ଅବସାଦ ଭୂତ

ଦୁନିଆ ସାରା ଅଗଣିତ ପାଠକ ପାଠିକାଙ୍କର ହୃଦୟ ଜୟ କରିଥିବା ‘ଦି ହିଚ୍‌ହାଇକର‌୍‌ସ ଗାଇଡ୍‌ ଟୁ ଦି ଗାଲାକ୍ସି’ ମହାକାଶ ଯାତ୍ରା ଉପନ୍ୟାସର ବିଚକ୍ଷଣ ରଚୟିତା ଡଗ୍‌ଲାସ୍‌ ଆଡାମ୍‌ସ ପୃଥିବୀ ପୃଷ୍ଠରେ ମନୁଷ୍ୟ ଜୀବନକୁ ଏହିପରି ଏକ ବାସ୍ତବବାଦୀ ଦୃଷ୍ଟିରେ ଦେଖିଥିଲେ: ‘‘ଆମେ ଏକ ମାଧୢାକର୍ଷଣ କୂଅର ସବାତଳେ ପଡ଼ିଥିବା ନବେ ନିୟୁତ ମାଇଲ୍‌ ଦୂରରେ ଥିବା ଏକ ଆଣବିକ ଅଗ୍ନିପିଣ୍ତୁଳା ଚତୁର୍ଦ୍ଦିଗରେ ପରିକ୍ରମା କରୁଥିବା ଏକ ବାଷ୍ପାବୃତ ଗ୍ରହର ପୃଷ୍ଠଦେଶରେ ବାସ କରୁଥିଲେ ମଧୢ ଏହାକୁ ସ୍ବାଭାବିକ ବୋଲି ବିଚାର କରିବା ନିଶ୍ଚିତ ରୂପେ ଆମର ଦୃଷ୍ଟିଭଙ୍ଗୀ କିପରି ତେଢ଼ା ହୋଇପାରେ, ତାହାର ଏକ ସୂଚନା।’’ (ଆଇନ୍‌ଷ୍ଟାଇନ୍‌ଙ୍କ ୧୯୧୫ରେ ଆବିଷ୍କୃତ ସାଧାରଣ ଆପେକ୍ଷିକ ତତ୍ତ୍ବ ଅନୁସାରେ ମଧୢାକର୍ଷଣ ନିଉଟନ୍‌ କହିଥିବା ଭଳି ଏକ ଶକ୍ତି ନୁହେଁ, ଏକ ଜ୍ୟାମିତି। ଏହା ହେଉଛି ପୃଥିବୀ ପରି ବସ୍ତୁମାନଙ୍କ ଚାପରେ ‘ମହାଶୂନ୍ୟ-ସମୟ’ କପଡ଼ାରେ ସୃଷ୍ଟି ହେଉଥିବା ଗଡ଼ାଣି। ତେଣୁ ପୃଥିବୀ ନିଜ ଦ୍ବାରା ସୃଷ୍ଟ ଏହି ‘ମହାଶୂନ୍ୟ-ସମୟ’ ଗଡ଼ାଣି କୂଅର ସବାତଳେ ହିଁ ପଡ଼ି ରହିଛି; ଡଗ୍‌ଲାସ୍‌ଙ୍କ ଆଣବିକ ‘ଅଗ୍ନି ପିଣ୍ତୁଳା’ ଅବଶ୍ୟ ହେଉଛନ୍ତି ସୂର୍ଯ୍ୟ।

୨୦୦୧ରେ ତାଙ୍କର ଅପରିଣତ ବୟସରେ ମୃତ୍ୟୁର ପ୍ରାୟ ତିନି ବର୍ଷ ପୂର୍ବେ ୧୯୯୮ରେ ସେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ପ୍ରଦାନ କରିଥିବା ଏକ ପୂର୍ବ ପ୍ରସ୍ତୁତି ବିହୀନ ଭାଷଣରେ ଡଗ୍‌ଲାସ୍‌ ଆଡାମ୍‌ସ ଏହା କହିବା ମୂଳରେ ଯାହା ଥିଲା, ଯଦି ଈଶ୍ବର ବୋଲି କେହି ଏ ସୃଷ୍ଟି ରଚନା କରିଥାନ୍ତି ଏବ˚ ସେ ଯଦି ଦୟାଳୁ ହୋଇଥାନ୍ତି, ତେବେ ସେ ପୃଥିବୀ ଭଳି ଏପରି ଏକ ବିପଜ୍ଜନକ ସ୍ଥାନରେ ଏବ˚ ପ୍ରତିକୂଳ ପରିବେଶରେ ଜୀବନ କାହିଁକି ସ୍ଥାପନ କଲେ? ଏହି ପୃଷ୍ଠ ଭୂମିରେ ବିଚାର କଲେ ପୃଥିବୀ ପୃଷ୍ଠରେ ସୁଖ ନୁହେଁ, ଦୁଃଖ ଯନ୍ତ୍ରଣା ହିଁ ମନୁଷ୍ୟ ପାଇଁ ଯେ ଅନିବାର୍ଯ୍ୟ, ଏଥିରେ କୌଣସି ସନ୍ଦେହ ରହେ ନାହିଁ। ଯଦିବା ସୁଖ ଥାଏ, ତାହା ପ୍ରସିଦ୍ଧ ବ୍ରିଟିସ୍ ଔପନ୍ୟାସିକ ଥମାସ୍‌ ହାର୍ଡି ତାଙ୍କର ସୁପରିଚିତ ଉପନ୍ୟାସ ‘ଦି ମେୟର‌୍‌ ଅଫ୍‌ କ୍ୟାଷ୍ଟର‌୍‌ବ୍ରିଜ୍‌’ରେ କହିଥିବା ଭଳି ହୋଇଥାଏ: ‘‘ଯନ୍ତ୍ରଣାର ମୌଳିକ ନାଟକରେ ସୁଖ ହେଉଛି କାଁ ଭାଁ ଘଟୁଥିବା ଏକ ଘଟଣା ମାତ୍ର।’’

ଏଣୁ ଜୀବନ ସାରା ବିଭିନ୍ନ କିସମର ଯନ୍ତ୍ରଣାର ସମ୍ମୁଖୀନ ମନୁଷ୍ୟ ଠାରେ ବେଳେବେଳେ ମାନସିକ ଅବସାଦ ଦେଖା ଦେବାରେ କୌଣସି ଅସ୍ବାଭାବିକତା ନ ଥାଏ। ପ୍ରାଚୁର୍ଯ୍ୟ ଭରା ଜୀବନ ବିତାଉଥିବା ଧନିକ ଠାରୁ ସମ୍ବଳହୀନ ଦରିଦ୍ର ପର୍ଯ୍ୟନ୍ତ, ଉନ୍ନତ ଆଧୁନିକ ସମାଜ ଠାରୁ ଅନୁନ୍ନତ ଆଦିମ ଗୋଷ୍ଠୀ ପର୍ଯ୍ୟନ୍ତ, ମାନସିକ ଅବସାଦର ଶୀତଳ ସ୍ପର୍ଶ ଠାରୁ କେହି ବି ମୁକ୍ତି ନୁହଁନ୍ତି। ତେଣୁ ମାନସିକ ଅବସାଦ ଓ ଉଦ୍‌ବେଗ ଭାରତୀୟମାନଙ୍କୁ ଓ ରାଜ୍ୟବାସୀଙ୍କୁ ଆକ୍ରାନ୍ତ କରିବା ସମ୍ବନ୍ଧରେ ନିକଟରେ ପ୍ରକାଶିତ ଖବର ଆଦୌ ଅସ୍ବାଭାବିକ ବୋଲି ବିଚାର କରାଯାଇ ପାରିବ ନାହିଁ, ବର˚ ଡଗ୍‌ଲାସ୍‌ ଆଡାମ୍‌ସ କହିଥିବା ଭଳି ଏହାର ଅନୁପସ୍ଥିତିକୁ ସ୍ବାଭାବିକ ବୋଲି ବିଶ୍ବାସ କରିବା ହିଁ ହେଉଛି ଅସ୍ବାଭାବିକ।

ଅନ୍ୟ ସମସ୍ତ ଦୁଃଖ, ବିପଦ, ଯନ୍ତ୍ରଣାର ମୁକାବିଲା କରିବା ପାଇଁ ସର୍ବଦା ଉଦ୍ୟମ କରିଆସୁଥିବା ମନୁଷ୍ୟ ଏହି ବିଶେଷ ଧରଣର ମାନସିକ ଅବସ୍ଥାର ମୁକାବିଲା କରିବା ପାଇଁ ସର୍ବଦା ଚେଷ୍ଟା କରି ଆସିଛି। ଯଦି ମାନବ ଇତିହାସରେ ଏଭଳି ମୁକାବିଲାରୁ ସର୍ବଶ୍ରେଷ୍ଠ ଶ୍ରେଣୀର କୌଣସି ଜଣେ ଯୋଦ୍ଧାଙ୍କୁ ଖୋଜି ବାହାର କରିବାକୁ ଉଦ୍ୟମ କରାଯାଏ, ଯେଉଁ ଜଣେ ବ୍ୟକ୍ତି ନିର୍ବିବାଦରେ ସେ ମର୍ଯ୍ୟାଦା ପାଇଁ ହକ୍‌ଦାର ହେବେ, ସେ ହେଉଛନ୍ତି ହିଟ୍‌ଲର‌୍‌ ସୃଷ୍ଟି କରିଥିବା ନର୍କପୁରୀ ପୋଲାଣ୍ତର ‘ଅସ୍‌ଵିଟ୍‌ସ କନ୍‌ସେଣ୍ଟ୍ରେସନ୍‌ କ୍ୟାମ୍ପ୍‌’ ଓ ବାଭାରିଆର ‘ଡାଚାଉ’ କ୍ୟାମ୍ପ୍‌ ଆଦିରେ ତିନି ବର୍ଷରୁ ଅଧିକ କାଳ ବନ୍ଦୀ ଭାବରେ ବିତାଇ ଜୀବନ୍ତ ବାହାରି ପାରିଥିବା ଇହୁଦୀ ସ୍ନାୟବିକ-ମାନସିିକ ଚିକିତ୍ସକ ଭିକ୍ଟର‌୍‌ ଏମିଲ୍‌ ଫ୍ରାଙ୍କ୍‌ଲ।

‘ହଲୋକଷ୍ଟ’ ନାମରେ କୁଖ୍ୟାତ ହିଟଲର‌୍‌ଙ୍କର ଏହି ଇହୁଦୀ ନିର୍ମୂଳ ଯୋଜନାରେ ଫ୍ରାଙ୍କ୍‌ଲଙ୍କ ଅନ୍ତଃସତ୍ତ୍ବା ପତ୍ନୀ, ମାତା ଓ ଭାଇଙ୍କ ସମେତ ପ୍ରାୟ ଛ’ନିଯୁତ ଇହୁଦୀ ପ୍ରାଣ ହରାଇଥିଲେ ମଧୢ ଜୀବନ ପ୍ରତି ଯେଉଁ ଆଭିମୁଖ୍ୟ ଫ୍ରାଙ୍କ୍‌ଲ୍‌ଙ୍କୁ କଙ୍କାଳସାର ଅବସ୍ଥାରେ ମଧୢ ବଞ୍ଚି ରହି ପାରିବାରେ ସାହାଯ୍ୟ କରିଥିଲା, ପରବର୍ତ୍ତୀ ସମୟରେ ସେ ତାହାକୁ ଆଧୁନିକ ମନୁଷ୍ୟର ମାନସିକ ଅବସାଦ ଦୂର କରିବାରେ ଏକ ପଦ୍ଧତି ରୂପେ ବ୍ୟବହାର କରିଛନ୍ତି। ଜୀବନର ଅର୍ଥ ଖୋଜି ପାଇବାରେ ବିଫଳତା ହିଁ ଜଣେ ବ୍ୟକ୍ତିଠାରେ ମାନସିକ ଅବସାଦ ସୃଷ୍ଟି କରିଥାଏ ବୋଲି ଭିକ୍ଟର‌୍‌ ଫ୍ରାଙ୍କ୍‌ଲଙ୍କର ମତ। ଏହି ଅର୍ଥ ମିଳିଗଲେ ଅବସାଦ ଦୂର ହୋଇଯିବ ବୋଲି ତାଙ୍କର ବିଶ୍ବାସ। ଏହି ଅର୍ଥ ଅନୁସନ୍ଧାନ ଭିତ୍ତିକ ଅବସାଦ ଦୂରୀକରଣ ପଦ୍ଧତିର ନାମ ସେ ଗ୍ରୀକ୍‌ ଶବ୍ଦ ଭିତ୍ତିରେ ରଖିଥିଲେ- ‘ଲୋଗୋଥେରାପି’ (‘ଲୋଗୋସ୍‌’- ‘ଅର୍ଥ’)। ଆଜିର ପରିପ୍ରେକ୍ଷୀରେ ଫ୍ରାଙ୍କ୍‌ଲ ପଦ୍ଧତିର ସମ୍ଭାବ୍ୟ ଉପଯୋଗିତାକୁ ଦୃଷ୍ଟିରେ ରଖି ଏଠାରେ ଅତି ଚୁମ୍ବକରେ ତାହାର ଉପସ୍ଥାପନା କରାଯାଇପାରେ।

‘ଲୋଗୋଥେରାପି’ ଅନୁସାରେ ଜୀବନର ଅର୍ଥ ଆବିଷ୍କାରର ତିନିଟି ଉପାୟ ରହିଛି: (୧) କୌଣସି କାର୍ଯ୍ୟଟିଏ ସୃଷ୍ଟି କରି କିମ୍ବା କାର୍ଯ୍ୟଟିଏ କରି; (୨) କିଛି ଅନୁଭବ କରି କିମ୍ବା ଅନ୍ୟ ମନୁଷ୍ୟଙ୍କ ସହିତ ଭାବଗତ ସମ୍ପର୍କ ସ୍ଥାପନ କରି; (୩) ଯେତେବେଳେ ଯନ୍ତ୍ରଣା ଅନିବାର୍ଯ୍ୟ, ସେତେବେଳେ ଯନ୍ତ୍ରଣା ପ୍ରତି ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଅବଲମ୍ବନ କରି। ପ୍ରଥମଟିର ବୋଧହୁଏ କୌଣସି ସରଳାର୍ଥ ଅନାବଶ୍ୟକ। ବ୍ୟକ୍ତି ହାସଲ କରୁଥିବା ବିଭିନ୍ନ ଉପଲବ୍‌ଧି ତାର ଜୀବନକୁ ନିଶ୍ଚିତ ରୂପେ ଅର୍ଥପୂର୍ଣ୍ଣ କରିଥାଏ। କିନ୍ତୁ ଦ୍ବିତୀୟଟି ମଧୢ ଅନୁରୂପ ଭାବରେ ଅର୍ଥପୂର୍ଣ୍ଣ ହୋଇଥାଏ ବୋଲି କେବଳ ଉପଲବ୍‌ଧି ପଛରେ ଧାଉଁଥିବା ଲୋକମାନେ ସଚେତନ ନ ଥାନ୍ତି। ପ୍ରକୃତି ଠାରୁ ଆରମ୍ଭ କରି ସାହିତ୍ୟ, କଳା, ସ˚ସ୍କୃତିରୁ ଅନୁଭୂତି ଆହରଣ କରିବା ମଧୢ ଜୀବନକୁ ଅର୍ଥପୂର୍ଣ୍ଣ କରିପାରେ, ଯେଉଁଭଳି ଉପଲବ୍‌ଧି ମଧ୍ୟ କରିପାରେ। ବନ୍ଦୀଶାଳା ପ୍ରାଙ୍ଗଣରୁ ସୂର୍ଯ୍ୟାସ୍ତ ଦେଖି ଯେଉଁ ବନ୍ଦୀ ବିଭୋର ହୋଇପାରେ ତା’ର ଜୀବନ ଅର୍ଥଶୂନ୍ୟ ହୁଏ ନାହିଁ। ବନ୍ଦୀ ଖୁଆଡ଼ର କଣ୍ଟା ତାର ବାଡ଼ରେ ବସିଥିବା ଛୋଟ ପକ୍ଷୀଟିର ଗୀତ ଶୁଣି ଯେଉଁ ବନ୍ଦୀର ମନ ନାଚି ଉଠେ ତା’ର ଜୀବନ ଅର୍ଥ ଶୂନ୍ୟ ନୁହେଁ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅବଶ୍ୟ ହେଉଛି ତୃତୀୟଟି। ଯଦି ଜୀବନରେ ଅସୁବିଧାର ସମ୍ମୁଖୀନ ହୋଇଛ, ତେବେ ସେ ଅସୁବିଧାକୁ ସୁବିଧାରେ ପରିଣତ କରିବାକୁ ଚେଷ୍ଟା କର। ଭିନ୍ନକ୍ଷମମାନଙ୍କର ଚମକପ୍ରଦ ସଫଳତାର କାହାଣୀରେ ଇତିହାସ ଭରପୂର। କିନ୍ତୁ ଯଦି ଅସୁବିଧା ବା ଯନ୍ତ୍ରଣା ଦୂର ହେବାର କୌଣସି ସମ୍ଭାବନା ନାହିଁ, ତେବେ ତାହାକୁ ସସମ୍ମାନେ ସହି ଯାଅ, ଭାଙ୍ଗି ପଡ଼ ନାହିଁ। ଏହାର ଅଧିକ ତର୍ଜମା ନ କରି ଏ ସମ୍ପର୍କରେ ଫ୍ରାଙ୍କ୍‌ଲଙ୍କର ନିଜ ଉକ୍ତି ଏଠାରେ ଉଦ୍ଧାର କରିବା ବୋଧହୁଏ ଯଥେଷ୍ଟ ହେବ: ‘‘ଆମ ପିଢ଼ି ହେଉଛି ବାସ୍ତବବାଦୀ, କାରଣ ଆମେ ମନୁଷ୍ୟ ବାସ୍ତବରେ ଯାହା, ତାକୁ ସେଇଭଳି ଜାଣିବାକୁ ପାଇଛୁ। ମନୁଷ୍ୟ ହେଉଛି ସେଇ ପ୍ରାଣୀ, ଯିଏ ‘ଅସ୍‌ଵିଟ୍‌ସ’ର ଗ୍ୟାସ୍‌ ଚାମ୍ବର ମାନ ଉଦ୍ଭାବନ କରିଛି; ତେବେ ମନୁଷ୍ୟ ମଧୢ ହେଉଛି ସେଇ ପ୍ରାଣୀ ଯିଏ ତୁଣ୍ତରେ ଈଶ୍ବରଙ୍କ ବନ୍ଦନା ଗାଇ ଗାଇ ମଥା ଉଚ୍ଚା ରଖି ସେଇ ଗ୍ୟାସ୍‌ ଚାମ୍ବରରେ ପ୍ରବେଶ କରିଛି।’’ ଅବସାଦ ଭୂତକୁ ତଡ଼ିବା ପାଇଁ ଏହାଠାରୁ ଅଧିକ ଫଳପ୍ରଦ ଉପାୟ ଆଉ କ’ଣ ହୋଇପାରେ?

ସମ୍ବନ୍ଧିତ ଖବର