ପୋଲ ପତନ

ବ୍ରିଟେନ୍‌ରେ ନର୍ସରୀ ସ୍କୁଲ ପିଲାମାନଙ୍କର ଏକ ପ୍ରିୟ ପାରମ୍ପରିକ ଖେଳ ହେଉଛି ଏହିପରି। ଦୁଇ ଜଣ ପିଲା ପରସ୍ପର ମଧୢରେ କିଛି ଦୂରତା ରକ୍ଷା କରି ମୁହାଁମୁହିଁ ଛିଡ଼ା ହୋଇ ଉପରକୁ ହାତ ଟେକି ପରସ୍ପରର ହାତକୁ ଛନ୍ଦି ଏକ ଗମ୍ବୁଜ ବା ତୋରଣର ଆକୃତି ସୃଷ୍ଟି କରିଥାନ୍ତି ଯାହାଦ୍ବାରା ପିଲା ଦୁହିଁଙ୍କର ମଧୢବର୍ତ୍ତୀ ଅଞ୍ଚଳ ଏକ ପୋଲ ତଳର ଧାରଣା ସୃଷ୍ଟି କରିଥାଏ। ଏ ପୋଲ କୌଣସି ସାଧାରଣ ପୋଲ ନୁହେଁ; ଏହା ହେଉଛି ଦ୍ବାଦଶ ଶତାବ୍ଦୀରେ ପ୍ରଥମେ ନିର୍ମିତ ହୋଇଥିବା ପ୍ରସିଦ୍ଧ ଐତିହାସିକ ‘ଲଣ୍ତନ ବ୍ରିଜ୍‌’, ଯାହା ଲଣ୍ତନ ନଗରୀ ଦେଇ ବହିଯାଇଥିବା ଟେମ୍‌ସ ନଦୀ ଉପରେ ଥିବା ସୁପରିଚିତ ପୋଲମାନଙ୍କ ମଧୢରେ ଅଗ୍ରଗଣ୍ୟ।

ତା’ର ଦୀର୍ଘ ଇତିହାସରେ ଲଣ୍ତନ୍‌ ବ୍ରିଜ୍‌ ଅନେକଥର ଭୁଶୁଡ଼ିବା ଅବସ୍ଥାକୁ ଆସିଛି ଓ ପୁନଃନିର୍ମିତ ହୋଇଛି। ଲଣ୍ତନ୍‌ ବ୍ରିଜ୍‌ ଭୁଶୁଡ଼ି ପଡ଼ିବା କ୍ରମେ ଏକ ଶିଶୁ-କବିତା ବା ନର୍ସରୀ ରାଇମ୍‌ର ବିଷୟବସ୍ତୁ ପାଲଟି ଯାଇଛି। ଗୀତଟିର ଆରମ୍ଭ ଧାଡ଼ି ହେଲା: ‘‘ଲଣ୍ତନ୍‌ ବ୍ରିଜ୍‌ ଇଜ୍‌ ଫଲିଙ୍ଗ୍‌ ଡାଉନ୍‌, ଫଲିଙ୍ଗ୍‌ ଡାଉନ୍‌, ଫଲିଙ୍ଗ୍‌ ଡାଉନ୍‌…’’ (ଲଣ୍ତନ୍‌ ବ୍ରିଜ୍‌ ଭୁଶୁଡ଼ି ପଡ଼ୁଛି, ଭୁଶୁଡ଼ି ପଡ଼ୁଛି, ଭୁଶୁଡ଼ି ପଡ଼ୁଛି….)। ଉପରଲିଖିତ ଖେଳରେ ବାକି ପିଲାମାନେ ଧାଡ଼ି ହୋଇ ଜଣକ ପରେ ଜଣେ ଏହି ଗୀତ ବୋଲା ଯାଉଥିବା ବେଳେ ବୃତ୍ତାକାରରେ ପୋଲର ଗମ୍ବୁଜ ତଳେ ଚାଲୁଥିବେ। ଯେତେ ବେଳେ ଗୀତର ଶେଷ ପଦ ଆସିଯିବ, ଛିଡ଼ା ହୋଇଥିବା ପିଲା ଦୁଇଜଣ ପୋଲ ଭୁଶୁଡ଼ି ପଡ଼ିବା ପରି ହଠାତ୍‌ ହାତ ତଳକୁ ଆଣି ଯେଉଁ ପିଲାଟିକୁ ଧରି ପକାଇବେ, ସେ ପିଲାର ଖେଳରେ ମୃତ୍ୟୁ ଘଟିବ। ଶେଷ ପିଲାଟିର ଏହିପରି ମୃତ୍ୟୁ ଘଟିବା ପର୍ଯ୍ୟନ୍ତ ଗୀତ ବୋଲାଯାଇ ଖେଳ ଚାଲିଥିବ।

ନଭେମ୍ବର ୨୯ ତାରିଖ ଦିନ ଏହି ଲଣ୍ତନ୍‌ ବ୍ରିଜ୍‌ ଠାରେ ଘଟିଥିବା ଇସ୍‌ଲାମୀୟ ଆତଙ୍କବାଦୀ ଆକ୍ରମଣର ଇତିବୃତ୍ତ ଉପରେ ନଜର ପକାଇଲେ ଯାହା ହଠାତ୍‌ ମନକୁ ଆସିଥାଏ, ତାହା ହେଲା ସତେ ଯେମିତି ଏହି ଆକ୍ରମଣରେ ଯେଉଁ ଦୁଇଜଣ ଯୁବକ ଯୁବତୀ ପ୍ରାଣ ହରାଇଛନ୍ତି, ସେମାନେ ହେଉଛନ୍ତି ଲଣ୍ତନ୍‌ ବ୍ରିଜ୍‌ ଖେଳରେ ପ୍ରଥମେ ଝଡ଼ି ପଡ଼ିଥିବା ଦୁଇଟି ପିଲା। ଆଉ ଶେଷ ପିଲାଟି ଝଡ଼ିପଡ଼ିବା ପର୍ଯ୍ୟନ୍ତ ଏ ଖେଳ ଚାଲୁ ରଖିବା ପାଇଁ ଖେଳର ଆୟୋଜକମାନେ ଯେତିକି ବଦ୍ଧପରିକର, ଯେଉଁମାନେ ଏ ଖେଳର ଶିକାର ହେଉଛନ୍ତି ଏବ˚ ଶିକାର ହେବାକୁ ଯାଉଛନ୍ତି, ସେମାନେ ମଧୢ ଖେଳ ଚାଲୁ ରହିବା ପାଇଁ ସେତିକି ଆଗ୍ରହୀ।

ଲଣ୍ତନ୍‌ ବ୍ରିଜ୍‌ ଠାରେ ଛୁରାମାଡ଼ କରି ପାଞ୍ଚ ଜଣଙ୍କୁ ଆହତ ଓ ଦୁଇଜଣଙ୍କୁ ହତ୍ୟା କରିଥିବା ୨୮ ବର୍ଷୀୟ ଉସ୍‌ମାନ୍‌ ଖାନ୍‌ ଥିଲା ପାକିସ୍ତାନୀ ମୂଳର ଧର୍ମାନ୍ଧ ଜିହାଦୀ, ଯାହାକୁ ଆଇସିସ୍‌ ଏବେ ନିଜର ଜଣେ ଧର୍ମଯୋଦ୍ଧା ରୂପେ ଘୋଷଣା କରିଛି। ଉସ୍‌ମାନ୍‌ ଏକ ୧୪ ବର୍ଷୀୟ ସ୍କୁଲ ଛାତ୍ର ଥିବା ବେଳେ ତା’ର ବହି ଖାତାର ମଲାଟରେ ଓସାମା ବିନ୍‌ ଲାଦେନ୍‌ର ଫଟୋ ଲଗାଇ ବୁଲୁଥିବା ଏବ˚ ୯/୧୧ ଆକ୍ରମଣରେ ଵାର୍ଲଡ ଟ୍ରେଡ୍‌ ସେଣ୍ଟର‌୍‌ ଧ୍ବ˚ସ ପାଇବା ଭିଡିଓ ଦେଖି ଆନନ୍ଦରେ ହସୁଥିବା ଖବର ଏବେ ପ୍ରକାଶ ପାଇଛି। ଉସ୍‌ମାନ୍‌ ଖାନ୍‌ ଇ˚ଲାଣ୍ତରେ ତା’ର ସ୍କୁଲ ଶିକ୍ଷା ସମ୍ପୂର୍ଣ୍ଣ ନ କରି ଉତ୍ତର କୈଶୋର ପାକିସ୍ତାନରେ କଟାଇବା ପରେ ଇ˚ଲାଣ୍ତ ଫେରି ଯାଇ ବିଭିନ୍ନ ଇସ୍‌ଲାମୀୟ ଆତଙ୍କବାଦୀ ସ˚ଗଠନ ସହିତ ସମ୍ପୃକ୍ତ ହୋଇ ଯାଇଥିଲା। କାଶ୍ମୀରରେ ଏକ ଆତଙ୍କବାଦୀ ଶିବିର ପ୍ରତିଷ୍ଠା କରିବା ଏବ˚ ବ୍ରିଟିସ୍‌ ପାର୍ଲିଆମେଣ୍ଟ ଓ ଲଣ୍ତନ୍‌ ଷ୍ଟକ୍‌ ଏକ୍ସଚେଞ୍ଜକୁ ବୋମା ମାଡ଼ କରି ଉଡ଼ାଇ ଦେବା ପାଇଁ ଆଲ୍‌ କାଏଦା ରଚନା କରିଥିବା ଏକ ଯୋଜନାର ସେ ଜଣେ ସକ୍ରିୟ ସଦସ୍ୟ ଥିବା ବେଳେ ଧରାପଡ଼ି ୨୦୧୨ରେ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିଲା। ବିଚାରପତି ଉସ୍‌ମାନ ଖାନ୍‌କୁ ଜଣେ ଗୁରୁତର ଜିହାଦୀ ରୂପେ ବର୍ଣ୍ଣନା କରି ତାକୁ ‘ଦୀର୍ଘକାଳୀନ କାରାଦଣ୍ତ’ ପ୍ରଦାନ କରିଥିଲେ ଯାହା ଭୋଗ କଲା ପରେ ଯାଇ ସେ ପ୍ୟାରୋଲ୍‌ ପାଇଁ ଆବେଦନ କରିପାରିଥାନ୍ତା। ୨୦୧୩ରେ କିନ୍ତୁ ଅପିଲ୍‌ କୋର୍ଟ ତାର ଦଣ୍ତକୁ କୋହଳ କରି ତାକୁ ୧୬ ବର୍ଷର କାରାଦଣ୍ତ ପ୍ରଦାନ କଲେ। ଏହାର ଫଳ ହେଲା ଗତ ଶ୍ରମିକ ଦଳ ସରକାର କାର୍ଯ୍ୟକାରୀ କରିଥିବା ବନ୍ଦୀମାନଙ୍କର ସଅଳ ଖଲାସ ବ୍ୟବସ୍ଥା ଅନୁଯାୟୀ ଉସ୍‌ମାନ୍‌ ଖାନ୍‌ ତା’ର ଦଣ୍ତ ଅଧା ଭୋଗ କରିବା ବେଳକୁ ଖଲାସ ହୋଇଗଲା।

