ସୁଲେମାନୀଙ୍କ ହତ୍ୟା

ଓସାମା ବିନ ଲାଡେନ, ଆବୁ ବକର ଅଲ ବାଗଦାଦୀ ଏବ˚ କାସିମ ସୁଲେମାନୀଙ୍କ ମଧୢରେ ସାମଞ୍ଜସ୍ୟ କ’ଣ ଓ ଫରକ କ’ଣ? ଚୁମ୍ବକରେ କହିଲେ ସାମଞ୍ଜସ୍ୟଟି ହେଉଛି ଏହି ତିନି ଜଣଙ୍କୁ ଆତଙ୍କର ସର୍ଦ୍ଦାର ବୋଲି ଅଭିହିତ କରି ଯୁକ୍ତରାଷ୍ଟ୍ର ଆମେରିକା ଲକ୍ଷ୍ୟଭେଦୀ ଆକ୍ରମଣ ଜରିଆରେ ବିଦେଶ ଭୂଇଁରେ ହତ୍ୟା କରିଛି। ଏ ପ୍ରସଙ୍ଗରେ ଯଦିଓ ପ୍ରଥମ ଦୁଇ ଜଣ ଆତଙ୍କବାଦର ଅତ୍ୟନ୍ତ କୁଖ୍ୟାତ ଏବ˚ ମୁଖ୍ୟ ସୂତ୍ରଧର ଭାବେ ସାରା ବିଶ୍ବ ଦ୍ବାରା ଗୃହୀତ, ତୃତୀୟ ଜଣକୁ ସେଭଳି ଗ୍ରହଣ କରିବାରେ ଅନ୍ତର୍ଜାତୀୟ ସମୁଦାୟ ମତୈକ୍ୟ ପ୍ରକାଶ କରିପାରୁନାହିଁ। ଏବ˚ ଏହି ତିନି ଜଣଙ୍କ ଭିତରେ ଥିବା ପ୍ରଭେଦ ହେଉଛି ଲାଡେନ ନିହତ ହେଲା ବେଳେ ସେ ଓ ତାର ଦଳ(ଅଲ କାଏଦା) ଥିଲେ ନିତାନ୍ତ ଶକ୍ତିହୀନ, ବାଗଦାଦୀକୁ ହତ୍ୟା କରାଯିବା ବେଳେ ସେ ଥିଲା ଏକ ପରାଜିତ ପକ୍ଷର ପଳାୟନରତ ସେନାପତି, କିନ୍ତୁ କାସିମ ସୁଲେମାନୀଙ୍କୁ ହତ୍ୟା କରାଯିବା ବେଳେ ସେ ଥିଲେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଇସଲାମୀୟ ରାଷ୍ଟ୍ର(ଇରାନ)ର ଦ୍ବିତୀୟ ସର୍ବାଧିକ କ୍ଷମତାଶାଳୀ ବ୍ୟକ୍ତି ଏବ˚ ଇରାନରୁ ଆରମ୍ଭ କରି ଇରାକ୍‌, ସିରିଆ, ଲେବାନନ ଦେଇ ୟେମେନ ପର୍ଯ୍ୟନ୍ତ ଏକ ବିଶାଳ ଭୂଖଣ୍ତରେ ସର୍ବସ୍ବୀକୃତ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ କମାଣ୍ତର। ମୃତ୍ୟୁ ବେଳକୁ ଲାଡେନ୍‌ ଓ ବାଗଦାଦୀଙ୍କ ଠାରେ ଶେଷ ସ୍ଫୁଲିଙ୍ଗ ବି ନିଃଶେଷ ହୋଇଯାଇଥିଲା; କିନ୍ତୁ ସେହି ଦୃଷ୍ଟିରୁ ସୁଲେମାନୀ ଥିଲେ ଗୋଟିଏ ସକ୍ରିୟ ‘ଡାଇନାମୋ’। ତେଣୁ, ଏବର ସ୍ଥିତିରେ କେବଳ ଏତିକି ଅନୁମାନ କରାଯାଇପାରେ କି ସୁଲେମାନୀଙ୍କ ହତ୍ୟା ପରବର୍ତ୍ତୀ ମଧୢ-ପ୍ରାଚ୍ୟ ହୁଏତ ଆଗାମୀ କିଛି ବର୍ଷ ଯାଏ ୨୦୨୦ ପୂର୍ବର ମଧ୍ୟ-ପ୍ରଚ୍ୟ ଭଳି ହୋଇ ରହିବ ନାହିଁ।

