ଆଜିକୁ ଆଠ ବର୍ଷ ତଳେ ଯେତେବେଳେ ‘ଦ ଵର୍ଲ୍ଡ ପାଙ୍ଗୋଲିନ୍ ଡେ’ ବା ‘ବିଶ୍ବ ବଜ୍ରକାପ୍ତା ଦିବସ’ର ଅୟମାରମ୍ଭ କରାଗଲା, ତାର ଠିକ୍ ପୂର୍ବରୁ ଏକ ଆଶଙ୍କା ପ୍ରକାଶ ପାଇଥିଲା ଯେ ଏମିତି ନ ହେଉ ଯେ ପରବର୍ତ୍ତୀ ପିଢ଼ି ବଜ୍ରକାପ୍ତା ଭଳି ଜୀବଟିଏ ପୃଥିବୀ ପୃଷ୍ଠରେ ଅଛି ବୋଲି ଜାଣିବା ପୂର୍ବରୁ ତାହା ଲୋପ ପାଇଯାଇଥିବ। ୮୦ ନିୟୁତ ବର୍ଷ ଧରି ପୃଥିବୀ ପୃଷ୍ଠରେ ଚଲାବୁଲା କରି ଆସୁଥିବା ଏହି ପତଙ୍ଗଭୋଜୀ ଲାଜୁଆ ପ୍ରାଣୀଟିର ଭୀଷଣ ଅସ୍ତିତ୍ବ ସ˚କଟ ପରିପ୍ରେକ୍ଷୀରେ ସଚେତନତା ସୃଷ୍ଟି ଲାଗି ଏହା ଥିଲା ଏକ ବିଶ୍ବସ୍ତରୀୟ ଉଦ୍ୟମର ପ୍ରାରମ୍ଭ। ତା’ପରେ ୨୦୧୬ ମସିହାରେ ପୃଥିବୀର ୧୮୦ଟି ଦେଶର ସରକାର ବଜ୍ରକାପ୍ତା ସୁରକ୍ଷା ଲାଗି ଏକ ଚୁକ୍ତିରେ ମଧୢ ସ୍ବାକ୍ଷର କରିଛନ୍ତି। କିନ୍ତୁ ବିଡ଼ମ୍ବନା, ଏହା ସତ୍ତ୍ବେ ଆଜି ବଜ୍ରକାପ୍ତା ହେଉଛି ବିଶ୍ବର ଅନ୍ୟତମ ସର୍ବାଧିକ ବିପନ୍ନ (‘କ୍ରିଟିକାଲି ଏନ୍ହାନ୍ଜର୍ଡ’ ବା ସା˚ଘାତିକ ଭାବେ ବିପଦାପନ୍ନ) ପ୍ରାଣୀ ପ୍ରଜାତି ଏବ˚ ସର୍ବାଧିକ ଚୋରା ଚାଲାଣର ଶିକାର ହେଉଥିବା ସ୍ତନ୍ୟପାୟୀ। ଆଜି ଏ ପ୍ରସଙ୍ଗ ଏଠାରେ ଉଠିବାର କାରଣ ହେଉଛି ପ୍ରାୟ ବିଲୁପ୍ତିର ଦ୍ବାର ଦେଶରେ ଥିବା ଏହି ବିରଳ ପ୍ରାଣୀର ଚୋରା ଚାଲାଣର ଏକ କେନ୍ଦ୍ର ପାଲଟିଛି ଆମ ରାଜ୍ୟ ଓଡ଼ିଶା। ଗଲା ନଭେମ୍ବର ମାସରେ ମେଦନାପୁରଠାରେ ଓ ପରେ ଆଠଗଡ଼ରେ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ଧରାଯିବା ପରେ ଦେଶ ବାହାରକୁ ଲମ୍ବି ଥିବା ଚୋରା ଚାଲାଣର ଶିକୁଳି ବନ୍ୟ ପ୍ରାଣୀପ୍ରେମୀଙ୍କୁ ଗଭୀର ଭାବେ ଉଦ୍ବିଗ୍ନ କରିଛି।
