ଠିକଣା ପ୍ରଶ୍ନ

ଗୋଟିଏ ଜେନ୍‌ (ବୌଦ୍ଧ ବିଚାରର ଗୋଟିଏ ଧାରା) ଉକ୍ତି କହିଥାଏ ଯେ ଜଣେ କେମିତି ଉତ୍ତର ଦେଉଛନ୍ତି, ସେଥିରୁ ନୁହେଁ, ବର˚ ସେ କିଭଳି ପ୍ରଶ୍ନ ପଚାରୁଛନ୍ତି, ତହିଁରୁ ତାଙ୍କର ବିଚକ୍ଷଣତା ବିଷୟରେ ଜାଣି ହେବ। ପ୍ରଶ୍ନ ପଚାରିବାର ଶୈଳୀ ଦ୍ବାରା କେମିତି ଏକ ଭ୍ରମାତ୍ମକ ଧାରଣା ସୃଷ୍ଟି କରାଯାଇପାରେ, ସେ ନେଇ ଏକ ଲଘୁ କଥାର ଅବତାରଣା କରାଯାଉ। ଜଣେ ବ୍ୟକ୍ତିଙ୍କ ଚରିତ୍ର ସନ୍ଦେହାସ୍ପଦ ବୋଲି ପ୍ରମାଣ କରିବାକୁ ଯାଇ ଏକ ବିଚାରାଳୟରେ ଓକିଲ ମହାଶୟ ପ୍ରଶ୍ନ କଲେ- ‘ଆପଣ ଯେଉଁଠାରେ ରାତ୍ରି ଯାପନ କରୁଛନ୍ତି, ସେଠାରେ ରହୁଥିବା ମହିଳା ଜଣକ କ’ଣ ଆପଣଙ୍କର ପତ୍ନୀ?’ ଭଦ୍ରଲୋକ ନାସ୍ତିସୂଚକ ଉତ୍ତର ଦିଅନ୍ତେ, ଓକିଲ ମହାଶୟ ପଚାରିଲେ, ‘ମୁଁ ଏହା ମଧୢ ଜୋର ଦେଇ କହିପାରେ କି ସେହି ମହିଳା ଆପଣଙ୍କର ମା’ କି ଭଉଣୀ ଅଥବା ଆପଣଙ୍କର କନ୍ୟା ମଧୢ ନୁହନ୍ତି?’ ଭଦ୍ରଲୋକ ଉତ୍ତର ଦେଲେ- ‘ଠିକ କଥା।’ ଓକିଲ ମହାଶୟ ଏଥର ତାଙ୍କୁ ଯିବା ଲାଗି କହି ବିଚାରପତିଙ୍କୁ କହିଲେ- ‘ଧର୍ମାବତାର, ଆପଣ ଏଥିରୁ ଏହି ବ୍ୟକ୍ତିଙ୍କ ଚରିତ୍ର ସମ୍ବନ୍ଧରେ ଅନ୍ଦାଜ ଲଗାନ୍ତୁ!’ ଭଦ୍ରଲୋକ ଚାଲିଯାଉଥିବା ବେଳେ ବିଚାରପତି ଦୈବାତ୍‌ ପଚାରି ଦେଲେ- ‘ତେବେ, ସେ ଆପଣଙ୍କର କ’ଣ ହୁଅନ୍ତି?’ ଭଦ୍ର ଲୋକଙ୍କ ଠାରୁ ଉତ୍ତର ମିଳିଲା- ‘ମୋ ବୁଢ଼ୀ ଜେଜେ ମାଆ’। ଏଠାରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା, ପଚାରି ଜାଣିଲେ ପ୍ରଶ୍ନ ଦ୍ବାରା ଏକ ଭ୍ରମାତ୍ମକ ଧାରଣା ସୃଷ୍ଟି କରାଯାଇପାରେ ଏବ˚ ସେହିଭଳି ଅନ୍ୟ ଏକ ଯଥାର୍ଥ ପ୍ରଶ୍ନ ଦ୍ବାରା ଭ୍ରମକୁ ଦୂରୀଭୂତ ମଧୢ କରାଯାଇପାରେ।

ତେବେ ଏହି ସ୍ତମ୍ଭରେ ଉପରୋକ୍ତ ଲଘୁ କଥାର ପ୍ରାସଙ୍ଗିକତା କ’ଣ? ପ୍ରାସଙ୍ଗିକତା ହେଲା, ଆନ୍ତର୍ଜାତିକ ପ୍ରାଙ୍ଗଣରେ ଆମ ରାଷ୍ଟ୍ର ଭାରତକୁ ନେଇ ସୃଷ୍ଟି ହୋଇଥିବା କିଛି ଭ୍ରମାତ୍ମକ ଧାରଣାକୁ ଏହି ନୂତନ ବର୍ଷର ପ୍ରାରମ୍ଭରେ ଦୂର କରିବାର ଉଦ୍ୟମ କରିବା; ଅନେକ ସତ୍ୟର ଭିଡ଼ରେ ପଛରେ ଛିଡ଼ା ହୋଇ ରହିଥିବା ପ୍ରକୃତ ସତ୍ୟକୁ ଆଗକୁ ଡାକି ଆଣିବାର ଉଦ୍ୟମ କରିବା। ଗୁରୁତ୍ବପୂର୍ଣ୍ଣ ହେଲା, ସେଥି ଲାଗି ଆମକୁ ଅନେକ ସମୟରେ ଯଥାର୍ଥ ପ୍ରଶ୍ନ ପଚାରିବାକୁ ପଡ଼ିପାରେ।

ଏହି ସ˚ଦର୍ଭରେ ପ୍ରଥମେ ବଳାତ୍କାର ପ୍ରସଙ୍ଗକୁ ନେଇ ଆଲୋଚନା ଆରମ୍ଭ ହେଉ। ଆମ ଦେଶରେ ବଳାତ୍କାର ମାମଲା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି ଏବ˚ ଏହାକୁ ପୁଷ୍ଟ କରିବା ଲାଗି ବିଭିନ୍ନ ସୂତ୍ରରୁ ଉପଲବ୍‌ଧ ପରିସ˚ଖ୍ୟାନମାନ ମଧୢ ରହିଛି। ସେହି ଭଳି ଏକ ବିଶ୍ବସନୀୟ ପରିସ˚ଖ୍ୟାନ ଆଧାରରେ ଏହି ତର୍ଜମାମୂଳକ ଆଲୋଚନା ଅଗ୍ରସର ହେଉ। ପ୍ରତି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ଜନ ଗଣନା ବିଭାଗ (ୟୁ.ଏସ୍‌. ସେନ୍‌ସସ୍‌ ବ୍ୟୁରୋ) ପକ୍ଷରୁ ପୃଥିବୀର ପ୍ରାୟ ସମସ୍ତ ଅଞ୍ଚଳରେ ଘଟୁଥିବା ଅପରାଧ ତଥା ସେ ସବୁଠାରେ ପରିଲକ୍ଷିତ ହେଉଥିବା ବିଭିନ୍ନ ସମସ୍ୟା ଆଧାରରେ ରାଷ୍ଟ୍ରମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥାଏ, ଯାହାର ନାମ ‘ଵର୍ଲଡ ପପୁଲେସନ ରିଭ୍ୟୁ’। ୨୦୧୯ରେ ପ୍ରକାଶିତ ସଦ୍ୟତମ ‘ଵର୍ଲଡ ପପୁଲେସନ ରିଭ୍ୟୁ’ର ତଥ୍ୟ ଅନୁସାରେ ଭାରତରେ ୨୦୧୮ ଜୁନ୍‌ରୁ ୨୦୧୯ ଜୁନ୍‌ ମଧୢରେ ୨୩୪୦୦ଟି ବଳାତ୍କାର ମାମଲା ଘଟିଛି। (ପ୍ରଥମରୁ କହି ରଖାଯାଉ ଯେ ଏଠାରେ ଆଲୋଚନା କେବଳ ଥାନାରେ ପଞ୍ଜିକୃତ ମାମଲା ଆଧାରରେ କରାଯାଉଛି। ଯଦିଓ କୁହାଯାଇଥାଏ ଯେ ଭାରତରେ ଘଟୁଥିବା ବଳାତ୍କାର ମାମଲା ପଞ୍ଜିକୃତ ସ˚ଖ୍ୟା ଠାରୁ ଢେର ଅଧିକ)। ଏହି ସ˚ଖ୍ୟା ଆଧାରରେ ହିସାବ କଲେ ଆମ ଦେଶରେ ପ୍ରତି ଘଣ୍ଟାରେ ହାରାହାରି ପ୍ରାୟ ତିନି ଜଣ (୨.୬) ମହିଳା ଦୁଷ୍କର୍ମର ଶିକାର ହୁଅନ୍ତି। ଏହା ନିଶ୍ଚିତ ପକ୍ଷେ ଉଦ୍‌ବିଗ୍ନ କଲା ଭଳି। ତେବେ ‘ଵର୍ଲଡ୍‌ ପପୁଲେସନ୍‌ ରିଭ୍ୟୁ’ ଦ୍ବାରା ପ୍ରସ୍ତୁତ ତାଲିକାରେ ଭାରତର ସ୍ଥାନ ରହିଛି ଅତ୍ୟନ୍ତ ନିମ୍ନରେ ଅର୍ଥାତ୍‌ ୯୬ତମ ସୋପାନରେ ଏବ˚ ସର୍ବାଧିକ ସ˚ଖ୍ୟକ ବଳାତ୍କାର ସ˚ଘଟିତ ହେଉଥିବା ପ୍ରଥମ ୧୦ଟି ଦେଶ ଭିତରେ ଅବିଶ୍ବସନୀୟ ରୂପେ ତାଲିକାର ଉପର ଭାଗରେ ଅର୍ଥାତ୍‌ ଷଷ୍ଠ ସ୍ଥାନରେ ରହିଛି ସ୍ବିଡେନ୍‌। ଅଥଚ, ଉଲ୍ଲେଖଯୋଗ୍ୟ କି ଅତି କମ୍‌ ସ˚ଖ୍ୟକ ଅପରାଧ ସ˚ଘଟିତ ହେଉଥିବା ରାଷ୍ଟ୍ର ଭାବେ ସ୍ବିଡେନ୍‌ ସର୍ବତ୍ର ପରିଚିତ। ‘ଵର୍ଲଡ ପପୁଲେସନ ରିଭ୍ୟୁ’ର ତଥ୍ୟାନୁସାରେ ଏହି ସମୟ ଖଣ୍ତ ମଧୢରେ ସ୍ବିଡେନ୍‌ରେ ହୋଇଥିବା ବଳାତ୍କାର ଘଟଣାର ସ˚ଖ୍ୟା ହେଉଛି ମାତ୍ର ୬,୯୮୫। ଏହା ଭାରତରେ ଘଟୁଥିବା ବଳାତ୍କାର ସ˚ଖ୍ୟାର ଏକ ତୃତୀୟା˚ଶ ଏବ˚ ସେଠାରେ ଦେଢ଼ ଦିନରେ ଗୋଟିଏ ବଳାତ୍କାର ଘଟଣା ଘଟିଛି।

ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ତାଲିକାରେ ସର୍ବାଧିକ ସ˚ଖ୍ୟକ ବଳାତ୍କାର ସ˚ଘଟିତ ହେଉଥିବା ଦଶଟି ରାଷ୍ଟ୍ର ମଧୢରେ ସ୍ବିଡେନ ସ୍ଥାନ ପାଇଲା କିଭଳି? ଉତ୍ତରଟି ହେଉଛି ଯେ ‘ଵର୍ଲଡ ପପୁଲେସନ ରିଭ୍ୟୁ’ ପ୍ରତି ଏକ ଲକ୍ଷ ଜନସ˚ଖ୍ୟାରେ କେତେ ସ˚ଖ୍ୟକ ଅପରାଧ ସ˚ଘଟିତ ହେଉଛି, ତାର ଏକ ହିସାବ କରିଛି। ସେହି ଆଧାରରେ ସ୍ବିଡେନ୍‌ରେ ପ୍ରତି ଏକ ଲକ୍ଷ ଜନସ˚ଖ୍ୟାରେ ୬୩.୫ଟି ବଳାତ୍କାର ହୋଇଥିବା ବେଳେ ଭାରତରେ ହୋଇଛି ମାତ୍ର ୧.୮। କିନ୍ତୁ, ଯେହେତୁ ଭାରତର ଜନସ˚ଖ୍ୟା ଅତ୍ୟନ୍ତ ବିଶାଳ(୧୩୦ କୋଟି) ଏବ˚ ସ୍ବିଡେନ୍‌ର ଜନ ସ˚ଖ୍ୟା ଅତ୍ୟନ୍ତ ସ୍ବଳ୍ପ (ମାତ୍ର ୧.୧ କୋଟି ଯାହା ଆମ ରାଜ୍ୟର ଜନସ˚ଖ୍ୟାର ଚାରି ଭାଗରୁ ଏକ ଭାଗ), ଭାରତରେ ଅଧିକ ସ˚ଖ୍ୟକ ବଳାତ୍କାର ଘଟଣା ଦେଖିବାକୁ ମିଳୁଛି। ଯାହା ଆହୁରି ଚକିତ କରିଥାଏ ତାହା ହେଲା, ଏହି ତାଲିକାରେ କେବଳ ସ୍ବିଡେନ ନୁହେଁ, ଡେନ୍‌ମାର୍କ, ଫ୍ରାନ୍‌ସ, ୟୁ.କେ. ଏବ˚ ଇଟାଲି ଭଳି ଦେଶ ଗୁଡ଼ିକ ମଧୢ ଭାରତ ଠାରୁ ଉପରେ ଅଛନ୍ତି।

