ଟୁ-ଜି ଧୂଆଁବାଣ?

ଟୁ-ଜି ସ୍ପେକ୍‌ଟ୍ରମ୍‌ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଉଠିବା ସହ ପୂର୍ବବର୍ତ୍ତୀ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୨ ସରକାରର ପତନ ପାଇଁ ଅବଗଣନା ଆରମ୍ଭ ହୋଇ ଯାଇଥିଲା। ୟୁପିଏ-୨ ଅମଳରେ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ଆସିଥିଲା, କିନ୍ତୁ ଟୁ-ଜି କେଲେଙ୍କାରି ଅଭିଯୋଗର ରାଜନୈତିକ ଓ ଅର୍ଥନୈତିକ ପ୍ରଭାବ ସବୁଠାରୁ ଅଧିକ ଥିଲା। ୨୦୧୧ରେ ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ବୃହତ୍‌ ଦୁର୍ନୀତି ନେଇ ଉଭୟ ସଂସଦ ଓ ସଂସଦ ବାହାରେ ଉଠିଥିବା ଝଡ଼ ଡ. ମନମୋହନ ସିଂହଙ୍କ ସରକାରକୁ ଏତେ ଭୀଷଣ ଭାବେ ଦୋହଲାଇ ଦେଇଥିଲା ଯେ, ଶେଷ ପର୍ଯ୍ୟନ୍ତ ତାହା ସମ୍ଭଳା ପଡ଼ିନଥିଲା। ଭ୍ରଷ୍ଟାଚାର ପ୍ରସଙ୍ଗରେ ୟୁପିଏ ବିରୋଧରେ ସୃଷ୍ଟି ହୋଇଥିବା ପ୍ରତିକୂଳ ଜନମତ ଚଉଦ ସାଧାରଣ ନିର୍ବାଚନର ଜନାଦେଶରେ ରୂପାନ୍ତରିତ ହୋଇଥିଲା ଓ ମେଣ୍ଟର ଲଜ୍ଜାଜନକ ପରାଜୟ ସହ ଦଶକ ବ୍ୟାପୀ ୟୁପିଏ ଶାସନର ଅନ୍ତ ଘଟିଥିଲା। ଟୁ-ଜି ଝଡ଼ର ପ୍ରଭାବରୁ ଏବେ ବି କଂଗ୍ରେସ ଓ ୟୁପିଏ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନାହିଁ। ଟେଲିକମ୍‌ ଦୁର୍ନୀତି ଅଭିଯୋଗ କଂଗ୍ରେସ ଓ ୟୁପିଏର ଭାବମୂର୍ତ୍ତିରେ ବୋଳିଥିବା କାଳିମା ଏବେ ବି ପୂରା ଛାଡ଼ିନାହିଁ। ୟୁପିଏ ଓ କଂଗ୍ରେସ ପାଇଁ ଟୁଜି ଦୁର୍ନୀତି କେବଳ ରାଜନୈତିକ ଦୃଷ୍ଟିରୁ ମହଙ୍ଗା ପଡ଼ିନାହିଁ, ଅର୍ଥନୀତିକୁ ମଧ୍ୟ ଏଥିପାଇଁ କଡ଼ା ମୂଲ୍ୟ ଦେବାକୁ ପଡ଼ିଛି। ଟୁ-ଜି ଦୁର୍ନୀତି ଅଭିଯୋଗ ପରିପ୍ରେକ୍ଷୀରେ ଅଭିବୃଦ୍ଧି ମୁହାଁ ଟେଲିକମ୍‌ କ୍ଷେତ୍ର ଯେଉଁ ପ୍ରତିକୂଳତାର ସମ୍ମୁଖୀନ ହେଲା, ସେଥିରୁ ବର୍ତ୍ତମାନ ସୁଦ୍ଧା ତାହା ସମ୍ପୂର୍ଣ୍ଣ ଭାବେ ଉଠି ପାରି ନାହିଁ।