୨୦୧୮ରେ ‘ଟ୍ରାଫିକ୍’ ନାମକ ଏକ ଅନ୍ତର୍ଜାତୀୟ ବନ୍ୟ ପ୍ରାଣୀ ମନିଟରି˚ ସ˚ସ୍ଥା ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୦୯ରୁ ୨୦୧୭ ଭିତରେ ଭାରତରେ ୬୦୦୦ଟି ବଜ୍ରକାପ୍ତାଙ୍କୁ ମାରି ଦିଆଯାଇଛି। ଯେହେତୁ ଧରା ପଡୁଥିବା ଘଟଣା ଆଧାରରେ ଏ ତଥ୍ୟ ପ୍ରସ୍ତୁତ ଏବ˚ ଏଭଳି ଘଟଣାରେ ମାତ୍ର ୧୦% ଧରା ପଡ଼ିଥାଏ ବୋଲି ଆକଳନ କରାଯାଇଥାଏ; ସେହି ଅନୁସାରେ ବଜ୍ରକାପ୍ତା ଶିକାରର ସ୍ଥିତି କିଭଳି ଭୟାନକ ତାହା ସହଜେ ବୋଧଗମ୍ୟ। ଯଦି ବିଶ୍ବ ପେକ୍ଷାପଟକୁ ଯିବା ତେବେ ମାତ୍ର ଗୋଟିଏ ଉଦାହରଣ ଯଥେଷ୍ଟ। ଗଲା ଜୁଲାଇ ମାସରେ କେବଳ ସିଙ୍ଗାପୁର ବନ୍ଦରରେ ଗୋଟିଏ ସପ୍ତାହ ଭିତରେ ୧୪ ଟନ୍ ବଜ୍ରକାପ୍ତା କାତି ଜବତ କରାଯାଇଥିଲା। ପ୍ରକାଶଥାଉ କି ଗୋଟିଏ ବଜ୍ରକାପ୍ତାରୁ ମିଳିଥାଏ ପ୍ରାୟ ଏକ କିଲୋଗ୍ରାମ ଓଜନର କାତି। ତେବେ, ଭାରତ ସମେତ ଏସିଆର ଅନ୍ୟାନ୍ୟ ରାଷ୍ଟ୍ରରେ ବଜ୍ରକାପ୍ତାଙ୍କ ସ˚ଖ୍ୟାରେ ଦ୍ରୁତ ଅବନତି କାରଣରୁ ଏବେ ବଜ୍ରକାପ୍ତା ଶିକାରୀଙ୍କ ଦୃଷ୍ଟି ନିବଦ୍ଧ ହୋଇଛି ଆଫ୍ରିକା ଉପରେ।
ଭାରତରୁ ଚାଲାଣ କରାଯାଉଥିବା ବଜ୍ରକାପ୍ତା ପ୍ରମୁଖ ଭାବେ ମିଆଁମାର ଦେଇ ଚୀନ ଓ ଭିଏତନାମ ଭଳି ଦେଶକୁ ଯାଇଥାଏ। ବଜ୍ରକାପ୍ତାର ମା˚ସ ଚୀନ ଓ ଭିଏତନାମର ହୋଟେଲମାନଙ୍କରେ ଅତି ଧନିକଙ୍କ ଖାଦ୍ୟ ଥାଳିରେ ସ୍ଥାନ ପାଉଥିବା ବେଳେ ଏହି ଦନ୍ତହୀନ ପ୍ରାଣୀକୁ ବିଲୁପ୍ତିର ଗର୍ତ୍ତ ଭିତରକୁ ଠେଲି ଦେଇଥିବା ଏହାର କାତି ଚୀନର ପାର˚ପରିକ ଔଷଧର ଏକ ମୁଖ୍ୟ ଉପାଦାନ। ମାଆର ବକ୍ଷରେ ସ୍ତନ୍ୟ ସୃଷ୍ଟି