ଟୀକା ଓ୍ୱିଣ୍ତ୍‌ସର‌୍‌!

‘‘ଯୋଗୀ କୁଳ ବଡ଼ ଦୁଃଖ ଲୋ ଜନନୀ, ରାଜ କୁଳ ବଡ଼ ସୁଖ? ନମାନନ୍ତି ଯୋଗୀ ଖରା ଯେ ବରଷା, ବୁଲି ମାଗୁଥାନ୍ତି ଭିକ।’’ ଗୁରୁ ହାଡ଼ିପାଙ୍କ ଉପଦେଶ ମାନି ରାଣୀ ମୁକୁତା ଦେଇ ନିଜର ପୁତ୍ର ରାଜକୁମାର ଗୋବିନ୍ଦ ଚନ୍ଦ୍ରଙ୍କୁ ରାଜଉଆସ ଓ ସେଠାରେ ମିଳୁଥିବା ସୁଖ ସମ୍ଭୋଗ ଛାଡ଼ି ଜଣେ ଯୋଗୀ ହୋଇଯିବାକୁ ବାଧୢ କରିବା ପରେ ଗୋବିନ୍ଦ ଚନ୍ଦ୍ର ନିଜର ମର୍ମବେଦନା ଏହିପରି ନିଜ ଜନନୀଙ୍କୁ ଜଣାଇଥିଲେ, ଯାହା ଯୋଗେନ୍ଦ୍ର ବିପ୍ର ରଚିତ ସୁପରିଚିତ ନାଥ ସାହିତ୍ୟ ‘ଟୀକା ଗୋବିନ୍ଦ ଚନ୍ଦ୍ର’ରେ କୁହାଯାଇଛି। ବ୍ରିଟେନ୍‌ର ରାଜ ସି˚ହାସନରେ ବସିବା ପାଇଁ ବର୍ତ୍ତମାନର ସମ୍ଭାବ୍ୟ ଧାଡ଼ିର ଷଷ୍ଠ ସ୍ଥାନରେ ଥିବା ଯୁବରାଜ ହ୍ୟାରୀ (ସେ ହେଉଛନ୍ତି ପ୍ରଥମ ଦାବିଦାର ଯୁବରାଜ ଚାର୍ଲସଙ୍କ ସାନ ପୁଅ)ଙ୍କ ଜନନୀ ପ୍ରିନ୍‌ସେସ୍‌ ଡାଏନା କିନ୍ତୁ ଇହଲୋକରେ ନାହାନ୍ତି; ତେଣୁ କେହି ଯଦି କଳ୍ପନା କରିବ ସେ ଯେ ବର୍ତ୍ତମାନ ହ୍ୟାରୀଙ୍କୁ କେନ୍ଦ୍ର କରି ବ୍ରିଟିସ ରାଜପରିବାରରେ ସୃଷ୍ଟି ହୋଇଥିବା ଅସ୍ଥିରତାର ଅ˚ଶ ସ୍ବରୂପ ଯୁବରାଜ ଆତ୍ମନିର୍ବାସନ ପାଇଁ ନିଷ୍ପତ୍ତି ନେଇସାରି ଜେଜେମା’ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ନିକଟରେ ଏହିପରି ବିଳାପ କରୁଛନ୍ତି, ତାହା ଆଦୌ ଅସ୍ବାଭାବିକ ହେବ ନାହିଁ।

