୨୦୧୮ ମସିହା ମେ’ ମାସରେ ଗଣମାଧୢମରେ ଗୋଟିଏ ଖବର ପ୍ରକାଶ ପାଇଥିଲା ଯେ ‘ଟିଣ୍ତର୍ ଫାୟାର୍’ (ଝୁଲ ନିଆଁ)ରେ ଯୁକ୍ତରାଷ୍ଟ୍ର ଆମେରିକାର ଆରିଜୋନା ଅଞ୍ଚଳରେ ୧୧,୪୦୦ ଏକର ପରିମିତ ଅଞ୍ଚଳର ଜଙ୍ଗଲ ଜଳି ଛାରଖାର ହୋଇଯାଇଛି। ସେଇ ସମୟରେ ପ୍ରକାଶିତ ଆଉ ଗୋଟିଏ ସମ୍ବାଦ ଏହିପରି ମଧୢ ଥିଲା ଯେ ‘ଟିଣ୍ତର୍’ ନାମକ ଏକ ‘ଆପ୍’ (ମୋବାଇଲ୍ ଆପ୍ଲିକେସନ୍) ଭାରତର ଯୁବ ସ˚ପ୍ରଦାୟ ଭିତରେ ଥିବା ସ˚ପର୍କର ଦୁନିଆରେ ନିଆଁ ଲଗାଇ ଦେଇଛି। ତେବେ ପ୍ରାୟ ଦେଢ଼ ବର୍ଷ ତଳର ଏହି ସମ୍ବାଦ ଦୁଇଟି ଏବେ ସ୍ମରଣକୁ ଆସୁଛି କାହିଁକି? କାରଣ, ଗଲା ୧୩ ତାରିଖରେ ବିଭିନ୍ନ ଓଡ଼ିଆ ଗଣମାଧୢମରେ ‘ଟିଣ୍ତର୍’ ଆପ୍କୁ କେନ୍ଦ୍ର କରି ପ୍ରକାଶ ପାଇଥିବା ଏକ ଚାଞ୍ଚଲ୍ୟକର ଖବର। ‘ଟିଣ୍ତର୍’ ଆପ୍ ଜରିଆରେ ଜଣେ ତରୁଣ ବ୍ୟାଙ୍କ ଅଧିକାରୀ ଏବ˚ ଜଣେ ଅଧୢାପିକାଙ୍କ ମଧୢରେ ସ୍ଥାପିତ ଅତର୍କିତ ପ୍ରେମ ସ˚ପର୍କ କିଭଳି ତିକ୍ତତା, ପ୍ରତାରଣା, ବ୍ଲାକ୍ମେଲି˚, ଅପହରଣ ଓ ପରିଶେଷରେ ତରୁଣଙ୍କ ଜେଲ୍ ଗମନ ଭଳି ବିଭିନ୍ନ ଅଘଟଣର ନାଟକୀୟ ଘନଘଟା ଭିତରେ କବର ନିଏ, ତାହା ହିଁ ଥିଲା ଏହି ସମ୍ବାଦର ବିଷୟବସ୍ତୁ। କେବଳ ସେତିକି ନୁହେଁ, ପ୍ରେମ ସ˚ପର୍କ ସୃଷ୍ଟି କରିବା ଲାଗି ‘ଟିଣ୍ତର୍’ ଭଳି ଅନେକ ‘ଆପ୍’ ଆଜି ଆମ ଦେଶରେ ଅଭୁତପୂର୍ବ ଲୋକପ୍ରିୟତା ହାସଲ କରୁଥିବା ପରିପ୍ରେକ୍ଷୀରେ ଭାରତୀୟ ସମାଜରେ ପ୍ରେମ ସ˚ପର୍କକୁ ନେଇ ରହି ଆସିଥିବା ପାର˚ପରିକ ରକ୍ଷଣଶୀଳତାଧର୍ମୀ ସ˚ଜ୍ଞା ଓ ପରିଭାଷା ଯେ ପୁନର୍ଲିଖନର ଆବଶ୍ୟକତା ଦାବି କଲାଣି, ଏହା କହିବା ବାହୁଲ୍ୟ ମାତ୍ର। ସୁତରା˚, ଏ ସ୍ତମ୍ଭରେ ଏ ପ୍ରସଙ୍ଗ ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି।