ଠାରୁ ଆରମ୍ଭ କରି ଅପସ୍ମାର, ଗଣ୍ଠି ବାତ ଏପରିକି ‘ଦୈବୀ ପ୍ରକୋପ’ରୁ ମୁକ୍ତି ପାଇବା ପର୍ଯ୍ୟନ୍ତରେ ବିଭିନ୍ନ ରୂପରେ ଏହି କାତିକୁ ବ୍ୟବହାର କରାଯାଇଥାଏ। ତେବେ ବଜ୍ରକାପ୍ତାର କାତିରେ ଥିବା କେରାଟିନ୍ ନାମକ ରାସାୟନିକ ପଦାର୍ଥ ଔଷଧ ତିଆରିରେ କେତେ କାମରେ ଲାଗିଥାଏ, ସେ ନେଇ ସ˚ଶୟ ରହିଛି। ସ˚ପ୍ରତି ଚୀନ ତାର ପାର˚ପରିକ ଔଷଧ ବଜାରକୁ ବିଶ୍ବ ବ୍ୟାପୀ କରିବାର ଉଦ୍ୟମରେ ରହିଥିବାରୁ ବଜ୍ରକାପ୍ତାର ଅସ୍ତିତ୍ବ ଆହୁରି ସ˚କଟଗ୍ରସ୍ତ। ତେବେ, ଏ ପରିେପ୍ରକ୍ଷୀରେ ଯାହା କିଞ୍ଚିତ ସାନ୍ତ୍ବନା ଦେଇଥାଏ, ତାହା ହେଲା ଚୀନରେ ମଧୢ ବଜ୍ରକାପ୍ତାକୁ ସୁରକ୍ଷା ଦେବାର ପ୍ରକରଣ ଆରମ୍ଭ କରାଯାଇଛି। ବଜ୍ରକାପ୍ତାର ଶରୀରାବଶେଷରୁ ପ୍ରସ୍ତୁତ ଔଷଧ ଲାଗି ଚୀନ୍ ଚିକିତ୍ସା ବୀମା କ˚ପାନିଗୁଡ଼ିକ ଅର୍ଥ ଦେବା ବନ୍ଦ କରିଦେଇଛନ୍ତି। ତା ସହିତ ଚୀନ୍ରେ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ର ମଧୢ ଖୋଲିଲାଣି, ଯାହା ଚୋରା ଚାଲାଣକୁ ନିରୁତ୍ସାହିତ କରିପାରେ।
ଆମ ରାଜ୍ୟର ଜଙ୍ଗଲଗୁଡ଼ିକ ଦ୍ରୁତ ଗତିରେ ବଜ୍ରକାପ୍ତାଶୂନ୍ୟ ହୋଇ ପଡୁଥିବା ପଛରେ ଥିବା ଏକ ବଡ଼ କାରଣ ହେଲା ଓଡ଼ିଶାରୁ ଲମ୍ବି ଥିବା ଏହାର ଚାଲାଣ ପଥଗୁଡ଼ିକ ଭିତରୁ ଅଧିକା˚ଶ ଏବେ ସୁଦ୍ଧା ଅନାବିଷ୍କୃତ ହୋଇ ରହିଛି। ତେବେ ଯେତିକି ଜଣାପଡ଼ିଛି ତା ମଧୢରୁ ଗୋଟିଏ ଲମ୍ବିଛି ତାମିଲନାଡୁରୁ ଓଡ଼ିଶା ଦେଇ ମିଆଁମାର ସୀମାନ୍ତବର୍ତ୍ତୀ ମଣିପୁରର ‘ମୋରେ’ ପର୍ଯ୍ୟନ୍ତ। ମଣିପୁରର ‘ତମୁ’ ଅଞ୍ଚଳରେ ବସବାସ କରୁଥିବା ଅନେକ ତାମିଲ ହେଉଛନ୍ତି ଏହାର ମୁଖ୍ୟ ସୂତ୍ରଧର। ଓଡ଼ିଶାର ବ୍ରହ୍ମପୁରରେ ବସବାସ କରୁଥିବା ମିଆଁମାର ଶରଣାର୍ଥୀ ଏବ˚ ସେମାନଙ୍କର ସ˚ପର୍କୀୟମାନଙ୍କ ଜରିଆରେ ଏମାନେ ତାମିଲନାଡୁରୁ ଓଡ଼ିଶା ଏବ˚ ପଶ୍ଚିମବଙ୍ଗ ଦେଇ ବଜ୍ରକାପ୍ତା ଚୋରା ଚାଲାଣର ଏକ ସଫଳ ଶିକୁଳି ତିଆରି କରିବାରେ ସଫଳ ହୋଇଛନ୍ତି। ଏକଦା ଚେନ୍ନାଇ ଥିଲା ବଜ୍ରକାପ୍ତା କାତି ସ˚ଗ୍ରହର ଏକ ପ୍ରମୁଖ କେନ୍ଦ୍ର। ଏବେ ତାର ସ୍ଥାନ ନେଇଛି ବ୍ରହ୍ମପୁର। ଏକ ରିପୋର୍ଟ କହିଥାଏ ଯେ ମହାରାଷ୍ଟ୍ର ଏବ˚ ମଧୢପ୍ରଦେଶରେ ସ˚ଗୃହୀତ କାତି ବ୍ରହ୍ମପୁରରେ ଜମା ହୁଏ। ପୁଣି, ଏବେ ଜୀବନ୍ତ ବଜ୍ରକାପ୍ତା ଚୋରା ଚାଲାଣର ଏକ ଧାରା ବିଶେଷ ଭାବେ ଦେଖିବାକୁ ମିଳୁଛି। ଏହା ପଛରେ ରହିଥିବା କାରଣଟି ହେଲା, ଅନେକ ଦେଶରେ ବଜ୍ରକାପ୍ତାକୁ ଶୁଭ ଫଳଦାୟକ ଭାବେ ବିଚାର କରାଯାଉଥିବାରୁ ସେ ସବୁ ଦେଶରେ ଜୀବନ୍ତ ବଜ୍ରକାପ୍ତାର ମୂଲ୍ୟ ଅବିଶ୍ବସନୀୟ ଭାବେ ୪୦,୦୦୦ ଆମେରିକୀୟ ଡଲାର ଯାଏ ପହଞ୍ଚି ଯାଉଥିବା ଦେକାଯାଉଛି। ଚୋରା ଚାଲାଣକାରୀଙ୍କୁ ଏହା ପ୍ରଲୁବ୍ଧ କରିବା ସ୍ବାଭାବିକ।
ଭାରତରେ ବଜ୍ରକାପ୍ତା ହେଉଛି ୧ ନମ୍ବର ସିଡ୍ୟୁଲଭୁକ୍ତ ବନ୍ୟ ପ୍ରାଣୀ। ଭାରତୀୟ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁସାରେ ଜୀବନ୍ତ ବଜ୍ରକାପ୍ତା ବା ତାର ଶରୀରାବଶେଷ ରଖିବା ମଧୢ ଏକ ଦଣ୍ତନୀୟ ଅପରାଧ। କିନ୍ତୁ ସାଧାରଣ ଲୋକଙ୍କ ମଧୢରେ ସଚେତନତାର ଅଭାବ ଏବ˚ ବନ ବିଭାଗ କର୍ମଚାରୀଙ୍କ ଅପାରଗତା କାରଣରୁ ବନ୍ୟ ଜନ୍ତୁ ଶିକାରୀ ଓ ଚୋରା ଚାଲାଣକାରୀମାନେ ଅଧିକା˚ଶ ସମୟରେ ଦୁଇ କଦମ ଆଗରେ ରହୁଥିବା