ହସ ଟିକେ ଫୁଟୁ!

ଆଜି ନୂଆବର୍ଷର ପ୍ରଥମ ଦିନରେ ଆମେ ପରସ୍ପରର କୁଶଳ ମନାସିବା ଭଳି କେହି ଯଦି ଭାରତୀୟ ଅର୍ଥନୀତିକୁ ୨୦୨୦ ବର୍ଷ ପାଇଁ ଶୁଭକାମନା ଜଣାଏ, ତେବେ ଅର୍ଥନୀତି ମୁହଁ ଶୁଖାଇ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ନିଜର ଅବସ୍ଥା ଭଲ ନାହିଁ ବୋଲି ଶୁଭାକାଙ୍‌କ୍ଷୀଙ୍କୁ ଜଣାଇ ପାରେ। ଅବସ୍ଥା ଭଲ ନାହିଁ ବୋଲି କାହିଁକି ଭାବୁଛ ବୋଲି ଯଦି ଅର୍ଥନୀତିକୁ ପଚରାଯାଏ, ତେବେ ସେ ଏହାର ଲକ୍ଷଣ ସ୍ବରୂପ ଗୁଡ଼ାଏ ପରିସ˚ଖ୍ୟାନରେ ଆମକୁ ପୋତି ପକାଇବାକୁ ନଚାହିଁ, କେବଳ ଗୋଟିଏ ପରିସ˚ଖ୍ୟାନ ଆମ ଆଗରେ ଉପସ୍ଥାପିତ କରିପାରେ: ଦେଶର ବାର୍ଷିକ ଉତ୍ପାଦ ବା ଏବେ ସମସ୍ତଙ୍କ ତୁଣ୍ତରୁ ବାହାରୁ ଥିବା ‘ଜିଡିପି’ରେ ଅଭିବୃଦ୍ଧି ହାର। ଚଳିତ ବିତ୍ତ ବର୍ଷ (୨୦୧୯-୨୦) ଶେଷ ହେବା ବେଳକୁ ସାରା ବର୍ଷ ପାଇଁ ଏହି ହାର ୫ ଶତା˚ଶରୁ ମଧୢ କମ୍‌ ହୋଇପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ ପ୍ରକାଶ କରିଛନ୍ତି। ପ୍ରାୟ ୧୦ ଶତା˚ଶ ବୃଦ୍ଧି ବେଗରେ ଧାଇଁ ଅବିଳମ୍ବେ ଏକ ୫ ଟ୍ରିଲିଅନ୍‌ ଡଲାର‌୍‌ ଅତିକାୟ ପ୍ରାଣୀରେ ପରିଣତ ହେବାକୁ ଚାହୁଁଥିବା କେଉଁ ଅର୍ଥନୀତି ଏହା ଶୁଣି ବିମର୍ଷ ନ ହେବ?

ବର୍ଷ ଆରମ୍ଭରେ ଅର୍ଥନୀତିର ଏଭଳି ବିଷଣ୍ଣ ଭାବ ଦେଖି ତା’ର ମନ ବହଲେଇବା ପାଇଁ ତାକୁ ଏକ କାହାଣୀ କୁହାଯାଇପାରେ, ଯାହା ସତ ଘଟଣା ଉପରେ ଆଧାରିତ। ୧୯୯୪ରୁ ୨୦୦୪ ପର୍ଯ୍ୟନ୍ତ ପୂର୍ବ ଆଫ୍ରିକୀୟ ଦେଶ ମୋଜାମ୍ବିକ୍‌ର ପ୍ରଧାନ ମନ୍ତ୍ରୀ ଥିବା ପାସ୍କୋଆଲ୍‌ ମୋକୁମ୍ବି ୨୦୦୨ରେ ସ୍ବିଡେନ୍‌ ଗସ୍ତରେ ଯାଇଥିବା ବେଳେ ତାଙ୍କୁୁ ପଚରା ଯିବାରୁ, ସେ ତାଙ୍କ ଦେଶ ବେଶ୍‌ ଅର୍ଥନୈତିକ ପ୍ରଗତି ହାସଲ କରି ଚାଲିଛି ବୋଲି କହିଥିଲେ। ଏହା ଶୁଣି ଜଣେ ପ୍ରଶ୍ନକର୍ତ୍ତା ତାଙ୍କୁ ପଚାରିଲେ, ସେ ନିଜ ଦେଶର ଜିଡିପି ଦେଖିଛନ୍ତି ତ? ପ୍ରଶ୍ନକର୍ତ୍ତା ଅବଶ୍ୟ ମୋଜାମ୍ବିକ୍‌ର ନୀଚା ମୁଣ୍ତପିଛା ଜିଡିପି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ। ପ୍ରଧାନ ମନ୍ତ୍ରୀ ମାକୁମ୍ବି କିନ୍ତୁ ଏହା ଦ୍ବାରା ଆଦୌ ଅପ୍ରସ୍ତୁତ ନ ହୋଇ ତତ୍‌କ୍ଷଣାତ୍‌ ଉତ୍ତର ଦେଲେ ଯେ ସେ ଜିଡିପି ପରିସ˚ଖ୍ୟାନ ଦେଖିଛନ୍ତି, କିନ୍ତୁ ତାହା ନିର୍ଭରଯୋଗ୍ୟ ନୁହେଁ।

ସେ କହିଥିଲେ ଯେ ତେଣୁ ସେ ଅର୍ଥନୀତିର ଅବସ୍ଥା ସମ୍ବନ୍ଧରେ ପ୍ରକୃତ ଚିତ୍ର ପାଇବା ପାଇଁ ପ୍ରତିବର୍ଷ ମଇ ଦିବସ ପରେଡକୁ ନିରିିଖେଇ ଦେଖିଥାନ୍ତି। ମୋଜାମ୍ବିକ୍‌ର ଅଧିକା˚ଶ ଲୋକ ଏଥିରେ ଭାଗ ନିଅନ୍ତି ଓ ସେ ବିଶେଷ କରି ସେମାନଙ୍କ ଗୋଡ଼ର ଜୋତାକୁ ନିରୀକ୍ଷଣ କରିଥାନ୍ତି। ସେଦିନ ପରେଡ୍‌ରେ ସମସ୍ତେ ଭଲ ଜୋତା ପିନ୍ଧି ବାହାରିଥାନ୍ତି ଏବ˚ ଯେହେତୁ ସମସ୍ତେ ମାର୍ଚିଙ୍ଗ୍‌ରେ ଅ˚ଶ ଗ୍ରହଣ କରନ୍ତି, କେହି କାହାର ଜୋତା ମାଗି ଆଣି ପିନ୍ଧିବାର ସମ୍ଭାବନା ନ ଥାଏ। ତେଣୁ ବର୍ଷ ପରେ ବର୍ଷ ସେ ଯେତେବେଳେ ଦେଖୁଛନ୍ତି ଯେ ଖାଲି ପାଦରେ ଚାଲିବା ଲୋକଙ୍କ ସ˚ଖ୍ୟା କମି ଚାଲିଛି ଏବ˚ ଜୋତା ସବୁର ଚେହେରାରେ ଉନ୍ନତି ଘଟି ଚାଲିଛି, ସେ ନିଶ୍ଚିତ ହୁଅନ୍ତି ଯେ ଦେଶ ପ୍ରଗତି ପଥରେ ଅଗ୍ରସର ହୋଇ ଚାଲିଛି। ତାଙ୍କ ପାଇଁ ଲୋକଙ୍କ ପାଦରେ ଥିବା ଭଲ ଜୋତା କାଗଜପତ୍ରରେ ଥିବା ପରିସ˚ଖ୍ୟାନ ଠାରୁ ଅଧିକ ଭରସାଯୋଗ୍ୟ ହୋଇଥାଏ।

