କଳା ହରଣ!

ରାହୁଳ ଗାନ୍ଧୀ ନିଜ ନାମ ସହିତ ଯେଉଁ ସାଙ୍ଗିଆଟି ଧାରଣ କରିଛନ୍ତି, ତାହା ଦ୍ବାରା କେବଳ ଜଣେ ମାତ୍ର ବ୍ୟକ୍ତି ଚିହ୍ନିତ ହୁଅନ୍ତି; ଏବଂ ସେ ହେଉଛନ୍ତି ବି˚ଶ ଶତାବ୍ଦୀ ଦେଖିଥିବା ଏ ବିଶ୍ବର ସର୍ବଶ୍ରେଷ୍ଠ ମାନବ। ଗଲା ଶନିବାର ଦିନ ଯେତେବେଳେ ରାହୁଳ ଗାନ୍ଧୀ କହିଲେ ଯେ ସେ ପ୍ରଦାନ କରିଥିବା ‘ରେପ୍‌ ଇନ୍‌ ଇଣ୍ତିଆ’ ମନ୍ତବ୍ୟ ଲାଗି କଦାଚିତ୍‌ କ୍ଷମା ମାଗିବେ ନାହିଁ, କାରଣ ସେ ରାହୁଳ ସବରକର ନୁହନ୍ତି; ସେତେବେଳେ ସେ ଏହି ସାଙ୍ଗିଆ ସହିତ ଯାହାଙ୍କ ଆଡ଼କୁ ଇଙ୍ଗିତ କଲେ, ସେ ଥିଲେ ‘ପୃଥିବୀର ଏହି ସର୍ବଶ୍ରେଷ୍ଠ ମାନବ’ଙ୍କର ସବୁଠାରୁ ଉଗ୍ର ଓ ପ୍ରସିଦ୍ଧ ବୈଚାରିକ ବିରୋଧୀ। ରାହୁଳ ଗାନ୍ଧୀଙ୍କ ଏ ମନ୍ତବ୍ୟ ଶିବସେନାକୁ ଯାହା କହିବାକୁ ପ୍ରରୋଚିତ କଲା, ତାହା ହେଉଛି ସେ (ରାହୁଳ) କଦାପି ‘ସବରକର’ ହୋଇ ନ ପାରନ୍ତି; ସେ ପ୍ରକୃତରେ ‘ଜିନ୍ନା’। ସୁତରା˚, ଏଇ ଦିନ କେଇଟା ଭିତରେ ଏ ଉପମହାଦେଶର ସମସାମୟିକ ତିନି ଇତିହାସ ପୁରୁଷ ଚର୍ଚ୍ଚାକୁ ଆସି ଯାଇଛନ୍ତି। ଏବଂ ଏତିକି ବେଳେ ରାଜନୀତି ବିଦ୍ବାନମାନେ ଏକ ନିଷ୍କର୍ଷରେ ପହଞ୍ଚିବାରେ ଲାଗିଛନ୍ତି ଯେ ଏହା ହେଉଛି କ˚ଗ୍ରେସ ନେତୃତ୍ବର ଦିଶା ସ˚କଟର ଏକ ସଂକେତ।  ତେବେ ଗୋଟିଏ ବାକ୍ୟରେ ଘଟଣାର ପୃଷ୍ଠଭୂମିଟି ଏହିଭଳି: ଝାରଖଣ୍ତରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଲା ବେଳେ ରାହୁଳ ଗାନ୍ଧୀ କହିଥିଲେ ଯେ ‘ମେକ୍‌ ଇନ୍‌ ଇଣ୍ତିଆ’ ନୁହେଁ, ଏବେ କହିବାକୁ ପଡୁଛି ‘ରେପ୍‌ ଇନ୍‌ ଇଣ୍ତିଆ’। ତା’ ପର ଠାରୁ ଉପରେ ବର୍ଣ୍ଣିତ ହୋଇଥିବା ଭଳି ମତ ଓ ମନ୍ତବ୍ୟ ଶୁଣିବାକୁ ମିଳିବାରେ ଲାଗିଛି। ତେବେ ପ୍ରଶ୍ନ ହେଲା; କ˚ଗ୍ରେସ ନେତୃତ୍ବ ଯେ ଦିଶା ସଂକଟର ସମ୍ୁଖୀନ, ଏଥିରୁ ଏଭଳି ଏକ ଧାରଣା ସତରେ ସୃଷ୍ଟି ‌େହଉଛି କି?

