୧୯୮୬ ମସିହା ଫେବ୍ରୁଆରି ୨୮ ରାତିରେ ଗୋଟିଏ ସିନେମା ଦେଖି ସାରି ଚାଲି ଚାଲି ସପତ୍ନୀକ ଘରକୁ ଫେରୁଥିବା ସ୍ବିଡେନ୍‌ର ପ୍ରଧାନ ମନ୍ତ୍ରୀ ଓଲ୍‌ଫ ପାଲ୍‌ମେ ଜଣେ ଅଜ୍ଞାତ ବନ୍ଧୁକଧାରୀର ଗୁଳିରେ ପ୍ରାଣ ହରାଇଲେ। ସେହି ସମୟରେ ପାମେଙ୍କ ସହିତ କୌଣସି ଅଙ୍ଗ ରକ୍ଷକ ନ ଥିଲେ। ଏହାର ପ୍ରାୟ ଦେଢ଼ ବର୍ଷ ପୂର୍ବେ ଭାରତରେ ନିଜ ଅଙ୍ଗ ରକ୍ଷୀଙ୍କ ଗୁଳିରେ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରାଣ ହରାଇଥିଲେ। ତା ପରେ ୧୯୮୮ରେ ଏକ ଆଇନ ବଳରେ ସମର ବିଦ୍ୟାରେ ଅତ୍ୟନ୍ତ ଦକ୍ଷ ଅତ୍ୟାଧୁନିକ ମାରଣାସ୍ତ୍ର ସଜ୍ଜିତ ଏକ କମାଣ୍ତୋ ବାହିନୀ କ୍ଷମତାସୀନ ପ୍ରଧାନ ମନ୍ତ୍ରୀ ଓ ବିଦାୟୀ ପ୍ରଧାନ ମନ୍ତ୍ରୀ ତଥା ସେମାନଙ୍କ ଘନିଷ୍ଠତମ ପରିବାର ସଦସ୍ୟଙ୍କ ହେପାଜତର ଦାୟିତ୍ବ ନେବା ଆରମ୍ଭ କଲା। ଏହା ସହିତ ଆମ ଦେଶରେ ପୂର୍ବରୁ ଥିବା ଚାରି ପ୍ରକାର (‘ଏକ୍‌ସ’, ‘ଵାଇ’, ‘ଜେଡ୍‌’ ଓ ‘ଜେଡ ପ୍ଲସ୍‌’) ସୁରକ୍ଷା ବ୍ୟବସ୍ଥା ସହିତ ଯୋଡ଼ି ହୋଇଗଲା ବିଶ୍ବର ଅନ୍ୟତମ ସର୍ବଶ୍ରେଷ୍ଠ ଏହି ସୁରକ୍ଷା ବ୍ୟବସ୍ଥା ଏସ୍‌ପିଜି (ସ୍ପେସାଲ ପ୍ରୋଟେକ୍‌ସନ ଗ୍ରୁପ୍‌)। ଏଣେ ପାଲ୍‌ମେଙ୍କ ହତ୍ୟା ପର ଠାରୁ ତିରିଶ ବର୍ଷରୁ ଅଧିକ କାଳ ବିତି ଯାଇଥିଲେ ସୁଦ୍ଧା ଏବେ ବି ସ୍ବିଡେନ୍‌ ପ୍ରଧାନ ମନ୍ତ୍ରୀଙ୍କୁ ସବୁଠାରୁ ଅଧିକ ସୁରକ୍ଷା ବ୍ୟବସ୍ଥା ରୂପେ ଯାହା ମିଳିଛି, ତାହା ହେଲା ଜଣେ ମାତ୍ର ସଶସ୍ତ୍ର ‘ବଡି ଗାର୍ଡ‌୍‌’।