ଯେହେତୁ ବ୍ରିଟିସ ରାଜପରିବାର ନିକଟ ଅତୀତରେ ପ୍ରାୟ ଅଧା ପୃଥିବୀ ଉପରେ ରାଜତ୍ବ କରୁଥିଲା, ସେ ପରିବାରରେ ବର୍ତ୍ତମାନ ଦେଖାଦେଇଥିବା ଆଲୋଡ଼ନ ସମ୍ବନ୍ଧରେ ପୃଥିବୀବାସୀ ସେଇଭଳି ଊଣା ଅଧିକେ ପରିଚିତ, ଯେମିତି ହ୍ୟାରୀଙ୍କ ମାତା ପ୍ରିନ୍‌ସେସ୍‌ ଡାଏନାଙ୍କ ଦୁଃଖଦ ଅନ୍ତ ସମୟରେ ଦେଖିବାକୁ ମିିଳିଥିଲା। ଯୁବରାଜ ହ୍ୟାରୀ କେବେ ପ୍ରକୃତରେ ସି˚ହାସନ ଲାଭ କରିବା ସମ୍ଭାବନା ହେଉଛି ବସ୍ତୁତଃ ଶୂନ୍ୟ। ତାଙ୍କ ବଡ଼ଭାଇ ଵିଲିଅମ୍‌ ଏ ଧାଡ଼ିରେ ଦ୍ବିତୀୟ ସ୍ଥାନରେ ଥିବାବେଳେ, ତାଙ୍କ ପୁଅ ଛ’ବର୍ଷ ବୟସର ଜର୍ଜ ତୃତୀୟ ଓ ଝିଅ ଚାରିବର୍ଷିଆ ଚାର୍ଲଟ୍‌ ଚତୁର୍ଥ ଏବ˚ ଦୁଇ ବର୍ଷ ବୟସର ପୁଅ ଲୁଇସ୍‌ ପଞ୍ଚମ ସ୍ଥାନରେ ଥିବାବେଳେ ୩୫ ବର୍ଷୀୟ ଯୁବରାଜ ହ୍ୟାରୀ ରହିଛନ୍ତି ଷଷ୍ଠ ସ୍ଥାନରେ।

୨୦୧୬ରେ ବ୍ରିଟିସ ରାଜପରିବାରରେ ଏକ ମୃଦୁ କମ୍ପନ ସୃଷ୍ଟି କରି ହ୍ୟାରୀ ଜଣେ ମିଶ୍ରିତ ମୂଳର ଆମେରିକୀୟ ଟେଲିଭିଜନ୍‌ ଅଭିନେତ୍ରୀ ମେଗାନ୍‌ ମାର୍କ‌୍‌ଲଙ୍କୁ ବିବାହ କରିଥିଲେ, ଯିଏ ଏକ ଶ୍ବେତକାୟ ପିତା ଓ ଆଫ୍ରିକୀୟ ମୂଳର କୃଷ୍ଣକାୟ ମାତାଙ୍କର ସନ୍ତାନ। ତାଙ୍କର ପୂର୍ବରୁ ଏକ ବିବାହ ବିଚ୍ଛେଦ ମଧୢ ଘଟି ସାରିଥିଲା। ଯେଉଁମାନେ ରାଜପରିବାରର ଗତିବିଧି ଉପରେ ସର୍ବଦା ଟିକିନିଖି ନଜର ରଖିଥାନ୍ତି, ସେମାନେ ଲକ୍ଷ୍ୟ କରି ଆସିଛନ୍ତି ଯେ ଏହି ନୂତନ ସଦସ୍ୟ ଜଣକ କଠୋର ପରମ୍ପରା ଆବଦ୍ଧ ବ୍ରିଟିସ ରାଜପରିବାରରେ ଟିକିଏ ବେଖାପ ଅବସ୍ଥାରେ ରହିଛନ୍ତି। ଏବେ ସମସ୍ତଙ୍କୁ ଚମତ୍କୃତ କରି ଯୁବରାଜ ହ୍ୟାରୀ ଘୋଷଣା କରିଦେଲେ ଯେ ସେ ତାଙ୍କ ପତ୍ନୀ ଓ ନବଜାତ ପୁତ୍ରଙ୍କ ସହିତ ରାଜପରିବାର ଓ ରାଜକୀୟ କାର୍ଯ୍ୟକ୍ରମମାନଙ୍କ ଠାରୁ ଦୂରେଇ ଯାଇ ସାମୟିକ ଭାବରେ କାନାଡ଼ାରେ ବାସ କରିବେ।

ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯୁବରାଜ ହ୍ୟାରୀ ମଧୢ ସୂଚନା ଦେଇଛନ୍ତି ଯେ ସେମାନେ ବିତ୍ତୀୟ ସ୍ବାଧୀନତା ହାସଲ କରିବାକୁ ଚାହାଁନ୍ତି। ଏହାର ଅର୍ଥ ହ୍ୟାରୀ ଓ ତାଙ୍କ ପତ୍ନୀ ରାଜପରିବାରର ଦାନ ଉପରେ ନିର୍ଭର ନକରି ନିଜେ ରୋଜଗାର କରି ଚଳିବାକୁ ଚାହୁଁଛନ୍ତି- ଯାହା ଏକ ପ୍ରକାର ରାଜକୁମାର ଗୋବିନ୍ଦ ଚନ୍ଦ୍ର ଯୋଗୀ ହୋଇ ବୁଲି ବୁଲି ଭିକ୍ଷା କରି ଚଳିବା ସହ ସମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ହ୍ୟାରୀ ସ୍ୟାଣ୍ତ୍‌ହର୍ଷ୍ଟ‌୍‌ସ୍ଥିତ ରୟାଲ୍‌ ମିଲିଟାରି ଏକାଡେମିରେ ଜଣେ ସାମରିକ ଅଫିସର ରୂପେ ତାଲିମ ନେଇଛନ୍ତି (ହେଲିକପ୍ଟର‌୍‌ ପାଇଲଟ୍‌); କିନ୍ତୁ ତାଙ୍କର କୌଣସି ୟୁନିଭର୍ସିଟି ଡିଗ୍ରି ନାହିଁ। ଏଥିଯୋଗୁଁ କୌଣସି ଉପଯୁକ୍ତ ଚାକିରି ଦୂର କଥା, କାନାଡ଼ାରେ ସ୍ଥାୟୀ ବାସିନ୍ଦା ହେବା ପାଇଁ ଅନୁମତି ଲାଭ କରିବା ମଧୢ ତାଙ୍କ ପାଇଁ କଷ୍ଟକର ହେବ; ଯଦିବା ତାଙ୍କ ଜେଜେମା’ ହେଉଛନ୍ତି ସମ୍ବିଧାନ ଅନୁସାରେ କାନାଡ଼ାର ମଧୢ ରାଣୀ। ଯଦି ସେ କାନାଡ଼ାରେ ବାସ କରି ଜୀବିକା ଅର୍ଜନ କରିବାକୁ ଚାହାଁନ୍ତି, ତେବେ ତାଙ୍କ ପାଇଁ ଯେଉଁ ବାଟଟି ବୋଧହୁଏ ସବୁଠାରୁ ସହଜ, ତାହା ହେଲା କାନାଡ଼ାର ପ୍ରଧାନ ମନ୍ତ୍ରୀ ଆଇନ ଅନୁଯାୟୀ ‘କରୁଣା ପ୍ରଦର୍ଶନ’ ପୂର୍ବକ ତାଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରିବା। ତେବେ ହ୍ୟାରୀ କ’ଣ କହି କାନାଡ଼ା ସରକାରଙ୍କ ଠାରୁ କରୁଣା ଭିକ୍ଷା କରିବେ? ସେ କ’ଣ କହିବେ, ‘‘ମୋ ପିତାମହୀ ମତେ ବ୍ରିଟେନ୍‌ରୁ ନିର୍ବାସିତ କରିଛନ୍ତି?’’ ଏହା ତେଣୁ ଏକ ବାସ୍ତବ ବିକଳ୍ପ ନୁହେଁ।

