ଅଦିନ ଶୈଶବ

ଗୁଣି ଗାରେଡ଼ି, ତଥାକଥିତ ଅଲୌକିକ ଶକ୍ତି ଆଦିରେ ଅନ୍ଧବିଶ୍ବାସ ଜନିତ ଅଘଟଣ ଓ ଅପରାଧମାନ ପାଇଁ ଓଡ଼ିଶା କୁଖ୍ୟାତ। ଓଡ଼ିଶା ହାଇକୋର୍ଟ, ସରକାର, ବିଧାନସଭା ତଥା ଓଡ଼ିଶାର ହେତୁବାଦୀ ନାଗରିକମାନେ ଏ ନେଇ ବିଭିନ୍ନ ସମୟରେ ଘୋର ଚିନ୍ତା ପ୍ରକଟ କରି ଆସିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୩ରେ ବିଧାନସଭା ଦ୍ବାରା ଏ ସମ୍ପର୍କିତ ଏକ ଆଇନ ମଧୢ ପ୍ରଣୀତ ହୋଇସାରିଛି। ଏହି ସମ୍ବାଦପତ୍ରର ଏହି ସ୍ତମ୍ଭରେ ଏଭଳି ଅନ୍ଧବିଶ୍ବାସ ବିରୋଧରେ ସ୍ବର ଉତ୍ତୋଳନ ମଧୢ କରା ହୋଇ ଆସିଛି। ଏହି ପରିପ୍ରେକ୍ଷୀରେ ‘ସମ୍ବାଦ’ର ଜାନୁଆରି ୬ ତାରିଖ ସ˚ସ୍କରଣରେ ପ୍ରକାଶ ପାଇଥିବା ଏକ ଖବର ଉପରୋକ୍ତ ମହଲମାନଙ୍କରେ ଗଭୀର ଅସ୍ବସ୍ତି ସୃଷ୍ଟି କରିବା ଭଳି।

ସେଇ ଖବର ଅନୁସାରେ ଆଠମଲ୍ଲିକର ମାନ୍ୟବର ବିଧାୟକ ଏକ କଳସ ଶୋଭାଯାତ୍ରାରେ ଅ˚ଶ ଗ୍ରହଣ କରି ଗ୍ରାମ ପରିକ୍ରମା କରୁଥିବା ସମୟରେ ତାଙ୍କୁ କାଳିସୀ ଲାଗିଲା ଭଳି ଆଚରଣ ପ୍ରଦର୍ଶନ କରିଥିଲେ ଏବ˚ ତାଙ୍କ ଠାରେ ଠାକୁରାଣୀ ବିଜେ ହୋଇଛନ୍ତି ବୋଲି ବିଶ୍ବାସ କରି ଲୋକମାନେ ଓ ବିଶେଷ କରି ମହିଳାମାନେ ତାଙ୍କୁ ପ୍ରଣିପାତ କରି ପୂଜା ଅର୍ଚ୍ଚନା କରିଥିଲେ। କହିବା ବାହୁଲ୍ୟ ଯେଉଁ ବିଶ୍ବାସ ବା ଅନ୍ଧବିଶ୍ବାସ ଏପରି ଗଣ ଆଚରଣକୁ ଜନ୍ମ ଦେଇଥାଏ, ତାହାକୁ ଭିତ୍ତି କରି ହିଁ ବେଳେବେଳେ ଅପରାଧମାନ ଘଟିଥାଏ ଯାହାର ନିରୋଧ ପାଇଁ ସରକାର ଦୃଢ଼ ପରିକର। ଆଉ, ଜଣେ ବିଧାୟକଙ୍କ ଭଳି ଜଣେ ଶକ୍ତିଶାଳୀ ଜନପ୍ରତିନିଧିଙ୍କୁ କେନ୍ଦ୍ର କରି ଯେତେବେଳେ ଏଭଳି ବିଶ୍ବାସର ପ୍ରସାର ଘଟେ, ସେତେବେଳେ ଜନସାଧାରଣଙ୍କ ମଧୢରେ ଏହା ଗଭୀର ପ୍ରତ୍ୟୟ ସୃଷ୍ଟି କରିବା ସ୍ବାଭାବିକ।

