ପିଆଜ ପ୍ରଭାବ

ବିଗତ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ ଦେଶର ରାଜନୈତିକ ଅତୀତକୁ ଯଦି ଆମେ ମନେ ପକାଇବା ତେବେ ୧୯୮୦, ୧୯୯୮ ଏବ˚ ୨୦୧୩ ମସିହାରେ ଘଟିଥିବା ଘଟଣାବଳୀରେ ଯେଉଁ ଗୋଟିଏ ସାମଞ୍ଜସ୍ୟ ଦେଖିପାରିବା, ତାହା ହେଲା ଏହି ତିନିଟିଯାକ ବର୍ଷରେ ପିଆଜର ଅହେତୁକ ଓ ମାତ୍ରାଧିକ ଦର ବୃଦ୍ଧି ସେ ସମୟରେ ଶାସନ କ୍ଷମତା ବଦଳାଇବାରେ ଏକ ଉତ୍‌ପ୍ରେରକ ରୂପେ କାର୍ଯ୍ୟ କରିଥିଲା। ୧୯୮୦ରେ କେନ୍ଦ୍ରରେ କ୍ଷମତାସୀନ ପ୍ରଥମ ଅଣକ˚ଗ୍ରେସୀ ସରକାରକୁ କ୍ଷମତାଚ୍ୟୁତ କରି ଇନ୍ଦିରା ଗାନ୍ଧୀ ପୁଣି ନିର୍ବାଚନରେ ଜିଣି ଶାସନକୁ ଫେରିବା ପଛରେ ପିଆଜ ଦର ବୃଦ୍ଧିର ଗୋଟିଏ ଭୂମିକା ଥିଲା। ସେମିତି ୧୯୯୮ରେ ପିଆଜ ଦର ବୃଦ୍ଧି ପାଇ କେ.ଜି. ପିଛା ଚାଳିଶ ଟଙ୍କାରେ ପହଞ୍ଚିବା ପରେ କ୍ଷୁବ୍‌ଧ ଜନସାଧାରଣ ଦିଲ୍ଲୀ ବିଧାନ ସଭା ନିର୍ବାଚନରେ ସୁଷମା ସ୍ବରାଜଙ୍କ ବିଜେପି ସରକାରକୁ ହଟାଇ ଦେଇଥିଲେ। ସେହିଭଳି ୨୦୧୪ରେ ୟୁପିଏ ସରକାର ନିର୍ବାଚନରେ ପରାଜୟ ବରଣ କରିବା ପଛରେ ଥିବା କିଛି କାରଣ ଭିତରୁ ଗୋଟିଏ ଥିଲା ୨୦୧୩ ଅଗଷ୍ଟରେ ପିଆଜ ଦରରେ ଦେଖା ଦେଇଥିବା ମାତ୍ରାତିରିକ୍ତ ବୃଦ୍ଧି। ୨୦୧୦ରୁ ପିଆଜ ଦରରେ ମାତ୍ରାତିରିକ୍ତ ବୃଦ୍ଧି ଦେଖା ଦେଇଥିବାରୁ ‘ମୌନୀ’ ପ୍ରଧାନମନ୍ତ୍ରୀ ରୂପେ ଖ୍ୟାତ ମନମୋହନ ସି˚ହ ମଧୢ ସ୍ବୀକାର କରିବାକୁ ବାଧୢ ହୋଇଥିଲେ ଯେ ‘ବାସ୍ତବରେ ଏହା ଏକ ଅତ୍ୟନ୍ତ ଗମ୍ଭୀର ସମସ୍ୟା’। ଏବ˚ ଆଜି ୨୦୧୯ରେ ପିଆଜ ଦର ଯେତେବେଳେ ଆମ ଦେଶ ତଥା ଆମ ରାଜ୍ୟର କେତେକ ସ୍ଥାନରେ କେ.