ତେବେ, ଉଭୟ ରାଜନୀତି ଓ ଅର୍ଥନୀତି ଉପରେ ସୁଦୂର ପ୍ରସାରୀ ପ୍ରଭାବ ସହ କମ୍ପନ ସୃଷ୍ଟି କରିଥିବା ଟୁ-ଜି ସ୍ପେକ୍‌ଟ୍ରମ୍‌ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ କ’ଣ ତୁଚ୍ଛା ଏକ ଧୂଆଁବାଣ ଥିଲା? ଏହାକୁ ନେଇ ରାଜନୀତି ଓ ଅର୍ଥନୀତିର ସେହି ସମୟରେ ଉଠିଥିବା ଅସ୍ଥିରତା ଓ ଅନିଶ୍ଚିତତାର ଉଦ୍‌ବେଳନ କ’ଣ କେବଳ ଚା’ କପ୍‌ରେ ଝଡ଼ ମାତ୍ର ଥିଲା? ଗୁରୁବାର ଦିନ ସ୍ପେକ୍‌ଟ୍ରମ୍‌ ମାମଲାର ବିଚାର କରି ଏକ ସ୍ୱତନ୍ତ୍ର ସିବିଆଇ ଅଦାଲତ ଶୁଣାଇଥିବା ରାୟ ପରିପ୍ରେକ୍ଷୀରେ ଉପରୋକ୍ତ ଅସ୍ୱସ୍ତିକର ପ୍ରଶ୍ନ ଉଠୁଛି। ପାଞ୍ଚବର୍ଷ ତଳେ ବିଚାର ଆରମ୍ଭ ହୋଇଥିବା ଏହି ମାମଲାର ରାୟ ଶୁଣାଇ ମାନ୍ୟବର ଅଦାଲତ ଅଭିଯୁକ୍ତ ତତ୍‌କାଳୀନ ଯୋଗାଯୋଗ ମନ୍ତ୍ରୀ ଡିଏମ୍‌କେର ଏ.ରାଜା, ଡିଏମ୍‌କେ ସାଂସଦ ତଥା ଡିଏମ୍‌କେର ମୁଖିଆ କରୁଣାନିଧିଙ୍କ କନ୍ୟା କାନିମୋଝୀଙ୍କ ସମେତ ସବୁ ୧୭ ଜଣ ଯାକ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କେବଳ ସେତିକି ନୁହେଁ, କୌଣସି ଜଣେ ହେଲେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରକାର ଆପରାଧିକ କାର୍ଯ୍ୟ କିମ୍ବା ଆପରାଧିକ ଷଡ଼୍‍ଯନ୍ତ୍ରର ପ୍ରମାଣ ନଥିବା ବିଚାରପତି ତାଙ୍କ ରାୟରେ ଦର୍ଶାଇଛନ୍ତି। ଯଦିଓ, ସିବିଆଇ ଅଦାଲତଙ୍କ ଏହି ରାୟ ବିରୋଧରେ ଉପର କୋର୍ଟରେ ଅପିଲର ଅବକାଶ ରହିଛି, ତଥାପି ଏହା ପ୍ରମୁଖ ସ୍ୱାଧୀନ ସାମ୍ବିଧାନିକ ସଂସ୍ଥା- ସିଏଜି (କମ୍ପ୍‌ଟ୍ରଲର ଆଣ୍ଡ୍‌ ଅଡିଟର୍‌ ଜେନେରାଲ)ଙ୍କ କାର୍ଯ୍ୟ ଧାରା ଆଡ଼କୁ ଅଙ୍ଗୁଳି ଦେଖାଇବା ସହ ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇର ଅନୁସନ୍ଧାନ ଦକ୍ଷତାକୁ କାଠଗଡ଼ାରେ ଠିଆ କରୁଛି।

