ନ୍ୟାୟ ରେଖା

ବିଷାଦ ବିଜ୍ଞାନ ରୂପେ ନିନ୍ଦିତ ଅର୍ଥଶାସ୍ତ୍ରର ସୁଦୀର୍ଘ ଇତିହାସରେ ବେଳେ ବେଳେ କିନ୍ତୁ ଏଭଳି ଜଣେ ଜଣେ ଅର୍ଥନୀତିଜ୍ଞଙ୍କର ଆବିର୍ଭାବ ଘଟିବା ଦେଖାଯାଇଛି, ଯେଉଁମାନଙ୍କର ରୋମାଞ୍ଚଭରା ଜୀବନ କାହାଣୀ ଏହାର ଠିକ୍‌ ବିପରୀତ ହୋଇଥାଏ। ଆଉ ଏହି ଶ୍ରେଣୀର ଅର୍ଥନୀତିଜ୍ଞମାନଙ୍କର ତାଲିକାରେ ସ୍ଥାନ ଦାବି କରୁଥିବା ଅନ୍ୟ ସମସ୍ତଙ୍କୁ ବହୁ ପଛରେ ପକାଇ ଯିଏ ନିର୍ବିବାଦରେ ପ୍ରଥମ ସ୍ଥାନ ଅଧିକାର କରିବେ, ସେ ଏପରି ଭିନ୍ନ ଭିନ୍ନ ବୃତ୍ତିଗତ ଅନୁଭୂତିର ଅଧିକାରୀ ଥିଲେ ଯେ କୁହାଯାଇପାରେ ସେ ଜଣେ ଅର୍ଥନୀତିଜ୍ଞ ମଧୢ ଥିଲେ। ମୂଳ ଶିକ୍ଷା ଓ ବୃତ୍ତି ଅନୁସାରେ ଜଣେ ବିଚକ୍ଷଣ ଇଞ୍ଜିନିଅର ହୋଇଥିବା ନିଉଜିଲାଣ୍ତ୍‌ର ଏହି ନାଗରିକ ଆଲ୍‌ବାନ୍‌ ଵିଲିଅମ୍‌ ଫିଲିପ୍‌ସ (ବିଲ୍‌ ଫିଲିପ୍‌ସ ରୂପେ ଅଧିକ ପରିଚିତ) ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତି ପରେ ଅର୍ଥଶାସ୍ତ୍ର ଦୁନିଆରେ ପ୍ରବେଶ କରିବା ପୂର୍ବରୁ ଯେଉଁ ସବୁ ଅନୁଭୂତି ସ˚ଗ୍ରହ କରିଥିଲେ, ସେଥିରେ ଅନ୍ତର୍ଭୁକ୍ତ ଥିଲା: ସୁନା ଖଣିରେ କାର୍ଯ୍ୟ, କୁମ୍ଭୀର ଶିକାର, ରାସ୍ତାକଡ଼ରେ ବେହେଲାବାଦନ କରି ଭିକ୍ଷା ସ˚ଗ୍ରହ, ଟ୍ରାନ୍‌ସ ସାଇବେରିଆନ୍‌ ରେଳଯାତ୍ରା, ବ୍ରିଟିସ୍‌ ବିମାନ ବାହିନୀରେ ଯୋଗଦାନ ଓ ଯୁଦ୍ଧରେ ସାହସିକତା ପ୍ରଦର୍ଶନ ପାଇଁ ‘ଏମ୍‌ବିଇ’ ପଦକ ଅର୍ଜନ ଏବ˚ ଯୁଦ୍ଧବନ୍ଦୀ ରୂପେ ଜାପାନୀ ବନ୍ଦୀ ଶିବିରରେ ତିନି ବର୍ଷରୁ ଅଧିକ କାଳ ଯାପନ।

ବିଲ୍‌ ଫିଲିପ୍‌ସଙ୍କର ଏହି ରୋମାଞ୍ଚକର ଜୀବନ କାହାଣୀ ଯେଉଁଭଳି ଅର୍ଥଶାସ୍ତ୍ର ପରିସରରେ ଲୋକକଥାରେ ପରିଣତ ହୋଇଛି, କୌଣସି ଦେଶର ସାମଗ୍ରିକ ଅର୍ଥନୀତିର ଆଚରଣରେ ଅନୁଶୀଳନ (ମାକ୍ରୋଇକନମିକ୍‌ସ)କୁ ତାଙ୍କର ଅଣପାରମ୍ପରିକ ଅବଦାନ ମଧୢ ସେଇଭଳି କି˚ବଦନ୍ତି ହୋଇ ରହିଛି। ସେଥି ମଧୢରୁ ବୋଧହୁଏ ଯାହା ସବୁଠାରୁ ଅଧିକ ପ୍ରସିଦ୍ଧ, ତାହା ହେଉଛି ତାଙ୍କର ନାମ ବହନ କରୁଥିବା ଏକ ବକ୍ରରେଖା: ‘ଫିଲିପ୍‌ସ କର୍ଭ‌୍‌’। ‘ଫିଲିପ୍‌ସ କର୍ଭ‌୍‌’ର ରୋଚକ ଜନ୍ମ ବୃତ୍ତାନ୍ତ ବର୍ଣ୍ଣନା କରିବା ଏଠାରେ ସମ୍ଭବ ନୁହେଁ, କିନ୍ତୁ ଏତିକି କହିଲେ ଯଥେଷ୍ଟ ହେବ ଯେ ଖୋଦ୍‌ ବିଲ୍‌ ଫିଲିପ୍‌ସ ନିଜର ଏହି ଆବିଷ୍କାରକୁ ଗୁରୁତ୍ବହୀନ ମନେ କରିଥିଲେ ହେଁ ପଲ୍‌ ସାମୁଏଲ୍‌ସନ୍‌ଙ୍କ ଭଳି ମହାନ୍‌ ଅର୍ଥନୀତିଜ୍ଞମାନେ ଏହାକୁ ଅର୍ଥନୈତିକ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ଅମୂଲ୍ୟ ଉପହାର ରୂପେ ସ୍ବାଗତ କରିଥିଲେ।

‘ଫିଲିପ୍‌ସ କର୍ଭ‌୍‌’ ସରଳ ଭାବରେ କହିଲେ ମୁଦ୍ରାସ୍ଫୀତି (ଦରଦାମ ବୃଦ୍ଧି) ଓ ବେକାରି ମଧୢରେ ଏକ ପରସ୍ପର ବିପରୀତମୁଖୀ ସମ୍ପର୍କ ସ୍ଥାପନ କରିଥାଏ। ଅର୍ଥନୀତିର ଅଭିବୃଦ୍ଧି ଦ୍ରୁତତର ହୋଇ ଅଧିକ ନିଯୁକ୍ତି ସୃଷ୍ଟି ହେବା ଦ୍ବାରା ବେକାରି ହ୍ରାସ ପାଇବାକୁ ଲାଗିବା ସଙ୍ଗେ ସଙ୍ଗେ ମୁଦ୍ରାସ୍ଫୀତି ଦେଖାଦେଇ ଦରଦାମରେ ବୃଦ୍ଧି ଘଟିବାକୁ ଲାଗେ। ଅପରପକ୍ଷେ ଅର୍ଥନୀତିର ଅଭିବୃଦ୍ଧି ଧିମେଇ ଯିବାରୁ ନିଯୁକ୍ତିରେ ସ˚କୋଚନ ଘଟି ବେକାରି ବୃଦ୍ଧି ପାଇବାକୁ ଲାଗିଲେ ମୁଦ୍ରାସ୍ଫୀତି ହ୍ରାସ ପାଇ ଦରଦାମ ନୀଚା ହେବାକୁ ଆରମ୍ଭ କରେ। ‘ଫିଲିପ୍‌ସ କର୍ଭ‌୍‌’ର ପ୍ରତିଟି ବିନ୍ଦୁ ଏକ ନିର୍ଦ୍ଦିଷ୍ଟ ବେକାରି ସ୍ତରକୁ ଏକ ନିର୍ଦ୍ଦିଷ୍ଟ ମୁଦ୍ରାସ୍ଫୀତି ସ୍ତର ସହିତ ସ˚ଯୁକ୍ତ କରିଥାଏ। ନୀତି ନିର୍ଦ୍ଧାରକମାନେ ସମ୍ପୃକ୍ତ ଅର୍ଥନୀତିର ଆବଶ୍ୟକତା ଅନୁସାରେ ଫିଲିପ୍‌ସ କର୍ଭ‌୍‌ର ଏକ ଉପଯୁକ୍ତ ବିନ୍ଦୁକୁ ଚୟନ କରି ସେଠାରେ ପହଞ୍ଚିବା ପାଇଁ ଆବଶ୍ୟକ ପଦକ୍ଷେପମାନ ନେବେ (ଯେମିତି ସୁଧ ହାର, ମୁଦ୍ରା ଯୋଗାଣ, ସରକାରୀ ଖର୍ଚ୍ଚ, ଟିକସ ନୀତି ଆଦିରେ ପରିବର୍ତ୍ତନ ଇତ୍ୟାଦି)। ସେମାନେ ଯଦି ବେକାରି ହ୍ରାସ କରିବାକୁ ଚାହାଁନ୍ତି ସେମାନଙ୍କୁ ଅଧିକ ମୁଦ୍ରାସ୍ଫୀତି ସମ୍ଭାଳିବାକୁ ପଡ଼ିବ; ସେମାନେ ଯଦି ମୁଦ୍ରାସ୍ଫୀତି ହ୍ରାସ କରିବାକୁ ଚାହାଁନ୍ତି, ସେମାନଙ୍କୁ ଅଧିକ ବେକାରି ଆଦରିବାକୁ ପଡ଼ିବ।