ଜି. ପିଛା ଶହେ ଟଙ୍କା ଛୁଇଁଲାଣି, ସେତିକି ବେଳେ ଅତୀତର ଏହି ପିଆଜ ପ୍ରଭାବ ବିଷୟ ସ୍ମରଣକୁ ଆସିବା ସହିତ ମନେ ହେଉଛି ଯେପରି ଏହି ଗେଲାପୀ ବର୍ଣ୍ଣୀ ପରିବାଟି କ୍ରମେ ତାର ସାମ୍ୟବାଦୀ ଚରିତ୍ର ପରିହାର କରି ଧନିକ-ପ୍ରିୟ ହେବା ଦିଗରେ ଅଧିକ ତତ୍ପର! ତା’ ହୋଇ ନ ଥିଲେ ଏକଦା ଦରିଦ୍ରମାନଙ୍କ ଖାଦ୍ୟ ଥାଳିରେ ଏକ ଚିରନ୍ତନ ସାଥୀ ରୂପେ ବିଦ୍ୟମାନ ଏହି ପରିବାଟି ଆଉ ସେଠାରେ ଦୃଶ୍ୟମାନ ନ ହୋଇ ଥିଲା ବାଲାଙ୍କ ବ୍ୟଞ୍ଜନ ଓ ସାଲାଡ୍‌ରେ ଆସ୍ଥାନ ଜମାଇଛି। କିନ୍ତୁ, ଏଣେ ଯେହେତୁ ଆମ ନିର୍ବାଚନଗୁଡ଼ିକରେ ଭୋଟ୍‌ର ନିୟନ୍ତା ହେଉଛନ୍ତି ଆମ ସମାଜର ଏହି ପିଆଜ ପରିତ୍ୟକ୍ତ ବର୍ଗ (ଏବର), ସେହେତୁ ଦେଶର କ୍ଷମତା ରାଜନୀତିରେ ଅନେକ ସମୟରେ ଏହି କାରଣରୁ ପରିବର୍ତ୍ତନ ଆସୁଥିବା ଲକ୍ଷ୍ୟ କରାଯାଉଛି।

ଗଲା କିଛି ବର୍ଷ ଧରି ଆମ ଦେଶରେ(ପ୍ରାୟ ସର୍ବତ୍ର) ବର୍ଷର ଅନେକ ସମୟରେ ପିଆଜ ଦର ନିୟମିତ ଭାବେ କେ.ଜି. ପିଛା ପଚାଶ ଟଙ୍କାରୁ ଅଧିକ ରହୁଛି। ଏଇ ପ୍ରସଙ୍ଗରେ ଆଲୋଚନା ବେଳେ ଆମେ ଯଦି କହୁଁ ଯେ ଭାରତ ହେଉଛି ପୃଥିବୀରେ ଚୀନ୍‌ ପଛକୁ ଦ୍ବିତୀୟ ବୃହତ୍ତମ ପିଆଜ ଉତ୍ପାଦନକାରୀ ରାଷ୍ଟ୍ର, ତେବେ ବୋଧହୁଏ ଅନେକଙ୍କ ଳାଗି ଏହା ବିଶ୍ବାସଯୋଗ୍ୟ ହୋଇ ନ ପାରେ। କିନ୍ତୁ ଏହା ସତ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶଵାନ ଗଲା ବୁଧବାର ଦିନ ସାମ୍ବାଦିକମାନଙ୍କୁ ଦେଇଥିବା ବିବୃତି ଯେ ‘ଖରିଫ ପିଆଜ ଉତ୍ପାଦନରେ ୩୦-୪୦% ହ୍ରାସ’ ଏହି ଦର ବୃଦ୍ଧିର କାରଣ ବିଶ୍ବସନୀୟ ମନେ ହେଉଛି। କିନ୍ତୁ, ପିଆଜ ଦର ବୃଦ୍ଧିର ଗଣିତକୁ ଯଦି ଟିକିଏ ଗହୀରେଇ ଦେଖାଯାଏ, ତେବେ ମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ କାରଣ ସନ୍ଦେହରୁ ମୁକ୍ତ ହୋଇପାରୁନାହିଁ। ଉଦାହରଣ ସ୍ବରୂପ ୨୦୧୨ ମସିହାରେ ସରକାରୀ ଭାବେ କୁହାଯାଇଥିଲା ଯେ ଦେଶରେ ପିଆଜ ଉତ୍ପାଦନରେ (ମାତ୍ର) ୫% ହ୍ରାସ ଘଟିଛି। ସେହି ଅନୁସାରେ ଦେଶରେ ଖରିଫ ପିଆଜ ଉତ୍ପାଦନ ୨ ଲକ୍ଷ ଟନ୍‌ କମିବା କଥା। କିନ୍ତୁ ଦେଖାଗଲା ଯେ ୨୦୧୩ରେ ବଜାରକୁ ପିଆଜ ଯୋଗାଣରେ ହ୍ରାସ ଘଟିଛି ୨୦-୪୦ ପ୍ରତିଶତ, ଯାହା ମାତ୍ରାଧିକ ଦର ବୃଦ୍ଧିର କାରଣ। ପରେ ଅଧିକ ଅନୁସନ୍ଧାନରୁ ସାବ୍ୟସ୍ତ ହୋଇଥିଲା ଯେ ଦେଶର ବୃହତ୍‌ ପିଆଜ ବ୍ୟବସାୟୀମାନେ ଗୋଦାମରୁ ବଜାରକୁ ପିଆଜ ଛାଡ଼ିଲାବେଳେ ‘ସ୍ରୋତ’କୁ ଉତ୍ପତ୍ତି ସ୍ଥଳରୁ ହିଁ ଚିପି ଦେଇଥିଲେ। ଏଠାରେ ପ୍ରଣିଧାନଯୋଗ୍ୟ ଯେ ଦେଶରେ ସମୁଦାୟ ପିଆଜ ଉତ୍ପାଦନର ୨୫% ଆସିଥାଏ ମହାରାଷ୍ଟ୍ରରୁ। ତେଣୁ କେବଳ ମହାରାଷ୍ଟ୍ରର ପିଆଜ ବ୍ୟବସାୟୀମାନେ ଚାହିଁଲେ ସାରା ଦେଶକୁ ପିଆଜର ପଣ୍ୟ ବନ୍ଦୀ କରି ରଖିବାକୁ ସମର୍ଥ। ଏଣୁ ଉତ୍ପାଦନ ହ୍ରାସ ଯେ ପିଆଜ ଦର ବୃଦ୍ଧିର ଏକମାତ୍ର କାରଣ, ତାହା ସନ୍ଦେହାସ୍ପଦ। ଅବଶ୍ୟ, ଏହା ସତ ଯେ ସ୍ଥିତିରେ ସୁଧାର ଆଣିବା ଲାଗି ରପ୍ତାନି ଉପରେ ପ୍ରତିବନ୍ଧ ଲଗାଯାଇଛି ଏବ˚ ପିଆଜ ଆମଦାନିକୁ ସୁଗମ କରିବା ସକାଶେ ଉଦ୍ୟମ ଆରମ୍ଭ ହୋଇଛି, ତଥାପି କେବେ ପିଆଜ ଦର ସାଧାରଣ ସ୍ତରକୁ ଆସିବ, ସେ ନେଇ ସ୍ବୟ˚ ମନ୍ତ୍ରୀ ମହୋଦୟ ମଧୢ ନିଶ୍ଚିତ ନୁହନ୍ତି ବୋଲି ପ୍ରକାଶ କରିଛନ୍ତି। ତେଣୁ ପିଆଜ ଦର ବୃଦ୍ଧି ପଛରେ ଥିବା ପ୍ରକୃତ କାରଣସବୁକୁ ଖୋଜି ତାର ନିରାକରଣ ଦିଗରେ ନିଷ୍ଠାପର ଓ ଦୀର୍ଘମିଆଦୀ କାର୍ଯ୍ୟାନୁଷ୍ଠାନ କରାଯିବା ଜରୁରୀ।

ଆମ ରାଜ୍ୟରେ ବଲାଙ୍ଗୀର ଅଞ୍ଚଳ ହେଉଛି ପିଆଜ ଉତ୍ପାଦନର ମୁଖ୍ୟ ସ୍ଥଳ। କିନ୍ତୁ ରାଜ୍ୟର ଚାହିଦା ପୂରଣ ସକାଶେ ଓଡ଼ିଶା ବାହାର ରାଜ୍ୟଗୁଡ଼ିକ ଉପରେ ନିର୍ଭରରଶୀଳ। ଏହି ଦୃଷ୍ଟିରୁ ଆମ ରାଜ୍ୟରେ ଅଧିକରୁ ଅଧିକ ଅଞ୍ଚଳରେ ପିଆଜ ଚାଷକୁ ପ୍ରୋତ୍ସାହନ ଦିଆଯିବା ଓ ପିଆଜ ସ˚ରକ୍ଷଣ ଓ ଭଣ୍ତାରଣ ଲାଗି ଅଧିକ ସ˚ଖ୍ୟକ ଶୀତଳ ଭଣ୍ତାର ନିର୍ମାଣ କରାଯିବା ଉପରେ ଗୁରୁତ୍ବ ପ୍ରଦାନ ଆବଶ୍ୟକ। କାରଣ ଏକ ବିଡ଼ମ୍ବନା ସ୍ବରୂପ ଏହା ଦେଖିବାକୁ ମିଳୁଛି ଯେ ସ˚ରକ୍ଷଣ କରିବାର ସାମର୍ଥ୍ୟ ଅଭାବରୁ ଆମ ରାଜ୍ୟର ପିଆଜ ଚାଷୀମାନେ ସେମାନଙ୍କ ଉତ୍ପାଦକୁ ବାହାର ରାଜ୍ୟର ବ୍ୟବସାୟୀମାନଙ୍କୁ ବିକି ଦେବାକୁ ବାଧୢ ହେଉଛନ୍ତି। ସୁତରା˚, ଦର ବୃଦ୍ଧି ସମୟରେ ଆମ ରାଜ୍ୟରେ ଉତ୍ପାଦିତ ଓ ବାହାର ରାଜ୍ୟରେ ସ˚ରକ୍ଷିତ ପିଆଜ ଆମ ପକେଟକୁ କଣା କରି ଆମ ରୋଷେଇ ଶାଳରେ ପ୍ରବେଶ କରୁଛି।

କହିବା ବାହୁଲ୍ୟ ଯେ ଭାରତୀୟ ବ୍ୟଞ୍ଜନକୁ ସ୍ବାଦ ଏବ˚ ପ୍ରଲୁବ୍‌ଧକାରୀ ମହକରେ ରସାଣିତ କରୁଥିବା ପିଆଜ ଆମ ଜନଜୀବନର ଏକ ଅବିଚ୍ଛେଦ୍ୟ ଅ˚ଶ। ଚରକ ସ˚ହିତାରେ ମିଳିଥିବା ବର୍ଣ୍ଣନାରୁ ଏହା ସିଦ୍ଧ ଯେ ଖ୍ରୀଷ୍ଟଜନ୍ମ ପୂର୍ବରୁ ଏହା ଆମ ସହିତ ନିରବଚ୍ଛିନ୍ନ ଭାବେ ରହିଆସିଛି। କିଛି ଦଶନ୍ଧି ତଳ ପର୍ଯ୍ୟନ୍ତ ଆଳୁ ସହିତ ପିଆଜ ଥିଲା ଆମ ଦେଶର ସର୍ବାଧିକ ଗଣତାନ୍ତ୍ରିକ ପରିବା। ସେହି କାରଣରୁ ଅନ୍ୟାନ୍ୟ ପରିବାପତ୍ର ଦରରେ ମଧୢ ମାତ୍ରାଧିକ ବୃଦ୍ଧି ଘଟିଥିବା ସତ୍ତ୍ବେ ପିଆଜ ଦର ବୃଦ୍ଧିକୁ ପ୍ରତିନିଧିସ୍ତରୀୟ ବୋଲି ବିବେଚନା କରାଯାଉଛି। ୨୦୧୩ର ପିଆଜ ଦର ବୃଦ୍ଧି ସମୟରେ ଏକ ଟାୟାର କ˚ପାନି ନିଜର ବିକ୍ରି ବୃଦ୍ଧି କରିବା ଲାଗି ଗୋଟିଏ ଟାୟାରର ଖର୍ଦ୍ଦି ସହିତ ଗୋଟିଏ କେ.ଜି. ପିଆଜ ମାଗଣାରେ ଦେବାର ଘୋଷଣା କରି ଅପୂର୍ବ ଗ୍ରାହକ ଆଗ୍ରହ ସୃଷ୍ଟି କରିପାରିଥିଲେ। ସେହି ଦୃଷ୍ଟିରୁ ପିଆଜ ରଙ୍କୁଣା ଭାରତୀୟମାନଙ୍କୁ ଆକର୍ଷିତ କରିବା ଲାଗି ଏବେ ଯଦି କିଛି ‘ପିଆଜ-ଅଫର‌୍‌’ ଆସେ, ତେବେ ବିସ୍ମିତ ହେବାର କାରଣ ନାହିଁ। କିନ୍ତୁ, ଯାହା ପ୍ରକୃତରେ ଭାରତୀୟମାନଙ୍କୁ ସବୁଠାରୁ ଅଧିକ ସନ୍ତୁଷ୍ଟ କରିବ, ତାହା ହେଉଛି ଦ୍ରୁତ ଧାବମାନ ଦର ବୃଦ୍ଧିର ଅଶ୍ବକୁ ଲଗାମ ଦେବା।

ସମ୍ବନ୍ଧିତ ଖବର