ଅବଶ୍ୟ ପ୍ରକାଶିତ ଖବରରେ ନିଜକୁ କାଳିସୀ ଲାଗିବା ସମ୍ବନ୍ଧରେ ଖୋଦ୍‌ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। କିନ୍ତୁ ଯେ କୌଣସି ହେତୁବାଦୀ ଏପରି ଏକ ତଥାକଥିତ ଅଲୌକିକ ଘଟଣାର ଏକ ଯୁକ୍ତିଯୁକ୍ତ ବିକଳ୍ପ ଉତ୍ତର ଆବିଷ୍କାର କରିପାରିବେ। କୌଣସି ଏକ ତଥାକଥିତ ଅଲୌକିକ ଘଟଣା ସତ କି ମିଛ ତାହା ଜାଣିବା ପାଇଁ ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ସ୍କଟିସ୍‌ ଦାର୍ଶନିକ ଡେଭିଡ୍‌ ହ୍ୟୁମ୍‌ ଏକ ଅତି ସରଳ ପରୀକ୍ଷା ବାହାର କରିଥିଲେ, ଯାହାକୁ ‘ହ୍ୟୁମ୍‌ ଟେଷ୍ଟ’ ବୋଲି କୁହାଯାଇଥାଏ। ଏହି ପରୀକ୍ଷାଟି ହେଲା :‘ଅଲୌକିକ ଘଟଣାଟିକୁ ମିଛ ପ୍ରମାଣ କରିବା ପାଇଁ ଯେଉଁ ଯୁକ୍ତି ପ୍ରଦାନ କରାଯିବ, ତାହା ସମ୍ପୃକ୍ତ ଘଟଣାଠାରୁ ଆହୁରି ଅଧିକ ଅଲୌକିକ ମନେ ହେବ।’

ବିଧାୟକଙ୍କ କାଳିସୀକୁ ଯଦି ଏହି ‘ହ୍ୟୁମ୍‌ ଟେଷ୍ଟ’ର ସମ୍ମୁଖୀନ କରାଯାଏ, ତେବେ ତାହା ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର କୌଣସି ସମ୍ଭାବନା ନାହିଁ। କୁହାଯାଉଥିବା ଅଲୌକିକ ଘଟଣାଟି ହେଲା ବିଧାୟକଙ୍କ ଶରୀରରେ ଠାକୁରାଣୀଙ୍କର ପ୍ରବେଶ ଯାହାର ପ୍ରମାଣ ସ୍ବରୂପ ବିଧାୟକ ହଠାତ୍‌ ଥରିବାକୁ ଲାଗିଥିଲେ। ତାଙ୍କ ଶରୀରରେ ଦେଖା ଦେଇଥିବା ଏହି ସାମୟିକ କମ୍ପନର କିନ୍ତୁ କୌଣସି ଏକ ସ୍ବାସ୍ଥ୍ୟଗତ କାରଣ ଅନୁମାନ କରିବା ଆଦୌ କଷ୍ଟକର ନୁହେଁ। ମନେ କରାଯାଉ ତାଙ୍କ ପେଟରେ ଗ୍ୟାସ୍‌ ସୃଷ୍ଟି ହେବାରୁ ଶରୀରରେ କମ୍ପନ ଜାତ ହୋଇଥିଲା ବୋଲି କୁହାଗଲା। ‘ହ୍ୟୁମ୍‌ ଟେଷ୍ଟ୍’ ଅନୁସାରେ କେଉଁଟି ଅଧିକ ଅବିଶ୍ବାସ୍ୟ: ଶରୀରରେ କାଳିସୀ ଭଳି କୌଣସି କାଳ୍ପନିକ ଶକ୍ତିର ପ୍ରବେଶ, ନା ଆହାର ଦୋଷରୁ ପେଟ ଭିତରେ ଗ୍ୟାସ୍‌ ସୃଷ୍ଟି? ନିଃସନ୍ଦେହରେ କାଳିସୀ ହେଉଛି ଗ୍ୟାସ୍‌ ଠାରୁ ବହୁ ଅଧିକ ଅବିଶ୍ବାସ୍ୟ, ବା ଗ୍ୟାସ୍‌ ହେଉଛି କାଳିସୀ ଅପେକ୍ଷା ଅଧିକ ବିଶ୍ବାସଯୋଗ୍ୟ। ତେଣୁ ବିଧାୟକଙ୍କୁ କେନ୍ଦ୍ର କରି ଆମ୍ବସରମୁଣ୍ତା ଠାରେ ଦେଖାଯାଇଥିବା ଅଲୌକିକ ଘଟଣାଟି ‘ଡେଭିଡ୍‌ ହ୍ୟୁମ୍‌ ଟେଷ୍ଟ୍’ରେ ଫେଲ୍‌।