ବିଲ୍‌ ଫିଲିପ୍‌ସ ଦରଦାମ ବୃଦ୍ଧି ଓ ବେକାରି ମଧୢରେ ଆବିଷ୍କାର କରିଥିବା ଏହି ବିପରୀତ ସମ୍ପର୍କ ଏକ ପ୍ରକାର ପ୍ରାକୃତିକ ନ୍ୟାୟ ଉପରେ ପ୍ରତିଷ୍ଠିତ ହୋଇଥିବା ଭଳି ମନେ ହୋଇଥାଏ। ବେକାରି ଦୂର ହୋଇ ନିଯୁକ୍ତି ଓ ଆୟରେ ବୃଦ୍ଧି ଘଟୁଥିବା ସମୟରେ ଦରଦାମ ବୃଦ୍ଧି ଲୋକଙ୍କୁ ବାଧିବ ନାହିଁ; ଅପରପକ୍ଷେ ବେକାରି ବୃଦ୍ଧି ପାଇ ନିଯୁକ୍ତି ଓ ଆୟରେ ହ୍ରାସ ପାଇବା ସମୟରେ ଦରଦାମରେ ହ୍ରାସ ଘଟିଲେ ତାହା ଲୋକଙ୍କ କଷ୍ଟ ଲାଘବ କରିବ। ତେଣୁ କୁହାଯାଇପାରେ ‘ଫିଲିପ୍‌ସ କର୍ଭ‌୍‌’ ହେଉଛି ଏକ ନ୍ୟାୟବନ୍ତ କର୍ଭ‌୍‌। ‘ଫିଲିପ୍‌ସ କର୍ଭ‌୍‌’ ଏହିପରି ଅତୁଟ ଥିବା ପର୍ଯ୍ୟନ୍ତ ସରକାର ଓ ନୀତି ନିର୍ଦ୍ଧାରକମାନେ ଦୁଶ୍ଚିନ୍ତାମୁକ୍ତ ଥା’ନ୍ତି ବୋଲି କୁହାଯାଇପାରେ।

କିନ୍ତୁ ଦୁର୍ଭାଗ୍ୟକୁ ଅର୍ଥଶାସ୍ତ୍ର ବିଲ୍‌ ଫିଲିପ୍‌ସଙ୍କ ମୂଳ ବିଦ୍ୟା ଇ˚ଜିନିଅରି˚ ପରି ଏକ କଠିନ ବିଜ୍ଞାନ ନୁହେଁ। ତେଣୁ ବେଳେବେଳେ ଦେଖାଯାଇଛି ଯେ ଅର୍ଥନୀତି ମାନ୍ଦା ହୋଇ ବେକାରି ଉଚ୍ଚା ଥିବା ବେଳେ ମୁଦ୍ରାସ୍ଫୀତି ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇ ଚାଲିଛି, ଯାହାର ନାମ ଦିଆଯାଇଛି- ‘ଷ୍ଟାଗ୍‌ଫ୍ଲେସନ୍‌’। ଏହା ବେଡ଼ି ଉପରେ କୋରଡ଼ାମାଡ଼ ଭଳି ଘୋର ଅନ୍ୟାୟ-‘ଫିଲିପ୍‌ସ କର୍ଭ‌୍‌’ର ବିପରୀତ। ନିଯୁକ୍ତି ଅଭାବରୁ ଏଣେ ଲୋକଙ୍କ ପକେଟ୍‌ ଖାଲି, ତେଣେ ବଜାରରେ ଦରଦାମ୍‌ ଚଢ଼ା। ଭାରତରେ ବର୍ତ୍ତମାନ ‘ଫିଲିପ୍‌ସ କର୍ଭ‌୍‌’ ଅପ୍ରାସଙ୍ଗିକ ହୋଇପଡ଼ିଲାଣି ଏବ˚ ଦ୍ବୈତ ଯନ୍ତ୍ରଣାଦାୟକ ‘ଷ୍ଟାଗ୍‌ଫ୍ଲେସନ୍‌’ ମୁଣ୍ତ ଟେକିବାକୁ ଆରମ୍ଭ କଲାଣି ବୋଲି ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଡକ୍ଟର‌ ମନମୋହନ ସି˚ହଙ୍କ ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଅମିତ ମିତ୍ରଙ୍କ ପର୍ଯ୍ୟନ୍ତ ସତର୍କବାଣୀ ଶୁଣାଇବାକୁ ଲାଗିଲେଣି।