Advertisment

ଏ ପ୍ରସଙ୍ଗ ଏଠାରେ ଅବତାରଣା କରିବାର ଉଦ୍ଦେଶ୍ୟ ହେଲା ଗଲା ୩ ତାରିଖ ମଙ୍ଗଳବାର ଦିନ ଏସ୍‌ପିଜି ଆଇନରେ ସ˚ଶୋଧନ ଅଣାଯାଇ ପ୍ରିୟଙ୍କା ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କ ନିକଟରୁ ‘ଏସ୍‌ପିଜି’ ସୁରକ୍ଷା ବଳୟ ହଟାଇ ଦିଆଯିବା ପରେ କ˚ଗ୍ରେସ ଦଳ ପକ୍ଷରୁ ଏହାକୁ ଆକ୍ରୋଶମୂଳକ ବୋଲି ଆଖ୍ୟା ଦିଆଯାଇ କରାଯାଇଥିବା ପ୍ରବଳ ବିରୋଧ। ଏହି ପ୍ରସଙ୍ଗରେ ଦୁଇଟି ବିଷୟ ଉଲ୍ଲେଖନୀୟ। ପ୍ରଥମଟି ହେଲା ‘ଏସ୍‌ପିଜି’ ବଦଳରେ ଗାନ୍ଧୀ ପରିବାରକୁ ମିଳିଥିବା ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବଳୟ (୫୫ ଜଣ ସଶସ୍ତ୍ର ଓ ଦକ୍ଷ କମାଣ୍ତୋ ପରିବେଷ୍ଟିତ) ମଧୢ ହେଉଛି ବିଶ୍ବସ୍ତରୀୟ ତଥା ଅଭେଦ୍ୟ। ଏବ˚ ଦ୍ବିତୀୟ ବିଷୟଟି ହେଲା, ଦଶ ବର୍ଷ ଅବଧିର ପ୍ରଧାନମନ୍ତ୍ରୀତ୍ବ ପରେ ୨୦୧୪ରେ ଗାଦି ଛାଡ଼ିଥିବା ପ୍ରଧାନ ମନ୍ତ୍ରୀ ଡକ୍ଟର ମନମୋହନ ସି˚ହଙ୍କ ଠାରୁ ଚଳିତ ବର୍ଷ ଅଗଷ୍ଟ ମାସରେ ‘ଏସ୍‌ପିଜି’ ସୁରକ୍ଷା ହଟାଇ ନିଆଯିବା ପରେ କ˚ଗ୍ରେସ ଦଳ ପକ୍ଷରୁ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିଲା।

ତେବେ, ଏ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ଅତ୍ୟନ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତି ରହିଥିବା ସମ୍ଭାବ୍ୟ ‘ବିପଦ’ର ଆକଳନ ଆଧାରରେ ହିଁ ସୁରକ୍ଷା ପ୍ରଦାନ କରାଯାଇଥାଏ। ଏହା ସହିତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଯାହା କହିଛନ୍ତି ତାହା ହେଲା, ଏ ବ୍ୟବସ୍ଥାର ହିତାଧିକାରୀମାନେ ଏହାକୁ ଏକ ‘ଷ୍ଟାଟସ୍‌ ସିମ୍ବଲ୍‌’ ବା ‘ଆଭିଜାତ୍ୟର ସନ୍ତକ’ ବୋଲି ବିଚାର କରିବା ଅନୁଚିତ।

କିନ୍ତୁ କହିବା ବାହୁଲ୍ୟ ଯେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଏଭଳି ପରାମର୍ଶକୁ ଅତିକ୍ରମ କରି ସାରିଥିବା ବାସ୍ତବତାଟି ହେଲା, ଆମ ଦେଶର ସୁରକ୍ଷା ବ୍ୟବସ୍ଥାର ସ୍ତର ଆଧାରରେ ଗଢ଼ି ଉଠିଛି ଏକ ଅତ୍ୟନ୍ତ ପ୍ରଭାବୀ ‘ଭିଆଇପି’ (ଅତି ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି) ସ˚ସ୍କୃତି। ଏହା ଆମ ସାଧାରଣତନ୍ତ୍ର ଲାଗି କିଭଳି ଏକ ଅନାବଶ୍ୟକ ବୋଝରେ ପରିଣତ ହେଲାଣି, ତାର ଉଦାହରଣ ହେଉଛି ଆଜିକୁ ଛଅ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୩ରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଠାରେ ଦାଖଲ କରାଯାଇଥିବା ଏକ ସତ୍ୟପାଠ ଯାହା କହିଥାଏ ଯେ କେବଳ ଦିଲ୍ଲୀରେ ଏଭଳି ମୁଷ୍ଟିମେୟ ଭିଆଇପିଙ୍କ ସୁରକ୍ଷା ଲାଗି ନିୟୋଜିତ ହୋଇଥିଲେ ୮୦୪୯ ସ˚ଖ୍ୟକ ସୁରକ୍ଷା କର୍ମଚାରୀ ଏବ˚ ସେ ବାବଦରେ ଖର୍ଚ୍ଚ ହୋଇଥିଲା ୩୪୧ କୋଟି ଟଙ୍କା। ଏବ˚ କାରୁଣ୍ୟଭରା ଏହାର ଅପର ଦିଗଟି ହେଉଛି ଭାରତର ପ୍ରତି ଏକ ଲକ୍ଷ ସାଧାରଣ ନାଗରିକଙ୍କ ଲାଗି ଅଛନ୍ତି ମାତ୍ର ୧୩୭ ଜଣ ସୁରକ୍ଷା କର୍ମୀ।

