ଝାଡ଼ଖଣ୍ତରେ ଭାରତୀୟ ଜନତା ପାର୍ଟି ପରାଜିତ ହୋଇ ଶାସନ କ୍ଷମତାରୁ ବିଦା ହେବାର ଅନେକ କାରଣ ଏବେ ଅନୁଶୀଳନକାରୀମାନେ ଆବିଷ୍କାର କରିବାରେ ଲାଗିଛନ୍ତି। କିନ୍ତୁ ଯାହା ମନେ ହେଉଛି ଏସବୁ ମଧୢରୁ ଯେଉଁ କାରଣଟି ଭାଜପାର ନିର୍ବାଚନୀ ପରାଜୟ ପାଇଁ ମୁଖ୍ୟତଃ ଦାୟୀ ତାହା ବର୍ତ୍ତମାନର ଅନୁଶୀଳନକାରୀମାନେ ନୁହଁନ୍ତି, ତାହା ଚିହ୍ନଟ କରିଥିଲେ ପ୍ରାୟ ଦେଢ଼ଶହ ବର୍ଷରୁ ଅଧିକ କାଳ ତଳେ ଆମେରିକାର ପ୍ରବାଦ ପୁରୁଷ- ରାଷ୍ଟ୍ରପତି ଆବ୍ରାହାମ୍ ଲିଙ୍କନ୍, ସେ ଯେତେବେଳେ କହିଥିଲେ: ‘‘ପ୍ରାୟ ସବୁ ଲୋକଙ୍କର ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା କ୍ଷମତା ରହିଛି; କିନ୍ତୁ ତୁମେ ଯଦି ଜଣେ ବ୍ୟକ୍ତିଙ୍କର ଚରିତ୍ର ପରୀକ୍ଷା କରିବାକୁ ଚାହଁ, ତାଙ୍କ ହାତରେ କ୍ଷମତା ଦେଇ ଦେଖ।’’ ଝାଡ଼ଖଣ୍ତର ପରାଜିତ, ଗାଦିଚ୍ୟୁତ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପାଇଁ ରାଜନୀତି ନୂଆ ନୁହେଁ କି କ୍ଷମତା ମଧୢ ନୂଆ ନ ଥିଲା। ସେ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ପୂର୍ବ ଜାମସେଦପୁର ନିର୍ବାଚନ ମଣ୍ତଳୀରୁ ଲଗାତର ନିର୍ବାଚିତ ହୋଇ ଆସୁଥିଲେ। ସେ ମଧୢ ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ତଳର ସଦସ୍ୟ ରହିଥିଲେ। କିନ୍ତୁ ସେ ୨୦୧୪ରେ ଯେତେବେଳେ ଖୋଦ୍ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବ˚ ଦଳର ଦୁଇ ନମ୍ବର ସ୍ଥାନରେ ଥିବା ଅମିତ ଶାହଙ୍କ ଦ୍ବାରା ସିଧାସଳଖ ବଛା ହୋଇ ଝାଡ଼ଖଣ୍ତରେ ମୁଖ୍ୟମନ୍ତ୍ରୀ ଆସନ ଲାଭ କଲେ, ସେତେବେଳେ ସେ ଯେଉଁ ଚରମ କ୍ଷମତାର ସ୍ବାଦ ଆସ୍ବାଦନ କଲେ ତାହାର ନିଶା ଅନ୍ୟ ସମସ୍ତ କିସମର କ୍ଷମତାର ପ୍ରଭାବ ଠାରୁ ସମ୍ପୂର୍ଣ୍ଣ ନିଆରା ଥିଲା।
ଏହା ତାଙ୍କ ଅନ୍ତରରେ କିଭଳି ପ୍ରଭାବ ସୃଷ୍ଟି କରିଥିଲା, ତାହା ତାଙ୍କୁ ହିଁ ଜଣାଥିବ, କିନ୍ତୁ ଝାଡ଼ଖଣ୍ତର ଜନସାଧାରଣଙ୍କ ସମ୍ମୁଖରେ ଏହା ରଘୁବର ଦାସଙ୍କର ଯେଉଁ ଭାବମୂର୍ତ୍ତି ଉପସ୍ଥାପନ କଲା, ତାହା ହେଲା ଏକ ଅତ୍ୟନ୍ତ ଅହଙ୍କାରୀ, କର୍କଶ, ରୁକ୍ଷ ଆଚରଣ ପ୍ରଦର୍ଶନକାରୀ ନେତାଙ୍କର। ଆଉ ଆଜିର ସୋସିଆଲ ମିଡିଆ ଯୁଗରେ ରଘୁବର ଦାସଙ୍କର ଏହି ଅହଙ୍କାରୀ ଭାବମୂର୍ତ୍ତି କେବଳ ଲୋକମାନଙ୍କର କଥୋପକଥନରେ ସୀମିତ ନ ରହି