ଗତ ଫେବ୍ରୁଆରି ପହିଲା ଦିନ ଉପସ୍ଥାପିତ ମୋଦୀ ସରକାରଙ୍କ ଚତୁର୍ଥ ବଜେଟ୍‌ରେ କୃଷି, ଆନୁଷଙ୍ଗିକ କ୍ଷେତ୍ର ଓ ଗ୍ରାମାଞ୍ଚଳ ବିକାଶ ପାଇଁ ୧ ଲକ୍ଷ ୮୭ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ଏହା ପୂର୍ବ ୨୦୧୬-୧୭ ବର୍ଷର ବଜେଟ ତୁଳନାରେ ୨୪ ପ୍ରତିଶତ ଅଧିକ ଥିଲା। ୨୦୧୯ ସୁଦ୍ଧା ଗ୍ରାମାଞ୍ଚଳର କୋଟିଏ ପରିବାରଙ୍କୁ ଦାରିଦ୍ର୍ୟ ସୀମା ରେଖା ତଳୁ ଉପରକୁ ଉଠାଇ ୫୦ ହଜାର ଗ୍ରାମପଞ୍ଚାୟତକୁ ସମ୍ପୂର୍ଣ୍ଣ ରୂପେ ‘ଦାରିଦ୍ର୍ୟ ମୁକ୍ତ’ କରିବା ଲାଗି ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ଘୋଷଣା କରାଯାଇଥିଲା। ଜୀବିକା ସହାୟତା ସହ ଗ୍ରାମାଞ୍ଚଳ ଲୋକଙ୍କ ରୋଜଗାର ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ କେନ୍ଦ୍ର, ରାଜ୍ୟ ଓ ବ୍ୟାଙ୍କ୍‌ ଋଣ ମାଧ୍ୟମରେ ତିନି ଲକ୍ଷ କୋଟି ଟଙ୍କା ବିନିଯୋଗ ପାଇଁ ନକ୍ସା ପ୍ରସ୍ତୁତ ହୋଇଥିବା ସୂଚନା ଦିଆଯାଇଥିଲା। ଏହାଛଡ଼ା ଗ୍ରାମାଞ୍ଚଳରେ ପାଇପ୍‌ ଜଳ ଯୋଗାଣ, ସଡ଼କ ନିର୍ମାଣ ଓ ବିଦ୍ୟୁତ୍‌କରଣ ପାଇଁ ଅଧିକ ବ୍ୟୟ ବରାଦ ସହ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସର୍ବୋପରି, ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ପୂର୍ବବର୍ତ୍ତୀ ୟୁପିଏ ସରକାରଙ୍କ ଯେଉଁ ‘ମନରେଗା’ ଯୋଜନାକୁ ବିରୋଧ କରି ଆସୁଥିଲେ, ସେହି ଯୋଜନା ପାଇଁ ବ୍ୟୟବରାଦ ୩୭,୫୦୦ କୋଟିରୁ ୪୮ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।

Advertisment

ବଜେଟ୍‌ରେ କୃଷି ଓ ଗ୍ରାମାଞ୍ଚଳ ବିକାଶକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହଯୋଗୀ ଅର୍ଥମନ୍ତ୍ରୀ ଜେଟଲୀଙ୍କ ଜରିଆରେ ଗ୍ରାମୀଣ ଭାରତକୁ ଏହି ବାର୍ତ୍ତା ଦେବାକୁ ଚାହିଁଥିଲେ ଯେ ସରକାର ଏବେ ଗାଁ ମୁହାଁ। ଦେଶର ଚାଷୀକୁଳଙ୍କ ନଜରରେ ତିଆରି ହୋଇଥିବା ଏନ୍‌ଡିଏ ସରକାର ‘ସୁଟ୍‌ ବୁଟ୍‌ର ସରକାର’ ଭାବମୂର୍ତ୍ତି ବଦଳାଇବା ଲାଗି ଏହା ଥିଲା ଏକ ସୁଚିନ୍ତିତ ପ୍ରୟାସ। କିନ୍ତୁ ବୋଧହୁଏ ବଜେଟ କସରତ ମାଧ୍ୟମରେ ସରକାରଙ୍କ ପ୍ରୟାସ ଯଥେଷ୍ଟ ନଥିଲା। ଗ୍ରାମାଞ୍ଚଳ ଲୋକ, ବିଶେଷକରି ଚାଷୀଙ୍କ ଆଶା ପୂରଣ କରିବା ଲାଗି ଅଧିକ ବ୍ୟୟବରାଦ ଅକୁଳାଣ ପଡ଼ିଛି। ଚାଷ ଓ ଚାଷୀଙ୍କ ସ୍ଥିତିରେ କୌଣସି ସକାରାତ୍ମକ ପରିବର୍ତ୍ତନ ବଦଳରେ ଅବସ୍ଥା ଅଧିକରୁ ଅଧିକ ବିଗିଡ଼ି ଚାଲିଛି। ଚାଷୀଙ୍କ ମଧ୍ୟରେ ହତାଶା ବଢ଼ିଛି, ଯାହାର ପରିଣତି ଜାରି ରହିଥିବା ଚାଷୀ ଆତ୍ମହତ୍ୟାର ଦୁର୍ଭାଗ୍ୟଜନକ କ୍ରମ। ଅସନ୍ତୋଷ ମଧ୍ୟ ବଢ଼ିଛି, ଯାହାର ପ୍ରତିଫଳନ ଦେଶର ଅଧିକାଂଶ ଅଞ୍ଚଳରେ ଚାଷୀ ଆନ୍ଦୋଳନ। ଏହି କ୍ରମରେ ଚାଷୀକୁଳର ହତାଶା ଓ ଅସନ୍ତୋଷର ସଦ୍ୟତମ ଚିତ୍ର ମିଳିଛି ଗୁଜୁରାଟ ବିଧାନସଭା ନିର୍ବାଚନରେ ଗ୍ରାମାଞ୍ଚଳ ଭୋଟରଙ୍କ ଜନାଦେଶରୁ। ବାଇଶବର୍ଷ ହେଲା ରାଜ୍ୟରେ କ୍ଷମତାରେ ଥିବା ବିଜେପି ପୁଣି ଥରେ କ୍ଷମତାକୁ ଆସିଛି। ହେଲେ ଗ୍ରାମାଞ୍ଚଳରେ ଦଳର ପ୍ରଦର୍ଶନ ଆଶାନୁକୂଳ ହୋଇନାହିଁ। ବାହାସ୍ପୋଟିଆ ‘୧୫୦’ ଆସନର ଲକ୍ଷ୍ୟ କେବଳ ଆସ୍ଫାଳନ ପ୍ରମାଣିତ ହୋଇନାହିଁ, ଦଳର ଆସନ ସଂଖ୍ୟା ୧୧୫ରୁ ୯୯କୁ ଖସି ଆସିଛି। ବିଜେପିର ଏହି ଦଶା ହେଲା ଏଥିପାଇଁ ଯେ, ଗୁଜରାଟର ଗ୍ରାମୀଣ ଭୋଟର ଏଥର ଉଭୟ ରାଜ୍ୟର ବିଜେପି ଓ କେନ୍ଦ୍ରର ଏନ୍‌ଡିଏ ସରକାର ପ୍ରତି ମୁହଁ ମୋଡ଼ି ଦେଲେ। ଏହାର ମୁଖ୍ୟ କାରଣ କୃଷି କ୍ଷେତ୍ରକୁ ଆକ୍ରାନ୍ତ କରିଥିବା ସଙ୍କଟ ଜନିତ ଚାଷୀ ଅସନ୍ତୋଷ। ଅସନ୍ତୋଷ ଏତେ ତୀବ୍ର ଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଗୁଜରାଟ ଅସ୍ମିତା’, ‘ଗୁଜରାଟ ପୁଅର ସମ୍ମାନ’ର ଦ୍ୱାହି ମଧ୍ୟ ଚାଷୀଙ୍କ ରୋଷକୁ ତରଳାଇ ପାରିଲା ନାହିଁ। ମୋଟାମୋଟି ଗୁଜରାଟ ଗ୍ରାମୀଣ ଭୋଟରଙ୍କ ମତ ଭାଜପା ଓ ମୋଦୀଙ୍କ ବିରୋଧରେ ଯାଇଛି।

ଗୁଜରାଟ ଗ୍ରାମାଞ୍ଚଳ ଭୋଟରଙ୍କ ଜନାଦେଶର ଏ ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ଠିକ୍‌ ପଢ଼ି ପାରିଛନ୍ତି। ଏହା କେବଳ ଗୁଜରାଟ ଚାଷୀଙ୍କ କ୍ଷୋଭ ଓ ଅସନ୍ତୋଷ ବୟାନ କରୁନାହିଁ, ପୂରା ଭାରତର ଚାଷୀଙ୍କ ହତାଶା ଓ ଅସନ୍ତୋଷ ମଧ୍ୟ ଏଥିରେ ପ୍ରତିଫଳିତ। ଏହା କୃଷି ପ୍ରସଙ୍ଗରେ ନିଜ ନୀତି ଓ ଆଭିମୁଖ୍ୟର ସମୀକ୍ଷା ଲାଗି ସରକାର ଓ ଦଳକୁ ବାଧ୍ୟ କରିଛି। ସରକାରଙ୍କ ପାଇଁ ସଂକେତ ସ୍ପଷ୍ଟ ଯେ, ବହୁ ପ୍ରଚାରିତ ତଥାକଥିତ ଗୁଜରାଟ ମଡ଼େଲ ବିକାଶରେ ଦୁର୍ଦଶାଗ୍ରସ୍ତ ଚାଷୀଙ୍କ ସ୍ଥାନ ନାହିଁ। ପୁଣି ଚଉଦରେ ଚାଷୀମାନେ ଯେଉଁ ପରିବର୍ତ୍ତନ ଆଶାରେ ନୂଆ ସରକାର ଆଣିଥିଲେ, ସାଢ଼େ ତିନିବର୍ଷ ପରେ ବି ସେ ପରିବର୍ତ୍ତନ ଏକ ଦୂର ସ୍ୱପ୍ନ ହୋଇ ରହିଛି। ଚଉଦ ପୂର୍ବରୁ ଚାଷ ଓ ଚାଷୀର ଦୁର୍ଦଶା ଯେଉଁଠି ଥିଲା ଏବେ ମଧ୍ୟ ସେଇଠି ଅଛି, ପାଦେ ସୁଦ୍ଧା ହଟି ନାହିଁ। ଅନ୍ତୋଦୟର କଥା କୁହାଯାଉଛି, ଅଥଚ ଶେଷ ମୁଣ୍ଡରେ ଥିବା ଚାଷୀ ଓ ଅନ୍ୟ ଦୁର୍ବଳ ବର୍ଗଙ୍କ ନିକଟରେ ବିକାଶ ପହଞ୍ଚୁ ନାହିଁ। ବିକାଶର ଏ ମଡେଲରେ ବିକାଶର ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ଅପହଞ୍ଚ।ଗୁଜରାଟର ତିକ୍ତ ଅଭିଜ୍ଞତାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ଅନ୍ୟ ତୁଙ୍ଗ ନେତୃତ୍ୱ ଠିକ୍‌ ବୁଝି ଗଲେଣି ଯେ, ଆଗାମୀ କିଛି ମାସରେ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ଦଳକୁ ଗୁଜରାଟ ଅପେକ୍ଷା ଅଧିକ ଗ୍ରାମାଞ୍ଚଳ ଭୋଟରଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡ଼ିବ। କାରଣ ଗୁଜରାଟର ଦୁର୍ଦଶାଗ୍ରସ୍ତ ଚାଷୀଙ୍କ ପାଇଁ ରୋଜଗାର ସକାଶେ ସହରାଞ୍ଚଳରେ କିଛି ମାତ୍ରାରେ ଅବକାଶ ଥିଲା। ଗୁଜରାଟ ସହରାଞ୍ଚଳ ବେଶ୍‌ ସମୃଦ୍ଧ, ସମ୍ଭାବନାପୂର୍ଣ୍ଣ। କିନ୍ତୁ ବିଜେପି ଶାସିତ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଦୁର୍ଦଶାଗ୍ରସ୍ତ ଚାଷୀଙ୍କ ପାଇଁ ସହରଗୁଡ଼ିକରେ ସେମିତି ସମ୍ଭାବନା ନାହିଁ। ସ୍ଥିତି ନବଦଳିଲେ ବିଜେପିର ମିସନ ୨୦୧୯ ମଧ୍ୟ ପ୍ରଭାବିତ ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ।

ଏହି ପୃଷ୍ଠଭୂମିରେ ଚାଷୀଙ୍କ ମନ ଜିଣିବା ଲାଗି ମୋଦୀ ସରକାରରେ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି। ନାନା ଯୋଜନାର ଚିଠା ପ୍ରସ୍ତୁତ କରାଯାଉଛି। କୃଷିର ପୁନଃରୁଦ୍ଧାର ଓ କୃଷକଙ୍କ କଲ୍ୟାଣ ଲାଗି ଏକ ଦୀର୍ଘମିଆଦୀ ନକ୍ସା ପ୍ରସ୍ତୁତ ସକାଶେ ନୀତି ଆୟୋଗକୁ ପରାମର୍ଶ ଦିଆଯାଇଛି। ଏହି ନକ୍ସା ଅନୁଯାୟୀ ଆସନ୍ତା ବଜେଟ୍‌ରେ ବେଶ୍‌ ଅଧିକ ବ୍ୟୟବରାଦ କରାଯିବା ସମ୍ଭାବନା ରହିଛି। ତେବେ, ଚାଷୀଙ୍କୁ କେବଳ ଅଧିକ ରିହାତି ଓ କ୍ଷତିପୂରଣ ଦେବା ଲାଗି ବ୍ୟୟବରାଦ ବୃଦ୍ଧି କଲେ ଈପ୍‌ସିତ ଫଳ ମିଳିବ ନାହିଁ। ୨୦୧୭-୧୮ରେ କୃଷି ପାଇଁ ୪୧,୮୫୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ସେଥିରୁ ଫସଲ ବୀମା ଓ ସୁଧ ରିହାତି ବାବଦ ଅଧାରୁ ଅଧିକ ୨୪୦୦୦ କୋଟି ଟଙ୍କା ଚାଲି ଯାଇଥିଲା। ଅର୍ଥାତ୍‌ କୃଷି ବିକାଶ ପାଇଁ ବିନିଯୋଗ ସକାଶେ ଉପଲବ୍‌ଧ ଅର୍ଥର ପରିମାଣ ମାତ୍ର ୧୭ ହଜାର କୋଟି ଟଙ୍କା। ଏତିକି କ’ଣ ଚାଷୀର ଆୟ ବୃଦ୍ଧି ଓ ଅଧିକ ଉତ୍ପାଦକତା ପାଇଁ ଯଥେଷ୍ଟ? ତେଣୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଭଳି ବିଭିନ୍ନ ବିକାଶମୂଳକ ଯୋଜନାରେ ଅଧିକ ବ୍ୟୟବରାଦ ଆବଶ୍ୟକ। ପୁଣି ଚାଷୀଙ୍କ ଆୟ ବୃଦ୍ଧି ପାଇଁ ‘ସର୍ବନିମ୍ନ ଲାଭ’ ସହ କୃଷିଜାତ ସାମଗ୍ରୀର ସହାୟକ ମୂଲ୍ୟ ଧାର୍ଯ୍ୟ ବିଷୟ ସରକାର ଗୁରୁତ୍ୱର ସହ ବିଚାର କରିବା ଉଚିତ। ଉତ୍ପାଦନ ଖର୍ଚ୍ଚ ଉପରେ ଅତି କମ୍‌ରେ ୫୦ ପ୍ରତିଶତ ଅଧିକରେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ପ୍ରତିଶ୍ରୁତିରୁ ସରକାର ଓହରି ଯାଇଛନ୍ତି।