୧୯୮୯ ମସିହାରେ ଇରାନର ସର୍ବମୟ କର୍ତ୍ତା ଆୟୋତୋଲ୍ଲା ରୁହେଲା ଖୋମିନୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନ ଅଧିକାର କରିଥିବା ପରବର୍ତ୍ତୀ ଆୟୋତୋଲ୍ଲା ଅଲୀ ଖାମିନୀ ନିଜର ପ୍ରଭାବ ବୃଦ୍ଧି ଲାଗି ଯେଉଁଭଳି ଏକ ସମାନ୍ତରାଳ ସେନାବାହିନୀର ପରିକଳ୍ପନା କରିଥିଲେ, ତାକୁ ରୂପ ଦେଇଥିଲେ କାସିମ ସୁଲେମାନୀ। ଗୁଇନ୍ଦା ଖବର ସ˚ଗ୍ରହ ଠାରୁ ଆରମ୍ଭ କରି ଦେଶ ଭିତରେ ସରକାର ବିରୋଧୀ କାର୍ଯ୍ୟକଳାପକୁ ନିର୍ଦ୍ଦୟ ଭାବେ ଚୂର୍ଣ୍ଣ କରିବା ତଥା ଅନ୍ୟ ବାହାର ଦେଶରେ ‘ପ୍ରକ୍‌ସି ଵାର’ ବା ଛାୟା ଯୁଦ୍ଧ ଚଳାଇବା ପର୍ଯ୍ୟନ୍ତରେ ଅନେକ ଅତ୍ୟନ୍ତ ସ୍ପର୍ଶକାତର କାର୍ଯ୍ୟକଳାପରେ ଲିପ୍ତ ଥିଲା ସୁଲେମାନୀଙ୍କ ଏହି ବାହିନୀ ‘ଇସଲାମିକ ରିଭଲୁସନାରି ଗାର୍ଡ‌୍‌ କପ୍‌’ ବା ‘ଆଇଆର‌୍‌ଜିସି’। କେବଳ ସେତିକି ନୁହେଁ, ନିଜ କାର୍ଯ୍ୟକଳାପ ଲାଗି ସୁଲେମାନୀ ଥିଲେ କେବଳ ଆୟୋତୋଲ୍ଲାଙ୍କ ଠାରେ ଜବାବ-ଦେହୀ(ଇରାନର ରାଷ୍ଟ୍ରପତି ବା ପ୍ରଧାନ ମନ୍ତ୍ରୀଙ୍କ ଠାରେ ନୁହେଁ), ଯାହା ତାଙ୍କୁ ଇରାନର ଦ୍ବିତୀୟ ସର୍ବାଧିକ ଶକ୍ତିଶାଳୀ ବ୍ୟକ୍ତିରେ ପରିଣତ କରିଥିଲା। ଯୁଦ୍ଧ ଜର୍ଜର ମଧୢ-ପ୍ରାଚ୍ୟରେ ‘ଆଇଆର‌୍‌ଜିସି’ ପ୍ରାୟୋଜିତ ‘ପ୍ରକ୍‌ସି’ ଯୁଦ୍ଧରେ ୟେମେନରେ ହୁତିନି, ଲେବାନନରେ ହେଜବୋଲ୍ଲା, ଗାଜା ପଟ୍ଟି ଅଞ୍ଚଳରେ ହମସ ଆଦି ବିଦ୍ରୋହୀ ବାହିନୀ ଏବ˚ ସିରିଆରେ ଆସାଦ ସରକାର ଓ ଇରାକରେ ସଦ୍ଦାମ ହୂସେନ ପରବର୍ତ୍ତୀ ସରକାରର ସେନାବାହିନୀ ଜରିଆରେ ସୁଲେମାନୀ ଏଭଳି ଏକ ପ୍ରଭାବ ବଳୟ ନିର୍ମାଣ କରିପାରିଥିଲେ ଯାହା, ଜନୈକ ଲେଖକ (ଏକଦା ଏଫବିଆଇ ଏଜେଣ୍ଟ) ଅଲି ସୁଫାନ୍‌ଙ୍କ ଭାଷାରେ ତାଙ୍କୁ (ସୁଲେମାନୀଙ୍କୁ) ତାଙ୍କ ମୋଟରଗାଡ଼ିରେ ତେହେରାନ(ଇରାନର ରାଜଧାନୀ)ରୁ ତିନିଟି ରାଷ୍ଟ୍ର ଅତିକ୍ରମ କରି ଲେବାନନ-ଇସ୍ରାଏଲ୍‌ ସୀମା ପର୍ଯ୍ୟନ୍ତ ଅବାଧରେ ପହଞ୍ଚାଇବାରେ କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ। ସେହି ଦୃଷ୍ଟିରୁ ସୁଲେମାନୀଙ୍କ ଉପରେ ଆକ୍ରମଣ ତେହେରାନରେ ନ ହୋଇ, ଏକଦା ଇରାନର ଚରମ ଶତ୍ରୁ ରାଷ୍ଟ୍ର ଇରାକର ରାଜଧାନୀ ବାଗଦାଦରେ ହେବା ଅଲି ସୁଫାନିଙ୍କ ବକ୍ତବ୍ୟର ପ୍ରମାଣ ନୁହେଁ କି?

ସୁନ୍ନୀ ଓ ସିଆ ସ˚ପ୍ରଦାୟ ଭିତରେ ଥିବା ବିଦ୍ବେଷର ଆଧାରରେ ଚାଲିଥିବା ମଧୢ-ପ୍ରାଚ୍ୟର ରାଜନୀତି ଅତ୍ୟନ୍ତ ଜଟିଳ। ଇରାନ ଓ ଇରାକ ହେଉଛନ୍ତି ଦୁଇ ସିଆ ବହୁଳ ବୃହତ୍‌ ରାଷ୍ଟ୍ର, କିନ୍ତୁ ୨୦୦୩ ମସିହା ପର୍ଯ୍ୟନ୍ତ ଏକ ଅସ˚ଗତି ଥିଲା ଏୟା ଯେ ଇରାକରେ ସ˚ଖ୍ୟା ଲଘୁ ସୁନ୍ନୀ ସ˚ପ୍ରଦାୟର ଏକଛତ୍ରବାଦୀ ସଦ୍ଦାମ ହୁସେନ୍‌ ଏବ˚ ତାଙ୍କ ‘ବାଥ୍‌’ ପାର୍ଟି ଦ୍ବାରା ଇରାକ୍‌ ଶାସିତ ହେଉଥିଲା। ୨୦୦୩ ମସିହାରେ ସଦ୍ଦାମ ହୁସେନ ଓ ତାଙ୍କ ଶାସନ ବିଧ୍ବସ୍ତ ହୋଇଯିବା ପରେ ଯେତେବେଳେ ସେଠାେର ଗଣତାନ୍ତ୍ରିକ ଶାସନର ପ୍ରାରମ୍ଭ ହେଲା, ସ୍ବାଭାବିକ ଭାବେ କ୍ଷମତା ଚାଲିଗଲା ଇରାକ୍‌ର ସ˚ଖ୍ୟା ଗରିଷ୍ଠ ସିଆ ସ˚ପ୍ରଦାୟ ହତକୁ। ସୁତରା˚, ସଦ୍ଦାମଙ୍କ ଶାସନ କାଳରେ ଦୀର୍ଘ କାଳ ଧରି ଅତ୍ୟନ୍ତ ରକ୍ତର˚ଜିତ ଯୁଦ୍ଧ ଲଢ଼ିଥିବା ଇରାନ ଓ ଇରାକ ସିଆ ସ˚ଖ୍ୟା ବହୁଳତାର ଆଧାରରେ କେବଳ ନିକଟବର୍ତ୍ତୀ ହେଲେନାହିଁ, ଇରାକ ଏକ ପ୍ରକାରେ ଇରାନ ସରକାରଙ୍କ ବଶମ୍ବଦ (ଆମେରିକାର ବିରୋଧ ସତ୍ତ୍ବେ) ହୋଇଗଲା ମଧୢ। ସୁତରା˚, ସୁଲେମାନୀଙ୍କ ମୃତ୍ୟୁ ବାଗଦାଦରେ ହେବାରେ ବିସ୍ମିତ ହେବାର ବିଶେଷ କୌଣସି କାରଣ ନାହିଁ।

ତେବେ, କାସିମ ସୁଲେମାନୀଙ୍କୁ ଏଭଳି ଅତର୍କିତ ଭାବେ ହତ୍ୟା କରାଗଲା କାହିଁକି? କାରଣ ଏହା କି ମଧୢ-ପ୍ରାଚ୍ୟରେ ସୁନ୍ନୀ ବହୁଳ ତଥା ଆମେରିକାର ପରମ ମିତ୍ର ରାଷ୍ଟ୍ର ସାଉଦି ଆରବର ପତିଆରା କ୍ରମେ ଇରାନ ଦ୍ବାରା ନିଷ୍ପ୍ରଭ ହେଉଥିବାରୁ ଆମେରିକା ଏକ ବନ୍ଧୁସୁଲଭ ଆଚରଣ ଦର୍ଶାଇଲା? ନା ଯୁକ୍ତରାଷ୍ଟ୍ର ଆମେରିକା ଓ ତାର ଆଉ ଏକ ବନ୍ଧୁ ରାଷ୍ଟ୍ର ଇସ୍ରାଏଲ୍‌ ସହିତ ଇରାନର ତିକ୍ତ ସ˚ପର୍କ କ୍ରମେ ଘନୀଭୂତ ହେଉଥିବା ପରିପ୍ରେକ୍ଷୀରେ ଏ ଆକ୍ରମଣ କରାଗଲା? ପୃଥିବୀର ବିଭିନ୍ନ ଦେଶରେ କିଛି ବିଶିଷ୍ଟ ଆମେରିକୀୟ ଓ ଇସ୍ରାଏଲୀଙ୍କ ଉପରେ ହୋଇଥିବା ପ୍ରାଣଘାତୀ ଆତଙ୍କବାଦୀ ଆକ୍ରମଣ (ଟ୍ର˚ପ୍‌ଙ୍କ କହିବାନୁସାରେ ତହିଁରୁ ଗୋଟିଏ ଦିଲ୍ଲୀରେ ହୋଇଥିଲା!) ଲାଗି ସୁଲେମାନୀଙ୍କୁ ଦାୟୀ କରି ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ‘ପେଣ୍ଟାଗନ୍‌’ ପକ୍ଷରୁ କୁହାଯାଇଛି। ଟ୍ର˚ପ୍‌ଙ୍କ ଭାଷାରେ ସୁଲେମାନୀ ଥିଲେ ଜଣେ ଅତ୍ୟନ୍ତ ଜଘନ୍ୟ ଆତଙ୍କବାଦୀ। ଏହାର ଆଉ ଏକ କାରଣ ଏହା ମଧୢ ହୋଇପାରେ କି ଯେ ମହାଭିଯୋଗର ସାମନା କରୁଥିବା ଆମେରିକୀୟ ରାଷ୍ଟ୍ରପତି ତାଙ୍କ ପ୍ରଥମ ପାଳିର ଶେଷ ବର୍ଷରେ ନିଜ ଲାଗି ସମର୍ଥନ ଜୁଟାଇବା ପାଇଁ ବ୍ୟାକୁଳ ପ୍ରୟାସରେ ଏଭଳି ଏକ ଜୁଆ ଖେଳିଛନ୍ତି? ଏହି ଜୁଆ ତାଙ୍କୁ ଲାଭବାନ କରିବ ନା ଏହା ତାଙ୍କର ଅବିମୃଶ୍ୟକାରିତାର ଏକ କାଳଜୟୀ ପ୍ରମାଣ ହୋଇ ରହିଯିବ, ତାହା କେବଳ ଭବିଷ୍ୟତ କହିବ।

ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଏହାର ପରିଣାମ କ’ଣ ହୋଇପାରେ? ଉତ୍ତର ହେଉଛି ତାହା ନିର୍ଭର କରିବ ଇରାନର ପ୍ରତିକ୍ରିୟା ଉପରେ। ଚରମ ପ୍ରତିଶୋଧ ନେବାକୁ ପ୍ରତିଜ୍ଞାବଦ୍ଧ ଇରାନ ଯଦି ତାର ଜିଦିରେ ଅଡ଼ି ରହେ, ତେବେ ସମ୍ଭବତଃ, ମଧୢ ପ୍ରାଚ୍ୟ ଏକ ବିରାଟ ଯୁଦ୍ଧର ଘନଘଟା ଭିତରକୁ ଟାଣି ହୋଇଯାଇପାରେ। ଏଥିରେ ରୁଷିଆର ସ˚ପୃକ୍ତି ଯୁଦ୍ଧର ପରିସରକୁ ଆହୁରି ବ୍ୟାପକ କରିପାରେ। ଏହା ଫଳରେ ମଧୢ-ପ୍ରାଚ୍ୟ ଅଞ୍ଚଳରେ ରହୁଥିବା ଶ୍ବେତାଙ୍ଗ (ପ୍ରମୁଖ ଭାବେ ଆମେରିକୀୟ)ଙ୍କ ଜୀବନ ସ˚ପୂର୍ଣ୍ଣ ରୂପେ ଅସୁରକ୍ଷିତ ହୋଇଯାଇପାରେ ଓ ସେମାନେ ଏକ ଅର୍ଥହୀନ ହି˚ସାର ଶିକାର ହୋଇପାରନ୍ତି। ଇରାକସ୍ଥିତ ଆମେରିକୀୟ ଦୂତାବାସ ଓ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ମୁତୟନ ହୋଇଥିବା ପ୍ରାୟ ଅଢ଼େଇ ହଜାର ସରିକି ସୈନିକଙ୍କ ଜୀବନ ଏବେ ସର୍ବାଧିକ ବିପଦାପନ୍ନ।

ଭାରତ ଲାଗି ଏ ସମୟଟି ଅତ୍ୟନ୍ତ ଦ୍ବିଧା ବିଜଡ଼ିତ। ଖଣିଜ ତୈଳ ତଥା ଅନ୍ୟାନ୍ୟ ବାଣିଜ୍ୟିକ ସ˚ପର୍କ ଆଧାରରେ ଏକ ବନ୍ଧୁ ରାଷ୍ଟ୍ର ଇରାନ ଉପରେ ଭାରତର ଅନ୍ୟ ଏକ ଅତ୍ୟନ୍ତ ଶକ୍ତିଶାଳୀ ବନ୍ଧୁ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ଆକ୍ରମଣ ପରିପ୍ରେକ୍ଷୀରେ ଭାରତର ବୈଦେଶିକ ଆଭିମୁଖ୍ୟ କ’ଣ ରହିବ, ତାହା ଏବର ଏନ୍‌ଡିଏ ସରକାର ଲାଗି ହେବ ଏକ ମସ୍ତବଡ଼ ଚ୍ୟାଲେଞ୍ଜ। ୨୦୨୦ ମସିହାର ପ୍ରାରମ୍ଭରେ ଘଟିଥିବା ଏହି ଘଟଣା ଦ୍ବାରା ଯେଉଁଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଅଛି, ତାହା ପରବର୍ତ୍ତୀ କିଛି ଦଶକ ପର୍ଯ୍ୟନ୍ତ ଯେ ପୃଥିବୀକୁ ବିଭିନ୍ନ କ୍ଷେତ୍ରରେ ପ୍ରକ˚ପିତ କରି ରଖିବ, ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର