ଶେଷରେ ବେଲଗାମ୍ ତୁଣ୍ଡକୁ ଦଣ୍ଡ ମିଳିଛି। ଏକ ପ୍ରକାର ଅଭ୍ୟାସଗତ ଭାବେ ନିୟମିତ ବ୍ୟବଧାନରେ ଦାୟିତ୍ୱହୀନ ଓ ବିବାଦୀୟ ମନ୍ତବ୍ୟ ଦେଇ ସରକାର ଓ ଶାସକ ଦଳକୁ ଅଡୁଆରେ ପକାଇ ଆସୁଥିବା କୃଷି ମନ୍ତ୍ରୀ ଡା. ଦାମୋଦର ରାଉତଙ୍କୁ ମନ୍ତ୍ରୀ ପରିଷଦରୁ ବରଖାସ୍ତ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ନିଜ ଆଡୁ ଗଣମାଧ୍ୟମକୁ ଡାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରୁ ଡା. ରାଉତଙ୍କ ବହିଷ୍କାର ବିଷୟରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଏହି ନିଷ୍ପତ୍ତି ନାଟକୀୟ ମନେ ହେଲେ ସୁଦ୍ଧା ଆଦୌ ଅପ୍ରତ୍ୟାଶିତ ନଥିଲା। କ୍ୱଚିତ୍ କାହାକୁ ଏହା ବିସ୍ମିତ କରିଛି। ମନ୍ତ୍ରୀ ପଦରେ ଦୀର୍ଘ ଅଭିଜ୍ଞତା ସତ୍ତ୍ୱେ ଅନୁଭବୀ ଡା. ରାଉତ ବସ୍ତୁତଃ ତାଙ୍କ ବିରୋଧରେ ଏ କାର୍ଯ୍ୟାନୁଷ୍ଠାନକୁ ନିଜେ ଆମନ୍ତ୍ରଣ କରି ଆଣିଛନ୍ତି ବୋଲି କହିଲେ ଅତିରଞ୍ଜନ ହେବ ନାହିଁ। ଇତିମଧ୍ୟରେ ତାଙ୍କୁ ଦଳୀୟ ପଦ ଓ ଦାୟିତ୍ୱରୁ ମଧ୍ୟ ଅବ୍ୟାହତି ଦିଆଯାଇଛି। ଶାସକ ବିଜେଡି ପ୍ରତିଷ୍ଠାର ବିଂଶ ବର୍ଷ ପୂର୍ତ୍ତି ପାଇଁ ପ୍ରସ୍ତୁତି ଓ ଊଣେଇଶ ଲଢ଼େଇ ଲାଗି ସଜବାଜ ଚାଲିଥିବା ବେଳେ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବହିଷ୍କାର ଅସ୍ୱସ୍ତିକର ହେଲେ ସୁଦ୍ଧା ଏହାକୁ ଏଡ଼ାଇବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରେ ସମ୍ଭବ ନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ନିଜକୁ ଅନୁଭବ ରାଜନୀତିର ପ୍ରବକ୍ତା ଦାବି କରୁଥିବା ଅଭିଜ୍ଞ ରାଜନେତା ଡା. ରାଉତଙ୍କ ବାକ୍ପଟୁତା ତାଙ୍କ ରାଜନୈତିକ ଜୀବନର ବଡ଼ ପୁଞ୍ଜି ଓ ଏକ ପ୍ରଭାବଶାଳୀ ଅସ୍ତ୍ର ମଧ୍ୟ। ଡା. ରାଉତଙ୍କ ବାକ୍ପଟୁତା, ଚଟୁଳ ମନ୍ତବ୍ୟ, କଟାକ୍ଷପୂର୍ଣ୍ଣ ଟିପ୍ପଣୀ କେବଳ ପ୍ରତିପକ୍ଷକୁ ଚିତ୍ କରିବାକୁ ନୁହେଁ, ଜନତାକୁ ପ୍ରଭାବିତ କରିବା ଲାଗି ମଧ୍ୟ ସାମର୍ଥ୍ୟ ରଖେ। ନିଜ ମତ ଓ ପକ୍ଷ ଉପସ୍ଥାପନ ଲାଗି ଡା. ରାଉତଙ୍କ ପାଇଁ ବାକ୍ଚାତୁରୀ ଏକ ଈଶ୍ୱରଦତ୍ତ ଆୟୁଧ। କିନ୍ତୁ ଗୋଟିଏ ଅସ୍ତ୍ରର ମାତ୍ରାଧିକ, ଅପରିଣାମଦର୍ଶୀ ପ୍ରୟୋଗ ଫଳରେ ଏହା ତା’ର ପ୍ରଭାବ ତଥା ଶକ୍ତି ହରାଇବସେ। ଅନେକ ସମୟରେ ବୁମେରାଂ ମଧ୍ୟ ହୁଏ। ଡା. ରାଉତଙ୍କ କ୍ଷେତ୍ରରେ ସମ୍ଭବତଃ ଏହା ହିଁ ଘଟିଛି। ପୂର୍ବରୁ ଚାଷ-ଚାଷୀ ପ୍ରସଙ୍ଗରେ ହେଉ ଅବା ଜୟୀ ରାଜଗୁରୁଙ୍କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ପ୍ରଦାନ ପ୍ରସଙ୍ଗ ହେଉ, ତାଙ୍କ ମନ୍ତବ୍ୟ ବିବାଦ ଓ ବିତର୍କର ଝଡ଼ ସୃଷ୍ଟି କରିଥିଲା। ଆହୁରି ମଧ୍ୟ ଅନେକ ନଜିର ରହିଛି ଯେଉଁଠି ତାଙ୍କ ତୁଣ୍ଡରୁ ବାହାରୁଥିବା ବକ୍ତବ୍ୟ ମନ୍ତ୍ରୀପଦର ଗରିମାର ଅନୁକୂଳ ନ ହୋଇ ଅଯଥା ବିବାଦ ଠିଆ କରିଛି। ତେବେ ଯେଉଁ ସଦ୍ୟତମ ମନ୍ତବ୍ୟ ପାଇଁ ଦାମବାବୁଙ୍କୁ ମନ୍ତ୍ରୀପଦର ମୂଲ୍ୟ ଦେବାକୁ ପଡ଼ିଲା, ତାହା ବିବାଦ ଓ ବିତର୍କର ସରହଦ ଡେଇଁ ବିପଜ୍ଜନକ ଭାବେ ସମାଜରେ ଅସୂୟା, ବିଦ୍ୱେଷର ବିଷମଞ୍ଜି ବୁଣିବାର ଆଶଙ୍କା ସୃଷ୍ଟି କରିଥିଲା। ରାଜନୀତି କିଂବା ଶାସନରେ ଅସ୍ୱସ୍ତି ସୃଷ୍ଟି କରୁଥିବା ବକ୍ତବ୍ୟ ଓ ମନ୍ତବ୍ୟକୁ ବରଦାସ୍ତ କରାଯାଇପାରେ। କିନ୍ତୁ ସାମାଜିକ ବାତାବରଣରେ ଅସ୍ୱସ୍ତି ସୃଷ୍ଟି କରି ବିଭିନ୍ନ ବର୍ଗ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ସଦ୍ଭାବନାକୁ ବିପନ୍ନ କରିବା ଆଶଙ୍କା ରଖୁଥିବା ବକ୍ତବ୍ୟକୁ ଆଦୌ ବରଦାସ୍ତ କରାଯାଇ ନପାରେ। ତେଣୁ ମାଲ୍ୟବନ୍ତ ଉତ୍ସବ ଅବସରରେ ଡା. ରାଉତ ମହାଶୟ ଅସୂୟା ସୃଷ୍ଟିକାରୀ ଜାତିଆଣ ମନ୍ତବ୍ୟ ଦେଇ ପୁଣି ତା’ ଉପରେ କାଏମ ରହିବା ଫଳରେ ସେ ବସ୍ତୁତଃ କାର୍ଯ୍ୟାନୁଷ୍ଠାନକୁ ଆମନ୍ତ୍ରଣ ଜଣାଇଥିଲେ। ଅନ୍ୟପକ୍ଷରେ ଡା. ରାଉତଙ୍କ ମନ୍ତବ୍ୟ ଯୋଗୁ ପ୍ରକାଶ ପାଇଥିବା ଅହେତୁକ ସାମାଜିକ ଅଶାନ୍ତି ଓ ଉତ୍ତେଜନାକୁ ପ୍ରଶମିତ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଛଡ଼ା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅନ୍ୟ ବିକଳ୍ପ ନଥିଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏକ ସୁସ୍ଥ ତଥା ଠିକଣା ସକାରାତ୍ମକ ସଂକେତ ଦେବା ଲାଗି ଡା. ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏକାନ୍ତ ଆବଶ୍ୟକ ଥିଲା। ଦାମବାବୁଙ୍କ ବିଭିନ୍ନ ମନ୍ତବ୍ୟ ଓ ବକ୍ତବ୍ୟ ଅନେକ ସମୟରେ ସରକାର, ଏପରିକି ବ୍ୟକ୍ତିଗତ ଭାବେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଏକପ୍ରକାର ଅପଦସ୍ଥ ଅବସ୍ଥାରେ ପକାଇଛି। ତଥାପି ସୁପ୍ରିମୋ ଚୁପ୍ ରହିଥିଲେ। କିନ୍ତୁ ଏଥର ଚୁପ୍ ରହିଥିଲେ ଭୁଲ ବାର୍ତ୍ତା ଯାଇଥାନ୍ତା। ଦାମବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ପୁଣି ଥରେ ମୁଖ୍ୟମନ୍ତ୍ରୀ ତଥା ସୁପ୍ରିମୋ ସରକାର ଓ ଦଳ ଉପରେ ତାଙ୍କ କର୍ତ୍ତୃତ୍ୱ ଏବଂ ନେତୃତ୍ୱର ନିରଙ୍କୁଶତାକୁ ପ୍ରମାଣିତ କରିଛନ୍ତି। ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ସ୍ପଷ୍ଟ ଯେ , ବିଶୃଙ୍ଖଳା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି କୁଣ୍ଠା ରହିବ ନାହିଁ। ପ୍ରଥମେ ଡା. ରାଉତଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି ପରାମର୍ଶ ଦିଆଯାଇଥିଲା। ଇସ୍ତଫା ନ ଦେବାରୁ ତାଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରାଗଲା। ଏ ପ୍ରସଙ୍ଗରେ ମଧ୍ୟ ଡା. ରାଉତଙ୍କ ପ୍ରତିକ୍ରିୟାରେ ବିରୋଧାଭାସ ବାରି ହେଉଛି। ଦାମବାବୁଙ୍କ ବକ୍ତବ୍ୟ ହେଲା, ମନ୍ତ୍ରିମଣ୍ଡଳରେ କିଏ ରହିବେ, କିଏ ନ ରହିବେ, ତାହା ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ଇଚ୍ଛାଧୀନ। ଯାହା ଉପରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ରହିବ, ସେ ମନ୍ତ୍ରୀ ରହିବେ ଓ ଯାହା ଉପରେ ଆସ୍ଥା ତୁଟିବ, ସେ ମନ୍ତ୍ରିମଣ୍ଡଳରୁ ବିଦା ହେବେ। ଏହି ତତ୍ତ୍ୱ ଅନୁଯାୟୀ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ହରାଇବାରୁ ସେ ବହିଷ୍କୃତ ହେଲେ। କିନ୍ତୁ ଯେତେବେଳେ ତାଙ୍କର ଇସ୍ତଫା ମଗାଗଲା, ସେ କ’ଣ ଜାଣି ନଥିଲେ ଯେ ସେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ହରାଇ ସାରିଛନ୍ତି? ତଥାପି କାହିଁକି ସେ ବରଖାସ୍ତ ପର୍ଯ୍ୟନ୍ତ କଥାକୁ ଟାଣିଲେ? ସମ୍ ଅଗ୍ନିକାଣ୍ଡ ନେଇ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା ଓ ସେ ଇସ୍ତଫା ଦେବାକୁ ଆଦୌ ବିଳମ୍ବ କରି ନଥିଲେ। ସଂସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଶୃଙ୍ଖଳା ଓ ନୈତିକତାର ଏହା ଏକ ସୁସ୍ଥ ପରମ୍ପରା। ଅଭିଜ୍ଞ ଦାମବାବୁ ତିନି ତିନି ଥର ମନ୍ତ୍ରିମଣ୍ଡଳରୁ ବିଦା ହେବା, ସ୍ୱତଃ ତାଙ୍କ ମନ୍ତ୍ରୀ ଭାବେ ସାମୂହିକ ଦାୟିତ୍ୱବୋଧ ଓ ଶୃଙ୍ଖଳା ଜ୍ଞାନ ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି। ଉଲ୍ଲେଖନୀୟ ହେଲା ଦାମବାବୁ ନବୀନଙ୍କ ଚାରିଟି ଯାକ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି, କିନ୍ତୁ ଗୋଟିଏ ହେଲେ ମନ୍ତ୍ରୀ ପରିଷଦରେ ପୂରା