ଉସ୍‌ମାନ୍‌ ଜେଲ୍‌ରେ ଥିବା ବେଳେ ନିଜର ଚିନ୍ତାଧାରାରେ ପରିବର୍ତ୍ତନ ଘଟିଥିବା ଭଳି ଅଭିନୟ କରିଥିଲା, କିନ୍ତୁ ତାର ପ୍ରକୃତ ଲକ୍ଷ୍ୟ ଥିଲା ଜିହାଦ୍‌ ମାଧୢମରେ ବ୍ରିଟେନ୍‌କୁ ବିଧର୍ମୀମୁକ୍ତ କରି ସେଠାରେ ଇସ୍‌ଲାମୀୟ ସାରିଆ ନ୍ୟାୟ ବ୍ୟବସ୍ଥା ପ୍ରଚଳନ କରିବା, ଯାହା କ୍ରମେ ସାରା ପୃଥିବୀକୁ ଏକ ଇସ୍‌ଲାମୀୟ ରାଜ୍ୟ ବା ଉମ୍ମାରେ ପରିଣତ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ହେବ। ଅଞ୍ଜେମ୍‌ ଚୌଧୁରୀ ଭଳି ତୀବ୍ର ଜିହାଦବାଦୀର ସେ ଥିଲା ପରମ ବିଶ୍ବସ୍ତ ତଥା ଶିଷ୍ୟ। ଲଣ୍ତନ୍‌ ବ୍ରିଜ୍‌ ଠାରେ ଉସ୍‌ମାନ୍‌ ଖାନ୍‌ର ଛୁରୀକାଘାତରେ ପ୍ରାଣ ହରାଇଥିବା ଦୁଇ ଜଣ ଯାକ ଥିଲେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ଛାତ୍ର- ୨୫ ବର୍ଷୀୟ ଜ୍ୟାକ୍‌ ମେରିଟ୍‌ ଓ ୨୩ ବର୍ଷୀୟା ସାସ୍କିଆ ଜୋନ୍‌ସ। ଯାହା ଘୋର ବିଡ଼ମ୍ବନା ଏବ˚ ଉସ୍‌ମାନ୍‌ ଖାନ୍‌ର ସୈତାନୀ ଚେହେରାକୁ ଆହୁରି ସ୍ପଷ୍ଟ କରିଥାଏ, ତାହା ହେଲା, ଏ ଦୁଇ ଜଣ ଯାକ ‘ଲର୍ଣ୍ଣି˚ ଟୁଗେଦର‌୍‌’ ନାମକ ଏକ ବନ୍ଦୀ ଥଇଥାନ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଥିଲେ, ଯାହା ସେମାନଙ୍କର ହତ୍ୟାକାରୀ ଭଳି ପୂର୍ବତନ ବନ୍ଦୀମାନଙ୍କର ମଙ୍ଗଳସାଧନ ପାଇଁ ଉଦ୍ଦିଷ୍ଟ।

