ବଲିଉଡ୍‌ର ସ୍ୱର

ଗଲା ସପ୍ତମ ଦଶକର ‘ଏମର୍ଜେନ୍‌ସି’ ଅଧୀନ ଭାରତରେ ଯେତେବେଳେ ପ୍ରତିବାଦର ସ୍ବର ଉତ୍ତୋଳନ କରିବା ଭଳି ‘ସେଲିବ୍ରିଟି’ ପ୍ରାୟ ଦେଖିବାକୁ ମିଳୁ ନ ଥିଲେ, ସେତିକି ବେଳେ ବଲିଉଡ୍‌ର ଦୁଇ ଜଣ ପ୍ରସିଦ୍ଧ ତାରକା ‘ଏମର୍ଜେନ୍‌ସି’ର ବିରୋଧ କରି ସରକାରୀ ରୋଷର ସମ୍ମୁଖୀନ ହୋଇଥିଲେ। ସେ ଦୁଇ ଜଣ ଥିଲେ ନାୟକ ଦେବାନନ୍ଦ ଏବ˚ ଗାୟକ କିଶୋର କୁମାର। ସେହି ସମୟର ରାଜନୈତିକ ସ୍ଥିତି ଥିଲା ଆଜିର ସ୍ଥିତି ଠାରୁ ସ˚ପୂର୍ଣ୍ଣ ଭିନ୍ନ। ସେତେବେଳେ ସାମାଜିକ ଗଣମାଧୢମର ଅସ୍ତିତ୍ବ ନ ଥିଲା କି ନ ଥିଲା ‘ଟ୍ବିଟ୍ଟର ଟ୍ରୋଲି˚’ର ଭୟ। ଦକ୍ଷିଣ ପନ୍ଥାର ରାଜନୀତି ସେତେବେଳକୁ ଏନ୍ତୁଡ଼ିଶାଳରୁ ବାହାରି ନ ଥିଲା। କିନ୍ତୁ ସେ ସମୟର ସୂଚନା ଓ ପ୍ରସାରଣ ବିଭାଗର ମନ୍ତ୍ରୀ, ସ˚ଜୟ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ, ବିଦ୍ୟା ଚରଣ ଶୁକ୍ଳ ଏହାକୁ ସହାସ୍ୟ ଗ୍ରହଣ କରି ନ ପାରି ଦେବାନନ୍ଦଙ୍କ ଦ୍ବାରା ଅଭିନୀତ ସିନେମାକୁ ଦୂରଦର୍ଶନରେ ଏବ˚ କିଶୋର କୁମାରଙ୍କ ଗୀତକୁ ‘ଅଲ୍‌ ଇଣ୍ତିଆ ରେଡିଓ’ର ବିବିଧ ଭାରତୀରେ ପ୍ରସାରଣ କରିବା ଉପରେ ନିଷେଧାଦେଶ ଲଗାଇଥିଲେ। ସେହି ସମୟରେ ଆଉ ଦୁଇଟି ଘଟଣା ମଧୢ ଘଟିଥିଲା। ଗୁଲଜାରଙ୍କ ନିର୍ଦ୍ଦେଶିତ ‘ଆନ୍ଧି’(ଇନ୍ଦିରା ଗାନ୍ଧୀଙ୍କ ଚେହେରା ସହିତ ପ୍ରଧାନମନ୍ତ୍ରୀ ଭୂମିକାରେ ଅବତୀର୍ଣ୍ଣ ସୁଚିତ୍ରା ସେନ୍‌ଙ୍କ କ୍ଷୀଣ ସାଦୃଶ୍ୟ ଥିବା କାରଣରୁ) ଏବ˚ ଅମୃତ ନାହାତାଙ୍କ ନିର୍ଦ୍ଦେଶିତ ରାଜନୈତିକ ବିଷୟବସ୍ତୁ ସମ୍ବଳିତ ସାଟାୟାରଧର୍ମୀ ସିନେମା ‘କିସା କୁର‌୍‌ସି କା’ର ପ୍ରଦର୍ଶନକୁ ମଧୢ ବ୍ୟାନ୍‌ କରାଯାଇଥିଲା। ଏହା ଥିଲା ମୁକ୍ତ ଅଭିବ୍ୟକ୍ତିର କଣ୍ଠରୋଧର କିଛି ଦୃଷ୍ଟାନ୍ତ। କିନ୍ତୁ, ଏଭଳି ମୁଷ୍ଟିମେୟ କିଛି ଉଦାହରଣକୁ ବାଦ୍‌ ଦେଲେ ତତ୍କାଳୀନ ବଲିଉଡ୍‌ ଦୁନିଆ ସମସାମୟିକ ରାଜନୈତିକ ଗତିବିଧି ନେଇ ପ୍ରାୟତଃ ନିରବ ଥିଲା; ଏପରିକି ବୀତସ୍ପୃହ ମଧୢ ଥିଲା। ଏବେ କିନ୍ତୁ ପରିସ୍ଥିତି ବଦଳିବାରେ ଲାଗିଛି। ଗଲା ମଙ୍ଗଳବାର ଦିନ ବଲିଉଡ୍‌ର ତାରକା ଅଭିନେତ୍ରୀ ଦୀପିକା ପାଦୁକୋନ ଜେଏନ୍‌ୟୁ କ୍ୟା˚ପସ୍‌କୁ ଯାଇ ସେଠାରେ ଘଟିଥିବା ହି˚ସାକାଣ୍ତରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିବା ଓ ସେମାନଙ୍କୁ ସମର୍ଥନ ଜ୍ଞାପନ କରିବା ପରେ ଯେଉଁ ବିବାଦ ସୃଷ୍ଟି ହୋଇଛି, ସେହି ପରିପ୍ରେକ୍ଷୀରେ ପ୍ରଶ୍ନ ପଚରାଯାଉଛି ଯେ ଏବେ ବଲିଉଡ୍‌ ଏକ ରାଜନୈତିକ ସ୍ବର ପାଇଯାଇଛି କି?

ବିଭିନ୍ନ ସମୟରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ସିନେମା ଜଗତ୍‌ ସହିତ ସ˚ପୃକ୍ତ ସେଲିବ୍ରିଟି(ଅନ୍ୟାନ୍ୟ କ୍ଷେତ୍ରର ସେଲିବ୍ରିଟିଙ୍କ ସମେତ)ମାନେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ସ୍ବ-ମତ ପ୍ରଦାନ କରିବା ସହିତ ଆବଶ୍ୟକ ପଡ଼ିଲେ ସ˚ଗଠିତ ବିକ୍ଷୋଭରେ ଅ˚ଶଗ୍ରହଣ କରି ସରକାର ବିରୋଧୀ ମନୋଭାବ ପ୍ରକାଶ କରୁଥିଲେ ହେଁ ଆମ ଦେଶରେ ଏଭଳି ଦେଖିବାକୁ ମିଳୁ ନ ଥିଲା। ସେହି କାରଣରୁ କଳାକାର ଭାବେ ସର୍ବନିମ୍ନ ରାଜନୈତିକ ସଚେତନତାରହିତ ବଲିଉଡ୍‌ ତାରକାମାନେ ବାରମ୍ବାର ସମାଲୋଚିତ ହୋଇ ଆସୁଥିଲେ। ଯଦିଓ ଗଲା ଶତାବ୍ଦୀରେ ଦେଖିବାକୁ ମିଳିଥିବା ‘ଆର୍ଟ‌୍‌ ସିନେମା’(କଳାତ୍ମକ ସିନେମା) ବା ଅଧିକ ଯଥାର୍ଥ ଭାବେ କହିଲେ ‘ସାମାଜିକ ବାସ୍ତବତାଧର୍ମୀ’ ସିନେମାର ଧାରାରେ ‘ଆଣ୍ଟି ଏଷ୍ଟାବ୍ଲିସ୍‌ମେଣ୍ଟ୍‌’ ବା ସରକାର ବିରୋଧୀ ମନୋଭାବ ବହନ କରୁଥିବା ଚଳଚ୍ଚିତ୍ରମାନ ନିର୍ମିତ ହେଉଥିଲେ ଏବ˚ ଏ ସବୁର ନିର୍ମାତା, ନିର୍ଦ୍ଦେଶକ ଏବ˚ ଅଭିନେତାମାନେ ସେମାନଙ୍କ ଆଭିମୁଖ୍ୟରେ ବିଦ୍ରୋହୀସୁଲଭ ଥିଲେ, ତଥାପି କୌଣସି ପ୍ରସଙ୍ଗକୁ କେନ୍ଦ୍ର କରି ସେମାନଙ୍କ ଦ୍ବାରା ଉଚ୍ଚାଟ ରାଜନୈତିକ ପ୍ରତିବାଦ ହୋଇଥିବା ଦେଖିବାକୁ ମିଳିନାହିଁ। ଏବେ କିନ୍ତୁ ସମୟ ବଦଳିଛି। କେବଳ ଦୀପିକା ପାଦୁକୋନ ନୁହନ୍ତି, ଅନୁରାଗ କାଶ୍ୟପ, ଫରହନ ଅଖତାର, ଜୋୟା ଅଖତାର, ଆଲିୟା ଭଟ୍ଟ, ଅନୁପମ ଖେର, ମଧୁର ଭଣ୍ତାରକର ଓ କଙ୍ଗନା ରଣାଵତଙ୍କ ଭଳି ଅନେକ ବଲିଉଡ୍‌ ସେଲିବ୍ରିଟି(ପ୍ରମୁଖ ଭାବେ ଯୁବ) ରାଜନୈତିକ ଦୃଷ୍ଟିରୁ ବେଶ୍‌ ସକ୍ରିୟ ଥିବା ଦେଖାଯାଉଛି। ତେବେ, ଏହାର କାରଣ କ’ଣ ହୋଇପାରେ? ଭାରତର ରାଜନୀତିରେ ଦକ୍ଷିଣ ପନ୍ଥାର ଅଭ୍ୟୁଦୟ ଏବ˚ ପ୍ରଭୁତ୍ବ ବିସ୍ତାର କ’ଣ ଗୋଟିଏ କାରଣ କି?

