ଦାରୁଣ ଅସ˚ଗତି

ଗଲା ବର୍ଷ ଅଗଷ୍ଟ ୨୯ ତାରିଖରେ ଗୋଟିଏ ବିଶେଷ ଦିବସରେ ଏକ ବିଶେଷ କ୍ଷଣରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ‘ସଫଳ ହେବା ଲାଗି ପାହାଚ ଚଢ଼ିବାକୁ ପଡ଼ିଥାଏ। ‘ଏଲିଭଟେର’ (ଲିଫ୍‌ଟ) ଜରିଆରେ ସଫଳତା ପାଖରେ ପହଞ୍ଚି ହୁଏ ନାହିଁ।’ ଏଠାରେ ବର୍ଣ୍ଣିତ ବିଶେଷ ଦିବସଟି ଥିଲା ଜାତୀୟ କ୍ରୀଡ଼ା ଦିବସ ଏବ˚ ବିଶେଷ କ୍ଷଣଟି ଥିଲା ‘ଫିଟ୍‌ ଇଣ୍ତିଆ’ ଅଭିଯାନର ଶୁଭାରମ୍ଭର ମୁହୂର୍ତ୍ତ। ତେବେ, ସେ ଦିନ ପ୍ରଧାନ ମନ୍ତ୍ରୀ ପ୍ରଦାନ କରିଥିବା ଉପରୋକ୍ତ ବକ୍ତବ୍ୟର ପ୍ରତୀକାତ୍ମକତାକୁ ଅତିକ୍ରମ କରି ବାସ୍ତବତାକୁ ଦେଖିଲେ ହୃଦୟଙ୍ଗମ କରିହୁଏ ଯେ ସତରେ ‘ଜୀବନଶୈଳୀ ଜନିତ ବ୍ୟାଧି’ ଦ୍ବାରା ଆକ୍ରାନ୍ତ ଭାରତରେ ପାହାଚ ଚଢ଼ି ପାରିବା ହିଁ ହେଉଛି ଏକ ପ୍ରକାର ଶାରୀରିକ ସକ୍ଷମତା(ସଫଳତା)ର ପ୍ରମାଣ। ସେଦିନ ଆରମ୍ଭ କରାଯାଇଥିବା ‘ଫିଟ୍‌ ଇଣ୍ତିଆ’ ଅଭିଯାନଟି ବୋଧହୁଏ ହେବ କୌଣସି ଦେଶର ନାଗରିକମାନଙ୍କ ନିରାମୟ ଜୀବନ ସକାଶେ ସେ ଦେଶର ସରକାରଙ୍କ ଦ୍ବାରା ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ଭାବେ ପୃଥିବୀରେ ପ୍ରଥମ। କିନ୍ତୁ ବିଡ଼ମ୍ବନାର ବିଷୟ, ଏହା ଆରମ୍ଭ ହେବା ପରେ ତିନି ମାସ ବିତି ଯାଇଥିଲେ ସୁଦ୍ଧା ବିଭିନ୍ନ ଛୋଟ ଓ ବଡ଼ ରାଜନୈତିକ ପ୍ରସଙ୍ଗ ଓ ବିବାଦର ପ୍ରାବଲ୍ୟରେ ମଗ୍ନ ଦେଶବାସୀ, ବୁଦ୍ଧିଜୀବୀ ଏବ˚ ବିମର୍ଶକାରମାନେ ‘ସୁସ୍ଥ ଭାରତ’ର ସମ୍ଭାବନା ବହନ କରୁଥିବା ଏଭଳି ଏକ ସ˚ଦର୍ଭକୁ ସ˚ପୂର୍ଣ୍ଣ ଭାବେ ନଜରଅନ୍ଦାଜ କରିଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ‘ନାସନାଲ ଫାମିଲି ହେଲ୍‌ଥ ସର୍ଭେ’ରୁ ସ˚ଗୃହୀତ ତଥ୍ୟ ଆଧାରରେ କାନାଡ଼ାର ଅଟାଵା ବିଶ୍ବବିଦ୍ୟାଳୟର ପ୍ରଫେସର ଡାନିଏଲ୍‌ କୋର୍ସି ଏବ˚ ହାର୍ଭାର୍ଡ ଟି.