ଯୁଦ୍ଧ ଓ ଶାନ୍ତି

ଗୋଟିଏ ପ୍ରାଜ୍ଞ ଜେନ୍‌ (ବୌଦ୍ଧ ବିଚାରର ଏକ ଧାରା) ଉକ୍ତି ହେଉଛି: ‘ଅସ୍ତ୍ର ସବୁରି ଦାସ, କିନ୍ତୁ ତାହାର ନିର୍ଦ୍ଦିଷ୍ଟ ମାଲିକ କେହି ନ ଥାଆନ୍ତି।’ ଏହାର ଅର୍ଥ ହେଲା ଜଣକର ଅସ୍ତ୍ର ଯଦି ତାର ଶତ୍ରୁ ହାତରେ ପଡ଼େ, ତେବେ ତାହା ସେମିତି କାମ କରିବ ଯେମିତି ତାର ପୁରୁଣା ମାଲିକ ହାତରେ କାମ କରୁଥିଲା। ଆଘାତ ଦେଲା ବେଳେ ଅସ୍ତ୍ରଟି ତାର ପୁରୁଣା ମାଲିକକୁ ଚିହ୍ନିବ ନାହିଁ। ସେଥି ଲାଗି ଦୁଇ ଶତ୍ରୁ ପକ୍ଷର ସୈନିକ ପରସ୍ପର ବିରୋଧରେ ଲଢୁୁଥିଲା ବେଳେ ଦୁଇ ଭିନ୍ନ ପ୍ରକାରର ଅସ୍ତ୍ର ବ୍ୟବହାର କରନ୍ତି ନାହିଁ। ଏଭଳି ଏକ ପ୍ରସଙ୍ଗ ଉପରେ ଏଠାରେ ଆଲୋଚନା କରାଯିବାର ପୃଷ୍ଠଭୂମିରେ ଯାହା ରହିଛି, ତାହା ହେଲା ଗଲା ୯ ତାରିଖ, ସୋମବାର ଦିନ ‘ଷ୍ଟକ୍‌ହୋମ୍‌ ଇଣ୍ଟରନେସନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’(ସିପ୍ରି) ବା ‘ଷ୍ଟକ୍‌ହୋମ ଆନ୍ତର୍ଜାତିକ ଶାନ୍ତି ଗବେଷଣା ଅନୁଷ୍ଠାନ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ, ଯାହା କହିଥାଏ ଯେ ଏକବି˚ଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ଅର୍ଥାତ୍‌ ୨୦୦୨ରୁ ୨୦୧୮ ଭିତରେ ସମଗ୍ର ପୃଥିବୀରେ ଅସ୍ତ୍ରଶସ୍ତ୍ରର କାରବାରରେ ୪୮% ବୃଦ୍ଧି ଘଟିଛି। ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଫ୍ରାନ୍‌ସ ଇତ୍ୟାଦି ଦେଶଗୁଡ଼ିକ ଦ୍ବାରା ନିର୍ମିତ ଯୁଦ୍ଧାସ୍ତ୍ର ଶତ୍ରୁ ରାଷ୍ଟ୍ର ଏବ˚ ମିତ୍ର ରାଷ୍ଟ୍ର, ସୈନିକ ଓ ଆତଙ୍କବାଦୀ, ସୁରକ୍ଷା ବଳ ଓ ଅପରାଧୀ ନିର୍ବିଶେଷରେ ସମସ୍ତଙ୍କ ହାତକୁ ଯାଇଛି। ସ୍ବାଭାବିକ ଭାବେ ଏଥିରୁ ଗୋଟିଏ ଧାରଣା ଜନ୍ମିଥାଏ ଯେ ପୃଥିବୀ ଯୁଦ୍ଧ ଓ ସଶସ୍ତ୍ର ସ˚ଘର୍ଷ ଦ୍ବାରା ଅଧିକରୁ ଅଧିକ ଆକ୍ରାନ୍ତ ହେବାରେ ଲାଗିଛି।