ପ୍ରାପ୍ତ ବୟସ୍କ ଲୋକମାନେ ବିଭିନ୍ନ କାରଣରୁ ଅଲୌକିକ ଘଟଣାକୁ ବିଶ୍ବାସ କରିଥାନ୍ତି ବୋଲି ମନସ୍ତତ୍ତ୍ବବିତ୍‌ମାନେ ଆବିଷ୍କାର କରିଛନ୍ତି। ଏଥି ମଧୢରୁ ଗୋଟିଏ କାରଣ ହେଉଛି ‘ପିଡୋମର‌୍‌ଫୋସିସ୍‌’ (‘ରୂପାନ୍ତରିତ ଶୈଶବ’)। ନିଜର ପିଲାବେଳକୁ ମନେ ପକାଇଲେ ଏହି ମନସ୍ତାତ୍ତ୍ବିକ ଅବସ୍ଥାରେ ତାତ୍ପର୍ଯ୍ୟ ବୁଝିବା ସହଜ ହେବ। ଗାଁ ମୁଣ୍ତରେ ଥିବା ଜାଗୁଳେଇ ବା ବାସୁଳେଇ ମନ୍ଦିରରୁ ରାତି ଅଧରେ ମା’ ନିଜେ ବାହାରି ବାରହାତ ଖଣ୍ତା ଧରି ଘୋଡ଼ା ପିଠିରେ ବସି ଗାଁ ଦାଣ୍ତରେ ବୁଲନ୍ତି ବୋଲି ଯେଉଁ ପିଲାମାନେ ଶୁଣିଥାନ୍ତି, ସେମାନେ ପିଲାବେଳେ ଏହାକୁ ସମ୍ପୂର୍ଣ୍ଣ ବିଶ୍ବାସ କରି ରାତିରେ ଭୟରେ ଏକୁଟିଆ ଘରୁ ବାହାରନ୍ତି ନାହିଁ। ସେମାନଙ୍କ ମଧୢରୁ ଅଧିକା˚ଶ ପିଲା ବଡ଼ ହୋଇଯିବା ପରେ ବୋଧହୁଏ ଏହାକୁ ଆଉ ବିଶ୍ବାସ କରନ୍ତି ନାହିଁ ବୋଲି ମନେ କରାଯାଇପାରେ। ନଚେତ୍‌ ସେମାନେ ଯୁବକ ହୋଇଯିବା ପରେ ବା ପ୍ରୌଢ଼ ହୋଇଯିବା ପରେ ରାତି ଅଧରେ ଗାଁ ଦାଣ୍ତରେ ଏକୁଟିଆ ଯିବା ଆସିବା କରନ୍ତେ କିପରି?

କିନ୍ତୁ ବେଳେ ବେଳେ ଦେଖାଯାଇଥାଏ, ବଡ଼ ହୋଇଯିବା ପରେ ମଧୢ କେତେକ ଲୋକଙ୍କ ଠାରେ ଶୈଶବର ଏଭଳି ବିଶ୍ବାସ ସବୁ ଅତୁଟ ରହିଥାଏ; ଅର୍ଥାତ୍‌ ଶିଶୁ ଶରୀରରେ ପରିବର୍ତ୍ତନ ଘଟି ତାହା ପ୍ରାପ୍ତ ବୟସ୍କ ଚେହେରା ଧାରଣ କରିଥାଏ, କିନ୍ତୁ ସେ ବ୍ୟକ୍ତିର ମନସ୍ତତ୍ତ୍ବର ଏକ ଅ˚ଶ ଶୈଶବରେ ହିଁ ଅଟକି ରହି ଯାଇଥାଏ। ଆମୋଦଦାୟକ ଭାବରେ ଏହି ମନସ୍ତାତ୍ତ୍ବିକ ଘଟଣାର ଏକ ସମ୍ପୂର୍ଣ୍ଣ ରୂପେ ଶାରୀରିକ ଉଦାହରଣ ଦେଖିବାକୁ ମିଳିଥାଏ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର କୁକୁର କ୍ଷେତ୍ରରେ। ‘ପେକିନିଜ୍‌’ ପ୍ରଜାତିର ଏହି ଛୋଟିଆ ଆକାରର କୁକୁରମାନେ ବଡ଼ ହୋଇଗଲା ପରେ ମଧୢ ସେମାନଙ୍କର ମୁହଁ ଛୁଆ ବେଳର ମୁହଁ ପରି ରହିଥାଏ: ଏପରି ମୁହଁକୁ ‘ଫିଡୋମର୍‌ଫିକ୍‌ ମୁହଁ’ ବୋଲି କୁହାଯାଇଥାଏ। ଅବଶ୍ୟ ସେମାନଙ୍କର ମୁହଁ ସର୍ବଦା ଏପରି ପିଲାଳିଆ ଓ କୌତୁକିଆ ଦେଖାଯାଉଥିବାରୁ କେତେକ କୁକୁର ପ୍ରେମୀମାନଙ୍କ ମଧୢରେ ପେକିନିଜ୍‌ କୁକୁର ମାନଙ୍କ ପ୍ରତି ବିଶେଷ ଆଦର ପରିଲକ୍ଷିତ ହୋଇଥାଏ।

କିନ୍ତୁ ବଡ଼ ହୋଇଯିବା ପରେ ମଧୢ ମନୁଷ୍ୟର ମନସ୍ତତ୍ତ୍ବରେ ‘ପିଡୋମର୍‌ଫୋସିସ୍‌’ ଉପସ୍ଥିତ ଯୋଗୁଁ ଅନ୍ଧବିଶ୍ବାସ ବସାବାନ୍ଧି ରହିଲେ ତାହା କୌତୁକିଆ ହେବା ପରିବର୍ତ୍ତେ ତାହାର ପରିଣାମ କିଭଳି ଭୟାବହ ହୁଏ, ତାହା ଆମେ ନିୟମିତ ଦେଖୁଛୁ। ମାନ୍ୟବର ବିଧାୟକମାନେ ଏହାର ଦୂରୀକରଣ ସ୍ଥାନରେ ଦୃଢ଼ୀକରଣ କରିବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର