ଅନ୍ତିମ ବେଳା

ଊନବି˚ଶ ଶତାବ୍ଦୀର ପ୍ରସିଦ୍ଧ ଲେଖକ, ଚିନ୍ତକ ଏବ˚ ଆବିଷ୍କାରକ ସାର ଵାଲ୍‌ଟର ରାଲେଙ୍କୁ ଯେତେବେଳେ ମୃତ୍ୟୁଦଣ୍ତ ସକାଶେ ଘାତକ ନିକଟକୁ ନିଆଗଲା, କୁହାଯାଏ ଯେ ଘାତକ ହାତରେ ଥିବା କୁରାଢ଼ିର ଧାର ପରୀକ୍ଷା କରି ସେ ଏହି ଅନ୍ତିମ ବାକ୍ୟଟି ଉଚ୍ଚାରଣ କରିଥିଲେ: ‘ଏହା ହେଉଛି ସର୍ବରୋଗହର ଔଷଧ।’ ମୃତ୍ୟୁଦଣ୍ତ ପାଇବାର ଅବ୍ୟବହିତ ପୂର୍ବରୁ ଦୋଷୀମାନେ ଯେଉଁ ଅନ୍ତିମ ସ˚ଳାପ ପ୍ରଦାନ କରିଥାଆନ୍ତି, ତାକୁ ଯୁକ୍ତରାଷ୍ଟ୍ର ଆମେରିକାର କେତେକ ପ୍ରଦେଶ ଏବ˚ କିଛି ପାଶ୍ଚାତ୍ୟ ଦେଶରେ ବିଧିବଦ୍ଧ ଭାବେ ରେକର୍ଡି˚ କରି ପରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇଥାଏ। ଯେଉଁସବୁ ରାଷ୍ଟ୍ରରେ ମୃତ୍ୟୁଦଣ୍ତର ପ୍ରାବଧାନ ଅଛି, ସେ ସବୁଠାରେ ବିଧି ବ୍ୟବସ୍ଥା ଅନୁସାରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ମୃତ୍ୟୁଦଣ୍ତକୁ କାର୍ଯ୍ୟକାରୀ କରାଯାଉଥିବା ପରିପ୍ରେକ୍ଷୀରେ ତଦ୍ଦ୍ବାରା ଗଭୀର ମାନସିକ ଚାପ ଦ୍ବାରା ଆକ୍ରାନ୍ତ ଏଭଳି ଅପରାଧୀମାନଙ୍କ ଅନ୍ତିମକାଳୀନ ବୟାନ ମନସ୍ତତ୍ତ୍ବବିତ୍‌ମାନଙ୍କ ଲାଗି ମଧୢ ବିଶେଷ ଆଗ୍ରହର ବିଷୟ ହୋଇ ରହିଛି। ସାରା ହର୍ସମୁଲର ଏବ˚ ବୋରିସ ଏଗ୍ରଫ୍‌ଙ୍କ ଭଳି ଦୁଇ ଜଣ ମନସ୍ତତ୍ତ୍ବବିତ୍‌ଙ୍କ ଦ୍ବାରା ମୃତ୍ୟୁ ପଥର ଏଭଳି ଯାତ୍ରୀମାନଙ୍କ ଅନ୍ତିମ ବେଳାରେ ସେମାନଙ୍କ ଉପରେ କରାଯାଇଥିବା ଏକ ଅନୁଶୀଳନ (୨୦୧୮ରେ ‘ଫ୍ରଣ୍ଟିଅର ଇନ୍‌ ସାଇକୋଲୋଜି’ରେ ପ୍ରକାଶିତ) କହିଥାଏ ଯେ ଅଧିକା˚ଶ ଏଭଳି ବ୍ୟକ୍ତିବିଶେଷଙ୍କ ଅନ୍ତିମକାଳୀନ ଅଭିବ୍ୟକ୍ତିରେ ଆତ୍ମସମୀକ୍ଷା ତଥା ପ୍ରାୟଶ୍ଚିତ୍ତ ମୂଳକ ମନୋଭାବ ବା ଆଧୢାତ୍ମିକତାର ଭାବ ଦେଖିବାକୁ ମିଳିଥାଏ। ଏଭଳି ଅନେକ ବକ୍ତବ୍ୟରେ ସନ୍ତାନ(ଭାବୀ ବ˚ଶଧର) ଆଦିଙ୍କ ଲାଗି ମାନବିକ ମୂଲ୍ୟବୋଧ ସମ୍ବଳିତ ସନ୍ଦେଶ ନିହିତ ଥିବାର ମଧୢ ଦେଖାଯାଏ। ୧୫୩୬ ମସିହାରେ ଦୋଚାରୁଣୀ ଅଭିଯୋଗରେ ଅଭିଯୁକ୍ତା ଇ˚ଲଣ୍ତର ରାଣୀ ଆନେ ବୋଲିନଙ୍କ ଶିର ତାଙ୍କ ସ୍ବାମୀ ତଥା ରାଜା ଅଷ୍ଟମ ହେନରୀଙ୍କ ଆଦେଶରେ ସ୍କନ୍ଧଚ୍ୟୁତ ହେବାର କିଛି କ୍ଷଣ ପୂର୍ବରୁ ସେ ରଖିଥିବା ବକ୍ତବ୍ୟ ଯେ ‘ରାଜା ଦୀର୍ଘଜୀବୀ ହୁଅନ୍ତୁ ଏବ˚ ପରଲୋକ ପରେ ମଧୢ ସେ ସ୍ବର୍ଗରେ ଶାସନ କରନ୍ତୁ’ ଠାରୁ ଆରମ୍ଭ କରି ୨୦୦୪ ମସିହାରେ ହେତାଲ ପାରିଖ ନାମକ ଜଣେ କିଶୋରୀକୁ ବଳାତ୍କାର ଏବ˚ ହତ୍ୟା କରିଥିବା ଅଭିଯୋଗରେ ଫାଶୀ ପାଇଥିବା ଧନଞ୍ଜୟ ଚାଟାର୍ଜୀର ଅନ୍ତିମ ବୟାନ ଯେ ‘ଈଶ୍ବର ସାକ୍ଷୀ, ମୁଁ ନୀରିହ’ ପର୍ଯ୍ୟନ୍ତରେ ଯେଉଁ ସବୁ ଅଭିବ୍ୟକ୍ତିମାନ ଶୁଣିବାକୁ ମିଳିଥାଏ, ତହିଁରେ ନିଜ ପ୍ରକୃତ ଚରିତ୍ର(ଯାହା ଲୋକେ ଭାବୁଛନ୍ତି, ତାହା ନୁହେଁ)କୁ ସାବ୍ୟସ୍ତ କରିବା ଲାଗି ସେମାନେ ଅନେକ କିଛି ସଂକେତ ସନ୍ତକ ଭାବେ ପୃଥିବୀ ଲାଗି ଛାଡ଼ି ଦେଇ ଯିବାକୁ ଚାହିଁଥାଆନ୍ତି ବୋଲି ମନସ୍ତତ୍ତ୍ବବିତ୍‌ମାନେ କହନ୍ତି। ସେହି କାରଣରୁ ୧୯୭୯ ମସିହାରେ ଦେଶବ୍ୟାପୀ ଘୋର ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଚୋପ୍ରା ଭାଇଭଉଣୀଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ତ ପାଇଥିବା ରଙ୍ଗା ଅନ୍ତିମ ଦିନଗୁଡ଼ିକରେ ଗଭୀର ଆଧୢାତ୍ମିକତା ଆଡ଼କୁ ଢଳିଥିବାର ଦେଖିବାକୁ ମିଳିଥିଲା।

ଏବେ ଉପରୋକ୍ତ ଘଟଣାମାନ ସ୍ମୃତି ସଜଳ ହେବାର କାରଣ ଗଲା ୭ ତାରିଖ ଦିନ ଦିଲ୍ଲୀର ଏକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ ନିର୍ଭୟା ଗଣ ବଳାତ୍କାର ଏବ˚ ହତ୍ୟା ଘଟଣା(୨୦୧୨, ଡିସେମ୍ବର ମାସ ୧୬ ତାରିଖ)ରେ ଦୋଷୀ ସାବ୍ୟସ୍ତ ସମସ୍ତ ଚାରି ଜଣ ଅପରାଧୀଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟା ସମୟରେ ଫାଶୀ ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ ମୃତ୍ୟୁଦଣ୍ତରୁ ବର୍ତ୍ତିବା ଲାଗି ସମସ୍ତ କାନୁନୀ ସୁଯୋଗ ଓ ସମ୍ଭାବନା କିଛିଦିନ ପୂର୍ବରୁ ଶେଷ ହୋଇଯାଇଥିଲା, ସୁତରା˚, ଏଭଳି ନିର୍ଦ୍ଦେଶ କେବଳ ମାତ୍ର ଏକ ଔପଚାରିକତା ହୋଇ ରହିଥିଲା। ନିର୍ଭୟା ଘଟଣାରେ ଅବର୍ଣ୍ଣନୀୟ କ୍ରୂରତାର ଭୟାବହତା ପରିପ୍ରେକ୍ଷୀରେ ଏଭଳି ଏକ ଚରମ ଦଣ୍ତର ହିଁ ଆବଶ୍ୟକତା ଥିଲା। ତେବେ, ଏହା ଦୃଷ୍ଟାନ୍ତମୂଳକ ହେବ ବୋଲି ଆମେ ସମସ୍ତେ ଆଶା କରିବା ଉଚିତ। ୨୦୧୮, ଜାନୁଆରିରେ ପ୍ରକାଶିତ ଏକ ରିପୋର୍ଟ ‘ଡେଥ୍‌ ପେନାଲ୍‌ଟି ଇନ୍‌ ଇଣ୍ତିଆ’(ଭାରତରେ ମୃତ୍ୟୁଦଣ୍ତ)ର ତଥ୍ୟ ଅନୁସାରେ ୨୦୧୭, ଡିସେମ୍ବର ସୁଦ୍ଧା ଆମ ଦେଶର ମୃତ୍ୟୁଦଣ୍ତକୁ ଅପେକ୍ଷା କରିଥିବା ଅପରାଧୀଙ୍କ ସ˚ଖ୍ୟା ୩୭୧, ଯହିଁରୁ ଗଲା ୧୩ ବର୍ଷ ଭିତରେ ମାତ୍ର ୪ ଜଣ ଫାଶୀ ପାଇଛନ୍ତି (ତା ସହିତ ଏହି ଚାରି ଜଣ ମିଶିଲେ ସ˚ଖ୍ୟା ୮ରେ ପହଞ୍ଚିବ)। ଏବ˚ ଏମାନଙ୍କ ଭିତରେ ସବୁଠାରୁ ପୁରୁଣା ଅପରାଧୀ ଜଣକ ଦୀର୍ଘ ୨୭ ବର୍ଷ ଧରି ମୃତ୍ୟୁଦଣ୍ତକୁ ଅପେକ୍ଷା କରି ରହିଛି। ଏହା ମଧ୍ୟ ଏକ ଅଭାବନୀୟ ପରିସ୍ଥିତି।

କହିବା ବାହୁଲ୍ୟ ଯେ ମୃତ୍ୟୁଦଣ୍ତ ପାଇଥିବା ପ୍ରାୟ ସମସ୍ତ ଅପରାଧୀ ସେମାନଙ୍କ ଅନ୍ତିମ ଦିନ ସବୁ ମନସ୍ତାପ ଓ ଅନୁତାପରେ ଜର୍ଜରିତ ହୋଇ ଅତିବାହିତ କରନ୍ତି ଏବ˚ ବଞ୍ଚି ରହିବା ଲାଗି ଆଶାର ଶେଷ ବିନ୍ଦୁଟି ନିଃଶେଷ ନ ହେବା ପର୍ଯ୍ୟନ୍ତ ମୁକ୍ତିି ଲାଗି ପ୍ରୟାସ ଜାରି ରଖନ୍ତି। ଏ ସ˚ଦର୍ଭରେ ଗ୍ରୀକ୍‌ ପୁରାଣରେ ବର୍ଣ୍ଣିତ ଦୁଇ ଗନ୍ଧର୍ବ ଭ୍ରାତା ‘ପ୍ରମେଥିଅସ୍‌’ ଏବ˚ ଏପିମେଥିଅସ୍‌’ଙ୍କ ଉପାଖ୍ୟାନ ପ୍ରଣିଧାନଯୋଗ୍ୟ। ‘ପ୍ରମେଥିଅସ୍‌’ ଶବ୍ଦର ଅର୍ଥ ଚିନ୍ତା ଶକ୍ତି-ଶୂନ୍ୟ ଆବେଗ ଏବ˚ ‘ଏପିମେଥିଅସ୍‌’ର ଅର୍ଥ ବିଚାର ବା ବିବେଚନାବୋଧ। ଗ୍ରୀକ୍‌ ପୁରାଣରେ ବର୍ଣ୍ଣିତ ରହିଛି କିଭଳି ‘ପ୍ରମେଥିଅସ୍‌’ ଆବେଗର ବଶବର୍ତ୍ତୀ ହୋଇ ଈଶ୍ବରଙ୍କ ସହିତ ବିଶ୍ବାସଘାତକତା କରି ତାଙ୍କ ଠାରୁ ଅଗ୍ନି ଚୋରି କରି ଆଣି ମନୁଷ୍ୟକୁ ଦେଇଥିଲା। ସେହି କାରଣରୁ ଏକ ଅସହ୍ୟ ଯନ୍ତ୍ରଣାଦାୟକ ଅସରନ୍ତି ଦଣ୍ତ ଭୋଗିବାକୁ ସେ ବାଧୢ ହୋଇଥିଲା। ଅନେକ ଘଟଣାରେ ମନ ଭିତରେ ‘ପ୍ରମେଥିଅସ୍‌’ ମୁଣ୍ତ ଉଠାଉଥିବା କାରଣରୁ ପରିଣାମକୁ ଭ୍ରୂକ୍ଷେପ ନ କରି ବା ଭୁଲ-ଠିକ ତର୍ଜମା ନ କରି ଜଣେ ଅପରାଧ ସ˚ଘଟିତ କରି ଦେଇପାରେ। ଏବ˚ ଯେତେବେଳେ ଦଣ୍ତ ମିଳେ, ସେତିକିବେଳେ ଅଧିକା˚ଶ ଏଭଳି ଅପରାଧୀଙ୍କ ମନରେ ‘ଏପିମେଥିଅସ୍‌’ର ଆବିର୍ଭାବ ଘଟିଥାଏ; କିନ୍ତୁ ସେତେବେଳକୁ ହୁଏ’ତ ଅନେକ ବିଳମ୍ବ ହୋଇ ସାରିଥାଏ।

ଏ ପରିପ୍ରେକ୍ଷୀରେ ଦିଲ୍ଲୀର ତିହାର ଜେଲ୍‌ରେ ନିଜ ଜୀବନର ଅନ୍ତିମ ଦିନ ଗଣୁଥିବା ଏହି ଚାରି ଜଣ ଅପରାଧୀ ଏବେ ଯେଉଁଭଳି ମାନସିକ ଚାପ ମଧୢ ଦେଇ ଗତି କରୁଥିବେ, ତାହା ଅନୁଶୀଳନସାପେକ୍ଷ। ସେମାନଙ୍କ ସହିତ ସମ୍ବେଦନଶୀଳ ବାର୍ତ୍ତାଳାପ ଜରିଆରେ ସେହି ଗଭୀର ମର୍ମଦାହକୁ ବିଭିନ୍ନ ଗଣମାଧୢମରେ ପ୍ରକାଶ କରାଯିବା ଆବଶ୍ୟକ। ଏହାର କାରଣ ହେଲା, କେତେକଙ୍କ ମତରେ କେବଳ ମୃତ୍ୟୁଦଣ୍ତର ଭୟ ଅପରାଧୀକୁ ରୋକିବାରେ ସଫଳ ହେଇ ନ ଥାଏ ଏଇଥି ଲାଗି ଯେ ସେମାନେ ଭାବି ନିଅନ୍ତି ଯେ ସେମାନେ କଦାପି ଧରା ପଡ଼ିବେ ନାହିଁ(ସେଥି ଲାଗି ସବୁ ପ୍ରକାର ସତର୍କତା ମଧୢ ଅବଲମ୍ବନ କରନ୍ତି) ଏବ˚ ଅନେକ କ୍ଷେତ୍ରରେ ଏହା ବି ହୁଏ ଯେ ସୈତାନୀ ଉନ୍ମାଦନାଭରା କ୍ଷଣରେ କୌଣସି ଦଣ୍ତ ଏପରିକି ପ୍ରାଣଦଣ୍ତର ଭୟ ମଧୢ ସେମାନଙ୍କ ମନରେ ଉଦ୍ରେକ ହୋଇ ନ ଥାଏ(ବଳାତ୍କାର ଭଳି ଘଟଣାରେ ଏହା ଅଧିକ)। ସେତେବେଳେ ସେମାନେ ‘ପ୍ରମେଥିଅସ୍‌’ର କବ୍‌ଜାରେ ହିଁ ଥାଆନ୍ତି। ଏଭଳି କ୍ଷେତ୍ରରେ ମୃତ୍ୟୁଦଣ୍ତ କାରଣରୁ ଅପରାଧୀ ମନରେ କୃତକର୍ମ ଲାଗି ସୃଷ୍ଟି ହେଉଥିବା ମନସ୍ତାପ ଓ ଅନୁତାପ ହୁଏ’ତ ‘ପ୍ରମେଥିଅସ୍‌’ର ବନ୍ଦୀମାନଙ୍କଠାରେ କିଛିଟା ଭାବାନ୍ତରର କାରଣ ହୋଇପାରେ। ହୁଏ’ତ ଜୀବନର ଅନ୍ତିମ ବେଳାରେ ଏହି ମୃତ୍ୟୁ ପଥର ଯାତ୍ରୀମାନଙ୍କ ମନରେ ଉଠୁଥିବା ହାହାକାର ଅନେକ ଉନ୍ମାଦନା-ପ୍ରମତ୍ତଙ୍କୁ ସେମାନଙ୍କ ପଥ ପରିବର୍ତ୍ତନ କରିବାକୁ ପ୍ରବର୍ତ୍ତାଇ ପାରେ।

ସମ୍ବନ୍ଧିତ ଖବର