ସେମାନେ ଏଭଳି ଚିନ୍ତା ପ୍ରକଟ କରିବାର ଅନ୍ୟତମ କାରଣ ହେଲା ପର ପର ଆର୍ଥିକ ବର୍ଷ ମାନଙ୍କର ବିଗତ ଛ’ଚଉଠ ଧରି ଲଗାତାର ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାରରେ ସ୍ଖଳନ ଘଟି ଚାଲିଛି, ଯାହା ସର୍ବଶେଷ ପ୍ରକାଶିତ ଜୁଲାଇ-ସେପ୍‌ଟେମ୍ବର ଚଉଠରେ ପହଞ୍ଚି ଯାଇଥିଲା ମାତ୍ର ୪.୫ ଶତା˚ଶରେ। ୨୦୧୯-୨୦ ସମ୍ପୂର୍ଣ୍ଣ ବିତ୍ତ ବର୍ଷ ପାଇଁ ଅଭିବୃଦ୍ଧି ହାର ଏକ ନୀଚା ୫ ଶତା˚ଶ ମାତ୍ର (ବିଗତ ଛ’ବର୍ଷ ମଧୢରେ ସର୍ବନିମ୍ନ) ହେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା, ତାହା ମଧୢ ହାସଲ ହେବାର ସମ୍ଭାବନା ନାହିଁ ବୋଲି ଶୁକ୍ରବାର ଦିନ ‘ଫିଚ୍‌’ ରେଟିଙ୍ଗ୍‌ ସ˚ସ୍ଥା ପ୍ରକାଶ କରିଥିବା ପୂର୍ବାନୁମାନରୁ ଜଣାପଡୁଛି। ‘ଫିଚ୍‌’ ଏହାକୁ ୪.୬ ଶତା˚ଶକୁ ଖସାଇ ଦେଇଛି। ଏପରି ନୀଚା ଅଭିବୃଦ୍ଧି ହାର ଯୋଗୁଁ ଦେଶରେ ବେକାରି ବୃଦ୍ଧି ପାଇପାରେ। ‘ଫିଲିପ୍‌ସ କର୍ଭ‌୍‌’ ଅନୁସାରେ ତେଣୁ ଏହି ସମୟରେ ମୁଦ୍ରାସ୍ଫୀତି ନୀଚା ହେବା କଥା। କିନ୍ତୁ ତାହା ନଘଟି ଅକ୍ଟୋବର ଏବ˚ ନଭେମ୍ବରରେ ଖାଉଟି ମୁଦ୍ରାସ୍ଫୀତି ଊର୍ଦ୍ଧ୍ବମୁଖୀ ହେବା ଦେଖାଯାଇଛି। ନଭେମ୍ବରର ୫.୫୪ ଶତା˚ଶ ଖାଉଟି ଦରବୃଦ୍ଧି ହାର ହେଉଛି ବିଗତ ତିନି ବର୍ଷ ମଧୢରେ ସର୍ବୋଚ୍ଚ। ବିତ୍ତ ବର୍ଷର ବାକି ସମୟରେ ଏହା ରିଜର୍ଭ ବ୍ୟାଙ୍କ୍‌ ଅନୁମୋଦିତ ୪ ଶତା˚ଶ ଉପରେ ରହିବା ଆଶଙ୍କା କରାଯାଉଛି। ତେଣୁ ଭୟ ହେଉଛି, ଏଠାରେ ଫିଲିପ୍‌ସ ଫେଲ୍‌ ମାରି ଷ୍ଟାଗ୍‌ଫ୍ଲେସନ୍‌ ଅର୍ଥନୀତିକୁ ଆକ୍ରାନ୍ତ କରିବା ଆରମ୍ଭ ହେଲାଣି କି ଆଉ?