ବିଜେପିର ଶକ୍ତି ବୃଦ୍ଧି ହେବା ପୂର୍ବରୁ ଅଷ୍ଟମ ଦଶକର ଶେଷ ଭାଗ ପର୍ଯ୍ୟନ୍ତ ଭାରତରେ ଅଧିକା˚ଶ ସମୟ କ୍ଷମତା ଦଖଲ କରି ଆସିଥିବା କ˚ଗ୍ରେସ ଏବ˚ ତାର ବିରୋଧୀ ଦଳଗୁଡ଼ିକ ଭିତରେ ହୁଏତ ମତାନୈକ୍ୟ ଥିଲା; କିନ୍ତୁ ରାଜନୈତିକ ମତାଦର୍ଶ ବା ବିଚାର ବା ସିଦ୍ଧାନ୍ତ ଦୃଷ୍ଟିରୁ ବିଶେଷ ପାର୍ଥକ୍ୟ ନ ଥିଲା। ସବୁ ଦଳ ଥିଲେ ପ୍ରାୟ ସମାନ ଭାବେ ଚିନ୍ତା କରୁଥିବା ଭଳି ଧର୍ମନିରପେକ୍ଷତାବାଦୀ, ଊଣା ଅଧିକେ ବାମବାଦ ପାର୍ଶ୍ବକୁ ଢଳିଥିବା ସାମ୍ୟବାଦୀ। କିନ୍ତୁ ବିଜେପିର ଉତ୍‌ଥାନ ପରେ ଧର୍ମନିରପେକ୍ଷତାର ନୂତନ ବ୍ୟାଖ୍ୟାନ(ସେମାନଙ୍କ ଭାଷାରେ କ˚ଗ୍ରେସ ହୋଇଗଲା ଶଠ ଧର୍ମନିରପେକ୍ଷ), ସକ୍ରିୟ ରାଷ୍ଟ୍ରବାଦ ଓ ସ˚ଖ୍ୟା-ଗରିଷ୍ଠଙ୍କ ପ୍ରାଧାନ୍ୟବାଦ ଭଳି ଅବଧାରଣାର ଆବିର୍ଭାବ ପରେ ଯେଉଁ ବୈଚାରିକ ସ˚ଘାତର ସୂତ୍ରପାତ ହୋଇଛି, ତାହା ଅନେକଙ୍କୁ ରାଜନୈତିକ ରୂପେ ପକ୍ଷଭୁକ୍ତ ହେବା ଲାଗି ବାଧୢ କରିଛି। ତାହା ହିଁ କାରଣ ‘ସିଏଏ’ ହେଉ ବା ‘ଏନ୍‌ଆର‌୍‌ସି’ ଅଥବା ‘ଏନ୍‌ପିଆର‌୍‌’ ହେଉ ବା ‘ଜେଏନ୍‌ୟୁ’; ସବୁ ପ୍ରସଙ୍ଗରେ ବିଚାର ସ୍ପଷ୍ଟ ଭାବେ ଦ୍ବିଧା ବିଭକ୍ତ: ବାମ ନତୁବା ଦକ୍ଷିଣ। ସେହି ଦୃଷ୍ଟିରୁ ଆଜି ଯଦି ଦୀପିକା ବାମ ତେବେ କଙ୍ଗନା ଦକ୍ଷିଣ, ଯଦି ଅନୁରାଗ କାଶ୍ୟପ ବାମ ଅନୁପମ ଖେର ଦକ୍ଷିଣ। ନିରବ ବଲିଉଡ୍‌ ଏବେ ତାର ସ୍ବର ପାଇଛି। ହେଲେ, ଏଭଳି ଦୃଶ୍ୟପଟରେ ଗୋଟିଏ ଅସ˚ଗତି ତଥାପି ବିଦ୍ୟମାନ। ତାହା ହେଲା, ବଲିଉଡ୍‌ର ଅନ୍ୟତମ ସର୍ବାଧିକ ଲୋକପ୍ରିୟ ତିନି ସୁପରଷ୍ଟାର ଅମୀର ଖାଁ, ଶାହରୁଖ ଖାଁ ଏବ˚ ସଲମାନ ଖାଁଙ୍କ ମଧୢରୁ ଅନ୍ତତଃ ପ୍ରଥମ ଦୁଇଜଣ ରାଜନୈତିକ ଦୃଷ୍ଟିରୁ ସଚେତନ ଥିଲେ ହେଁ ଏକ ନିର୍ଦ୍ଦିଷ୍ଟ କାରଣରୁ ଏବ˚ ପୂର୍ବ ଅଭିଜ୍ଞତାରୁ କୌଣସି ରାଜନୈତିକ ପକ୍ଷ ନେବାରୁ ବିରତ ରହିବା। ଏହି ଅସ˚ଗତିଟି ଦୂର ହେବା ଲାଗି ହୁଏତ ଆମକୁ ଆମ ଗଣତାନ୍ତ୍ରିକ ମାନସିକତା ପରିପକ୍ବ ହେବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

ଏବେ ମୂଳ ପ୍ରସଙ୍ଗକୁ ଫେରିବା। ଜେଏନ୍‌ୟୁରେ ହଠାତ୍‌ ଦୀପିକା ଉଭା ହେବାକୁ ଅନେକ ତାଙ୍କର ଆଗାମୀ ସିନେମା ‘ଛପାକ୍‌’ ଲାଗି ଏକ ସୁପରିକଳ୍ପିତ ପ୍ରଚାରତନ୍ତ୍ରର ଅ˚ଶ ରୂପେ ଦେଖନ୍ତି। କେତେକ ବିଜେପି ତଥା ହିନ୍ଦୁତ୍ବବାଦୀ ଦଳର କର୍ମୀ ‘ଛପାକ୍‌’କୁ ନିଷେଧ କରିବା ବା ସିନେମା ପ୍ରେକ୍ଷାଳୟରେ ତାକୁ ପ୍ରଦର୍ଶନ କରାଇ ନ ଦେବା ସପକ୍ଷରେ ମତ ଦିଅନ୍ତି। ତେବେ ଉଲ୍ଲେଖନୀୟ ହେଲା, କେନ୍ଦ୍ର ସରକାର ଠିକଣା ସମୟରେ ହସ୍ତକ୍ଷେପ କରି ଏହାକୁ ଗୋଟିଏ ଗଣତନ୍ତ୍ରରେ ଜଣେ ନାଗରିକର ମୁକ୍ତ ମତବ୍ୟକ୍ତ କରିବାର ଅଧିକାର ବୋଲି ଅଭିହିତ କରିଛନ୍ତି। ସେହି ଦୃଷ୍ଟିରୁ ଯଦି ଦୀପିକାଙ୍କ ଚଳଚ୍ଚିତ୍ର ବିନା ବାଧାରେ ସାରା ଭାରତରେ ପ୍ରଦର୍ଶିତ ହୋଇପାରେ, ତେବେ ତାହା ହେବ ଭାରତୀୟ ଗଣତନ୍ତ୍ରର ଏକ ବିଜୟ; ଏବ˚ ପ୍ରକାରାନ୍ତରେ ଅସହିଷ୍ଣୁତାର ପ୍ରତିଶବ୍ଦ ପାଲଟିଥିବା ଦକ୍ଷିଣପନ୍ଥୀ ରାଜନୀତି ଲାଗି ଏକ ଗଣତାନ୍ତ୍ରିକ ଉପଲବ୍‌ଧି।

ସମ୍ବନ୍ଧିତ ଖବର

Comments are closed.