ସରକାରଙ୍କ ବିରୋଧରେ ଚାଷୀ ଅସନ୍ତୋଷ ବୃଦ୍ଧି ପଛରେ ଏହା ଏକ ମୁଖ୍ୟ କାରଣ। ୨୦୨୨ ସୁଦ୍ଧା ଦେଶର ଚାଷୀଙ୍କ ଆୟ ହାରାହାରି ଦୁଇଗୁଣ କରିବା ଲାଗି ସରକାର ଲକ୍ଷ୍ୟ ଘୋଷଣା କରିଛନ୍ତି। କିନ୍ତୁ ସହାୟକ ମୂଲ୍ୟ ବୃଦ୍ଧି ବିନା ଏହା ସମ୍ଭବ ମନେ ହେଉନାହିଁ। ଅନ୍ୟଥା ମଧ୍ୟ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ଲାଗି ସରକାରଙ୍କ ଯୋଜନା କ’ଣ? ଚାଷୀଙ୍କ ଆୟ ଦୁଇଗୁଣ ହେବା ଲାଗି କୃଷି କ୍ଷେତ୍ରରେ ବାର୍ଷିକ ୧୪ ପ୍ରତିଶତ ଅଭିବୃଦ୍ଧି ହାସଲ ଆବଶ୍ୟକ। ୨୦୧୫-୧୬ରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ଥିଲା ୧.୨ ପ୍ରତିଶତ। ଅର୍ଥାତ୍‌ ବର୍ତ୍ତମାନର ତୁଳନାରେ କୃଷି ଅଭିବୃଦ୍ଧି ଦଶଗୁଣ ହେବା ଦରକାର। ତେବେ କୌଣସି ଯାଦୁ ଦ୍ୱାରା ଏହା ସମ୍ଭବ ନୁହେଁ। ଲକ୍ଷ୍ୟ ହାସଲ ଅସମ୍ଭବ ମଧ୍ୟ ନୁହେଁ। ଏଥିପାଇଁ ଦରକାର ବିପୁଳ ପୁଞ୍ଜି ବିନିଯୋଗ (କେବଳ ଜଳସେଚନ ପାଇଁ ୩ ଲକ୍ଷ କୋଟି ଟଙ୍କାର ବିନିଯୋଗ ଆବଶ୍ୟକ) ଓ ଭୂ-ବନ୍ଦୋବସ୍ତଠାରୁ ଆରମ୍ଭ କରି ଭାଗ-ଚାଷ, କୃଷିଜାତ ଦ୍ରବ୍ୟର ବଜାର ବ୍ୟବସ୍ଥା ପର୍ଯ୍ୟନ୍ତ ସାମଗ୍ରିକ ଭାବେ କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ପାଇଁ ଦୃଢ଼ ରାଜନୈତିକ ଇଚ୍ଛା ଶକ୍ତି। ଅବଶ୍ୟ, ଏ ସବୁ ଅପେକ୍ଷା ଯାହା ସବୁଠାରୁ ଅଧିକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଆବଶ୍ୟକ ତାହା ହେଲା, ଚାଷ ଓ ଚାଷୀଙ୍କ ଦୁର୍ଦଶା ପ୍ରତି ମାନବୀୟ ସମ୍ବେଦନଶୀଳତା। ଦେଶର ୬୦ ପ୍ରତିଶତ ଲୋକଙ୍କ ଜୀବନ ଜୀବିକା, ଭାଗ୍ୟ ଓ ଭବିଷ୍ୟତ ସହ ଯୋଡ଼ି ହୋଇଥିବା କୃଷି କ୍ଷେତ୍ରର ସଙ୍କଟକୁ ଏକ ମାନବୀୟ ସଙ୍କଟ ଭାବେ ବିଚାର କଲେ ଆପେ ସମାଧାନର ବାଟ ଦେଖାଯିବ।