ରଘୁବରଙ୍କର ଦୁର୍ବ୍ୟବହାରର ଭିଡିଓମାନ ମତଦାତାମାନଙ୍କ ମଧୢରେ ଭାଇରାଲ୍ ହେବାରେ ମଧୢ ଲାଗିଲା। ସେ ଭିଡିଓ ମାନଙ୍କରେ ସେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀମାନଙ୍କ ଉପରେ ଚିତ୍କାର କରିବାର ଦୃଶ୍ୟ ସବୁର ଅନ୍ୟ ଯାହା ପ୍ରଭାବ ହୋଇଥାଉ କି ନଥାଉ, ତାଙ୍କର ଲୋକପ୍ରିୟତା ହ୍ରାସ କରିବାରେ ତାହା ବେଶ୍ ସଫଳ ହୋଇଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରଘୁବର ଦାସ ତାଙ୍କର ପ୍ରତିଦ୍ବନ୍ଦ୍ବୀ ହେମନ୍ତ ସୋରେନ୍ଙ୍କ ପରି କୌଣସି କ୍ଷମତାଶାଳୀ ରାଜନୈତିକ ପରିବାରର ସନ୍ତାନ ନୁହଁନ୍ତି; ସେ ଜଣେ ଶ୍ରମିକ ପରିବାର ସନ୍ତାନ। କିନ୍ତୁ ତାଙ୍କର ଏହି ସାଧାରଣ ପୃଷ୍ଠଭୂମି ସତ୍ତ୍ବେ, ସମାନ ପୃଷ୍ଠଭୂମିର ମତଦାତାମାନେ ତାଙ୍କୁ ଏଥର ପ୍ରତ୍ୟାଖାନ କରିବାର ମୁଖ୍ୟ କାରଣ ହେଲା ତାଙ୍କର ଅହଙ୍କାରୀ ଭାବମୂର୍ତ୍ତି। ଏହାର ନକରାତ୍ମକ ପ୍ରଭାବର ଶକ୍ତିର ପ୍ରମାଣ କେବଳ ଏତିକି ନୁହେଁ। ସାଧାରଣତଃ ବିଶ୍ବାସ କରାଯାଉଥାଏ ଦୁର୍ନୀତିଗ୍ରସ୍ତ ନେତାମାନେ ମତଦାତାମାନଙ୍କର ସମର୍ଥନ ହରାଇଥାନ୍ତି ଏବ˚ ଦୁର୍ନୀତିମୁକ୍ତ ନେତାମାନେ ମତଦାତାମାନଙ୍କର ପ୍ରିୟଭାଜନ ହୋଇଥାନ୍ତି। ତେଣୁ ଏହା ଏକ ବିଡ଼ମ୍ବନା ଭଳି ମନେ ହୁଅନ୍ତା ଯେ ଚିରନ୍ତନ ଦୁର୍ନୀତିଗ୍ରସ୍ତ ଝାଡ଼ଖଣ୍ତ ଭଳି ଏକ ରାଜ୍ୟରେ ରଘୁବର ଦାସଙ୍କର ପାଞ୍ଚ ବର୍ଷର ଶାସନରେ ତାଙ୍କ ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ନ ଥିବା ସତ୍ତ୍ବେ ସେ ଜନତା ଜନାର୍ଦ୍ଦନର ସମର୍ଥନ ହରାଇ ବସିଛନ୍ତି। କିନ୍ତୁ ତାଙ୍କର ଅହଙ୍କାରୀ ଭାବମୂର୍ତ୍ତି ତାହାକୁ ଏକ ବିଡ଼ମ୍ବନା ପରିବର୍ତ୍ତେ ଏକ ସ୍ବାଭାବିକ ପରିଣତିରେ ପରିଣତ କରି ଦେଇଛି। ରଘୁବର ଦାସ ଏପରି କ୍ଷମତାନ୍ଧ ସାଜିଥିଲେ ଯେ ଗୋଟିଏ ଭିଡିଓରେ ସେ ସମସ୍ତ କାଣ୍ତଜ୍ଞାନ ହରାଇ କହିବା ଦେଖାଯାଇଥିଲା: ‘‘ଝାଡ଼ଖଣ୍ତ ହେବାକୁ ଯାଉଛି ପ୍ରଥମ ଆଦିବାସୀମୁକ୍ତ ରାଜ୍ୟ।’’ ଏହା ସତ ଯେ ଝାଡ଼ଖଣ୍ତରେ ଆଦିବାସୀ ମତଦାତାମାନଙ୍କର ସ˚ଖ୍ୟା ହେଉଛି ମୋଟ ମତଦାତା ସ˚ଖ୍ୟାର ଏକ-ତୃତୀୟା˚ଶରୁ କମ୍; କିନ୍ତୁ ଭାବଗତ ଦୃଷ୍ଟିରୁ ଝାଡ଼ଖଣ୍ତକୁ ଏକ ଆଦିବାସୀ ରାଜ୍ୟ ରୂପେ ବିଚାର କରାଯାଇଥାଏ। ରଘୁବର ଦାସ ହେଉଛନ୍ତି ଜଣେ ଅଣ-ଆଦିବାସୀ ବ୍ୟକ୍ତି। ତାଙ୍କ ତୁଣ୍ତରୁ ଏପରି ଆଦିବାସୀ-ବିରୋଧୀ ବାକ୍ୟ ବାହାରିବା ଯେ ସମ୍ପୂର୍ଣ୍ଣ ଆତ୍ମଘାତୀ, ଏହା ଛୋଟ ପିଲାଟିଏ ମଧୢ ବୁଝିପାରିବ। ବିଶେଷ କରି ତାଙ୍କର ପ୍ରତିଦ୍ବନ୍ଦ୍ବୀ ହେମନ୍ତ ସୋରେନ୍ଙ୍କର ପିତା ସ୍ବର୍ଗତ ଶିବୁ ସୋରେନ୍ଙ୍କ ଭଳି ଆଦିବାସୀ ନେତାଙ୍କ ଦୀର୍ଘ ଆନ୍ଦୋଳନର ଫଳସ୍ବରୂପ ସୃଷ୍ଟି ହୋଇଥିବା ରାଜ୍ୟକୁ ଆଦିବାସୀମୁକ୍ତ କରିବାର ମାନସିକତା ଆଦିବାସୀ ମତଦାତାମାନଙ୍କୁ ରଘୁବର ଓ ତାଙ୍କ ଦଳ ପ୍ରତି ବିମୁଖ କରି ହେମନ୍ତ ଓ ତାଙ୍କ ସାଥୀମାନଙ୍କ ଦିଗରେ ମୁହାଁଇବାକୁ ପ୍ରବୃତ୍ତ କରିଛି। ଏହା ସାଙ୍ଗକୁ ଭୂମି ଅଧିଗ୍ରହଣ ଆଇନରେ କରାଯାଇଥିବା ସ˚ଶୋଧନ ଆଦିବାସୀମାନଙ୍କ ମନରେ ଏକ ଆଶଙ୍କା ସୃଷ୍ଟି କରିଥିଲା ଯେ ଏହା ଆଦିବାସୀମାନଙ୍କର ଅଧିକାର ଛଡ଼ାଇ ନେବା ପାଇଁ ଉଦ୍ଦିଷ୍ଟ।
ଏ ସବୁ କାରଣରୁ ସେ ରାଜ୍ୟରେ ଆଦିବାସୀମାନଙ୍କ ପାଇଁ ସ˚ରକ୍ଷିତ ଥିବା ୨୮ଟି ବିଧାନସଭା ଆସନ ମଧୢରୁ ଏଥର ୨୦ଟିରୁ ଅଧିକ ଆସନରେ ସୋରେନ୍ଙ୍କର ଝାଡ଼ଖଣ୍ତ ମୁକ୍ତିମୋର୍ଚ୍ଚା ବିଜୟ ଲାଭ କରିଛି। ମାତ୍ର ଛ’ମାସ ତଳେ ଯେଉଁ ମତଦାତାମାନେ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀ ନେତୃତ୍ବାଧୀନ ଭାଜପାକୁ ବିପୁଳ ସମର୍ଥନ ପ୍ରଦାନ କରି କେନ୍ଦ୍ରରେ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରିଥିଲେ ସେଇ ମତଦାତାମାନେ ବିଧାନସଭା ନିର୍ବାଚନରେ ଭାଜପାଠାରୁ ମୁହଁ ଫେରାଇ ନେଇ ଏକ ଚେତାବନୀ ଦେଇଛନ୍ତି ଯେ ରାଜ୍ୟ ନିର୍ବାଚନରେ ସ୍ଥାନୀୟ ପ୍ରସଙ୍ଗ ଓ ସମ୍ବେଦନଶୀଳତାକୁ ଉପେକ୍ଷା ପ୍ରଦର୍ଶନ କଲେ ମତଦାତାମାନେ କାହାକୁ କ୍ଷମା କରିବେ ନାହିଁ। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ବିଡ଼ମ୍ବନା ସ୍ବରୂପ ଝାଡ଼ଖଣ୍ତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୦୧୪ ତୁଳନାରେ ଏଥର ଦୁଇ ଶତା˚ଶରୁ ଅଧିକ ମତଦାତାମାନଙ୍କର ସମର୍ଥନ ଲାଭ କରି ସାମଗ୍ରିକ ଭାବରେ ସର୍ବାଧିକ ଭୋଟ୍ ଭାଗ ପାଇଥିଲେ ହେଁ, କ୍ଷମତା ଧରି ରଖି ପାରିନାହିଁ, କିମ୍ବା ବିଧାନସଭାରେ ଏକକ ସର୍ବବୃହତ୍ ଦଳରେ ମଧୢ ପରିଣତ ହୋଇପାରିନାହିଁ। ଏକ ସୁସ୍ଥ ଗଣତନ୍ତ୍ରରେ ପ୍ରକୃତ କ୍ଷମତା କାହା ହାତରେ ଥାଏ, ଝାଡ଼ଖଣ୍ତର ମତଦାତାମାନେ ରଘୁବର ଓ ତାଙ୍କର ଦଳର ଦର୍ପ ଚୂର୍ଣ୍ଣ କରି ତାହା ମନେ ପକାଇ ଦେଇଛନ୍ତି।