କଠୋର ଦୃଷ୍ଟିଭ˚ଗୀ ଲୋଡ଼ା

ଯେଉଁମାନେ ବହୁ ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲା ଉପରେ ସତର୍କ ଦୃଷ୍ଟି ରଖିଥିବେ, ସେମାନେ ଉନ୍ନାଓ ପୀଡ଼ିତାଙ୍କ ପରିବାର ପରି ତିସ୍‌ହଜାରୀ କୋର୍ଟ ବିଚାରପତିଙ୍କ ରାୟ ନେଇ ଖୁସି ହୋଇ ନ ଥିବେ। ଏହାର କାରଣ ହେଉଛି ତିସ୍‌ହଜାରୀ କୋର୍ଟର ବିଚାରପତି ଏହି ରାୟରେ ଅଭିଯୁକ୍ତ ବିଧାୟକଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଛନ୍ତି। ବିଧାୟକ ସେଙ୍ଗର ଜଣେ ବାହୁବଳୀ ଏବ˚ ତାଙ୍କର ପ୍ରଭାବ ନେଇ ସାଧାରଣ ଲୋକେ ବେଶ୍‌ ଅବଗତ। ଏଭଳି ଜଣେ ପ୍ରଭାବଶାଳୀ ନେତା ତଳକୋର୍ଟର ରାୟ ବିରୋଧରେ ହାଇକୋର୍ଟ ଏବ˚ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯିବେ ଏବ˚ ଆମ ଦେଶର ନ୍ୟାୟ ବ୍ୟବସ୍ଥା ଯାହା ତହିଁରେ ହୁଏତ ଶେଷକୁ ସାମାନ୍ୟ ଶାସ୍ତି ସହ ସେ ଖସିଯାଇପାରନ୍ତି ବୋଲି ଏହି ଅସୁଖୀ ଲୋକ ଆଶଙ୍କା କରୁଛନ୍ତି। ସେଙ୍ଗର ମାମଲାରେ ଡିଷ୍ଟ୍ରିକ୍ଟ୍‌ ଜଜ୍‌ ଅବଶ୍ୟ ଅତି କଠୋର ଶବ୍ଦରେ ତାଙ୍କର ରାୟ ଉଲ୍ଲେଖ କରିବା ସହ ଅଭିଯୁକ୍ତଙ୍କୁ ଚଉଦବର୍ଷିଆ ଆଜୀବନ କାରାବାସ ନୁହେଁ, ସେ ବ˚ଚିଥିବା ପର୍ଯ୍ୟନ୍ତ ଅବଶିଷ୍ଟ ଆୟୁଷ୍କାଳ ସେହି ଶାସ୍ତି ଭୋଗିବାକୁ ପଡ଼ିବ ବୋଲି ସ୍ପଷ୍ଟ କରିଦେଇଛନ୍ତି, ମାତ୍ର ଉନ୍ନାଓ ପୀଡ଼ିତାଙ୍କ ନିର୍ଯାତନାର ସୁଦୀର୍ଘ ବିବରଣୀ ପାଠ କରିଥିବା ଭାରତୀୟମାନେ ଏଭଳି ନରପିଶାଚ ପାଇଁ ମୃତ୍ୟୁଦଣ୍ତଠାରୁ କମ୍‌ ଅନ୍ୟ କୌଣସି ଶାସ୍ତି ଗ୍ରହଣ କରିପାରନ୍ତି ନାହିଁ।

ଲୋକମାନେ ସାଧାରଣ ବିଚାର ବ୍ୟବସ୍ଥାଠାରୁ ଆଶା କରୁଥିିବା ନ୍ୟାୟ ଏବ˚ ବାସ୍ତବରେ ବିଚାର ବ୍ୟବସ୍ଥା ଶୁଣାଉଥିବା ନ୍ୟାୟ ଭିତରେ ଥିବା ବ୍ୟବଧାନ ଯୋଗୁଁ ହାଇଦ୍ରାବାଦ ଏନ୍‌କାଉଣ୍ଟର ପରି ଘଟଣା ଘଟୁଥିବା କଥା ଚର୍ଚ୍ଚା ହେବା ସ୍ବାଭାବିକ। ଏହା ଦ୍ବାରା ‘ଏନ୍‌କାଉଣ୍ଟର’କୁ ବୈଧ ବା ଯୁକ୍ତିଯୁକ୍ତ ବୋଲି ଦର୍ଶାଇବା ଆମର ଉଦ୍ଦେଶ୍ୟ ନୁହେଁ, ମାତ୍ର ଭାରତର ବିଳମ୍ବିତ ନ୍ୟାୟ ବ୍ୟବସ୍ଥା ଯେ ଏନ୍‌କାଉଣ୍ଟର ପଛର ଥିବା ଚରମ ଅସନ୍ତୋଷ, ଆସ୍ଥାହୀନତା ଏବ˚ ଅସହାୟତାର ପ୍ରକୃତ କାରଣ ତାହାକୁ ଅସ୍ବୀକାର କରାଯାଇ ପାରିବ ନାହିଁ। ଆଜି ଏ ଦେଶର ସାଧାରଣ ଲୋକ ମନରେ ନ୍ୟାୟ ବ୍ୟବସ୍ଥା ପ୍ରତି ଭରସା ସ˚ପୂର୍ଣ ତୁଟିଯାଇଛି। ଯଦି କୌଣସି ଅନୁଷ୍ଠାନର ସ˚ସ୍କାର ଆମ ଦେଶ ପାଇଁ ତେଣୁ ସବୁଠାରୁ ଜରୁରି ହୋଇପଡ଼ିଥାଏ, ତାହା ହେଉଛି ଆମର ନ୍ୟାୟ ବ୍ୟବସ୍ଥା। ଏକ ଅତ୍ୟଧିକ ଭାରାକ୍ରାନ୍ତ ଏବ˚ ଦୁର୍ବଳ ନ୍ୟାୟିକ ବ୍ୟବସ୍ଥାର ସୁଯୋଗ ନେଇ କୁଳଦୀପ ସି˚ହ ସେଙ୍ଗାର ପରି ଅପରାଧୀ ଗୋଟିଏ ପରେ ଗୋଟିଏ ଅପରାଧ ଘଟେଇ ଚାଲିଥିବା ବେଳେ ଅତ୍ୟାଚାରିତ ନିରୀହା ମହିଳାମାନେ ଦୀର୍ଘଶ୍ବାସ ଛାଡ଼ିବା କେବଳ ସାର ହେଉଛି। ଏପରି ଜଣେ ଅଭିଯୁକ୍ତଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚିତ କରାଇ ଆଣିବା ଘଟଣା ପୁଣି ଦର୍ଶାଉଛି ଯେ ନାରୀମାନଙ୍କ ପ୍ରତି ଅତ୍ୟାଚାର କ୍ଷେତ୍ରରେ ମଧ୍ୟ ଅନ୍ୟ ରାଜନୈତିକ ଦଳ ପରି ଭାରତୀୟ ଜନତା ପାର୍ଟିର ରାୟ ଅପରାଧୀଙ୍କ ପକ୍ଷପାତୀ।

ସ˚ସଦରୁ ନିର୍ବାଚିତ ୫୩୯ ଜଣ ସା˚ସଦଙ୍କ ମଧୢରୁ ୨୩୩ ଜଣ ସା˚ସଦଙ୍କ ବିରୋଧରେ ଫୌଜଦାରୀ ଅଭିଯୋଗ ରହିଛି ଯାହା ପୂର୍ବର ବା ୨୦୧୪ ସା˚ସଦର ଅନୁପାତ ତୁଳନାରେ ୪୪ ଭାଗ ବେଶି! ଏହାକୁ ଉଦ୍‌ବେଗଜନକ କୁହାଗଲେ ତାହା ନ୍ୟୂନକଥନ ହେବ। ଗୋଟିଏ ପଟେ ନ୍ୟାୟ ବ୍ୟବସ୍ଥାର ଫା‌ଙ୍କ ଦେଇ ଅପରାଧୀ ଖସି ପଳେଇବାର ସହଜ ବାଟ ପାଇଯାଉଥିବା ବେଳେ ଆର ପଟେ ଦେଶର ପ୍ରମୁଖ ତଦନ୍ତକାରୀ ସ˚ସ୍ଥା ସିବିଆଇ କାର୍ଯ୍ୟରେ ହେଳା ଏବ˚ ଶିଥିଳତା ଜନଗଣଙ୍କ ଅସନ୍ତୋଷକୁ ଅଧିକ ଉଗ୍ର କରୁଅଛି। ଯଥାର୍ଥତଃ, ତିସ୍‌ହଜାରୀ କୋର୍ଟ ଉନ୍ନାଓ ବଳାତ୍କାର ମାମଲାର ରାୟ ଶୁଣାଇବା ବେଳେ ସିବିଆଇକୁ କଠୋର ଶବ୍ଦରେ ଭର୍ତ୍ସନା କରିଛନ୍ତି। ବିଚାରପତି ଧର୍ମେଶ ଶର୍ମା ତାଙ୍କର ଦୀର୍ଘ ୧୩୩ ପୃଷ୍ଠା ବ୍ୟାପୀ ରାୟରେ ଉଲ୍ଲେଖ କରିଛନ୍ତି ଯେ ଆଲୋଚ୍ୟ ମାମଲାରେ ସିବିଆଇର କାର୍ଯ୍ୟ ତ ଆଶାନୁରୂପ ହୋଇନାହିଁ ବର˚ ଆଶାର ବିପରୀତ ହୋଇଅଛି। ଉନ୍ନାଓ ବଳାତ୍କାର ମାମଲା‌େର ପୀଡ଼ିତାଙ୍କର ସାହସ ଏବ˚ ନ୍ୟାୟ ପାଇଁ ନିରବଚ୍ଛିନ୍ନ ସ˚ଗ୍ରାମର ପ୍ରଶ˚ସା କରିବା ସମୟରେ ଜିଲ୍ଲା ଜଜ୍‌ ପ୍ରକାଶ କରିଛନ୍ତି ଯେ ଉତ୍ପୀଡ଼କ ବାହୁବଳୀ ବିଧାୟକ ଜଣକ ପୀଡ଼ିତା ଏବ˚ ତାଙ୍କ ପରିବାରକୁ ଅକଥ୍ୟ ନିର୍ଯାତନା ଦେବାର କୌଣସି ଗୋଟିଏ ସୁଯୋଗ ହାତଛଡ଼ା କରି ନ ଥିବାବେଳେ ସିବିଆଇର ଭୂମିକା ପ୍ରଶ୍ନାତୀତ ହୋଇପାରିନାହିଁ।

ଗୋଟିଏ ପଟେ ଜନଗଣଙ୍କ ଟିକସରେ ପରିଚାଳିତ ନ୍ୟାୟିକ ବ୍ୟବସ୍ଥା ଓ ତଦନ୍ତକାରୀ ସ˚ସ୍ଥାଗୁଡ଼ିକ ଯଥାକ୍ରମେ ବିଡ଼ମ୍ବିତ ଓ ଉଦାସୀନ ଆଚରଣ ପ୍ରଦର୍ଶନ କରୁଥିବାବେଳେ ଦେଶର ଅସାମାଜିକମାନେ ଗୋଟିଏ ପରେ ଗୋଟିଏ ଜଘନ୍ୟ ବଳାତ୍କାର ଓ ଦୁଷ୍କର୍ମ ଘଟାଇ ଚାଲିଛନ୍ତି। ସରିବାକୁ ଯାଉଥିବା ୨୦୧୯ ବର୍ଷ ଭିତରେ, ଘଟିଯାଇଥିବା ଅନୁରୂପ ଶହ ଶହ ଦୁଷ୍କର୍ମ ଅଭିଯୋଗ ମଧୢରେ ଏଭଳି ଅଘଟଣମାନ ଅଛି ଯାହା ଯେ କୌଣସି ସାଧାରଣ ମଣିଷକୁ ଅସ୍ତବ୍ୟସ୍ତ କରିଦେବ। କେଉଁଠାରେ ଷୋଳବର୍ଷର କିଶୋରୀର ମୁଣ୍ତ ଗଣ୍ତି ଅଲଗା କରି ଏସିଡ୍‌ରେ ପକାଇ ଜାଳିଦିଆଯାଇଛି ତ କେଉଁଠି ମନ୍ଦିରକୁ ଯାଉଥିବା ବାଳିକା ଉପରେ ଅତ୍ୟାଚାର କରି ତାର ହାତଗୋଡ଼ ଭାଙ୍ଗି ମାରିଦିଆଯାଇଛି। ତିନିବର୍ଷର ଶିଶୁ କନ୍ୟା ଠାରୁ ନେଇ ପରିଣତ ବୟସର ପୌଢ଼ା ପର୍ଯ୍ୟନ୍ତ ନାରୀ, ରାଜପଥରୁ ନେଇ ଦେବାଳୟ, ସ୍କୁଲ କଲେଜ ଏପରିକି ନିଜ ଘରେ ସୁଦ୍ଧା ସୁରକ୍ଷିତ ନୁହେଁ। ନିଦରେ ଶୋଇଥିବା ଝିଅଟିଏ ବାହାରକୁ ବାହାରିବା କ୍ଷଣି ବଳାତ୍କାରର ଶିକାର ହେଉଛି। ତାର କରୁଣ ଚିତ୍କାର କେହି ଶୁଣୁନାହିଁ। ଏଭଳି ଶହ ଶହ ଘଟଣା ଭିତରୁ ଯେତେବେଳେ ଗୋଟିଏ ଅଧେ ଘଟଣା ପୁଲିସ ଥାନା ଡେଇଁ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଉଛି ସେଠାରେ ଉତ୍ପୀଡ଼ିତା ନାରୀଟିକୁ ପୁଣି ଜଘନ୍ୟ ପ୍ରଶ୍ନବାଣ ଓ ଲଜ୍ଜାଜନକ ଶାରୀରିକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏସବୁ ପ୍ରତ୍ୟହ ପଢ଼ୁଥିବା ଓ ଶୁଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳି କୁହୁଳି ଉଗ୍ରରୂପ ନେବା ସ୍ବାଭାବିକ।

ଏସବୁ ନକାରାତ୍ମକ ଚିତ୍ର ସତ୍ତ୍ବେ କେତେକ କ୍ଷେତ୍ରରେ କିଛି ଅସ୍ତିବାଚକ ଇସାରା ଦେଖିବାକୁ ମିଳୁଥିବା ଆଶ୍ବସ୍ତିର ବିଷୟ। ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଉପରେ ନ୍ୟସ୍ତ ରାଜକ୍ଷମା ପ୍ରସଙ୍ଗର ପୁନଃ ସମୀକ୍ଷା ପାଇଁ ସାଧାରଣରେ ଦାବି ଉଠିଛି। ଏହାର କାରଣ ରାଜକ୍ଷମା ପାଇ କାରାଗାର ବାହାରକୁ ଆସିଥିବା ଅପରାଧୀର ହୃଦୟରେ ପରିବର୍ତ୍ତନ ଲକ୍ଷ୍ୟ କରାଯିବା ବଦଳରେ ଅଧିକ ନିର୍ମମତା ଲକ୍ଷ୍ୟ କରାଯାଉଅଛି। ସେହିପରି, ନିମ୍ନକୋର୍ଟର ବିଚାରପତିମାନେ ମଧୢ ‘ପୋକ୍‌ସୋ’ ଅନ୍ତର୍ଗତ ଅପରାଧର ବିଚାରରେ କିଞ୍ଚିତ୍ ଦୃଢ଼ତା ଦେଖାଉଥିବା ଲକ୍ଷ୍ୟ କରାଯାଉଛି। ତେବେ ଏସବୁରେ ସ˚ସ୍କାର ସେତିକିବେଳେ ଆସିବ, ଯେତେବେଳେ ପୁଲିସ ଏବ˚ ତଦନ୍ତକାରୀ ସ˚ସ୍ଥାକୁ ଠିକଣା ଢଙ୍ଗରେ କାର୍ଯ୍ୟ କରିବା ପାଇଁ ଛାଡ଼ି ଦିଆଯିବ ଓ ତାହା ସହିତ ନ୍ୟାୟିକ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲାଗି ଖାଲି ପଡ଼ିଥିବା ଜଜ୍‌ମାନଙ୍କ ସ୍ଥାନ ପୂରଣ କରାଯିବ। ଇକନମିକ ସର୍ଭେର ରିପୋର୍ଟ ଅନୁସାରେ ଯଦି ତଳକୋର୍ଟରେ ୨୨୭୯ ଜଜ୍‌ ଓ ହାଇକୋର୍ଟଗୁଡ଼ିକରେ ଆଉ ୯୩ଟି ପଦ ପୂରଣ କରାଯାଇପାରିବ ତାହାହେଲେ ଦଶନ୍ଧି ଦଶନ୍ଧି ଧରି ଗେଣ୍ତା ଗତିରେ ଆଗଉଥିବା ମାମଲାଗୁଡ଼ିକର ଫଇସଲା ତ୍ବରାନ୍ବିତ ହେବ। ସ୍ମରଣ ରଖିବାକୁ ହେବ ଯେ ବିଳମ୍ବିତ ରାୟକୁ ବିଡ଼ମ୍ବିତ ରାୟ ଭାବି ସାଧାରଣ ଜନତା ଧୈର୍ଯ୍ୟ ଧରି ବସି ରହିବାର ସମୟ ସୀମା ଅତିକ୍ରାନ୍ତ ହୋଇଯାଇଛି। ଏହାକୁ ଅଣଦେଖା କଲେ ତେଣିକି ଘଟଣାଚକ୍ର ଯେଉଁ ପ୍ରକାର ବିସ୍ଫୋରକ ରୂପନେବ ତାହା ଦେଶ, ନାଗରିକ ବା ବ୍ୟବସ୍ଥା କାହାରି ସ୍ବାର୍ଥ ସାଧନ କରିବ ନାହିଁ।

ସମ୍ବନ୍ଧିତ ଖବର