ଏହା ସତ ଯେ ବିନାୟକ ଦାମୋଦର ସବରକର ବା ବୀର ସବରକରଙ୍କୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାର ଜଣେ ଷଡ୍‌ଯନ୍ତ୍ରକାରୀ ରୂପେ ଗିରଫ କରାଯାଇଥିଲା। ତେବେ ଅଦାଲତୀ ବିଚାର ପରେ ସେ ସେହି ଆରୋପରୁ (‘ଟେକ୍‌ନିକାଲିଟି’ କାରଣରୁ) ମୁକ୍ତ ହୋଇଥିଲେ। ପ୍ରକୃତରେ ସବରକର ଥିଲେ ଜଣେ ପ୍ରଚଣ୍ତ ହିନ୍ଦୁବାଦୀ ବିଦ୍ବାନ ଓ ଗାନ୍ଧୀଙ୍କ ସମସାମୟିକ ଚରମ ବୈଚାରିକ ଓ ସୈଦ୍ଧାନ୍ତିକ ବିରୋଧୀ। ଏଣେ ମହାରାଷ୍ଟ୍ରରେ ସେ ଜଣେ ଅତ୍ୟନ୍ତ ସମ୍ମାନାସ୍ପଦ ବ୍ୟକ୍ତିତ୍ବ ରୂପେ ଗୃହୀତ। ଯଦିଓ ଏହା ମଧୢ ସତ ଯେ ସବରକର ବ୍ରିଟିସ ସରକାର ଠାରେ ନିଜ ସରକାର ବିରୋଧୀ କାର୍ଯ୍ୟ ଲାଗି କ୍ଷମା ପ୍ରର୍ଥନା କରି ଆଣ୍ତାମାନର କଳାପାଣିରୁ ମୁକ୍ତି ପାଇଥିଲେ, ଦକ୍ଷିଣ ପନ୍ଥୀ ହିନ୍ଦୁବାଦୀମାନେ ତାଙ୍କୁ ସେ ସମୟର ଜଣେ ଯୋଗଜନ୍ମା ରୂପେ ଦେଖନ୍ତି। ତେଣୁ, ଏମିତି ଦେଖିଲେ କ˚ଗ୍ରେସ ପକ୍ଷରୁ ସବରକରଙ୍କୁ ବିରୋଧ କରାଯିବା ଏକ ସ୍ବାଭାବିକତା ମାତ୍ର। କିନ୍ତୁ, ପ୍ରଶ୍ନ ଉଠେ ତାହା ହେଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସବରକରଙ୍କ ପ୍ରତି ଦରଦୀ ଥିଲେ କାହିଁକି? ଇନ୍ଦିରା ଗାନ୍ଧୀ ତାଙ୍କର ଅନେକ ଲେଖାରେ ସବରକରଙ୍କୁ ଜଣେ ‘ପ୍ରେରଣାର ସ୍ରୋତ’ ବା ଜଣେ ‘ଅନନ୍ୟ ଦେଶପ୍ରେମୀ’ ଭାବେ ଅଭିହିତ କରିଛନ୍ତି। ୧୯୭୦ ମସିହାରେ ସେ ସବରକରଙ୍କ ନାମରେ ଏକ ଡାକଟିକେଟ ପ୍ରଚଳନ କରାଇଥିଲେ ଏବ˚ ସବରକରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଗଠିତ ଏକ ପାଣ୍ଠିକୁ ୧୧,୦୦୦ ଟଙ୍କା(ଆଜିର ହିସାବରେ ପ୍ରାୟ ୫ ଲକ୍ଷ) ଦାନ କରିଥିଲେ। ତାଙ୍କ ପୃଷ୍ଠପୋଷକତାରେ ସବରକରଙ୍କ ଉପରେ ଏକ ବୃତ୍ତ ଚିତ୍ର ନିର୍ମାଣ କରାଯାଇଥିଲା। ଏହାର କାରଣ କ’ଣ ଏୟା ହୋଇପାରେ ଯେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ କ˚ଗ୍ରେସ ଧର୍ମନିରେପକ୍ଷତାର ଆଭିମୁଖ୍ୟ ସହିତ ସାଲିସ କରିଥିଲା?

