ଦଣ୍ତ ତତ୍ତ୍ବ
ବିବର୍ତ୍ତନବାଦର ଆବିଷ୍କର୍ତ୍ତା ଚାର୍ଲ୍ସ ଡାର୍ଵିନ୍ ତାଙ୍କର ନମ୍ର ସ୍ବଭାବ ପାଇଁ ସୁପରିଚିତ ଥିଲେ। ଏହି ସ୍ବଭାବ ସୁଲଭ ନମ୍ରତା ଯୋଗୁ ସେ ଅନେକ ସମୟରେ ଲିପିବଦ୍ଧ କରିଥିବା ନିଜର ବିଭିନ୍ନ ଚିନ୍ତାଧାରାକୁ ପ୍ରକାଶଯୋଗ୍ୟ ନୁହେଁ ବୋଲି ବିଚାର କରି ପରିତ୍ୟକ୍ତ କାଗଜ ରୂପେ ବିଡ଼ା ବାନ୍ଧି ରଖି ଦେଉଥିଲେ। ତାଙ୍କର ଏହି ପରି ପରେ ଆବିଷ୍କୃତ ହୋଇଥିବା ଏକ ଲେଖାର ବେଶ୍ ଲମ୍ବା ଶୀର୍ଷକ ଥିଲା: ‘‘ଓଲ୍ଡ଼ ଆଣ୍ତ ଇଉସ୍ଲେସ୍ ନୋଟ୍ସ ଏବାଉଟ୍ ଦି ମୋରାଲ୍ ସେନ୍ସ ଆଣ୍ତ୍ ସମ୍ ମେଟାଫିଜିକାଲ ପଏଣ୍ଟସ’’। (ଏହାର ଅନୁବାଦ ହୋଇପାରେ: ‘‘ନୈତିକ ଚେତନା ଏବ˚ କେତେକ ଅତିଭୌତିକ ପ୍ରସଙ୍ଗ ସମ୍ବନ୍ଧରେ ପୁରାତନ ଓ ଅଦରକାରୀ ଟିପ୍ପଣୀ’’)। ଡାର୍ଵିନ୍ଙ୍କୁ ଯଦିବା ଜିନ୍ ସମ୍ବନ୍ଧରେ ଜଣା ନ ଥିଲା, ସେ କିନ୍ତୁ ବିବର୍ତ୍ତନ ପ୍ରକ୍ରିୟାରେ ମନୁଷ୍ୟର ଆଚରଣ କିପରି ଉତ୍ତରାଧିକାର ଓ ପରିବେଶ ଦ୍ବାରା ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରିତ ହୋଇଥାଏ, ସେ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସଚେତନ ଥିଲେ। ଅପରାଧ ଓ ଦଣ୍ତଦାନ କ୍ଷେତ୍ରରେ ଏହାର ଭୟଙ୍କର ତାତ୍ପର୍ଯ୍ୟ କ’ଣ ହୋଇପାରେ, ବୋଧହୁଏ ତାହା ହୃଦୟଙ୍ଗମ କରି ସେ ନିଜର ଏହି ଲେଖାଟିକୁ ଲୁଚାଇ ରଖିବାକୁ ପସନ୍ଦ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ତତ୍ତ୍ବ ଅନୁସାରେ ଅପରାଧୀ ନିଜର ସ୍ବାଧୀନ ଇଚ୍ଛାରେ କୌଣସି ଅପରାଧ କରି ନ ଥାଏ। ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କୁ କହିଥିବା ଭଳି (‘‘…ତ୍ବୟା ହୃଷୀକେଶ ହୃଦିସ୍ଥିତେନ, ଯଥା ନିଯୁକ୍ତୋସ୍ମି ତଥା କରୋମି) ଉତ୍ତରାଧିକାର ବା ଜିନ୍ ବା ସେରୋଟୋନିନ୍,ଏଣ୍ତର୍ଫିନ୍ ଆଦି ବିଭିନ୍ନ ଜୈବ ରସାୟନ ଏବ˚ ପରିବେଶ ମିଶି ବ୍ୟକ୍ତିଙ୍କୁ ଅପରାଧ କରିବାକୁ ପ୍ରବୃତ୍ତ କରିଥାନ୍ତି। ତେଣୁ ଅପରାଧୀକୁ ଦଣ୍ତ ଦେବା ଯଥାର୍ଥ ନୁହେଁ। ଧର୍ଷଣକାରୀ ଧର୍ଷଣରୁ କିମ୍ବା ଧର୍ଷଣ ପରେ ଯେଉଁ ଆନନ୍ଦ ପାଇଥାଏ, ତାହା ସମ୍ପୂର୍ଣ୍ଣ ରୂପେ ଏକ ଜୈବ ରସାୟିନିକ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଧର୍ଷଣକାରୀ ମନୁଷ୍ୟଜଣକ ବାସ୍ତବରେ ଏକ ଯନ୍ତ୍ରଚାଳିତ ରୋବୋଟ୍ ଭଳି ହୋଇଥାଏ। ଏଣୁ ରୋବୋଟ୍କୁ ଦଣ୍ତ ଦେବା ବୃଥା ନୁହେଁ କି? ବ୍ୟକ୍ତି ଜଣକ ଅପରାଧ ଘଟାଇବା ପରେ ତାକୁ ଦଣ୍ତ ଦେବା ପାଇଁ ଅନ୍ୟମାନଙ୍କ ଠାରେ ଯେଉଁ ପ୍ରବୃତ୍ତି ଜାଗ୍ରତ ହୋଇଥାଏ, ତାହା ପଛରେ ରହିଥାଏ ପ୍ରତିହି˚ସାର ଶକ୍ତିଶାଳୀ ପ୍ରଭାବ। କିନ୍ତୁ ରୋବୋଟ୍ ଉପରେ ରାଗ ଶୁଝାଇଲେ ଲାଭ କ’ଣ?
ଏହିଭଳି ଚିନ୍ତା କରି ଡାର୍ଵିନ୍ ତାଙ୍କର ସେଇ ଅପ୍ରକାଶିତ ଟିପ୍ପଣୀରେ ଯେଉଁ ସୂଚନା ପ୍ରଦାନ କରିଛନ୍ତି, ତାହା ହେଲା: ଆମେ ଦଣ୍ତକୁ ପ୍ରତିହି˚ସା ନେବା ପାଇଁ ଆମର ଦୁର୍ବାର ଇଚ୍ଛା ଠାରୁ ବିଚ୍ଛିନ୍ନ କରିବାକୁ ଯତ୍ନଶୀଳ ହେବା ଆବଶ୍ୟକ। କେବଳ ସେଇଠି ଦଣ୍ତ ଦିଆ ଯିବା ଗ୍ରହଣୀୟ, ଯେଉଁଠି ଦଣ୍ତଦାନରୁ କୌଣସି ହିତସାଧନ ହୋଇଥାଏ। ଡାର୍ଵିନ୍ଙ୍କ ଆପଣା ଭାଷାରେ: ‘‘ଅପରାଧୀମାନଙ୍କୁ ଦଣ୍ତ ଦେବା ଠିକ୍; କିନ୍ତୁ କେବଳ [ଏହା ଦ୍ବାରା] ଅନ୍ୟମାନଙ୍କୁ ନିବୃତ୍ତ କରିବା ଉଦ୍ଦେଶ୍ୟରେ’’। ଏହାର ଅର୍ଥ ଅପରାଧୀକୁ ଦଣ୍ତ ପ୍ରଦାନ କେବଳ ସେତିକିବେଳେ ଯଥାର୍ଥ, ଯେତେବେଳେ ତାହା ଅନ୍ୟ ସମ୍ଭାବ୍ୟ ଅପରାଧୀମାନଙ୍କୁ ଅନୁରୂପ ଅପରାଧ କରିବା ପାଇଁ ନିରୁତ୍ସାହିତ କରିଥାଏ। ଏଥିରୁ ସ୍ପଷ୍ଟ ଯେ ଏପରି ବିଚାରଧାରାରେ ପ୍ରତିିହି˚ସା ଜନିତ ଦଣ୍ତଦାନର କୌଣସି ସ୍ଥାନ ନାହିଁ।
