ବିରୁଡ଼ି ଦଂଶନ!

ଗଲା ସେପ୍ଟେମ୍ବର ମାସ ୩ ତାରିଖରେ ଏହି ସ୍ତମ୍ଭରେ ପ୍ରକାଶିତ ସ˚ପାଦକୀୟର ଉପସ˚ହାର ରୂପେ କୁହାଯାଇଥିଲା ଯେ ‘ଏନ୍‌ଆର‌୍‌ସି’କୁ ସାରା ଭାରତରେ ଲାଗୁ କରିବା ପୂର୍ବରୁ ବିଶେଷ ଚିନ୍ତା କରାଯିବାର ଆବଶ୍ୟକତା ରହିଛି। କାରଣ ‘ଏନ୍‌ଆର‌୍‌ସି’ କେବଳ ଏକ ଦସ୍ତାବିଜ ମାତ୍ର ନୁହେଁ, ତାହା ହେଉଛି ଗୋଟିଏ ବିରୁଡ଼ି ବସା।’ ସ˚ସଦରେ ‘ନାଗରିକତା ସ˚ଶୋଧନ ବିଲ୍‌’ ବା ‘ସିଏବି’ ଉଭୟ ସଦନରେ ପାରିତ ହୋଇ ‘ନାଗରିକତା ସ˚ଶୋଧନ ଆଇନ’ ବା ‘ସିଏଏ’ରେ ପରିଣତ ହେବା ପରଠାରୁ ଯାହା ଦେଖିବାକୁ ମିଳିଲାଣି, ଲାଗୁଛି ସତେ ଯେମିତି ବିରୁଡ଼ି ବସାରେ ହାତ ମାରି ଦିଆଯାଇଛି। ସେହି ପରିପ୍ରେକ୍ଷୀରେ ଗଲା ବୁଧବାର ଦିନ ରାଜ୍ୟ ସରକାର ଓଡ଼ିଶାରେ ‘ଏନ୍‌ଆର‌୍‌ସି’ ଲାଗୁ କରାଯିବା ବିରୋଧରେ ଆପଣା ପକ୍ଷ ସ୍ପଷ୍ଟ କରିବା ପରେ ସୃଷ୍ଟି ହୋଇଥିବା ଚର୍ଚ୍ଚା ଏପରିକି ଭ୍ରୂକୁ˚ଚନ ଏ ସ˚ପର୍କରେ ବିଶେଷ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି।

‘ଏନ୍‌ଆର‌୍‌ସି’କୁ ନେଇ ରାଜ୍ୟ ସରକାର ପ୍ରକାଶ କରିଥିବା ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରାଯାଉଛି ଯେ ଉଭୟ ଲୋକସଭା ଓ ରାଜ୍ୟସଭାରେ ‘ନାଗରିକତା ସ˚ଶୋଧନ ବିଲ୍‌’ ସପକ୍ଷରେ ଭୋଟ ଦେଇଥିବା ସରକାର ‘ଏନ୍‌ଆର‌୍‌ସି’ ଲାଗୁ କରିବା ଲାଗି କୁଣ୍ଠିତ କାହିଁକି? ଏହାର ଉତ୍ତରକୁ ଅତ୍ୟନ୍ତ ପରିଷ୍କାର ଭାବେ ସରକାର ରଖି ସାରିଛନ୍ତି। ତାହା ହେଲା ‘ସିଏଏ’କୁ ସମର୍ଥନ ହେଉଛି ବିଦେଶୀ ଅନୁପ୍ରବେଶକାରୀମାନଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରିବା ସ˚ପର୍କିତ ଏକ ପ୍ରଶ୍ନ ଏବ˚ ଭାରତୀୟ ନାଗରିକମାନଙ୍କର ପଞ୍ଜୀକରଣର ବ୍ୟବସ୍ଥା ଆଧାରିତ ‘ଏନ୍‌ଆର‌୍‌ସି’ ସହିତ ‘ସିଏଏ’ର କୌଣସି ସ˚ପର୍କ ନାହିଁ। ‘ସିଏଏ’ର ପ୍ରବର୍ତ୍ତନ ସହିତ ଯେଉଁ ଏକ ସମ୍ଭାବନା (ଅନେକ ମହଲରେ ଆଶଙ୍କା) ସୃଷ୍ଟି ହୋଇଥିଲା ଯେ ବିଜେପି ନେତୃତ୍ବାଧୀନ ‘ଏନ୍‌ଡିଏ’ ସରକାରକୁ ଏହାର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ସମଗ୍ର ରାଷ୍ଟ୍ରରେ ‘ଏନ୍‌ଆର୍‌ସି’ ଲାଗୁ କରିବା ଲାଗି ଏକ ଲାଇସେନ୍‌ସ ମିଳିଯାଇଛି, ତାହା ଏବେ ଭୁଲ୍‌ ସାବ୍ୟସ୍ତ ହେବା ଭଳି ବୋଧ ହେଉଛି।

ବର୍ତ୍ତମାନର ସ୍ଥିତିରେ ଯଦି ଭାରତର ‘ଏନ୍‌ଆର୍‌ସି’ ମାନଚିତ୍ର ଉପରେ ଦୃଷ୍ଟି ନିବଦ୍ଧ କରାଯାଏ, ତେବେ ଦେଖାଯିବ ଯେ ଯେଉଁ ରାଜ୍ୟଗୁଡ଼ିକ ଏହାକୁ ଲାଗୁ କରିବାକୁ ଅନିଚ୍ଛୁକ ସେମାନେ ସ˚ଖ୍ୟାଗରିଷ୍ଠ। ଏହି ରାଜ୍ୟଗୁଡ଼ିକ ମଧୢରେ ଅଛନ୍ତି ପଞ୍ଜାବ, ମହାରାଷ୍ଟ୍ର, ରାଜସ୍ଥାନ, ମଧୢପ୍ରଦେଶ, ବିହାର, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ ଏବ˚ ଓଡ଼ିଶା ଆଦି। ‘ଏନ୍‌ଆର‌୍‌ସି’ ମାନଚିତ୍ରରେ ଯଦି ଏହି ରାଜ୍ୟସବୁକୁ କୌଣସି ଏକ ଅଣ-ଗୈରିକ ରଙ୍ଗରେ ରଙ୍ଗାଯାଏ, ତେବେ ତାହା ଗୈରିକ ରଙ୍ଗାୟିତ ଅ˚ଶର ଦୁଇ ଗୁଣରୁ ଅଧିକ ହୋଇପାରେ। ଏବ˚ ‘ଏନ୍‌ଆର‌୍‌ସି’କୁ ବିରୋଧ କରୁଥିବା ସବୁ ରାଜ୍ୟରେ ଯେ ବିଜେପିର ବିରୋଧୀ (କ˚ଗ୍ରେସ ବା ବାମପନ୍ଥୀ) ସରକାର ଶାସନ କରୁଛନ୍ତି, ସେପରି ମଧୢ ନୁହେଁ। ବିହାରରେ ଶାସନ କ୍ଷମତାରେ ଥିବା ଜେଡି(ୟୁ) ହେଉଛି ‘ଏନ୍‌ଡିଏ’ର ଏକ ଅ˚ଶୀଦାର ଦଳ। ସେହିଭଳି ମହାରାଷ୍ଟ୍ରରେ ଶାସନ କରୁଥିବା ଶିବସେନା ମୂଳତଃ ଏକ କଠୋର ହିନ୍ଦୁତ୍ବବାଦୀ ଦଳ। ସେହି ହିସାବରେ ଅନ୍ତତଃ ଶିବସେନା ‘ଏନ୍‌ଆର‌୍‌ସି’କୁ ସ୍ବୀକୃତି ଦେବ ବୋଲି ବିଚାର କରିବା ଏକ ସାଧାରଣ ଜ୍ଞାନର କଥା। କିନ୍ତୁ ଶିବସେନା ମଧୢ ଏ ନେଇ କୁଣ୍ଠା ପ୍ରକାଶ କରିଛି। ଶିବସେନା ପକ୍ଷରୁ କୁହାଯାଇଛି ଯେ ‘ଏନ୍‌ଆର‌୍‌ସି’ର ଆଧାର ବୀର ସବରକରଙ୍କ ବିଚାରର ପ୍ରତିକୂଳ। ଶିବସେନା ଦ୍ବାରା ଏଭଳି ଏକ ମତପୋଷଣ ନିଶ୍ଚିତ ରୂପେ ବିସ୍ମୟକର ଏବ˚ ପରବର୍ତ୍ତୀ ସମୟରେ କୌଣସି କାରଣରୁ ଯଦି ଦଳଟି ବିଜେପି ସମୀପବର୍ତ୍ତୀ ହେବାକୁ ଯାଇ ଏହି ମତରେ ପରିବର୍ତ୍ତନ କରେ, ତେବେ ସେଥିରେ ମଧୢ ବିସ୍ମିତ ହେବାର କୌଣସି କାରଣ ନାହିଁ; କିନ୍ତୁ ଏବେ ଏହା ଦୃଶ୍ୟମାନ କାରଣ ରୂପେ ଉଭା, ତାହା ହେଲା ଆଞ୍ଚଳିକ ଦଳ ଭାବେ ପ୍ରଥମ ଥର ଲାଗି ମହାରାଷ୍ଟ୍ରରେ କ୍ଷମତା ଅଧିକାର କରିଥିବା ଶିବସେନା ଆପଣା ସ୍ଥିତିକୁ ମଜଭୁତ କରିବା ଲାଗି ନୂତନ ଭାବେ ଆହରଣ କରିଥିବା ରାଜନୈତିକ ସାଥୀମାନଙ୍କୁ ବିମୁଖ କରିବାକୁ ଆଗ୍ରହୀ ନୁହେଁ। ତା ଛଡ଼ା ‘ଏନ୍‌ଆର୍‌ସି’ ଭଳି ଏକ ଅତିକାୟ ପ୍ରକରଣକୁ ରୂପାୟନ କରିବା ସମୟରେ ବା ତା ପରେ ଅନେକ ଜଟିଳତା ସୃଷ୍ଟି କରିବାର ଆଶଙ୍କା ଥିବାରୁ ବୋଧହୁଏ ଆନ୍ଧ୍ରପ୍ରଦେଶର ‘ଵାଇଏସ୍‌ଆର‌୍‌ କ˚ଗ୍ରେସ’, ତେଲେଙ୍ଗାନାର ‘ଟିଆର‌୍‌ଏସ୍‌’, ଓଡ଼ିଶାର ‘ବିଜେଡି’ ଇତ୍ୟାଦି ସ˚ସଦରେ ‘ସିଏଏ’କୁ ସମର୍ଥନ କରିଥିଲେ ସୁଦ୍ଧା ନିଜ ନିଜ ରାଜ୍ୟରେ ‘ଏନ୍‌ଆର‌୍‌ସି’ ଲାଗୁ କରିବା ବିରୋଧରେ। ଆସାମରେ ଏଭଳି ଜଟିଳତାର ପ୍ରମାଣ ମିଳି ସାରିଛି। ତେଣୁ ବିଭିନ୍ନ ରାଜ୍ୟ ଏଥି ଲାଗି କୁଣ୍ଠା ପ୍ରକାଶ କରିବାରେ ବିସ୍ମିତ ହେବାର ନାହିଁ। ପୁଣି ଏକ ପ୍ରଶ୍ନ ହେଲା ଆମ ଦେଶ‌ରେ ନିୟମିତ ‘ଜନ ଗଣନା’ର ବ୍ୟବସ୍ଥା ଥିବା ବେଳେ ଓ ‘ଆଧାର’ ଭଳି ବିଶ୍ବସନୀୟ ଏକକ ପରିଚୟ ପତ୍ର ଥିବା ବେଳେ ‘ଏନ୍‌ଆର୍‌ସି’ର ଆବଶ୍ୟକତା ଅଛି କି?