ସିଏଜି ତାଙ୍କ ୨୦୧୦ ବର୍ଷର ରିପୋର୍ଟରେ ଦର୍ଶାଇଥିଲେ ଯେ ୧୨୨ଟି ଟୁ-ଜି ସ୍ପେକ୍‌ଟ୍ରମ୍‌ ଲାଇସେନ୍ସକୁ ଯଥାର୍ଥ ନିଲାମ ପ୍ରକ୍ରିୟା ବିନା ଶାଗ ମାଛ ଦରରେ ଟେଲିିକମ୍‌ ଅପରେଟରଙ୍କୁ ଆବଣ୍ଟନ କରାଯାଇଛି। ଫଳରେ ସରକାରୀ ତହବିଲକୁ ୧.୭୬ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ଏହା ସ୍ୱାଭାବିକ ଭାବେ ସ୍ପେକ୍‌ଟ୍ରମ୍‌ ଆବଣ୍ଟନର ଅନୁଚିତ ଅନୁଗ୍ରହ ପ୍ରଦର୍ଶନ ଓ ମୋଟା ଅଙ୍କର ଲାଞ୍ଚ କାରବାର ପ୍ରତି ଇଙ୍ଗିତ କରିଥିଲା। ଫଳରେ ସିଏଜିଙ୍କ ରିପୋର୍ଟ ଉପରେ ଅଧିକ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯାଇଥିଲା। ପ୍ରାରମ୍ଭିକ ତଦନ୍ତ ପରେ ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ଆଧାରରେ ସିବିଆଇ ତତ୍କାଳୀନ ମନ୍ତ୍ରୀ ଏ. ରାଜା, ସାଂସଦ କାନିମୋଝୀଙ୍କ ସମେତ ଅନ୍ୟମାନଙ୍କୁ ଅଭିଯୁକ୍ତ ଭାବେ ଗିରଫ କରିଥିଲେ। ଅଦାଲତ ଅଭିଯୁକ୍ତ ମାନଙ୍କୁ ‘କ୍ଲିନ୍‌ଚିଟ୍‌’ ଦେଇ ତାଙ୍କ ରାୟରେ ମନ୍ତବ୍ୟ ଦେଇଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ ଆପରାଧିକ କାର୍ଯ୍ୟର କୌଣସି ପ୍ରମାଣ ନାହିଁ। ଏହା ସ୍ୱାଭାବିକ ଭାବେ ସିଏଜିଙ୍କ ରିପୋର୍ଟର ବିଶ୍ୱସନିୟତାକୁ ସନ୍ଦିଗ୍‌ଧ କରି ଦେଉଛି। ଦୁର୍ନୀତି କାରବାର ନେଇ ସିଏଜିଙ୍କ ଇଙ୍ଗିତ ଓ ଦୁର୍ନୀତିର ଆକାର ନେଇ ତାଙ୍କର ଆକଳନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଉଲ୍ଲେଖନୀୟ, ୨୦୧୨ରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଟୁଜି ସ୍ପେକ୍‌ଟ୍ରମ୍‌ ବ୍ୟବହାର ପାଇଁ ସରକାର ଦେଇଥିବା ଲାଇସେନ୍‌ସ ସବୁକୁ ରଦ୍ଦ କରି ଦେଇଥିଲେ। ଫଳରେ ଟେଲିକମ୍‌ କ୍ଷେତ୍ରରେ ଅଭିବୃଦ୍ଧିର ସମ୍ଭାବନା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