ଏହି ବର୍ବର ଜିହାଦୀ ଆକ୍ରମଣ ପରେ ବ୍ରିଟେନ୍‌ରେ ଯାହା ଘଟିବା ଦେଖାଯାଇଛି, ତାହାକୁ ଆତ୍ମ ପ୍ରବଞ୍ଚନା ବ୍ୟତୀତ ଆଉ କିଛି କୁହାଯାଇ ପାରିବ ନାହିଁ। ଆସନ୍ତା ୧୨ ତାରିଖରେ ସେଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଜାଠ ଦଳର ପ୍ରଧାନ ମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଯେତେବେଳେ ଘୋଷଣା କଲେ ଯେ ତାଙ୍କ ଦଳ ସରକାର ଗଠନ କଲେ ସେ ଜିହାଦୀମାନଙ୍କୁ କାବୁ କରିବା ପାଇଁ ହୁଗୁଳା ଆଇନକୁ ଏପରି ଭିଡ଼ି ଦେବେ ଯେମିତି ଉସ୍‌ମାନ୍‌ ଖାନ୍‌ ପରି ଆତଙ୍କବାଦୀମାନେ ଦୀର୍ଘକାଳ ପାଇଁ ଜେଲ୍‌ରୁ ମୁକୁଳି ପାରିବେ ନାହିଁ। ଶ୍ରମିକ ଦଳ ନେତା ଚରମ ବାମପନ୍ଥୀ ଜେରେମି କର‌୍‌ବିନ୍‌ (ଓସାମା ବିନ୍‌ ଲାଦେନ୍‌ର ମୃତ୍ୟୁକୁ ସେ ଏକ ଟ୍ରାଜେଡି ବୋଲି କହିଥିଲେ) ଏହାର ବିରୋଧ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କି ଉଦାରପନ୍ଥୀ ଗଣମାଧୢମ ଏହାର ବିରୋଧ କରିବା ମଧୢ ଆଶ୍ଚର୍ଯ୍ୟଜନକ ନୁହେଁ। ଯାହା କିନ୍ତୁ ଘୋର ଆଶ୍ଚର୍ଯ୍ୟଜନକ, ତାହା ହେଲା ମେରିଟ୍‌ଙ୍କ ପିତାଙ୍କ ପ୍ରତିକ୍ରିୟା। ଜିହାଦୀ ହାତରେ ନିଜର ପୁଅକୁ ହରାଇଥିଲେ ବି ସେ କହିଛନ୍ତି ସେମାନଙ୍କ ପ୍ରତି ଦଣ୍ତ କଡ଼ାକଡ଼ି କରିବା ତାଙ୍କ ପୁଅର ସ୍ମୃତି ପ୍ରତି ଅପମାନ ହେବ। ଏହା ଦେଖି କିଏ ବେଶି ମତାନ୍ଧ, ନିର୍ଣ୍ଣୟ କରିବା କଷ୍ଟକର ହୋଇଥାଏ- ଜିହାଦୀମାନେ ନା ଏହି ତଥାକଥିତ ଉଦାରପନ୍ଥୀମାନେ? ତେବେ ଏଥିରୁ ଯାହା ନିଶ୍ଚିତ ମନେ ହୁଏ, ତାହା ହେଲା ଦିନେ ଲଣ୍ତନ୍‌ ବ୍ରିଜ୍‌ ଭୁଶୁଡ଼ି ପଡ଼ିବା ଏବ˚ ଜଣକ ପରେ ଜଣେ ପିଲା ଖେଳରେ ମରିବା ପରି ସାରା ବ୍ରିଟିସ୍‌ ସମାଜ ଅଚିରେ ଜିହାଦୀମାନଙ୍କ ହାତରେ ଧରା ଦେବା।

ସମ୍ବନ୍ଧିତ ଖବର