ଏଭଳି ଚିନ୍ତାଧାରା ଜନ୍ ଷ୍ଟୁଆର୍ଟ ମିଲ୍ ଆଦିଙ୍କ ଦ୍ବାରା ପ୍ରସାରିତ ଉପଯୋଗିତାବାଦ ସହିତ ବେଶ୍ ମେଳ ଖାଇଥାଏ, ଯାହା ଅନୁସାରେ ପ୍ରତିହି˚ସା ନୁହେଁ, କେବଳ ସମାଜର ମଙ୍ଗଳ ସାଧନ ପାଇଁ ହିଁ କୌଣସି ଦଣ୍ତ ଯଥାର୍ଥ ବିବେଚିତ ହୋଇପାରେ। ଦଣ୍ତର ଅନ୍ୟ କୌଣସି ସ୍ବୟ˚ ସମ୍ପୂର୍ଣ୍ଣ ନୈତିକ ଆଧାର ନାହିଁ: ଦଣ୍ତ ପାଇଥିବା ଅପରାଧୀର ଯନ୍ତ୍ରଣା ଯେମିତି ଦୁଃଖଦ, ଅନ୍ୟ କାହାର ବି ଯନ୍ତ୍ରଣା ମଧୢ ସେମିତି ଦୁଃଖଦ। ତେଣୁ କେବଳ ପ୍ରତିହି˚ସା ନେବା ପାଇଁ ଦଣ୍ତ ଦେବା ଏକ ନୈତିକ କାର୍ଯ୍ୟ ନୁହେଁ।
ହାଇଦ୍ରାବାଦ ଏନ୍କାଉଣ୍ଟର୍ରେ ପୁଲିସ ଗୁଳିରେ ଚାରିଜଣ ଯାକ ଧର୍ଷଣ ଅଭିଯୁକ୍ତ ଟଳି ପଡ଼ିବା ପରେ ଭାରତର ମୁଖ୍ୟ ବିଚାରପତି ଏସ.ଏ.ବୋବ୍ଡେ ଡାର୍ଵିନ୍ ଓ ମିଲ୍ଙ୍କୁ ଅନୁସରଣ କଲାଭଳି ମନ୍ତବ୍ୟ ଦେବା ଦେଖାଯାଇଛି: ନ୍ୟାୟ କେବେହେଲେ ପ୍ରତିଶୋଧର ରୂପ ନେବା ଉଚିତ ନୁହେଁ। ହାଇଦ୍ରାବାଦ ଏନ୍କାଉଣ୍ଟର୍ର ସମାଲୋଚକମାନେ ଏହା ବିରୋଧରେ ପ୍ରଦାନ କରୁଥିବା ଏକ ମୁଖ୍ୟ ଯୁକ୍ତି ହେଲା- ପ୍ରାଣ ହରାଇଥିବା ଅଭିଯୁକ୍ତମାନେ ଦୋଷୀ ବୋଲି ସାବ୍ୟସ୍ତ ହୋଇନାହିଁ। ଯଦି ଠିକ୍ ସେଇ ଯୁକ୍ତି ଜଷ୍ଟିସ ବୋବ୍ଡେଙ୍କ ମନ୍ତବ୍ୟ ପ୍ରତି ପ୍ରୟୋଗ କରାଯାଏ, ତେବେ ଦେଖାଯିବ ଯେ ହାଇଦ୍ରାବାଦ ପୁଲିସ କାର୍ଯ୍ୟାନୁଷ୍ଠାନ ଏକ ସତ ଏନ୍କାଉଣ୍ଟର୍ ଥିଲା କି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଥିଲା, ତାହା ସାବ୍ୟସ୍ତ ହୋଇନାହିଁ; ଏଣୁ ବୋବ୍ଡେଙ୍କ କଟାକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତତଃ ହାଇଦ୍ରାବାଦ ଘଟଣା ପ୍ରତି ପ୍ରଯୁଜ୍ୟ ନୁହେଁ ବା ପ୍ରାକ୍- ପରିପକ୍ବ। ଦ୍ବିତୀୟରେ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରତି ଦେଖା ଦେଇଥିବା ଜନସମର୍ଥନକୁ ଡାର୍ଵିନ୍ ନାପସନ୍ଦ କରିଥିବା ପ୍ରତିହି˚ସା ରୂପେ ବିଚାର କରାଯିବ କିମ୍ବା ମିଲ୍ ଅନୁମୋଦନ କରିଥିବା ସମାଜମଙ୍ଗଳବର୍ଦ୍ଧକ କାର୍ଯ୍ୟ ପ୍ରତି ସ୍ବତଃସ୍ଫୂର୍ତ୍ତ ସମର୍ଥନ ରୂପେ ବିଚାର କରାଯିବ, ତାହା ଏକ ବିବଦମାନ ପ୍ରଶ୍ନ।