ଅବଧି ପର୍ଯ୍ୟନ୍ତ ମନ୍ତ୍ରୀ ରହିବାର ସୌଭାଗ୍ୟ ତାଙ୍କୁ ଜୁଟି ନାହିଁ। ଏଥର ବରଖାସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବାଧ୍ୟ କରିବା ପଛରେ ଅନୁଭବୀ ଡା. ରାଉତଙ୍କ ଏକ ଚତୁର ରାଜନୈତିକ ରଣକୌଶଳ ଥାଇପାରେ। ଜଣେ ଟାଣୁଆ ନେତା ଭାବେ ନିଜର ଛବିକୁ ବଜାୟ ରଖିବା ସହ ତୁଣ୍ଡର ମର୍ଯ୍ୟାଦା ଓ କଥାର ଓଜନ ସାବ୍ୟସ୍ତ କରିବା ଉଦ୍ଦେଶ୍ୟରେ ଡା. ରାଉତ ବରଖାସ୍ତକୁ ଡାକି ‘ସହିଦ’ର ସମ୍ମାନ ଦାବି କରିପାରନ୍ତି। କିନ୍ତୁ ଏହା ସଫଳ ହେବା ସମ୍ଭାବନା ଅପେକ୍ଷା ଅସଫଳ ହେବା ଆଶଙ୍କା ଅଧିକ। ଏଥିପାଇଁ ସେ ଅନ୍ୟ କାହାକୁ ଦାୟୀ କରିପାରିବେ ନାହିଁ। ଧାରାବାହିକ ଭାବେ ବାରମ୍ବାର ଅବାନ୍ତର, ବେଲଗାମ୍ ବୟାନ୍ବାଜି ଦ୍ୱାରା ଖୋଦ୍ ଡା. ରାଉତ ନିଜର ଭାବମୂର୍ତ୍ତିର ସ୍ଖଳନ ପାଇଁ ଦାୟୀ। ଦାମବାବୁ ସ୍ୱୀକାର କରନ୍ତୁ କି ନକରନ୍ତୁ ବାରମ୍ବାର ଦାୟିତ୍ୱହୀନ ଉଚ୍ଚାରଣ ତାଙ୍କ ପାଇଁ ଏକ ଅଲୋଡ଼ା, କୁହାଳିଆ, ଉଚ୍ଛଙ୍ଖଳ ନେତା ଭାବେ ଛବି ତିଆରି କରିଛି।
ବର୍ତ୍ତମାନ ପ୍ରଶ୍ନ, ତୁଣ୍ଡ ପାଇଁ ମନ୍ତ୍ରୀପଦର ମୁଣ୍ଡ ଗଡ଼ିଲା ପରେ ବି କ’ଣ ଦାମଙ୍କ ତୁଣ୍ଡରେ ଲଗାମ ଲାଗିବ? ଯଦି ମନ୍ତ୍ରୀପଦ ହରାଇ ସୁଦ୍ଧା ଶିକ୍ଷା ଲାଭ ନକରି ଦାମ ତୁଣ୍ଡରେ ଲଗାମ୍ ନ କଷନ୍ତି, ତେବେ ଶାସକ ଦଳ ଉପରେ ତା’ର କ’ଣ ପ୍ରଭାବ ପଡ଼ିବ? ମନ୍ତ୍ରିମଣ୍ଡଳରୁ ବିଦା ହେବା ପରେ ଦାମଙ୍କ ବାକ୍ୟବାଣର ନିଶାଣରେ କ’ଣ ଖୋଦ୍ ସୁପ୍ରିମୋ ରହିବେ? ଦାମଙ୍କ ବହିଷ୍କାର ଉପରେ ଅନ୍ୟ ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା କ’ଣ ରହିବ? ବରିଷ୍ଠ-କନିଷ୍ଠ ବିବାଦରେ ଆକ୍ରାନ୍ତ ବିଜେଡିରେ ଏହା କ’ଣ ବରିଷ୍ଠଙ୍କ ମଧ୍ୟରେ ସାନି ମେଳି ପାଇଁ ମଇଦାନ ପ୍ରସ୍ତୁତ କରିବ? ମୋଟାମୋଟି ମନ୍ତ୍ରିମଣ୍ଡଳରୁ ଦାମଙ୍କ ବିଦାୟର ସରକାର ଓ ଦଳ ଉପରେ କ’ଣ ପ୍ରଭାବ ରହିବ? ଆଉ ଦିନକ ପରେ ପ୍ରତିଷ୍ଠାର କୋଡ଼ିଏ ବର୍ଷ ପୂର୍ତ୍ତି ପାଳନ କରୁଥିବା ଶାସକ ଦଳର ନେତୃତ୍ୱ ପାଇଁ ଉପରୋକ୍ତ ପ୍ରଶ୍ନ ଗୁଡ଼ିକ ଅସ୍ୱସ୍ତିକର ମନେ ହେଉଥାଇପାରେ। କିନ୍ତୁ ପ୍ରଶ୍ନ ଗୁଡ଼ିକରେ ସାଂପ୍ରତିକ ରାଜନୀତିର ବାସ୍ତବତା ଖୁନ୍ଦି ହୋଇ ରହିଛି, ଯାହାକୁ ଏଡ଼ାଇଯିବା ସମ୍ଭବ ନୁହେଁ। ଊଣେଇଶ ପାଖେଇ ଆସୁଥିବା ବେଳେ ଏହି ବାସ୍ତବତାର ମୁକାବିଲା କ୍ଷମତାସୀନ ଦଳର ନେତୃତ୍ୱ, ବିଶେଷକରି ଏହାର ସୁପ୍ରିମୋଙ୍କ ପାଇଁ ଏକ ନୂଆ ଆହ୍ଵାନ।