’୭୪ର ପ୍ରତିଧ୍ୱନି

ପ୍ରଖ୍ୟାତ ଗୀତିକାର ଏବ˚ ଚଳଚ୍ଚିତ୍ର ନିଦ୍ଦେର୍ଶକ ଗୁଲଜାରଙ୍କ ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ୧୯୭୧ରେ, ଯାହାର ନାମ ଥିଲା ‘ମେରେ ଅପନେ’। ତହିଁରେ ପ୍ରମୁଖ ଭୂମିକାରେ ଯେଉଁ ଚାରି ଜଣ ଶିକ୍ଷିତ, ଉତ୍ସାହୀ ଓ ଉଚ୍ଚାଭିଳାଷୀ ଅଥଚ ବେକାର ଯୁବକଙ୍କୁ ଦେଖିବାକୁ ମିଳିଥିଲା, ସେମାନଙ୍କ ଦ୍ବାରା ବୋଲାଯାଇଥିବା ସେମାନଙ୍କ ମନୋଭାବ ବହନକାରୀ ଗୀତଟିଏ ସେ ସମୟରେ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଗୀତର ଶୀର୍ଷକ ଥିଲା ‘ହାଲଚାଲ ଠିକ୍‌ଠାକ୍‌ ହୈ’। ଗୀତର ମର୍ମାର୍ଥ ଥିଲା ଯେ ବି.ଏ. ଓ ଏମ୍‌.ଏ. ପଢିଲୁ, ଅଥଚ ଚାକିରିବାକିରି ନାହିଁ, କାମଦାମ ନାହିଁ, ଦରଦାମ ହୁ ହୁ ହୋଇ ବଢୁଛି, ସବୁଠି ଲାଞ୍ଚ ରିସଵତ୍‌ ଇତ୍ୟାଦି ଇତ୍ୟାଦି; ତେବେ, ଆଉ ସବୁ ଠିକ୍‌ଠାକ୍‌ ଅଛି। ଏହାର ତିନି ବର୍ଷ ପରେ ୧୯୭୪ରେ ମୁକ୍ତି ଲାଭ କରିଥିବା ମନୋଜ କୁମାରଙ୍କ ଦ୍ବାରା ନିର୍ମିତ ସୁପରହିଟ୍‌ ଚଳଚ୍ଚିତ୍ର ‘ରୋଟି, କପଡ଼ା ଔର ମକାନ’ରେ ଥିବା ଗୀତ ‘ମେହଙ୍ଗାଇ ମାରଗୟି’ (ମହାଙ୍ଗା ମାରିଦେଲା) ସେହି ସମୟରେ ସର୍ବତ୍ର ଭାରତୀୟଙ୍କ ଓଠରେ ଅନୁରଣିତ ହେଉଥିବା ଶୁଣିବାକୁ ମିଳିଥିଲା। ୧୯୭୧ରୁ ୧୯୭୪ ମଧ୍ୟରେ ସାଧାରଣ ଭାରତୀୟଙ୍କ ଭିତରେ କି ପ୍ରକାର ହତାଶା ଭାବର ଅନ୍ତଃ ସଲିଳଟିଏ ପ୍ରବାହିତ ହେଉଥିଲା, ତାକୁ ଏହି ଚଳଚ୍ଚିତ୍ର ନିର୍ମାତାମାନେ ଯେମିତି ଠଉରାଇ ପାରିଥିଲେ, ସେମିତି କରିବାରେ ତତ୍କାଳୀନ ରାଜନୈତିକ ବିଦ୍ବାନ କି ରାଜନେତାମାନେ ବିଫଳ ହୋଇଥିଲେ; ଏବ˚ ରାଜନେତାମାନେ ସାଧାରଣତଃ ଚଳଚ୍ଚତ୍ରପ୍ରିୟ ହୋଇ ନ ଥିବାରୁ ଏ ସବୁ ଚଳଚ୍ଚିତ୍ରରେ ସେମାନଙ୍କ ଲାଗି କି ସତର୍କବାଣୀ ରହିଥିଲା, ତାହା ପଢ଼ିବାକୁ ଉଦ୍ୟମ ମଧୢ କରି ନ ଥିଲେ। ତେବେ ଏହାର ୪୫ ବର୍ଷ ପରେ ଆଜି ଯେତେବେଳେ ଭାରତର ଅର୍ଥନୀତି ପୁଣି ଏକ ଅସାଧାରଣ ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବାର ସ˚କେତମାନ ମିଳିବାରେ ଲାଗିଛି, ନିଯୁକ୍ତି ସ˚କୋଚନର ଚିତ୍ର ଗତ କେଇ ଦଶନ୍ଧି ଭିତରେ ସବୁଠାରୁ କରୁଣ, ସେତିକିବେଳେ ୧୯୭୪ର ସେହି ରାଜନୈତିକ ଦୃଶ୍ୟପଟ ସହିତ ଏବର ରାଜନୈତିକ ସ୍ଥିତିର ଯେଉଁ ଚମକପ୍ରଦ ସାମଞ୍ଜସ୍ୟ ଫୁଟି ଉଠୁଛି, ତାହା ସ˚କ୍ଷିପ୍ତ ଆଲୋଚନାର ଅବକାଶ ରଖେ।

୧୯୭୧ ମାର୍ଚ୍ଚରେ ଅନୁଷ୍ଠିତ ନିର୍ବାଚନରେ ଅତି ଚମକପ୍ରଦ ବିଜୟ ହାସଲ କରିଥିବା ଇନ୍ଦିରା ଗାନ୍ଧୀ ହୋଇଉଠିଥାନ୍ତି ନିର୍ବିବାଦୀୟ ଭାବେ ଦେଶର ସର୍ବାଧିକ ଲୋକପ୍ରିୟ ଜନନେତ୍ରୀ। ସେହି ବର୍ଷ ଶେଷ ଭାଗରେ ଭାରତ ଦ୍ବାରା ପାକିସ୍ତାନ ଅତି ଦୟନୀୟ ଭାବେ ପରାଜିତ ହୁଏ ଏବ˚ ବା˚ଲାଦେଶ ଜନ୍ମଲାଭ କରେ। ଜାତୀୟତାବାଦ ଓ ଆଶାବାଦର ବାତାବରଣରେ ସାରା ଦେଶ ନିବିଷ୍ଟ ରହେ। ଦେବୀ ଦୁର୍ଗା ରୂପେ ଅଭିହିତ ଇନ୍ଦିରା ଗାନ୍ଧୀ ଯେ କୌଣସି ଭୁଲ କରିପାରନ୍ତି, ତାହା ଅବିଶ୍ବସନୀୟ ଲାଗେ। କିନ୍ତୁ, ସେତେବେଳକୁ ଦେଶର ଅର୍ଥନୀତି ନିମ୍ନଗାମୀ, ମୁଦ୍ରା ସ୍ଫୀତି ଓ ବେକାରି ତୀବ୍ର ଗତିରେ ଉର୍ଦ୍ଧ୍ବମୁଖୀ; ଏବ˚ ଶିକ୍ଷିତ ବେକାରିଙ୍କ ମନରେ ହତାଶାଜନିତ କ୍ରୋଧ ସ˚ଚାରତ ହେବାରେ ଲାଗିଥାଏ।

ସେହି ସମୟରେ ବିରୋଧୀ ଦଳଗୁଡ଼ିକ ଶକ୍ତିହୀନ। ସେହି ଦୃଷ୍ଟିରୁ ଇନ୍ଦିରା ଗାନ୍ଧୀ ଯେ ‘ସମର୍ଥ ବିକଳ୍ପର ଅଭାବ’ଜନିତ ଲାଭ ପାଉଥାଇପାରନ୍ତି; ଏଭଳି ଧାରଣା ତାଙ୍କର ନ ଥାଏ। ସେ ଭାବିନିଅନ୍ତି ଯେ ସରକାରଙ୍କ ଲୋକାଭିମୁଖୀ-ସାମ୍ୟବାଦୀ-ଜାତୀୟତାବାଦୀ ଆଭିମୁଖ୍ୟ (ପ୍ରସିଦ୍ଧ ‘ଗରିବୀ ହଟାଓ’ ସ୍ଳୋଗାନ୍‌) ଦ୍ବାରା ସମଗ୍ର ରାଷ୍ଟ୍ର ମନ୍ତ୍ରମୁଗ୍‌ଧ। ଏଣୁ ସେ ଗୋଟିକ ପରେ ଗୋଟିଏ ଭୁଲ ପଦକ୍ଷେପ ନିଅନ୍ତି। ୧୯୭୪ ବେଳକୁ ଦେଶରେ ବେକାରି ଓ ମୁଦ୍ରାସ୍ଫୀତି (୩୩%) ଅସହନୀୟ ସ୍ଥିତିରେ ପହଞ୍ଚିଯାଏ। ସାମ୍ୟବାଦର ପ୍ରଭାବରେ ଇନ୍ଦିରା ଗାନ୍ଧୀଙ୍କ ଠାରେ ଦେଖା ଦେଇଥିବା ‘ଜାତୀୟୀକରଣ’ର ପ୍ରବଣତା ଘରୋଇ ପୁଞ୍ଜି ବିନିଯୋଗକୁ ନିରୁତ୍ସାହିତ କରେ। ଅନେକ ପୁଞ୍ଜି-ନିବେଶକ ସେମାନଙ୍କ ଉଦ୍ୟମରୁ ଓହରିଯାଆନ୍ତି ଏବ˚ ଆଜି ପର୍ଯ୍ୟନ୍ତ ଦୁର୍ବିଷହ ଭାବେ ଜୀବିତ ଥିବା ‘କଳା ଟଙ୍କା’ର ରାକ୍ଷସ ସେହି ସମୟରେ ହିଁ ପରିପୁଷ୍ଟ ହେବା ଆରମ୍ଭ କରେ। ସେଇ ସମୟରେ ଘଟେ ଆଉ ଦୁଇଟି ବିଶେଷ ଘଟଣା। ଆରବ-ଇସ୍ରାଏଲ ମଧୢରେ ସ˚ଘଟିତ ୟମ-କିପୁର ଯୁଦ୍ଧ ତୈଳ ଦରକୁ ଆଶାତୀତ ଭାବେ ବୃଦ୍ଧି କରାଏ। (ଅବଶ୍ୟ ତାହା ଇନ୍ଦିରା ଗାନ୍ଧୀଙ୍କ କର୍ତ୍ତୃତ୍ବାଧୀନ ନ ଥିିଲା)। ଦ୍ବିତୀୟଟି ୧୯୭୩ରେ ଗହମ ବ୍ୟବସାୟର ଜାତୀୟୀକରଣ(‘ଗରିବୀ ହଟାଓ’ ଲାଗି ନିଆଯାଇଥିବା ଏକ ପଦକ୍ଷେପ) ନିଷ୍ପତ୍ତି। କିନ୍ତୁ ଏହି ଦ୍ବିତୀୟ ଘଟଣାଟି ଚାଷୀ, ବ୍ୟବସାୟୀ ଏବ˚ ଜନସାଧାରଣ; ସମସ୍ତଙ୍କ ମଧୢରେ ତୀବ୍ର ଅସନ୍ତୋଷ ଜାତ କରାଏ। ସରକାର ଗହମର ନୂଆ ମହଜୁଦକାରୀ ଭାବେ ଚିତ୍ରିତ ହୁଅନ୍ତି। ବିରୋଧ ତୀବ୍ର ହେବାରୁ ୧୯୭୪ରେ ଯଦିଓ ଏହି ପଦକ୍ଷେପ ପ୍ରତ୍ୟାହୃତ ହୁଏ, ଯାହା କ୍ଷତି ହେବା କଥା ହୋଇସାରିଥାଏ। ତେଣୁ ସାଧାରଣ ଜନତାଙ୍କ ଧୢାନକୁ ଏ ସବୁଥିରୁ ହଟାଇବା ଲାଗି ‘ପୋଖରାନ୍‌-୧’ ଆଣବିକ ବୋମା ବିସ୍ଫୋରଣ ଓ ସିକିମକୁ ଭାରତ ସହିତ ମିଶ୍ରଣ ଆଦି ପ୍ରକରଣ ଉପରେ ଗୁରୁତ୍ବ ଦିଆଯାଏ। ଏହା ଦ୍ବାରା କିଛି ଦିନ ଲାଗି ଦେଶରେ ଜାତୀୟତାବୋଧର ଲହରି ଦୌଡେ଼ ସତ, କିନ୍ତୁ ଅବଲୀଳା କ୍ରମେ ତାହା ମଧୢ ମିଳେଇ ଯାଏ ଏବ˚ ତା’ ପରବର୍ତ୍ତୀ କାଳରେ ବିଭିନ୍ନ ଜନ ଆନ୍ଦୋଳନ, ‘ସ˚ପୂର୍ଣ୍ଣ କ୍ରାନ୍ତି ବିପ୍ଳବ’ର ସୁନାମି, ଜରୁରିକାଳୀନ ପରିସ୍ଥିତି ଜାରି ଏବ˚ ପରିଶେଷରେ ୧୯୭୭ ନିର୍ବାଚନ ପରାଜୟ ପରେ ଇନ୍ଦିରା ଗାନ୍ଧୀଙ୍କ ‘ଏକକ ନାୟକତ୍ବ’ର ଅବସାନରେ ଭିନ୍ନ ଏକ ଇତିହାସ ରଚିତ ହୁଏ।

ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତର ରାଜନୈତିକ ଦୃଶ୍ୟପଟରେ ’୭୪ର ମୃଦୁ ପ୍ରତିଧ୍ବନି ଶୁଣିବାକୁ ମିଳୁଛି କି? ୨୦୧୯ରେ ପୁନର୍ବାର ନିଜ ଦଳକୁ ନିର୍ବାଚନ ଜିତାଇଥିବା ମୋଦୀ ଦେଶର ଅବିସମ୍ବାଦିତ ଲୋକପ୍ରିୟ ରାଜନେତା। ଏକ ବିଧ୍ବସ୍ତ ବିରୋଧୀଙ୍କ ମଧୢରେ ସେ ଆହ୍ବାନଶୂନ୍ୟ ଏବ˚ ‘ରାଜନୈତିକ ବିକଳ୍ପହୀନତା’ ଦ୍ବାରା ଲାଭବାନ୍‌। ତେବେ ଏ ବିଷୟ‌ରେ ସେ ଅବଗତ ତ? ଇନ୍ଦିରା ଗାନ୍ଧୀଙ୍କ ତୁଲ୍ୟ ତାଙ୍କ ଦ୍ବାରା ନିଆଯାଇଥିବା କିଛି ଅପରିଣାମଦର୍ଶୀ ନିଷ୍ପତ୍ତି ତାଙ୍କ ଅପରାଜେୟ ରହିବାର ସମ୍ଭାବନାକୁ ଯେ ମ୍ଳାନ କରିପାରେ, ସେ ଧାରଣା ତାଙ୍କର ଅଛି ତ? ୨୦୧୬ ମସିହାର ବିମୁଦ୍ରୀକରଣ ଭଳି ପଦକ୍ଷେପ ଭାରତର ଅର୍ଥନୀତିକୁ ଏଭଳି ଆଘାତ ପହଞ୍ଚାଇଛି, ଯହିଁରୁ ରାଷ୍ଟ୍ର ଏ ଯାବତ୍‌ ମୁକୁଳିପାରିନାହିଁ। ଦେଶର ଅର୍ଥନୈତିକ ସ୍ବାସ୍ଥ୍ୟ ଏବେ କୁଆଡେ଼ ଅତ୍ୟନ୍ତ ଗୁରୁତର। ନିଯୁକ୍ତି ସ˚କୋଚନ ଏକ ଉଦ୍‌ବେଗଜନକ ସ୍ଥିତିରେ। କିନ୍ତୁ ସେ ଦିଗରେ ଦୃଷ୍ଟି ନ ଦେଇ ‘ସିଏଏ’, ‘ଏନ୍‌ଆର‌୍‌ସି’ ଏବ˚ ‘ଏନ୍‌ପିଆର‌୍‌’ ଭଳି କିଛି ବିବାଦାସ୍ପଦ ନିଷ୍ପତ୍ତି ନିଆଯିବା ’୭୪ର ଅବିମୃଶ୍ୟକାରିତା ଭଳି ମନେ ହେଉଛି କି?