ଦେଖାଯାଉଛି। ପୁଣି ଏହି ଅଭିଯୁକ୍ତମାନେ ଥରେ ଗିରଫ ହେବା ପରେ ଖୁବ୍ ଶୀଘ୍ର ଜନ ମାନସରୁ ବିସ୍ମୃତ ହୋଇଯାଉଥିବାରୁ ସେମାନେ ବିଭିନ୍ନ କୌଶଳ କରି ଅବିଳମ୍ବେ ଜେଲରୁ ବାହାରି ସେମାନଙ୍କ କାରବାର ଜାରି ରଖୁଥିବାର ଦେଖାଯାଇଥାଏ। ବନ୍ୟ ପ୍ରାଣୀ ସୁରକ୍ଷା ବାବଦରେ ଜନସଚେତନତା ଓ ଉଦ୍ବେଗର ଅଭାବ ଏହାର ଏକ ବଡ଼ କାରଣ।
ବଜ୍ରକାପ୍ତାର ଉତ୍ପତ୍ତି ସ˚ପର୍କରେ ଏକ ବିମର୍ଷକର ଲୋକକଥା ରହିଛି। ଜଣେ ମହିଳା ଅସମ୍ଭବ ଭାବେ ଜରାଗ୍ରସ୍ତ ହୋଇ ନିଜ ଭିତରେ ସ˚ପୂର୍ଣ୍ଣ ସ˚କୁଚିତ ହୋଇଯାଇ ଏକ ମାନବ ପିଣ୍ତୁଳାରେ ପରିଣତ ହେବା ପରେ ଯେତେବେଳେ ଏହି ଅକଥନୀୟ ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ଭିକ୍ଷା କରିଛନ୍ତି, ସେତିକି ବେଳେ ଦୟା ପରବଶ ତାଙ୍କର ଜଣେ ନାତି ତାଙ୍କୁ ନେଇ ଏକ ଗୁମ୍ଫା ଭିତରେ ଶୀଘ୍ର ମରିବା ଲାଗି ଛାଡ଼ି ଦେଇ ଆସିଛନ୍ତି। ବୃଦ୍ଧାଙ୍କ ପାଇଁ ଏହା ହୋଇଛି ନିଜ ମହାଯାତ୍ରା ଲାଗି ଏକ ପ୍ରସ୍ତୁତି ପର୍ବ। ଅନେକ ଦିନ ପରେ ବୁଢ଼ୀର କ’ଣ ହେଲା ବୋଲି ଜାଣିବା ଲାଗି ଉତ୍କଣ୍ଠିତ ନାତି ଯେତେବେଳେ ଗୁମ୍ଫାକୁ ଯାଇଛି, ସେ ଆବିଷ୍କାର କରିଛି ଯେ ବୃଦ୍ଧା ଜେଜେମା ପ୍ରକୃତରେ ପରିଣତ ହୋଇଯାଇଛନ୍ତି ଏକ ନିଃସଙ୍ଗ ବଜ୍ରକାପ୍ତାରେ। ଏହି ଲୋକକଥା କହିଥାଏ ଯେ ସେହିଦିନଠାରୁ ଏହି ପ୍ରାଣୀ କୁଆଡେ଼ ନିଃସଙ୍ଗରେ ଓ ଅତି ସନ୍ତର୍ପଣରେ ବିଚରଣ କରି ଆସୁଛି। ଏବ˚ ତା ସହିତ ଏହା ବି ଯୋଡ଼ା ଯାଇପାରେ ଯେ ଆଜି ବି ତା ନିଜ ଆବାସରୁ ତାର ସ୍ଥାନାନ୍ତରଣର ଯାତ୍ରା ତା ଲାଗି ମହାଯାତ୍ରାରେ ପରିଣତ ହେବାରେ ଲାଗିଛି।