ସିବିଆଇ ଅଦାଲତଙ୍କ ରାୟ ସିଏଜିଙ୍କ ହିସାବ ସମୀକ୍ଷାର ବିଶ୍ୱସନିୟତା ଉପରେ ଯେତିକି ପ୍ରଶ୍ନ ଉଠାଉଛି, ତା’ଠାରୁ ଅଧିକ ପ୍ରଶ୍ନ ଉଠାଉଛି ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ। ଅଦାଲତଙ୍କ ରାୟ ବସ୍ତୁତଃ ସିବିଆଇର କଟୁ ଭର୍ତ୍ସନା କହିଲେ ଅତ୍ୟୁକ୍ତି ହେବ ନାହିଁ। କୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ତଦନ୍ତକାରୀ ସଂସ୍ଥା ମାମଲାକୁ ଭୁଲ ତର୍ଜମା କରିଛନ୍ତି, ଅଧାପନ୍ତରିଆ ତର୍ଜମା କରିଛନ୍ତି କିମ୍ବା ଆଦୌ ତର୍ଜମା କରିନାହାନ୍ତି। ଏହି ଅଦାଲତୀ ଟିପ୍ପଣି ସ୍ୱତଃ ତଦନ୍ତର ଚରିତ୍ର ଓ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିରୁ ଏହା ବୁଝିବାକୁ ପଡ଼ିବ ଯେ, ଯଦି ବି ଟୁ-ଜି ସ୍ପେକ୍‌ଟ୍ରମ୍‌ ଆବଣ୍ଟନ ନେଇ ସିଏଜିଙ୍କ ଆକଳନ ଠିକ୍‌ ହୋଇଥାଏ, ତେବେ ସିବିଆଇ ତଦନ୍ତ ତାହାକୁ ପ୍ରମାଣିତ କରିବାରେ ବିଫଳ ହୋଇଛି। ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ପାଇଁ ଏହା କଦାପି ସୁଖଦ ନୁହେଁ। ଏହା ସଂସ୍ଥାର ମର୍ଯ୍ୟାଦା ଓ ବିଶ୍ୱସନୀୟତାର ପ୍ରତିକୂଳ।

ରାଜନୈତିକ ଦୃଷ୍ଟିରୁ ଟୁ-ଜି ଦୁର୍ନୀତି ଅଭିଯୋଗ ଯୋଗୁ ଅଡୁଆରେ ପଡ଼ିଥିବା କଂଗ୍ରେସ ଓ ସହଯୋଗୀ ଡିଏମ୍‌କେକୁ ଅଦାଲତଙ୍କ ରାୟ ନିଶ୍ଚୟ ଆଶ୍ୱସ୍ତ କରିଥିବ। ଭ୍ରଷ୍ଟାଚାର ପ୍ରସଙ୍ଗରେ ଆକ୍ରମଣର ମୁକାବିଲା ପାଇଁ ନିଶ୍ଚୟ ଏହି ରାୟ କଂଗ୍ରେସ ହାତରେ ଏକ ଢାଲ ହେବ। ଆନ୍ନାଡିଏମ୍‌କେ ନେତ୍ରୀ ଜୟଲଳିତାଙ୍କ ଅବର୍ତ୍ତର୍ମାନରେ ତାମିଲନାଡୁ ରାଜନୀତିରେ ପୁଣି ମୁଖ୍ୟ ରାଜନୈତିକ ଶକ୍ତିର ମାନ୍ୟତା ପାଇଁ ସଂଘର୍ଷ ଚଳାଇଥିବା ଡିଏମ୍‌କେକୁ ଏହା ଏକ ବରଦାନ କୁହାଯାଇପାରେ। ତେବେ ଏହି ପ୍ରକ୍ରିୟାର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗୋଟିଏ ସାମ୍ବିଧାନିକ ଓ ଗୋଟିଏ ତଥାକଥିତ ସ୍ୱୟଂଶାସିତ ସଂସ୍ଥା। ଟୁ-ଜି ଦୁର୍ନୀତି ମାମଲାର ରାୟ ପରିପ୍ରେକ୍ଷୀରେ ଉଭୟ ସଂସ୍ଥା ଦ୍ୱାରା ନିଜ କାର୍ଯ୍ୟଶୈଳୀର ସମୀକ୍ଷାର ଅପେକ୍ଷା ରଖାଯାଉଛି।

ସମ୍ବନ୍ଧିତ ଖବର