ମହାରାଷ୍ଟ୍ର ରାଜନୈତିକ ନାଟକର ପରବର୍ତ୍ତୀ ଦୃଶ୍ୟ ଆଜି ପୂର୍ବାହ୍ଣରେ ସୁପ୍ରିମ୍କୋର୍ଟରେ ଉନ୍ମୋଚିତ ହେବାର ଅଛି- କେତେକ ପାଠକ ବନ୍ଧୁ ହୁଏତ ଏହି ପୃଷ୍ଠାରେ ନଜର ପକାଇବା ପୂର୍ବରୁ ସୁପ୍ରିମ୍କୋର୍ଟ ଗତକାଲି ସ୍ଥଗିତ ରଖିଥିବା ତାଙ୍କର ଏ ସମ୍ପର୍କିତ ରାୟ ଶୁଣାଇ ସେ ଦୃଶ୍ୟ ଉପରୁ ପରଦା ହଟାଇ ସାରିଥିବେ। ରାୟ ଯାହା ହୋଇଥାଉ ନା କାହିଁକି, ଯେଉଁ ପାଠକ ପାଠିକାମାନଙ୍କର ରାଜନୀତି ବିଜ୍ଞାନ ସହିତ ଆବଶ୍ୟକ ପରିଚିତି ଥିବ, ନିର୍ବାଚନ ଫଳ ପ୍ରକାଶ ପାଇବା ପରଠାରୁ ମହାରାଷ୍ଟ୍ରରେ ଘଟି ଚାଲିଥିବା ଘଟଣାବଳୀ ଦେଖି ସେମାନଙ୍କ ମନରେ ନିଶ୍ଚିତ ରୂପେ ଏକ ଅସ୍ବସ୍ତିକର ସନ୍ଦେହ ଉଙ୍କି ମାରୁଥିବ ଯେ, ଫରାସୀ ଦାର୍ଶନିକ ମଣ୍ଟେସ୍କୁ କ’ଣ ତା’ହେଲେ ଠିକ୍ କହିଥିଲେ?
ଫରାସୀ ବିପ୍ଳବ ରାଜତନ୍ତ୍ରର ରକ୍ତାକ୍ତ ଅନ୍ତ ଘଟାଇ ପ୍ରଜାତନ୍ତ୍ରକୁ ଏକ ମୁଖ୍ୟ ରାଜନୈତିକ ଚିନ୍ତାଧାରାରେ ପରିଣତ କରିବାରେ ଯେଉଁ ଦାର୍ଶନିକମାନଙ୍କର ଭୂମିକା ମୁଖ୍ୟ ଥିଲା, ସେମାନଙ୍କ ମଧୢରେ ଅନ୍ୟତମ ଥିଲେ ମଣ୍ଟେସ୍କୁ। ମଣ୍ଟେସ୍କୁ କିନ୍ତୁ ପୃଥିବୀର ସମସ୍ତ ଦେଶମାନଙ୍କ ପାଇଁ ପ୍ରଜାତନ୍ତ୍ରକୁ ଏକ ଉପଯୁକ୍ତ ରାଜନୈତିକ ବ୍ୟବସ୍ଥା ରୂପେ ବିଚାର କରୁନଥିଲେ। ଏ ସମ୍ପର୍କରେ ତାଙ୍କର ମତ ଅତି ସ˚କ୍ଷିପ୍ତ ଭାବରେ ୧୭୪୮ରେ ପ୍ରକାଶିତ ତାଙ୍କର ପୁସ୍ତକ ‘ଦି ସ୍ପିରିଟ ଅଫ୍ ଲ’ଜ୍’ (‘ଆଇନର ଅନ୍ତଃସ୍ବର’)ରେ ସେ ଉପନୀତ ହୋଇଥିବା ଏହି ସିଦ୍ଧାନ୍ତରେ ଦେଖିବାକୁ ମିଳିଥାଏ। ସେ କହିଥିଲେ:‘‘ପ୍ରଜାତନ୍ତ୍ର ହେଉଛି ଛୋଟ ଛୋଟ ଦେଶମାନଙ୍କ ପାଇଁ ସର୍ବାଧିକ ଉପଯୁକ୍ତ; ମଧୢମ ଆକାରର ଏବ˚ ଅଧିକ ସ୍ବଚ୍ଛଳ ଦେଶମାନଙ୍କ ପାଇଁ ସର୍ବାଧିକ ଉପଯୁକ୍ତ ବ୍ୟବସ୍ଥା ହେଉଛି ସୀମିତ ରାଜତନ୍ତ୍ର; ଏବ˚ ବଡ଼ ରାଷ୍ଟ୍ରମାନଙ୍କ ପାଇଁ ସର୍ବାଧିକ ଉପଯୁକ୍ତ ବ୍ୟବସ୍ଥା ହେଉଛି ସଚେତନ ଏକଛତ୍ରବାଦ।’’
