ଦୁର୍ବୋଧ୍ୟ ଦୁଃସାହସ!

ପାକିସ୍ତାନ ଯାଇଥିବା କୌଣସି ବ୍ୟକ୍ତି ଯଦି ରାଵଲପିଣ୍ତି ବା କରାଚୀ ବା ଇସଲାମାବାଦର କୌଣସି ଏକ ରେସ୍ତୋରାଁରେ ଚା’ ପିଅନ୍ତି, ତେବେ ବହୁତ ସମ୍ଭାବନା ଅଛି ଯେ ତାଙ୍କ ଟେବୁଲ ଉପରେ ଦିଆଯାଇଥିବା ଚିନିର ଛୋଟ ‘ସାସେ’ (ପୁଡ଼ିଆ) ଉପରେ ଲେଖାଯାଇଥିବ ଯେ ତାହା ‘ଫୌଜୀ ଫାଉଣ୍ତେସନ୍‌’ର କୌଣସି ଏକ କାରଖାନାରେ ପ୍ରସ୍ତୁତ। ଏହା କହିବାର ଉଦ୍ଦେଶ୍ୟ ହେଲା, ପାକିସ୍ତାନରେ ‘ରିଏଲ୍‌ ଇଷ୍ଟେଟ୍‌’ ଠାରୁ ଆରମ୍ଭ କରି ‘ରିଏଲ୍‌ ପଲିଟିକ୍‌’(ରାଜନୀତି) ବା ନିଆଁ-ପାଣି ଠାରୁ ଆରମ୍ଭ କରି ନୀତି-ଆଦର୍ଶ ପର୍ଯ୍ୟନ୍ତରେ ସବୁ କିଛିର ମାଲିକ ହେଉଛନ୍ତି ପାକିସ୍ତାନ ‘ଆର୍ମି’। ସେହି ଦୃଷ୍ଟିରୁ ଗଲା ଡିସେମ୍ବର ୧୭ ତାରିଖ ଦିନ ପାକିସ୍ତାନର ଗୋଟିଏ ‘ସ୍ପେସାଲ କୋର୍ଟ’(ସ୍ବତନ୍ତ୍ର ଅଦାଲତ) ଦ୍ବାରା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଓ ସେନାଧୢକ୍ଷ ଜେନେରାଲ ପରଭେଜ ମୁସାରଫଙ୍କୁ ଦେଶଦ୍ରୋହ ଅଭିଯୋଗରେ ପ୍ରଦତ୍ତ ମୃତ୍ୟୁ ଦଣ୍ତାଦେଶ ଏକ ବିରଳ ବ୍ୟତିକ୍ରମ। ସେହି ପରିପ୍ରେକ୍ଷୀରେ ଏହା କିଞ୍ଚିତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି।