ଆମ ମୁହଁ ଶୁଖାଇଥିବା ଅର୍ଥନୀତିର ଆତ୍ମବିଶ୍ବାସ ଫେରାଇ ଆଣିବା ପାଇଁ ତାକୁ ମନେ ପକାଇ ଦିଆଯାଇପାରେ ଏଠାରେ ମଧୢ ମୋକୁମ୍ବିଙ୍କୁ ଅନୁସରଣ କଲା ଭଳି ପ୍ରାୟ ତିନିମାସ ତଳେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଅକ୍ଟୋବର ୨ ତାରିଖରେ ମୁକ୍ତି ଲାଭ କରିଥିବା ତିନିଟି ବଲିଉଡ୍‌ ଫିଲ୍‌ମ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ଯେଉଁଗୁଡ଼ିକ ସେଦିନ ମିଳିତ ଭାବରେ ୧୨୦ କୋଟି ଟଙ୍କା ଅର୍ଜନ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ଯଦି ପ୍ରସାଦଙ୍କ ଉଦାହରଣରେ ଅର୍ଥନୀତିର ମନ ନ ବୁଝେ, ତେବେ ମୋକୁମ୍ବିଙ୍କ ଜୋତା ଭଳି ପ୍ରଗତିର ଏକ ଅକାଟ୍ୟ ଉଦାହରଣ ତା’ ଆଗରେ ପେସ୍‌ କରାଯାଉ। ତାହା ହେଲା- ସ୍ମାର୍ଟ ଫୋନ୍‌। ବର୍ତ୍ତମାନ ବୋଧହୁଏ ସର୍ବାଧିକ ଅତ୍ୟାବଶ୍ୟକ ଦ୍ରବ୍ୟରେ ପରିଣତ ହୋଇ ପଡ଼ିଥିବା ଏହି ହାତ ପାପୁଲିର ଅବିଚ୍ଛେଦ୍ୟ ସାଥୀର ଚିତ୍ର ବୋଧହୁଏ ଅର୍ଥନୀତିର ସମସ୍ତ ଆଶଙ୍କା ଦୂର କରିବାରେ ସଫଳ ହେବ। ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ୨୦୧୯ରେ ଭାରତରେ ସ୍ମାର୍ଟ ଫୋନ୍‌ ବିକ୍ରୟରେ ୯ ଶତା˚ଶ ବୃଦ୍ଧି ଘଟିଛି ଏବ˚ ୨୦୨୦ରେ ଏହା ୧୨-୧୪ ଶତା˚ଶକୁ ବୃଦ୍ଧି ପାଇବାକୁ ଯାଉଛି। ଏହା ପୃଥିବୀର ଦ୍ରୁତତମ ବୃଦ୍ଧି ହାର। ୨୦୨୨ ବେଳକୁ ପ୍ରାୟ ୭୦ କୋଟି ଭାରତୀୟ ବ୍ୟବହାର କରୁଥିବେ ପ୍ରାୟ ୮୫ କୋଟି ସ˚ଖ୍ୟକ ସ୍ମାର୍ଟ ଫୋନ୍‌! ଏ ସୂଚନା ଦେଖି ଅର୍ଥନୀତିର ଓହଳିଥିବା ମୁହଁରେ ଟିକିଏ କୁଣ୍ଠିତ ସ୍ମିତହସ ଉଙ୍କି ମାରିପାରେ, କିନ୍ତୁ ତାହା ଖୋଲା ହସଠାରୁ ବହୁ ଦୂରରେ।