ତେବେ, ଏହା ମଧୢ ସତ ଯେ ଏଭଳି ସାମଞ୍ଜସ୍ୟ ସତ୍ତ୍ବେ ସମୟ ଓ ସ୍ଥିତି ଆଧାରରେ ଏ ଦୁଇ ଦୃଶ୍ୟପଟ ଭିତରେ ଅନେକ ବୈସାଦୃଶ୍ୟ ମଧୢ ରହିଛି। ଦେଶର ମୁଦ୍ରାସ୍ଫୀତି ଏବେ ସୁଦ୍ଧା ’୭୪ ଭଳି ସା˚ଘାତିକ ନୁହେଁ। ଏହା ୬% ମଧୢରେ ରହିଛି। ନିଯୁକ୍ତି ସ˚କୋଚନର ଏକ ବିକଳ ଚିତ୍ର ସତ୍ତ୍ବେ ‘ଅନ୍‌ ଲାଇନ୍‌’ ବ୍ୟବସ୍ଥା ଦ୍ବାରା ସୃଷ୍ଟ ‘ଗିଗ୍‌’ ଇକୋନମି’ରେ ଅସ˚ଖ୍ୟ ଶିକ୍ଷିତ ଯୁବକ (ଅତି ନ୍ୟୂନ ପାରିଶ୍ରମିକରେ ହେଲେ ମଧୢ) ଏବେ ନିୟୋଜିତ। ତେବେ ଭୁଲି ଗଲେ ହେବ ନାହିଁ ଯେ ଇନ୍ଦିରାଙ୍କ ସମୟ ଭଳି ରାଜ୍ୟ ଓ କେନ୍ଦ୍ର ଗୋଟିଏ ଦଳ ଦ୍ବାରା ଶାସିତ ହେବାର ସୌଭାଗ୍ୟ ବିଜେପିକୁ ଆଉ ମିଳି ନପାରେ। ଏ ପରିପ୍ରେକ୍ଷୀରେ ସ˚ଘୀୟ ବ୍ୟବସ୍ଥାର ପରିଚାଳନା କେନ୍ଦ୍ର ଲାଗି ଏକ ଶକ୍ତ ଆହ୍ବାନ ହେବା ନିଶ୍ଚିତ। ପୁଣି ଧାରା ୩୭୦ର ଉଚ୍ଛେଦ ଓ ‘ସିଏଏ’ ଭଳି ପଦକ୍ଷେପ ଦ୍ବାରା ଅନ୍ତର୍ଜାତୀୟ ସମୁଦାୟ ଦୃଷ୍ଟିରେ ଭାରତର ଭାବମୂର୍ତ୍ତି ଯେଉଁଭଳି ମଳିନ ହୋଇଛି, ଆଜିର ଜଗତ୍‌କୃତ ଦୁନିଆରେ ତାକୁ ନଜରଅନ୍ଦାଜ କରାଯିବା କଷ୍ଟକର।

ଏବେ ବଲିଉଡ୍‌ରେ ଯେଉଁଭଳି ସିନେମାର ଧାରା ଚାଲିଛି, ସେଥିରୁ ଏହା ଅନୁମାନ କରାଯାଇପାରେ କି ‘ମେରେ ଅପନେ’ ବା ‘ରୋଟି କପଡ଼ା ଔର ମକାନ’ ଭଳି ସାମାଜିକ-ବାସ୍ତବବାଦ’ ଉପରେ ଆଧାରିତ ମୁଖ୍ୟ ସ୍ରୋତର ଚଳଚ୍ଚିତ୍ର ନିର୍ମିତ ହେବାର ଆଶା କ୍ଷୀଣ। ଏ ପରିପ୍ରେକ୍ଷୀରେ, ଅନ୍ୟାନ୍ୟ ସୂତ୍ରରୁ ପ୍ରାପ୍ତ ସ˚କେତ ଆଧାରରେ ଶାସନ କରୁଥିବା ନେତୃବର୍ଗ ଜନସାଧାରଣଙ୍କ ମନର କଂପନ ମାପିବାକୁ ଚେଷ୍ଟା କରିବା ଜରୁରି।

ସମ୍ବନ୍ଧିତ ଖବର