ପ୍ରସିଦ୍ଧ ବ୍ରିଟିସ ମେଡ଼ିକାଲ ପତ୍ରିକା ‘ଦି ଲାନ୍ସେଟ୍’ ତା’ର ୧୯୯୫ ନଭେମ୍ବର ସ˚ଖ୍ୟାରେ ପ୍ରକାଶ କରିଥିଲା ଯେ ଏପରିକି ଦୀର୍ଘକାଳୀନ ଗଞ୍ଜେଇ ଧୂମପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥିଲେ ମଧୢ ବ୍ୟାପକ ଭାବରେ ବ୍ୟବହୃତ ଏହି ପଦାର୍ଥ ପ୍ରାୟ ସବୁଆଡେ଼ ଅବୈଧ ହୋଇଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଲାନ୍ସେଟ୍ ସେତେବେଳେ ଲେଖିଥିଲା ଯେ ‘‘ଗଞ୍ଜେଇ ଏକ ରାଜନୈତିକ ଫୁଟ୍ବଲ୍ରେ ପରିଣତ ହୋଇଛି.... ଏବ˚ ଶୀଘ୍ର ହେଉ କି ବିଳମ୍ବରେ ହେଉ ରାଜନେତାମାନଙ୍କୁ ଛାନିଆ ହୋଇ ଧାଇଁବା ବନ୍ଦ କରି ତଥ୍ୟ ପ୍ରମାଣର ସମ୍ମୁଖୀନ ହେବାକୁ ପଡ଼ିବ।’’
ଗଞ୍ଜେଇ ସପକ୍ଷରେ ଯୁକ୍ତି କରାଯାଇଥାଏ ଯେ ଅନ୍ୟ କଠିନ ନିଶାଦ୍ରବ୍ୟ ତୁଳନାରେ ଗଞ୍ଜେଇ ଅଭ୍ୟାସ ଛାଡ଼ିଦେବା ସହଜ, ଏବ˚ ମଦ ବା କଠିନ ଡ୍ରଗ୍ ଯେପରି ନିଶାଗ୍ରସ୍ତକୁ ଅସାମାଜିକ ଆଚରଣ ଏବ˚ ହତ୍ୟା ଓ ଧର୍ଷଣ ଭଳି ଜଘନ୍ୟ ଆପରିଧିକ ଆଚରଣ ପ୍ରଦର୍ଶନ କରିବାକୁ ପ୍ରବୃତ୍ତ କରିଥାଏ, ଗଞ୍ଜେଇ ନିଶା ସେପରି କରି ନ ଥାଏ। ପୁଣି କ୍ୟାନ୍ସର ଭଳି ଦୁରାରୋଗ୍ୟ ବ୍ୟାଧିର ଯନ୍ତ୍ରଣା ଉପଶମ ପାଇଁ ଗଞ୍ଜେଇ ଏକ ଫଳପ୍ରଦ ମାଧୢମ ରୂପେ ଚିକିତ୍ସା କ୍ଷେତ୍ରରେ ସ୍ବୀକୃତି ଲାଭ କରିସାରିଛି। ଔଷଧୀୟ ବ୍ୟବହାର ପାଇଁ ଆସୁଥିବା ଗଞ୍ଜେଇ ଚାଷ ପ୍ରସ୍ତାବର ଏହାହିଁ ହେଉଛି ମୁଖ୍ୟ ଉଦ୍ଦେଶ୍ୟ।
ଗଞ୍ଜେଇ ବିରୋଧରେ ଥିବା ମୁଖ୍ୟ ଅଭିଯୋଗ ହେଲା, ଗଞ୍ଜେଇ ହେଉଛି ଏକ ‘ପ୍ରବେଶ ଦ୍ବାର ଡ୍ରଗ୍’- ଅର୍ଥାତ୍ ଗଞ୍ଜେଇରୁ ନିଶା ସେବନ ଆରମ୍ଭ କଲା ପରେ ସେବନକାରୀ କ୍ରମେ ଅଫିମ, ମର୍ଫିନ୍, ହେରୋଇନ୍ ଆଦି ଭଳି ଅଧିକ ଶକ୍ତିଶାଳୀ ଓ ବହୁ ଅଧିକ କ୍ଷତିକାରକ ଡ୍ରଗ୍ ସେବନ ପଥରେ ଅଗ୍ରସର ହେବାକୁ ଲାଗେ।
