ଚାକ୍ଷୁଷ ପ୍ରମାଣ

ଆସନ୍ତା ମାସରେ ହଲାଣ୍ଡର ଦି ହେଗ୍‌ଠାରେ ଅବସ୍ଥିତ ଆନ୍ତର୍ଜାତିକ ନ୍ୟାୟାଳୟ (ଇଣ୍ଟରନେସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌- ‘ଆଇସିଓଜେ’) ପାକିସ୍ତାନରେ ଗୁପ୍ତଚର ଅଭିଯୋଗରେ ବନ୍ଦୀ ହୋଇ ମୃତ୍ୟୁ ଦଣ୍ଡକୁ ଅପେକ୍ଷା କରିଥିବା ଭାରତୀୟ ନୌବାହିନୀ ଅଫିସର୍‌ କମାଣ୍ଡର୍‌ କୁଳଭୂଷଣ ଯାଦବଙ୍କ ମୁକ୍ତି ପାଇଁ ଭାରତ କରିଥିବା ଆବେଦନର ପୁଣି ଶୁଣାଣି ଆରମ୍ଭ କରିବାକୁ ଯାଉଛି। ଗତ ମଇ ମାସରେ ଭାରତର ଆବେଦନକୁ ଭିତ୍ତି କରି ଏହି ଅଦାଲତ ଯାଦବଙ୍କ ଆସନ୍ନ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ ହେବା ଉପରେ ନିଷେଧାଦେଶ ଜାରି କରି ପାକିସ୍ତାନକୁ ଅଡୁଆରେ ପକାଇ ଦେଇଥିଲେ। ଏଥର ବିଚାର ସମୟରେ ପାକିସ୍ତାନ ଗତଥର ପରାଜୟରୁ ଶିକ୍ଷା ଲାଭ କରି ନ୍ୟାୟାଳୟକୁ ନିଜ ସପକ୍ଷରେ ପ୍ରଭାବିତ କରିବା ଲକ୍ଷ୍ୟ ନେଇ ଚଳିତ ମାସ ୨୫ ତାରିଖରେ ଯାଦବଙ୍କ ମା ଓ ପତ୍ନୀଙ୍କୁ ତାଙ୍କ ସହିତ ସାକ୍ଷାତ କରିବାକୁ ଦେଇଥିଲେ। ପାକିସ୍ତାନ ଆଶା କରୁଛି ସେ ମାନବିକତା ଦୃଷ୍ଟିରୁ ପାକିସ୍ତାନ ଏହି ସାକ୍ଷାତକାର ଘଟିବାକୁ ଦେଇଛି ବୋଲି ଗଣମାଧ୍ୟମରେ ପ୍ରଦର୍ଶିତ କରି ଆନ୍ତର୍ଜାତିକ ଅଦାଲତକୁ ନିଜ ସପକ୍ଷରେ ଏକ ଅନୁକୂଳ ମନୋଭାବ ପୋଷଣ କରିବାକୁ ପ୍ରୋତ୍ସାହିତ କରିବ। ପାକିସ୍ତାନ ଯେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବାଧିକାରରେ ବିଶ୍ୱାସ କରେ ଯାଦବ ପରିବାରର ଏହି ମିଳନ ତାର ଏକ ବଳିଷ୍ଠ ପ୍ରମାଣ ରୂପେ ଅଦାଲତ ଗ୍ରହଣ କରିବେ ବୋଲି ପାକିସ୍ତାନ ଆଶା କରୁଛି।

ମଇ ମାସରେ ଆନ୍ତର୍ଜାତିକ ଅଦାଲତ ଯାଦବଙ୍କୁ ବଧ କରିବାରୁ ପାକିସ୍ତାନକୁ ନିବୃତ୍ତ କରି ଦେଇଥିବା ମଧ୍ୟବର୍ତ୍ତୀ ଆଦେଶ ଯେଉଁ କାରଣରୁ ଦେଇଥିଲେ ତାହା ମଧ୍ୟରେ ମୁଖ୍ୟ ଥିଲା ପାକିସ୍ତାନରେ ଯାଦବଙ୍କର ବିଚାରରେ ନ୍ୟାୟିକ ପ୍ରଣାଳୀ ଠିକ୍‌ ଭାବରେ ଅନୁସୃତ ହୋଇଛି କି ନାହିଁ ଏବଂ ବନ୍ଦୀ ଅବସ୍ଥାରେ ଥିବା ଯାଦବଙ୍କ ପ୍ରତି ଉପଯୁକ୍ତ ଆଚରଣ ପ୍ରଦର୍ଶନ କରାଯାଇଛି କି ନାହିଁ। ଭାରତୀୟ ଦୂତାବାସ ପ୍ରତିନିଧିମାନଙ୍କୁ ଯାଦବଙ୍କୁ ଭେଟିବାକୁ ସୁଯୋଗ (କନସୁଲାର ଆକ୍‌ସେସ୍‌) ଦିଆଯିବା ହେଉଛି ଏହି ବିଧିସମ୍ମତ ପ୍ରଣାଳୀ ତଥା ଉପଯୁକ୍ତ ଆଚରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ରବିବାର ଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖ୍ଵାଜା ଆସିଫ୍‌ ଘୋଷଣା କରିଥିଲେ ଯେ ଏହି ଭେଟ ଅବସରରେ ଯାଦବଙ୍କୁ କନ୍‌ସୁଲାର ଆକ୍‌ସେସ୍‌ ମଧ୍ୟ ପ୍ରଦାନ କରାଯାଇଥିଲା। ଜଣେ ମୃତ୍ୟୁଦଣ୍ଡକୁ ଅପେକ୍ଷା କରୁଥିବା ଗୁପ୍ତଚରକୁ ତାର ପରିବାର ଏବଂ ତା’ ଦେଶର ଦୂତାବାସ ସହିତ ଭେଟିବାକୁ ଦିଆଯିବା ବିଶ୍ୱ ଦରବାରରେ ଦୃଢ଼ୀଭୂତ ହୋଇଥିବା ପାକିସ୍ତାନର ନକାରାତ୍ମକ ଭାବମୂର୍ତ୍ତିରେ ଉନ୍ନତି ଆଣିବ ବୋଲି ପାକିସ୍ତାନ ଆଶା କରୁଥିଲା।

କିନ୍ତୁ ଏବେ ସେଇ ସାକ୍ଷାତକାରର ଯେଉଁ ଚିତ୍ର ପ୍ରକାଶ ପାଇଛି, ତାହା ପାକିସ୍ତାନର ଏହି ଉଦ୍ଦେଶ୍ୟ ପୂରଣରେ କେତେ ସହାୟକ ହେବ ତାହା ଏକ ବିରାଟ ପ୍ରଶ୍ନବାଚୀ। ମଙ୍ଗଳବାର ଦିନ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ସାକ୍ଷାତକାର ସମ୍ବନ୍ଧରେ ଜାରି କରିଥିବା ବିବୃତିରୁ ଯାହା ଜଣାପଡୁଛି ତାହା ସଂକ୍ଷେପରେ ଏହିପରି। କୁଳଭୂଷଣଙ୍କ ପତ୍ନୀ ଓ ମା’ ତାଙ୍କୁ ଭେଟିବା ପାଇଁ ପାକିସ୍ତାନ ଓ ଭାରତର କୂଟନୈତିକ ଅଧିକାରୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହା ନିର୍ଣ୍ଣୟ କରାଯାଇଥିଲା ଯେ ସାମ୍ବାଦିକମାନଙ୍କୁ ସେମାନଙ୍କ ନିକଟକୁ ଆସିବାକୁ ଦିଆଯିବ ନାହିଁ। କିନ୍ତୁ ଏହି ବୁଝାମଣାର ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇ ପାକିସ୍ତାନୀ ସାମ୍ବାଦିକ ମାନଙ୍କୁ କୁଳଭୂଷଣଙ୍କ ପିତାମାତାଙ୍କ ନିକଟକୁ ଯିବାକୁ ଦିଆଯାଇଥିଲା ଓ ଏହି ସାମ୍ବାଦିକ ମାନେ ସେମାନଙ୍କୁ ନାନା ପ୍ରକାର ଅସ୍ୱସ୍ତିକର ପ୍ରଶ୍ନମାନ ପଚାରି ଅସ୍ତବ୍ୟସ୍ତ କରି ପକାଇଥିଲେ। ପାକିସ୍ତାନୀ ପକ୍ଷ ନିରାପତ୍ତାକୁ ଆଳ କରି ଯାଦବଙ୍କ ପରିବାର ଲୋକଙ୍କ ସହିତ ଏପରି ବ୍ୟବହାର କରିଥିଲେ ଯେମିତି ଆତଙ୍କବାଦୀ ଅନୁପ୍ରବେଶ ଭୟରେ ଆମେରିକାର ବିମାନବନ୍ଦର ମାନଙ୍କରେ କରାଯାଇଥାଏ।

