ଚେସ୍ ଖେଳ ଶେଷ
ଆନ୍ତର୍ଜାତିକ ସିନେମା ଇତିହାସରେ ଏକ ଚିରନ୍ତନ ଛାପ ଛାଡ଼ି ଯାଇଥିବା ସ୍ବିଡିସ୍ ନିର୍ଦ୍ଦେଶକ ଇଙ୍ଗ୍ମାର୍ ବର୍ଗମ୍ୟାନ୍ଙ୍କର କିଂବଦନ୍ତି ପାଲଟିଥିବା ଅନେକ ଫିଲ୍ମ ମଧୢରୁ ଅନ୍ୟତମ ହେଉଛି ୧୯୫୭ରେ ନିର୍ମିତ ‘ଦି ସେଭେନ୍ଥ ସିଲ୍’। ବାଇବ୍ଲର ‘ବୁକ୍ ଅଫ୍ ରେଭେଲେସନ୍’ ସହିତ ସ˚ଯୋଗ ଥିବା ଏହାର ମଧୢଯୁଗୀୟ କଥାବସ୍ତୁରେ ସେ ସମୟରେ ସ୍ବିଡେନ୍ରେ ବ୍ୟାପିଥିବା ପ୍ଲେଗ୍ଜନିତ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇବା ପାଇଁ କାହାଣୀର ମୁଖ୍ୟ ଚରିତ୍ର ଧର୍ମଯୋଦ୍ଧା ଆଣ୍ଟୋନିଅସ୍ ବ୍ଲକ୍ ଏକ ଅଭିନବ କୌଶଳ ଅବଲମ୍ବନ କରିଛନ୍ତି। ସିନେମାଟିରେ ବର୍ଗମ୍ୟାନ୍ ମୃତ୍ୟୁକୁ ବ୍ୟକ୍ତିସତ୍ତା ପ୍ରଦାନ କରି ଏକ ପ୍ରମୁଖ ଚରିତ୍ରରେ ପରିଣତ କରିଛନ୍ତି। ଏଠାରେ ଆମେ ସେ ଚରିତ୍ରର ନାମ ‘ମୃତ୍ୟୁ’ ବୋଲି କହିବା।
Sambad is now on WhatsApp
Join and get latest news updates delivered to you via WhatsApp
ନାୟକ ବ୍ଲକ୍ ତାଙ୍କ ସହିତ ଚେସ୍ ଖେଳିବା ପାଇଁ ‘ମୃତ୍ୟୁ’କୁ ଆହ୍ବାନ ଦେଇଛନ୍ତି। ବ୍ଲକ୍ଙ୍କର ଯୋଜନା ହେଲା- ଯେ ପର୍ଯ୍ୟନ୍ତ ଖେଳ ସମାପ୍ତ ହୋଇନଥିବ, ସେ ପର୍ଯ୍ୟନ୍ତ ମୃତ୍ୟୁ ତାଙ୍କୁ ନେଇପାରିବ ନାହିଁ ଏବ˚ ସେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଖେଳ ଚଳାଇ ରଖିଥିବେ। କାହାଣୀର ଅନ୍ୟଜଣେ ଚରିତ୍ର ‘ମୃତ୍ୟୁ’କୁ ‘ବ୍ଲକ୍’ଙ୍କ ସହିତ ଚେସ୍ ଖେଳରେ ମାତିଥିବାର ଦେଖି ଯେତେବେଳେ ନିଜ ପରିବାର ସହିତ ଖସି ପଳାଇବାକୁ ବସିଛନ୍ତି, ‘ମୃତ୍ୟୁ’ ସେତେବେଳେ କହିଛି: ‘‘ମୋ ଠାରୁ କେହି ଖସି ଯାଇ ପାରିବେ ନାହିଁ।’’ ଠିକ୍ ଏହି ସମୟରେ ବ୍ଲକ୍ ଜାଣିଶୁଣି ଚେସ୍ ବୋର୍ଡରେ ବାଡେ଼ଇ ହୋଇଯାଇ ଗୋଟି ଗୁଡ଼ିକୁ ତଳେ ପକାଇ ଦେଇଛନ୍ତି- ଉଦ୍ଦେଶ୍ୟ ଖେଳ ପୁଣି ମୂଳରୁ ଆରମ୍ଭ ହୋଇ ସମାପ୍ତ ହେବାକୁ ଅଧିକ ବିଳମ୍ବ ହେବ। ‘ମୃତ୍ୟୁ’ କିନ୍ତୁ ‘ବ୍ଲକ୍’ଙ୍କୁ ହତାଶ କରି ସ୍ଥାନଚ୍ୟୁତ ହୋଇ ଏଣେତେଣେ ପଡ଼ିଯାଇଥିବା ସମସ୍ତ ଗୋଟି ଗୁଡ଼ିକୁ ଉଠାଇ ସେମାନେ ଚେସ୍ ବୋର୍ଡର ଯେଉଁ ଯେଉଁ କୋଠରିରୁ ଖସି ପଡ଼ିଥିଲେ, ଠିକ୍ ସେଇ ସେଇ କୋଠରିରେ ପୁଣି ରଖିଦେଇ କହିଛି: ‘‘ମୃତ୍ୟୁ କେବେହେଲେ କିଛି ଭୁଲିଯାଏ ନାହିଁ।’’
ଇଙ୍ଗ୍ମାର୍ ବର୍ଗମ୍ୟାନ୍ଙ୍କର କ୍ଲାସିକ୍ ସିନେମାର ସେହି ଦୃଶ୍ୟର ଏଠାରେ ଏହି ନାତିଦୀର୍ଘ ଅବତାରଣାର ତାତ୍କାଳିକ କାରଣ ହେଉଛି ବୁଧବାର ଦିନ ସୁପ୍ରିମକୋର୍ଟରେ ନିର୍ଭୟାଙ୍କର ଅନ୍ୟତମ ବଳାତ୍କାରୀ-ହତ୍ୟାକାରୀ ଅକ୍ଷୟ ସି˚ହ ‘ମୃତ୍ୟୁ’ ସହିତ ଚଳାଇଥିବା ଚେସ୍ ଖେଳର ସମାପ୍ତି ଘୋଷଣା। ସୁପ୍ରିମ୍କୋର୍ଟର ଏକ ତିନିଜଣିଆ ବେଞ୍ଚ୍ ଅକ୍ଷୟ ସି˚ହ ଓ ତା’ର ଓକିଲ ଏ ପି ସି˚ହ ଚଳାଇଥିବା କାଳକ୍ଷେପଣକାରୀ ଚେସ୍ ଖେଳର ଅନ୍ତ ଘଟାଇ ରାୟ ଶୁଣାଇଥିଲେ ଯେ ୨୦୧୭ରେ ଦୋଷୀକୁ ପ୍ରଦାନ କରାଯାଇଥିବା ମୃତ୍ୟୁ ଦଣ୍ତର ପୁନର୍ବିଚାରର କୌଣସି ଆବଶ୍ୟକତା ନାହିଁ। ଅକ୍ଷୟ ତାର ପୁନର୍ବିଚାର ଆବେଦନରେ ଯେଉଁ ସବୁ କାରଣ ଉତ୍ଥାପନ କରିଛି, ତାକୁ ଦୋଷୀ ସାବ୍ୟସ୍ତ କରି ଦଣ୍ତ ପ୍ରଦାନ କରିଥିବା ମୂଳ ରାୟରେ ସେ ସମସ୍ତ କାରଣର ଅନୁଧୢାନ କରା ହୋଇସାରିଛି ବୋଲି ସୁପ୍ରିମ୍କୋର୍ଟ ତାଙ୍କର ଏହି ରାୟରେ ସ୍ପଷ୍ଟ କରି ଦେଇଛନ୍ତି।