ତେବେ, ସ୍ବାଗତଯୋଗ୍ୟ ଭାବେ ୨୦୧୪ରେ ବିଜେପି ନେତୃତ୍ବରେ ଏନ୍‌ଡିଏ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପର ଠାରୁ ‘ଭିଆଇପି’ ସୁରକ୍ଷା ବ୍ୟବସ୍ଥାର ଗମ୍ଭୀର ଓ ଫଳପ୍ରଦ ସମୀକ୍ଷା ପ୍ରକ୍ରିୟାର ଅୟମାରମ୍ଭ ହୋଇଛି। ୨୦୧୭ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୩୩୬୦ ଜଣ ସେମାନଙ୍କ ସୁରକ୍ଷା ବଳୟ ହରାଇଥିବା ବେଳେ ୨୦୧୯ରେ ହୋଇଥିବା ଏକ ସମୀକ୍ଷା ପରେ ରାଷ୍ଟ୍ରର ମର୍ଯ୍ୟାଦା ସ˚ପନ୍ନ ସୁରକ୍ଷା ବାହିନୀ (ସିଆରପିଏଫ୍‌, ସିଆଇଏସ୍‌ଏଫ୍‌ ଇତ୍ୟାଦି)ରୁ ଆସି ବ୍ୟକ୍ତିଗତ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିବା ୧୩୦୦ ଜଣଙ୍କୁ ଏଭଳି ଦାୟିତ୍ବରୁ ‘ମୁକ୍ତ’ କରାଯାଇ ନିଜ ନିଜ ବାହିନୀକୁ ପଠାଇ ଦିଆଯାଇଛି। ସୁତରା˚, ଅନେକ ବର୍ଷ ଧରି ସରକାରଙ୍କ ପ୍ରଦତ୍ତ ସୁରକ୍ଷା ବଳୟ ଭିତରେ ରହି ଆସିଥିବା ବର୍ଗ ଏବେ ଯେଉଁ ପ୍ରତିବାଦ କରୁଛନ୍ତି, ତାହା ଆଭିଜାତ୍ୟର ଶଙ୍ଖମର୍ମର ପ୍ରାଚୀର ଭାଙ୍ଗି ପଡୁଥିବା ଜନିତ ମର୍ମଦାହରୁ ଜାତ। ପୁଣି, ଯଦି ଆମ ଦେଶର ସୁରକ୍ଷା ବଳୟ ଭିତରେ ଆତଯାତ ହେଉଥିବା ବର୍ଗଙ୍କୁ ଟିକିଏ ଗଭୀର ଭାବେ ନିରୀକ୍ଷଣ କରାଯାଏ, ତେବେ ଯେଉଁ ଅସ˚ଗତିଟି ଦୃଶ୍ୟମାନ ହେବ, ତାହା ହେଲା ଦେଶର ତଥାକଥିତ ମାନ୍ୟଗଣ୍ୟମାନଙ୍କ ଭିତରେ ସି˚ହ ଭାଗ ଦଖଲ କରିଛନ୍ତି ଆଞ୍ଚଳିକ ସ୍ତରରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତରେ ରାଜନେତା ଓ ସେମାନଙ୍କ ପରିବାର। ସେଥିଲାଗି ଯେତେବେଳେ ‘ଭାରତ ରତ୍ନ’ ସମ୍ମାନର ଅଧିକାରୀ ବିସମିଲ୍ଲା ଖାନ ବାରାଣସୀର ତାଙ୍କ ପୁରୁଣା ପୈତୃକ ଘରେ ବା ଗଙ୍ଗା କୂୂଳର ଦେହକୁ ଦେହ ଘଷି ହେଉଥିବା ଭିଡ଼ ଭିତରେ ଉନ୍ମୁକ୍ତ ପରିବେଶରେ ସାହାନାଇ ବାଦନରେ ତଲ୍ଲୀନ ଥାଆନ୍ତି, ସେତିକି ବେଳେ କ୍ଷମତା ହରାଇ ସାରିଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଭଳି ‘ଭି.ଆଇ.ପି.’ମାନଙ୍କୁ ଘେରି ରହିଥାନ୍ତି ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବଳୟ।