ନା, ଏହାର ଉତ୍ତର ନିହିତ ଅଛି ଇନ୍ଦିରା ଗାନ୍ଧୀଙ୍କ ଅତ୍ୟନ୍ତ ବିଚକ୍ଷଣ ରାଜନୈତିକ ବୁଦ୍ଧିମତ୍ତାରେ। ମୂଳ କଥା ହେଉଛି, ଭାରତୀୟ ସ୍ବାଧୀନତା ସ˚ଗ୍ରାମର ତାରକା ରୂପେ ପ୍ରଦର୍ଶନ କରିବା ଲାଗି ସେତେବେଳେ ଜନସ˚ଘ (ଆଜିର ବିଜେପି) ପାଖରେ କେବଳ ସବରକରଙ୍କ ଛଡ଼ା ଆଉ କେହି ନ ଥିଲେ। ଇନ୍ଦିରା ଗାନ୍ଧୀ ‘ସବରକର’ଙ୍କୁ ମଧୢ ଜନସ˚ଘ ଠାରୁ ହରଣ କରି କ˚ଗ୍ରେସ ବଳୟ ଭିତରକୁ ଟାଣି ଆଣିବାର ଉଦ୍ୟମ କରିଥିଲେ। ଧର୍ମ ନିରପେକ୍ଷତା ପ୍ରତି ତାଙ୍କର ଅତୁଟ ସମର୍ଥନର ପ୍ରମାଣ କେବଳ ଏଥିରୁ ମିଳିଥାଏ ଯେ ଜରୁରୀକାଳୀନ ପରିସ୍ଥିତି ବେଳେ ବିନା କୌଣସି ଅଭିଯୋଗ ଓ ବିଚାରରେ ଜେଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିମାନଙ୍କ ଭିତରୁ ପ୍ରାୟ ୭୦% ଥିଲେ ‘ଆର‌୍‌ଏସ୍‌ଏସ୍‌’ ସଦସ୍ୟ ଓ ସମର୍ଥକ। ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ କ˚ଗ୍ରେସର ରାଜନୈତିକ ଆଭିମୁଖ୍ୟରେ ଯାହା ଦେଖିବାକୁ ମିଳୁଥିଲା, ତାହା ଥିଲା ବାମବାଦ ଆଡ଼କୁ ଇଷତ୍‌ ଢଳିଥିବା ‘ସମାଜବାଦୀ’ ଚିନ୍ତା ସହିତ ‘ଜାତୀୟତାବାଦ’ର ଏକ ଚମକପ୍ରଦ ସ˚ଗମ, ଯାହା ଇନ୍ଦିରା ଗାନ୍ଧୀଙ୍କ ଲାଗି ଅପୂର୍ବ ଜନସମର୍ଥନ ଆଣି ଦେଇଥିଲା। ଏ ପ୍ରସଙ୍ଗରେ ଦକ୍ଷିଣପନ୍ଥୀ ବିଦ୍ବାନ ତଥା ‘ଆରଏସ୍‌ଏସ୍‌’ର ମୁଖପତ୍ର ‘ଦ ଅର୍ଗାନାଇଜର’ର ପୂର୍ବତନ ସ˚ପାଦକ ଶେଷାଦ୍ରୀ ଚାରୀ ବିଖ୍ୟାତ ସାମ୍ବାଦିକ ଓ ସ˚ପାଦକ ଶେଖର ଗୁପ୍ତାଙ୍କୁ କହିଥିବା କଥାଟିଏ ବିଶେଷ ଗୁରୁତ୍ବ ବହନ କରିଥାଏ। ଶେଷାଦ୍ରୀ ଚାରୀ କହିଥିଲେ ଯେ ଇନ୍ଦିରା ଗାନ୍ଧୀ ‘ଜନସ˚ଘ’କୁ କସ୍ମିନ୍‌ କାଳେ ଏକ ‘ହିନ୍ଦୁ ଦଳ’ ଭାବେ ଆଖ୍ୟାୟିତ କରି ନ ଥିଲେ। କାରଣ, ସେ ଜାଣିଥିଲେ ଯେ ଏଭଳି କରିବା ଅର୍ଥ ଅସ˚ଖ୍ୟ ହିନ୍ଦୁଙ୍କୁ ସେହି ଦଳ ଆଡ଼କୁ ମୁହାଁଇବା ଲାଗି ବାଟ ଖୋଲିଦେବା। ତା’ ଛଡ଼ା ସେ ଏହା ଜାଣିଥିଲେ ଯେ କ˚ଗ୍ରେସ ପଛରେ ମଧୢ ଏକ ବିଶାଳ ହିନ୍ଦୁ ସମର୍ଥନ ରହିଛି। ରାଜନୀତିର ବୁଦ୍ଧିରେ ଅଦ୍ବିତୀୟ ଇନ୍ଦିରା ଗାନ୍ଧୀ ସେଥି ଲାଗି ‘ଜନସ˚ଘ’କୁ ‘ବଣିଆ’ମାନଙ୍କ ଦଳ ବୋଲି ସମ୍ବୋଧନ କରୁଥିଲେ। ଯେହେତୁ ଭାରତର ଗାଁ ଗହଳିରେ ଧୂର୍ତ୍ତ ଓ ଲାଭଖୋର ‘ବଣିଆ’ ବା ବେପାରୀବର୍ଗର ଭାବମୂର୍ତ୍ତି ବିଶେଷ ଶ୍ରଦ୍ଧାଭାଜନ ନ ଥିଲା, ଇନ୍ଦିରା ଗାନ୍ଧୀ ଏହାର ବ୍ୟବହାର ଦ୍ବାରା ଜନସ˚ଘକୁ ପ୍ରଭାବଶୂନ୍ୟ କରିବାର ଚେଷ୍ଟା କରିଥିଲେ।

କିନ୍ତୁ ପରବର୍ତ୍ତୀ କାଳରେ ସୋନିଆ ଏବ˚ ରାହୁଳ ଗାନ୍ଧୀଙ୍କ ନେତୃତ୍ବାଧୀନ କ˚ଗ୍ରେସ ଦ୍ବାରା ବିଜେପି ଏକ ‘ହିନ୍ଦୁତ୍ବ’ ଦଳ ଭାବେ ବାରମ୍ବାର ଅତ୍ୟନ୍ତ କଡ଼ା ଭାଷାରେ ସମାଲୋଚିତ ହେବା ପ୍ରକାରାନ୍ତରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିଛି। ଏହାର ପରିଣତି ସ୍ବରୂପ କ˚ଗ୍ରେସ ଯେଉଁ କ୍ଷତି ସହିଛି, ତାର ଭରଣା କରିବା ଲାଗି ରାହୁଳଙ୍କ ମୁହୁର୍ମୁହୁଃ ମନ୍ଦିର ଦର୍ଶନ (ନିଜକୁ ଜଣେ ଶିବଭକ୍ତ ବୋଲି ଦର୍ଶାଇ) ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମ କେବଳ ଏହା ହିଁ ପ୍ରମାଣିତ କରିଚାଲିଛି ଯେ କ˚ଗ୍ରେସ ନେତୃତ୍ବ ଏବେ ଘୋର ଦ୍ବନ୍ଦ୍ବର କବଳରେ। ଏଭଳି ଦ୍ବନ୍ଦ୍ବ ବିଭିନ୍ନ ରୂପରେ ଓ ବାରମ୍ବାର କ˚ଗ୍ରେସର ଆଭିମୁଖ୍ୟରେ ପ୍ରଦର୍ଶିତ ହେଉଛି। କାରଣ ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ‘ମନ୍ଦିର ଦର୍ଶନ’ର ବିପରୀତରେ ଯାଇ ବାମପନ୍ଥା ଆଡ଼କୁ ମାତ୍ରାଧିକ ଢ଼ଳି ପଡ଼ୁଥିବା କଂଗ୍ରେସ ଜାତୀୟତାବାଦ ଏବ˚ ଧର୍ମନିରପେକ୍ଷତା ଭଳି ପ୍ରସଙ୍ଗରେ ଏଭଳି ଆଭିମୁଖ୍ୟ ପୋଷଣ କରୁଛି, ଯାହାକୁ ଦକ୍ଷିଣପନ୍ଥୀ ରାଜନୀତି ଦ୍ବାରା ପାକିସ୍ତାନ ସ୍ବରର ପ୍ରତିଧ୍ବନି ରୂପେ ସଫଳତାର ସହିତ ଚିତ୍ରଣ କରାଯାଇପାରୁଛି। ୨୦୧୯ ନିର୍ବାଚନ ଇସ୍ତାହାରରେ କ˚ଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିରେ ଥିଲା ରାଷ୍ଟ୍ରଦ୍ରୋହ ଆଇନର ବିଲୋପ ବା କାଶ୍ମୀରରୁ ସେନା ପ୍ରତ୍ୟାହାର ଭଳି ସର୍ତ୍ତ, ଯାହା (ସ˚ପାଦକ ଶେଖର ଗୁପ୍ତାଙ୍କ ମତରେ) ଇନ୍ଦିରା ଗାନ୍ଧୀ ଜୀବିତ ଥିଲେ ତାଙ୍କୁ କ˚ଗ୍ରେସ ନେତୃତ୍ବ ମୁହଁରେ ଏକ ଚଟକଣା ମାରିବାକୁ ପ୍ରେରିତ କରନ୍ତା

ସୁତରା˚, ଆପାତତଃ ଯାହା ହୋଇଛି, ତାହା ହେଲା ସତୁରି ଦଶକରେ ଇନ୍ଦିରା ଗାନ୍ଧୀ ଯେମିତି ଜନସ˚ଘର କଳା ହରଣ କରିଥିଲେ, ଏବେ ବିଜେପି କ˚ଗ୍ରେସ ଠାରୁ ସେଇଭଳି କଳା ହରଣ କରୁଛି। ସହିଦ ଭଗତ ସି˚ହ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଲାଲ ବାହାଦୁର ଶାସ୍ତ୍ରୀ ଇତ୍ୟାଦିଙ୍କ ଭଳି ମହାନ ସ୍ବାଧୀନତା ସ˚ଗ୍ରାମୀ ଓ ଦକ୍ଷିଣପନ୍ଥା ବିରୋଧୀ ନେତାମାନଙ୍କୁ ନିଜ ବଳୟକୁ ଟାଣି ଆଣିବାର ଉଦ୍ୟମରେ ଅନେକଟା ସଫଳ ହେବା ପରେ ଏବେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ମଧୢ କ˚ଗ୍ରେସ ଠାରୁ ହରଣ କରିବା ଦିଗରେ ଅଗ୍ରସର। ଏହି ସମୟରେ ଯଦି କ˚ଗ୍ରେସ ନେତୃତ୍ବ ତାକୁ ଘୋଟି ରହିଥିବା ଦ୍ବନ୍ଦ୍ବ କବଳରୁ ମୁକ୍ତି ନ ପାଏ, ତେବେ ତାର ସମସ୍ତ କଳା ଯେ ଅଚିରେ ହୃତ ହୋଇଯାଇପାରେ, ତାହା ଅନୁମାନସାପେକ୍ଷ।

ସମ୍ବନ୍ଧିତ ଖବର