ଏ ପରିପ୍ରେକ୍ଷୀରେ ‘ସିପ୍ରି’ ପକ୍ଷରୁ ଉପଲବ୍‌ଧ କିଛି ତଥ୍ୟ ଉପରେ ତିର୍ଯକ୍‌ ଦୃଷ୍ଟି ନିକ୍ଷେପ କରାଯାଉ। ତାହା ହେଲା, ପୃଥିବୀର ଗୁରୁତ୍ବପୂର୍ଣ୍ଣ ଶହେଟି ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ ରାଷ୍ଟ୍ର ୨୦୧୮ରେ କରିଥିବା ବ୍ୟବସାୟ (୪୨୦ ବିଲିଅନ୍‌ ଡଲାର) ପୂର୍ବ ବର୍ଷ ତୁଳନାରେ ୫% ଅଧିକ। ବିଶ୍ବର ବୃହତ୍ତମ ଅସ୍ତ୍ର ନିର୍ମାଣକାରୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା କେବଳ ଏହି ବର୍ଷ ୨୪୬ ବିଲିଅନ୍‌ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି କରିଛି। ଏହି ତାଲିକାରେ ଭାରତର ମଧୢ ଏକ ମୃଦୁ ଉପସ୍ଥିତି ରହିଛି। ଉପଲବ୍‌ଧ ତଥ୍ୟ ଅନୁସାରେ ଭାରତ ମୁଖ୍ୟତଃ ନିଜ ବ୍ୟବହାର ଲାଗି ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ହେଁ ସେହି ବର୍ଷ ୫.୯ ବିଲିଅନ୍‌ ଡଲାର ମୂଲ୍ୟର କାରବାର କରିଛି। ତେବେ ସବୁଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଆମଦାନିକାରୀ ରାଷ୍ଟ୍ର ଭାବେ ସାଉଦି ଆରବ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ଭାରତ। ଫ୍ରାନ୍‌ସର ଡାସଲ୍‌ଟ କ˚ପାନି ଠାରୁ ଭାରତ ରାଫେଲ ଯୁଦ୍ଧ ବିମାନ ଖର୍ଦ୍ଦି କରିଥିବାରୁ ଚଳିତ ବର୍ଷ ଫ୍ରାନ୍‌ସର ଅସ୍ତ୍ରଶସ୍ତ୍ର କାରବାର ପୂର୍ବ ବର୍ଷ ତୁଳନାରେ ୩୦% ବୃଦ୍ଧି ପାଇଛି। ମୂଳ କଥା ହେଲା ପ୍ରାୟ ସମସ୍ତ ରାଷ୍ଟ୍ର ସେମାନଙ୍କ ଜିଡିପିର ଏକ ବୃହଦାଂଶ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ବ୍ୟୟ କରୁଛନ୍ତି। କିନ୍ତୁ ଏଣେ ‘ସିପ୍ରି’ର ତଥ୍ୟାଧାରରେ ହୋଇଥିବା କିଛି ଗବେଷଣା ଏକ ବିପରୀତ ନିଷ୍କର୍ଷ ପ୍ରଦାନ କରିଥାଏ। ତାହା ହେଲା, ପୃଥିବୀ କ୍ରମେ ଶାନ୍ତି ଆଡ଼କୁ ଅଧିକରୁ ଅଧିକ ଅଗ୍ରସର ହେବାରେ ଲାଗିଛି। ତେଣୁ ସ୍ବାଭାବିକ ଭାବେ ଏଠାରେ ପ୍ରଶ୍ନ ଉଠେ ‘କିପରି’?

ଗଲା ଅନେକ ବର୍ଷ ଧରି ସିରିଆ, ଇରାକ ଓ ଆଫଗାନିସ୍ତାନ ଭଳି ଦେଶରେ ଚାଲିଥିବା ଆତଙ୍କବାଦ ହି˚ସା ଓ ଆତଙ୍କବାଦ ବିରୋଧୀ ସ˚ଘର୍ଷ ଏବ˚ ଉପ-ସାହାରୀୟ ଆଫ୍ରିକାରେ ସ˚ଘଟିତ ହେଉଥିବା ଭୟାବହ ଗୃହଯୁଦ୍ଧର ତୀବ୍ରତା ପୂର୍ବାପେକ୍ଷା ଅନେକ ହ୍ରାସ ପାଇଛି। ଆଉ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ବିଗତ କିଛି ବର୍ଷ ଧରି କୌଣସି ଦୁଇ ବା ତତୋଧିକ ରାଷ୍ଟ୍ର ମଧୢରେ ସମ୍ମୁଖ ଯୁଦ୍ଧର ଘନଘଟା ଦେଖିବାକୁ ମିଳିନାହିଁ। ଶେଷ ଥର ଲାଗି ଏଭଳି ଏକ ଯୁଦ୍ଧ ହୋଇଥିଲା ଇରାକ ଓ କୁଏତ୍‌ ମଧୢରେ, ୧୯୯୦ ମସିହାରେ। ଆତଙ୍କବାଦ ବିରୋଧୀ ଯୁଦ୍ଧ କ୍ରମରେ ଯଦିଓ ଆଫଗାନିସ୍ତାନ ଓ ଇରାକ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଆକ୍ରମଣ କରିଛି, ଶାସ୍ତ୍ରୀୟ ସ˚ଜ୍ଞାନୁସାରେ ଏହାକୁ ଯୁଦ୍ଧ ଭାବେ ଅଭିହିତ କରାଯାଇ ନ ପାରେ। ଏ ସ˚ଦର୍ଭରେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଷ୍ଟିଭେନ ପିଙ୍କରଙ୍କ ଦ୍ବାରା ରଚିତ ହି˚ସାର ଇତିହାସ ଆଧାରିତ ଏକ ପୁସ୍ତକ ‘ଦ ବେଟର‌୍‌ ଏନ୍‌ଜେଲ୍‌ସ ଅଫ୍‌ ନେଚର‌୍‌’ରେ ସ୍ଥାନୀତ କିଛି ନିଷ୍କର୍ଷ ବିଚାରଯୋଗ୍ୟ। ତାହା କହିଥାଏ ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ଉପରାନ୍ତ ପୃଥିବୀରେ ଯୁଦ୍ଧ ପ୍ରତି ଏକ ଅନାସ୍ଥା ଭାବ ପ୍ରକଟିତ ହେବା ଆରମ୍ଭ କରିଥିଲା। ଏହା ପରେ ଏସିଆ ମହାଦେଶରେ ଘଟିଥିବା ଆଉ ଦୁଇଟି ଅତ୍ୟନ୍ତ ସା˚ଘାତିକ ଯୁଦ୍ଧ – କୋରିଆ ଯୁଦ୍ଧ ଏବ˚ ଭିଏତ୍‌ନାମ ଯୁଦ୍ଧ- ସାବ୍ୟସ୍ତ କରିଥିଲା ଯେ ଯୁଦ୍ଧଗୁଡ଼ିକ ନିରର୍ଥକ। ଯଦିଓ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଭାରତ-ଚୀନ, ଭାରତ ପାକିସ୍ତାନ, ଗ୍ରେଟ୍‌ ବ୍ରିଟେନ୍‌ ଓ ଆର୍ଜେଣ୍ଟିନା (ଫକ୍‌ଲାଣ୍ତସ ଯୁଦ୍ଧ) ଏବ˚ ବୋସନିଆ ଓ ହର୍ଜଗୋବିନା ମଧୢରେ ଘଟିଥିବା ଭଳି କେତେକ ଯୁଦ୍ଧ ହୋଇଛି, କିନ୍ତୁ ପ୍ରତି ଥର ସେ ସବୁ ଯୋଗୁ ଯୁଦ୍ଧର ଅର୍ଥହୀନତା ହିଁ ଅଧିକ ପ୍ରମାଣସିଦ୍ଧ ହୋଇଛି। ତେଣୁ କୋରିଆ ଏବ˚ ଭିଏତ୍‌ନାମ ଯୁଦ୍ଧକୁ ଯୁଦ୍ଧ ଧାରାରେ ‘ବ୍ରେକି˚ ପଏଣ୍ଟ’ ବୋଲି ଅଭିହିତ କରାଯାଇଥାଏ।

ତେବେ, ଏହା ସତ୍ତ୍ବେ ଦେଶଗୁଡ଼ିକ ଅସ୍ତ୍ରଶସ୍ତ୍ର ଠୁଳ କରିବା ତଥା ଆଣବିକ ଅସ୍ତ୍ର ସାମର୍ଥ୍ୟ ହାସଲ କରିବାରେ ପ୍ରକାଶ୍ୟ ବା ପ୍ରଚ୍ଛନ୍ନ ଆଗ୍ରହ ପ୍ରଦର୍ଶନ କରୁଛନ୍ତି କାହିଁକି? ଏହାର ପ୍ରମୁଖ କାରଣ ହେଉଛି ଆପଣା ରାଷ୍ଟ୍ରର ସୁରକ୍ଷା ଚିନ୍ତା। ଅଭିଜ୍ଞତା ହେଲା, କୌତୂହଳପ୍ରଦ ରାଷ୍ଟ୍ରଗୁଡ଼ିକ ପାଖରେ ବିପୁଳ ଶସ୍ତ୍ରର ଭଣ୍ତାର ହିଁ ପ୍ରକାରାନ୍ତରେ ଯୁଦ୍ଧକୁ ନିରୁତ୍ସାହିତ କରୁଛି। ଏକ ଯୁଦ୍ଧ ଲାଗି ନିଷ୍ପତ୍ତି ନେଉଥିବା ରାଜନେତାମାନେ ଏଭଳି କୌଣସି ବିପଦ ବରଣ କରିବାକୁ ଚାହାନ୍ତି ନାହିଁ, ଯାହା ଶତ୍ରୁ ରାଷ୍ଟ୍ର ସହିତ ସେମାନଙ୍କ ନିଜ ରାଷ୍ଟ୍ରର ମଧୢ ପ୍ରଭୂତ କ୍ଷତି ସାଧନ କରିବ। ସେହି ଆଧାରରେ କୁହାଯାଇଥାଏ ଯେ ପ୍ରତ୍ୟେକ ରାଷ୍ଟ୍ର ଆଣବିକ ସାମର୍ଥ୍ୟ ଲାଭ କରିବାର ଅର୍ଥ ହେବ ଅଣୁ ଯୁଦ୍ଧ ସମ୍ଭାବନାର ଅବସାନ।

ଏ ପରିପ୍ରେକ୍ଷୀରେ ନରେଵର ଅସ୍‌ଲୋ ବିଶ୍ବବିଦ୍ୟାଳୟର ରାଜନୀତି ବିଭାଗର ପ୍ରଫେସର ହାଭାର୍ଡ ହେଗରେଙ୍କ ମତ ମଧୢ ତାତ୍ପର୍ଯ୍ୟପୂର୍ଣ୍ଣ। ହେଗରେଙ୍କ ମତରେ ୨୦୫୦ ବେଳକୁ ପୃଥିବୀରେ ଯୁଦ୍ଧର ଆଶଙ୍କା ନ ଥିବ, କାରଣ ଯୁଦ୍ଧ ଲାଗି ହେଉଥିବା ମାତ୍ରାଧିକ ବ୍ୟୟ ଭାର ମୂଲ୍ୟହୀନ ମନେ ହେଉଥିବ, ସେତେବେଳକୁ ଶିକ୍ଷାର ଯଥେଷ୍ଟ ପ୍ରସାର ଘଟି ସାରିଥିବ, ସୂଚନା ଓ ପ୍ରଯୁକ୍ତି ମଣିଷର ବିଚାରଗତ ପ୍ରଶସ୍ତତାକୁ ବୃଦ୍ଧି କରିସାରିଥିବ ଏବ˚ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଯୁଦ୍ଧ ଲାଗି ଉପଲବ୍‌ଧ ତରୁଣମାନଙ୍କ ସ˚ଖ୍ୟା ହ୍ରାସ ପାଇଯାଇଥିବ। ଛୋଟ ବଡ଼ ରକ୍ତାକ୍ତ ସ˚ଘର୍ଷର ଆଶଙ୍କା ରହିଲେ ସୁଦ୍ଧା ପ୍ରଳୟଙ୍କରୀ ଯୁଦ୍ଧର ଅବକାଶ ଆଉ ନ ଥିବ।

ଏହି ବିଚାରରେ ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା ଶୂନ୍ୟ ପ୍ରାୟ। ଏକ ଭିନ୍ନ ପ୍ରସଙ୍ଗରେ ବିଶ୍ବବିଶ୍ରୁତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ କହିଥିଲେ- ତୃତୀୟ ବିଶ୍ବଯୁଦ୍ଧରେ କେଉଁଭଳି ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯିବ, ସେ ବିଷୟରେ ମୁଁ ଜାଣେ ନାହିଁ। କିନ୍ତୁ ଯଦି ଚତୁର୍ଥ ବିଶ୍ବଯୁଦ୍ଧ ହୁଏ, ତେବେ ତାହା ଲାଠି ଓ ପଥର ଦ୍ବାରା ଲଢ଼ାଯିବ। ଏହା ଦ୍ବାରା ଆଇନଷ୍ଟାଇନ୍‌ କ’ଣ କହିବାକୁ ଚାହୁଁଥିଲେ ତାହା ବୋଧଗମ୍ୟ। କିନ୍ତୁ ମାନବ ସଭ୍ୟତାର ସ˚ପୂର୍ଣ୍ଣ ଧ୍ବ˚ସ ସାଧନ ଲାଗି ତୃତୀୟ ବିଶ୍ବଯୁଦ୍ଧଟିଏ ହେବା ଆଗରୁ ସ˚ଯମ ତହିଁରେ ବାଟ ଓଗାଳିବ ଏବଂ ସେହି ଦୃଷ୍ଟିରୁ ଚତୁର୍ଥ ବିଶ୍ବଯୁଦ୍ଧର ଆଶଙ୍କା ନାହିଁ ବୋଲି କହିଲେ ତାହା ଅତିଶୟୋକ୍ତି ହେବ ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.