ଆକାର ଦୃଷ୍ଟିରୁ ମଣ୍ଟେସ୍କୁ ବର୍ଣ୍ଣିତ ଏହି ତିନିଶ୍ରେଣୀର ଦେଶମାନଙ୍କ ମଧୢରେ ଭାରତ ନିର୍ବିବାଦରେ ତୃତୀୟ ଶ୍ରେଣୀରେ ସ୍ଥାନ ପାଇଥାଏ: ବିଶାଳ ଆକାରର ଦେଶ। ୧୯୪୭ରେ ସ୍ବାଧୀନତା ପ୍ରାପ୍ତି ପରଠାରୁ ଆମେ ଗଣତନ୍ତ୍ରକୁ ଆମର ରାଜନୈତିକ ଢାଞ୍ଚା ରୂପେ ଗ୍ରହଣ କରିଛୁ ଏବ˚ ବିଧିବଦ୍ଧ ଭାବରେ ୧୯୫୦ ଠାରୁ ଏଠାରେ ଏକ ପ୍ରଜାତନ୍ତ୍ର ଅର୍ଥାତ୍ ପ୍ରଜା ବା ସାଧାରଣ ନାଗରିକମାନଙ୍କର ଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିଛୁ। ଏହାକୁ ଅନୁସରଣ କରି ଆମେ ଦିନରାତି ଆବ୍ରାହମ ଲିଙ୍କନ୍ ପ୍ରଦାନ କରିଥିବା ଗଣତନ୍ତ୍ରର ମନ୍ତ୍ର ପାଠ କରି ଚାଲିଥାଉ: ‘‘ଗଭର୍ଣ୍ଣମେଣ୍ଟ ଅଫ୍ ଦି ପିପ୍ଲ, ବାଏ ଦି ପିପ୍ଲ, ଫର୍ ଦି ପିପ୍ଲ।’’ ଅର୍ଥାତ ଏକ ଗଣତନ୍ତ୍ରରେ ସରକାର ହେଉଛି ଲୋକଙ୍କର, ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ।
ମହାରାଷ୍ଟ୍ରରେ ସରକାର ଗଠନ ନେଇ ଯେଉଁ ଟଣା ଭିଡ଼ା ଚାଲିଛି, ସେଥିରେ କିନ୍ତୁ କ’ଣ ଦେଖାଯାଉଛି? ଲୋକ, ଅର୍ଥାତ୍ ସେମାନଙ୍କର ନିର୍ବାଚିତ ପ୍ରତିନିଧିମାନେ ବସ୍ତୁତଃ ମେଷପଲରେ ପରିଣତ ହୋଇ ଏ ଖୁଆଡ଼ରୁ ସେ ଖୁଆଡ଼ ହେବାରେ ଲାଗିଛନ୍ତି ଏବ˚ ଯେଉଁମାନଙ୍କର, ଯେଉଁମାନଙ୍କ ଦ୍ବାରା ଓ ଯେଉଁମାନଙ୍କ ପାଇଁ ସରକାର ଗଠନ କସରତ୍ ଚାଲିଛି, ସେମାନେ ହେଲେ ଶରଦ ପାଵାର୍, ତାଙ୍କ ପୁତୁରା ଅଜିତ୍ ପାଵାର୍, ଝିଅ ସୁପ୍ରିୟା ସୁଲେ, ନାତି ରୋହିତ ପାଵାର୍, ପାର୍ଥ ପାଵାର, ସ୍ବର୍ଗତ ବାଲ୍ ଠାକ୍ରେଙ୍କ ପୁଅ ଉଦ୍ଧବ ଠାକ୍ରେ, ନାତି ଆଦିତ୍ୟ ଠାକ୍ରେ (ଯାହାଙ୍କୁ ସି˚ହାସନରେ ବସାଇବାର ଦୁର୍ବାର ଇଚ୍ଛା ତାଙ୍କ ପିତାଙ୍କୁ ବର୍ତ୍ତମାନର ନାଟକ ଆରମ୍ଭ କରିବାକୁ ପ୍ରବୃତ୍ତ କରିଥିଲା), ଏସ୍ ବି ଚାଭନ୍ଙ୍କ ପୁଅ ଅଶୋକ ଚାଭନ୍ ଇତ୍ୟାଦି। ବର୍ତ୍ତମାନର ମହାରାଷ୍ଟ୍ର ନାଟକରେ ଏହି ଚରିତ୍ରମାନଙ୍କୁ ମଞ୍ଚରେ ଦେଖିବାକୁ ମିଳୁଥିଲେ ହେଁ, ସ୍ବାଧୀନତା ପରଠାରୁ ଏ ପର୍ଯ୍ୟନ୍ତ ଦେଶର ରାଜନୈତିକ ମଞ୍ଚ ଏଇଭଳି ଚରିତ୍ରମାନଙ୍କର ଦଖଲରେ ହିଁ ରହି ଆସିଛି।
ଆଉ ଏହି ଧାରାକୁ ବିରୋଧ କରିବାକୁ ନିଜର ମୁଖ୍ୟ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରି ନରେନ୍ଦ୍ର ମୋଦୀ ରୂପରେ ଯେଉଁ ବିକଳ୍ପ ରାଜନୈତିକ ବ୍ୟବସ୍ଥାର ଆବିର୍ଭାବ ଘଟିଛି, ତାହାକୁ ପ୍ରକାଶ୍ୟରେ ବା ଅପ୍ରକାଶ୍ୟରେ ଅଧିକା˚ଶ ପର୍ଯ୍ୟବେକ୍ଷକ ଏକ ଏକଛତ୍ରବାଦ ରୂପେ ଯେ ବିଚାର କରୁଛନ୍ତି ତାହା ଜଣାଶୁଣା। ଏହା ଏକ ସଚେତନ ଏକଛତ୍ରବାଦ କି ନୁହେଁ, ତାହା ଅତ୍ୟନ୍ତ ବିବାଦୀୟ, କିନ୍ତୁ ଯାହା ସମ୍ପୂର୍ଣ୍ଣ ବିବାଦମୁକ୍ତ, ତାହା ହେଲା ଏହାର ଆବିର୍ଭାବ ଉଭୟ ଶତ୍ରୁପକ୍ଷ ଓ ମିତ୍ର ପକ୍ଷର ରାଜନୈତିକ ଆଚରଣରେ ଏଭଳି ପରିବର୍ତ୍ତନ ଆଣି ଦେଇଛି, ଯାହା ନିକଟ ଅତୀତ ପର୍ଯ୍ୟନ୍ତ ଅଭାବିତ ଥିଲା।
ବିଗତ ନିର୍ବାଚନମାନଙ୍କରେ ଏହି ପ୍ରଭାବ ବଶତଃ ରାହୁଲ ଗାନ୍ଧୀ ପଇତା ପିନ୍ଧି ମନ୍ଦିର ପରିକ୍ରମା କରିବା ଯଦି ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା, ତେବେ ମଧୢ ସେମାନେ କେବେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ ଯେ ଧର୍ମନିରପେକ୍ଷତାର ପ୍ରଧାନ ପୂଜକ କ˚ଗ୍ରେସ ଦିନେ ଚରମ ସାମ୍ପ୍ରଦାୟିକତାବାଦୀ ଦଳ ଶିବସେନା ସହିତ ନିବିଡ଼ ବାହୁବନ୍ଧନରେ ଆବଦ୍ଧ ହେବ। ଦିନେ ସୋନିଆ ଗାନ୍ଧୀଙ୍କର ବିଦେଶିନୀ ମୂଳକୁ ଆଳ କରି କ˚ଗ୍ରେସ ଛାଡ଼ିଥିବା ଶରଦ ପାଵାର ଏବେ ସୋନିଆଙ୍କର ପରମ ମିତ୍ରରେ ପରିଣତ ହେବା ମଧୢ ସେଇଭଳି ଆଶ୍ଚର୍ଯ୍ୟଜନକ। ଧାରା-୩୭୦ ଉଚ୍ଛେଦର ଦୁର୍ବଳ ବିରୋଧ କରିବା ପର୍ଯ୍ୟନ୍ତ ନିଜର ଧର୍ମନିରପେକ୍ଷ ପରିଚୟକୁ ଅକ୍ଷୁଣ୍ଣ ରଖିବାକୁ ଚେଷ୍ଟା କରିଥିବା କ˚ଗ୍ରେସ ଅଯୋଧୢାରେ ରାମମନ୍ଦିର ନିର୍ମାଣକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରି, ଯେଉଁ ହିନ୍ଦୁତ୍ବ ମୁହାଁ ହୋଇଥିଲା ଶିବସେନା ସହିତ ବନ୍ଧୁ ବାନ୍ଧି ତାହାକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହା ପରେ କ˚ଗ୍ରେସ ଆଉ ସ˚ଖ୍ୟାଲଘୁମାନଙ୍କ ମଧୢରେ ଦୀର୍ଘକାଳ ଧରି ଉପଭୋଗ କରି ଆସିଥିବା ଏକଚାଟିଆ ଗ୍ରହଣୀୟତା ଫେରିପାଇବା ପାଇଁ ଆଉ କେତେଦୂର ସମର୍ଥ ହେବ, ଶିବସେନା ମଧୢ ତାହାର ଦକ୍ଷିଣପନ୍ଥୀ ସମର୍ଥକମାନଙ୍କ ମଧୢରେ କେତେ ଦୂର ପୂର୍ବର ଆସ୍ଥା ବଜାୟ ରଖିବାରେ ସମର୍ଥ ହେବ- ଏ ଉଭୟ ସମାନ ଭାବରେ ଘୋର ସନ୍ଦେହଜନକ।
ମୋଦୀ ଜୟଯାତ୍ରାକୁ ପ୍ରତିହତ କରିବା ପାଇଁ ବିପକ୍ଷ ଶକ୍ତି କୌଣସି ଭିନ୍ନ କୌଶଳ ଅବଲମ୍ବନ ନ କରି, ସେଇ ମୋଦୀ ପ୍ରଦର୍ଶିତ ମାର୍ଗ ହିଁ ଯେ ଅନୁସରଣ କରିବାକୁ ବାଧୢ ହୋଇଛନ୍ତି, ମହାରାଷ୍ଟ୍ର ଲଢ଼େଇ ହେଉଛି ତାହାର ପ୍ରମାଣ- ସେଠାରେ ଯିଏ ବି ସରକାର ଗଠନ କରୁ ନା କାହିଁକି। କିନ୍ତୁ ମଣ୍ଟେସ୍କୁଙ୍କ ଭବିଷ୍ୟବାଣୀ ପୂର୍ଣ୍ଣ କଲା ଭଳି ଭାରତରେ ଏକଛତ୍ରବାଦର ବାହକ ମୋଦୀଙ୍କୁ ପରାସ୍ତ କରିବା ପାଇଁ ତାଙ୍କରି କୌଶଳ ଅବଲମ୍ବନ କ’ଣ ଯଥେଷ୍ଟ ହେବ? ଏବ˚ ଯଦିବା ଯଥେଷ୍ଟ ହୁଏ, ତାଙ୍କ ସ୍ଥାନରେ ମଧୢ ଏକ ବିଶୁଦ୍ଧ ପ୍ରଜାତନ୍ତ୍ର ଆବିର୍ଭାବ ଘଟିବ ନାହିଁ।