ପ୍ରଳୟ ଯନ୍ତ୍ର

ଆଚରଣ ନିୟନ୍ତ୍ରଣ ମାଧ୍ୟମରେ କିପରି ଆଣବିକ ଯୁଦ୍ଧକୁ ଅଟକାଇ ଦିଆଯାଇପାରିବ, ତାହା ଥିଲା ୨୦୦୫ରେ ଅର୍ଥନୀତି ପାଇଁ ନୋବେଲ୍‌ ପୁରସ୍କାର ପାଇଥିବା ସ୍ୱର୍ଗତ ଥମାସ୍‌ ସ୍କେଲିଙ୍ଗ୍‌ଙ୍କର ଗବେଷଣାର ଅନ୍ୟତମ ମୁଖ୍ୟ ବିଷୟବସ୍ତୁ। ସେଥିପାଇଁ ସେ ୧୯୯୩ରେ ମଧୢ ମର୍ଯ୍ୟାଦାଜନକ ‘ନେସନାଲ୍‌ ଆକାଡେମି ଅଫ୍‌ ସାଇନ୍‌ସେସ୍‌’ ଦ୍ବାରା ଆଣବିକ ଯୁଦ୍ଧ ନିବାରଣ ନିମିତ୍ତ ଆଚରଣ ନିୟନ୍ତ୍ରଣ ଭିତ୍ତିକ ଗବେଷଣା ପାଇଁ ପୁରସ୍କୃତ ହୋଇଥିଲେ। ତାହାର ପ୍ରାୟ ତିନି ଦଶନ୍ଧି ପୂର୍ବେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଷ୍ଟାନ୍‌ଲି କ୍ୟୁବ୍ରିକ୍‌ ଯେତେବେଳେ ୧୯୬୪ରେ ମୁକ୍ତି ଲାଭ କରିଥିବା ତାଙ୍କର କି˚ବଦନ୍ତି ପାଲଟିଥିବା ଫିଲ୍‌ମ ‘ଡକ୍ଟର‌୍‌ ଷ୍ଟ୍ରେଞ୍ଜଲଭ୍‌ ଅର‌୍‌: ହାଓ ଆଇ ଲର୍ଣ୍ଣଡ୍ ଟୁ ଷ୍ଟପ୍‌ ଓରିଙ୍ଗ୍‌ ଆଣ୍ତ ଲଭ୍‌ ଦି ବମ୍‌’ ନିର୍ମାଣରେ ନିମଗ୍ନ ଥିଲେ, ସେତେବେଳେ ସେ ଯୁବ ଅର୍ଥନୀତିଜ୍ଞ ସ୍କେଲିଙ୍ଗ୍‌ଙ୍କ ଠାରୁ ଏ ସମ୍ପର୍କରେ ଉପଦେଶ ଲୋଡ଼ିଥିଲେ। କ୍ୟୁବ୍ରିକ୍‌ଙ୍କର ମୂଳ ଯୋଜନା ଥିଲା ‘ଡକ୍ଟର‌୍‌ ଷ୍ଟ୍ରେଞ୍ଜ୍‌ଲଭ୍‌’କୁ ଏକ ଆକ୍‌ସନ ଥ୍ରୀଲର‌୍‌ ଫିଲ୍‌ମ ରୂପେ ନିର୍ମାଣ କରିବା। ଆଚରଣ ନିୟନ୍ତ୍ରଣ କରିବାରେ ଓସ୍ତାଦ୍‌ ସ୍କେଲିଙ୍ଗ୍‌ କିନ୍ତୁ କ୍ୟୁବ୍ରିକ୍‌ଙ୍କର ଉଦ୍ଦେଶ୍ୟରେ ପରିବର୍ତ୍ତନ ଘଟାଇ ଏହାକୁ ଏକ ଗମ୍ଭୀର ରାଜନୈତିକ ବ୍ୟଙ୍ଗ ସମ୍ବଳିତ କମେଡିରେ ପରିଣତ କରାଇ ଦେଇଥିଲେ।

ସ୍କେଲିଙ୍ଗ୍‌ଙ୍କର ଯେଉଁ ସମ୍ପୂର୍ଣ୍ଣ ନିଆରା ଧରଣର ଚମକପ୍ରଦ ଚିନ୍ତାଧାରା କ୍ୟୁବ୍ରିକ୍‌ଙ୍କ ଫିଲ୍‌ମର ପ୍ଲଟ୍‌ର ଆଧାରରେ ପରିଣତ ହେଲା, ତାହା ହେଲା ‘କମିଟ୍‌ମେଣ୍ଟ ଷ୍ଟ୍ରାଟେଜି’ (ବଚନବଦ୍ଧତା କୌଶଳ)। ଏହି କୌଶଳର ସାରମର୍ମ ହେଲା ନିଜ ପାଖରେ ଉପଲବ୍ଧ ବିକଳ୍ପମାନଙ୍କୁ ଏପରି ସମ୍ପୂର୍ଣ୍ଣ ଭାବରେ ସୀମିତ କରି ଦେବା ଯାହା ଶତ୍ରୁ ପକ୍ଷର ନିଷ୍ପତ୍ତି ଗ୍ରହଣକୁ ଶକ୍ତିଶାଳୀ ଢଙ୍ଗରେ ପ୍ରଭାବିତ କରିବ। ଏହାର ଏକ ଉଦାହରଣ ସ୍ବରୂପ କୌଣସି ଏକ ବ୍ୟାଙ୍କ୍‌ର ଷ୍ଟ୍ରଙ୍ଗ୍‌ରୁମ୍‌ର ଚାବି ବା ଖୋଲିବା କମ୍ବିନେସନ୍‌ କୋଡ୍‌ କେବଳ ଜଣକ ପାଖରେ ଥାଏ- ମ୍ୟାନେଜରଙ୍କ ପାଖରେ। ଅର୍ଥାତ୍‌ ଷ୍ଟ୍ରଙ୍ଗ ରୁମ୍‌ ବା ସେଫ୍‌ ଖୋଲିବାର ବିକଳ୍ପମାନଙ୍କୁ ସମ୍ପୂର୍ଣ୍ଣ ସୀମିତ କରାଯାଇ କେବଳ ଜଣକ ଠାରେ କେନ୍ଦ୍ରୀଭୂତ କରାଯାଇଥାଏ। ବ୍ୟାଙ୍କ୍‌ର ସାମନା କାଉଣ୍ଟର‌୍‌ମାନଙ୍କରେ ବସିଥିବା କୌଣସି କର୍ମଚାରୀଙ୍କ ପାଖରେ ଏ ବିକଳ୍ପ ଉପଲବ୍ଧ ନ ଥାଏ। ଏହାକୁ ଏକରକମ ଏକଛତ୍ରବାଦ ବୋଲି କୁହାଯାଇ ପାରେ। କିନ୍ତୁ ଏଥିଯୋଗୁଁ ବ୍ୟାଙ୍କ ଡକାୟତମାନେ ଯଦି ସେଫ୍‌ ଖୋଲି ଲୁଟ୍‌ କରିବାକୁ ଚାହୁଁଥାନ୍ତି, ସେମାନେ ସାମନା ଡେସ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଆକ୍ରମଣ କରିବାକୁ ଚାହିଁବେ ନାହିଁ। ସେପରି ଆକ୍ରମଣ ନିରର୍ଥକ ହେବ।

ଡକ୍ଟର‌୍‌ ଷ୍ଟ୍ରେଞ୍ଜଲଭ୍‌ ଫିଲ୍‌ମର କେନ୍ଦ୍ରରେ ଥିବା ‘ଡୁମ୍‌ସଡେ ମେସିନ୍‌’ (ପ୍ରଳୟ ଯନ୍ତ୍ର) ହେଉଛି ସ୍କେଲିଙ୍ଗ୍‌ଙ୍କର ‘କମିଟ୍‌ମେଣ୍ଟ୍‌ ଷ୍ଟ୍ରାଟେଜି’ର ଏକ ଚରମ ଉଦାହରଣ। ଏହି ‘ପ୍ରଳୟ ଯନ୍ତ୍ର’ ହେଉଛି ଶତ୍ରୁ ଦେଶକୁ ସମ୍ପୂର୍ଣ୍ଣ ଧ୍ବ˚ସ କରିଦେବା କ୍ଷମତା ବହନ କରୁଥିବା କେତେଗୁଡ଼ିଏ ବଡ଼ ବଡ଼ ପରମାଣୁ ବୋମା, ଯେଉଁ ଗୁଡ଼ିକ ଶତ୍ରୁପକ୍ଷ ଦ୍ବାରା ଆକ୍ରମଣ ଆରମ୍ଭ ହେବା ମାତ୍ରେ ଏକ ସ୍ବୟ˚ ଚାଳିତ ଟ୍ରିଗର‌୍‌ ଦ୍ବାରା ସକ୍ରିୟ ହୋଇଯିବେ। ବୋମାଗୁଡ଼ିକ କେବଳ ସମସ୍ତ ଜୀବନକୁ ଧ୍ବ˚ସ କରିଦେବେ, ତାହା ନୁହେଁ, ସେଥିରୁ ନିର୍ଗତ ‌େତଜଷ୍କ୍ରିୟ ରଶ୍ମି ଦୀର୍ଘ ୯୩ ବର୍ଷ ପାଇଁ ବାୟୁମଣ୍ତଳକୁ ବିଷାକ୍ତ କରି ରଖିବ। ଡୁମ୍‌ସଡେ ମେସିନ୍‌ର ଯେଉଁ ଅ˚ଶ ହେଉଛି ସ୍କେଲିଙ୍ଗ୍‌ଙ୍କର କମିଟ୍‌ମେଣ୍ଟ ଷ୍ଟ୍ରାଟେଜିର ବାହକ, ତାହା ହେଲା ଏହି ସ୍ବୟ˚କ୍ରିୟ ଟ୍ରିଗର‌୍‌।

ଉପରବର୍ଣ୍ଣିତ ବ୍ୟାଙ୍କ୍‌ ଷ୍ଟ୍ରଙ୍ଗ୍‌ରୁମ୍‌ ଉଦାହରଣରେ ତାହାକୁ ଖୋଲିବା ପାଇଁ ନିଷ୍ପତ୍ତି ନେବା କ୍ଷମତା ଅନ୍ତତଃ ଜଣେ ମନୁଷ୍ୟ (ମ୍ୟାନେଜର) ହାତରେ କେନ୍ଦ୍ରୀଭୂତ ହୋଇଥାଏ, ଅର୍ଥାତ୍‌ ତାଙ୍କର ବଚନବଦ୍ଧତା ଉପରେ ନିର୍ଭର କରିଥାଏ। ଡୁମ୍‌ସଡେ ମେସିନ୍‌ କ୍ଷେତ୍ରରେ କିନ୍ତୁ ନିଷ୍ପତ୍ତି ଗ୍ରହଣରୁ ମନୁଷ୍ୟକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇ ତାହାକୁ ଏକ ‘ସ୍ବୟ˚ଚାଳିତ ଟ୍ରିଗର‌୍‌’ରେ ନ୍ୟସ୍ତ କରାଯାଇଛି। କୌଣସି ମନୁଷ୍ୟ ବଦ୍ଧ-ପାଗଳ ନ ହେଲେ, ଡୁମ୍‌ସଡେ ମେସିନ୍‌ ପରି ଏକ ସର୍ବନାଶକାରୀ ଯନ୍ତ୍ରକୁ ସକ୍ରିୟ କରନ୍ତା ନାହିଁ। ତେଣୁ ଶତ୍ରୁପକ୍ଷ ହୁଏତ ଏହି ପ୍ରଳୟ ଯନ୍ତ୍ରକୁ ଏକ ମିଛ ଭୟ ସୃଷ୍ଟିକାରୀ ବ୍ୟବସ୍ଥା ରୂପେ ହେୟଜ୍ଞାନ କରନ୍ତା। କିନ୍ତୁ ମନୁଷ୍ୟ ସ୍ଥାନରେ ଏକ ଆପେ ସକ୍ରିୟ ହୋଇଯାଉଥିବା ଟ୍ରିଗର‌୍‌କୁ ସେପରି ହେୟଜ୍ଞାନ ପ୍ରଦର୍ଶନ କରିବା ସର୍ବନାଶକୁ ନିମନ୍ତ୍ରଣ କରିବା ସହ ସମାନ। ତେଣୁ ଶତ୍ରୁପକ୍ଷ ଆମେରିକା ଡୁମ୍‌ସଡେ ମେସିନ୍‌ ରଖିଥିବା ସୋଭିଏତ୍‌ ୟୁନିଅନ୍‌ ଉପରେ କେବେହେଲେ ଆକ୍ରମଣ କରିବାକୁ ସାହସ କରିବ ନାହିଁ। ଆକ୍ରମଣ ହେଲେ ତତ୍‌କ୍ଷଣାତ୍‌ ପ୍ରଳୟ ଯନ୍ତ୍ରକୁ ଚଳାଇ ଦେବା ପାଇଁ ତାହାର ସ୍ବୟ˚କ୍ରିୟ ଟ୍ରିଗର‌୍‌ ସବୁ ସମୟରେ ସମ୍ପୂର୍ଣ୍ଣ ଭାବରେ ପ୍ରତିଶ୍ରୁତିବଦ୍ଧ- ତା’ର ଦୟା ମାୟା ନାହିଁ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଗତ ମଙ୍ଗଳବାର ଦିନ ଜେନିଭା ଠାରେ ପ୍ରଥମ ‘ଗ୍ଲୋବାଲ୍‌ ରେଫ୍ୟୁଜି ଫୋରମ୍‌’ (ବିଶ୍ବ ଶରଣାର୍ଥୀ ମଞ୍ଚ)ରେ ନିଜର ଅଭିଭାଷଣ ପ୍ରଦାନ କରିବା ସମୟରେ ଭାରତକୁ ଯେଉଁ ପରମାଣୁ ଆକ୍ରମଣର ଭୟ ଦେଖାଇଛନ୍ତି, ତାହା କରିବା ବେଳେ ତାଙ୍କର ଜାଣତରେ କିମ୍ବା ଅଜାଣତରେ ଡକ୍ଟର ଷ୍ଟ୍ରେଞ୍ଜ୍‌ଲଭ୍‌ର ଡୁମ୍‌ସଡେ ମେସିନ୍‌ର ଭୂତ ମଧୢ ଯେ ତାଙ୍କୁ ଘାରୁଥିବ, ଏଥିରେ କୌଣସି ସନ୍ଦେହ ନାହିଁ। ଆଶ୍ଚର୍ଯ୍ୟର କଥା ଭାରତ ପ୍ରଣୟନ କରିଥିବା ନାଗରିକତ୍ବ ସ˚ଶୋଧନ ଆଇନକୁ କେନ୍ଦ୍ର କରି ଇମ୍ରାନ୍‌ ଖାନ୍‌ ଏପରି ଆଣବିକ ଆକ୍ରମଣର ଭୟ ପ୍ରଦର୍ଶନ କରିଛନ୍ତି। ଏକ ସାର୍ବଭୌମ ଗଣତନ୍ତ୍ରର ସ˚ସଦ ଦ୍ବାରା ପ୍ରଣୀତ ଏକ ଆଇନକୁ ତା’ର ପଡେ଼ାଶୀ ଦେଶ ବିରୋଧ କରିବା ଯେତିକି ଅନଧିକାର ଚର୍ଚ୍ଚା, ଏଥିଯୋଗୁଁ ଆଣବିକ ଆକ୍ରମଣର ଭୟ ପ୍ରଦର୍ଶନ କରିବା ତା’ଠାରୁ ବହୁଗୁଣ ଅଧିକ ପାଗଳର ପ୍ରଳାପ ଭଳି ହୋଇଥାଏ। ସେ ସମ୍ବନ୍ଧରେ ଅଧିକ ଆଲୋଚନା ଅନାବଶ୍ୟକ।

କିନ୍ତୁ ଆଣବିକ ଆକ୍ରମଣ ଧମକ ସମ୍ବନ୍ଧରେ ଏତିକି ସୂଚାଇବା ଆବଶ୍ୟକ ଯେ ପୁଲ୍‌ଵାମା ଆକ୍ରମଣ ପରେ ଭାରତ ତରଫରୁ ଯେଉଁ ପ୍ରତିକ୍ରିୟା ପ୍ରଦର୍ଶିତ ହୋଇଥିଲା, ତାହା ଯେ ଡକ୍ଟର ଷ୍ଟ୍ରେଞ୍ଜ୍‌ଲଭ୍‌ଙ୍କର ଡୁମ୍‌ସଡେ ମେସିନର ଏକ ହାଲୁକା ଜବାବ ପରି ଥିଲା, ଏହା ଇମ୍ରାନ୍‌ଙ୍କ ସମେତ ପାକିସ୍ତାନର ସମସ୍ତଙ୍କୁ ଜଣା। ସେ ଭଲ ରୂପେ ଜାଣିଥିବେ ସେ ପ୍ରଳୟ ଯନ୍ତ୍ରର ପ୍ରତିଶ୍ରୁତି-ବଦ୍ଧତା ଭଳି ପାକିସ୍ତାନ ପଟରୁ କୌଣସି ପରମାଣୁ ଆକ୍ରମଣର ପ୍ରତିକ୍ରିୟାରେ ସ୍ବୟ˚କ୍ରିୟ ଟ୍ରିଗର‌୍‌ ଭଳି ଭାରତର ଯେଉଁ ପରମାଣୁ ପ୍ରତି-ଆକ୍ରମଣ ତତ୍‌କ୍ଷଣାତ୍‌ ଆରମ୍ଭ ହୋଇଯିବ, ତାହା ଅନ୍ତତଃ ଆସନ୍ତା ୯୩ ବର୍ଷ ପାଇଁ ସମଗ୍ର ପାକିସ୍ତାନକୁ ଭୂପୃଷ୍ଠରୁ ନିଶ୍ଚିହ୍ନ କରିଦେବ। ଇମ୍ରାନ୍‌ଙ୍କ ମିଥ୍ୟା ଧମକ ସର୍ବଦା ତାହା ହିଁ ହୋଇ ରହିବ ମାତ୍ର।

ସମ୍ବନ୍ଧିତ ଖବର