ଶୁଣାଯାଉଛି, ହ୍ୟାରୀ ତାଙ୍କ ପତ୍ନୀ ମେଗାନ୍‌ ମାର୍କ‌୍‌ଲଙ୍କ ପୂର୍ବ ଅଭିଜ୍ଞତାକୁ ପାଥେୟ କରି ମେଗାନ୍‌ଙ୍କ ପାଇଁ ନିଯୁକ୍ତି ଖୋଜିବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଚଳଚ୍ଚିତ୍ର ନିର୍ମାଣକାରୀ ସ˚ସ୍ଥା ଡିସ୍‌ନୀର ମୁଖ୍ୟଙ୍କ ସହିତ କଥାବାର୍ତ୍ତା କରିବାର ଖବର ମଧୢ ପ୍ରକାଶ ପାଇଛି, ଯାହାକୁ କେନ୍ଦ୍ର କରି ବ୍ରିଟିସ୍‌ ରାଜବ˚ଶର ଅନୁରକ୍ତମାନେ ଏହା ଅତ୍ୟନ୍ତ ଅପମାନଜନକ ବୋଲି କହୁଛନ୍ତି। ଏଣେ ହ୍ୟାରୀ ଓ ତାଙ୍କ ପରିବାର ଯଦି କାନାଡ଼ାରେ ବାସ କରନ୍ତି, ସେଥିଯୋଗୁଁ ତାଙ୍କ ନିରାପତ୍ତା ବାବଦରେ ଯେଉଁ ବିଶାଳ ଖର୍ଚ୍ଚ ଆବଶ୍ୟକ ହେବ, ତାହା ବହନ କରିବ କିଏ ବୋଲି କାନାଡ଼ାରେ ଏକ ହ୍ୟାରୀ-ଆଗମନ-ବିରୋଧୀ ଜନମତ ସୃଷ୍ଟି ହେବାକୁ ଆରମ୍ଭ କଲାଣି। ଉଲ୍ଲେଖଯୋଗ୍ୟ ଯେ କାନାଡ଼ାରେ ଏବେ ଭାରତୀୟ ମୂଳର ନାଗରିକମାନେ ଜନସ˚ଖ୍ୟାର ଏକ ବିଶେଷ ଅ˚ଶରେ ପରିଣତ ହୋଇସାରିଛନ୍ତି। ବ୍ରିଟିସ୍‌ ଶାସନ ହଟାଇ ସ୍ବାଧୀନତା ଲାଭ କଲା ପରେ ଭାରତ ବ୍ରିଟିସ୍‌ ରାଜବ˚ଶ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ଏକ ସାର୍ବଭୌମ ସାଧାରଣତନ୍ତ୍ରରେ ପରିଣତ ହୋଇଛି। ତେଣୁ କାନାଡ଼ାର ଏହି ନାଗରିକମାନେ ପୁଣି ବ୍ରିଟିସ୍‌ ରାଜବ˚ଶର ବୋଝ ବହନ କରିବାକୁ ଚାହୁଁ ନାହାନ୍ତି। ମେଗାନ୍‌ ମାର୍କ‌୍‌ଲ କିନ୍ତୁ ଅତୀତରେ କାନାଡ଼ାରେ ସମୟ ବିତାଇ ଥିବାରୁ, କାନାଡ଼ାରେ ହିଁ ରହିବାକୁ ପସନ୍ଦ କରୁଛନ୍ତି।

ରାଜଉଆସରୁ ବାହାରି ଆସି ଏକ ସାଧାରଣ ନାଗରିକର ଜୀବନ ବିତାଇବାକୁ ଯେତେ ଚାହିଁଲେ ବି ତେଣୁ ରାଜ ଅନୁଦାନ ଓ ରାଜ ଅନୁକମ୍ପା ବିନା ଯେ ତାହା କିଭଳି କଷ୍ଟକର ହୋଇଥାଏ, ସେଇ ଅନୁଭୂତି ଯୁବରାଜ ହ୍ୟାରୀଙ୍କୁ ରାଜକୁମାର ଗୋବିନ୍ଦ ଚନ୍ଦ୍ରଙ୍କ ପରି ବିଳାପ କରିବାକୁ ବାଧୢ କରିବା ନିଶ୍ଚିତ- ବାହାରେ ନ ହେଲେ ବି ଅନ୍ତର ଭିତରେ। ତାଙ୍କ ରାଜବ˚ଶ ନାମ ଅନୁସାରେ ତାହା ହେବ: ‘ଟୀକା ଓ୍ୱିଣ୍ତ୍‌ସର‌୍‌’!

ସମ୍ବନ୍ଧିତ ଖବର