ସେହିଭଳି ବିଭିନ୍ନ ଦେଶରେ ସ˚ଘଟିତ ହେଉଥିବା ଅପରାଧକୁ ନେଇ ‘ଵର୍ଲଡ୍‌ ପପୁଲେସନ୍‌ ରିଭ୍ୟୁ’ ଯେଉଁ ତାଲିକାଟି ପ୍ରସ୍ତୁତ କରିଛି, ସେଥିରେ ଭାରତର ସ୍ଥାନ ୬୬ତମ ସୋପାନରେ ଥିବା ବେଳେ ସ୍ବିଡେନ୍‌ ୪୭ତମ, ଯୁକ୍ତରାଷ୍ଟ୍ର ଆମେରିକା ୪୯ତମ, ଫ୍ରାନ୍‌ସ ୫୦ତମ, ଇଟାଲି ୫୭ତମ ଏବ˚ ୟୁ.କେ. ୫୯ତମ ପାହାଚରେ ରହିଛନ୍ତି। ସ୍ବିଡେନରେ ପ୍ରତି ଏକ ଲକ୍ଷ ଜନସ˚ଖ୍ୟାରେ ୪୭.୨୧ଟି ଅପରାଧ ସ˚ଘଟିତ ହେଉଥିବା ବେଳେ ଭାରତରେ ପ୍ରତି ଏକ ଲକ୍ଷ ଜନସ˚ଖ୍ୟାରେ ୪୩.୨୮ଟି ଅପରାଧ ସ˚ଘଟିତ ହେଉଥିବା କଥା ଉପରୋକ୍ତ ସର୍ଭେର ସୂଚନାରୁ ଜଣାପଡ଼ିଛି।

ସୁତରା˚, ଏହା ସ୍ପଷ୍ଟ ଯେ ଭାରତର ଅତିକାୟ ଜନସ˚ଖ୍ୟା କାରଣରୁ ଅନ୍ତର୍ଜାତୀୟ ସ୍ତରରେ ଉପଲବ୍‌ଧ ଅନେକ ପରିସ˚ଖ୍ୟାନଧର୍ମୀ ଅନୁଶୀଳନରେ ଭାରତ ଏକ ନକରାତ୍ମକ ଆଲୋକରେ ପ୍ରଦର୍ଶିତ ହେବାରେ ଲାଗିଛି। ଏଭଳି ପରିସ˚ଖ୍ୟାନଗୁଡ଼ିକରୁ ଧାରଣା ସୃଷ୍ଟି ହୋଇଥାଏ ଯେ ଭାରତ ଏକ ବିଶୃଙ୍ଖଳିତ, ଏପରିକି ଏକ ବିପଜ୍ଜନକ ରାଷ୍ଟ୍ର। ସେହି କାରଣରୁ ଅନେକ ପାଶ୍ଚାତ୍ୟ ଦେଶ ସେମାନଙ୍କର ଭାରତଗାମୀ ପର୍ଯ୍ୟଟକମାନଙ୍କ ଲାଗି ସତର୍କତାମୂଳକ ପରାମର୍ଶ ସମ୍ବଳିତ ଆଚରଣ ପୁସ୍ତିକା ପ୍ରକାଶ କରିଥାଆନ୍ତି। କିନ୍ତୁ ସତ କଥାଟି ହେଲା, ଭାରତ ଭଳି ଏକ ଅତ୍ୟନ୍ତ ଜନବହୁଳ ଗଣତନ୍ତ୍ରରେ, ଯେଉଁଠାରେ ଗୋଟିଏ ସାଧାରଣ ଉତ୍ସବରେ ଏକଜୁଟ ହେଉଥିବା ଲୋକଙ୍କ ସ˚ଖ୍ୟା କାନାଡା ଭଳି ଏକ ବିଶାଳକାୟ ଦେଶର ସମୁଦାୟ ଜନସ˚ଖ୍ୟାରୁ ଅଧିକ ହୋଇଯାଏ, ସେଠାରେ ସ˚ଘଟିତ ହେଉଥିବା ଅପରାଧ ସ˚ଖ୍ୟା ତୁଳନାତ୍ମକ ଭାବେ ବେଶ୍‌ ନିରୀହ ଦିଶେ। ମନେ ହୁଏ, ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ହେଉଥିବା ବିଭିନ୍ନ ପରିସ˚ଖ୍ୟାନ ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଠିକଣା ପ୍ରଶ୍ନ ଉଠାଯିବା ଆବଶ୍ୟକ। ଏହା ହେଲେ ଯାଇ ଭାରତକୁ ଘେରି ରହିଥିବା ଭ୍ରମ ଓ ବିଭ୍ରାନ୍ତିର କୁହୁଡ଼ି ହଟି ପାରିବ।

ସମ୍ବନ୍ଧିତ ଖବର