ତେବେ ଯାହା କିନ୍ତୁ ଆଦୌ ବିବଦମାନ ନୁହେଁ, ତାହା ହେଲା ଧର୍ଷଣ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ଏବ˚ ସେଥିପାଇଁ ଦଣ୍ତ ଦେବାର ଅଧିକାର ଏକମାତ୍ର ନ୍ୟାୟାଳୟରେ ନିହିତ ଅଛି। ପୁଲିସକୁ ସେ ଅଧିକାର ଦିଆଯାଇନାହିଁ। ତା’ହେଲେ ପୁଲିସ ଯଦି ଅଧିକାର ବହିର୍ଭୂତ କାର୍ଯ୍ୟ କରିଥାଏ, ସେଥିପ୍ରତି ଜନସମର୍ଥନ ମିଳୁଛି କାହିଁକି? ଜଷ୍ଟିସ୍ ବୋବ୍ଡେଙ୍କୁ ଏହାର ଉତ୍ତର ଭଲ ରୂପେ ଜଣାଥିବ। ଏ ଉତ୍ତର ପ୍ରଥମେ ଦେଇଥିଲେ ଊନବି˚ଶ ଶତାବ୍ଦୀର ପ୍ରସିଦ୍ଧ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଵିଲିଅମ୍ ଗ୍ଲାଡ୍ଷ୍ଟୋନ୍, ଯେତେବେଳେ ସେ କହିଥିଲେ: ‘‘ଜଷ୍ଟିସ ଡିଲେଡ୍ ଇଜ୍ ଜଷ୍ଟିସ ଡିନାଏଡ୍’’ (ବିଳମ୍ବିତ ନ୍ୟାୟ ହେଉଛି ଅନ୍ୟାୟ)। ଭାରତର ଯେଉଁ ନ୍ୟାୟପାଳିକା ବ୍ୟବସ୍ଥାର ମୁଖ୍ୟ ହେଉଛନ୍ତି ଜଷ୍ଟିସ୍ ବୋବ୍ଡେ, ସେଇ ବ୍ୟବସ୍ଥା ନିକଟରେ ବିଚାର ଅପେକ୍ଷାରେ ପଡ଼ିରହିଛି ପ୍ରାୟ ସାଢେ଼ ତିନି କୋଟି ସରିକି ମାମଲା ଯେଉଁଥିରେ ଅସ˚ଖ୍ୟ ଜଘନ୍ୟ ଧର୍ଷଣ ମାମଲା ଅନ୍ତର୍ଭୁକ୍ତ। ହତାଶ ଜନସାଧାରଣ ତେଣୁ ପୁଲିସ କାର୍ଯ୍ୟକୁ ଏକ ତତ୍କାଳ ନ୍ୟାୟ ପ୍ରଦାନ ଭ୍ରମରେ ସ୍ବାଗତ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ନ୍ୟାୟପାଳିକାର ଦୁରବସ୍ଥା ଯୋଗୁଁ ଅସହାୟ ବୋଧ କରି ଜଣେ ପୂର୍ବତନ ମୁଖ୍ୟ ବିଚାରପତି ତୀରଥ୍ ସି˚ହ ଠାକୁର ୨୦୧୬ରେ ଏକ ସମ୍ମିଳନୀରେ ଯଦି କାନ୍ଦି ପକାଇଥିଲେ, ତେବେ ଦେଶର ବିଳମ୍ବ ପୀଡ଼ିତ ଅସହାୟ ଜନସାଧାରଣ ଏନ୍କାଉଣ୍ଟର ପ୍ରତି ପ୍ରଦର୍ଶନ କରିଥିବା ସମର୍ଥନଙ୍କୁ ପ୍ରତିଶୋଧ ବୋଲି କାହିଁକି କହିବା?