ପ୍ରେମ ବ୍ୟାପାରକୁ ନେଇ ପ୍ରାଚୀନ ଭାରତୀୟ ସମାଜର ଉଦାରତା ଓ ସାହିତ୍ୟର ଉତ୍କର୍ଷ ଶୀର୍ଷରେ ପହଞ୍ଚି ଥିବା ସତ୍ତ୍ବେ ପରବର୍ତ୍ତୀ କାଳରେ ଏହା କାହିଁକି ସ˚ପର୍କର ଏକ ‘ନିଷିଦ୍ଧାଞ୍ଚଳ’ରେ ପରିଣତ ହେଲା, ସେ ନେଇ ଅନେକ ମତ ରହିଛି। ତେବେ, ଇତିହାସକାରମାନେ ମତୈକ୍ୟ ପ୍ରକାଶ କରିଥାଆନ୍ତି ଯେ ଭାରତ ଭୂମି ଉପରେ ଘନ ଘନ ଆକ୍ରମଣ ଏବ˚ ଅତିକ୍ରମଣ କରୁଥିବା ବିଦେଶୀମାନଙ୍କ ଲୋଲୁପ ଦୃଷ୍ଟିରୁ ସୁରକ୍ଷା ଲାଭ କରିବା ଲାଗି ଭାରତୀୟ ରମଣୀମାନଙ୍କୁ ପର୍ଦ୍ଦା ପଛକୁ ଠେଲି ଦିଆଯିବା ଏକ ପ୍ରକାର ବାଧୢବାଧକତା ଥିଲା। ସେହି କ୍ରମରେ ବିବାହ ବହିର୍ଭୂତ ନାରୀ ଓ ପୁରୁଷଙ୍କ ପ୍ରେମ ସ˚ପର୍କକୁ ଏକ ଅସ˚ଯତ କାର୍ଯ୍ୟ ରୂପେ ବିବେଚନା କରାଯିବା ଆରମ୍ଭ ହେଲା, ଯେଉଁ ଧାରଣା ଏ ଯାବତ୍ ବଳବତ୍ତର ରହିଛି। ତେଣୁ ଏଭଳି ଏକ ସ୍ଥିତିରେ ‘ସୂଚନା ପ୍ରଯୁକ୍ତି’ର ବିସ୍ଫୋରକ ବିକାଶ କାଳରେ ଯେତେବେଳେ ପ୍ରେମ ସ˚ପର୍କ ସୃଷ୍ଟି କରିବା ଲାଗି ‘ଆପ୍’ମାନ ଉପଲବ୍ଧ ହେବା ଆରମ୍ଭ କଲେ, ସେତିକି ବେଳେ ଏଭଳି ‘ଷ୍ଟାର୍ଟ୍ ଅପ୍’ ଉଦ୍ୟୋଗର ପରିଚାଳକମାନଙ୍କ ଧାରଣା ନ ଥିଲା ଯେ ଭାରତ ଭଳି ଏକ ପର˚ପରାବାଦୀ ରକ୍ଷଣଶୀଳ ରାଷ୍ଟ୍ରର ଅତ୍ୟନ୍ତ ବିଶାଳ ଯୁବ ସ˚ପ୍ରଦାୟ ଏ ସବୁକୁ ଅକୁଣ୍ଠ ଚିତ୍ତରେ ଗଭୀର ଆଶ୍ଳେଷରେ ଭିଡ଼ି ଧରିବ। ମାତ୍ର ଦେଢ଼ ଦଶନ୍ଧି ତଳ ପର୍ଯ୍ୟନ୍ତ କେତେକ ବିକଶିତ ଭାରତୀୟ ମହାନଗରୀର ଧନିକ ଓ ଉଦାରବାଦୀ ବର୍ଗକୁ ଛାଡ଼ି ଦେଲେ, ‘ଡେଟି˚’ ଭଳି ଶବ୍ଦଟିଏ ପ୍ରେମ ସ˚ପର୍କ ସୃଷ୍ଟିର ପ୍ରକ୍ରିୟାରେ ପ୍ରାୟତଃ ଅନୁପସ୍ଥିତ ରହୁଥିଲା। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ବା ସେହିଭଳି କିଛି ପାଶ୍ଚାତ୍ୟ ଦେଶରେ ଅନେକ ଆଗରୁ ‘ଡେଟି˚’ ଭଳି ସହସା ପ୍ରେମ ସ˚ପର୍କ ସୃଷ୍ଟିକାରୀ ପ୍ରଥାଟିଏ ରହି ଆସିଥିଲା, ଯାହା ଏବେ ବି ରହିଛି। ସେ ସବୁ ଦେଶରେ କୌଣସି ପୁରୁଷ ବା ନାରୀ ତାଙ୍କର ପ୍ରଥମ କିଛି କ୍ଷଣର ସାକ୍ଷାତରେ ଯଦି କୌଣସି ବିପରୀତ ଲିଙ୍ଗଧାରୀ (ଧାରିଣୀ)ଙ୍କ ପ୍ରତି ସହସା ଆକର୍ଷିତ ହେଉଥିଲେ, ତେବେ ସେ ତାଙ୍କୁ ‘ଡେଟି˚’ ଲାଗି ଆମନ୍ତ୍ରଣ କରି ପକାନ୍ତି। ଆମନ୍ତ୍ରଣ ସ୍ବୀକୃତ ହେବା ପରେ ସ୍ଥାପିତ ହେଉଥିବା ସ˚ପର୍କର ଆୟୁଷ ଅନେକ ସ୍ଥଳରେ ମାତ୍ର କେଇ ଘଣ୍ଟାରୁ ନେଇ ବେଳେବେଳେ ବିବାହ ରୂପକ ଏକ ସ୍ବାଭାବିକ ଉପସ˚ହାର ପର୍ଯ୍ୟନ୍ତ ଯାଇଥାଏ। ପାଶ୍ଚାତ୍ୟର ଚରମ ଉଦାରବାଦୀ ସାମାଜିକ ପରିବେଶରେ ଐନ୍ଦ୍ରିକ ଆବେଦନର ତୀବ୍ର ପ୍ରବଣତାରୁ ଜାତ ଏଭଳି ସ˚ପର୍କ ସ୍ଥାପନର ପଦ୍ଧତି ଯେ ଭାରତ ଭଳି ଏକ ପ୍ରାଚୀନ ସ˚ସ୍କୃତିସ˚ପନ୍ନ ରାଷ୍ଟ୍ରରେ ବିଶେଷ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଲାଭ କରିବ ନାହିଁ; ବୋଧହୁଏ ଏଭଳି ଆଶଙ୍କା ଡେଟି˚ ‘ଆପ୍’ର ପ୍ରବର୍ତ୍ତକମାନଙ୍କର ଥିଲା। କିନ୍ତୁ ଏଭଳି ସବୁ ଧାରଣା ଓ ପୂର୍ବାଗ୍ରହକୁ ଭୁଲ୍ ସାବ୍ୟସ୍ତ କରି ଭାରତୀୟ ତରୁଣ ବର୍ଗ ଏଭଳି ‘ଆପ୍’ଗୁଡ଼ିକୁ କିଭଳି ଅଭ୍ୟର୍ଥନା ପ୍ରଦାନ କରିଛନ୍ତି, ତାର ଏକ ଚିତ୍ର ନିମ୍ନରେ ପ୍ରଦତ୍ତ।
‘ଡେଟି˚’ ଆପ୍ କ୍ଷେତ୍ରରେ ପୃଥିବୀରେ ସର୍ବାଧିକ ଲୋକପ୍ରିୟ ଆପ୍ ‘ଟିଣ୍ତର୍’ ୨୦୧୬ ମସିହାରେ ଆତ୍ମପ୍ରକାଶ କଲା ପରେ ଏବେ ଭାରତର ସର୍ବାଧିକ ଲୋକପ୍ରିୟ ‘ଡେଟି˚’ ଆପ୍। ଗଲା ୨୦୧୯ ମେ’ ମାସରେ ଗୁଗୁଲ ଦ୍ବାରା ପ୍ରକାଶିତ ଏକ ପରିସ˚ଖ୍ୟାନରୁ ଜଣାଯାଏ ଯେ ପ୍ରତି ଦିନ ୭.୫ ନିୟୁତ ଭାରତୀୟ ଯୁବକଯୁବତୀ ଏହାର ବ୍ୟବହାର କରୁଛନ୍ତି। ଏହି ‘ଆପ୍’ ଜରିଆରେ ଭାବ ଆଦାନପ୍ରଦାନମୂଳକ ସନ୍ଦେଶ ପ୍ରେରଣରେ ଭାରତ ହେଉଛି ଏକ ନମ୍ବର ଦେଶ। ୨୦୧୬ରୁ ୨୦୧୮ ସମୟ କାଳ ମଧୢରେ ଭାରତୀୟ ବ୍ୟବହାରକାରୀଙ୍କ ସ˚ଖ୍ୟା ତିନି ଗୁଣ ହୋଇଛି ଏବ˚ କେବଳ ୨୦୧୮ରେ ତାର ପୂର୍ବ ବର୍ଷ ତୁଳନାରେ ବ୍ୟବହାରକାରୀଙ୍କ ସ˚ଖ୍ୟାରେ ୪୦% ବୃଦ୍ଧି ଘଟିଛି। ତେବେ, ଏ ଯାବତ୍ ଏହି ‘ଆପ୍’ର ବ୍ୟବହାରକାରୀମାନଙ୍କ ମଧୢରେ ଏକ ଲିଙ୍ଗଗତ ବୈଷମ୍ୟ ରହିଛି, ଯାହା ହେଲା ଏହି ‘ଆପ୍’ର ବ୍ୟବହାରକାରୀ (ନିଜ ସ˚ପର୍କରେ ସେମାନଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଆଧାରରେ)ଙ୍କ ମଧୢରେ ମହିଳାଙ୍କ ସ˚ଖ୍ୟା ୨୦ ପ୍ରତିଶତ। ତେବେ ‘ଟିଣ୍ତର୍’ର ଲୋକପ୍ରିୟତା ପରେ ‘ଡେଟି˚’ ଆପ୍ର ଗୋଟିଏ ବିପଣି ଖୋଲିଯାଇଥିବା ଦେଖିବାକୁ ମିଳିଛି। ‘ଟିଣ୍ତର୍’ ସହ ତାଳ ଦେଇ ‘ଗୁଗଲ’ ପ୍ଲେ ଷ୍ଟୋର୍ରୁ ‘ଟ୍ରୁଲି ମ୍ୟାଡ୍ଲି’, ‘ଓକେ କ୍ୟୁପିଡ୍’ ଏବ˚ ‘ବମ୍ବଲ୍’ ଭଳି ପ୍ରେମ ଇଙ୍ଗିତ ବହନକାରୀ ନାମ ସମ୍ବଳିତ ‘ଆପ୍’ଗୁଡ଼ିକୁ ଅସ˚ଖ୍ୟ ଭାରତୀୟ ଯୁବକଯୁବତୀ ପ୍ରତି ଦିନ ଡାଉନ୍ଲୋଡ୍ କରିବାରେ ବ୍ୟସ୍ତ।
କିନ୍ତୁ ଯେଉଁ ପ୍ରସଙ୍ଗକୁ ଏହି ଯୁବ ବର୍ଗ ନଜରଅନ୍ଦାଜ କରିଦେଉଥିବା ଦେଖାଯାଉଛି ତାହା ହେଲା ଏଭଳି ‘ଆପ୍’ ଜରିଆରେ ଦୁଇ ଅପରିଚିତଙ୍କ ମଧୢରେ ସହସା ସ୍ଥାପିତ ହୋଇପାରୁଥିବା ସ˚ପର୍କରେ କପଟାଚାରର ଆଶଙ୍କା ଏବ˚ ଏହାର ପରବର୍ତ୍ତୀ ପରିଣାମ। ଅଷ୍ଟ୍ରୀୟ ମନୋଚିକିତ୍ସକ ଆଲଫ୍ରେଡ୍ ଆଡଲର୍ କହିଥିଲେ ଯେ ବନ୍ଧନରେ ଥିବା ସମାଜଟିଏ ହଠାତ୍ ବନ୍ଧନମୁକ୍ତ ହୋଇଗଲେ ସ୍ବାଧୀନତାର ସ୍ବାଦ ଚାଖିବା ବଦଳରେ ଉଚ୍ଛୃଙ୍ଖଳ ହୋଇପଡେ଼, ଯେମିତି ବନ୍ଧା ହୋଇଥିବା କୁକୁରର ଶିକୁଳି ଛିଣ୍ତିଗଲେ ସେ ହୋଇଥାଏ। ଏଭଳି ଏକ ସ୍ବୈରାଚାର ଭାରତୀୟ ଯୁବ ସମାଜରେ ଦେଖିବାକୁ ମିଳିଲାଣି, ଯାହା ଉଦ୍ବେଗଜନକ।
ଗ୍ରୀକ୍ ପୁରାଣରେ ବର୍ଣ୍ଣିତ ଅଛି ଯେ ପ୍ରମେଥିଅସ ନାମକ ଜଣେ ‘ଟାଇଟାନ୍’(ଭାରତୀୟ ପୁରାଣର ଗନ୍ଧର୍ବ ତୁଲ୍ୟ) ଈଶ୍ବରଙ୍କ ପବିତ୍ର ଅଗ୍ନିରୁ ଝୁଲଟିଏ ଚୋରି କରି ଆଣି ମନୁଷ୍ୟକୁ ଦେଇଥିଲା ବୋଲି ମାନବ ଜାତି ମାନବ ସଭ୍ୟତାରେ ପରିଣତ ହେଲା। କେବଳ ପୁରାଣ ନୁହେଁ, ଇତିହାସ ମଧୢ କହିଥାଏ ଯେ ନିଆଁ ଝୁଲକୁ ଆୟତ୍ତ କରି ନିଜ ବ୍ୟବହାରରେ ଲଗାଇ ପାରିଥିବା ପ୍ରଥମ ମନୁଷ୍ୟ ହିଁ ମାନବ ସଭ୍ୟତାର ସୂତ୍ରଧର। ଏବ˚ ନିଆଁ ଝୁଲ ଅଣାୟତ୍ତ ହେଲେ କିଭଳି ଅବସ୍ଥା ଉପୁଜିପାରେ ତାର ମଧୢ ସାକ୍ଷୀ ଇତିହାସ। ଶ୍ରୀଷ୍ଟାବ୍ଦ ୬୪ରେ ତତ୍କାଳୀନ ବିଶ୍ବର ଅନ୍ୟତମ ସର୍ବଶ୍ରେଷ୍ଠ ସଭ୍ୟତାର ନିଦର୍ଶନ ରୋମ ନଗରୀ ଜଳିପୋଡ଼ି ଛାରଖାର ହୋଇଯିବା ଠାରୁ ଆରମ୍ଭ କରି ସ˚ପ୍ରତି ଅଷ୍ଟ୍ରେଲିଆ ପ୍ରତି ବିପଦ ସୃଷ୍ଟି କରିଥିବା ପ୍ରଳୟଙ୍କରୀ ଜଙ୍ଗଲ ନିଆଁ ପର୍ଯ୍ୟନ୍ତରେ ସବୁ କିଛିର ଆରମ୍ଭ କୌଣସି ନା କୌଣସି ଅମାନିଆ ନିଆଁ ଝୁଲରୁ। ‘ଟିଣ୍ତର’ର ପ୍ରସ୍ତୁତକର୍ତ୍ତାମାନେ ସେମାନଙ୍କ ‘ଆପ୍’ର ଏଭଳି ନାମକରଣ କରିଥିବା ପଛରେ ଗୂଢ଼ ଭାବନା ନିହିତ। ତେଣୁ ଏଭଳି ‘ଆପ୍’ର ବ୍ୟବହାରକାରୀ ଯୁବକଯୁବତୀମାନେ ନିଆଁ ଝୁଲକୁ ବ୍ୟବହାର କଲା ଭଳି ସତର୍କତା ଅବଲମ୍ବନ କରିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)