ମୃତ୍ୟୁ ସହିତ ଚେସ୍ ଖେଳକୁ ଗଡ଼ାଇ ଚାଲିବା ପାଇଁ ବ୍ଲକ୍ ଅବଲମ୍ବନ କରିଥିବା କୌଶଳକୁ ଅନୁସରଣ କଲା ଭଳି ଆବେଦନକାରୀଙ୍କ ଓକିଲ ବିଭିନ୍ନ ଅବାନ୍ତର ଯୁକ୍ତି ମାଧୢମରେ ଅଦାଲତଙ୍କର ଧୢାନ ଭଗ୍ନ କରିବାକୁ ଚେଷ୍ଟା କରିଥିଲେ ହେଁ ଚେସ୍ ବୋର୍ଡରେ ଗୋଟିମାନଙ୍କ ସ୍ଥାନ ଉପରେ ‘ମୃତ୍ୟୁ’ର ଦୃଷ୍ଟି ନିବଦ୍ଧ ଥିବା ଭଳି, ମାମଲାର ଇତିହାସ ଓ ବିଚାର ଉପରୁ ନ୍ୟାୟ ମୂର୍ତ୍ତିମାନଙ୍କର ଧୢାନ ହଟାଇବାରେ ସେ ସଫଳ ହୋଇ ପାରିନାହାନ୍ତି। ଅକ୍ଷୟ ଅଦାଲତଙ୍କ ସମ୍ମୁଖରେ ପେସ୍ କରିଥିବା ତା’ର ମୃତ୍ୟୁଦଣ୍ତର ପୁନର୍ବିଚାର ପାଇଁ ଯୁକ୍ତିମାନଙ୍କ ମଧୢରୁ ଯାହା ସବୁଠାରୁ ଅବାନ୍ତର ଓ ଉପହାସସୁଲଭ ଥିଲା, ତାହା ଥିଲା ଦିଲ୍ଲୀର ପ୍ରଦୂଷଣ ପ୍ରତି ସେ କରିଥିବା କଟାକ୍ଷ। ନିଜକୁ ସେ ବର୍ତ୍ତମାନ ସମୟର ପରିବେଶ ଆନ୍ଦୋଳନ ସେଲିବ୍ରିଟି ସେଇ ସ୍ବିଡେନ୍ର କିଶୋରୀ ଗ୍ରେଟା ଥୁନ୍ବର୍ଗଙ୍କ ଭୂମିକାରେ ଅବତୀର୍ଣ୍ଣ କଲା ଭଳି ନିଜର ଆବେଦନ ପତ୍ରରେ ଉଲ୍ଲେଖ କରିଥିଲା ଯେ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ଏକ ‘ଗ୍ୟାସ୍ ଚାମ୍ବର୍’ରେ ପରିଣତ ହୋଇ ତା ସମେତ ସମସ୍ତ ଦିଲ୍ଲୀବାସୀଙ୍କର ଆୟୁଷ ହ୍ରାସ କରି ଚାଲିଥିବା ବେଳେ ତାକୁ ଫାଶୀ ଦେବା ଅନାବଶ୍ୟକ ହୋଇ ପଡ଼ିଛି।
୨୦୧୨ରେ ନିର୍ଭୟାଙ୍କ ସହିତ ହୋଇଥିବା ବର୍ବର କାଣ୍ତରେ ସମ୍ପୃକ୍ତ ଜଣେ ଦୋଷୀର ଏପରି ପରିବେଶ ସଚେତନତା ନ୍ୟାୟମୂର୍ତ୍ତି ତିନିଜଣଙ୍କ ମନରେ କି ପ୍ରକାର ଭାବନା ସଞ୍ଚାର କରିଥିବ ତାହା ପ୍ରକାଶ ପାଇ ନାହିଁ, କିନ୍ତୁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ଆବେଦନର ବିରୋଧ କରି ଯୁକ୍ତି ଉପସ୍ଥାପନ କରିବା ସମୟରେ ଅପରାଧୀ ଅକ୍ଷୟର ଯେଉଁ ବର୍ଣ୍ଣନା କରିଥିଲେ, ତାହା ବିଚାରପତିମାନଙ୍କ ହୃଦୟକୁ ନିଶ୍ଚିତ ରୂପେ ଗଭୀର ଭାବେ ସ୍ପର୍ଶ କରିଥିବା ମେହେଟ୍ଟା କହିଥିଲେ: ‘‘ଏଭଳି କେତେକ ଅପରାଧ ଅଛି