ଏ ପ୍ରସଙ୍ଗରେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ମାଇକେଲ.ଜେ. ସାଣ୍ତେଲଙ୍କ ଦ୍ବାରା ଲିଖିତ ବହୁ ଚର୍ଚ୍ଚିତ ପୁସ୍ତକ ‘ହ୍ବାଟ୍‌ ମନି କ୍ୟାନ ନଟ୍‌ ବାଏ’ (‘ପଇସା ଯାହା କିଣି ପାରିବ ନାହିଁ)ରେ ଥିବା ‘ଜ˚ପିଙ୍ଗ ଦ କ୍ୟୁ’ (ଧାଡ଼ି ଭାଙ୍ଗି) ନାମକ ଏକ ଚମତ୍କାର ଅଧୢାୟ। ତହିଁରେ ସେ କହିଛନ୍ତି ବିଶିଷ୍ଟ ବର୍ଗଙ୍କ ଦ୍ବାରା ପ୍ରଦର୍ଶନ କରାଯାଉଥିବା ଧାଡ଼ି ଭାଙ୍ଗି ଆଗକୁ ମାଡ଼ିଯିବାର ଭାବ ହେଉଛି ଗଣତନ୍ତ୍ର ଲାଗି ଏକ ବଡ଼ ଆଘାତ। ଲେଖକଙ୍କ ମତରେ ସରକାରଙ୍କ ପକ୍ଷରୁ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ବିଶେଷ ସୁବିଧା ପ୍ରଦାନ କରାଯିବା ତ ଦୂରର କଥା, ଅତିରିକ୍ତ ଅର୍ଥ ପ୍ରତିବଦଳରେ ଯଦି କୌଣସି ବିଶିଷ୍ଟ ବ୍ୟକ୍ତି ନିଜ ଲାଗି ବିଶେଷ ସୁବିଧା (ନିଜ ଗାଡ଼ି ଲାଗି ଏକ ଆକର୍ଷଣୀୟ ନମ୍ବର ପ୍ଲେଟ୍‌) ହାସଲ କରିବାର ସୁଯୋଗ ରାଷ୍ଟ୍ର ଠାରୁ ପାଆନ୍ତି, ତେବେ ତାହା ମଧୢ ଗଣତନ୍ତ୍ରରେ ନିହିତ ଥିବା ‘ନାଗରିକର ସାମ୍ୟ’ର ଆଦର୍ଶ ଉପରେ ଏକ ପ୍ରହାର।

ଅନେକ ବର୍ଷ ତଳେ ପ୍ରଖ୍ୟାତ ଲେଖକ ମନୋଜ ଦାସଙ୍କ ରଚିତ ଭ୍ରମଣ କାହାଣୀ ‘ଦୂରଦୂରାନ୍ତ’ରେ ସ୍ବିଜରଲାଣ୍ତ ବିଷୟରେ ଯାହା ବର୍ଣ୍ଣନା କରାଯାଇଥିଲା, ତାହା ଯଦି ଆଜି ଏକ ନିଷ୍ପ୍ରଭ ସ୍ମୃତିରୁ ଉଦ୍ଧାର କରାଯାଏ, ତେବେ ତାହା ଏମିତି ହେବ- ସ୍ବିଜରଲାଣ୍ତ ସଡ଼କରେ ଗାଡ଼ି ଚଳାଇ ଯାଉଥିବା ଜଣେ ଚାଳକ ପାଖରେ ବସିଥିବା ବିଦେଶାଗତ ବନ୍ଧୁଙ୍କୁ ପଚାରନ୍ତି ଆମ ରାଷ୍ଟ୍ରପତିଙ୍କୁ ଦେଖିଲ? ବନ୍ଧୁ ଏହାର ଉତ୍ତରରେ ନାସ୍ତିସୂଚକ ଭାବେ ମୁଣ୍ତ ନାଡ଼ନ୍ତେ, ଚାଳକ କହନ୍ତି- ‘ଦେଖିଲ ନାହିଁ, ଏବେ ଯାହାଙ୍କ ଉପରେ ଗାଡ଼ି ମାଡ଼ିଯିବାକୁ ବସିଥିଲା? ସେଇ!’

ପୃଥିବୀର ଏକ ମାତ୍ର ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସେଠାକାର ଶାସନମୁଖ୍ୟ କେବଳ ମାତ୍ର ଜଣେ ଜନପ୍ରତିନିଧି; ଏବ˚ ପୃଥିବୀର ବୃହତ୍ତମ ଗଣତନ୍ତ୍ରରେ ଏଭଳି ଚିତ୍ରଟିଏ କଳ୍ପନାତୀତ।