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସ˚ଘୀୟ ଗଣତନ୍ତ୍ରରେ ଯେଉଁ ରାଜନୈତିକ ବାସ୍ତବତାଟି ଏବେ ଉଜାଗର ହୋଇ ଉଠିଛି, ତାହା ହେଲା ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବ ବୃଦ୍ଧି। ବର୍ତ୍ତମାନ ସମସ୍ତେ ଏହା ହୃଦୟଙ୍ଗମ କଲେଣି ଯେ ସ୍ଥାନୀୟ ସମସ୍ୟାର ସମାଧାନ, ଅସ୍ମିତା ରକ୍ଷା ତଥା ଅଭୀପ୍‌ସା ଓ ସ୍ବପ୍ନ ଚରିତାର୍ଥ ଆଦି ପ୍ରସଙ୍ଗରେ ଜାତୀୟ ଦଳଗୁଡ଼ିକ ତୁଳନାରେ ଆଞ୍ଚଳିକ ଦଳଗୁଡ଼ିକ ଅଧିକ ଗୁରୁତ୍ବପୂର୍ଣ୍ଣ, ନିର୍ଭରଯୋଗ୍ୟ ଏବ˚ ପ୍ରାସଙ୍ଗିକ। ଏଣେ କେନ୍ଦ୍ରରେ ବହୁ ଦଳୀୟ ମେଣ୍ଟ ଶାସନ ଏକ ପ୍ରକାର ଅବଧାରିତ ହୋଇପଡ଼ିଥିବା ବେଳେ ଆଞ୍ଚଳିକ ଦଳଗୁଡ଼ିକ ସେମାନଙ୍କ ସମର୍ଥନ ଓ ବିରୋଧ ଜରିଆରେ କେନ୍ଦ୍ର ଶାସନର ମଙ୍ଗ ମୋଡ଼ିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କଲେଣି। ସୁତରା˚, ଏଭଳି ଏକ ନୂତନ ସମୀକରଣରେ ଆଞ୍ଚଳିକ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ନିଜ ନିଜ ଆଭିମୁଖ୍ୟ ଅନୁଯାୟୀ ଜାତୀୟ ଦଳ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ମୁହାଁମୁହିଁ ହେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ସେହି ଦୃଷ୍ଟିରୁ ‘ଏନ୍‌ଆର‌୍‌ସି’ର ବିରୋଧ କିଛି ନୂଆ କଥା ନୁହେଁ।