ଏସବୁ ମୋକୁମ୍ବି କୌଶଳ କାମ କରୁ ନାହିଁ ଦେଖି ଏଥର ଅର୍ଥନୀତିକୁ ସତ କଥାଟି କହି ଦିଆଯାଉ। ବିଗତ ବର୍ଷମାନଙ୍କରେ ତା’ର ସ୍ବାସ୍ଥ୍ୟ ଭଲ ନ ଥିଲା ଓ ସେଥିପାଇଁ ତାକୁ ନର୍ସି˚ହୋମ୍‌ରେ ରଖି ଚିକିତ୍ସା କରାଯାଉଥିଲା। ଚିକିତ୍ସାର ଫଳ ସ୍ବରୂପ ୨୦୨୦ରେ ସମ୍ଭବତଃ ସେ ସୁସ୍ଥ ହୋଇ ନର୍ସି˚ହୋମରୁ ବାହାରିବାକୁ ଯାଉଛି। ଚିକିତ୍ସାର ଅ˚ଶ ସ୍ବରୂପ ଯେଉଁ ସ୍ବାଧୀନ ମୁଦ୍ରାନୀତି ଏବ˚ ବିତ୍ତୀୟ ଶୃଙ୍ଖଳା ଅନୁସରଣ କରାଯାଇଛି, ତା’ର ଫଳ ସ୍ବରୂପ ମୁଦ୍ରାସ୍ଫୀତି ଅଧା ହୋଇଯାଇ ସମ୍ପୂର୍ଣ୍ଣ କାବୁ ହୋଇଯାଇଛି; ଜିଏସ୍‌ଟି ପ୍ରବର୍ତ୍ତନର ପ୍ରାରମ୍ଭିକ କଷ୍ଟ ଦୂର ହେବା ପରେ ଯାହା ଦେଖାଯାଉଛି; ତାହା ହେଲା ପୂର୍ବର ପ୍ରାୟ ୧୦୦ କିସମର ପରୋକ୍ଷ କର ସ୍ଥାନରେ ଏବେ ଅଛି ମାତ୍ର ୫ଟି ଏବ˚ କରଦାତାଙ୍କ ସ˚ଖ୍ୟା ଦୁଇଗୁଣ ହୋଇ ୧୨ ନିୟୁତ ଛୁଇଁଲାଣି। ରିଜର୍ଭ ବ୍ୟାଙ୍କ୍‌ ଅଧିକ ସଜାଗ ହୋଇ କାର୍ଯ୍ୟ କରିବା ଏବ˚ ଦେବାଳିଆ ସମସ୍ୟାର ମୁକାବିଲା ନିମିତ୍ତ ‘ଆଇବିସି’ ଲାଗୁ ହେବା ପରେ ବ୍ୟାଙ୍କ୍‌ମାନଙ୍କର ସନ୍ତୁଳନ ପତ୍ରରେ ଶକ୍ତି ଫେରିବାରେ ଲାଗିଛି ଏବ˚ ପୂର୍ବରୁ ବ୍ୟାପି ଯାଇଥିବା ଚାମଚା ପୁଞ୍ଜିପତିମାନେ ଦୃଶ୍ୟପଟରୁ ଅନ୍ତର୍ଦ୍ଧାନ ହେବାରେ ଲାଗିଛନ୍ତି; ‘ରେଡ଼ା’ ଲାଗୁ ହେବା ପରେ ରିଆଲ୍‌ ଇଷ୍ଟେଟ୍‌ କ୍ଷେତ୍ରରୁ ଅଳିଆ ସଫା ହୋଇ ବାସଗୃହଟିଏ ମଧୢବିତ୍ତ ମାନଙ୍କ ପହୁଁଚ ଭିତରକୁ ଆସିବାକୁ ଆରମ୍ଭ କରିଛି। ବ୍ୟବସାୟ କରିବାର ସୁବିଧା ଅନୁସାରେ ଭାରତର ସ୍ଥାନ ୧୩୯ରୁ ଉଠି ୬୩କୁ ଆସିଲାଣି ଏବ˚ ଅନେକ ବହୁଦେଶୀୟ କମ୍ପାନି ଚୀନ୍‌ରୁ ଡେରା ଉଠାଇ ଭାରତରେ କାରଖାନା ସ୍ଥାପନ ପାଇଁ ଉଦ୍ୟତ ହେଲେଣି।

ଏ ତାଲିକା ଆହୁରି ଲମ୍ବା। ମନେ ହେଉଛି ଅର୍ଥନୀତି ଗତ ବର୍ଷର ଦୁର୍ବଳତାକୁ ପଛରେ ପକାଇ ଏ ସମସ୍ତ ପଥ୍ୟ ଓ ଔଷଧ ପ୍ରଭାବରେ ୨୦୨୦ରେ ତା’ର ଅସଲ ଶକ୍ତି ଫେରି ପାଇବାକୁ ଯାଉଛି। ତା’ପାଇଁ ନୂଆବର୍ଷରେ ଆମର ସମସ୍ତ ଶୁଭ କାମନା। ଏଥର ମୁହଁରେ ହସ ଟିକେ ଫୁଟୁ!

ସମ୍ବନ୍ଧିତ ଖବର