ଯେଉଁଠି ପିଲାଟିକୁ (ନିର୍ଭୟା) ରକ୍ଷା କରିପାରି ନ ଥିବାରୁ ଏବ˚ ଏପରି ଏକ ରାକ୍ଷସକୁ (ଅକ୍ଷୟ) ସୃଷ୍ଟି କରିଥିବାରୁ ଈଶ୍ବର ଲଜ୍ଜିତ ହେଉଥିବେ। ଏପରି ଅପରାଧ ପାଇଁ ଦିଆଯାଇଥିବା ମୃତ୍ୟୁଦଣ୍ତକୁ କୋହଳ କରାଯିବା ଉଚିତ ନୁହେଁ।’’
ତୁଷାର ମେହେଟ୍ଟା ଈଶ୍ବରଙ୍କ ଉଦ୍ଦେଶ୍ୟରେ କରିଥିବା ମର୍ମସ୍ପର୍ଶୀ ବର୍ଣ୍ଣନା ଓମାର୍ ଖୟାମ୍ ଈଶ୍ବର ଏପରି ବିକୃତ ଚରିତ୍ରମାନଙ୍କର ସୃଷ୍ଟି କରିବା ପରିପ୍ରେକ୍ଷୀରେ କରିଥିବା ବର୍ଣ୍ଣନାର ପ୍ରତିଧ୍ବନି ଭଳି ମନେ ହୋଇଥାଏ: କୁମ୍ଭାର ରୂପକ ଈଶ୍ବର ବୋଧହୁଏ ଏପରି ବିକୃତ ମନୁଷ୍ୟ ରୂପକ ହାଣ୍ତି ଗଢ଼ିବା ସମୟରେ ତାଙ୍କର ହାତ ହଲି ଯାଇଥିଲା। ଈଶ୍ବରଙ୍କ ହାତ ହଲିଥାଉ କି ନ ଥାଉ, ସେ ଗଢ଼ିଥିବା ଏପରି ଭୟଙ୍କର ବିକୃତ ଚରିତ୍ରମାନଙ୍କର ସମାଜରେ ବଞ୍ଚି ରହିବା ପାଇଁ ସ୍ଥାନ ନାହିଁ, ଠିକ୍ ଯେପରି କୁମ୍ଭାର ଗଢ଼ିଥିବା ତେଢ଼ାମେଢ଼ା ହାଣ୍ତି ସବୁର ବଜାରରେ ସ୍ଥାନ ନ ଥାଏ। କୁମ୍ଭାର ତେଢ଼ା ହାଣ୍ତି ସବୁକୁ ଭାଙ୍ଗି ଦେବା ଭଳି, ଏ ନରରାକ୍ଷସମାନଙ୍କୁ ଦୁନିଆରୁ ବିଦା କରାଯିବା ଦରକାର। ନିର୍ଭୟା ଅପରାଧ ଘଟାଇଥିବା ଜୀବିତ ପାଞ୍ଚଜଣ ଅପରାଧୀଙ୍କ ମଧୢରୁ ଏବେ ଚାରିଜଣ ଫାଶୀ ପାଇ ଦୁନିଆରୁ ବିଦା ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି। ଛ’ଜଣ ଅପରାଧୀଙ୍କ ମଧୢରେ ସବୁଠାରୁ ଦୁର୍ଦ୍ଦାନ୍ତ ଅପରାଧୀ ଜଣକ ଏବେ ସେ ସମୟର ଆଇନର ଗଳାବାଟ ଦେଇ ନା’ବାଳକ ସାଜି ଖସି ଯାଇଥିଲେ ହେଁ ତାକୁ ମଧୢ ଅନୁରୂପ ଦଣ୍ତ ଦିଆଯିବା ପାଇଁ ପଦକ୍ଷେପ ନିଆଯିବା ଉଚିତ୍। କିଏ ଜାଣେ, ଈଶ୍ବରଙ୍କ ସେଇ ବିକୃତ ସୃଷ୍ଟି ପୁଣି ଏକ ‘ନିର୍ଭୟା’ କାଣ୍ତ ଘଟାଇବା ପାଇଁ ସୁଯୋଗ ଉଣ୍ତି ବୁଲୁ ନ ଥିବ?