୧୯୫୯ ମସିହା। ୟୁନେସ୍କୋ ନିକଟରେ ଇଜିପ୍ଟ ସରକାରଙ୍କଠାରୁ ଗୋଟିଏ ଅନୁରୋଧଭରା ପତ୍ର ପହଞ୍ଚେ। ସେହି ସମୟରେ ଇଜିପ୍ଟର ନୀଳ ନଦୀ ଉପରେ ପୃଥିବୀର ଅନ୍ୟତମ ବୃହତ୍ତମ ନଦୀବନ୍ଧ ଅସ୍ବାନ ଡ୍ୟାମ୍ର ନିର୍ମାଣ କାର୍ଯ୍ୟ ଚାଲିଥାଏ। ଏହାଦ୍ବାରା ଜଳମଗ୍ନ ହେବାକୁ ଯାଉଥିବା ଏକ ବ୍ୟାପକ ଅଞ୍ଚଳ ଭିତରେ ରହିଥାଏ ୩୨୦୦ ବର୍ଷର ପ୍ରାଚୀନ ଓ ଅତ୍ୟନ୍ତ ଅତିକାୟ ମନ୍ଦିର ଆବୁ ସିମ୍ବେଲ। ପ୍ରାଚୀନ ମିଶରର ଏକ ଐତିହ୍ୟ ସ୍ମାରକୀ ଏହି ଯମଜ ମନ୍ଦିର ଦ୍ବୟକୁ ନୀଳ ନଦୀର ଗର୍ଭରେ ସବୁଦିନ ଲାଗି ଅଦୃଶ୍ୟ ହୋଇଯିବାରୁ ରକ୍ଷା କରିବା ସକାଶେ ଇଜିପ୍ଟ ସରକାର ଏହି ଅନୁରୋଧ ଜରିଆରେ ନିଜର ଏକ ଉଦ୍ଭଟ ଅଭିପ୍ରାୟ ପ୍ରକାଶ କରନ୍ତି; ‘ମନ୍ଦିର ଦୁଇଟିର ଏକ ନିରାପଦ ଅଞ୍ଚଳକୁ ସ୍ଥାନାନ୍ତର କରାଯାଉ।’ ୟୁନେସ୍କୋରେ ଏହି ପତ୍ର ପହଞ୍ଚିବା ମାତ୍ରେ ଆରମ୍ଭ କରାଯାଇଥିବା ଏକ ଅବିଶ୍ବସନୀୟ ଆନ୍ତର୍ଜାତିକ ଉଦ୍ୟମ ଯୋଗେ ମନ୍ଦିର ଦ୍ବୟକୁ ଅତି ସୂକ୍ଷ୍ମ ଭାବେ କାଟି କୋଡ଼ିଏରୁ ତିରିଶ ଟନ୍ ବିଶିଷ୍ଟ ପଥର ‘ବ୍ଲକ୍’ରେ ପରିଣତ କରି, ସେ ସବୁକୁ ବୋହି ନେଇ ୨୦୦ ମିଟର ଦୂର ଏବ˚ ୬୫ ମିଟର ଅଧିକ ଉଚ୍ଚରେ ଥିବା ଏକ ନିରାପଦ ସ୍ଥାନରେ ଖଞ୍ଜି ‘ଆବୁ ସିମ୍ବେଲ’ର ପୁନଃ ସ୍ଥାପନ କରିଦିଆଯାଏ। ଏହି ଅସମ୍ଭବ ପ୍ରାୟ ପ୍ରକଳ୍ପକୁ ସଫଳ କରିଥିବା କ˚ପାନିକୁ ତାଗିଦ କରାଯାଇଥାଏ ଯେ ପଥର ଯୋଡେ଼ଇରେ ମାତ୍ର ୫ ମିଲିମିଟରର ଏପଟ ସେପଟ ବରଦାସ୍ତ ଯୋଗ୍ୟ, ତା ଠାରୁ ଅଧିକ ନୁହେଁ। ନିଜର ପ୍ରାବିଧିକ ଜ୍ଞାନ କୌଶଳ ଏବ˚ ଅତ୍ୟନ୍ତ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ସ˚ପୃକ୍ତ କ˚ପାନି ଯେଉଁ ଅସ˚ଖ୍ୟ ଯୋଡେ଼ଇମାନ କରେ ତହିଁରେ ଏଇ ସୂକ୍ଷ୍ମ ତ୍ରୁଟି ମଧୢ ପରିଲକ୍ଷିତ ହୁଏନାହିଁ। କହିବା ବାହୁଲ୍ୟ ଯେ ୧୯୬୪ରେ ‘ଆବୁ ସିେମ୍ବଲ’ର ପୁନଃ ସ୍ଥାପନ ହେଉଛି ପୃଥିବୀର ଅନ୍ୟତମ ସର୍ବାଧିକ ଚମକପ୍ରଦ ପ୍ରାବିଧିକ ଉପଲବ୍ଧି। ସେହି ଦୃଷ୍ଟିରୁ ଯେତେବେଳେ ଆଜିକୁ ପଞ୍ଚାବନ ବର୍ଷ ତଳେ ଏଭଳି ଏକ ବିଶାଳ ପ୍ରକଳ୍ପ ସଫଳ ହୋଇଛି, ସେତିକିବେଳେ ପ୍ରାବିଧିକ ଉତ୍କର୍ଷର ଶୀର୍ଷରେ ଥିବା ଆଜିର ସମୟରେ ୟୁନେସ୍କୋ ଦ୍ବାରା ବିଶ୍ବ ଐତିହ୍ୟ ଭାବେ ସ୍ବୀକୃତ ଅନବଦ୍ୟ ଶୈଳ୍ପିକ କୃତି କୋଣାର୍କ ମନ୍ଦିରକୁ ଅସ୍ତିତ୍ବ ସ˚କଟରୁ ରକ୍ଷା କରାଯିବା କ’ଣ ଏତେ କଷ୍ଟସାଧୢ? କିନ୍ତୁ କଥା ହେଲା, ଯେଉଁ ଦିଗରେ କୋଣାର୍କର ସ˚ରକ୍ଷଣ ଉଦ୍ୟମ ଚାଲିଛି, ତାହା କେତେ ଦୂର ଠିକ୍!
ତ୍ରୟୋଦଶ ଶତାବ୍ଦୀର ଏହି ମନ୍ଦିର ରୂପେ ଯାହା ଆଜି ବିଦ୍ୟମାନ, ତାହା ହେଉଛି ପ୍ରକୃତରେ ମୁଖ୍ୟ ସୂର୍ଯ୍ୟ ମନ୍ଦିରର ମୁଖଶାଳା ବା ଜଗମୋହନ। ଊନବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଅରମାର ନିଘଞ୍ଚ ଲଟିର ଜଙ୍ଗଲ ଭିତରେ ଲୁଚି ରହିଥିବା କୋଣାର୍କ ମନ୍ଦିରକୁ ଯେତେବେଳେ ଆବିଷ୍କାର କରାଗଲା, ସେତେବେେଳ ଏହାର କଳାକୃତି ସମସ୍ତଙ୍କୁ ହତବାକ୍ କରି ଦେଇଥିଲା। ତେବେ, ଏହା ଅବକ୍ଷୟମାଣ ବୋଲି ହୃଦ୍ବୋଧ ହେବା ପରେ ବ୍ରିଟିସ ସରକାରଙ୍କ ଦ୍ବାରା ୧୯୦୩ ମସିହାରେ ଏହାର ସ˚ରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ଜଗମୋହନ ଭିତରେ ବାଲି ଖୁନ୍ଦି ତାକୁ ସିଲ୍ କରିଦିଆଗଲା। ଭାରତ ସ୍ବାଧୀନ ହେବା ପରେ ଏହାର ସ˚ରକ୍ଷଣ ଦାୟିତ୍ବ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ବିଭାଗ ବା ‘ଏ.ଏସ୍.ଆଇ.’ ହାତରେ ରହିଛି। ତେବେ ଗଲା କିଛି ଦଶନ୍ଧି ଧରି କୋଣାର୍କ ଜଗମୋହନର ଅବକ୍ଷୟ ଦ୍ରୁତତର ହୋଇଥିବା ଲକ୍ଷ୍ୟ କରାଯିବା ପରେ ଏହାର ସ˚ରକ୍ଷଣ ନେଇ ଉଦ୍ବେଗ ମଧୢ ଗଭୀର ହୋଇଛି। ତେଣୁ, ଏ ସ˚ଦର୍ଭରେ ଏକ ଜନସ୍ବାର୍ଥମୂଳକ ମାମଲା ପରେ ରାଜ୍ୟ ଉଚ୍ଚ ଅଦାଲତଙ୍କ ଦ୍ବାରା ନିଯୁକ୍ତ ‘ଆମିକସ୍ କ୍ୟୁରି’ ଏନ୍.କେ. ମହାନ୍ତି ଏ ସମ୍ପର୍କରେ ଗଭୀର ଅନୁଧୢାନ କରି ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ‘ଆମିକସ କ୍ୟୁରି’ଙ୍କ ମୁଖ୍ୟ ପ୍ରସ୍ତାବଗୁଡ଼ିକ ହେଉଛି ଜନମୋହନର ସୁରକ୍ଷା ଲାଗି ବାଲିଭର୍ତ୍ତି କରାଯିବା ପଦ୍ଧତି ପରିବର୍ତ୍ତେ ଅନ୍ୟ ବିକଳ୍ପର ଚିନ୍ତନ କରାଯାଉ, ଜଗମୋହନ ମୂଳଦୁଆର ଜ୍ୟାମିତି ଏବ˚ ଗଢ଼ଣ ସ˚ପର୍କରେ ବିଶେଷ ଅନୁଧୢାନ କରାଯାଉ, ସେହି ସ୍ଥାନର ମୃତ୍ତିକାର ନିରୀକ୍ଷଣ କରାଯାଉ ଏବ˚ ୟୁନିସେଫ୍, ଏ.ଏସ୍.ଆଇ. ଏବ˚ ‘ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍’ ବା ‘ସିବିଆରଆଇ’(ରୁର୍କି)ର ବିଶାରଦମାନଙ୍କ ଭିତରେ ଏକ ଆଲୋଚନା କରାଯାଇ ଉଚିତ ମାର୍ଗ ଗ୍ରହଣ କରାଯାଉ।
ଉଲ୍ଲେଖଯୋଗ୍ୟ ଯେ ଜଗମୋହନର ଛାତକୁ ଧସିଯିବାରୁ ରକ୍ଷା କରିବା ଲାଗି ଜଗମୋହନ ଭିତରେ ବାଲିଭର୍ତ୍ତି କରାଯିବା ପଦ୍ଧତିକୁ ‘ସିବିଆର୍ଆଇ’ ସମର୍ଥନ କରେ ବୋଲି ‘ଏ.ଏସ୍.ଆଇ.’ ପକ୍ଷରୁ ରାଜ୍ୟ ହାଇକୋର୍ଟରେ ଦଖଲ କରାଯାଇଥିବା ଏକ ସତ୍ୟପାଠରେ ଯୁକ୍ତି ଦର୍ଶାଯାଇଛି। କିନ୍ତୁ, କୋଣାର୍କର ସ˚ରକ୍ଷଣ ସ˚ପର୍କରେ ଅନେକ ବର୍ଷ ଧରି ଗଭୀର ଅଧୢୟନ କରି ଆସିଥିବା ଅନେକ ବିଶେଷଜ୍ଞ ‘ବାଲିଭର୍ତ୍ତି’ କରାଯିବା ପଦ୍ଧତି ସହିତ ଏକମତ ହୁଅନ୍ତି ନାହିଁ। ସେମାନଙ୍କ ମତରେ କୋଣାର୍କର ନିର୍ମାଣରେ ‘କର୍ବେଲି˚’ ଶୈଳୀ(ପଥର ବା ଇଟାକୁ ଖଞ୍ଜିବାର ଏକ ସ୍ବତନ୍ତ୍ର ଶୈଳୀ ଯହିଁରେ ସେଗୁଡ଼ିକ ପରସ୍ପର ଉପରେ ଭରାଦେଇ ଏକ ତୋରଣ ସ˚ରଚନା ସମ୍ଭବ କରାଇପାରନ୍ତି)ର ପ୍ରୟୋଗ କରାଯାଇଥିବାରୁ, ନିର୍ମାଣଟିକୁ ଭୁଶୁଡ଼ି ପଡ଼ିବାରୁ ରକ୍ଷା କରିବା ଲାଗି ଢିରା ଦେବାର କଳ୍ପନା ଅଯୌକ୍ତିକ। ସେହି ଦୃଷ୍ଟିରୁ ବାଲି ଗଦାର ଢ଼ିରା ଦେଇ ଏହାକୁ ଧସି ଯିବାରୁ ରକ୍ଷା କରାଯାଇ ନପାରେ। ପୁଣି ଜଣାପଡ଼ିଲାଣି ଯେ ଇତି ମଧୢରେ ବାଲି ବସି ଯାଇଥିବାରୁ ପ୍ରାୟ ପନ୍ଦର ଫୁଟ ଦବି ଯାଇଛି, ଯାହା ଫଳରେ ବାଲି ସ୍ତୂପ ଓ ମନ୍ଦିରର ଛାତର ଶୀର୍ଷ ଭାଗ ଭିତରେ ଏକ ଫାଙ୍କ ସୃଷ୍ଟି ହୋଇ ସାରିଲାଣି। ଏ ସ˚ଦର୍ଭରେ ‘ଅର୍କ କ୍ଷେତ୍ର କୋଣାର୍କ’ ପୁସ୍ତକର ରଚୟିତା ଅନିଲ ଦେଙ୍କ ପ୍ରଶ୍ନ ସାଧାରଣ ଜ୍ଞାନମୂଳକ। ତାଙ୍କ ପ୍ରଶ୍ନ ହେଲା, ଆମ ରାଜ୍ୟରେ ଅନେକ ପିଢ ମନ୍ଦିର (ଜଗମୋହନ ହେଉଛି ପିଢ଼ ମନ୍ଦିରର ଏକ ଦୃଷ୍ଟାନ୍ତ) ରହିଥିବା ବେଳେ କୋଣାର୍କର ଏଭଳି ଦୁରବସ୍ଥା କାହିଁକି? ପୁଣି ନିର୍ମାଣ ହେବା ପରଠାରୁ ସାଢେ଼ ଚାରିଶହ ବର୍ଷ କାଳ ଏବ˚ ସେହି କାଳଖଣ୍ତରୁ ଅନେକ ଅ˚ଶ ପରିତ୍ୟକ୍ତ ଭାବେ ଛିଡ଼ା ହୋଇ ରହିଆସିଥିବା ସତ୍ତ୍ବେ ଜଗମୋହନ ହଠାତ୍ ଗଲା କିଛି ଦଶନ୍ଧି ଧରି ଦ୍ରୁତ ଅବକ୍ଷୟର ଶିକାର ହୋଇଛି କାହିଁକି? ତେବେ, ଏ ସ˚ଦର୍ଭରେ ତାଙ୍କର ଆଶଙ୍କା ଯେ ବାଲିଭର୍ତ୍ତି କରାଯିବା ପରେ ଜଗମୋହନ ଭିତରେ ବଢ଼ିଥିବା କିଛି ଅରମା ଗୁଳ୍ମ ପଥରକୁ ନଷ୍ଟ କରୁଥାଇପାରେ। କାରଣ ସେଭଳି କିଛି ଗୁଳ୍ମର ଅମ୍ଳ ଅ˚ଶ ପଥରକୁ ଦୁର୍ବଳ କରି ପକାଏ। ତେବେ ‘ଆମିକସ୍ କ୍ୟୁରି’ କହିଥିବା ଭଳି ଏ ସ˚ଦର୍ଭରେ ଏବ ବିଶାରଦ ସ୍ତରୀୟ ବିଶଦ ଆଲୋଚନା ଅଧିକ ଆଲୋକପାତ କରି ସ˚ଶୟର ଅନ୍ଧକାରକୁ ଦୂର କରି ଦେଇପାରେ।
କହିବା ନିଷ୍ପ୍ରୟୋଜନ ଯେ ‘ବିଶ୍ବ ଐତିହ୍ୟ’ର ମାନ୍ୟତା ପାଇବା ପରେ କୋଣାର୍କ ଆଉ କେବଳ ଏକ ରାଷ୍ଟ୍ର ବା ରାଜ୍ୟର ସ˚ପଦ ହୋଇ ରହିନାହିଁ; ଏହା ଏବେ ସମଗ୍ର ବିଶ୍ବର ସ˚ପଦ। ତେଣୁ, ଏହି ପ୍ରାଚୀନ ଐତିହ୍ୟ ସ୍ମାରକୀ ସ˚ରକ୍ଷଣ ସ˚କ୍ରାନ୍ତ କାର୍ଯ୍ୟରେ ୟୁନେସ୍କୋର ଦୀର୍ଘ ଓ ଗଭୀର ଅନୁଭୂତିର ଉପଯୋଗ ଲାଗି ‘ଆମିକସ୍ କ୍ୟୁରି’ଙ୍କ ପ୍ରସ୍ତାବ ବିେଶଷ ଗୁରୁତ୍ବ ବହନ କରିଥାଏ। ପୁଣି ଏହା ମଧୢ ସତ ଯେ ‘ବିଶ୍ବ ଐତିହ୍ୟ’ ହେବା ସହିତ କୋଣାର୍କ ମଧୢ ହେଉଛି ସ୍ଥାନୀୟ ଇତିହାସର ଏକ ଅମଳିନ ଚିହ୍ନ। ସେଇ ପରିପ୍ରେକ୍ଷୀରେ ପ୍ରସିଦ୍ଧ ଇସ୍ରାଏଲୀ କବି ୟାହୁଦା ଆମିକାଇଙ୍କ କବିତାର ଏକ ମର୍ମସ୍ପର୍ଶୀ ଧାଡ଼ି କହିଥାଏ, ‘ସ୍ମୃତିର ସ୍ମାରକୀସବୁ ଠିକ୍ ପେପର େଵଟ୍ ଭଳି, ତେଣୁ ତ ମୋ ଇତିହାସ କୁଆଡେ଼ ଉଡ଼ିଯାଏ ନାହିଁ।’ ସେଇ ଚିନ୍ତାର ଆଧାରରେ କୋଣାର୍କର ଚିରନ୍ତନତା ବଜାୟ ରହିବା ଜରୁରୀ, ତା ନହେଲେ ଆମର ଇତିହାସ କୁଆଡେ଼ ଉଡ଼ି ହଜି ଯାଇପାରେ।