ଏଚ୍‌. ଚାନ୍‌ ସ୍କୁଲ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଗବେଷକ ଏସ୍‌.ଭି. ସୁବ୍ରମନ୍ୟମଙ୍କ ଦ୍ବାରା ଲିଖିତ ଓ ସଦ୍ୟ ପ୍ରକାଶିତ ଏକ ସମୀକ୍ଷାମୂଳକ ନିବନ୍ଧ (‘ଜର୍ନାଲ ଅଫ୍‌ ଆମେରିକାନ ମେଡିକାଲ ଆସୋସିଏସନ୍‌’-ନେଟ୍‌ଵାର୍କ‌୍‌ରେ) ପ୍ରଣିଧାନଯୋଗ୍ୟ।
ବିଶଦ ପରିସ˚ଖ୍ୟାନ ଭିତ୍ତିରେ ଏହା ଦର୍ଶାଇଛି କିଭଳି ଭାରତରେ ସ୍ବଚ୍ଛଳ ବା ସ˚ପନ୍ନ ବର୍ଗର ଆକାର ବୃଦ୍ଧି ହେବା ସହିତ ତାଳ ଦେଇ ଜୀବନଶୈଳୀ ଜନିତ ବ୍ୟାଧିର ଅତିକାୟ ବୋଝ ଦେଶକୁ ଅଧିକରୁ ଅଧିକ ଚାପଗ୍ରସ୍ତ କରିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ବା ‘ହୁ’ ଦ୍ବାରା ପ୍ରକାଶିତ ତଥ୍ୟ ଆଧାରରେ ସେମାନଙ୍କ ନିବନ୍ଧ କହିଛି ଯେ ଏବେ ୫୦.୮ ନିୟୁତ ଭାରତୀୟ ମଧୁମେହ ଦ୍ବାରା ପୀଡ଼ିତ, ଯାହା ୨୦୨୫ ବେଳକୁ ୭୩.୬ ନିୟୁତରେ ପହଞ୍ଚିବାର ଆଶଙ୍କା ରହିଛି ଏବ˚ ଏହା ପୃଥିବୀର ଅନ୍ୟ ସବୁ ରାଷ୍ଟ୍ର ତୁଳନାରେ ଅଧିକ। ସେହିଭଳି ୨୫ ନିୟୁତ ଭାରତୀୟ ଏବେ ହୃଦ୍‌ରୋଗରେ ଆକ୍ରାନ୍ତ, ଯାହା ବିଶ୍ବ ସ˚ଖ୍ୟାର ୬୦% ଏବ˚ ୧୫୫ ନିୟୁତ ପୃଥୁଳତାର ଶିକାର, ଯାହା ପୃଥିବୀରେ ଦ୍ବିତୀୟ ସର୍ବାଧିକ। ସେମାନଙ୍କ ଗବେଷଣା ଆହୁରି ଯାହା ଅନୁଧୢାନ କରିଛି, ତାହା ହେଲା ଜୀବନଶୈଳୀ ବ୍ୟାଧିରେ ଦରିଦ୍ର ଓ ଧନୀଙ୍କ ଭିତରେ ଥିବା ବ୍ୟବଧାନ। ସେହି ଆଲେଖ୍ୟ କହିଥାଏ ଯେ ଭାରତର ଦରିଦ୍ର ପରିବାରରୁ ୧.୫% ମଧୁମେହରେ ପୀଡ଼ିତ ହେଉଥିବା ବେଳେ ସ୍ବଚ୍ଛଳ ବର୍ଗରୁ ଏହି ରୋଗାକ୍ରାନ୍ତଙ୍କ ସ˚ଖ୍ୟା ୪.୫ %; ରକ୍ତଚାପ ଦ୍ବାରା ଆକ୍ରାନ୍ତଙ୍କ ହାର ହେଉଛି ଯଥାକ୍ରମେ ୧୧% ଓ ୧୭.୧% ଏବ˚ ଅତ୍ୟନ୍ତ ପୃଥୁଳତାର ଶିକାରଙ୍କ ହାର ଯଥାକ୍ରମେ ୧.୭% ଓ ୧୮.୬%। ଯେହେତୁ ଏ ସବୁ ବ୍ୟାଧି ଜୀବନ ଶୈଳୀର ବିଶୃଙ୍ଖଳାରୁ ଅର୍ଜିତ, ଜଣେ ଇଚ୍ଛା କଲେ ଏଥିରୁ ରକ୍ଷା ପାଇପାରିବ। କହିବା ବାହୁଲ୍ୟ ଯେ ‘ଫିଟ୍‌’ ଇଣ୍ତିଆ ଅଭିଯାନର ଏହା ହିଁ ହେଉଛି ମୂଳ ଲକ୍ଷ୍ୟ।

ଚାରିଶହ ମିଟର ଦୌଡ଼ ଶୃଙ୍ଖଳାରେ ବିଶ୍ବ ରେକର୍ଡଧାରୀ କେନିଆର ଧାବକ ଡେଭିଡ୍‌ ରୁଡିଶାଙ୍କ ଦ୍ବାରା ବର୍ଣ୍ଣିତ ଏକ ଲଘୁ କଥାରେ ‘ଫିଟ୍‌’ ରହିବା ସହିତ ଜୀବନଶୈଳୀର କି ଯୋଗାଯୋଗ ରହିଛି, ତାର ଏକ ଝଲକ ମିଳେ। ଥରେ ଜଣେ ଜର୍ମାନ୍‌ ପାଦ୍ରୀ କେନିଆ ଜଙ୍ଗଲରେ କିଛି ଆଦିବାସୀଙ୍କ ସହିତ ବୁଲାବୁଲି କରୁଥିବା ବେଳେ ନିଜ ଦେଶର ସମୃଦ୍ଧ ଜୀବନଶୈଳୀର ପ୍ରଶସ୍ତି ଗାନ କରିବା ସହିତ ଅଣବିକଶିତ କେନିଆକୁ ମୃଦୁ ବିଦ୍ରୂପ କରୁଥିବା ବେଳେ ଏକ ସି˚ହୀ ହଠାତ ଆବିର୍ଭୂତ ହୁଅନ୍ତେ, ସେ ଅସହାୟ ଭାବେ ଜିଜ୍ଞାସା କରିଥିଲେ-ଏବେ ତାଙ୍କୁ କ’ଣ କରିବାକୁ ହେବ? ତାଙ୍କ ସହିତ ଥିବା ଆଦିବାସୀମାନେ ‘ଏବେ ଦୌଡ଼ନ୍ତୁ’ ବୋଲି କହି ଦୌଡ଼ିବାକୁ ଆରମ୍ଭ କଲା ବେଳେ ଜର୍ମାନ ପାଦ୍ରୀ ମହାଶୟ ତାଙ୍କ ହୃଷ୍ଟପୁଷ୍ଟ ଶରୀରକୁ ବୋହି ଦୌଡ଼ିବା ବେଳେ ଆହୁରି କରୁଣ ଦିଶିଲେ, କାରଣ ତାହା କରିବାକୁ ସେ ଥିଲେ ସ˚ପୂର୍ଣ୍ଣ ଅସମର୍ଥ। ଏହାର ଅବତାରଣା କରି ରୁଡ଼ିଶା କହିବାକୁ ଚାହିଁଥିଲେ ଯେ ଜୀବନର ଯାବତୀୟ ସ˚ଘର୍ଷରେ ତିଷ୍ଠି ରହିବା ଲାଗି କେନୀୟମାନେ ସର୍ବଦା ଦୌଡ଼ୁଥିବାରୁ ସେ ଦେଶ ଏତେ ସ˚ଖ୍ୟକ ଚମକପ୍ରଦ ବିଶ୍ବସ୍ତରୀୟ ଧାବକ ସୃଷ୍ଟି କରିଛି। କିନ୍ତୁ ଏହି ଲଘୁକଥାରେ ଆଉ ଯାହା ଦେଖିବାକୁ ମିଳେ ତାହା ହେଲା ତଥାକଥିତ ସମୃଦ୍ଧ ଜୀବନଶୈଳୀ କିଭଳି ଜଣେ ବ୍ୟକ୍ତିଙ୍କୁ ଏକ ସାଧାରଣ କାର୍ଯ୍ୟ କରିବାରେ ବିଫଳ କରାଉଛି। ଏହା ସମସ୍ତେ ଜାଣନ୍ତି ଯେ ଆଧୁନିକ ପ୍ରଯୁକ୍ତି ମନୁଷ୍ୟକୁ ଶାରୀରିକ ଶ୍ରମରୁ ମୁକ୍ତ କରିବା କ୍ରମରେ ତାକୁ ପରିଶ୍ରମ ବିମୁଖ କରି ଦେଇଛି ଏବ˚ ଯହିଁରୁ ଜୀବନଶୈଳୀ ରୋଗର ଆବିର୍ଭାବ ଘଟିଛି। ପ୍ରାକ୍‌ ଐତିହାସିକ କାଳରେ ଖାଦ୍ୟ ଯୋଗାଡ଼ ଲାଗି ଅହର୍ନିଶ ସ˚ଘର୍ଷଠାରୁ ବର୍ତ୍ତମାନ ‘ଅନ୍‌ ଲାଇନ୍‌’ ଜରିଆରେ ନିଜ ଶୟନ କକ୍ଷରେ ଖାଦ୍ୟ ପାଇଯିବାର ସୁବିଧା ପର୍ଯ୍ୟନ୍ତ ବିକାଶର ଏହି ଯାତ୍ରାରେ ବିମର୍ଷକର ଭାବେ ଯାହା ପରିଲକ୍ଷିତ ହୋଇଥାଏ, ତାହା ହେଉଛି ମନୁଷ୍ୟର ଶାରୀରିକ କ୍ଷମତାର କ୍ରମ ବିଲୟ। ଏବ˚ କେବଳ ସେତିକି ନୁହେଁ, ଏହା ସହିତ ଖାଦ୍ୟ ଭାବେ ମନୁଷ୍ୟର ରସନା ଯେଉଁଭଳି ଖାଦ୍ୟର ରସ ଆସ୍ବାଦନ ଲାଗି ସର୍ବଦା ବ୍ୟାକୁଳ, ସେ ସବୁ ସୁସ୍ବାଦୁ ସତ, ମାତ୍ର ଅତ୍ୟନ୍ତ ଅସ୍ବାସ୍ଥ୍ୟପ୍ରଦ। ତେବେ, ଆଶ୍ବାସନାର ବିଷୟ ଯେ ଏବେ ଅନେକ ଭାରତୀୟ ଏ ନେଇ ସଚେତନ ଏବ˚ ସତର୍କ ହେଲେଣି। ଅସ˚ଖ୍ୟ ଯୁବକ ବିଭିନ୍ନ ‘ଜିମନାସିୟମ’ ଓ ବ୍ୟାୟାମଶାଳାରେ ପ୍ରଚୁର ଝାଳ ବୁହାଇବାରେ ଲିପ୍ତ। ଅସ˚ଖ୍ୟ ବ୍ୟକ୍ତି ଅସ୍ବାସ୍ଥ୍ୟକର ‘ଫାଷ୍ଟ ଫୁଡ୍‌’ ଜାତୀୟ ଖାଦ୍ୟ ପରିହାର କରି ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଉଛନ୍ତି। କିନ୍ତୁ ଏଥିରେ ଯାହା ଉଦ୍‌ବେଗର ବିଷୟ ତାହା ହେଲା ଏ କ୍ଷେତ୍ରରେ ଅଜ୍ଞତାର ରାଜୁତି। ଏହାର ସୁଯୋଗ ନେଇ ସାମାଜିକ ଗଣମାଧୢମରେ ଅନେକ ବିଭ୍ରାନ୍ତିମୂଳକ ପରାମର୍ଶ ଦିଆଯାଉଛି, ଆକର୍ଷଣୀୟ ଶରୀରର ପ୍ରଲୋଭନ ଦେଖାଇ ଯୁବକମାନଙ୍କୁ କ୍ଷତିକାରକ ‘ଆନାବୋଲିକ୍‌ ଷ୍ଟେରୋଏଡ୍‌’ର ମାତ୍ରାଧିକ ପ୍ରୟୋଗ ଲାଗି ପ୍ରବର୍ତ୍ତା ଯାଉଛି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆସିବା ଆବଶ୍ୟକ, ଯେଉଁଥି ଲାଗି କିଛି ‘ନିୟନ୍ତ୍ରକ ଆଇନ’ ପ୍ରଣୟନ କରାଯିବା ଜରୁରୀ।
ପ୍ରାଚୀନ ଭାରତୀୟ ଜୀବନଶୈଳୀରେ ନିରାମୟତାର ଆଧାର ଭାବେ ପରିଚିତ ଯୋଗ ଏବ˚ ପ୍ରାଣାୟାମ ଏବେ ସାରା ବିଶ୍ବରେ ଆଗ୍ରହର କେନ୍ଦ୍ରବିନ୍ଦୁ ପାଲଟିଛି। ଜୀବନଶୈଳୀ ରୋଗର ମୁକାବିଲା ଲାଗି ଏହା ହେଉଛି ପୃଥିବୀକୁ ଭାରତର ଏକ ଅମୂଲ୍ୟ ଉପହାର। ଆମ ପ୍ରାଚୀନ ଶାସ୍ତ୍ରରେ ମଧୢ ସମ୍ୟକ ଆହାର କଥା କୁହାଯାଇଛି। ପୃଥିବୀର ଅନ୍ୟ କୌଣସି ଶାସ୍ତ୍ରରେ ଗୁଣ ଆଧାରରେ ଖାଦ୍ୟର ବିଭାଗୀକରଣ(ସାତ୍ତ୍ବିକ, ତାମସିକ ଓ ରାଜସିକ) କରାଯାଇନାହିଁ। ସମ୍ୟକ ଆହାରର ଅର୍ଥ ଏପରି ଆହାର ଯାହାକୁ ଗ୍ରହଣ କଲା ପରେ ଆଳସ୍ୟ ବା ଉତ୍ତେଜନା ସୃଷ୍ଟି ହୋଇ ନ ଥାଏ। ସମ୍ୟକ ଆହାରରେ ଭୋଜନର ପରିମାଣ ଉପରେ ମଧୢ ଗୁରୁତ୍ବ ଦିଆଯାଏ, କାରଣ ଅତି-ଭୋଜନ ଆଳସ୍ୟ ସୃଷ୍ଟି କରେ। ଏହି ପରିପ୍ରେକ୍ଷୀରେ ଏଭଳି ଏକ ଅତ୍ୟନ୍ତ ବିରଳ ଓ ସ୍ବାସ୍ଥ୍ୟପ୍ରଦ ପର˚ପରାର ଉତ୍ତରାଧିକାରୀ ଆମ ଭଳି ଭାରତୀୟମାନେ ସ˚ପ୍ରତି ଜୀବନଶୈଳୀ ବ୍ୟାଧିରେ ସର୍ବାଧିକ ସ˚ଖ୍ୟାରେ ପୀଡ଼ିତ ହେବା, ଏକ ଦାରୁଣ ଅସ˚ଗତି ନୁହେଁ କି?

ସମ୍ବନ୍ଧିତ ଖବର