ଭାରତରେ ଆଇନ ଏଭଳି ଆଶଙ୍କା ଉପରେ ହିଁ ପ୍ରତିଷ୍ଠିତ। ୧୯୬୧ରେ ଭାରତ ‘ସିଙ୍ଗଲ ଜେନିଭା କନ୍ଭେନ୍ସନ୍’ରେ ସ୍ବାକ୍ଷର କରିବା ପରେ କ୍ଷତିକାରକ ରୂପେ ତାଲିକାଭୁକ୍ତ ଡ୍ରଗ୍ମାନଙ୍କର ବ୍ୟବହାର ଓ ବିକ୍ରୟ ନିଷେଧ କରିବା ପାଇଁ ଭାରତ ବାଧୢ ହେଲା। ଏହି ତାଲିକାରେ ଗଞ୍ଜେଇ ଅନ୍ତର୍ଭୁକ୍ତ। କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ ଭାରତକୁ ଦିଆଯାଇଥିବା ୨୫ ବର୍ଷ ରିହାତି ସମୟ ଅନ୍ତ ହେବା ପରେ ବିତ୍ତ ମନ୍ତ୍ରଣାଳୟ ୧୯୮୫ରେ ଯେଉଁ ନାର୍କୋଟିକ୍ସ୍ ଡ୍ରଗସ୍ ଆଣ୍ତ ସାଇକେଟ୍ରିକ୍ ସବ୍ଷ୍ଟାନ୍ସେସ୍ (ଏନଡିପିଏସ) ଆକ୍ଟ ପ୍ରଣୟନ କଲା ତାହା ଅନ୍ୟ ଡ୍ରଗ୍ ସହିତ ଅଫିମ ଓ ଗଞ୍ଜେଇକୁ ନିୟନ୍ତ୍ରଣ ପରିସର ମଧୢକୁ ଆଣିଲା।
ଯଦିଓ ଏହା ସତ ଯେ ଗଞ୍ଜେଇ ସହିତ ଆମର ଏକ ପ୍ରାଚୀନ ସାଂସ୍କୃତିକ ସଂପୃକ୍ତି ରହିଛି, ତଥାପି ଏହାର ଚାଷ ଓ ବ୍ୟବସାୟକୁ ସ୍ବୀକୃତି ପ୍ରଦାନ ଲାଗି ଆସୁଥିବା ପ୍ରସ୍ତାବକୁ ଗ୍ରହଣ କରାଯାଇ ନ ପାରେ। କାରଣ, ଅତି ସରଳ ବିଚାରରେ ସମସ୍ତେ ଜାଣନ୍ତି ଯେ ଔଷଧ ଲାଗି ଏହାକୁ ବ୍ୟବହାର କରାଯିବାର ଯେତିକି ସମ୍ଭାବନା ରହିଛି, ତା ଠାରୁ ଢେର ଅଧିକ ଆଶଙ୍କା ରହିଛି ଯେ ଏହାର ଚାଷ ଓ ବ୍ୟବସାୟ ମାଓବାଦୀ କାର୍ଯ୍ୟକଳାପ ବା ଅନ୍ୟାନ୍ୟ ଆପରାଧିକ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଡ଼ର ମାଧ୍ୟମ ହେବ। ଏହା ଏକ ଧୂମାଭ କ୍ଷେତ୍ର ହୋଇଥିବାରୁ ଏ ବିଷୟେର ପ୍ରତ୍ୟେକ ପ୍ରସ୍ତାବ ବା ନିଷ୍ପତ୍ତି ବିଶଦ ଆଲୋଚନା, ବିତର୍କ ଓ ବିବେଚନାବୋଧର ଅପେକ୍ଷା ରଖେ।