ଏପରି କରିବା ବେଳେ ସେମାନେ ଯାଦବଙ୍କ ସ୍ୱଜନମାନଙ୍କର ବ୍ୟକ୍ତିଗତ, ସାଂସ୍କୃତିକ ତଥା ଧର୍ମୀୟ ସ୍ପର୍ଶକାତରତା ପ୍ରତି କୌଣସି ସମ୍ମାନ କିଂବା ସମ୍ବେଦନଶୀଳତା ପ୍ରଦର୍ଶନ କରି ନଥିଲେ। ସେମାନଙ୍କୁ ସେମାନଙ୍କର ପୋଷାକ ବଦଳାଇବାକୁ ବାଧ୍ୟ କରାଯିବା ସଙ୍ଗେ ସଙ୍ଗେ ଚୁଡ଼ି, ବିନ୍ଦି ଏବଂ ଏପରିକି ମଙ୍ଗଳସୂତ୍ର ମଧ୍ୟ କାଢ଼ି ନିଆଯାଇଥିଲା। ଯାଦବଙ୍କର ବୟସ୍କା ମାତାଙ୍କୁ ତାଙ୍କ ପୁଅଙ୍କ ସହିତ ସେମାନଙ୍କର ମାତୃଭାଷା ମରାଠୀରେ କଥାବାର୍ତ୍ତା କରିବାକୁ ମଧ୍ୟ ଦିଆଯାଇ ନଥିଲା। ଏହା ଅତ୍ୟନ୍ତ ସ୍ୱାଭାବିକ ଯେ ସେଭଳି ଏକ ଆବେଗପୂର୍ଣ୍ଣ ମୁହୂର୍ତ୍ତରେ ମା’ ଓ ପୁଅ ନିଜର ମାତୃଭାଷାରେ ଭାବର ଆଦାନପ୍ରଦାନ କରିବେ। ସେମାନଙ୍କୁ ଏଥିପାଇଁ ଅନୁମତି ନ ଦେବା ନିଃସନ୍ଦେହରେ ଏକ ଆବେଗିକ ଅତ୍ୟାଚାର।

ବିଚାରୀ ମା’ ଯେତେବେଳେ ବି ମରାଠୀରେ କିଛି କହିପକାଉଥିଲେ ସେଠାରେ ଉପସ୍ଥିତ ପାକିସ୍ତାନୀ ଜଗୁଆଳିମାନେ ତାଙ୍କୁ ସାଙ୍ଗେ ସାଙ୍ଗେ ବାଧା ଦେଉଥିଲେ। ଯେତେବେଳେ ଭେଟ ଆରମ୍ଭ ହେଲା ସେତେବେଳେ ସେଠାରେ ଭାରତୀୟ ଉପଉଚ୍ଚାୟୁକ୍ତଙ୍କୁ ଉପସ୍ଥିତ ରହିବାକୁ ଦିଆଯାଇ ନଥିଲା। ଯେତେବେଳେ ତାଙ୍କୁ ସେଠାକୁ ଆସିବାକୁ ଦିଆଗଲା ସେତେବେଳେ ମଧ୍ୟ ଉପଉଚ୍ଚାୟୁକ୍ତଙ୍କୁ ଯାଦବଙ୍କ ମା’ ଓ ପତ୍ନୀଙ୍କ ସମୀପରେ ରହିବାକୁ ଦିଆ ନ ଯାଇ ଏକ ବାଡ଼ ଆରପଟେ ରଖାଯାଇଥିଲା। କୁଳଭୂଷଣଙ୍କ ଠାରୁ ଏକ କାଚ କାନ୍ଥ ଦ୍ୱାରା ବିଚ୍ଛିନ୍ନ ସେ ଦୁଇ ମହିଳାଙ୍କଠାରେ ଏକ ଆହୁରି ଅଧିକ ଅସହାୟବୋଧ ସୃଷ୍ଟି କରିବା ଲାଗି ଯେ ଏହା ଉଦ୍ଦିଷ୍ଟ ଥିଲା, ତାହା ସୁସ୍ପଷ୍ଟ। ଭେଟରୁ ବାହୁଡ଼ିବା ସମୟରେ ଯାଦବଙ୍କ ପତ୍ନୀଙ୍କଠାରୁ କାଢ଼ି ନିଆଯାଇଥିବା ଜୋତା ମଧ୍ୟ ତାଙ୍କୁ ଫେରସ୍ତ ଦିଆଯାଇ ନଥିଲା। ଭାରତୀୟ କର୍ତ୍ତୃପକ୍ଷ ଏ ସମ୍ବନ୍ଧରେ ସୂଚନା ଦେଇ ଏହାକୁ ବ୍ୟବହାର କରି ପାକିସ୍ତାନ କିଛି ବଦମାସି ନ କରିବାକୁ ସତର୍କବାଣୀ ଶୁଣାଇଥିଲେ ମଧ୍ୟ ଏବେ ପାକିସ୍ତାନ କହିଲାଣି ଯେ ସେ ଜୋତା ଭିତରେ କିଛି ନିଷିଦ୍ଧ ପଦାର୍ଥ ଥିଲା। ଏହା ନିଶ୍ଚିତ ଭାବରେ ଏକ ସୁପରିକଳ୍ପିତ ଚକ୍ରାନ୍ତ।

ଭାରତ ଗତ ୨୨ ମାସ ଧରି ଏଭଳି ସାକ୍ଷାତ ଓ କନ୍‌ସୁଲାର ଅକ୍‌ସେସ୍‌ ପାଇଁ ଦାବି କରି ଆସୁଥିଲେ ହେଁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ ସେମାନେ ଭାରତର ଦାବି ଯୋଗୁଁ ନୁହେଁ କି ଆନ୍ତର୍ଜାତିକ ଅଦାଲତରେ ଆଗାମୀ ଶୁଣାଣିକୁ ଦୃଷ୍ଟିରେ ରଖି ନୁହେଁ- କେବଳ ବିଶୁଦ୍ଧ ମାନବାଧିକାର ଦୃଷ୍ଟିକୋଣରୁ ସେମାନେ ଏହି ଦେଖା ସାକ୍ଷାତ ଆୟୋଜନ କରିଥିଲେ। ଏହା ଯେ ସମ୍ପୂର୍ଣ୍ଣ ମିଥ୍ୟା, ଦେଖା ସାକ୍ଷାତ ସମୟରେ ଘଟିଥିବା ବିଭିନ୍ନ ମାନବାଧିକାର ଉଲ୍ଲଂଘନ ହେଉଛି ତାହାର ପ୍ରମାଣ। ଏହା ଆଗାମୀ ଶୁଣାଣି ସମୟରେ ଆନ୍ତର୍ଜାତିକ ଅଦାଲତରେ ବିଚାରପତି ମାନଙ୍କୁ କେତେ ଦୂର ପ୍ରଭାବିତ କରିପାରିବ ତାହା ସେତେବେଳେ ଜଣାପଡ଼ିବ। ତେବେ ବର୍ତ୍ତମାନ ସେହି ଦେଖାସାକ୍ଷାତରୁ ଭାରତକୁ ଯେଉଁ ଲାଭ ମିଳିଛି ତାହା ହେଲା ଏକ ଚାକ୍ଷୁଷ ପ୍ରମାଣ ଯେ କୁଳଭୂଷଣ ଏବେ ବି ଜୀବିତ ଅଛନ୍ତି।

ସମ୍ବନ୍ଧିତ ଖବର