ତେବେ ଏହା ସତ୍ତ୍ବେ ଏପରି କେତେକ କାରଣ ରହିଛି, ଯାହା ଷ୍ଟାଗ୍‌ଫ୍ଲେସନ୍‌କୁ ଏକ ଅବାସ୍ତବ ସମ୍ଭାବନା ବୋଲି ଧାରଣା ସୃଷ୍ଟି କରିଥାଏ। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ମନ୍ଥର ହୋଇଛି ସତ କିନ୍ତୁ ସ୍ଥାଣୁ ହୋଇଯାଇନାହିଁ। ପାଞ୍ଚ ଶତା˚ଶ ଅଭିବୃଦ୍ଧି ହାର ପୃଥିବୀର ଅଧିକା˚ଶ ଦେଶ ତୁଳନାରେ ତଥାପି ଅଧିକ ଏବ˚ ନିକଟ ଭବିଷ୍ୟତରେ ଏଥିରେ ଉନ୍ନତି ଘଟିବାର ସମସ୍ତ ସମ୍ଭାବନା ରହିଛି। ଦ୍ବିତୀୟରେ ସାମୟିକ କାରଣରୁ କୃଷିଜାତ ଖାଦ୍ୟ ଦ୍ରବ୍ୟ ଦରବୃଦ୍ଧିକୁ ବାଦ୍‌ ଦେଲେ ମୁଦ୍ରାସ୍ଫୀତି ହାର ନିୟନ୍ତ୍ରଣ ମଧୢରେ ଅଛି ଏବ˚ ଅନତି ବିଳମ୍ବେ ପରିସ୍ଥିତିରେ ସୁଧାର ଆସିପାରେ। ଶେଷରେ, ସରକାର ପ୍ରଥମ ପାଳିରେ ନେଇଥିବା ଅର୍ଥନୈତିକ ସ˚ସ୍କାରମୂଳକ ପଦକ୍ଷେପମାନଙ୍କରୁ ଫଳ ମିଳିବା ଆରମ୍ଭ ହେଲେ ପ୍ରଗତି, ନିଯୁକ୍ତି, ମୁଦ୍ରାସ୍ଫୀତି- ସବୁଥିରେ ଅଗ୍ରଗତି ଦେଖାଦେବା ଅବଶ୍ୟମ୍ଭାବୀ। ଅର୍ଥାତ୍‌ ଏଠାରେ ଫିଲିପ୍‌ସ ଫେଲ୍‌ ମାରିନାହାନ୍ତି, ତାଙ୍କର କର୍ଭ‌୍‌ ଜୀବନ୍ତ ରହି ସାହସର ସହିତ ଷ୍ଟାଗ୍‌ଫ୍ଲେସନ୍‌କୁ ଅଟକାଇ ରଖିଛି ବୋଲି କୁହାଯାଇପାରେ- ଠିକ୍‌ ନିଜେ ବିଲ୍‌ ଫିଲିପ୍‌ସ ଯେମିତି ଶତ୍ରୁ ଆକ୍ରମଣକୁ ପ୍ରତିହତ କରି ସାହସିକତା ପଦକ ଲାଭ କରିଥିଲେ।

ସମ୍ବନ୍ଧିତ ଖବର