ପୁଣି ‘ଏନ୍‌ଆର‌୍‌ସି’ ବାବଦରେ ଆସାମ ଏବ˚ ଭାରତର ଉତ୍ତର ପୂର୍ବୀୟ ରାଜ୍ୟଗୁଡ଼ିକରେ ବ୍ୟାଖ୍ୟା ଭିନ୍ନ ପ୍ରକାରର। ଉଦାହରଣ ସ୍ବରୂପ ଆସାମର ଦାବି ଯେ ଜାତି, ଧର୍ମ ଓ ନାଗରିକତା ନିର୍ବିଶେଷରେ ବଙ୍ଗଳା ଭାଷୀମାନଙ୍କୁ ରାଜ୍ୟରୁ ବହିଷ୍କାର କରାଯାଉ। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଜାତି, ଧର୍ମ, ସ˚ପ୍ରଦାୟ ଓ ଲିଙ୍ଗ ନିର୍ବିଶେଷରେ କୌଣସି ବହିରାଗତଙ୍କୁ ସହ୍ୟ କରିବାକୁ ଅରାଜି। କାରଣ ସେଠାରେ ସମସ୍ୟାଟି ରହିଛି ମୂଳୋଦ୍ଭବ ଏବ˚ ବହିରାଗତଙ୍କ ସ˚ଖ୍ୟା ସମୀକରଣରେ। ସେ ସବୁ ରାଜ୍ୟର ମୂଳ ବାସିନ୍ଦାମାନେ ବହିରାଗତଙ୍କ ପ୍ଳାବନରେ ଆପଣା ସାମାଜିକ ଓ ସା˚ସ୍କୃତିକ ଅସ୍ତିତ୍ବ ଲୀନ ହୋଇଯିବାର ଭୟ ଦ୍ବାରା ଆକ୍ରାନ୍ତ। ତେଣୁ ଏ ସବୁ ରାଜ୍ୟରେ ‘ଏନ୍‌ଆର‌୍‌ସି’ର ରୂପରେଖ କ’ଣ ହେବ, ତାହା ମଧୢ ଗୋଟିଏ ବଡ଼ ପ୍ରଶ୍ନ।

ଆସାମରେ ‘ଏନ୍‌ଆର୍‌ସି’ର ଅନୁଭୂତି ଆଦୌ ଉତ୍ସାହଜନକ ହୋଇନାହିଁ। ପୁଣି ‘ସିଏଏ’କୁ କେନ୍ଦ୍ର କରି ଅଶାନ୍ତି ବ୍ୟାପି ଥିବା ବେଳେ ‘ଏନ୍‌ଆର୍‌ସି’କୁ ତାହା ସହିତ ଯୋଡ଼ି ବିରୁଡ଼ି ଦଂଶନର ଜ୍ବାଳା ଭୋଗ କରିବା ବୋଧହୁଏ ବର୍ତ୍ତମାନ ଲାଗି ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ।

ସମ୍ବନ୍ଧିତ ଖବର