ସ୍ମରଣ ଥାଇପାରେ କି ୧୯୯୯ ମସିହାରେ ସେ ସମୟର ପାକିସ୍ତାନ ସେନାବାହିନୀ ମୁଖ୍ୟ ଜେନେରାଲ ମୁସାରଫଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ନଵାଜ ସରିଫ କାର୍ଯ୍ୟରୁ ଅନ୍ତର କରିବା ଲାଗି ପଦକ୍ଷେପ ନେବାର ଠିକ ପୂର୍ବରୁ ସେ ଏକ ସାମରିକ ବିଦ୍ରୋହ ସ˚ଘଟିତ କରାଇ ପାକିସ୍ତାନର ଶାସନକୁ ନିଜ ଅକ୍ତିଆରକୁ ଆଣିବା ପରଠାରୁ ତାଙ୍କୁ କେନ୍ଦ୍ର କରି ପାକିସ୍ତାନ ରାଜନୀତିରେ ଏକ ବିବଦମାନ ଅଧୢାୟର ସୂତ୍ରପାତ ହୋଇଥିଲା। ତା ପରବର୍ତ୍ତୀ ପ୍ରାୟ ଦେଢ଼ ଦଶନ୍ଧିର ବିଭିନ୍ନ ଘଟଣା ଓ ଅଘଟଣର ଘନଘଟା ଭିତରେ ମୁସାରଫ ଶାସନରେ ରହିବା ଲାଗି ନଭେମ୍ବର ୩, ୨୦୦୭ରେ ମାତ୍ର ୪୨ ଦିନ ଲାଗି ସମ୍ବିଧାନକୁ ଅଚଳ କରିଦେବା, ଜରୁରୀକାଳୀନ ପରିସ୍ଥିତି ଜାରି କରିବା, ଦେଶର ପ୍ରାୟ ଶହେ ସରିକି ବିଚାରପତିଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ଭଳି ପଦକ୍ଷେପମାନ ନେଇଥିଲେ। ବିଭିନ୍ନ ବିବାଦୀୟ ଘଟଣାକ୍ରମରେ ସେ ଏକ ପ୍ରାୟୋଜିତ ନିର୍ବାଚନରେ ଜିଣି ରାଷ୍ଟ୍ରପତି ହୋଇଛନ୍ତି, ସେନାଧୢକ୍ଷ ପଦରୁ ଇସ୍ତଫା ଦେଇ ସାଧାରଣ ରାଜନୀତିକୁ ଆସିଛନ୍ତି, ସିନେଟ ଦ୍ବାରା ବହିଷ୍କୃତ ହେବାର ଆଶଙ୍କା କରି ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ଇ˚ଲଣ୍ତ ପଳାୟନ କରିଛନ୍ତି, ୨୦୧୩ରେ ପୁଣି ନିର୍ବାଚନ ଲଢ଼ିବା ଲାଗି ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରି ଗିରଫ ହୋଇଛନ୍ତି ଏବ˚ ପରବର୍ତ୍ତୀ କାଳରେ ବିଭିନ୍ନ ରୂପରେ ଘୋର ଅପମାନିତ ମଧୢ ହୋଇଛନ୍ତି। ସ˚ପ୍ରତି ମୁସାରଫ ଗୁରୁତର ଅସୁସ୍ଥ ହୋଇ ଦୁବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ଥିବାବେଳେ ୨୦୦୭ରେ ଜରୁରୀ ପରିସ୍ଥିତି ଜାରି କରିଥିବା କାରଣରୁ ତାଙ୍କ ବିରୋଧରେ ରୁଜୁ କରାଯାଇଥିବା ଦେଶଦ୍ରୋହ ମାମଲାରେ ତାଙ୍କୁ ମୃତ୍ୟୁଦଣ୍ତ ଶୁଣାଇ ଦିଆଯାଇଛି। କେବଳ ସେତିକି ନୁହେଁ, ନ୍ୟାୟମୂର୍ତ୍ତି ଵାକାର ଅହମଦ ସେଠଙ୍କ ଅଧୢକ୍ଷତାରେ ଗଠିତ ତିନି ଜଣିଆ ବେଞ୍ଚଙ୍କ ୧୬୭ ପୃଷ୍ଠା ସମ୍ବଳିତ ରାୟରେ ଯେଉଁ ଭଳି ଭାଷାର ପ୍ରୟୋଗ କରାଯାଇଛି, ତାହା ମଧୢ ପ୍ରଣିଧାନଯୋଗ୍ୟ। କାରଣ ତହିଁରେ କୁହାଯାଇଛି ଯେ ‘ତାଙ୍କୁ ତୁରନ୍ତ ଧର ଓ ତିନି ଥର ଫାଶୀରେ ଝୁଲାଅ, ଯେମିତି ପ୍ରତିଟି ଆରୋପ ଲାଗି ସେ ମରିବେ। ଯଦି ତା ପୂର୍ବରୁ ତାଙ୍କର ମୃତ୍ୟୁ ଘଟେ ତେବେ ତାଙ୍କ ଶବକୁ ଘୋଷାରି ଆଣି ଇସଲାମାବାଦର ‘ଡେମୋକ୍ରାସି ସ୍କୋୟାର’(ଗଣତନ୍ତ୍ର ଛକ)ରେ ତିନିଦିନ ଧରି ଝୁଲାଇ ରଖ।’

ଏଭଳି ଭାଷା ବହନ କରିଥିବା ରାୟଟି ତଟସ୍ଥ କରି ଦେଲାଭଳି ହୋଇଥିବା ବେଳେ ପାକିସ୍ତାନ ବ୍ୟାପାର ସହିତ ପରିଚିତ ଅନେକ ପର୍ଯ୍ୟବେକ୍ଷକ କିନ୍ତୁ ଏହି ରାୟ ପଛରେ ରହିଥିବା ଏକ ସା˚କେତିକତାକୁ ଗୁରୁତ୍ବ ପ୍ରଦାନ କରିଥାଆନ୍ତି। ସେମାନଙ୍କ ମତରେ ଏହାଦ୍ବାରା ପାକିସ୍ତାନର ଏକ ନାଗରିକ ଅନୁଷ୍ଠାନ(ନ୍ୟାୟପାଳିକା) ତାର କ୍ଷମତାର ଉପଯୋଗ କରି ରାଷ୍ଟ୍ରର ସର୍ବମୟ କର୍ତ୍ତୃତ୍ବଧାରୀ ସାମରିକ ଅନୁଷ୍ଠାନ ଉପରେ ବିଜୟ ହାସଲ କରିବାର ଉଦ୍ୟମ କରିଛି। ତେବେ, ସେମାନେ ଏହା ମଧୢ କହୁଥିବାର ଶୁଣାଯାଉଛି ଯେ ଏଭଳି କରିବା ଏକ ଚରମ ଦୁଃସାହସର ପରିଚାୟକ ମାତ୍ର। ଅବଶ୍ୟ, ଏହା ସତ ଯେ ଜେନେରାଲ ମୁସାରଫ ଏବେ ପାକିସ୍ତାନରେ ଜଣେ ଗୌଣ ଚରିତ୍ର। ତାଙ୍କ ପଛରେ ଜନ ସମର୍ଥନ ନାହିଁ। କୁହାଯାଏ ଯେ ୨୦୧୩ ମସିହାରେ ପାକିସ୍ତାନର ସାଧାରଣ ନିର୍ବାଚନରେ ଭାଗ ନେବା ଲାଗି ଇ˚ଲଣ୍ତରୁ ପ୍ରତ୍ୟାବର୍ତ୍ତନ କରିଥିବା ଜେନେରାଲ ମୁସାରଫ ବିମାନବନ୍ଦରରେ ତାଙ୍କୁ ପାଛୋଟି ନେବା ଲାଗି ଯେତେବେଳେ କାହାକୁ ଦେଖିବାକୁ ପାଇ ନ ଥିଲେ, ସେତେବେଳେ କୁଆଡେ଼ ବିସ୍ମୟରେ ପଚାରିଥିଲେ, ‘ଲୋକମାନେ କାହାନ୍ତି?’ କହିବା ବାହୁଲ୍ୟ ଯେ ସେତେବେଳକୁ ଜେନେରାଲଙ୍କ ଚମକ ମଳିନ ପଡ଼ିସାରିଥିଲା। ବୋଧହୁଏ, ସେଥିଲାଗି ମୁସାରଫଙ୍କୁ ଏଭଳି ନିଷ୍ଠୁର ଭାଷାରେ ପ୍ରାଣ ଦଣ୍ତାଦେଶ ଶୁଣାଇବାର ସାହସ ଅଦାଲତ ଜୁଟାଇ ପାରିଛି।

ତେବେ, ଜଣେ ରାଷ୍ଟ୍ରମୁଖ୍ୟ ଭାବେ ମୃତ୍ୟୁଦଣ୍ତ ପାଇବାରେ ମୁସାରଫ ପାକିସ୍ତାନର ପ୍ରଥମ ବା ଏକମାତ୍ର ବ୍ୟକ୍ତି ନୁହନ୍ତି। ୧୯୭୯ ମସିହାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କୁ ମଧୢ ଫାଶୀ ଦିଆଯାଇଥିଲା। କିନ୍ତୁ, ଜେନେରାଲ ମୁସାରଫଙ୍କ ପ୍ରସଙ୍ଗ ଏଥିଲାଗି ଭିନ୍ନ ଯେ ସେ କେବଳ ମାତ୍ର ଜଣେ ପୂର୍ବତନ ରାଷ୍ଟ୍ରମୁଖ୍ୟ ନୁହନ୍ତି, ସେ ଜଣେ ପୂର୍ବତନ ସେନାଧୢକ୍ଷ ଯାହାଙ୍କ ପଛରେ ରହିଛି ପାକିସ୍ତାନ ସାମରିକ ବାହିନୀରେ କାର୍ଯ୍ୟ କରିବାର ଓ ପାକିସ୍ତାନ ଲାଗି ଯୁଦ୍ଧ ଲଢ଼ିବାର ଏକ ସୁଦୀର୍ଘ ପୃଷ୍ଠଭୂମି। ତେଣୁ ତାଙ୍କ ପ୍ରତି ଏଭଳି ଅଦାଲତୀ ଆଚରଣକୁ ଯେ ପାକିସ୍ତାନ ସୈନ୍ୟବାହିନୀ ସହ୍ୟ କରିବ ନାହିଁ, ଏହା ଏକ ସାଧାରଣ ଜ୍ଞାନର ବିଷୟ। ଉଲ୍ଲେଖଯୋଗ୍ୟ, ୨୦୧୩ରେ ଯେତେବେଳେ ପରଭେଜ ମୁସାରଫ ଦେଶକୁ ବାହୁଡ଼ିବା ପରେ ତାଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ବିଚାର ଆରମ୍ଭ ହେଲା, ସେତିକି ବେଳେ ତତ୍କାଳୀନ ପାକିସ୍ତାନ ସେନାମୁଖ୍ୟ ଜେନେରାଲ ରହିଲ ସରିଫ କହିଥିଲେ ଯେ ‘ଏଭଳି ଏକ ସ୍ଥିତିରେ ପାକିସ୍ତାନ ସେନାବାହିନୀ ଏକ ଦେଖାଣାହାରୀ ଭାବେ ବସି ରହିପାରିବ ନାହିଁ।’ ତେଣୁ ଏ ପରିପ୍ରେକ୍ଷୀରେ ସ୍ବତନ୍ତ୍ର ଅଦାଲତର ସାହସ ଯେ ଏକ ଦୁଃସାହସ, ତାହା କହିବା ବାହୁଲ୍ୟ ମାତ୍ର।

ଇତିମଧୢରେ କେବଳ ଏହି ସ୍ବତନ୍ତ୍ର ଅଦାଲତ ନୁହେଁ, ପାକିସ୍ତାନର ସର୍ବୋଚ୍ଚ ଅଦାଲତ ମଧୢ ଆଉ ଏକ ପ୍ରକରଣରେ ପାକିସ୍ତାନ ସରକାର ଏବ˚ ସେନାବାହିନୀ ଉପରେ କର୍ତ୍ତୃତ୍ବ ବିସ୍ତାର କରିବାର ଉଦ୍ୟମ କରିଛି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବଜଵାଙ୍କ ଚାକିରିର କାର୍ଯ୍ୟକାଳକୁ ତିନିବର୍ଷ ଲାଗି ବୃଦ୍ଧି କରିବା ନେଇ ଇମରାନ ଖାଁ ସରକାରର ନିଷ୍ପତ୍ତି ଉପରେ ପ୍ରତିବନ୍ଧ ଲଗାଇ ଦୟା ପ୍ରଦର୍ଶନ କଲା ଭଳି ବଜଵାଙ୍କ କାର୍ଯ୍ୟକାଳର ଅନ୍ତିମ ଦିନରେ ତାକୁ ମାତ୍ର ଆଉ ଛଅ ମାସ ଲାଗି ବୃଦ୍ଧି କରିଛନ୍ତି। ତେଣୁ ସ୍ବାଭାବିକ ଯେ ଏବେ ନ୍ୟାୟପାଳିକା ଉପରେ ପାକିସ୍ତାନ ସେନାବାହିନୀର କ୍ରୋଧ ତୁଙ୍ଗ ସ୍ତରରେ। ସଦ୍ୟ ପ୍ରାପ୍ତ ସମ୍ବାଦ ଅନୁସାରେ ପାକିସ୍ତାନ ସେନାଧୢକ୍ଷ ଏବ˚ ପ୍ରଧାନମନ୍ତ୍ରୀଙ୍କ ମଧୢରେ ଏକ ଗୁରୁତ୍ବପୂର୍ଣ୍ଣ ଜରୁରୀ ବୈଠକ ପରେ ସ୍ବତନ୍ତ୍ର ଅଦାଲତର ମୁଖ୍ୟ ବିଚାରପତିଙ୍କୁ ‘ମାନସିକ ଭାବେ ଅକ୍ଷମ’ ବୋଲି ଦର୍ଶାଇ କାର୍ଯ୍ୟରୁ ବହିଷ୍କାର କରାଯିବାର ପ୍ରକରଣର ଆରମ୍ଭ ହୋଇଯାଇଛି।

ପାକିସ୍ତାନରେ ଲୋକମୁଖରେ କୁହାଯାଉଥିବାର ଶୁଣାଯାଏ ଯେ ସେଠାରେ ସେନାବାହିନୀ ବିରୋଧରେ ମୁହଁ ଖୋଲିଲେ, ହୁଏ’ତ ତୁମେ ନିଜ ଶବ ଝେଲମ ନଦୀରେ ଭାସମାନ ଅବସ୍ଥାରେ ଆବିଷ୍କାର କରିବ। ସେହି ଦୃଷ୍ଟିରୁ ପାକିସ୍ତାନ ଭଳି ଏକ ରାଷ୍ଟ୍ରରେ ସ୍ବତନ୍ତ୍ର ଅଦାଲତର ମୁଖ୍ୟ ବିଚାରପତି ଵାକାର ଅହମଦ ସେଠ ଯାହା ବି ସ˚କେତ ଦେବାକୁ ଚାହିଁ ଥାଆନ୍ତୁ ନା କାହିଁକି, ଏହା ଯେ ତାଙ୍କର ଏକ ଦୁର୍ବୋଧୢ ଦୁଃସାହସ, ତାହା ଅଚିରେ ସାବ୍ୟସ୍ତ ହୋଇପାରେ।

ସମ୍ବନ୍ଧିତ ଖବର